অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମିନି କିଟ୍ ଘାସଚାଷ

ମିନି କିଟ୍ ଘାସଚାଷ

ପ୍ରାଣିଜ ପୃଷ୍ଟିସାର ଆବଶ୍ୟକତା

ଜନସଂଖ୍ୟା ବୃଦ୍ଧି ସହିତ ଆମ ରାଜ୍ୟରେ ପ୍ରାଣିଜ ପୃଷ୍ଟିସାର ଆବଶ୍ୟକତା ବଢିବାରେ ଲାଗିଛି । ତେଣୁ ଗାଈଗୋରୁ, ଛେଳିମେଣ୍ଢା ଇତ୍ୟାଦି ଅଧିକ ସଂଖ୍ୟାରେ ପାଳନ କରାଯାଉଛି । ଏହି ପ୍ରାଣୀ ପାଳନ କାର୍ଯ୍ୟକ୍ରମ ମଧ୍ୟ ଦାରିଦ୍ର୍ୟ ଦୂରୀକରଣ ଓ ବେକାରି ସମସ୍ୟା ସମାଧାନର ଗୋଟିଏ ପ୍ରମୁଖ ମାଧ୍ୟମ ଭାବରେ ଉଭା ହୋଇପାରୁଛି । ଏହିସବୁ ଗୃହପାଳିତ ପ୍ରାଣୀ ତୃଣଭୋଜୀ, ଘାସ ଏମାନଙ୍କର ପ୍ରଧାନ ଆହାର । ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଚାରଣଭୂମି ସଙ୍କୁଚିତ ହେଲାଣି । ଆମ ରାଜ୍ୟର ଭୌଗଳିକ ଆୟତନର ମାତ୍ର ଶତକଡା ୪ଭାଗ ଚାରଣଭୂମି ରହିଛି । କିନ୍ତୁ ଅନିୟନ୍ତ୍ରିତ ଚାରଣ ଓ ଚାରଣ ଚାପ ଫଳରେ ଚାରଣଭୂମିରୁ ଆଶାନୁରୂପ ଘାସ ମିଳିପାରୁନାହିଁ । ବର୍ତ୍ତମାନର ପରିସ୍ଥିତିରେ ଆମ ରାଜ୍ୟରେ ଆବଶ୍ୟକ ଥିବା ଘାସର ପାଖାପାଖି ଶତକଡା ୫୦ଭାଗ ନିଅଣ୍ଟିଆ ପରିସ୍ଥିତି ରହିଛି । ତେଣୁ ଏହି ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରାଣୀ ପାଳନ ବିଭାଗ ତରଫରୁ ବିଭିନ୍ନ ଘାସଚାଷ କାର୍ଯ୍ୟକ୍ରମ ମଧ୍ୟରେ ମିନିକିଟ୍ ଘାସଚାଷ କାର୍ଯ୍ୟକ୍ରମ ପ୍ରଧାନ । ମିନିକିଟ୍ ଘାସଚାଷ ବୋଲି ସେମିତି କିଛି ଅଲଗା ଘାସଚାଷ ନ ଥାଏ । ବର୍ଷା, ଶୀତ ଓ ଖରାଦିନରେ ଚାଷ ହେଉଥିବା ଋତୁକାଳୀନ ଘାସ ମଞ୍ଜିକୁ ଏକ କନା ମୁଣା ବା କିଟ୍ ରେ ଭର୍ତ୍ତିକରି ତାହା ଉପରେ ଘାସ ମଞ୍ଜୀର ନାମ ଇତ୍ୟାଦି ଲେଖାହୋଇ ବଣ୍ଟନ କରାଯାଇଥାଏ । ବର୍ଷାଦିନରେ ମକା, ବରଗୁଡି, ବାଜରା, ଜୁଆର, ଡଙ୍ଗରରାଣୀ, ଶୀତଦିନରେ ବରସିମ, ଲୁସର୍ଣ୍ଣ, ଯବଧାନ, ଚାଇନା ସୋରିଷ ଓ ଖରାଦିନରେ ମକା, ବରଗୁଡି ଇତ୍ୟାଦିର ମିନି କିଟ୍ ବଣ୍ଟନ କରାଯାଇଥାଏ । ବର୍ଷା ଓ ଖରାଦିନ ପାଇଁ ୨୫ଡେସିମିଲ ଜମିପାଇଁ ମକା ୫କିଗ୍ରା, ଜୁଆର, ୪କିଗ୍ରା ବାଜରା ୧କିଗ୍ରା, ବରଗୁଡି ୩କିଗ୍ରା, ଡଙ୍ଗରରାଣୀ୩କିଗ୍ରାର କିଟ ମିଳୁଥିଲା ବେଳେ ଶୀତଦିନରେ ୧୦ଡେସିମିଲ ଜମି ପାଇଁ ବରସିମ ୧କିଗ୍ରା, ଲୁସର୍ଣ୍ଣ ୧କିଗ୍ରା, ଚାଇନା ସୋରିଷ ୧କିଗ୍ରା ଓ ଯବଧାନର ୪ ରୁ ୫ କିଗ୍ରାର କିଟ୍ ମିଳିଥାଏ । ଆମ ରାଜ୍ୟରେ ଏବର୍ଷ ଅତିରିକ୍ତ ତୃଣ ଉନ୍ନୟନ କାର୍ଯ୍ୟକ୍ରମର ମିନି କିଟ, ଜାତୀୟ ପ୍ରାଣୀଧନ ମିଶନ ମିନିକିଟ୍ କାର୍ଯ୍ୟକ୍ରମ, ରାଜ୍ୟ ସରକାରୀ ଘାସ ମଞ୍ଜି ଫାର୍ମ ମିନିକିଟ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଅତିରିକ୍ତ ତୃଣ ଉନ୍ନୟନ କାର୍ଯ୍ୟକ୍ରମର ଘାସମଞ୍ଜି ମିନିକିଟ୍ ୨୦୧୫-୧୬ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆବଶ୍ୟକତାଠାରୁ କମ୍ ବର୍ଷା ହୋଇଥିଲା । ତେଣୁ ରାଜ୍ୟ ସରକାରଙ୍କଠାରୁ ପ୍ରାଥମିକ ରିପୋର୍ଟ ପାଇଲା ପରେ କେନ୍ଦ୍ର ସରକାର ରାଜ୍ୟରେ ୭୫ହଜାର ହେକ୍ଟର ଜମିରେ ମରୁଡି ଅଞ୍ଚଳର ଗାଈଗୋରୁଙ୍କ ପାଇଁ ଘାସଚାଷର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ରାଜ୍ୟର ୨୧ଗୋଟି ଜିଲ୍ଲାରେ ୭ଲକ୍ଷ ୫୦ହଜାର ମିନିକିଟ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏଥିରେ ୬.୫ ଲକ୍ଷ ବାଜରା ଓ ୧ଲକ୍ଷ ବରଗୁଡି ମିନିକିଟ ଯୋଗାଣ ବ୍ୟବସ୍ଥା ହୋଇଛି । ଏହି ମିନିକିଟରେ ମଞ୍ଜି ସହିତ ଆବଶ୍ୟକ ରାସାୟନିକ ସାର, ଜୀବାଣୁ ସାର ଓ ବିହନ ବିଶୋଧକର ମଧ୍ୟ ବ୍ୟବସ୍ଥା ରହିଛି ।

ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ

ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ ମିନିକିଟ ଘାସଚାଷ: ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ କାର୍ଯ୍ୟକ୍ରମରେ ମଧ୍ୟ ମିନିକିଟ ମାଧ୍ୟମରେ ଘାସଚାଷର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ପ୍ରଥମେ ନବରଙ୍ଗପୁର ଜିଲାରେ ୨୦୦ଏକର ଜମିରେ ମକା ଓ ଢେଙ୍କାନାଳ ଜିଲ୍ଲାରେ ୧୨୫ଏକର ଜମିରେ ବରଗୁଡି ମଞ୍ଜି ପାଇଁ ଚାଷ ହୋଇଥିଲା । ସେହି ମଞ୍ଜିକୁ ବିଭାଗ ତରଫରୁ କିଣି ଓଡିଶାର ୩୦ଟି ଜିଲ୍ଲାରେ ମୋଟରେ ୧୫୮୦୦ ମିନିକିଟ ଚାଷପାଇଁ ବଣ୍ଟନ କରାଯାଇଛି । ସେଥିମଧ୍ୟରେ ମକା ୧୩୪୦୦ ଓ ବରଗୁଡିର ୨୪୦୦ ମିନିକିଟ । ସରକାରୀ ଫାର୍ମ ଘାସ ମଞ୍ଜି ମିନିକିଟ: ପ୍ରାଣୀ ପାଳନ ବିଭାଗ ତରଫରୁ ରାଜ୍ୟରେ ୭ଟି ଘାସମଞ୍ଜି ଉତ୍ପାଦନ ଫାର୍ମ ରହିଛି । ସେଠାରେ ବିଭିର୍ଣ୍ଣ ପ୍ରକାର ଘାସମଞ୍ଜି ଯଥା ମକା, ବରଗୁଡି, ଜୁଆର, ବାଜରା, ଡଙ୍ଗରରାଣୀ, ଯବଧାନ ଓ ଷ୍ଟାଇଲୋ ଇତ୍ୟାଦିର ମଞ୍ଜି ଉତ୍ପାଦିତ ହୋଇଥାଏ । ସେହିସବୁ ଘାସମଞ୍ଜିକୁ ମିନିକିଟ ଆକାରରେ ଓଡିଶାର ୩୦ଟି ଜିଲ୍ଲାକୁ ପ୍ରତିବର୍ଷ ବଣ୍ଟାଯାଇଥାଏ । ଏବର୍ଷ ଏହି କାର୍ଯ୍ୟକ୍ରମରେ ୪୩୨୦ଟି ମିନିକିଟ ପ୍ରସ୍ତୁତ କରି ବଣ୍ଟନ କରାଯାଇଛି ।  ଅନ୍ୟାନ୍ୟ ଫସଲ ଭଳି ୩ଓଡ ହଳକରି ଉପଯୁକ୍ତ ମାତ୍ରାରେ ଜୈବିକ ଓ ରାସାୟନିକ ସାରଦେଇ ମିନିକିଟରେ ମିଳୁଥିବା ଘାସମଞ୍ଜିକୁ ଚାଷ କରାଯାଇପାରିବ । ଏହିସବୁ ଘାସମଞ୍ଜି ମିନିକିଟ ପାଇବା ପାଇଁ କିମ୍ବା ଚାଷ କରିବାର ପ୍ରଣାଳୀ ଜାଣିବା ଲାଗି ଚାଷୀଭାଇମାନେ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ, ଜିଲ୍ଲା ସ୍ତରରେ ଥିବା ତୃଣ ଉନ୍ନୟନ କର୍ମଚାରୀଙ୍କ ସହ ଯୋଗାଯୋଗ କଲେ ଉପଯୁକ୍ତ ପରାମର୍ଶ ପାଇପାରିବେ ।

 

ଆଧାର: କେଶବ କୁମାର ମହାପାତ୍ର, ସହକାରୀ ତୃଣ ଉନ୍ନୟନ ଅଧିକାରୀ, ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ, କଟକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate