ବଜାରରେ ମିଳୁଥିବା ତୃଣକମାରୀ ଗୁଡିକୁ ପ୍ରୟୋଗ ପ୍ରଣାଳୀ , କାର୍ଯ୍ୟ କରିବା ପ୍ରଣାଳୀ, ରାସାୟନିକ ସାଦୃଶ ଓ ଆକାରଗତ ସାମଞ୍ଜସ୍ୟ ଆଦି ଭିତ୍ତିରେ ବର୍ଗୀକରଣ କରାଯାଇଅଛି ।
ମୃତ୍ତିକା – ସକ୍ରିୟ ତୃଣକମାରୀକୁ ମୁଖ୍ୟତଃ ମୃତ୍ତିକାରେ ପ୍ରୟୋଗ କରାଯାଏ । ଏହା ଅଙ୍କୁରଣ ପରେ ତୃଣକକୁ ମାରିଦିଏ କିମ୍ବା କନ୍ଦାକାଣ୍ଡ, କନ୍ଦା, ଖର୍ବଧାବାଳର ଅଙ୍କୁରଣକୁ ପ୍ରତିରୋଧ କରେ । ମୃତ୍ତିକା – ସକ୍ରିୟ ତୃଣକମାରୀ ମୁଖ୍ୟତଃ ଫସଲ ଲଗାଇବା ବେଳେ ପ୍ରୟୋଗ କରାଯାଏ । ସକ୍ରିୟତା ଥିବା ପର୍ଯ୍ୟନ୍ତ ଫସଲର ପ୍ରଥମାବସ୍ଥାରେ ଏ ପ୍ରକାର ତୃଣକମାରୀ ଫସଲ – ତୃଣକ ପ୍ରତିଯୋଗିତାକୁ ଦୂର କରେ । ତୃଣକ ପ୍ରକାର ଓ ପରିମାଣ ଅନୁସାରେ ସକ୍ରିୟତା ୭ – ୮ ସପ୍ତାହ ରହେ । ସୀମାଜିନ୍ ଆଲାକ୍ଲୋର ଆଦି ମୃତ୍ତିକା – ସକ୍ରିୟ ତୃଣକମାରୀର କେତେକ ସାଧାରଣ ମୃତ୍ତିକା – ସକ୍ରିୟ ତୃଣକମାରୀର ଆଦର ଚାଷୀମାନଙ୍କ ନିକଟରେ ଅଧିକ । କାରଣ ଏହା ଏପରିକି ଅଙ୍କୁରଣ ପୂର୍ବରୁ ତୃଣକକୁ ନିୟନ୍ତ୍ରଣକରେ ଏଣୁ ଫସଲର ପ୍ରଥମାବସ୍ଥାରେ ତୃଣକ ପ୍ରତିଯୋଗିତାକୁ ଦୂର କରେ । ପ୍ରୟୋଗ ପରେ ଅଧିକ ସମୟ ପର୍ଯ୍ୟନ୍ତ ତୃଣକକୁ ନିୟନ୍ତ୍ରଣ କରି ରଖେ ଓ ଏ ପ୍ରକାର ତୃଣକମାରୀର ନିର୍ବାଚି ଧର୍ମ ଅନେକ ସମୟରେ ଅଧିକ ଅଟେ ।
ପତ୍ର – ସକ୍ରିୟ ତୃଣକମାରୀ ଅଙ୍କୁରଣପରେ ତୃଣକ ଉପରେ ପ୍ରୟୋଗ କରାଯାଏ ପତ୍ରଦ୍ଵାରା ଏହା ପରିଶୋଷିତ ହୋଇ ତୃଣକର ଅନ୍ୟାନ୍ୟ ଅଂଶକୁ ଅନେକ ସମୟରେ ପରିବାହିତ ହୁଏ । ୨,୪,୫ ଟି ପାରାକ୍ଵାଟ ଓ ଡାଇକ୍ଵାଟ ଏହିପ୍ରକାର ତୃଣକମାରୀ ଅଟନ୍ତି । ୨,୪ ଡି ଓ ଆଟ୍ରାଜିନ ଆଦି କେତେକ ତୃଣକମାରୀ ଉଭୟ ମୃତ୍ତିକା – ସକ୍ରିୟ ଓ ପତ୍ର – ସକ୍ରିୟ ଅଟନ୍ତି ।
ମିଶାମିଶି ହୋଇ ରହିଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ଉପରେ ପ୍ରୟୋଗ କଲେ ଯେଉଁ ତୃଣକମାରୀ ଅନ୍ୟ ଜାତି ଉଦ୍ଭିଦର ବିଶେଷ କ୍ଷତି ନକରି କେତେ ଜାତି ଉଦ୍ଭିଦକୁ ମାରିଦିଏ ତାହାକୁ ନିର୍ବାଚୀ ତୃଣମାରୀ କୁହାଯାଏ । ୨,୪ ଡି, ଆଟ୍ରାଜିନ, ବୁଟାକ୍ଲୋର, ପେଣ୍ଡିମିଥାଲିକ ଆଦି ଏହି ପ୍ରକାର ତୃଣକମାରୀ ଅଟନ୍ତି । ଅପରପକ୍ଷରେ ନିର୍ବିଶେଷ ତୃଣକମାରୀ ଜାତିଭେଦରେ ସବୁ ପ୍ରକାର ତୃଣକକୁ ମାରିଦିଏ । ପାରାକ୍ଵାଟ ଏହିପରି ଏକ ତୃଣକମାରୀ । ଫସଲ କ୍ଷେତରୁ ଅନାବନା ଗଛ ନିୟନ୍ତ୍ରଣ କରିବା ପାଇଁ ନିର୍ବାଚୀ ତୃଣକମାରୀ ଓ ପଡିଆ, ରାସ୍ତାକଡ, କଳକାରଖାନା ଆଦିର ଅନାବନା ଗଛ ନିୟନ୍ତ୍ରଣ ପାଇଁ ନିର୍ବିଶେଷ ତୃଣକମାରୀ ବ୍ୟବହାର କରାଯାଏ ।
ସ୍ପର୍ଶ ତୃଣକମାରି ପରିବାହିତ ନହୋଇ ମୁଖ୍ୟତଃ ଟିସୁ ସଂସ୍ପର୍ଶରେ ଆସି ତୃଣକକୁ ମାରିଦିଏ । ପତ୍ର ଉପରେ ପ୍ରୟୋଗ କରାଯାଇଥିବା ସ୍ପର୍ଶ ତୃଣକମାରୀ ସାଧାରଣତଃ ଚେରକୁ ମାରିପାରେ ନାହିଁ । ଯଦିଓ କାଣ୍ଡ ଅଭାବରୁ ଏକବର୍ଷୀ ତୃଣକର ଚେର ମରିଯାଇପାରେ । ସ୍ପର୍ଶ ତୃଣକମାରୀ ପ୍ରୟୋଗ କରିବାର ଅଳ୍ପଦିନ ପରେ ପ୍ରତିଷ୍ଠିତ ତୃଣକର ଚେର , କଳକାଣ୍ଡ ଆଦି ବଢିବାକୁ ଲାଗେ । ପାରାକ୍ଵାଟ, ଡାକାଇଟ, ପ୍ରୋପାନିଲି, ପେଟ୍ରୋଲିଅମ ତୈଳ ଆଦି ସ୍ପର୍ଶ ତୃଣକର ଉଦାହରଣ ।
ଅପର ପକ୍ଷରେ ପରିବାହିତ ତୃଣକମାରୀ ପ୍ରୟୋଗ କରାଯାଇଥିବା ସ୍ଥାନରୁ ଉଦ୍ଭିଦ ଶରୀର ଭିତରେ ଅନ୍ୟାନ୍ୟ ଅଙ୍ଗକୁ ପରିବାହିତ ହୋଇଥାଏ ଏଣୁ ତୃଣକର କୌଣସି କ୍ଷୁଦ୍ର ଅଂଶରେ ପ୍ରୟୋଗ କରାଯାଇଥିଲେ ବି ସମ୍ପୂର୍ଣ୍ଣ ତୃଣକକୁ ମାରିଦିଏ । ବହୁବର୍ଷୀ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ପରିବାହିତ ତୃଣକମାରୀ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏକବର୍ଷୀ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ପରିବାହିତ ତୃଣକମାରୀଙ୍କୁ ଅଳ୍ପ ଜଳ ଆବଶ୍ୟକ କରୁଥିବା ସିଞ୍ଚକ ରେ ପ୍ରୟୋଗ କରାଯାଇପାରିବ କାରଣ ପତ୍ରର କିଛି ଅଂଶ ଉପରେ ତୃଣକମାରୀ ପଡିବା ଆବଶ୍ୟକ । କିନ୍ତୁ ସ୍ପର୍ଶ ତୃଣକମାରୀ ପ୍ରୟୋଗ କଲେ ଔଷଧ ପକାଇ ତୃଣକକୁ ସମ୍ପୂର୍ଣ୍ଣ ସିକ୍ତ କରିବା ଆବଶ୍ୟକ ।
କେତେକ ତୃଣକମାରୀ ଉଭୟ ସ୍ପର୍ଶ ଓ ପରିବାହିତ ଧର୍ମ ପ୍ରଦର୍ଶନ କରନ୍ତି । ଉଦାହରଣ ସ୍ୱରୂପ ଆଟ୍ରାଜିନ ମୃତ୍ତିକାରେ ପ୍ରୟୋଗ କଲେ ପରିବାହିତ ଧର୍ମ ଓ ତୃଣକ ଉପରେ ପ୍ରୟୋଗ କଲେ ସ୍ପର୍ଶ ଧର୍ମ ପ୍ରକାଶ କରେ ।
ମୃତ୍ତିକା ନିର୍ବୀଜକ ତୃଣକମାରୀ କୌଣସି ଉଦ୍ଭିଦକୁ ବଢିବାକୁ ଦିଏ ନାହିଁ । ମୃତ୍ତିକା ନିର୍ବୀଜକ କ୍ଷଣସ୍ଥାୟୀ ବା ଅପେକ୍ଷାକୃତ ସ୍ଥାୟୀ ହୋଇପାରେ । ଅସ୍ଥାୟୀ ନିର୍ବୀଜକ ମୃତ୍ତିକାକୁ ୧୬ ସପ୍ତାହ ପର୍ଯ୍ୟନ୍ତ ନିର୍ବୀଜ ରଖିପାରେ ଅଥଚ ସ୍ଥାୟୀ ନିର୍ବୀଜକ ସମୟ ସମୟରେ ଦୁଇ ବା ତହିଁରୁ ଅଧିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରୁହେ । ଅସ୍ଥାୟୀ ମୃତ୍ତିକା ନିର୍ବୀଜକ ସାଧାରଣତଃ ଉଦବାୟୀ । ଏହା ମୃତ୍ତିକାରେ ଥିବା ଉଦ୍ଭିଦର ସବୁ ସଜୀବ ଅଂଶକୁ ମାରିଦେଇ ବାଷ୍ପ ଆକାରରେ ନଷ୍ଟ ହୋଇଯାଏ । ଏ ପ୍ରକାର ନିର୍ବୀଜକୁ ଧୂମକ କୁହାଯାଏ ।
ସ୍ୱଳ୍ପ ତୃଣକମାରୀ ଏକ ଜାତିର କିମ୍ବା ଖୁବ୍ କମ ଜାତିର ତୃଣକକୁ ସଫଳତାର ସହିତ ନିୟନ୍ତ୍ରଣ କରେ । ଏ ପ୍ରକାର ତୃଣକମାରୀ କେତେକ ମାରାତ୍ମକ ତୃଣକ ପାଇଁ ବିଶେଷ ଉପଯୋଗୀ । ମେଟୋଜୁରନ ଏହିପରି ଗୋଟିଏ ତୃଣକମାରୀ । ଜଙ୍ଗଲୀ ଅତକୁ ଏହା ସଫଳତାର ସହିତ ନିୟନ୍ତ୍ରଣ କରିପାରେ । ଅପରପକ୍ଷରେ ସ୍ଥୂଳ ତୃଣକମାରୀ ବିଭିନ୍ନ ପ୍ରକାର ତୃଣକକୁ ନିୟନ୍ତ୍ରଣ କରିପାରେ । ଏବେ ବ୍ୟବହୃତ ହେଉଥିବା ଅଧିକାଂଶ ତୃଣକମାରୀ ଏହି ଶ୍ରେଣୀର ।
ଅବଶିଷ୍ଟ ତୃଣକମାରୀର ବିଶାକ୍ତତା ପ୍ରୟୋଗ ପରେ ଅନେକ ଦିନ ପର୍ଯ୍ୟନ୍ତ ରହେ । କେତେକ ସ୍ଥଳରେ ଏହା ୩ – ୪ ସପ୍ତାହ ଓ ଆଉ କେତେକ ସ୍ଥଳରେ ମାସ ରହେ । ଅଣ – ଅବଶିଷ୍ଟ ତୃଣକମାରୀ ମୃତ୍ତିକାରେ ପ୍ରୟୋଗପରେ ଅଳ୍ପ ଦିନରେ କ୍ରିୟାହୀନ ହୋଇପଡେ । ୨,୪ – ଡି ଏକ ଅବଶିଷ୍ଟ ତୃଣକମାରୀ । ପାରାକ୍ଵାଟ ଓ ଡାଇକ୍ଵାଟ ଅଣ – ଅବଶିଷ୍ଟ ତୃଣକମାରୀ ଅଟନ୍ତି । ଅଣ – ଅବଶିଷ୍ଟ ତୃଣକମାରୀ ତୃଣକକୁ ଶୀଘ୍ର ମାରିଦିଏ କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ତୃଣକ ନିୟନ୍ତ୍ରଣ କରିପାରେ ନାହିଁ ।
ତୁତିଆ, ହିରାକସ, ସୋଡିୟମ ଆର୍ସେନାଇଟ, ସଲଫୁରିକ ଅମ୍ଳ , କପର ନାଇଟ୍ରେଟ, ଆମୋନିୟମ, ସଲଫେଟ ସୋଡିୟମ ନାଇଟ୍ରେଟ, ସୋଡିୟମ କ୍ଳୋରାଇଡ ଆଦି ଅଜୈବ ତୃଣକମାରୀ ଉଦାହରଣ । ଏବେ ଅଗୁଡିକ ତୃଣକମାରୀ ରୂପେ ବ୍ୟବହୃତ ହେଉନାହିଁ ।
ଡାଲାପନ, ଆଲାକ୍ଲୋର, ବୁଟାକ୍ଲୋର, ମେଟୋଲାକ୍ଲୋର, ପ୍ରୋନାମାଇଡ, ପ୍ରୋପାନୀଳ, ପାରାକ୍ଵାଟ ଆଦି ଜୈବ ତୃଣକମାରୀ ଅନ୍ତର୍ଗତ । ଜୈବ ତୃଣକମାରୀକୁ ଯବକ୍ଷାରଜାନ ଯୁକ୍ତ ଓ ଯବକ୍ଷାରଜାନ ସହିତ ଏପରି ଦୁଇଭାଗରେ ବିଭକ୍ତ କରାଯାଇଅଛି ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/5/2020