ଉପକ୍ରମ ବିରି ଏକ ପରିପୁଷ୍ଟକାରୀ ଡାଲି ଫସଲ । ବିରି ବଡି ଏକ ସୁସ୍ଵାଦୁକର ଖାଦ୍ୟ । ବିରି ଚୂନାରେ ପାମ୍ପଡ ପ୍ରସ୍ତୁତ କରାଯାଏ । ଚାଉଳ ଅଟା ସହ ମିଶାଇ ଇଟିଲ ଓ ଚକୁଳି ପିଠା ପ୍ରସ୍ତୁତ କରାଯାଏ । ବିରି ଚୋପା, ବିରିଚୂନି ଓ ବିରି ବୋତି ଗୋ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ବିରିକୁ ଡାଲି ମଧ୍ୟ କରାଯାଏ । ବିରିରୁ ଦୋସା ତିଆରି ହୁଏ । ବିରି ଫସଲ ସବୁଜ ଖତରୂପେ ମଧ୍ୟ ବ୍ୟବହାର ହୋଇଥାଏ । ବିରି ଫସଲ ମୃତ୍ତିକା ସଂରକ୍ଷଣ ପାଇଁ ମଧ୍ୟ ଚାଷ କରାଯାଏ । ବିରିଡାଲିରେ ୨୪ ଭାଗ ପୃଷ୍ଟିସାର ୧.୩ ଭାଗ, ସ୍ନେହସାର ଓ ୬୦ ଭାଗ ଶ୍ଵେତସାର ରହିଛି । ଉଦ୍ଭବ କେନ୍ଦ୍ର ଭାରତ ବିରି ଫସଲର ଉଦ୍ଭବ କେନ୍ଦ୍ର ବୋଲି ବେଦରୁ ଜଣାଯାଏ । ବିସ୍ତୃତି ବିରି ଏସିଆ ଓ ଆଫ୍ରିକା ମହାଦେଶରେ ଚାଷ କରାଯାଏ । ଏସିଆ ମହାଦେଶର ଭାରତ, ପାକିସ୍ଥାନ, ବାଙ୍ଗଲାଦେଶ, ମିଆଂମାର ଓ ଶ୍ରୀଲଙ୍କାରେ ଚାଷ କରାଯାଏ । ବର୍ତ୍ତମାନ ବିରି ଆଫ୍ରିକା, ଇଉରୋପ ଏବଂ ଆମେରିକାରେ ମଧ୍ୟ ଚାଷ କରାଯାଉଛି । ଉତ୍ତର ଭାରତରେ ଏହା ବର୍ଷା ଓ ଖରାଦିନେ ଚାଷ ହୁଏ । ଦକ୍ଷିଣ ଭାରତରେ ଶୀତଦିନେ ଚାଷ କରାଯାଏ । ଭାରତରେ ୨୪ ଲକ୍ଷ ହେକ୍ଟର ଜମିରେ ବିରି ଚାଷ ହୁଏ ଏବଂ ଉତ୍ପାଦନ ୭.୭ ଲକ୍ଷ ଟନ ହୋଇଥାଏ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ବିରି ବହୁଳଭାବେ ଚାଷ କରାଯାଏ । ବିରି ଓଡିଶାର ଦ୍ଵିତୀୟ ଡାଲି ଫସଲ । ବିରିର ଶ୍ରେଣୀ ବିଭାଗ ଦୁଇ ପ୍ରକାର ବିରି ରହିଛି । ଯଥା (୧) ବଡ ଓ କଳା (୨) ଛୋଟ ଓ ଶାଗୁଆ । ବଡ ଓ କଳା ବିରି ଚାଷ ଅଧିକ । କିନ୍ତୁ ଚାଷ ଦୃଷ୍ଟିରୁ ବିରି ୩ ପ୍ରକାର । ଯଥା – (୧) ଲଅବିରି (୨) କାଦୁଅ ବିରି ଓ (୩) ମୁଣ୍ଡିବିରି । ବର୍ଷାଋତୁରେ ଓଡିଶାର ପାହାଡିଆ ଅଞ୍ଚଳରେ ଧାନ କ୍ଷେତ ହୁଡାରେ ବିରି ପୁଞ୍ଜି କରାଯାଏ । ଗଛ ଝଙ୍କାଳିଆ ହୋଇ ବଢେ । ଲଟାଏ ନାହିଁ । କାର୍ତ୍ତିକମାସରେ ବିରି ଉପାଡି ଅମଳ କରାଯାଏ । କାଦୁଅବିରି – ବିଲରୁ ଧାନକାଟି ଜମି କାଦୁଅ କରାଯାଏ, ମଇଦେଇ ଜମି ଚୌରସ କରାଯାଏ । ବର୍ଷାମୁକ୍ତ ଦିନ କାଦୁଅରେ ବିରି ଛାଟି ଦିଆଯାଏ । ସେପ୍ଟେମ୍ବର ମାସରେ ବିରି ବୁଣାଯାଏ । ଡିସେମ୍ବର ମାସ ଆଡକୁ ବିରି ଉପାଡି ଦିଆଯାଏ । ଏହି ବିରି ଡାଲି ଉତ୍କୃଷ୍ଟ । ମୁଣ୍ଡିବିରି – ଶାରଦ ଓ ଲଘୁଧାନ ଅଗପଚା ହେବାବେଳେ ଅକ୍ଟୋବର ବା କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଖେତରେ ସାମାନ୍ୟ ପାଣି ରଖି ବିରି ଛାଟି ଦିଆଯାଏ । ବିରି ଗଛ ଉଠିଗଲେ ଖେତରୁ ପାଣି ନିଗାଦୀ ଦିଆଯାଏ । ଧାନକାଟି ନେବା ପରେ ବିରି ଗଛ ନାଦମୂଳ ଉପରେ ଲଟାଏ । ଫେବୃୟାରୀ ମାସବେଳକୁ ଛୁଇଁ ମାର୍ଚ୍ଚ ମାସରେ ବିରି ଅମଳ କରାଯାଏ । ଉଦ୍ଭିଦ ବର୍ଣ୍ଣନା – ବିରି ଲେଗୁମିନୋସି ବଂଶଜ, ଉପବଂଶ – ପାପିଲିଓନୋସି, ପ୍ରଜାତି – ଭଗ୍ନା ଏବଂ ଜାତି ମୁଁଗୋ ଏହା ଛୁଇଁ ଜାତୀୟ ଏକ ଋତ୍ଵିକ, ଶାକୀୟ ଉଦ୍ଭିଦ, ୩୦ – ୧୦୦ ସେ.ମି. ଉଚ୍ଚ ହୁଏ । ଏହାର କାଣ୍ଡରେ ଛୋଟ ଛୋଟ ଶିରା ଥାଏ । ଏହା ବାଦାମି ରଙ୍ଗର ଲୋମାଛାଦିତ । ବିରିଗଛ ମୂଳରୁ ଶାଖା ବାହାରିଥାଏ । ତ୍ରିପତି ପତ୍ର । ଡେମ୍ଫ ସାଧାରଣତଃ ପାଟଳ ବର୍ଣ୍ଣ । ପତ୍ର ସବୁଜ ବା ଗାଢ ସବୁଜ । ପର୍ଣ୍ଣକ ୫-୧୦ ସେ.ମି. ଲମ୍ବା, ମଧ୍ୟ ଭାଗରେ ଓସାରିଆ ଏବଂ ଅଣ୍ଡାକୃତି । ପୁଷ୍ପ ସଜ୍ଵା – ସ୍ତବକର ଅଗ୍ରଭାଗରେ ୫-୬ ଟି ଫୁଲଥାଏ । ଫୁଲଗୁଡିକ ଲମ୍ବା ଓ ଲୋମଯୁକ୍ତ ପୁଷ୍ପଦଣ୍ଡ ଉପରେ ଅବସ୍ଥିତ । ପ୍ରତ୍ୟକ ଫୁଲରେ ୫ଟି ଲେଖାଏଁ ବୃତ୍ତି ଓ ପାଖୁଡା ଥାଏ । ୧୦ଟି ପୁଂକେଶର ୨ଟି ପେଣ୍ଡାରେ ବିଭକ୍ତ । ଗୋଟିକରେ ୯ଟି ଓ ଅନ୍ୟଟିରେ ମାତ୍ର ଗୋଟିଏ ଥାଏ । ଶଳାକା ଲୋମଯୁକ୍ତ ଓ ସଫଳ ବଳାକାର ବିରିଗଛରେ ମୁଖ୍ୟତଃ ସୁପରାଗସଙ୍ଗମ ହୁଏ । ଭୋରରୁ ଫୁଲଫୁଟିବା ଆରମ୍ଭ ହୋଇ ସକାଳ ୮ଟା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥାଏ । ପରାଗକୋଷରୁ ପରାଗ ବିତରଣ ରାତ୍ରରୁ ଆରମ୍ଭ ହୋଇ ରାତି ପାହିବା ପୂର୍ବରୁ ଶେଷ ହୋଇଯାଏ । ଫୁଲ ଫୁଟିବା ପୂର୍ବରୁ ପରାଗ ସଙ୍ଗମ ସମ୍ପନ୍ନ ହୁଏ । ଛୁଇଁ ଗୁଡିକ ୪-୬ ସେ.ମି. ଲମ୍ବା ଓ ସରୁ ନଳୀ ସଦୃଶ ଲୋମ ଯୁକ୍ତ । ଛୁଇଁରେ ମଞ୍ଜି ସଂଖ୍ୟା ୪-୧୦ । ମଞ୍ଜି ରଙ୍ଗ କଳା ବା ଅନ୍ୟାନ୍ୟ ରଙ୍ଗ ଯଥା ଗାଢ ବାଦାମି, ସବୁଜ ଇତ୍ୟାଦି । ଋତୁ ଓ ଜଳବାୟୁ : ବିରି ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଦରକାର କରେ । ଉତ୍ତର ଭାରତରେ ବିରି ଗ୍ରୀଷ୍ମ ଓ ବର୍ଷା ଋତୁରେ ଚାଷ କରାଯାଏ । ଦକ୍ଷିଣ ଭାରତରେ ରବି ଋତୁରେ ଚାଷ ହୁଏ । ଓଡିଶାରେ ବର୍ଷା, ଶୀତ ଓ ଗ୍ରୀଷ୍ମ ଋତୁରେ ବିରି ଚାଷ ହୁଏ । ମୃତ୍ତିକା : ମଟାଳ ମାଟିରେ ବିରି ଚାଷ ଭଲ ହୁଏ । ଯେଉଁ ମାଟିରେ ଜଳଧାରଣ ଶକ୍ତି ଅଧିକ ସେହି ମାଟି ବିରି ଚାଷ ପାଇଁ ଉପଯୁକ୍ତ । ତେବେ ବାଲି ଦୋରସାଠାରୁ ଆରମ୍ଭ କରି ମଟାଳ ମାଟି ପର୍ଯ୍ୟନ୍ତ ସବୁ ମାଟିରେ ବିରି ଚାଷ ହୁଏ । ଲୁଣୀ ଓ କ୍ଷାରୀ ମାଟି ବିରି ଚାଷ ପାଇଁ ଅନୁପଯୁକ୍ତ । ଅଳ୍ପ ବର୍ଷା ହେଉଥିବା ନିଗିଡା ମଟାଳ ମାଟି ଓ ଆର୍ଦ୍ର ଜଳବାୟୁ ବିରି ଚାଷ ପାଇଁ ଉପଯୁକ୍ତ । ବିରି କିସମ : ଓଡିଶାରେ ବର୍ଷସାରା ବିରି ଫସଲ ହୁଏ । ନିମ୍ନରେ ବିଭିନ୍ନ କିସମ ବିରିର ବୁଣିବା ଋତୁ, ଅବଧି ଇତ୍ୟାଦି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି । ଚିର କିସମ ଋତୁ ବା ସମୟ ଅବଧି (ଦିନରେ) ମଞ୍ଜିର ରଙ୍ଗ ହେକ୍ଟର ପିଛା ଅମଳ (କୁଇଣ୍ଟାଲ) କେଉଁ ଅଞ୍ଚଳରେ ଚାଷ କରାଯିବା ଉଚିତ୍ ବିଶେଷ ଗୁଣ ଟି - 9 ବର୍ଷା 80 କଳା 8 ସାରା ଓଡିଶା ଗଛ ସାମାନ୍ୟ ଲଟାଏ । ସାହେବୀ ରୋଗ ହୁଏ ନାହିଁ ଶରତ 75 କଳା 6 ପୂର୍ବାଞ୍ଚଳ ଖରା 65 କଳା 10 ପୂର୍ବାଞ୍ଚଳ ଟି – 65 ବର୍ଷା 110 ସବୁଜ 10 ସାରା ଓଡିଶା ସାହେବୀ ରୋଗ ହୁଏ ନାହିଁ ବହୁତ ଲଟାଏ ପ.ୟୁ – 30 ବର୍ଷା 75 ଫିକାକଳା 8 ସାରା ଓଡିଶା ସାହେବୀ ରୋଗ ହୁଏ ନାହିଁ । ଶରତ 90 ଫିକାକଳା 6 ସାରା ଓଡିଶା ଖରା 60 ଫିକାକଳା 10 ସାରା ଓଡିଶା ପି.ଡି.ୟୁ – 30 ବର୍ଷା 80 କଳା 8 ସାରା ଓଡିଶା ସାହେବୀ ରୋଗ ସାମାନ୍ୟ ରହେ । ଶରତ 75 କଳା 6 ସାରା ଓଡିଶା ଖରା 60 କଳା 11 ସାରା ଓଡିଶା ସିଲେକ୍ ସନ୍ – 37 ବର୍ଷା 70 ଚିତ୍ରାକଳା 9 ସାରା ଓଡିଶା ସାହେବୀ ରୋଗ ନାହିଁ, ପାଉଁଶିଆ ରୋଗ ସହିଯାଏ ଶରତ 80 ଚିତ୍ରାକଳା 6 ସାରା ଓଡିଶା ଶୀତ 80 ଚିତ୍ରାକଳା 5 ସାରା ଓଡିଶା ଖରା 60 ଚିତ୍ରାକଳା 10 ସାରା ଓଡିଶା ସରଳା ବର୍ଷା 75 କଳା 8 ସାରା ଓଡିଶା ସାହେବୀ ରୋଗ ସହେ ଶରତ 70 କଳା 6 ସାରା ଓଡିଶା ଖରା 70 କଳା 10 ସାରା ଓଡିଶା ଏଲ.ବି.ଜି.- 17 ଶୀତ 80 କଳା 8 ସାରା ଓଡିଶା ପାଉଁଶିଆ ରୋଗ ସହେ । ଓ.ଏନ୍.ବି. 74048 ଶୀତ 90 କଳା 6 ସାରା ଓଡିଶା ପାଉଁଶିଆ ରୋଗ ସହେ । ଜମିକୁ ପ୍ରଥମଥର ଲୁହା ଲଙ୍ଗଳରେ ଚାଷ କରି ମଇ ଦିଆଯାଏ । ଟା’ ପରେ ଆଉ ଦୁଇ ବା ତିନିଥର ଚାଷ କରି ମଇ ଦେଇ ଦେଲେ ମାଟି ଗୁଣ୍ଡ ହୋଇଯାଏ । ବିରି ବୁଣିବା ପୂର୍ବରୁ ଅନାବନା ଗଛବାହାର କରି ଜମିକୁ ସମତୁଲ କରିବା ଉଚିତ୍ । ଭଲ ଗଜା ହେବା ପାଇଁ ବୁଣିବା ପୂର୍ବରୁ ଗୋଟିଏ ଛିଞ୍ଚାପାଣି ଦେଇ ପାଗିବା ଜମିରେ ଚାଷ କରି ବିରି ବୁଣିବା ଦରକାର । ଉଇ ଲାଗୁଥିଲେ ହେକ୍ଟର ପିଛା ୫% କୁଇନାଲଫସ୍ ଗୁଣ୍ଡ ୩ କି.ଗ୍ରା. ଶେଷ ଓଡ ଚାଷ ସମୟରେ ଖତ ଓ ସାର ସହ ମିଶାଇ ମାଟିରେ ପ୍ରୟୋଗ କରି ମଇ ଦେଇ ମାଟିରେ ଭଲଭାବେ ମିଶାଇ ଦେବା ଦରକାର । ଖତ ଓ ସାର : ଶେଷଥର ଚାଷ ପୂର୍ବରୁ ୧୦ ଗାଡି ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ବିଛାଇ ତାହାକୁ ମାଟିରେ ମିଶାଇ ଦିଆଯାଏ । ବିହନ ବୁଣିବା ସମୟରେ ହେକ୍ଟର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ଓ ୪୦ କି.ଗ୍ରା. ଫସଫରସ୍ କୁ ସିଆରରେ ପକାଇ ମାଟିରେ ମିଶାଇ ବିହନ ବୁଣାଯାଏ, ଯେପରି ବିହନ ‘ସାର’ ସଂସ୍ପର୍ଶରେ ନ ଆସେ । ଏହା ଦ୍ଵାରା ବିରି ଗଛ ହୃଷ୍ଟପୃଷ୍ଟ ହୋଇ ବଢେ ଓ ଅମଳ ଭଲ ହୁଏ । ସାର ତଥା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ସାର ଓ ବିହନ ଏକା ସାଙ୍ଗରେ କରାଯାଇ ପାରିବ । ବିହନ ବୁଣିବା ସମୟ, ବିହନ ପରିମାଣ ଓ ବ୍ୟବଧାନ : ଋତୁ ବୁଣିବା ସମୟ ବିହନ ପରିମାଣ (କି.ଗ୍ରା. / ହେକ୍ଟର ବ୍ୟବଧାନ ସେ.ମି. ଖରିଫ ଜୁନ୍- ଜୁଲାଇ 25 30 X 10 ପ୍ରାକ୍ – ରବି ସେପ୍ଟେମ୍ବର – ଅକ୍ଟୋବର 25 30 X 10 ଶୀତ ନଭେମ୍ବର – ପେବୃଆରୀ 30 22.5 X 10 ଗ୍ରୀଷ୍ମ ପେବୃଆରୀ - ମାର୍ଚ୍ଚ 40 25 X 5 ବିହନ ବୁଣିବା ପ୍ରଣାଳୀ : ବିରି ବିହନ ଲଙ୍ଗଳ ସିଆରରେ କିମ୍ବା ସାର – ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଧାଡିରେ ବୁଣିଲେ ଅନ୍ତଃଚାଷ ଏବଂ ପରବର୍ତ୍ତୀ ଯତ୍ନ ସହଜରେ ଓ ଅଳ୍ପ ଖର୍ଚ୍ଚରେ ହୋଇଥାଏ । ବିହନ ୨-୩ ସେ.ମି. ଗଭୀରରେ ବୁଣାଯାଏ । କବକ ଜନିତ ରୋଗରୁ ଫସଲକୁ ମୁକ୍ତ କରିବା ପାଇଁ ବହନକ ଏକ ସପ୍ତାହ ପୂର୍ବରୁ କି.ଗ୍ରା. ପ୍ରତି ୩ ଗ୍ରାମ ହିସାବରେ କାପଟାନ ଗୋଳାଇ ବିଶୋଧନ କରିବା ଉଚିତ୍ । ଅନ୍ତଃଚାଷ : ବିରି ବୁଣିବାର ୨-୩ ସପ୍ତାହ ମଧ୍ୟରେ ଖୁସାଖୁସି କରି ଘାସ ବାଛିଦେବା ଉଚିତ । ନଚେତ୍ ଅନାବନା ଗଛ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ହେକ୍ଟର ପିଛା ୧୦ କି.ଗ୍ରା. ବାସାଲିନ ୮୦୦-୧୦୦୦ ଲିଟର ପାଣିରେ ମିଶାଇ ବୁଣିବାର ଦିନାକା ଆଗରୁ ଜମି ବତର ଥିବା ଅବସ୍ଥାରେ ଛିଞ୍ଚି ମାଟିରେ ମିଶାଇ ଦେଇ ତା’ ପରଦିନ ବିହନ ବୁଣାଯାଏ ଅଥବା ୧.୨ ଲିଟର ଷ୍ଟମ୍ପ, ୧୦୦୦ ଲିଟର ପାଣିରେ ମିଶାଇ ବିହନ ବୁଣିବା ପରଦିନ ସ୍ପ୍ରେ କଲେ ପ୍ରାୟ ୩୦-୪୦ ଦିନ ପର୍ଯ୍ୟନ୍ତ ଅନାବନା ଗଛ ଉଠେ ନାହିଁ ଜଳସେଚନ : ବର୍ଷାଦିନିଆ ଫସଲ ଜଳସେଚନ ଦରକାର କରି ନଥାଏ । ଶୀତଦିନ ଓ ଖରାଦିନ ଫସଲରେ ୧୦-୧୫ ଦିନ ଅନ୍ତରରେ ଜଳସେଚନ କରିବା ଉଚିତ୍ । ଫୁଲଠାରୁ ଫଳଦେବା ପର୍ଯ୍ୟନ୍ତ ମାଟିରେ ଆବଶ୍ୟକ ଜଳୀୟ ଅଂଶ ରହିବା ଦରକାର । ଅମଳ : ବିରି ଛୁଇଁଗୁଡିକ ପାଚିଗଲେ କଳା ପଡିଯାଏ ଏବଂ ତୋଳିବା ପାଇଁ ଉପଯୁକ୍ତ ହୁଏ । ବର୍ଷାଦିନେ ଆବଶ୍ୟକସ୍ଥଳେ ଛୁଇଁଗୁଡିକ ହାତରେ ତୋଳି ଶୁଖାଇ ଅମଳ କରାଯାଏ । ଅନ୍ୟ ସମୟରେ ଗଛ ମୂଳରୁ କାଟି ଆଣି ଖରାରେ ଶୁଖାଇ ବେଙ୍ଗଳା ପକାଇ ଅମଳ କରାଯାଏ । ସାଇତା ପ୍ରଣାଳୀ : ବିରି ଅମଳ ପରେ ଭଲଭାବେ ଖରାରେ ୨-୩ ଦିନ ଶୁଖାଇ ୯% ଜଳୀୟ ଅଂଶ ଥିବା ଅବସ୍ଥାରେ ପରିଷ୍କାର ବସ୍ତାରେ ରଖାଯାଏ । ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ