ଧନିଆ ମସଲାଗୁଣ୍ଡର ପ୍ରଧାନ ଉପାଦାନ । ଧନିଆ ଏକ ସବୁଦିନିଆ ଫସଲ । ଧନିଆପତ୍ର ଚାହିଦା ବଜାରରେ ବର୍ଷତମାମ ରହିଛି । ଏହି ଚାଷ କେବଳ ବ୍ୟବସାୟ ଦୃଷ୍ଟିରୁ ଲାଭଦାୟକ ନୁହେଁ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହାର ଖାଦ୍ୟରେ ବ୍ୟବହାର ଆମକୁ ଅନେକ ଲାଭ ହୋଇଥାଏ । ଧନିଆପତ୍ର ତନ୍ତୁ, ମାଙ୍ଗାନିଜ, ଲୌହ ଓ ମ୍ୟାଗନେସିୟମ ଆଦିରେ ଭରପୂର । ତା'ଛଡା ଏହାର ପତ୍ରରେ ଭିଟାମିନ ସି’ କେ ଓ ପ୍ରୋଟିନ ବା ପୁଷ୍ଟିସାର ଯଥେଷ୍ଟ ରହିଛି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହାବ୍ୟତୀତ ଏଥିରେ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଥାୟାମିନ, ନିଆସିନ ଏବଂ କ୍ୟାରୋଟିନ ମଧ୍ୟ ମିଳିଥାଏ । ଖାଦ୍ୟରେ ଏହି ପତ୍ରର ବ୍ୟବହାର ସମସ୍ତ ପ୍ରକାର ଚର୍ମଜନିତ ରୋଗ ଦୂର କରେ ଏବଂ କୋଲଷ୍ଟ୍ରେଲ କମାଏ । ଡାଇରିଆ, ପାଟିଘା’, ରକ୍ତହୀନତା, ବଦହଜମୀ, ରକ୍ତ ଶର୍କରାଜନିତ ରୋଗ, ଆଖୁରୋଗ ଆଦି ଏହା ଦୂର କରିଥାଏ । ଏହାକୁ ଚଟଣି କରି ଖୁଆଯାଏ । ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ଏହି ପତ୍ର ତରକାରିକୁ ସୁସ୍ୱାଦୁ କରିଥାଏ ।
ଏହି ଫସଲ ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ଚାଷ କରାଯାଏ । ଉଷ୍ମମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ। ଫୁଲ ଫୁଟେ ନାହିଁ, କିନ୍ତୁ ଏହା ପତ୍ର ପାଇଁ ଚାଷ କରାଯାଇପାରେ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ । ମଞ୍ଜି ଗଠନ ସମୟରେ ଶୁଷ୍କ ଏବଂ ଥଣ୍ଡା ପାଗ ଦରକାର। ପତ୍ର ପାଇଁ ଏହାକୁ ଅଦିନିଆ ଚାଷ କରାଯାଇ ଅନେକ ଲାଭ କରାଯାଇପାରେ । ଦୋରସା, ମଟାଳ ମାଟିରେ ଏହି ଚାଷ ଭଲ ହୋଇଥାଏ ।
ଧନିଆର କିସମଗୁଡିକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ଯେପରି ବୁଦା, ମଧ୍ୟମ ଓ ସିଧା ବା ଡେଙ୍ଗାବୁଦାର କିସମଗୁଡିକ ହେଲା ଆରସିଆର ୨୪, ୪୩୫, ୪୩୬, ସିନ୍ଧୁ, ସିଓ୧ ଓ ସିଓ ୩ । ସେହିପରି ମଧ୍ୟମ କିସମ ଗୁଡିକ ହେଲା ସ୍ଵାତୀ, ସାଧନା ଏବଂ ସିଧା କିସମଗୁଡିକ ମଧ୍ୟରେ ଆରସିଆର ୪୧, ୪୪୬, ସିଓ ୨ ଇତ୍ୟାଦି । ବୁଣା ସମୟ ସାଧାରଣତଃ ଅକ୍ଟୋବର - ନଭେମ୍ବର ଓ ଜୁନ-ଜୁଲାଇ ।
ଜଳସେଚିତ ଜମି ପାଇଁ ୫-୬ କିଗ୍ରା ବିହନ ଦରକାର ହେଉଥିବାବେଳେ ଅଣଜଳସେଚିତ ଜମିରେ ୧୦-୧୨ କି.ଗ୍ରା ମଞ୍ଜି ଦରକାର ହୋଇଥାଏ । ବୁଣିବା ଆଗରୁ ବିହନ ବିଶୋଧନ କରିବା ବିଧେୟ । ଏକଜିଗ୍ରା ମଞ୍ଜିକୁ ଏକ ଲିଟର ପାଣିରେ ୨ଗ୍ରାମ ଥିରାମ ଏବଂ ଏକ ଗ୍ରାମ କାର୍ବେଣ୍ଡାଜିମ (ବାଭିଷ୍ଟିନ) ମିଶାଇ ୧୦-୧୨ ଘଣ୍ଟା ଭିଜାଯାଏ ।
ଜମିକୁ ଭଲଭାବେ ଚାଷକରି ମାଟିଗୁଣ୍ଡ କରି ଶେଷ ଓଡ ଚାଷରେ ହେକ୍ଟର ପ୍ରତି ୨୦ ଟନ ଶଢା କମ୍ପୋଷ୍ଟ ଖତ ପ୍ରୟୋଗ କରାଯାଏ । ଜମିକୁ ପଟାଳିରେ ଭାଗ କରାଯାଏ । ୧୫ ବର୍ଗ ମିଟରର ଛୋଟ ପଟାଳିକରି ଚାରିପଟେ ପାଣି ନାଳିଦେଲେ ଭଲ । ମଞ୍ଜିକୁ ଧାଡିକୁ ଧାଡି ୩୦-୪୦ ସେମି ବ୍ୟବଧାନର ୧-୨ ସେମି ଗଭୀରରେ ବୁଣାଯାଏ ।
ବିହନ ବୁଣା ପରେ ପଟାଳିଗୁଡିକ ନଡାରେ ଘୋଡାଇ ରଖି ପ୍ରତିଦିନ ପାଣିସିଞ୍ଚନ କଲେ ଶୀଘ୍ର ଓ ଅଧିକ ଗଜା ବାହାରିଥାଏ । ପତ୍ର ବିକ୍ରି ପାଇଁ ୧୦-୧୨ ଦିନ ବ୍ୟବଧାନରେ ପର୍ଯ୍ୟାୟକ୍ରମେ ମଞ୍ଜି ବୁଣିବା ଆବଶ୍ୟକ । ମଞ୍ଜି ବୁଣିବା ସମୟରେ ମାଟିର ବତର ରହିବା ଉଚିତ ।
ଶେଷ ଓଡଚାଷରେ ହେକ୍ଟର ପ୍ରତି ୧୦ କିଗ୍ରା ଯବକ୍ଷାରଜାନ ଓ ୪୦ କିଗ୍ରା ଫସଫରସ ସାର ପ୍ରୟୋଗ କରାଯିବା ଉଚିତ । ବୁଣିବାର ଏକ ମାସ ପରେ ଆଉ ୧୦ କିଗ୍ରା ଯବକ୍ଷାରଜାନ ସାର ପ୍ରୟୋଗ କରାଯାଇଥାଏ ।
ବୁଣିବାର ୩୦ଦିନରେ କୋଡାଖୁସା କରି ଅନାବନା ଗଛ ନଷ୍ଟ କରିଦିଆଯାଏ । ଗଛକୁ ଗଛ ୧୦ ସେମି ବ୍ୟବଧାନରେ ରଖି ଅଧିକ ଗଛ ଓପାଡି ବିକ୍ରି କରାଯାଏ । ଜଳସେଚିତ ଫସଲରେ ୩୦ ଓ ୭୫ ଦିନରେ ସାର ପ୍ରୟୋଗ କରି ହୁଡା ଟେକି ଦିଆଯାଏ । ବତର ଓ ପାଖାପାଖି ପ୍ରତ୍ୟେକ ୧୫-୨୦ ଦିନ ଅନ୍ତରରେ ଜଳସେଚନ କରାଯାଏ ।
ଏହାର ମୁଖ୍ୟ ରୋଗଗୁଡିକ ହେଉଛି ପାଉଁଶିଆ ଝାଉଁଳା, କାଣ୍ଟଫୁଲା, ଜଉପୋକ ରୋଗ ଇତ୍ୟାଦି । ପାଉଁଶିଆ ରୋଗ ସହନଶୀଳ କିସମ ଯଥା ସ୍ଵାତି, ସିନ୍ଧୁ, ସିଓ ୩ ବ୍ୟବହାର କରି ୧୫ଦିନ ବ୍ୟବଧାନରେ ୨ଥର ୱେଟବଲ ସଲଫର (ସଲଫୋକ୍ସ ୫ ଗ୍ରାମ/ ଲିଟର) କିମ୍ବା କାର୍ବେଣ୍ଡାଳିମ (ଜମିଷ୍ଟିନ ୧.୫ ଗ୍ରାମ/ଲିଟର) ସ୍ପ୍ରେ କରାଯାଏ । ଝାଉଁଳା ରୋଗରେ ମୂଳ ଶଢିଯାଇ ପତ୍ର ହଳଦିଆ ହୋଇ ଗଛ ଝାଉଁଳି ପଡେ । ଏହାର ନିଦାନ ହେଉଛି ଜମିକୁ ଖରାଟିଆ ଗଭୀର ଚାଷ କରାଯିବା ଉଚିତ ଏବଂ ଗୋଟିଏ ଜମିରେ ଧନିଆଚାଷ ବାରମାର କରିବା ଅନୁଚିତ । ସହନଶୀଳ କିସମ ବ୍ୟବହାର କରିବା ଉଚିତ । ଫସଲରେ କାର୍ବେଣ୍ଡାଜିମା (ବାଭିଷ୍ଟନ ୧.୫ ଗ୍ରାମ) ୧ମାସ ବ୍ୟବଧାନରେ ୨ଥର ସ୍ରୋ କରାଯିବା ଦରକାର । କାଣ୍ଡଫୁଲା ରୋଗରେ ଗଛର କାଣ୍ଡ, ଶାଖା, ପ୍ରଶାଖା, ପତ୍ରର ଶିରା ପ୍ରଶିରା ଏବଂ ଡେମ୍ଫ ଗଣ୍ଠିପରି ଫୁଲିଯାଏ ଏବଂ ଅମଳ କମିଯାଏ । ବିହନ ବିଶୋଧନ କରି ଗଛରେ ଥିରାମ (୨.୫ ଗ୍ରାମ) ସ୍ପ୍ରେ କରାଯାଏ । ଜଉପୋକ ଦେଖାଗଲେ ମେଟାସିସ୍ଟକ୍ସ ବା ଏଣୋସଲଫାନ/ଡାଇନୋଥେiଏଟ ହେକ୍ଟର ପ୍ରତି ୧ ଲିଟର-୫୦୦ ଲିଟର ପାଣିରେ ଦ୍ରବଣରେ ପତ୍ରସିଞ୍ଚନ କରାଯିବା ଉଚିତ।
ବୁଣିବାର ୧୫-୪୫ ଦିନ ମଧ୍ୟରେ ଗଛକୁ ଉପାଡି ବିକ୍ରି କରାଯାଏ । ହେକ୍ଟର ପ୍ରତି ଏକ କ୍ରିଣ୍ଟାଲ ଶାଗ ଏବଂ ୪-୬ କ୍ଵିଣ୍ଟାଲ ମଞ୍ଜି ଅମଳ ହୁଏ । କିସମ ଅନୁସାରେ ୧୦୦-୧୪୦ ଦିନ ଫସଲ ଅମଳ କରିବା ସହିତ ୭୫ ଦିନର ଗଛରେ ଥିବା ଅର୍ଦ୍ଧେକ ପତ୍ର ତୋଳି ବିକ୍ରି କରାଯାଇପାରେ। ଧନିଆ ଚାଷ ଛାତ ଉପରେ କୁଣ୍ଡରେ ପାକଶାଳା ବଗିଚାରେ ମଧ୍ୟ କରାଯାଇପାରେ । ଛତା ବଗିଚା ମାନଙ୍କରେ ମଧ୍ୟ ଫଳ ଓ ପନିପରିବା କୁଣ୍ଡା, କାଠ ବାକ୍ସ, ଜରିମୁଣିରେ ଉତାରି ପାରିବେ । ଛାତ ଉପରେ ପାକଶାଳା ବଗିଚାରେ ଧନିଆ ଚାଷ ଜୈବିକ ଉପାୟରେ କୀଟନାଶକ ପ୍ରୟୋଗ ନକରି ଚାଷ କରିବା ଉଚିତ ।
ସଂଗୃହିତ - ଡଃ ଶାଶ୍ଵତୀ ପଟ୍ଟନାୟକ, ଗୃହବିଜ୍ଞାନ, କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ
Last Modified : 1/26/2020