ତୃଣକକୁ ସଫଳତାର ସହିତ ନିବାରଣ ଓ ନିୟନ୍ତ୍ରଣ କରିବା ପାଇଁ ଏହାର ପ୍ରଜନନ, ବଂଶ ବିସ୍ତାର ଓ ବିକ୍ଷେପ ପ୍ରଣାଳୀ ଜାଣିବା ଆବଶ୍ୟକ । ତୃଣକର ବଂଶ ବିସ୍ତାର (୧) ଲିଙ୍ଗୀ ଓ ଅଲିଙ୍ଗୀଜଣାଣ ଏବଂ (୨) ଅଙ୍ଗଜ ପ୍ରଣାଳୀରେ ହୋଇଥାଏ ।
ଅଧିକାଂଶ ତୃଣକ ବୀଜ ଉତ୍ପାଦନ କରି ବଂଶ ବିସ୍ତାର କରନ୍ତି । କେତେକ ତୃଣକ ବିଶେଷ ଏକବର୍ଷୀ ତୃଣକ ବିପୁଳ ପରିମାଣର ବୀଜ ଉତ୍ପାଦନ କରନ୍ତି । ଉଦାହରଣସ୍ୱରୂପ ଗୋଟିଏ ଖଡାଗଛ ୧,୯୬,୦୦୦ ଗୋଟିଏ ବାଲୁ ବାଲୁକା ୧,୧୩,୦୦୦ ଓ ଗୋଟିଏ ମାଣ୍ଡିଆ ଘାସ ୪୧,୨୦୦ ମଞ୍ଜି ଉତ୍ପାଦନ କରନ୍ତି । ଏଣୁ ତୃଣକର ବଂଶ ବିସ୍ତାର ଦୃତ ଗତିରେ ବଢିଚାଲେ । ଏହାଛଡା ତୃଣକ ବୀଜର ଅଙ୍କୁରଣ କ୍ଷମତା ଅନେକ ବର୍ଷ ପର୍ଯ୍ୟନ୍ତ ରହେ ଏବଂ ପ୍ରତ୍ୟକ ତୃଣକର ବୀଜ ବିକ୍ଷେପ ପାଇଁ କୌଣସି ନା କୌଣସି ବ୍ୟବସ୍ଥା ରହିଛି ।
କେତେକ ତୃଣକର ଯୁଗ୍ମକ ସଂଯୁଗ୍ମକ ହୋଇ ଅଥବା ଜନନ କୋଷ ମୂଳଗଛଠାରୁ ପୃଥକ ହୋଇ ରେଣୁ ଗଠନ କରି ବଂଶ ବିସ୍ତାର କରନ୍ତି । ଏ ପ୍ରକାର ତୃଣକର ଉଦାହରଣ ହେଲା ଶୈବାଳ, ଘୋଡାଲାଞ୍ଜି ଓ ଫର୍ଣ୍ଣ ।
ଅଙ୍ଗଜ ପ୍ରଣାଳୀରେ ମା ଗଛର କିଛି ଅଂଶ ପୃଥକ ହୋଇ ନୂଆ ଗଛ ସୃଷ୍ଟି କରେ । ଏହି ପ୍ରକାର ବଂଶ ବିସ୍ତାର ମୁଖ୍ୟତଃ କନ୍ଦକାଣ୍ଡ ଦ୍ଵାରା ହୋଇଥାଏ । ବହୁବର୍ଷୀ ଘାସ, ମୁଥା ଜାତୀୟ ତୃଣକ, ସନ୍ତରା । କେତେକ ଓସାରିଆ ପତ୍ରୀ ତୃଣକ ଓ ଫର୍ଣ୍ଣର ବଂଶ ବିସ୍ତାର କନ୍ଦକାଣ୍ଡ ଦ୍ଵାରା ହୁଏ । କନ୍ଦକାଣ୍ଡ ଛଡା ଆଖି ଟିଉବର ବା କଳା , ପୁଆ ବଲ୍ ବ ଏବଂ ଚେର ଦ୍ଵାରା ମଧ୍ୟ ତୃଣକର ଅଙ୍ଗଜ ବିସ୍ତାର ହୁଏ । ଅଙ୍ଗଜ ବଂଶ ବିସ୍ତାର ପ୍ରଣାଳୀ ଗୋଟିଏ ତୃଣକକୁ ସାଂଘାତିକ ଅନିଷ୍ଟକର କରିଥାଏ । କାରଣ ମା ଗଛରୁ ପୃଥକ ହୋଇଥିବା ଅଂଶ ନୂଆଗଛ ସୃଷ୍ଟି କରିଥାଏ । କର୍ଷଣ ଦ୍ଵାରା ଏହି ପ୍ରକାର ତୃଣକର ବିକ୍ଷେପ ହୋଇଥାଏ ।
ପ୍ରାକୃତିକ ଉପାୟରେ ତୃଣକର ପରିପକ୍ଵ ବୀଜ ଓ ଜୀବିତ ଅଂଶର ବିକ୍ଷେପଣ ହୋଇଥାଏ । ନଚେତ୍ ତୃଣକ ଆଦି ସର୍ବବ୍ୟାପୀ ହୋଇ ନଥାନ୍ତା କିମ୍ବା ତେଜରେ ବଢୁ ନଥାନ୍ତା ।
ତୃଣକ ପରିପକ୍ଵ ହେଲେ କିଛି ଫଳ ଓ ମଞ୍ଜି ମା’ ଗଛ ନିକଟରେ ପଡେ , କିଛି ଫସଲ କାଟିବା ବେଳେ ଫସଲ ସହିତ ମିଶି ସ୍ଥାନାନ୍ତରିତ ହୁଏ ଏବଂ ଆଉ କିଛି ମା’ ଗଛଠାରୁ ଅଳ୍ପ ବା ବହୁ ଦୂରକୁ ବାୟୁ, ଜଳ, ଜୀବଜନ୍ତୁ, ମନୁଷ୍ୟ ଓ ଖତସାର ଦ୍ଵାରା ବିକ୍ଷେପିତ ହୁଏ ।
ବାୟୁଦ୍ଵାରା ବିପେକ୍ଷିତ ହେଉଥିବା ତୃଣକର ଫଳ ଏବଂ ମଞ୍ଜିରେ କେତେକ ସ୍ଵତନ୍ତ୍ର ଅଙ୍ଗ ଥାଏ ଯାହାକି ଫଳ ଓ ମଞ୍ଜିକୁ ଉଡାଇ ରଖେ । ବଣ କୁସୁମୀର ବିକ୍ଷେପଣ ବାୟୁ ଦ୍ଵାରା ହୋଇଥାଏ ।
ପାଣିଘାସ ମୁଖ୍ୟତଃ ଜଳଦ୍ଵାରା ବିକ୍ଷେପିତ ହୋଇଥାଏ । ସ୍ଥଳ ଘାସର ମଞ୍ଜି ମଧ୍ୟ ଅନେକ ସମୟରେ ଜଳସେଚନ ଓ ନିଷ୍କାସନ ନାଳୀରେ ଜଳଦ୍ଵାରା ବାହିତ ହୋଇ ବିପେକ୍ଷିତ ହୋଇଥାଏ ।
କେତେକ ତୃଣକର ଫସଲକୁ ପ୍ରାଣୀମାନେ ଖାଆନ୍ତି ଏବଂ ଏହାର କିଛି ଅଂଶ ମଳରେ ତ୍ୟାଗ କରନ୍ତି । କେତେକ ତୃଣକର ଫଳ ଓ ମଞ୍ଜି ପକ୍ଷୀମାନଙ୍କର ଥଣ୍ଟ, ଡେଣା ଓ ଗୋଡରେ ଲାଗି ଅନ୍ୟସ୍ଥାନରେ ଯାଇ ପଡେ । ଗୃହପାଳିତ ପଶୁ ସେମାନଙ୍କ ଚର୍ମ, ଲୋମ ଓ ଖୁରାରେ ତୃଣକର ଫଳ ଓ ମଞ୍ଜିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୋହି ନିଅନ୍ତି । ଏପରିକି ପିମ୍ପୁଡି ମଧ୍ୟ ବିପୁଳ ପରିମାଣ ଲୋଭନୀୟ ମଞ୍ଜିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୋହି ନେଇଥାଏ ।
ମନୁଷ୍ୟ ନିଜର ଅସାବଧାନତା ହେତୁ ମଧ୍ୟ ଅନେକ ତୃଣକର ବିକ୍ଷେପଣ କରିଥାଏ । କୃଷି ଯନ୍ତ୍ରପାତିକୁ ସଫା ନ କରି ବ୍ୟବହାର କରିବା ଦ୍ଵାରା ଅନେକ ତୃଣକ ମଞ୍ଜିକୁ ଗୋଟିଏ ବିଲରୁ ଆଉ ଗୋଟିଏ ବିଲକୁ ନାଯାଇଥାଏ । କେତେକ ତୃଣକର ଫଳ ଓ ମଞ୍ଜି ଉତ୍ପନ୍ନ ଦ୍ରବ୍ୟ ସହିତ ମିଶି ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯାଇଥାଏ । ବିଶେଷ କରି ଯେଉଁସବୁ ତୃଣକ ଫସଲ ସହିତ ଏକ ସମୟରେ ପରିପକ୍ଵ ହୁଏ, ଫସଲ ଗଛ ସହିତ ସମାନ ଉଚ୍ଚ ହୋଇ ବଢେ ଏବଂ ଫଳ ଓ ମଞ୍ଜୀର ଆକାର ଓ ପରିମାଣରେ ଫସଲ ସହିତ ମେଳ ଖାଉଥାଏ । ସେ ପ୍ରକାର ତୃଣକରେ ଉପରୋକ୍ତମତେ ବୀଜ ବିକ୍ଷେପଣ ହୋଇଥାଏ । ରାହାଡି ବାଳୁଙ୍ଗା , ସ୍ଵର୍ଣ୍ଣଲତା , ଜଙ୍ଗଲ ଓଟର ବୀଜ ବିକ୍ଷେପଣ ଫସଲ ମଞ୍ଜି ସହିତ ମିଶିକରି ହୋଇଥାଏ ।
ତୃଣକ ବ୍ୟାପିବାରେ ଖତ ମଧ୍ୟ ଏକ ପ୍ରଧାନ ଉତ୍ସ । କାରଣ ଗୃହପାଳିତ ପଶୁର ଅନେକ ତୃଣକ ମଞ୍ଜି ଅଙ୍କୁରଣ କ୍ଷମ ଅବସ୍ଥାରେ ଥାଏ । ତା’ଛଡା ତୃଣକର ପରିପକ୍ଵ ଗଛକୁ ସିଧାସଳଖ ଖତ ଗଦାରେ ମଧ୍ୟ ପକାଯାଇଥାଏ । ଖଣି ପକା ଘାସ ଏବଂ ଶୁଷ୍କ ଘାସରେ ମଧ୍ୟ ଅନେକ ପରିମାଣର ଅଙ୍କୁରଣକ୍ଷମ ତୃଣକ ବୀଜ ଥାଏ ।
ତୃଣକର ଅଙ୍ଗୀୟ ବିସ୍ତାର ପାଇଁ ଅସାବଧାନ ଚାଷ ହିଁ ମୁଖ୍ୟତଃ ଦାୟୀ । କର୍ଷଣ , କଳକାଣ୍ଡ ଓ ଟିଉବର ଆଦି ତୃଣକର ଭୂମିମ୍ନ ଅଂଶକୁ ମୂଳ ଗଛଠାରୁ ପୃଥକ କରି ଅଣଉପଦ୍ରୁତ ଅଞ୍ଚଳକୁ ନେଇଯାଇଥାଏ ଯେଉଁଠି ତୃଣକ ତାର ଉପନିବେଶ ଷ୍ଠାମନ କରିଥାଏ । ତଳିଦ୍ୱାରା ଅନେକ ସମୟରେ ତୃଣକର କଳକାଣ୍ଡ ଓ ମଞ୍ଜି ବିସ୍ତାରିତ ହୋଇଥାଏ । ସୁଆଁର ଧାନ ଗଛ ସହିତ ସାମଞ୍ଜସ୍ୟ ଥାଏ ଯେ ଅନେକ ସମୟରେ ଧାନତଳି ସହିତ ସୁଆଁ ବି’ ବହୁତ ପରିମାଣରେ ଜମିରେ ରୁଆଯାଇଥାଏ । ଜଳସ୍ରୋତ , ନୌକା ଓ ଜାହାଜ ଦ୍ଵାରା ପାଣି ଘାସ ବିସ୍ତାରିତ ହୋଇଥାଏ । ମନୁଷ୍ୟ କେତେକ ଗଛକୁ ଘରର ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ଲଗାଇଥାଏ । ଶେଷରେ ସେହି ଗଛ ତୃଣକ ହୋଇ ସମସ୍ୟା ସୃଷ୍ଟି କରେ । ବିଲାତିଦଳ ଓ ନାଗୁଆରୀ ଏହିପରି ଦୁଇଟି ତୃଣକର ଉଦାହରଣ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 3/9/2020