ଦକ୍ଷିଣ ଭାରତର ଅଧିବାସୀମାନଙ୍କର ମାଣ୍ଡିଆ ଗୋଟିଏ ମୁଖ୍ୟ ଖାଦ୍ୟ ଶସ୍ୟ । କେତେକ ପାହାଡିଆ ଅଞ୍ଚଳରେ ଖରିଫ ଋତୁରେ ମୁଖ୍ୟ ଶସ୍ୟ ଜାତୀୟ ଫସଲ ରୂପେ ମାଣ୍ଡିଆ ଚାଷ କରାଯାଏ । ଉତ୍ତର ଭାରତର ପାହାଡିଆ ଅଞ୍ଚଳର ଅଧିବାସୀମାନେ ଏହାକୁ ରୁଟି ରୂପେ ଏବଂ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରକାର ପିଠା ଏବଂ ଜାଉ କରି ଖାଆନ୍ତି । ମାଣ୍ଡିଆରୁ ମାଲଟ ତିଆରି ହୁଏ । ଏହା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଦିଆଯାଏ । ମାଣ୍ଡିଆରେ ୯.୨ ପୁଷ୍ଟିସାର, ୧.୨୯ ସ୍ନେହସାର, ୭୬.୩୨ ଶ୍ଵେତସାର, ୨.୨୪ ଧାତବ ପଦାର୍ଥ, ୦.୩୩ କ୍ୟାଲସିୟମ ଏବଂ ୩.୯୦ ଅନ୍ୟାନ୍ୟ ପଦାର୍ଥ ରହିଛି । ଏଥିରେ ଭିଟାମିନ ‘କ’ ଓ ‘ଖ’ ବ୍ୟତୀତ ଫସଫରସ୍ ଅଳ୍ପ ପରିମାଣରେ ରହିଛି । ବହୁମୂତ୍ର ରୋଗୀ ପାଇଁ ଏହା ଗୋଟିଏ ଉପାଦେୟ ଖାଦ୍ୟ । ସବୁଜ ମାଣ୍ଡିଆ ଗଛରୁ ଭଲ ସାଇଲେଜ ତିଆରି ହୁଏ । ମାଣ୍ଡିଆ ଗୋ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର ହୁଏ । ଉଦ୍ଭବ ସ୍ଥାନ ପ୍ରଥମେ ଏହା ଭାରତରେ ଚାଷ କରାଯାଉଥିଲା । ପରେ ଭାରତରୁ ଅନ୍ୟାନ୍ୟ ଦେଶକୁ ସ୍ଥାନାନ୍ତରିତ ହୋଇଛି । ବିସ୍ତୃତି : ମାଣ୍ଡିଆ ଭାରତ, ଆଫ୍ରିକା, ଶ୍ରୀଲଙ୍କା, ମାଲେସିୟାରେ ଚାଷ କରାଯାଏ । ଭାରତର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ଓଡିଶାରେ ଏହା ବହୁଳଭାବେ ଚାଷ କରାଯାଏ । ଜଳବାୟୁ ମାଣ୍ଡିଆ ଗୋଟିଏ ଉଷ୍ଣମଣ୍ଡଳୀୟ ଫସଲ । ଏହା ବର୍ଷସାରା ହୁଏ । ଖରିଫ ଓ ରବି ଉଭୟ ଋତୁରେ ଚାଷ କରାଯାଏ । ଚାଷ ସମୟ ଦୃଷ୍ଟିରୁ ମାଣ୍ଡିଆକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା – ପଦର ବା ବର୍ଷଧାରା ମାଣ୍ଡିଆ – ଏହା ଜୁନ ମାସରେ ଢିପ ଜମିରେ ବୁଣା ଯାଏ ବା ରୁଆଯାଏ । କାକେରୀ ମାଣ୍ଡିଆ – ସେପ୍ଟେମ୍ବର – ଅକ୍ଟୋବର ମାସରେ ରୁଆ ଯାଏ । ବୁଢା ବା ତେଣ୍ଡା ମାଣ୍ଡିଆ – ଫେବୃୟାରୀ ମାସରେ ରୁଆଯାଏ । ୫୦ରୁ ୧୦୦ ସେ.ମି. ବର୍ଷା ହେଉଥିବା ସ୍ଥାନରେ ମାଣ୍ଡିଆ ହୋଇପାରିବ । ଏହାଠାରୁ ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଭଲ ଜଳ ନିଷ୍କାସନ ଥିବା ଜମିରେ ମାଣ୍ଡିଆ ଚାଷ କରାଯାଇପାରିବ । ଏହି କ୍ଷେତ୍ରରେ ତଳି ଉତାରି ରୋଇଲେ ଭଲ ଅମଳ ମିଳେ । ମାଣ୍ଡିଆର ମରୁଡି ସହିବା ଶକ୍ତି ଭଲ । ଧାନ ଅପେକ୍ଷା ମାଣ୍ଡିଆ ଫସଲ ଯଥେଷ୍ଟ କମ୍ ପାଣି ଦରକାର କରେ । ଓଡିଶାର କୋରାପୁଟ ଜିଲ୍ଲାରେ ସବୁଠାରୁ ବେଶୀ ମାଣ୍ଡିଆ ଚାଷ କରାଯାଏ । ଆମ ରାଜ୍ୟର ସମୁଦାୟ ମାଣ୍ଡିଆ ଚାଷର ୩୬ ଭାଗ କୋରାପୁଟ ଜିଲ୍ଲାରେ ଚାଷ ହୋଇଥାଏ । ମୃତ୍ତିକା : ମାଣ୍ଡିଆ ସବୁ ପ୍ରକାର ମାଟି ଓ ଜଳବାୟୁରେ ଚାଷ କରାଯାଏ । ଲୁଣି ମାଟିରେ ମଧ୍ୟ ମାଣ୍ଡିଆ ଭଲ ହୁଏ । କିନ୍ତୁ ସନ୍ତସନ୍ତିଆ ଓ ପାଣି ଯମୁଥିବା ଜମିରେ ମାଣ୍ଡିଆ ଭଲ ହୁଏ ନାହିଁ । ନିଗିଡା, ପଟୁ ଦୋରସା ଓ ମତଳ ଦୋରସା ମାଟି ମାଣ୍ଡିଆ ଚାଷ ପାଇଁ ଉପଯୁକ୍ତ । ଅନ୍ୟ ଶସ୍ୟ ଜାତୀୟ ଫସଲ ଅପେକ୍ଷା ମାଣ୍ଡିଆ ଫସଲର ଲୁଣି ସହଣି ଶକ୍ତି ଅଧିକ । ଜଳର ଆବଶ୍ୟକତା କମ୍ ଥିବାରୁ କେନାଲ ଶେଷ ମୁଣ୍ଡରେ ମାଣ୍ଡିଆ ଚାଷ କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି । ବିହନ କିସମ : ଅଳ୍ପଦିନିଆ କିସମ ଖରିଫ ବୃଦ୍ଧିକାଳ (ଦିନ) ରବି ଦିବ୍ୟସିଂହ (T-20) 85-90 95-100 ଏ – 2-3-4 85-90 95-100 ଏ.କେ.ପି. - 2 90-95 95-100 ସିକ୍ରି 90-95 100-105 ମଧ୍ୟମ କିସମ - ମଧ୍ୟମ କିସମ ଖରିଫ ରବି ନୀଳାଚଳ 110-115 115-125 ଏ.କେ.ପି. – 3 105-110 115-120 ଏ.କେ.ପି. – 7 105-110 115-120 ସୋଭାଙ୍ଗୀ- 6 105-110 115-120 ଗୋଦାବରୀ 105-110 115-120 ବିଳମ୍ବ କିସମ – ବିଳମ୍ବ କିସମ ଖରିଫ ଏ.ଆର. – 256-1-2 120-130 (କେବଳ ବର୍ଷାଦିନେ ଚାଷ କରାଯାଏ ) ତଳି ପକାଇବା ସମୟ : ଖରିଫ ବା ପଦର ମାଣ୍ଡିଆ – ଜୁନ ମାସ ପ୍ରଥମ ସପ୍ତାହ । ଶୀତ ବା କାକେରି ମାଣ୍ଡିଆ – ଅଗଷ୍ଟ 15ରୁ ସେପ୍ଟେମ୍ବର ମାସ ଶେଷ । ଖରାଟିଆ ବା ତେଣ୍ଡା ମାଣ୍ଡିଆ – ଜାନୁୟାରୀ ମାସ । ବିହନ ପରିମାଣ : ବୁଣିବା ପାଇଁ ହେକ୍ଟର ପିଛା ୧୦ କିଲୋଗ୍ରାମ ଓ ରୋଇବା ପାଇଁ ୬ କି.ଗ୍ରା. । ବିହନ ବିଶୋଧନ : ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ହିସାବରେ ଥିରାମ ଅଥବା କ୍ୟାପଟାନ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ । ମାଣ୍ଡିଆ ତଳି : ଏକ ହେକ୍ଟର ଜମି ପାଇଁ ୦.୦୫ ହେକ୍ଟର ଜମିରେ ତଳି ପକାଯାଏ । ତଳି ପଟାଳିକୁ ଭଲଭାବେ ଚାଷ କରି ପତଳା ତିଆରି କରି ପଟାଳିରେ ଅଧଇଞ୍ଚ ଗଭୀରରେ ମଞ୍ଜି ବୁଣନ୍ତୁ । ତଳି ଶୀଘ୍ର ବଢିବା ପାଇଁ ବର୍ଗମିଟର ପିଛା ଯବକ୍ଷାରଜାନ ଓ ଫସଫରସ୍ ପ୍ରତ୍ୟକର ୧୦ ଗ୍ରାମ୍ ହିସାବରେ ପ୍ରୟୋଗ କରିବା ଆବଶ୍ୟକ । ୫୦୦ ବର୍ଗମିଟର ତଳିପଟିପାଇଁ ୫ କି.ଗ୍ରା. ଯବକ୍ଷାରଜାନ ଓ ୫ କି.ଗ୍ରା. ଫସଫରସ୍ ଦରକାର । ୫ କୁଇଣ୍ଟାଲ ଗୋବର ଖତ ମଧ୍ୟ ଶେଷ ଓଡ ସମୟରେ ପ୍ରୟୋଗ କରିବା ଉଚିତ୍ । ପ୍ରତି ପଟାଳିରେ ଅଧଇଞ୍ଚ ଗଭୀରରେ ଧାଡି ଧାଡି କରି ମଞ୍ଜି ବୁଣି ମାଟି ଦାବି ଦିଆଯାଏ । ମାଟି ସମଭାବରେ ଉଷୁମ ରହିବା ଲାଗି ଓ ପାଣି ସମଭାବରେ ଭେଦିବା ଲାଗି ନଡା ଘୋଡାଇ ଦିଆଯାଏ । ଝରାରେ ପାଣି ଦେଇ ବତର ରଖାଯାଏ । ୩-୪ ଦିନ ବେଳକୁ ଗଛ ଉଠିଯାଏ । ଏତିକିବେଳେ ଘୋଡା ଯାଇଥିବା ନଡାକୁ ଧୀରେ କାଢି ନିଆଯାଏ । ତଳି ୧୫ ଦିନ ହୋଇଗଲେ ଛିଞ୍ଚା ପାଣି ଦିଆଯାଏ । ପଟାଳିରୁ ଅନାବନା ଘାସ ଉପାଡି ଦିଆଯାଏ । ଜମି ପ୍ରସ୍ତୁତି : ମାଣ୍ଡିଆ ବୁଣିବା ପାଇଁ ଗୁଣ୍ଡ ଚାଷ ଦରକାର । ପ୍ରଥମ ଓଡ ଲୁହା ଲଙ୍ଗଳରେ ଚାଷ କରି ତାପରେ କାଠ ଲଙ୍ଗଳରେ ୩-୪ ଓଡ ଚାଷ କରି ମଇ ଦେଇ ଜମିକୁ ସମତୁଲ କରିବା ଆବଶ୍ୟକ । ଶେଷ ଦୁଇ ଓଡ ଚାଷ କଲା ପୂର୍ବରୁ ହେକ୍ଟର ପିଛା ୧୦ ଗାଡି ଗୋବର ଖତ ବିଛାଇ ଦେଇ ଚାଷ କରି ଜମିରେ ମିଶାଇ ଦିଆଯାଏ । ୨୦ସେ.ମି. ବ୍ୟବଧାନରେ ଧାଡିରେ ବୁଣାଯାଏ । ମାଣ୍ଡିଆ ରୋଇବା ପାଇଁ ଜମି କାଦୁଅ କରାଯାଏ । ଓଦା ମାଟିରେ ଲଙ୍ଗଳ ସିଆରରେ ମଧ୍ୟ ମାଣ୍ଡିଆ ରୁଆଯାଏ । ରୂଆ : ତଳି ୨୫-୩୦ ଦିନର ହୋଇଗଲେ ରୋଇବା ପାଇଁ ଉପଯୁକ୍ତ । ଶୀଘ୍ର ଅମଳ ହେଉଥିବା କିସମଗୁଡିକୁ ଧାଡିକୁ ୧୫ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଓ ମାଧ୍ୟମ ଓ ଡେରିରେ ଅମଳ ହେଉଥିବା କିସମର ତଳିକୁ ଧାଡିକୁ ଧାଡି ୨୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାଯାଏ । ଥରକେ ଗୋଟିଏ ବା ଦୁଇଟି ତଳି ୫ ସେ.ମି. ଗଭୀରରେ ରୋଇବା ଭଲ । ସାର ପ୍ରୟୋଗ : ମୃତ୍ତିକା ପ୍ରୟୋଗ କରି ସାର ପ୍ରୟୋଗ କରିବା ଉଚିତ । ସାର ପରିମାଣ କି.ଗ୍ରା. / ହେକ୍ଟର ଯବକ୍ଷାରଜାନ ଫସଫରସ୍ ପଟାସ ବର୍ଷାଧାର ମାଣ୍ଡିଆ ୨୦ ୧୨ ୧୨ ଜଳସେଚିତ ମାଣ୍ଡିଆ ୪୦ ୨୫ ୨୫ ସମସ୍ତ ସୁପର ଓ ପଟାସ ସାର ସହ ୫୦% ଯବକ୍ଷାରଜାନ ମୂଳ ସାର ରୂପେ ଜମି ପ୍ରତୁତ ସମୟରେ ଓ ଏହାର ୨-୩ ସପ୍ତାହ ମଧ୍ୟରେ ଘାସ ବଛା ପୂର୍ବରୁ ଆଉ ୫୦% ଯବକ୍ଷାରଜାନ ବୁଣି ଦେଇ ଘାସ ବାଛି ଦେବା ଉଚିତ । ଘାସବଛା : ମାଣ୍ଡିଆ ଗଛ ଉଠିବାର ୨୦ ଦିନ ପରେ ବା ତଳି ରୂଆ ହେବାର ୨-୩ ସପ୍ତାହ ପରେ କ୍ଷେତରେ ଯବକ୍ଷାରଜାନ ସାର ପ୍ରୟୋଗ କରି କ୍ଷେତକୁ ଅନାବନା ଘାସ ବାଛିଦେବା ଉଚିତ । ଜଳସେଚନ : ମାଣ୍ଡିଆ ମରୁଡି ସହଣି ଫସଲ । ଅନ୍ୟ ଫସଲ ତୁଳନାରେ ମାଣ୍ଡିଆର ଜଳ ଚାହିଦା ଅପେକ୍ଷାକୃତ କମ୍ ତଥାପି ମାଣ୍ଡିଆ ଫସଲରେ ଜଳସେଚନ ଉତ୍ପାଦନ ବୃଦ୍ଧି କରିଥାଏ । ପ୍ରତି ଫସଲର ସଙ୍କଟ କାଳ ରହିଛି । ଏହି ସମୟରେ ପାଣି ଅଭାବ ହେଲେ ଅମଳ କମିଯାଏ । ପିଲ ମାରିବା ଓ କ୍ଷୀର ଢୋକିବା ସମୟ ମାଣ୍ଡିଆର ସଙ୍କଟ କାଳ । ଏତିକି ବେଳେ ଫସଲ ପାଣି ନ ପାଇଲେ ଉତ୍ପାଦନ କମିଯାଏ । ମାଣ୍ଡିଆ ଫସଲ ୫ଟି ପାଣି ଦରକାର କରେ । ତଳି ରୋଇବା ବେଳେ । ଗଛ ପିଲେଇଲା ବେଳେ । ଥୋଡ ବାହାରିବା ବେଳେ । ଫୁଲ ଉଡାଇବା ବେଳେ । କ୍ଷୀର ଢୋକିବା ବେଳେ ପାଣି ମଡାଯିବା ଦରକାର । ମାଣ୍ଡିଆ ଅମଳ : ବିହନ ଅମଳ : ମାଣ୍ଡିଆ ପାଚିଗଲେ ଜମିରୁ ରୋଗଶୂନ୍ୟ ଓ ବଡ ବଡ ଥୋପି ବାଛି କାଟି ନେଇ ଶୁଖାଇ ମଞ୍ଜି ଅମଳ କରନ୍ତୁ । ମାଣ୍ଡିଆ ଅଟା : ସବୁଗୁଡିକ ମାଣ୍ଡିଆ ଥୋପି ଏକାବେଳେକେ ପାଚେ ନାହିଁ । ମା’ ଗଛ ଥୋପି ଆଗ ପାଚେ । ପିଲ ଥୋପି ପଛେ ପାଚେ । ଥୋପି ଶାଗୁଆ ରଙ୍ଗ ବଦଳାଇ ଲାଲ ବା ହଳଦିଆ ଦେଖାଯିବା ମାତ୍ରେ ବାଛି ବାଛି କାଟି ନେବା ଉଚିତ୍ । କାରଣ ଥୋପି ଅଧିକ ପାଚ୍ୟ ଶୁଖିଗଲେ ମାଣ୍ଡିଆ ଝଡିପଡେ । ଗୋଟିଏ ଜମିରୁ ୩-୪ ଥର ଥୋପି ଖୁଣ୍ଟାଯାଏ । ଥୋପି ଖୁଣ୍ଟିନେଲା ପରେ ଗଛରୁ ମୂଳରୁ କାଟିନେଇ ଗୋ-ଖାଦ୍ୟ ରୂପେ ବ୍ୟବହାର କରାଯାଏ ବା ସାଇଲେଜ କରାଯାଏ । ଅମଳ : ଥୋପିଗୁଡିକ ତିନି ଚାରି ଦିନ ଗଦା କରି ରଖି ଦିଆଯିବା ପରେ ଅମଳ କରାଯାଏ । ଗୋଡରେ ଦଳି ବା ବେଙ୍ଗଳା ପକାଇ ଅମଳ କରାଯାଏ । ମାଣ୍ଡିଆ କୁଲାରେ ପାଛୋଡି ଚାଲୁଣୀରେ ଚଲାଇ ଶୁଖାଇ ବସ୍ତାରେ ରଖାଯାଏ । ଆଧାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ