অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଝୋଟ

ଉପକ୍ରମ

କପା ପରେ ଝୋଟ ହେଉଛି ଦ୍ଵିତୀୟ ମୁଖ୍ୟ ତନ୍ତୁ ଜାତୀୟ ଅର୍ଥକାରୀ ଫସଲ  । ଭାରତର ଆର୍ଥିକ ଉନ୍ନତି ନିମିତ୍ତ ଝୋଟର ଭୂମିକା ବର୍ଣ୍ଣନାନୀତ  । ସାଂଶ୍ଲେଷିକ  ତନ୍ତୁ ବାହାରିବା ଦିନରୁ ଏହାର ଚାହିଦା କମିଯାଇଥିଲେ ମଧ୍ୟ ବିଦେଶୀ ମୁଦ୍ରା ଉପାର୍ଜନ କରିପାରୁଥିବା  ଫସଲମାନଙ୍କ ମଧ୍ୟରୁ ନଳିତା ଏବେ ମଧ୍ୟ ଅନ୍ୟତମ  । ଭାରତ ଝୋଟ ଓ ଝୋଟଜାତ ଦ୍ରବ୍ୟରୁ ବାର୍ଷିକ ହାରାହାରି ପ୍ରାୟ ୩୦୦୦ ନିୟୁତ ଟଙ୍କାର ବିଦେଶୀ ମୁଦ୍ରା ରୋଜଗାର କରିଥାଏ  । ଝୋଟକୁ ନଳିତା ମଧ୍ୟ କୁହାଯାଏ  ।

ଝୋଟତନ୍ତୁରେ ଅଖା, କପଡା ଓ ଅନ୍ୟାନ୍ୟ ପ୍ୟାକିଂ ବସ୍ତୁ ଭାରତରେ ତିଆରି ହୁଏ  । ଏହି ପ୍ୟାକିଂ ବସ୍ତୁ ଦ୍ଵାରା ଖାଦ୍ୟ ଶସ୍ର, ଡାଲି ଜାତୀୟ ପଦାର୍ଥ, ମସଲା, ସିମେଣ୍ଟ, ଚିନି, କପା, ସାର ଉଲ ଇତ୍ୟାଦି ବିଦେଶକୁ ଭାରତ ରପ୍ତାନୀ କରିଥାଏ  । ଝୋଟରୁ ଦଉଡି ଗାଲିଚା, ରସି ଏବଂ ବିଭିନ୍ନ ପ୍ରକାର କପଡା ତିଆରି ହୁଏ, ଯାହା ଚୌକି, ସୋଫା ବିଭିନ୍ନ ପ୍ରକାର କାରୁକାର୍ଯ୍ୟଶୋଭିତ ବସ୍ତ୍ର ବା ଚିତ୍ର ବିଚିତ୍ର ପର୍ଦ୍ଦା ପାଇଁ ଆବଶ୍ୟକ  ହୁଏ  । ଏହାର କାଉଁରିଆ ଜାଳେଣି ପାଇଁ ବ୍ୟବହାର ହୁଏ  ଏବଂ ମୋଟା କାଗଜ କରିବା ପାଇଁ କାଗଜ କଳ ଦ୍ଵାରା ବ୍ୟବହାର ହୋଇଥାଏ  ।

ଉଦ୍ଭବ କେନ୍ଦ୍ର

ଭାରତରେ ନଳିତା ବହୁ ପୁରାତନ କାଳରୁ ଚାଷ ହେଉଛି  । ସନ ୧୮୨୮ରେ ପ୍ରଥମେ ଭାରତରୁ ଝୋଟଜାତ ଦ୍ରବ୍ୟ ୟୁରୋପ ମହାଦେଶକୁ ରପ୍ତାନୀ ଆରମ୍ଭ ହୋଇଥିଲା  । ଚାଷ କରାଯାଇଥିବା ଅର୍ଥକାରୀ ନଳିତା ଦୁଇପ୍ରକାର (୧) ପିତା ନଳିତା (୨) ମଧୁର ନଳିତା  । ପ୍ରଜାତି – କୋରକୋରସ୍ ର ୪୦ ପ୍ରକାର ଜାତି ଦେଖିବାକୁ ମିଳେ  । ସେଗୁଡିକ ମଧ୍ୟରୁ ପ୍ରାୟ ଅଧିକାଂଶ ପୃଥିବୀର  ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ବହୁଳଭାବେ ଦେଖାଯାଏ  । ବହୁପ୍ରକାର ନଳିତା ଆଫ୍ରିକା ମହାଦେଶରେ ଦେଖାଯାଏ  । ମଧୁର ନଳିତାଗୋଷ୍ଠୀର ବହୁ କିସମ ଆଫ୍ରିକା ମହାଦେଶରେ ଦେଖାଯାଏ ; କିନ୍ତୁ ପିତା ନଳିତା ବିଲକୁଲ ଆଫ୍ରିକାରେ ଦେଖାଯାଏ  ନାହିଁ   ।

ଏଣୁ ଅନୁମାନ କରାଯାଇଛି ଯେ ମଧୁର ନଳିତାର ଉଦ୍ଭବ କେନ୍ଦ୍ର ଆଫ୍ରିକା ଏବଂ ପିତା ନଳିତାର ଉଦ୍ଭବ କେନ୍ଦ୍ର ଇଣ୍ଡେ – ବର୍ମା ଅଞ୍ଚଳ  ।

କ୍ଷେତ୍ରଫଳ ଓ ବଣ୍ଟନ

ନଳିତା ସାଧାରଣତଃ ଭାରତ ଓ ବଙ୍ଗଳା ଦେଶର୍ରେ ଚାଷ କରାଯାଏ  । ମୋଟ ନଳିତାର ପ୍ରାୟ ଶତକଡା ୭୦ ଭାଗ ଭାରତ ଓ ବଙ୍ଗଳା ଦେଶରେ ଚାଷ କରାଯାଏ  । ଏହା ଛଡା ଚୀନ, ଥାଇଲାଣ୍ଡ, ବ୍ରାଜିଲ, ପେରୁ, ବର୍ମା, ନେପାଲ ଏବଂ ଭିଏତନାମାରେ ମଧ୍ୟ ନଳିତା ଚାଷ ହୁଏ   ।

ଭାରତରେ ୮.୯ ଲକ୍ଷ ହେକ୍ଟର ଜମିରେ ନଳିତା ଚାଷ ହୁଏ  ଏବଂ ୬୮ ଲକ୍ଷ ବେଲ ଝୋଟ ଉତ୍ପାଦନ ହୁଏ  । ପ୍ରତ୍ୟକ ବେଲ ୧୮୦ କେଜି ମୁଖ୍ୟତଃ ପଶ୍ଚିମବଙ୍ଗ, ଆସାମ, ଉତ୍ତର ବିହାର, ଉତ୍ତର ପୂର୍ବ ଓଡିଶା, ମେଘାଳୟ, ତ୍ରିପୁରା ଏବଂ ପୂର୍ବୀୟ ଉତ୍ତର ପ୍ରଦେଶରେ ନଳିତା ଚାଷ ହୁଏ  ।

ନଳିତା ଶ୍ରେଣୀବିଭାଗ :

ନଳିତା କିସମଗୁଡିକ ଦୁଇପ୍ରକାର ଯଥା –

  1. ପିତା ନଳିତା – ଏହା ମଧ୍ୟମ ଓ ଖାଲ ଜମି ପାଇଁ ଉପଯୁକ୍ତ । କାରଣ ଏହି ନଳିତା ଅତ୍ୟଧିକ ଜଳ ସହ୍ୟ କରିପାରେ  ।
  2. ମଧୁର ନଳିତା – ଏହା କେବଳ ମଧ୍ୟମ ଢିପ ଜମିରେ ଚାଷ କରାଯାଏ ।

ଉଦ୍ଭିଦ ବର୍ଣ୍ଣନା :

ନଳିତା ଟିଲିଆସି ପରିବାର ଭୁକ୍ତ  । ଏହି ପରିବାରର କରକୋରସ୍ ଗୋଟିଏ ପ୍ରଜାତି  । ଏହି ପ୍ରଜାତି ମଧ୍ୟରୁ ଦୁଇଟି ଜାତି ତନ୍ତୁ ଲାଗି ଚାଷ କରାଯାଏ  । ଯଥା (୧) ପିତା ନଳିତା (୨) ମଧୁର ନଳିତା ଗଛ କ୍ଷୁପୀୟ  ବାର୍ଷିକ  ।

ମୂଳ :

ଆଦିମୂଳ  । ଆଦିମୂଳର ବହୁ ଶାଖାମୂଳ ରହିଛି  । ଯଦିଓ ଉଭୟ ପ୍ରକାର ନଳିତା ଦେଖିବାକୁ ଏକାପରି  ତଥାପି ଉଭୟ ଭିତରେ ବହୁତ ଫରକ ରହିଛି  । ନିମ୍ନରେ ତାହା ବର୍ଣ୍ଣନା କରାଗଲା  ।

ପିତା ଓ ମଧୁର ନଳିତା ମଧ୍ୟରେ ପ୍ରଭେଦ

ଅଙ୍ଗ

ପିତା ନଳିତା

ମଧୁର ନଳିତା

ଗଛର ଉଚ୍ଚତା

ମଧୁର ନଳିତା ଠାରୁ ପିତା ନଳିତା ସାମାନ୍ୟ ଛୋଟ 1.5ମିଟରରୁ 4 ମିଟର

ମଧୁର ନଳିତା ପିତା ନଳିତା ଠାରୁ ସାମାନ୍ୟ ଉଚ୍ଚ  । 1.5 – 5 ମିଟର

ପତ୍ର

ପିତା ଚିକ୍କଣ ସାଧାରଣତଃ 5 -13 ସେ.ମି. X 2.5 ରୁ 8.0 ଅଣ୍ଡାକୃତି ଲମ୍ବାଳିଆ ଅଗ ମୁନିଆ ପତ୍ରଧାର ଦନ୍ତୁରିତ ପତ୍ରରେ କୋରକୋରିନ୍ ଥିବା ଯୋଗୁଁ ପତ୍ର ପିତା ଲାଗେ  । ଡେମ୍ଫ 4-8 ସେ.ମି. ଲମ୍ବା

ମିଠା, ଚିକ୍କଣ 7-8 ସେ.ମି X 4-8 ସେ.ମି  । ମଧୁର ପତ୍ରଧାର ଦନ୍ତୁରିତ, ସରୁଆ ଓ ଲମ୍ବାଳିଆ, ପତ୍ରର ଉପର ପାଖ ଚକ୍ ଚକ୍ କରେ  ।

କାଣ୍ଡ

ସବୁଜରୁ ଗାଢ ଲାଲ ସିଲିଣ୍ଡର ଆକୃତି  ।

ଇଷତ ଲାଲରୁ ଗାଢ ଲାଲ ସିଲିଣ୍ଡର ଆକୃତି  ।

ଫୁଲ

ଛୋଟ 0.3 – 0.5 ସେ.ମି. ହଳଦିଆ

ବଡ (1 ସେ.ମି. ଲମ୍ବ) ହଳଦିଆ

ଛୁଇଁ

ଗୋଲାକାର ବାନାସପତି ଆକୃତିର 1-5 ସେ.ମି. ଗୋଲେଇର ବ୍ୟାସ  । ଲୋଳିତ 5 କୋଷ୍ଠି ଛୁଇଁ  ।

ଲମ୍ବା 6-10 ସେ.ମି. X 0.3-0.8 ସେ.ମି. ଗୋଲେଇ ସିଲିଣ୍ଡରାକୃତି 5-6 କୋଷ୍ଠି ଛୁଇଁ

ମଞ୍ଜି

ବଡ 300 ମଞ୍ଜିରେ ଗୋଟିଏ ଗ୍ରାମ ହୁଏ ତମ୍ବାଳିଆ  ।

ସାନ । 500 ମଞ୍ଜିରେ ଗୋଟିଏ ଗ୍ରାମ ଓଜନ ହୁଏ  । ନୀଳମିଶା ସବୁଜ

ତନ୍ତୁ

ଧଳା, ମୋଟା, ନରମା, ଶକ୍ତ ଓ ଚିକ୍କଣ ।

ମଠା ବା ଇଷତ କମଳା ରଙ୍ଗ ସାରୁ, ନରମା, ଚିକ୍କଣ ଓ ଶକ୍ତ  ।

ବ୍ୟବସାୟିକ ନାମ

ଧଳା ଝୋଟ

ତୋଷା ଝୋଟ

କିସମ

ଖାଲ ଓ ମଧ୍ୟମ

ଉଚ୍ଚ ଜମି ଓ ମଧ୍ୟମ ଜମି ଯେଉଁଠାରେ ପାଣି ଜମି ନରହେ  ।

ଗଛ ମୂଳରେ ପାଣି ଜମିଲେ

ପିଲାଗଛ ସାମାନ୍ୟ ସହିପାରେ  । ପାକଳ ଗଛ ସହିପାରେ

ଆଦୌ ସହିପାରେ ନାହିଁ  । ଅଳ୍ପ ସହିପାରେ  ।

ଝୋଟ କିସମ

ସବୁଜ ସୋନ (ଜେ.ଆର.ସି.-212)

ଶ୍ୟାମଳୀ (ଜେ.ଆର.ସି.-7447)

ସୋନାଲି (ଜେ.ଆର.ସି.-321)

ବଳଦେବ (ଜେ.ଆର.ସି.-4444)

ବୈଶାଖୀ ତୋଷା (ଜେ.ଆର.ଓ - 632)

ଚୈତାଳୀ ତୋଷା (ଜେ.ଆର.ଓ - 878)

ବାସୁଦେବ (ଜେ.ଆର.ଓ - 7835)

ନବୀନ (ଜେ.ଆର.ଓ - 524)

ଟ୍ରମ୍ବେ (ଟି.ଜେ. - 40)

ରାସାୟନିକ ସାର :

ଆବଶ୍ୟକତା

କେଜି / ହେକ୍ଟର

ଯବକ୍ଷାରଜାନ

60

40

ଫସଫେଟ୍

25

25

ପଟାସ

25

25

ଋତୁ ଓ ଜଳବାୟୁ :

ଉଷ୍ଣ ଓ ଆର୍ଦ୍ର  । ଆପେକ୍ଷିକ ଆର୍ଦ୍ରତା ଶତକଡା ୫୫-୯୦ ଭାଗ, ଉତ୍ତାପ ୨୪- ସେଲସିୟସ ଉପଯୁକ୍ତ  । ୧୫୦୦ ମି.ମି. ବର୍ଷା ଅତି ଅନୁକୂଳ  । ମଧୁର ନଳିତା ମୂଳରେ ପାଣି ଜମିଲେ ଗଛ ସହ୍ୟ କରିପାରେ ନାହିଁ  । ପିତା ନଳିତା ପିଲା ଗଛ ଅବସ୍ଥାରେ ପଣି ସହ୍ୟ କରିପାରେ ନାହିଁ   । କିନ୍ତୁ ଗଛ ପାକଲା ହୋଇଗଲେ ମୂଳରେ ପାଣି ଜମିଲେ ସହ୍ୟ କରିପାରେ  । ବର୍ଷା ପରେ ଫସଲ ପାଇଁ ଉପଯୁକ୍ତ  ।

ମୃତ୍ତିକା :

ଅତି ବାଲିଆ ଓ କ୍ଷାରୀ ମାଟିକୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ମାଟିରେ ନଳିତା ଚାଷ ହୋଇପାରିବ   । ଦୋରସା ଓ ପଟୁମାଟି ଝୋଟ ଚାଷ ପାଇଁ ଉପଯୁକ୍ତ  । ମୃତ୍ତିକାରେ ପି.ଏଚ୍ ୬-୭-୫ ରହିବା ଉଚିତ୍  । ପି.ଏଚ୍. ୬ରୁ କମ୍ ବା ୭.୫ ଉପରକୁ ହେଲେ ଫସଲ ଭଲ ହୁଏ  ନାହିଁ  । ବାଲିଆ ଓ ଅତି ମଟାଳ ମୃତ୍ତିକା ନଳିତା ଚାଷ ପାଇଁ ଅନୁପଯୁକ୍ତ  ।

ନଳିତା କିସମର ବର୍ଣ୍ଣନା :

ପିତା ନଳିତା କିସମ –

  1. ସବୁଜ ସୋନା (JRC - 212) ସମ୍ପୂର୍ଣ୍ଣ ସବୁଜ ରଙ୍ଗ ଗଛ  । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏପ୍ରିଲ ମଧ୍ୟ ପର୍ଯ୍ୟନ୍ତ ବୁଣାଯାଏ   । ୧୪୦-୧୫୦ ଦିନରେ  ଫୁଲ ଆସେ  । ଛୁଇଁ ହେବା ପାଇଁ ଓ ମଞ୍ଜି ଧରିବା ପାଇଁ ଆଉ ୩୦ ଦିନ ଲାଗେ  ଅଗଷ୍ଟ ଶେଷରୁ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ  ଅମଳ ହୁଏ  । ହେକ୍ଟର ପିଛା ୩୦-୩୫ କୁଇଣ୍ଟାଲ ଝୋଟ ଅମଳ ହୁଏ  । ମୂଳରେ ଅଧିକ ପାଣି ଜମି ରହିଲେ ଗଛ ସହ୍ୟ କରିପାରେ ନାହିଁ  । ଏଣୁ ଅତି ଖାଲୁଆ ଜମିରେ ନ ବୁଣିବା ଭଲ  । କଟକ ଓ ବାଲେଶ୍ଵର ଜିଲ୍ଲାରେ ସବୁଜ ସୋନା ଚାଷୀମାନଙ୍କ ଦ୍ଵାରା ଆଦୃତ  ।
  2. ଶ୍ୟାମଳୀ (JRC - 7447) ସମ୍ପୂର୍ଣ୍ଣ ସବୁଜ ରଙ୍ଗ  । ମାର୍ଚ୍ଚ ପ୍ରଥମ ସପ୍ତାହରୁ ମଧ୍ୟ ଏପ୍ରିଲ ଯାଏ ବୁଣାଯାଏ  । 130-140 ଦିନରେ ଫୁଲ ଆସେ  । ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ମଧ୍ୟରେ ଅମଳ ହୁଏ  । ହେକ୍ଟର ପ୍ରତି ଅମଳ ୩୫-୪୦ କୁଇଣ୍ଟାଲ  । ମଧ୍ୟମ କିସମ ଜମିରେ ଭଲ ହୁଏ  । ଓଡିଶାର ଜଳବାୟୁରେ ଏହି କିସମ ଭଲ ହୁଏ  ।
  3. ସୋନାଲି (JRC - 321) ତମ୍ବାଳିଆ ଲାଲ କାଣ୍ଡ  । ଫେବୃୟାରୀ ୧୫ରୁ  ମାର୍ଚ୍ଚ ୧୫ ମଧ୍ୟରେ ବୁଣାଯାଏ  । ଖାଲୁଆ ଜମି ପାଇଁ ଅତି ଉପଯୁକ୍ତ  । ୧୨୦-୧୩୦ ଦିନରେ ଫୁଲ ଆସେ  । ୧୫୦-୧୬୦ ଦିନରେ ପାକଳ ହୁଏ  । ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ୧୫ ମଧ୍ୟରେ କଟାଯାଏ  । ଦ୍ଵିତୀୟ ଫସଲ ଧାନ ରୁଆ ପାଇଁ ଜମି ଖାଲି ହୋଇଯାଏ  । ହେକ୍ଟର ପ୍ରତି ଅମଳ ୨୦-୨୫ କୁଇଣ୍ଟାଲ ହୁଏ  । ଝୋଟ ଗୁଣ ଅତି ଉତ୍କୃଷ୍ଟ  ।
  4. ବଳଦେବ (JRC - 4444) ଏପ୍ରିଲରୁ ମେ ମାସରେ ବୁଣାଯାଏ  । ୧୩୦ – ୧୩୫ ଦିନରେ ଫୁଲ ଆସେ  । ୩ ମିଟରରୁ ଅଧିକ ଉଚ୍ଚ ହୁଏ  । ରୋଗ ପୋକ ସହଣୀ ଶକ୍ତି ସାମାନ୍ୟ ଅଛି  । ହେକ୍ଟର ପ୍ରତି ଅମଳ ୩୦-୩୫ କୁଇଣ୍ଟାଲ  ।
  5. ଜୟଦେବ (KC-I) । JRC – 4444 ମ୍ୟୁଟାଣ୍ଟ   । ଗଜା ହେବା ପରେ ପ୍ରଥମେ ପ୍ରଥମେ ଜଲଦି ବୃଦ୍ଧି ହୋଇ ଘାସର ବୃଦ୍ଧିକୁ ଦବାଇ ଦିଏ  । ଗଛ ସବୁଜ ୨.୦-୨୨ ସେ.ମି. ମୂଳ ବ୍ୟାସ  । ୧୨୫ ଦିନରେ ପରିପକ୍ଵ ଅବସ୍ଥାକୁ ଆସିଯାଏ  । ଏଣୁ ଛୋଟ ଧାନ ଫସଲ ପର୍ଯ୍ୟାୟ ପାଇଁ ଉପଯୁକ୍ତ  । JRC-7447 ଠାରୁ ୧୦.୧୫% ଝୋଟ ଅମଳ ଅଧିକ  ।

ମଧୁର ନଳିତା କିସମ :

  1. ବୈଶାଖୀ ତୋଷା (JRO-632) ଗଛ ସମ୍ପୂର୍ଣ୍ଣ ସବୁଜ ରଙ୍ଗ  । ଏପ୍ରିଲ ୧୫ ତାରିଖ ପରେ ବୁଣାଯାଏ  । ଏପ୍ରିଲ ୧୫ ପୂର୍ବରୁ ବୁଣିଲେ ପାକଳ ନ ହୋଇ ଶୀଘ୍ର ଫୁଲ ଧରେ  । ତନୁ ଦୁର୍ବଳ ହୋଇ ଅମଳ କମେ  । ଠିକ୍ ସମୟରେ ଅର୍ଥାତ୍ ଏପ୍ରିଲ ୧୫ ପରେ ବୁଣିଲେ ୧୨୦-୧୩୫ ଦିନରେ ଫୁଲ ଧରେ  । ସେପ୍ଟେମ୍ବର ମଧ୍ୟଭାଗରେ ଝୋଟ ପାଇଁ କଟାଯାଏ  । ମଞ୍ଜି ଧରିବାକୁ ହେଲେ ଆଉ ଏକମାସ ଅପେକ୍ଷା କରିବାକୁ ହୁଏ  । ହେକ୍ଟର ପ୍ରତି ଝୋଟ ଅମଳ ପ୍ରାୟ ୩୭ କୁଇଣ୍ଟାଲ ମିଳେ  । ପାଣି ଜମୁ ନଥିବା ଢିପ ଓ ମଧ୍ୟମ ଜମିରେ ଚାଷ ହୁଏ  । ଏହି କିସମ ଓଡିଶାର ଜଳବାୟୁ ପାଇଁ ଅନୁମୋଦିତ  ।
  2. ଚୈତାଳୀ ତୋଷା ଏହାର କାଣ୍ଡରେ ନାଲି ଛିଟ ଥାଏ  । ଏହା ପ୍ରାକ୍ ଖରିଫ ଫସଲ ରୂପେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଯେ କୌଣସି ସମୟରେ ପାଣି ଜମୁ ନଥିବା ଢିପ ଓ ମଧ୍ୟମ ଜମିରେ ବୁଣାଯାଇ ପାରେ  । ଗଛ ପଡିଯାଏ ନାହିଁ  । ଫଳ ଫାଟେ ନାହିଁ  । ପାକଳ ନ ହୋଇ ଫୁଲ ଧରେ ନାହିଁ   । ବୁଣା ସମୟ ଉପରେ ନିର୍ଭର କରି ୧୨୦-୧୩୫ ଦିନ ମଧ୍ୟରେ ଫୁଲ ଆସେ  । ଯବକ୍ଷାରଜାନ ଅଧିକ ହେଲେ ଅମଳ ଅଧିକ ହୁଏ  । ଏହାର ଅମଳ ଶକ୍ତି ହେକ୍ଟର ପିଛା ୩୦-୩୮ କୁଇଣ୍ଟାଲ   । ଏହି କିସମଟି ଓଡିଶା ପାଇଁ ଉପଯୁକ୍ତ  ।
  3. ନବୀନ (JRO - 524) ଗଛ ରଙ୍ଗ ସବୁଜ  । ସଅଳ ବୁଣିବା ପାଇଁ ଉପଯୁକ୍ତ ଅଧିକ ଅମଳକ୍ଷମ  । ୧୩୦-୧୪୦ ଦିନରେ ଫୁଲ ଆସେ  । ଚେର ପଚା ରୋଗ ଓ ହଳଦିଆ ମାଇଟି ସହଣୀ ଶକ୍ତି ଅଛି  । ଫଳ ଫାଟେ  ନାହିଁ  । ଶୀଘ୍ର ସଢେ  । ହେକ୍ଟର ପ୍ରତି ଅମଳ ଶକ୍ତି ୪୦ କୁଇଣ୍ଟାଲ  । ଢିପ ଓ ମଧ୍ୟମ ଜମିରେ ଚାଷ ହୁଏ  ।
  4. ଟ୍ରମ୍ବେ (TJ-40) ମେ ମାସରେ ବୁଣାଯାଇ ସେପ୍ଟେମ୍ବର ମାସ ଶେଷ ଆଡକୁ ଅମଳ ହୁଏ  । ୧୩୫-୧୪୦ ଦିନରେ ଫୁଲ ଆସେ  । ହେକ୍ଟର ପ୍ରତି ଅମଳ ଶକ୍ତି ୪୦-୪୫ କୁଇଣ୍ଟାଲ  ।ମଧ୍ୟମ କିସମ ଜମି ପାଇଁ ଉପଯୁକ୍ତ  । ବାଲେଶ୍ଵର ଜିଲ୍ଲାରେ ଏହାର ଅମଳ ହାର ଅନ୍ୟ କିସମ ତୁଳନାରେ ଅଧିକ ହେଉଛି  ।
  5. ରେବତୀ (KOM-62) (ଜେ.ଆର.ଓ – ୮୭୮ ର ମ୍ୟୁଟାଣ୍ଟ ) ମଧ୍ୟମ ଓ ଉଚ୍ଚ ଜମି ପାଇଁ ଉପଯୁକ୍ତ  । ଏପ୍ରିଲ ପ୍ରଥମ ସପ୍ତାହରେ ବୁଣିବା ପାଇଁ ଉପଯୁକ୍ତ  । ଗଛ ପ୍ରଥମେ ସବୁଜ ଓ ପରେ ପାଟଳ ବର୍ଣ୍ଣ ହୋଇଥାଏ  । ୧୩୦ ଦିନରେ ପରିପକ୍ଵ ହୋଇଥାଏ  । ୩.୫ରୁ ୪ ମିଟର ଉଚ୍ଚା ହୁଏ  । ତନ୍ତୁ ଉନ୍ନତ ଧରଣର ଅନ୍ୟ କିସମଠାରୁ ୧୦% ଅଧିକ ଅମଳ ହୁଏ  । ପୋକ ରୋଗ  JRO ୫୨୪ ପରି  ।

ଜମି ପ୍ରସ୍ତୁତି :

ନଳିତା ଗୁଣ୍ଡ ଚାଷ ଦରକାର କରେ  । ଜମିରେ ଟେଳା ଆଦୌ ରହିବା ଉଚିତ୍ ନୁହେଁ  । ଜମିକୁ ଲୁହାଲଙ୍ଗଳରେ ଆଡବାଗେ  ଚାଷ କରି ୫-୬ ଥର ହାରୋ ଦ୍ଵାରା ଚାଷ କରି ଟେଳାଭାଙ୍ଗି ମଇ ଦେଇ ସମତୁଲ କରିବା ଆବଶ୍ୟକ  । ମୃତ୍ତିକାର ଆର୍ଦ୍ରତା ୨୧ ରୁ ୪୫% ରହିବା ଉଚିତ  । ତେବେ ଉପଯୁକ୍ତ ଗଜା ହେବ  । ଯଦି ମୃତ୍ତିକାରେ  ଆବଶ୍ୟକ ଆର୍ଦ୍ରତା ନାହିଁ ବା ଗୁଣ୍ଡ ଚାଷ ହୋଇନି ତେବେ ବିହନ ବୁଣିବା ଉଚିତ  ନୁହେଁ  । ଅତ୍ୟଧିକ ଅମ୍ଳ ମୃତ୍ତିକାରେ ଚୂନ ପ୍ରୟୋଗ ମଧ୍ୟ ଆବଶ୍ୟକ  । ଚୂନ ୬ ସପ୍ତାହ ପୂର୍ବରୁ ଜମିରେ ପ୍ରୟୋଗ କରିବାକୁ ହୋଇଥାଏ  । ମୃତ୍ତିକାର ଅମ୍ଳତାନୁସାରେ ଚୂନ ପ୍ରୟୋଗ କଲେ ଭଲ  । ଶେଷ ଓଡ ଚାଷ ବେଳେ ହେକ୍ଟର ପିଛା ୫ ଟନ ସଢା ଗୋବର ଖତ  ପ୍ରୟୋଗ କରି ମାଟି ସହିତ ମିଶାଇ ଦେବା ଉଚିତ  ।

ବିହନ ଓ ବିହନ ବୁଣା :

ବିହନ ବୁଣିବା ପୂର୍ବରୁ ଆଗ୍ରୋସାନ ଜି.ଏନ୍ ବା ସେରେସାନ କେଜି ପିଛା ୩ ଗ୍ରାମ ହିସାବରେ ଭଲଭାବେ ଗୋଳାଇ ଦେବା ଉଚିତ  । ଓଡିଶାରେ ବୁଣା କାର୍ଯ୍ୟକ୍ରମ, ନଳିତା କିସମ ଓ ବିହନ ପରିମାଣ ନିମ୍ନରେ ପ୍ରଦତ୍ତ କରାଗଲା  ।

ମଞ୍ଜି ବୁଣିବା ସମୟ

ପିତା ନଳିତା ଏପ୍ରିଲ ଆରମ୍ଭରୁ – ‘ମେ’ ମାସ ପ୍ରଥମ ସପ୍ତାହ

ମଧୁର ନଳିତା ଏପ୍ରିଲ ୧୫ରୁ ଜୁନ ପ୍ରଥମ ସପ୍ତାହ

ହେକ୍ଟର ପ୍ରତି ବିହନ ପରିମାଣ (କେଜି)

ଧାଡିବୁଣା

ଛଟାବୁଣା

6-8

9-10

30

4-5

6-7

20

ବ୍ୟବଧାନ ଧାଡିକୁ ଧାଡି (ସେ.ମି.)

ଗଛକୁ ଗଛ (ସେ.ମି.)

ଗଭୀରତା (ସେ.ମି.)

5-7

2.5

2.5-3

5-7

5-7

2.5-3

ହେକ୍ଟର ପ୍ରତି ଗଛ ସଂଖ୍ୟା

5-6

6-7

ସମାନ ଗଭୀରରେ ଏବଂ ସବୁଆଡେ ସମାନ ଭାବରେ ମଞ୍ଜି ପଡିବା ପାଇଁ ବିହନ ବୁଣାଯନ୍ତ୍ର ବ୍ୟବହାର କରିବା ଉଚିତ୍  ।

ସାର ପ୍ରୟୋଗ :

ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ବିଧେୟ ମୃତ୍ତିକା ପରୀକ୍ଷା ନ ହୋଇଥିଲେ ପୂର୍ବରୁ ଦର୍ଶାଯାଇଥିବା ଅନୁସାରେ ସାର ପ୍ରୟୋଗ ହୁଏ  । ବୁଣିବା ପୂର୍ବରୁ ଖତ ଜମିରେ ମିଶାଇବା ସମୟରେ ସୁପର ଓ ପଟାସ ପ୍ରୟୋଗ କରନ୍ତୁ  । ବୁଣିବାର ୨୦-୨୫ ଦିନ ମଧ୍ୟରେ କୋଡାଖୁସା ଘାସବଛା ଏବଂ ଗଛ ପତଳା କରିବା ପରେ ପ୍ରଥମ ଶୀର୍ଷସାର ୫୦% ଯବକ୍ଷାରଜାନ ଦିଅନ୍ତୁ  ବଳକା ୫୦% ଯବକ୍ଷାରଜାନ ସାରରୁ ପ୍ରଥମ ଶୀର୍ଷସାର ପ୍ରୟୋଗର ଦୁଇ ସପ୍ତାହ ପରେ ପିତା ନଳିତାରେ ୨୦ କି.ଗ୍ରା. ଏବଂ ୫୦ ଦିନରେ ଥରେ ଓ ୬୦ ଦିନରେ ଆଉଥରେ ଏପରି ଦୁଇଥର ୨% ୟୁରିଆ ଦ୍ରବଣ (ଆବଶ୍ୟକ ହେଲେ ପୋକମରା ଔଷଧ ମିଶାଇ) ଗଛରେ ସ୍ପ୍ରେ କରାଯାଏ  । ମଧୁର ନଳିତା ପାଇଁ ୪-୫ ସପ୍ତାହ ବେଳକୁ ୧୦ କି.ଗ୍ରା. ଯବକ୍ଷାରଜାନ ହେକ୍ଟର ପିଛା ଦ୍ଵିତୀୟ ଦଫା ଶୀର୍ଷସାର ଭାବେ ପ୍ରୟୋଗ କଲା ପରେ ୨% ୟୁରିଆ ଦୁଇଥର  ଜମିରେ ବୁଣିବାର ୫୦ ଦିନରେ ଥରେ ଓ ୬୦ ଦିନରେ ଥରେ ସ୍ପ୍ରେ କରାଯାଏ  । ଅନୁର୍ବର ମୃତ୍ତିକା ଥିଲେ ମୂଳସାର ରୂପେ, ଅଧା ଯବକ୍ଷାରଜାନ, ସବୁତକ ସୁପର ଓ ସବୁତକ ପଟାସ ପ୍ରୟୋଗ ବିଧେୟ  । ପରବର୍ତ୍ତୀ ସମୟରେ ୟୁରିଆ ୩-୪ ଥର ସ୍ପ୍ରେ କରାଯାଇପାରେ  । ଉର୍ବର ଜମି ହୋଇଥିଲେ, ମୂଳସାର ହିସାବରେ କେବଳ ସୁପର ଓ ପଟାସ ପ୍ରୟୋଗ କରାଯାଏ  । ପରବର୍ତ୍ତୀ ସାର ପ୍ରୟୋଗ ଉପରେ ଦର୍ଶାଯାଇଥିବା ପ୍ରକାରେ କରାଯାଏ  ।

ଅନ୍ତଃଚାଷ :

କୋଡାଖୁସା, ଘାସବଛା, ପତଳିକରଣ ଓ ଅଧିକ ପତ୍ର ଉଞ୍ଚିଦେବା କାର୍ଯ୍ୟ ଅନ୍ତଃଚାଷ ଅନ୍ତର୍ଗତ  । ଦୁଇଧାଡି ମଧ୍ୟରେ ବୁଣାର ୨ ସପ୍ତାହ  ବେଳକୁ ଥରେ ଓ ପ୍ରତି ୨ ସପ୍ତାହ ବ୍ୟବଧାନରେ ୪-୫ ଥର ରେକ୍ ‘ଉଇଡର’ ଚଳାଇବା ଉଚିତ  । ଏହାଦ୍ଵାରା ମାଟି ଖୁସାଇ ହେବ, କିଛି ପରିମାଣର ଘାସ ମରିଯିବ ଓ ଗଛ ପତଳା ହୋଇଯିବ  । ପରବର୍ତ୍ତୀ ଅବସ୍ଥାରେ ଉପୁଡି ନଥିବା ଘାସକୁ ହାତ ବଛା କରାଯାଏ  । ଧାଡିରେ ଗଛକୁ ଗଛ ୪-୫ ସେ.ମି. ଦୂରରେ ରଖି ଅଧିକ ଗଛ ରୋଗ ଓ ପୋକ ଆକ୍ରାନ୍ତ ଗଛକୁ ଉପାଡି ଦେବା ଉଚିତ୍  । ପତ୍ର ମଧ୍ୟ ଉଞ୍ଚାଯାଏ  ଘାସ ନ ହେବା ପାଇଁ ବୁଣା ପୂର୍ବଦିନ ୧୦୦୦ ଲିଟର ପାଣିରେ ବାସାଲିନ୍ ମିଶାଇ ମାଟିରେ ପ୍ରୟୋଗ କଲେ ଘାସ ଉଠିବ ନାହିଁ  । ରୋଗ ପୋକ ଆକ୍ରାନ୍ତ ହେବା ଦେଖିଲେ କେବଳ ଆକ୍ରାନ୍ତ ଗଛଗୁଡିକୁ ସ୍ପ୍ରେ କଲେ ରୋଗ ପୋକ ନିୟନ୍ତ୍ରଣ ହୋଇ ଯିବ  । ପୁରା ଜମିକୁ ସ୍ପ୍ରେ କରିବା ଦରକାର ପଡେନାହିଁ  । ଅଳ୍ପ ଖର୍ଚ୍ଚରେ ସମସ୍ୟା ସମାଧାନ ହୋଇଯାଏ  ।

ଜଳସେଚନ :

ନଳିତା ଗୋଟିଏ ବର୍ଷାଧାର ଫସଲ  । ଗଜା ହେବା ପରେ ବର୍ଷା ହେବା ଦରକାର  । ବର୍ଷା ନ ହେଲେ ଜଳସେଚନ ଆବଶ୍ୟକ କରେ  । ବୁଣିବା ପୂର୍ବରୁ ଥରେ ପାଣି ମଡାଇ ବତର ଥିବା ଅବସ୍ଥାରେ ବିହନ ବୁଣାଯାଏ  । ଠିକ୍ ସମୟରେ ବର୍ଷା ନ ହେଲେ ଥରେ ଦିଥର ପାଣି ମଡାଇବା ଆବଶ୍ୟକ ହୋଇପାରେ  । ଯଦି ଗଜା ହେବା ପରେ ପରେ ଅତ୍ୟଧିକ ବର୍ଷା ହୋଇଯାଏ ତେବେ ଜଳ ଜମି ରହିଲେ ଗଜା ନଷ୍ଟ ହୋଇଯାଏ ବା ବର୍ଷା ନ ହେଲେ ବତର ଛାଡିଗଲେ ମଧ୍ୟ ଫସଲର  କ୍ଷତି ହୋଇଥାଏ  । ବର୍ଷା ସମୟରେ ଅଧିକ ଜଳ ନିଷ୍କାସନ କରିଦେବା ଉଚିତ  ।

ଫସଲ କଟା :

ଗୁଣାତ୍ମକ ଝୋଟ ଅମଳ କରିବାକୁ ହେଲେ – ଗଛର ଫୁଲ ହେବା ପୂର୍ବରୁ ବୁଣିବାର ୧୨୦-୧୫୦ ମଧ୍ୟରେ କାଟି ଦେବା ଉଚିତ  । ଜଲଦି ଅମଳ ହୋଇଥିବା ନଳିତା ଫସଲକୁ ଉଚ୍ଚ ମାନର ସରୁତନ୍ତୁ ମିଳିଥାଏ  । ଡେରିରେ ଅମଳ ହୋଇ ଥିବା ନଳିତାରୁ ଅଧିକ ଆଦାୟ ମିଳିଲେ ମଧ୍ୟ ମୋଟା ତନ୍ତୁ ମିଳେ  । ଏଣୁ ଗଛରେ ଫଳ ବା ଛୁଇଁ ଧରିବା ଆରମ୍ଭ ହେବା ସମୟ ହିଁ ଉପଯୁକ୍ତ ସମୟ  । ଏହା ବୁଣିବାର ୧୩୫-୧୪୦ ଦିନ ମଧ୍ୟରେ ପଡେ  । ଜଲଦି ଅମଳ କେବଳ ଧାନ ଠିକ୍ ସମୟରେ ରୋଇବା ପାଇଁ ସାଧାରଣତଃ କରାଯାଇଥାଏ  । ଧାରୁଆ ଦା’ ଦ୍ଵାରା ମାଟିକୁ ଲଗାଇ ମୂଳରୁ କଟାଯାଏ  । କାଟିବା ପରେ ୧୮-୨୦ ସେ.ମି. ବ୍ୟାସ ବିଶିଷ୍ଟ ଗୋଛା କରି ଦିଆଯାଏ  । ତାପରେ ଗୋଛାଗୁଡିକୁ ଜମିରେ ୨-୩ ଦିନ ଠିଆ କରି ରଖାଗଲେ ପତ୍ର ଝଡିପଡେ  । ସବୁଜ ପତ୍ର ରହି ନଳିତା ପଚାଗଲେ ଝୋଟରେ କଳା ଛିଟା ଲାଗିଯାଏ  । ପତ୍ର ଝଡି ଜମିରେ ପଡିଲେ ସବୁଜ ସାର କାମ ଦେବ  । ନଳିତା ଗଛର ଅଗଗୁଡିକ ମଧ୍ୟ କାଟିକରି ଜମିରେ ପକାଇ ଦିଆଯାଏ  ।

ନଳିତା ସଢା :

ନଳିତା ପଚାଇବା ଦ୍ଵାରା ବଳକାରେ ଥିବା ତନ୍ତୁ ହୁଗୁଳା ହୋଇଯାଏ  ଏବଂ ଭିତର କାଠ ଅଂଶରୁ ଅଲଗା କରିବା ସହଜ ହୁଏ  । ଏହା ବିଭିନ୍ନ ପ୍ରକାର ଅଣୁଜୀବ ଦ୍ଵାରା ସମ୍ଭବ ହୋଇଥାଏ  । ଧୀର ପ୍ରବାହିତ ଅଗଭୀର ପରିଷ୍କାର ଜଳ ନଳିତା ସଢା ପାଇଁ ଉତ୍ତମ  । ଝୋଟ ଗଛ ପ୍ରାୟ ଭୂମି ପତ୍ତନରୁ କଟାଯାଏ  । ମୂଳ ଆଡୁ ୩୦-୪୦ ସେ.ମି. ଅଂଶ ଉପର ଅଂଶ ଅପେକ୍ଷା ଅଧିକ ଟାଣ  । ଏଣୁ ମୂଳ ଓ ଅଗଭାଗ ସମାନ ସଢିପାରେ ନାହିଁ  । ସମାନଭାବେ ସଢିବା ପାଇଁ ପ୍ରଥମେ ଗୋଛାଗୁଡିକୁ ୨-୩ ଦିନ ଧରି ୫୦-୬୦ ସେ.ମି. ଗଭୀର ପାଣିରେ ଠିଆ କରି ରଖିବାକୁ ହୁଏ, ଦ୍ଵିତୀୟ ଉପାୟ ହେଲା ମୂଳରୁ ୩୦-୪୦ ସେ.ମି. କାଠ ପିଟଣାରେ ସାମାନ୍ୟ ବାଡେଇ ୫୦% ୟୁରିଆ ପାଣି କୁଣ୍ଡରେ ୫ ମିନିଟ୍ ବୁଡାଇ ଭେଳା ବନ୍ଧାଯାଏ   । ତେବେ ଅଗ ଓ ମୂଳ କମ୍ ଭାବରେ ସଢିବା  । ଭେଳାଗୁଡିକୁ ସଢାଇବା କୁଣ୍ଡରେ ୨-୩ ଥାନରେ ଅଗମୂଳ ଓ ଅଡବାଗରେ ରଖିବା ଭେଳାଗୁଡିକୁ ମାଟିରୁ ପ୍ରାୟ ୩୦ ସେ.ମି. ଉପରକୁ ଓ ଉପରପାଣି ସ୍ତରରୁ ୧୦-୩୦ ସେ.ମି. ତଳେ ରଖିବା ଉଚିତ  । ପାଣି ଭିତରେ ସଜା ହୋଇଥିବା ଭେଳା ଉପରେ ଓଜନିଆ ବାଉଁଶ, ଶୁଖିଲା କାଠ, ପଥର ବା ସିମେଣ୍ଟ ସ୍ଲାବ ଭଲଭାବେ ଚପାଯାଏ  । କଞ୍ଚାକାଠ, କଦଳୀ ପଟୁଆ, କାଦୁଅ ଇତ୍ୟାଦି ଲଦିଲେ ଝୋଟ କଳା ପଡି ଦୁର୍ବଳ ଓ ଜ୍ୟୋତିହୀନ ହୋଇଯିବ  । ଗଛର ବୟସ ଅନୁସାରେ ସଢିବା ସମୟ କମ୍ ବେଶି ହୁଏ  । ଫଳ ଧରୁଥିବା ଅବସ୍ଥାରେ କଟା ଯାଇଥିବା ନଳିତା ୧୦-୧୨ ଦିନ ସଢିଯାଏ  । କାଚିବା ଓ ଛଡାଇବା ସୁବିଧା ହୁଏ, ଠିକ୍ ଭାବରେ ସଢିବା  ଯାଏ ଭେଳାଗୁଡିକୁ ଏପାଖ ସେପାଖ କରିବା ଉଚିତ  ନୁହେଁ  । ସଢିବା ଦ୍ଵାରା କାଉଁରିଆରୁ ବକଳା ଅଲଗା  ହୁଏ  । ବକଳାରେ ଥିବା ଝୋଟ ତନ୍ତୁ ବା ରୁଆଗୁଡିକ ଅଲଗା ହୁଏ  । ଏହା ବାୟବୀୟ ଓ ଅବାୟବୀୟ ଅଣୁଜୀବଙ୍କର ସକ୍ରିୟତା ଯୋଗୁ ହୁଏ  । ମଝିରେ ବିଶୃଙ୍ଖଳା କଲେ ସଢା ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ  । ସଢାଇବାର ୮-୧୦ ଦିନ ବେଳକୁ ଆଙ୍ଗୁଠିରେ ଚିପିଲେ ଯଦି ତନ୍ତୁ ଖାଡିରୁ ସହଜରେ ଅଲଗା ହୋଇଯାଏ ତେବେ ସଢିଯାଇଛି ବୋଲି ଧରାଯାଏ  । ଅଧିକ ସଢିଲେ ଝୋଟରୁଆ କଳା ପଡି ଦୁର୍ବଳ ହୋଇଯାଏ  ।

ନଳିତା କଚା :

ଠିକ୍ ସମୟରେ ନଳିତା କଚାଯାଏ  । ଅଧିକ ସଢିଲେ ଝୋଟର ମାନ କମିଯିବ  । ଗୋଟିଏ ଗୋଟିଏ ଗଛରୁ ଝୋଟ ବାହାର କଲେ ଝୋଟର ମାନ ଉନ୍ନତ ରହେ; କିନ୍ତୁ ଏହା କଷ୍ଟକର  । ତେଣୁ ସଢିଯିବା ବିଡାର ମୂଳଭାଗରେ ସାମାନ୍ୟ ଚାପ ଦେଇ ପ୍ରାୟ ୩୦ ସେ.ମି. ରୁ ଭାଙ୍ଗି ଖାଡିଗୁଡିକ ବାହାର କରି ମୂଳ ଝୋଟକୁ ଧରି ପଣି ଭିତରେ  ଆଗପଛ କରି ହଲାଇଲେ ଖାଡିରୁ ତନ୍ତୁ ଅଲଗା ହୋଇଯିବ  ।

ଝୋଟ ଶାଖା :

ରାସ୍ତାଠାରୁ ଦୂରରେ ଦୌଡି ଟାଣି କିମ୍ବା ବାଉଁଶ ବାନ୍ଧ ଅଳ୍ପ ଖରା ପର୍ଦୁଥିବା ସ୍ଥାନରେ ୪-୫ ଦିନ ଧରି ଶୁଖାଇବ  । ତନ୍ତୁର ମୂଳଭାଗରେ ଯଦି ଖଦଡା ଲାଗି ରହିଥାଏ  ତେବେ ମିଳୁଥିବା ଏକପ୍ରକାର ଜୀବାଣୁ ପ୍ରୟୋଗ କରି ଦୁଇଦିନ ଅଖା ଘୋଡାଇ ରଖିବ, ଆଉଥରେ ଧୋଇଦେଲେ ଲାଗିଥିବା ଚୋପା ଛାଡିଯିବ ଏବଂ ତନ୍ତୁରେ ମାନବୃଦ୍ଧି ହେବ  ।

ମୋଡା ବନ୍ଧା :

ଭଲଭାବେ ଶୁଖିଥିବା ଝୋଟକୁ ମୋଡାବନ୍ଧା ରଖାଯାଏ  । ଭଲ ଶୁଖିନଥିବା ଝୋଟକୁ ମୋଡାବାନ୍ଧିଲେ, ଓଦାଥିବା ଅଂଶ କଳଦାଗ ହୋଇଯାଏ ଏବଂ ମୂଲ୍ୟହାନି ଘଟେ  । ଏହାପରେ ଝୋଟକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ଅଲଗା କରି ବନ୍ଧାଯାଏ  । ହେକ୍ଟରପିଛା ଆଦାୟ ମଧୁର ନଳିତା – ୨୦ କୁଇଣ୍ଟାଲ  ।

ପିତା ନଳିତା – ୨୫ କୁଇଣ୍ଟାଲ  ।

ନଳିତା ମଞ୍ଜି ଉତ୍ପାଦନ :

  1. ବୁଣିବା ସମୟ ବର୍ଷାପ୍ରଭାବ କମିଲା ବେଳକୁ ମଞ୍ଜି ପାକଳ ହେବା କିମ୍ବା ମଞ୍ଜି ପାକଳ ବେଳକୁ ବର୍ଷା କମିଯାଇଥିବା ଉଚିତ  । ଏହାକୁ ଦୃଷ୍ଟିରେ ରଖି ବୁଣିବା ସମୟ ସ୍ଥିର କରାଯାଏ  । କାରଣ ମଞ୍ଜି ପାକଳ ହେବା ବେଳକୁ ବର୍ଷା ହେଲେ ମଞ୍ଜୀର ଗୁଣାତ୍ମକ ମାନ କମିଯାଏ  ।
  2. ଗଛରେ ଅଧିକ ଶାଖା ଓ ଡାଳ ପ୍ରୋତ୍ସାହନ – ଗଛରେ ଅଧିକ ଡାଳ ଓ କେନା ରହିଲେ ଅଧିକ ଫଳ ଧରିବ ଓ ଅଧିକ ମଞ୍ଜି ଉତ୍ପାଦନ ହୁଏ  । ତେଣୁ ଗଛର ବୟସ ୪୦-୫୦ ଦିନ ବେଳକୁ ଅର୍ଥାତ୍ ଗଛ ୨-୩ ଫୁଟ ଉଚ୍ଚ ହୋଇଥିବା ବେଳେ ଅଗ ଛିଣ୍ଡାଇ ଦେଲେ ଅଧିକ ଡାଳ ଓ କେନା ଦିଏ ଓ ଅଧିକ ଫୁଲ ଫଳ ଧରିବା ସୁଯୋଗ ମିଳେ  ।
  3. ଯବକ୍ଷାରଜାନ ସାର ପ୍ରୟୋଗରେ ସ୍ୱଳ୍ପତା – ମଞ୍ଜି ଉତ୍ପାଦନ ପାଇଁ ଫସଲରେ ୬ଷ୍ଠ ସପ୍ତାହର ଯବକ୍ଷାରଜାନ ପ୍ରୟୋଗ ଓ ୟୁରିଆ ସିଞ୍ଚନ ବ୍ୟବସ୍ଥା ଦରକାର ନାହିଁ  । ୟୁରିଆ ସିଞ୍ଚନ ପାର୍ଶ୍ଵକଢ ଓ ଡାଳ ବାହାରିବା ବିରୋଧ କରେ  । ଏଣୁ ଯବକ୍ଷାରଜାନ ଆବଶ୍ୟକତା  କମିଯାଏ  ।
  4. ମଞ୍ଜି ଉଦ୍ଦେଶ୍ୟରେ ଥିବା ଗଛରୁ ପତ୍ର ଓ କେନା ନଷ୍ଟ କରିବା ଉଚିତ  ନୁହେଁ  ।
  5. ଫୁଲ – ଫଳ ଧରିବା ବେଳେ ଜଳସେଚନ ଦରକାର  ।
  6. ଗଛ ସଂଖ୍ୟା କମ୍ ରଖାଯାଏ  । ଗଛ ଗହଳ ରହିଲେ ଡାଳ ନ ହୋଇ ଉଚ୍ଚରେ ବଢେ  ।
  7. ମଞ୍ଜି ଅମଳ ପାଇଁ ଉଦ୍ଦିଷ୍ଟ ଫସଲରେ ଖର୍ଚ୍ଚ ଝୋଟ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ଫସଲ ଅପେକ୍ଷା କମ୍  । ମଞ୍ଜି,  ଯବକ୍ଷାରଜାନ ସାର ଏବଂ ମଜୁରି ବାବଦରେ ପ୍ରାୟ ଶତକଡା ୨୦-୨୫ ଭାଗ କମ୍ ଖର୍ଚ୍ଚ ହୁଏ  ।
  8. ହେକ୍ଟର ପ୍ରତି ଝୋଟ ଅମଳ ୨୦ କୁଇଣ୍ଟାଲ ମିଳେ  । ମଞ୍ଜି ପାଇଁ ଅମଳ କରାଯିବା ନଳିତା ଫସଲରୁ ୫ କୁଇଣ୍ଟାଲ ମଞ୍ଜି ମିଳେ  ।

ଝୋଟର ଶ୍ରେଣୀକରଣ :

ଝୋଟ ଚାଷୀ ତଥା ଝୋଟଶିଳ୍ପ ସହିତ ସଂଲଗ୍ନ ଗବେଷଣା ଓ ଉନ୍ନୟନ ଅନୁଷ୍ଠାନମାନଙ୍କ ସହଯୋଗରେ ପିତା ନଳିତା ଏବଂ ମଧୁର ନଳିତାକୁ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି  । ଝୋଟର ଶକ୍ତି, ରଙ୍ଗ, ଜ୍ୟୋତି, ସୂକ୍ଷ୍ମତା ଘନିତ୍ଵ, ଚେରର ପ୍ରକାର ଭେଦ ଇତ୍ୟାଦିକୁ ନେଇ ଶ୍ରେଣୀ ବିଭାଗ କରାଯାଇଥାଏ, ପିତା ନଳିତା ଓ ମଧୁର ନଳିତାରୁ ଅମଳ ହେଉଥିବା ଝୋଟର ଶ୍ରେଣୀ କରଣ  ।

ପିତା ନଳିତା ଶ୍ରେଣୀ

ମୋଟ କେରା

ମଧୁର ନଳିତା ଶ୍ରେଣୀ

ମୋଟ କେରାର

ଡବ୍ଲ୍ୟୁ (W-1)

୧୦୦ ଅତି ଉତ୍ତମ

ଟି.ଡି. – ୧ (TD - 1)

୧୦୦ ଅତି ଉତ୍ତମ

ଡବ୍ଲ୍ୟୁ (W-2)

୮୫- ଉତ୍ତମ

ଟି.ଡି. – 2 (TD - 2)

୮୦ ଉତ୍ତମ

ଡବ୍ଲ୍ୟୁ (W-3)

୬୯ ଭଲ

ଟି.ଡି. – 3 (TD - 3)

୬୯ ଭଲ

ଡବ୍ଲ୍ୟୁ (W-4)

୫୪ ସାଧାରଣ ଭଲ

ଟି.ଡି. – 4 (TD - 4)

୫୪ ସାଧାରଣ ଭଲ

ଡବ୍ଲ୍ୟୁ (W-5)

୩୯ ମଧ୍ୟମ

ଟି.ଡି. – 5 (TD - 5)

୩୯ ମଧ୍ୟମ

ଡବ୍ଲ୍ୟୁ (W-6)

୩୬ ସାଧାରଣ ମଧ୍ୟମ

ଟି.ଡି. – 6 (TD - 6)

୨୬ ମଧ୍ୟମ

ଡବ୍ଲ୍ୟୁ (W-7)

୧୨ ଅଳ୍ପ ଦୁର୍ବଳ

ଟି.ଡି. – 7 (TD - 7)

୧୩ ଅଳ୍ପ ଦୁର୍ବଳ

ଡବ୍ଲ୍ୟୁ (W-8)

୦ ଦୁର୍ବଳ

ଟି.ଡି. – 8 (TD - 8)

୦ ଦୁର୍ବଳ

କେବଳ ଟିଡି – ୮ ଛଡା ଅନ୍ୟ ସମସ୍ତ କିସମର ଝୋଟର ସର୍ବନିମ୍ନ କୋରାର ଲମ୍ବ ୧୫୦ ସେ.ମି.

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate