ଉପକ୍ରମ କପା ପରେ ଝୋଟ ହେଉଛି ଦ୍ଵିତୀୟ ମୁଖ୍ୟ ତନ୍ତୁ ଜାତୀୟ ଅର୍ଥକାରୀ ଫସଲ । ଭାରତର ଆର୍ଥିକ ଉନ୍ନତି ନିମିତ୍ତ ଝୋଟର ଭୂମିକା ବର୍ଣ୍ଣନାନୀତ । ସାଂଶ୍ଲେଷିକ ତନ୍ତୁ ବାହାରିବା ଦିନରୁ ଏହାର ଚାହିଦା କମିଯାଇଥିଲେ ମଧ୍ୟ ବିଦେଶୀ ମୁଦ୍ରା ଉପାର୍ଜନ କରିପାରୁଥିବା ଫସଲମାନଙ୍କ ମଧ୍ୟରୁ ନଳିତା ଏବେ ମଧ୍ୟ ଅନ୍ୟତମ । ଭାରତ ଝୋଟ ଓ ଝୋଟଜାତ ଦ୍ରବ୍ୟରୁ ବାର୍ଷିକ ହାରାହାରି ପ୍ରାୟ ୩୦୦୦ ନିୟୁତ ଟଙ୍କାର ବିଦେଶୀ ମୁଦ୍ରା ରୋଜଗାର କରିଥାଏ । ଝୋଟକୁ ନଳିତା ମଧ୍ୟ କୁହାଯାଏ । ଝୋଟତନ୍ତୁରେ ଅଖା, କପଡା ଓ ଅନ୍ୟାନ୍ୟ ପ୍ୟାକିଂ ବସ୍ତୁ ଭାରତରେ ତିଆରି ହୁଏ । ଏହି ପ୍ୟାକିଂ ବସ୍ତୁ ଦ୍ଵାରା ଖାଦ୍ୟ ଶସ୍ର, ଡାଲି ଜାତୀୟ ପଦାର୍ଥ, ମସଲା, ସିମେଣ୍ଟ, ଚିନି, କପା, ସାର ଉଲ ଇତ୍ୟାଦି ବିଦେଶକୁ ଭାରତ ରପ୍ତାନୀ କରିଥାଏ । ଝୋଟରୁ ଦଉଡି ଗାଲିଚା, ରସି ଏବଂ ବିଭିନ୍ନ ପ୍ରକାର କପଡା ତିଆରି ହୁଏ, ଯାହା ଚୌକି, ସୋଫା ବିଭିନ୍ନ ପ୍ରକାର କାରୁକାର୍ଯ୍ୟଶୋଭିତ ବସ୍ତ୍ର ବା ଚିତ୍ର ବିଚିତ୍ର ପର୍ଦ୍ଦା ପାଇଁ ଆବଶ୍ୟକ ହୁଏ । ଏହାର କାଉଁରିଆ ଜାଳେଣି ପାଇଁ ବ୍ୟବହାର ହୁଏ ଏବଂ ମୋଟା କାଗଜ କରିବା ପାଇଁ କାଗଜ କଳ ଦ୍ଵାରା ବ୍ୟବହାର ହୋଇଥାଏ । ଉଦ୍ଭବ କେନ୍ଦ୍ର ଭାରତରେ ନଳିତା ବହୁ ପୁରାତନ କାଳରୁ ଚାଷ ହେଉଛି । ସନ ୧୮୨୮ରେ ପ୍ରଥମେ ଭାରତରୁ ଝୋଟଜାତ ଦ୍ରବ୍ୟ ୟୁରୋପ ମହାଦେଶକୁ ରପ୍ତାନୀ ଆରମ୍ଭ ହୋଇଥିଲା । ଚାଷ କରାଯାଇଥିବା ଅର୍ଥକାରୀ ନଳିତା ଦୁଇପ୍ରକାର (୧) ପିତା ନଳିତା (୨) ମଧୁର ନଳିତା । ପ୍ରଜାତି – କୋରକୋରସ୍ ର ୪୦ ପ୍ରକାର ଜାତି ଦେଖିବାକୁ ମିଳେ । ସେଗୁଡିକ ମଧ୍ୟରୁ ପ୍ରାୟ ଅଧିକାଂଶ ପୃଥିବୀର ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ବହୁଳଭାବେ ଦେଖାଯାଏ । ବହୁପ୍ରକାର ନଳିତା ଆଫ୍ରିକା ମହାଦେଶରେ ଦେଖାଯାଏ । ମଧୁର ନଳିତାଗୋଷ୍ଠୀର ବହୁ କିସମ ଆଫ୍ରିକା ମହାଦେଶରେ ଦେଖାଯାଏ ; କିନ୍ତୁ ପିତା ନଳିତା ବିଲକୁଲ ଆଫ୍ରିକାରେ ଦେଖାଯାଏ ନାହିଁ । ଏଣୁ ଅନୁମାନ କରାଯାଇଛି ଯେ ମଧୁର ନଳିତାର ଉଦ୍ଭବ କେନ୍ଦ୍ର ଆଫ୍ରିକା ଏବଂ ପିତା ନଳିତାର ଉଦ୍ଭବ କେନ୍ଦ୍ର ଇଣ୍ଡେ – ବର୍ମା ଅଞ୍ଚଳ । କ୍ଷେତ୍ରଫଳ ଓ ବଣ୍ଟନ ନଳିତା ସାଧାରଣତଃ ଭାରତ ଓ ବଙ୍ଗଳା ଦେଶର୍ରେ ଚାଷ କରାଯାଏ । ମୋଟ ନଳିତାର ପ୍ରାୟ ଶତକଡା ୭୦ ଭାଗ ଭାରତ ଓ ବଙ୍ଗଳା ଦେଶରେ ଚାଷ କରାଯାଏ । ଏହା ଛଡା ଚୀନ, ଥାଇଲାଣ୍ଡ, ବ୍ରାଜିଲ, ପେରୁ, ବର୍ମା, ନେପାଲ ଏବଂ ଭିଏତନାମାରେ ମଧ୍ୟ ନଳିତା ଚାଷ ହୁଏ । ଭାରତରେ ୮.୯ ଲକ୍ଷ ହେକ୍ଟର ଜମିରେ ନଳିତା ଚାଷ ହୁଏ ଏବଂ ୬୮ ଲକ୍ଷ ବେଲ ଝୋଟ ଉତ୍ପାଦନ ହୁଏ । ପ୍ରତ୍ୟକ ବେଲ ୧୮୦ କେଜି ମୁଖ୍ୟତଃ ପଶ୍ଚିମବଙ୍ଗ, ଆସାମ, ଉତ୍ତର ବିହାର, ଉତ୍ତର ପୂର୍ବ ଓଡିଶା, ମେଘାଳୟ, ତ୍ରିପୁରା ଏବଂ ପୂର୍ବୀୟ ଉତ୍ତର ପ୍ରଦେଶରେ ନଳିତା ଚାଷ ହୁଏ । ନଳିତା ଶ୍ରେଣୀବିଭାଗ : ନଳିତା କିସମଗୁଡିକ ଦୁଇପ୍ରକାର ଯଥା – ପିତା ନଳିତା – ଏହା ମଧ୍ୟମ ଓ ଖାଲ ଜମି ପାଇଁ ଉପଯୁକ୍ତ । କାରଣ ଏହି ନଳିତା ଅତ୍ୟଧିକ ଜଳ ସହ୍ୟ କରିପାରେ । ମଧୁର ନଳିତା – ଏହା କେବଳ ମଧ୍ୟମ ଢିପ ଜମିରେ ଚାଷ କରାଯାଏ । ଉଦ୍ଭିଦ ବର୍ଣ୍ଣନା : ନଳିତା ଟିଲିଆସି ପରିବାର ଭୁକ୍ତ । ଏହି ପରିବାରର କରକୋରସ୍ ଗୋଟିଏ ପ୍ରଜାତି । ଏହି ପ୍ରଜାତି ମଧ୍ୟରୁ ଦୁଇଟି ଜାତି ତନ୍ତୁ ଲାଗି ଚାଷ କରାଯାଏ । ଯଥା (୧) ପିତା ନଳିତା (୨) ମଧୁର ନଳିତା ଗଛ କ୍ଷୁପୀୟ ବାର୍ଷିକ । ମୂଳ : ଆଦିମୂଳ । ଆଦିମୂଳର ବହୁ ଶାଖାମୂଳ ରହିଛି । ଯଦିଓ ଉଭୟ ପ୍ରକାର ନଳିତା ଦେଖିବାକୁ ଏକାପରି ତଥାପି ଉଭୟ ଭିତରେ ବହୁତ ଫରକ ରହିଛି । ନିମ୍ନରେ ତାହା ବର୍ଣ୍ଣନା କରାଗଲା । ପିତା ଓ ମଧୁର ନଳିତା ମଧ୍ୟରେ ପ୍ରଭେଦ ଅଙ୍ଗ ପିତା ନଳିତା ମଧୁର ନଳିତା ଗଛର ଉଚ୍ଚତା ମଧୁର ନଳିତା ଠାରୁ ପିତା ନଳିତା ସାମାନ୍ୟ ଛୋଟ 1.5ମିଟରରୁ 4 ମିଟର ମଧୁର ନଳିତା ପିତା ନଳିତା ଠାରୁ ସାମାନ୍ୟ ଉଚ୍ଚ । 1.5 – 5 ମିଟର ପତ୍ର ପିତା ଚିକ୍କଣ ସାଧାରଣତଃ 5 -13 ସେ.ମି. X 2.5 ରୁ 8.0 ଅଣ୍ଡାକୃତି ଲମ୍ବାଳିଆ ଅଗ ମୁନିଆ ପତ୍ରଧାର ଦନ୍ତୁରିତ ପତ୍ରରେ କୋରକୋରିନ୍ ଥିବା ଯୋଗୁଁ ପତ୍ର ପିତା ଲାଗେ । ଡେମ୍ଫ 4-8 ସେ.ମି. ଲମ୍ବା ମିଠା, ଚିକ୍କଣ 7-8 ସେ.ମି X 4-8 ସେ.ମି । ମଧୁର ପତ୍ରଧାର ଦନ୍ତୁରିତ, ସରୁଆ ଓ ଲମ୍ବାଳିଆ, ପତ୍ରର ଉପର ପାଖ ଚକ୍ ଚକ୍ କରେ । କାଣ୍ଡ ସବୁଜରୁ ଗାଢ ଲାଲ ସିଲିଣ୍ଡର ଆକୃତି । ଇଷତ ଲାଲରୁ ଗାଢ ଲାଲ ସିଲିଣ୍ଡର ଆକୃତି । ଫୁଲ ଛୋଟ 0.3 – 0.5 ସେ.ମି. ହଳଦିଆ ବଡ (1 ସେ.ମି. ଲମ୍ବ) ହଳଦିଆ ଛୁଇଁ ଗୋଲାକାର ବାନାସପତି ଆକୃତିର 1-5 ସେ.ମି. ଗୋଲେଇର ବ୍ୟାସ । ଲୋଳିତ 5 କୋଷ୍ଠି ଛୁଇଁ । ଲମ୍ବା 6-10 ସେ.ମି. X 0.3-0.8 ସେ.ମି. ଗୋଲେଇ ସିଲିଣ୍ଡରାକୃତି 5-6 କୋଷ୍ଠି ଛୁଇଁ ମଞ୍ଜି ବଡ 300 ମଞ୍ଜିରେ ଗୋଟିଏ ଗ୍ରାମ ହୁଏ ତମ୍ବାଳିଆ । ସାନ । 500 ମଞ୍ଜିରେ ଗୋଟିଏ ଗ୍ରାମ ଓଜନ ହୁଏ । ନୀଳମିଶା ସବୁଜ ତନ୍ତୁ ଧଳା, ମୋଟା, ନରମା, ଶକ୍ତ ଓ ଚିକ୍କଣ । ମଠା ବା ଇଷତ କମଳା ରଙ୍ଗ ସାରୁ, ନରମା, ଚିକ୍କଣ ଓ ଶକ୍ତ । ବ୍ୟବସାୟିକ ନାମ ଧଳା ଝୋଟ ତୋଷା ଝୋଟ କିସମ ଖାଲ ଓ ମଧ୍ୟମ ଉଚ୍ଚ ଜମି ଓ ମଧ୍ୟମ ଜମି ଯେଉଁଠାରେ ପାଣି ଜମି ନରହେ । ଗଛ ମୂଳରେ ପାଣି ଜମିଲେ ପିଲାଗଛ ସାମାନ୍ୟ ସହିପାରେ । ପାକଳ ଗଛ ସହିପାରେ ଆଦୌ ସହିପାରେ ନାହିଁ । ଅଳ୍ପ ସହିପାରେ । ଝୋଟ କିସମ ସବୁଜ ସୋନ (ଜେ.ଆର.ସି.-212) ଶ୍ୟାମଳୀ (ଜେ.ଆର.ସି.-7447) ସୋନାଲି (ଜେ.ଆର.ସି.-321) ବଳଦେବ (ଜେ.ଆର.ସି.-4444) ବୈଶାଖୀ ତୋଷା (ଜେ.ଆର.ଓ - 632) ଚୈତାଳୀ ତୋଷା (ଜେ.ଆର.ଓ - 878) ବାସୁଦେବ (ଜେ.ଆର.ଓ - 7835) ନବୀନ (ଜେ.ଆର.ଓ - 524) ଟ୍ରମ୍ବେ (ଟି.ଜେ. - 40) ରାସାୟନିକ ସାର : ଆବଶ୍ୟକତା କେଜି / ହେକ୍ଟର ଯବକ୍ଷାରଜାନ 60 40 ଫସଫେଟ୍ 25 25 ପଟାସ 25 25 ଋତୁ ଓ ଜଳବାୟୁ : ଉଷ୍ଣ ଓ ଆର୍ଦ୍ର । ଆପେକ୍ଷିକ ଆର୍ଦ୍ରତା ଶତକଡା ୫୫-୯୦ ଭାଗ, ଉତ୍ତାପ ୨୪- ସେଲସିୟସ ଉପଯୁକ୍ତ । ୧୫୦୦ ମି.ମି. ବର୍ଷା ଅତି ଅନୁକୂଳ । ମଧୁର ନଳିତା ମୂଳରେ ପାଣି ଜମିଲେ ଗଛ ସହ୍ୟ କରିପାରେ ନାହିଁ । ପିତା ନଳିତା ପିଲା ଗଛ ଅବସ୍ଥାରେ ପଣି ସହ୍ୟ କରିପାରେ ନାହିଁ । କିନ୍ତୁ ଗଛ ପାକଲା ହୋଇଗଲେ ମୂଳରେ ପାଣି ଜମିଲେ ସହ୍ୟ କରିପାରେ । ବର୍ଷା ପରେ ଫସଲ ପାଇଁ ଉପଯୁକ୍ତ । ମୃତ୍ତିକା : ଅତି ବାଲିଆ ଓ କ୍ଷାରୀ ମାଟିକୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ମାଟିରେ ନଳିତା ଚାଷ ହୋଇପାରିବ । ଦୋରସା ଓ ପଟୁମାଟି ଝୋଟ ଚାଷ ପାଇଁ ଉପଯୁକ୍ତ । ମୃତ୍ତିକାରେ ପି.ଏଚ୍ ୬-୭-୫ ରହିବା ଉଚିତ୍ । ପି.ଏଚ୍. ୬ରୁ କମ୍ ବା ୭.୫ ଉପରକୁ ହେଲେ ଫସଲ ଭଲ ହୁଏ ନାହିଁ । ବାଲିଆ ଓ ଅତି ମଟାଳ ମୃତ୍ତିକା ନଳିତା ଚାଷ ପାଇଁ ଅନୁପଯୁକ୍ତ । ନଳିତା କିସମର ବର୍ଣ୍ଣନା : ପିତା ନଳିତା କିସମ – ସବୁଜ ସୋନା (JRC - 212) ସମ୍ପୂର୍ଣ୍ଣ ସବୁଜ ରଙ୍ଗ ଗଛ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏପ୍ରିଲ ମଧ୍ୟ ପର୍ଯ୍ୟନ୍ତ ବୁଣାଯାଏ । ୧୪୦-୧୫୦ ଦିନରେ ଫୁଲ ଆସେ । ଛୁଇଁ ହେବା ପାଇଁ ଓ ମଞ୍ଜି ଧରିବା ପାଇଁ ଆଉ ୩୦ ଦିନ ଲାଗେ ଅଗଷ୍ଟ ଶେଷରୁ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ ଅମଳ ହୁଏ । ହେକ୍ଟର ପିଛା ୩୦-୩୫ କୁଇଣ୍ଟାଲ ଝୋଟ ଅମଳ ହୁଏ । ମୂଳରେ ଅଧିକ ପାଣି ଜମି ରହିଲେ ଗଛ ସହ୍ୟ କରିପାରେ ନାହିଁ । ଏଣୁ ଅତି ଖାଲୁଆ ଜମିରେ ନ ବୁଣିବା ଭଲ । କଟକ ଓ ବାଲେଶ୍ଵର ଜିଲ୍ଲାରେ ସବୁଜ ସୋନା ଚାଷୀମାନଙ୍କ ଦ୍ଵାରା ଆଦୃତ । ଶ୍ୟାମଳୀ (JRC - 7447) ସମ୍ପୂର୍ଣ୍ଣ ସବୁଜ ରଙ୍ଗ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ମଧ୍ୟ ଏପ୍ରିଲ ଯାଏ ବୁଣାଯାଏ । 130-140 ଦିନରେ ଫୁଲ ଆସେ । ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ମଧ୍ୟରେ ଅମଳ ହୁଏ । ହେକ୍ଟର ପ୍ରତି ଅମଳ ୩୫-୪୦ କୁଇଣ୍ଟାଲ । ମଧ୍ୟମ କିସମ ଜମିରେ ଭଲ ହୁଏ । ଓଡିଶାର ଜଳବାୟୁରେ ଏହି କିସମ ଭଲ ହୁଏ । ସୋନାଲି (JRC - 321) ତମ୍ବାଳିଆ ଲାଲ କାଣ୍ଡ । ଫେବୃୟାରୀ ୧୫ରୁ ମାର୍ଚ୍ଚ ୧୫ ମଧ୍ୟରେ ବୁଣାଯାଏ । ଖାଲୁଆ ଜମି ପାଇଁ ଅତି ଉପଯୁକ୍ତ । ୧୨୦-୧୩୦ ଦିନରେ ଫୁଲ ଆସେ । ୧୫୦-୧୬୦ ଦିନରେ ପାକଳ ହୁଏ । ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ୧୫ ମଧ୍ୟରେ କଟାଯାଏ । ଦ୍ଵିତୀୟ ଫସଲ ଧାନ ରୁଆ ପାଇଁ ଜମି ଖାଲି ହୋଇଯାଏ । ହେକ୍ଟର ପ୍ରତି ଅମଳ ୨୦-୨୫ କୁଇଣ୍ଟାଲ ହୁଏ । ଝୋଟ ଗୁଣ ଅତି ଉତ୍କୃଷ୍ଟ । ବଳଦେବ (JRC - 4444) ଏପ୍ରିଲରୁ ମେ ମାସରେ ବୁଣାଯାଏ । ୧୩୦ – ୧୩୫ ଦିନରେ ଫୁଲ ଆସେ । ୩ ମିଟରରୁ ଅଧିକ ଉଚ୍ଚ ହୁଏ । ରୋଗ ପୋକ ସହଣୀ ଶକ୍ତି ସାମାନ୍ୟ ଅଛି । ହେକ୍ଟର ପ୍ରତି ଅମଳ ୩୦-୩୫ କୁଇଣ୍ଟାଲ । ଜୟଦେବ (KC-I) । JRC – 4444 ମ୍ୟୁଟାଣ୍ଟ । ଗଜା ହେବା ପରେ ପ୍ରଥମେ ପ୍ରଥମେ ଜଲଦି ବୃଦ୍ଧି ହୋଇ ଘାସର ବୃଦ୍ଧିକୁ ଦବାଇ ଦିଏ । ଗଛ ସବୁଜ ୨.୦-୨୨ ସେ.ମି. ମୂଳ ବ୍ୟାସ । ୧୨୫ ଦିନରେ ପରିପକ୍ଵ ଅବସ୍ଥାକୁ ଆସିଯାଏ । ଏଣୁ ଛୋଟ ଧାନ ଫସଲ ପର୍ଯ୍ୟାୟ ପାଇଁ ଉପଯୁକ୍ତ । JRC-7447 ଠାରୁ ୧୦.୧୫% ଝୋଟ ଅମଳ ଅଧିକ । ମଧୁର ନଳିତା କିସମ : ବୈଶାଖୀ ତୋଷା (JRO-632) ଗଛ ସମ୍ପୂର୍ଣ୍ଣ ସବୁଜ ରଙ୍ଗ । ଏପ୍ରିଲ ୧୫ ତାରିଖ ପରେ ବୁଣାଯାଏ । ଏପ୍ରିଲ ୧୫ ପୂର୍ବରୁ ବୁଣିଲେ ପାକଳ ନ ହୋଇ ଶୀଘ୍ର ଫୁଲ ଧରେ । ତନୁ ଦୁର୍ବଳ ହୋଇ ଅମଳ କମେ । ଠିକ୍ ସମୟରେ ଅର୍ଥାତ୍ ଏପ୍ରିଲ ୧୫ ପରେ ବୁଣିଲେ ୧୨୦-୧୩୫ ଦିନରେ ଫୁଲ ଧରେ । ସେପ୍ଟେମ୍ବର ମଧ୍ୟଭାଗରେ ଝୋଟ ପାଇଁ କଟାଯାଏ । ମଞ୍ଜି ଧରିବାକୁ ହେଲେ ଆଉ ଏକମାସ ଅପେକ୍ଷା କରିବାକୁ ହୁଏ । ହେକ୍ଟର ପ୍ରତି ଝୋଟ ଅମଳ ପ୍ରାୟ ୩୭ କୁଇଣ୍ଟାଲ ମିଳେ । ପାଣି ଜମୁ ନଥିବା ଢିପ ଓ ମଧ୍ୟମ ଜମିରେ ଚାଷ ହୁଏ । ଏହି କିସମ ଓଡିଶାର ଜଳବାୟୁ ପାଇଁ ଅନୁମୋଦିତ । ଚୈତାଳୀ ତୋଷା ଏହାର କାଣ୍ଡରେ ନାଲି ଛିଟ ଥାଏ । ଏହା ପ୍ରାକ୍ ଖରିଫ ଫସଲ ରୂପେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଯେ କୌଣସି ସମୟରେ ପାଣି ଜମୁ ନଥିବା ଢିପ ଓ ମଧ୍ୟମ ଜମିରେ ବୁଣାଯାଇ ପାରେ । ଗଛ ପଡିଯାଏ ନାହିଁ । ଫଳ ଫାଟେ ନାହିଁ । ପାକଳ ନ ହୋଇ ଫୁଲ ଧରେ ନାହିଁ । ବୁଣା ସମୟ ଉପରେ ନିର୍ଭର କରି ୧୨୦-୧୩୫ ଦିନ ମଧ୍ୟରେ ଫୁଲ ଆସେ । ଯବକ୍ଷାରଜାନ ଅଧିକ ହେଲେ ଅମଳ ଅଧିକ ହୁଏ । ଏହାର ଅମଳ ଶକ୍ତି ହେକ୍ଟର ପିଛା ୩୦-୩୮ କୁଇଣ୍ଟାଲ । ଏହି କିସମଟି ଓଡିଶା ପାଇଁ ଉପଯୁକ୍ତ । ନବୀନ (JRO - 524) ଗଛ ରଙ୍ଗ ସବୁଜ । ସଅଳ ବୁଣିବା ପାଇଁ ଉପଯୁକ୍ତ ଅଧିକ ଅମଳକ୍ଷମ । ୧୩୦-୧୪୦ ଦିନରେ ଫୁଲ ଆସେ । ଚେର ପଚା ରୋଗ ଓ ହଳଦିଆ ମାଇଟି ସହଣୀ ଶକ୍ତି ଅଛି । ଫଳ ଫାଟେ ନାହିଁ । ଶୀଘ୍ର ସଢେ । ହେକ୍ଟର ପ୍ରତି ଅମଳ ଶକ୍ତି ୪୦ କୁଇଣ୍ଟାଲ । ଢିପ ଓ ମଧ୍ୟମ ଜମିରେ ଚାଷ ହୁଏ । ଟ୍ରମ୍ବେ (TJ-40) ମେ ମାସରେ ବୁଣାଯାଇ ସେପ୍ଟେମ୍ବର ମାସ ଶେଷ ଆଡକୁ ଅମଳ ହୁଏ । ୧୩୫-୧୪୦ ଦିନରେ ଫୁଲ ଆସେ । ହେକ୍ଟର ପ୍ରତି ଅମଳ ଶକ୍ତି ୪୦-୪୫ କୁଇଣ୍ଟାଲ ।ମଧ୍ୟମ କିସମ ଜମି ପାଇଁ ଉପଯୁକ୍ତ । ବାଲେଶ୍ଵର ଜିଲ୍ଲାରେ ଏହାର ଅମଳ ହାର ଅନ୍ୟ କିସମ ତୁଳନାରେ ଅଧିକ ହେଉଛି । ରେବତୀ (KOM-62) (ଜେ.ଆର.ଓ – ୮୭୮ ର ମ୍ୟୁଟାଣ୍ଟ ) ମଧ୍ୟମ ଓ ଉଚ୍ଚ ଜମି ପାଇଁ ଉପଯୁକ୍ତ । ଏପ୍ରିଲ ପ୍ରଥମ ସପ୍ତାହରେ ବୁଣିବା ପାଇଁ ଉପଯୁକ୍ତ । ଗଛ ପ୍ରଥମେ ସବୁଜ ଓ ପରେ ପାଟଳ ବର୍ଣ୍ଣ ହୋଇଥାଏ । ୧୩୦ ଦିନରେ ପରିପକ୍ଵ ହୋଇଥାଏ । ୩.୫ରୁ ୪ ମିଟର ଉଚ୍ଚା ହୁଏ । ତନ୍ତୁ ଉନ୍ନତ ଧରଣର ଅନ୍ୟ କିସମଠାରୁ ୧୦% ଅଧିକ ଅମଳ ହୁଏ । ପୋକ ରୋଗ JRO ୫୨୪ ପରି । ଜମି ପ୍ରସ୍ତୁତି : ନଳିତା ଗୁଣ୍ଡ ଚାଷ ଦରକାର କରେ । ଜମିରେ ଟେଳା ଆଦୌ ରହିବା ଉଚିତ୍ ନୁହେଁ । ଜମିକୁ ଲୁହାଲଙ୍ଗଳରେ ଆଡବାଗେ ଚାଷ କରି ୫-୬ ଥର ହାରୋ ଦ୍ଵାରା ଚାଷ କରି ଟେଳାଭାଙ୍ଗି ମଇ ଦେଇ ସମତୁଲ କରିବା ଆବଶ୍ୟକ । ମୃତ୍ତିକାର ଆର୍ଦ୍ରତା ୨୧ ରୁ ୪୫% ରହିବା ଉଚିତ । ତେବେ ଉପଯୁକ୍ତ ଗଜା ହେବ । ଯଦି ମୃତ୍ତିକାରେ ଆବଶ୍ୟକ ଆର୍ଦ୍ରତା ନାହିଁ ବା ଗୁଣ୍ଡ ଚାଷ ହୋଇନି ତେବେ ବିହନ ବୁଣିବା ଉଚିତ ନୁହେଁ । ଅତ୍ୟଧିକ ଅମ୍ଳ ମୃତ୍ତିକାରେ ଚୂନ ପ୍ରୟୋଗ ମଧ୍ୟ ଆବଶ୍ୟକ । ଚୂନ ୬ ସପ୍ତାହ ପୂର୍ବରୁ ଜମିରେ ପ୍ରୟୋଗ କରିବାକୁ ହୋଇଥାଏ । ମୃତ୍ତିକାର ଅମ୍ଳତାନୁସାରେ ଚୂନ ପ୍ରୟୋଗ କଲେ ଭଲ । ଶେଷ ଓଡ ଚାଷ ବେଳେ ହେକ୍ଟର ପିଛା ୫ ଟନ ସଢା ଗୋବର ଖତ ପ୍ରୟୋଗ କରି ମାଟି ସହିତ ମିଶାଇ ଦେବା ଉଚିତ । ବିହନ ଓ ବିହନ ବୁଣା : ବିହନ ବୁଣିବା ପୂର୍ବରୁ ଆଗ୍ରୋସାନ ଜି.ଏନ୍ ବା ସେରେସାନ କେଜି ପିଛା ୩ ଗ୍ରାମ ହିସାବରେ ଭଲଭାବେ ଗୋଳାଇ ଦେବା ଉଚିତ । ଓଡିଶାରେ ବୁଣା କାର୍ଯ୍ୟକ୍ରମ, ନଳିତା କିସମ ଓ ବିହନ ପରିମାଣ ନିମ୍ନରେ ପ୍ରଦତ୍ତ କରାଗଲା । ମଞ୍ଜି ବୁଣିବା ସମୟ ପିତା ନଳିତା ଏପ୍ରିଲ ଆରମ୍ଭରୁ – ‘ମେ’ ମାସ ପ୍ରଥମ ସପ୍ତାହ ମଧୁର ନଳିତା ଏପ୍ରିଲ ୧୫ରୁ ଜୁନ ପ୍ରଥମ ସପ୍ତାହ ହେକ୍ଟର ପ୍ରତି ବିହନ ପରିମାଣ (କେଜି) ଧାଡିବୁଣା ଛଟାବୁଣା 6-8 9-10 30 4-5 6-7 20 ବ୍ୟବଧାନ ଧାଡିକୁ ଧାଡି (ସେ.ମି.) ଗଛକୁ ଗଛ (ସେ.ମି.) ଗଭୀରତା (ସେ.ମି.) 5-7 2.5 2.5-3 5-7 5-7 2.5-3 ହେକ୍ଟର ପ୍ରତି ଗଛ ସଂଖ୍ୟା 5-6 6-7 ସମାନ ଗଭୀରରେ ଏବଂ ସବୁଆଡେ ସମାନ ଭାବରେ ମଞ୍ଜି ପଡିବା ପାଇଁ ବିହନ ବୁଣାଯନ୍ତ୍ର ବ୍ୟବହାର କରିବା ଉଚିତ୍ । ସାର ପ୍ରୟୋଗ : ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ବିଧେୟ ମୃତ୍ତିକା ପରୀକ୍ଷା ନ ହୋଇଥିଲେ ପୂର୍ବରୁ ଦର୍ଶାଯାଇଥିବା ଅନୁସାରେ ସାର ପ୍ରୟୋଗ ହୁଏ । ବୁଣିବା ପୂର୍ବରୁ ଖତ ଜମିରେ ମିଶାଇବା ସମୟରେ ସୁପର ଓ ପଟାସ ପ୍ରୟୋଗ କରନ୍ତୁ । ବୁଣିବାର ୨୦-୨୫ ଦିନ ମଧ୍ୟରେ କୋଡାଖୁସା ଘାସବଛା ଏବଂ ଗଛ ପତଳା କରିବା ପରେ ପ୍ରଥମ ଶୀର୍ଷସାର ୫୦% ଯବକ୍ଷାରଜାନ ଦିଅନ୍ତୁ ବଳକା ୫୦% ଯବକ୍ଷାରଜାନ ସାରରୁ ପ୍ରଥମ ଶୀର୍ଷସାର ପ୍ରୟୋଗର ଦୁଇ ସପ୍ତାହ ପରେ ପିତା ନଳିତାରେ ୨୦ କି.ଗ୍ରା. ଏବଂ ୫୦ ଦିନରେ ଥରେ ଓ ୬୦ ଦିନରେ ଆଉଥରେ ଏପରି ଦୁଇଥର ୨% ୟୁରିଆ ଦ୍ରବଣ (ଆବଶ୍ୟକ ହେଲେ ପୋକମରା ଔଷଧ ମିଶାଇ) ଗଛରେ ସ୍ପ୍ରେ କରାଯାଏ । ମଧୁର ନଳିତା ପାଇଁ ୪-୫ ସପ୍ତାହ ବେଳକୁ ୧୦ କି.ଗ୍ରା. ଯବକ୍ଷାରଜାନ ହେକ୍ଟର ପିଛା ଦ୍ଵିତୀୟ ଦଫା ଶୀର୍ଷସାର ଭାବେ ପ୍ରୟୋଗ କଲା ପରେ ୨% ୟୁରିଆ ଦୁଇଥର ଜମିରେ ବୁଣିବାର ୫୦ ଦିନରେ ଥରେ ଓ ୬୦ ଦିନରେ ଥରେ ସ୍ପ୍ରେ କରାଯାଏ । ଅନୁର୍ବର ମୃତ୍ତିକା ଥିଲେ ମୂଳସାର ରୂପେ, ଅଧା ଯବକ୍ଷାରଜାନ, ସବୁତକ ସୁପର ଓ ସବୁତକ ପଟାସ ପ୍ରୟୋଗ ବିଧେୟ । ପରବର୍ତ୍ତୀ ସମୟରେ ୟୁରିଆ ୩-୪ ଥର ସ୍ପ୍ରେ କରାଯାଇପାରେ । ଉର୍ବର ଜମି ହୋଇଥିଲେ, ମୂଳସାର ହିସାବରେ କେବଳ ସୁପର ଓ ପଟାସ ପ୍ରୟୋଗ କରାଯାଏ । ପରବର୍ତ୍ତୀ ସାର ପ୍ରୟୋଗ ଉପରେ ଦର୍ଶାଯାଇଥିବା ପ୍ରକାରେ କରାଯାଏ । ଅନ୍ତଃଚାଷ : କୋଡାଖୁସା, ଘାସବଛା, ପତଳିକରଣ ଓ ଅଧିକ ପତ୍ର ଉଞ୍ଚିଦେବା କାର୍ଯ୍ୟ ଅନ୍ତଃଚାଷ ଅନ୍ତର୍ଗତ । ଦୁଇଧାଡି ମଧ୍ୟରେ ବୁଣାର ୨ ସପ୍ତାହ ବେଳକୁ ଥରେ ଓ ପ୍ରତି ୨ ସପ୍ତାହ ବ୍ୟବଧାନରେ ୪-୫ ଥର ରେକ୍ ‘ଉଇଡର’ ଚଳାଇବା ଉଚିତ । ଏହାଦ୍ଵାରା ମାଟି ଖୁସାଇ ହେବ, କିଛି ପରିମାଣର ଘାସ ମରିଯିବ ଓ ଗଛ ପତଳା ହୋଇଯିବ । ପରବର୍ତ୍ତୀ ଅବସ୍ଥାରେ ଉପୁଡି ନଥିବା ଘାସକୁ ହାତ ବଛା କରାଯାଏ । ଧାଡିରେ ଗଛକୁ ଗଛ ୪-୫ ସେ.ମି. ଦୂରରେ ରଖି ଅଧିକ ଗଛ ରୋଗ ଓ ପୋକ ଆକ୍ରାନ୍ତ ଗଛକୁ ଉପାଡି ଦେବା ଉଚିତ୍ । ପତ୍ର ମଧ୍ୟ ଉଞ୍ଚାଯାଏ ଘାସ ନ ହେବା ପାଇଁ ବୁଣା ପୂର୍ବଦିନ ୧୦୦୦ ଲିଟର ପାଣିରେ ବାସାଲିନ୍ ମିଶାଇ ମାଟିରେ ପ୍ରୟୋଗ କଲେ ଘାସ ଉଠିବ ନାହିଁ । ରୋଗ ପୋକ ଆକ୍ରାନ୍ତ ହେବା ଦେଖିଲେ କେବଳ ଆକ୍ରାନ୍ତ ଗଛଗୁଡିକୁ ସ୍ପ୍ରେ କଲେ ରୋଗ ପୋକ ନିୟନ୍ତ୍ରଣ ହୋଇ ଯିବ । ପୁରା ଜମିକୁ ସ୍ପ୍ରେ କରିବା ଦରକାର ପଡେନାହିଁ । ଅଳ୍ପ ଖର୍ଚ୍ଚରେ ସମସ୍ୟା ସମାଧାନ ହୋଇଯାଏ । ଜଳସେଚନ : ନଳିତା ଗୋଟିଏ ବର୍ଷାଧାର ଫସଲ । ଗଜା ହେବା ପରେ ବର୍ଷା ହେବା ଦରକାର । ବର୍ଷା ନ ହେଲେ ଜଳସେଚନ ଆବଶ୍ୟକ କରେ । ବୁଣିବା ପୂର୍ବରୁ ଥରେ ପାଣି ମଡାଇ ବତର ଥିବା ଅବସ୍ଥାରେ ବିହନ ବୁଣାଯାଏ । ଠିକ୍ ସମୟରେ ବର୍ଷା ନ ହେଲେ ଥରେ ଦିଥର ପାଣି ମଡାଇବା ଆବଶ୍ୟକ ହୋଇପାରେ । ଯଦି ଗଜା ହେବା ପରେ ପରେ ଅତ୍ୟଧିକ ବର୍ଷା ହୋଇଯାଏ ତେବେ ଜଳ ଜମି ରହିଲେ ଗଜା ନଷ୍ଟ ହୋଇଯାଏ ବା ବର୍ଷା ନ ହେଲେ ବତର ଛାଡିଗଲେ ମଧ୍ୟ ଫସଲର କ୍ଷତି ହୋଇଥାଏ । ବର୍ଷା ସମୟରେ ଅଧିକ ଜଳ ନିଷ୍କାସନ କରିଦେବା ଉଚିତ । ଫସଲ କଟା : ଗୁଣାତ୍ମକ ଝୋଟ ଅମଳ କରିବାକୁ ହେଲେ – ଗଛର ଫୁଲ ହେବା ପୂର୍ବରୁ ବୁଣିବାର ୧୨୦-୧୫୦ ମଧ୍ୟରେ କାଟି ଦେବା ଉଚିତ । ଜଲଦି ଅମଳ ହୋଇଥିବା ନଳିତା ଫସଲକୁ ଉଚ୍ଚ ମାନର ସରୁତନ୍ତୁ ମିଳିଥାଏ । ଡେରିରେ ଅମଳ ହୋଇ ଥିବା ନଳିତାରୁ ଅଧିକ ଆଦାୟ ମିଳିଲେ ମଧ୍ୟ ମୋଟା ତନ୍ତୁ ମିଳେ । ଏଣୁ ଗଛରେ ଫଳ ବା ଛୁଇଁ ଧରିବା ଆରମ୍ଭ ହେବା ସମୟ ହିଁ ଉପଯୁକ୍ତ ସମୟ । ଏହା ବୁଣିବାର ୧୩୫-୧୪୦ ଦିନ ମଧ୍ୟରେ ପଡେ । ଜଲଦି ଅମଳ କେବଳ ଧାନ ଠିକ୍ ସମୟରେ ରୋଇବା ପାଇଁ ସାଧାରଣତଃ କରାଯାଇଥାଏ । ଧାରୁଆ ଦା’ ଦ୍ଵାରା ମାଟିକୁ ଲଗାଇ ମୂଳରୁ କଟାଯାଏ । କାଟିବା ପରେ ୧୮-୨୦ ସେ.ମି. ବ୍ୟାସ ବିଶିଷ୍ଟ ଗୋଛା କରି ଦିଆଯାଏ । ତାପରେ ଗୋଛାଗୁଡିକୁ ଜମିରେ ୨-୩ ଦିନ ଠିଆ କରି ରଖାଗଲେ ପତ୍ର ଝଡିପଡେ । ସବୁଜ ପତ୍ର ରହି ନଳିତା ପଚାଗଲେ ଝୋଟରେ କଳା ଛିଟା ଲାଗିଯାଏ । ପତ୍ର ଝଡି ଜମିରେ ପଡିଲେ ସବୁଜ ସାର କାମ ଦେବ । ନଳିତା ଗଛର ଅଗଗୁଡିକ ମଧ୍ୟ କାଟିକରି ଜମିରେ ପକାଇ ଦିଆଯାଏ । ନଳିତା ସଢା : ନଳିତା ପଚାଇବା ଦ୍ଵାରା ବଳକାରେ ଥିବା ତନ୍ତୁ ହୁଗୁଳା ହୋଇଯାଏ ଏବଂ ଭିତର କାଠ ଅଂଶରୁ ଅଲଗା କରିବା ସହଜ ହୁଏ । ଏହା ବିଭିନ୍ନ ପ୍ରକାର ଅଣୁଜୀବ ଦ୍ଵାରା ସମ୍ଭବ ହୋଇଥାଏ । ଧୀର ପ୍ରବାହିତ ଅଗଭୀର ପରିଷ୍କାର ଜଳ ନଳିତା ସଢା ପାଇଁ ଉତ୍ତମ । ଝୋଟ ଗଛ ପ୍ରାୟ ଭୂମି ପତ୍ତନରୁ କଟାଯାଏ । ମୂଳ ଆଡୁ ୩୦-୪୦ ସେ.ମି. ଅଂଶ ଉପର ଅଂଶ ଅପେକ୍ଷା ଅଧିକ ଟାଣ । ଏଣୁ ମୂଳ ଓ ଅଗଭାଗ ସମାନ ସଢିପାରେ ନାହିଁ । ସମାନଭାବେ ସଢିବା ପାଇଁ ପ୍ରଥମେ ଗୋଛାଗୁଡିକୁ ୨-୩ ଦିନ ଧରି ୫୦-୬୦ ସେ.ମି. ଗଭୀର ପାଣିରେ ଠିଆ କରି ରଖିବାକୁ ହୁଏ, ଦ୍ଵିତୀୟ ଉପାୟ ହେଲା ମୂଳରୁ ୩୦-୪୦ ସେ.ମି. କାଠ ପିଟଣାରେ ସାମାନ୍ୟ ବାଡେଇ ୫୦% ୟୁରିଆ ପାଣି କୁଣ୍ଡରେ ୫ ମିନିଟ୍ ବୁଡାଇ ଭେଳା ବନ୍ଧାଯାଏ । ତେବେ ଅଗ ଓ ମୂଳ କମ୍ ଭାବରେ ସଢିବା । ଭେଳାଗୁଡିକୁ ସଢାଇବା କୁଣ୍ଡରେ ୨-୩ ଥାନରେ ଅଗମୂଳ ଓ ଅଡବାଗରେ ରଖିବା ଭେଳାଗୁଡିକୁ ମାଟିରୁ ପ୍ରାୟ ୩୦ ସେ.ମି. ଉପରକୁ ଓ ଉପରପାଣି ସ୍ତରରୁ ୧୦-୩୦ ସେ.ମି. ତଳେ ରଖିବା ଉଚିତ । ପାଣି ଭିତରେ ସଜା ହୋଇଥିବା ଭେଳା ଉପରେ ଓଜନିଆ ବାଉଁଶ, ଶୁଖିଲା କାଠ, ପଥର ବା ସିମେଣ୍ଟ ସ୍ଲାବ ଭଲଭାବେ ଚପାଯାଏ । କଞ୍ଚାକାଠ, କଦଳୀ ପଟୁଆ, କାଦୁଅ ଇତ୍ୟାଦି ଲଦିଲେ ଝୋଟ କଳା ପଡି ଦୁର୍ବଳ ଓ ଜ୍ୟୋତିହୀନ ହୋଇଯିବ । ଗଛର ବୟସ ଅନୁସାରେ ସଢିବା ସମୟ କମ୍ ବେଶି ହୁଏ । ଫଳ ଧରୁଥିବା ଅବସ୍ଥାରେ କଟା ଯାଇଥିବା ନଳିତା ୧୦-୧୨ ଦିନ ସଢିଯାଏ । କାଚିବା ଓ ଛଡାଇବା ସୁବିଧା ହୁଏ, ଠିକ୍ ଭାବରେ ସଢିବା ଯାଏ ଭେଳାଗୁଡିକୁ ଏପାଖ ସେପାଖ କରିବା ଉଚିତ ନୁହେଁ । ସଢିବା ଦ୍ଵାରା କାଉଁରିଆରୁ ବକଳା ଅଲଗା ହୁଏ । ବକଳାରେ ଥିବା ଝୋଟ ତନ୍ତୁ ବା ରୁଆଗୁଡିକ ଅଲଗା ହୁଏ । ଏହା ବାୟବୀୟ ଓ ଅବାୟବୀୟ ଅଣୁଜୀବଙ୍କର ସକ୍ରିୟତା ଯୋଗୁ ହୁଏ । ମଝିରେ ବିଶୃଙ୍ଖଳା କଲେ ସଢା ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ । ସଢାଇବାର ୮-୧୦ ଦିନ ବେଳକୁ ଆଙ୍ଗୁଠିରେ ଚିପିଲେ ଯଦି ତନ୍ତୁ ଖାଡିରୁ ସହଜରେ ଅଲଗା ହୋଇଯାଏ ତେବେ ସଢିଯାଇଛି ବୋଲି ଧରାଯାଏ । ଅଧିକ ସଢିଲେ ଝୋଟରୁଆ କଳା ପଡି ଦୁର୍ବଳ ହୋଇଯାଏ । ନଳିତା କଚା : ଠିକ୍ ସମୟରେ ନଳିତା କଚାଯାଏ । ଅଧିକ ସଢିଲେ ଝୋଟର ମାନ କମିଯିବ । ଗୋଟିଏ ଗୋଟିଏ ଗଛରୁ ଝୋଟ ବାହାର କଲେ ଝୋଟର ମାନ ଉନ୍ନତ ରହେ; କିନ୍ତୁ ଏହା କଷ୍ଟକର । ତେଣୁ ସଢିଯିବା ବିଡାର ମୂଳଭାଗରେ ସାମାନ୍ୟ ଚାପ ଦେଇ ପ୍ରାୟ ୩୦ ସେ.ମି. ରୁ ଭାଙ୍ଗି ଖାଡିଗୁଡିକ ବାହାର କରି ମୂଳ ଝୋଟକୁ ଧରି ପଣି ଭିତରେ ଆଗପଛ କରି ହଲାଇଲେ ଖାଡିରୁ ତନ୍ତୁ ଅଲଗା ହୋଇଯିବ । ଝୋଟ ଶାଖା : ରାସ୍ତାଠାରୁ ଦୂରରେ ଦୌଡି ଟାଣି କିମ୍ବା ବାଉଁଶ ବାନ୍ଧ ଅଳ୍ପ ଖରା ପର୍ଦୁଥିବା ସ୍ଥାନରେ ୪-୫ ଦିନ ଧରି ଶୁଖାଇବ । ତନ୍ତୁର ମୂଳଭାଗରେ ଯଦି ଖଦଡା ଲାଗି ରହିଥାଏ ତେବେ ମିଳୁଥିବା ଏକପ୍ରକାର ଜୀବାଣୁ ପ୍ରୟୋଗ କରି ଦୁଇଦିନ ଅଖା ଘୋଡାଇ ରଖିବ, ଆଉଥରେ ଧୋଇଦେଲେ ଲାଗିଥିବା ଚୋପା ଛାଡିଯିବ ଏବଂ ତନ୍ତୁରେ ମାନବୃଦ୍ଧି ହେବ । ମୋଡା ବନ୍ଧା : ଭଲଭାବେ ଶୁଖିଥିବା ଝୋଟକୁ ମୋଡାବନ୍ଧା ରଖାଯାଏ । ଭଲ ଶୁଖିନଥିବା ଝୋଟକୁ ମୋଡାବାନ୍ଧିଲେ, ଓଦାଥିବା ଅଂଶ କଳଦାଗ ହୋଇଯାଏ ଏବଂ ମୂଲ୍ୟହାନି ଘଟେ । ଏହାପରେ ଝୋଟକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ଅଲଗା କରି ବନ୍ଧାଯାଏ । ହେକ୍ଟରପିଛା ଆଦାୟ ମଧୁର ନଳିତା – ୨୦ କୁଇଣ୍ଟାଲ । ପିତା ନଳିତା – ୨୫ କୁଇଣ୍ଟାଲ । ନଳିତା ମଞ୍ଜି ଉତ୍ପାଦନ : ବୁଣିବା ସମୟ ବର୍ଷାପ୍ରଭାବ କମିଲା ବେଳକୁ ମଞ୍ଜି ପାକଳ ହେବା କିମ୍ବା ମଞ୍ଜି ପାକଳ ବେଳକୁ ବର୍ଷା କମିଯାଇଥିବା ଉଚିତ । ଏହାକୁ ଦୃଷ୍ଟିରେ ରଖି ବୁଣିବା ସମୟ ସ୍ଥିର କରାଯାଏ । କାରଣ ମଞ୍ଜି ପାକଳ ହେବା ବେଳକୁ ବର୍ଷା ହେଲେ ମଞ୍ଜୀର ଗୁଣାତ୍ମକ ମାନ କମିଯାଏ । ଗଛରେ ଅଧିକ ଶାଖା ଓ ଡାଳ ପ୍ରୋତ୍ସାହନ – ଗଛରେ ଅଧିକ ଡାଳ ଓ କେନା ରହିଲେ ଅଧିକ ଫଳ ଧରିବ ଓ ଅଧିକ ମଞ୍ଜି ଉତ୍ପାଦନ ହୁଏ । ତେଣୁ ଗଛର ବୟସ ୪୦-୫୦ ଦିନ ବେଳକୁ ଅର୍ଥାତ୍ ଗଛ ୨-୩ ଫୁଟ ଉଚ୍ଚ ହୋଇଥିବା ବେଳେ ଅଗ ଛିଣ୍ଡାଇ ଦେଲେ ଅଧିକ ଡାଳ ଓ କେନା ଦିଏ ଓ ଅଧିକ ଫୁଲ ଫଳ ଧରିବା ସୁଯୋଗ ମିଳେ । ଯବକ୍ଷାରଜାନ ସାର ପ୍ରୟୋଗରେ ସ୍ୱଳ୍ପତା – ମଞ୍ଜି ଉତ୍ପାଦନ ପାଇଁ ଫସଲରେ ୬ଷ୍ଠ ସପ୍ତାହର ଯବକ୍ଷାରଜାନ ପ୍ରୟୋଗ ଓ ୟୁରିଆ ସିଞ୍ଚନ ବ୍ୟବସ୍ଥା ଦରକାର ନାହିଁ । ୟୁରିଆ ସିଞ୍ଚନ ପାର୍ଶ୍ଵକଢ ଓ ଡାଳ ବାହାରିବା ବିରୋଧ କରେ । ଏଣୁ ଯବକ୍ଷାରଜାନ ଆବଶ୍ୟକତା କମିଯାଏ । ମଞ୍ଜି ଉଦ୍ଦେଶ୍ୟରେ ଥିବା ଗଛରୁ ପତ୍ର ଓ କେନା ନଷ୍ଟ କରିବା ଉଚିତ ନୁହେଁ । ଫୁଲ – ଫଳ ଧରିବା ବେଳେ ଜଳସେଚନ ଦରକାର । ଗଛ ସଂଖ୍ୟା କମ୍ ରଖାଯାଏ । ଗଛ ଗହଳ ରହିଲେ ଡାଳ ନ ହୋଇ ଉଚ୍ଚରେ ବଢେ । ମଞ୍ଜି ଅମଳ ପାଇଁ ଉଦ୍ଦିଷ୍ଟ ଫସଲରେ ଖର୍ଚ୍ଚ ଝୋଟ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ଫସଲ ଅପେକ୍ଷା କମ୍ । ମଞ୍ଜି, ଯବକ୍ଷାରଜାନ ସାର ଏବଂ ମଜୁରି ବାବଦରେ ପ୍ରାୟ ଶତକଡା ୨୦-୨୫ ଭାଗ କମ୍ ଖର୍ଚ୍ଚ ହୁଏ । ହେକ୍ଟର ପ୍ରତି ଝୋଟ ଅମଳ ୨୦ କୁଇଣ୍ଟାଲ ମିଳେ । ମଞ୍ଜି ପାଇଁ ଅମଳ କରାଯିବା ନଳିତା ଫସଲରୁ ୫ କୁଇଣ୍ଟାଲ ମଞ୍ଜି ମିଳେ । ଝୋଟର ଶ୍ରେଣୀକରଣ : ଝୋଟ ଚାଷୀ ତଥା ଝୋଟଶିଳ୍ପ ସହିତ ସଂଲଗ୍ନ ଗବେଷଣା ଓ ଉନ୍ନୟନ ଅନୁଷ୍ଠାନମାନଙ୍କ ସହଯୋଗରେ ପିତା ନଳିତା ଏବଂ ମଧୁର ନଳିତାକୁ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଝୋଟର ଶକ୍ତି, ରଙ୍ଗ, ଜ୍ୟୋତି, ସୂକ୍ଷ୍ମତା ଘନିତ୍ଵ, ଚେରର ପ୍ରକାର ଭେଦ ଇତ୍ୟାଦିକୁ ନେଇ ଶ୍ରେଣୀ ବିଭାଗ କରାଯାଇଥାଏ, ପିତା ନଳିତା ଓ ମଧୁର ନଳିତାରୁ ଅମଳ ହେଉଥିବା ଝୋଟର ଶ୍ରେଣୀ କରଣ । ପିତା ନଳିତା ଶ୍ରେଣୀ ମୋଟ କେରା ମଧୁର ନଳିତା ଶ୍ରେଣୀ ମୋଟ କେରାର ଡବ୍ଲ୍ୟୁ (W-1) ୧୦୦ ଅତି ଉତ୍ତମ ଟି.ଡି. – ୧ (TD - 1) ୧୦୦ ଅତି ଉତ୍ତମ ଡବ୍ଲ୍ୟୁ (W-2) ୮୫- ଉତ୍ତମ ଟି.ଡି. – 2 (TD - 2) ୮୦ ଉତ୍ତମ ଡବ୍ଲ୍ୟୁ (W-3) ୬୯ ଭଲ ଟି.ଡି. – 3 (TD - 3) ୬୯ ଭଲ ଡବ୍ଲ୍ୟୁ (W-4) ୫୪ ସାଧାରଣ ଭଲ ଟି.ଡି. – 4 (TD - 4) ୫୪ ସାଧାରଣ ଭଲ ଡବ୍ଲ୍ୟୁ (W-5) ୩୯ ମଧ୍ୟମ ଟି.ଡି. – 5 (TD - 5) ୩୯ ମଧ୍ୟମ ଡବ୍ଲ୍ୟୁ (W-6) ୩୬ ସାଧାରଣ ମଧ୍ୟମ ଟି.ଡି. – 6 (TD - 6) ୨୬ ମଧ୍ୟମ ଡବ୍ଲ୍ୟୁ (W-7) ୧୨ ଅଳ୍ପ ଦୁର୍ବଳ ଟି.ଡି. – 7 (TD - 7) ୧୩ ଅଳ୍ପ ଦୁର୍ବଳ ଡବ୍ଲ୍ୟୁ (W-8) ୦ ଦୁର୍ବଳ ଟି.ଡି. – 8 (TD - 8) ୦ ଦୁର୍ବଳ କେବଳ ଟିଡି – ୮ ଛଡା ଅନ୍ୟ ସମସ୍ତ କିସମର ଝୋଟର ସର୍ବନିମ୍ନ କୋରାର ଲମ୍ବ ୧୫୦ ସେ.ମି. ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ