অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଜନା ଚାଷ

ପ୍ରାଧାନ୍ୟ

ସଜନାର ଅପରିପକ୍ଵ ଫଳଗୁଡିକ ସ୍ଵାଦିଷ୍ଟ ଏବଂ ଏକ ଉତ୍ତମ ପରିବା  ।ଏହାର ପତ୍ରକୁ ଶାଗ ରୂପେ ବ୍ୟବହାର କରାଯାଏ  । ଫଳ ଓ ପତ୍ର ଉଭୟରେ ପ୍ରଚୁର ପରିମାଣର ‘କ’ ଓ ‘ଖ’ ଖାଦ୍ୟପ୍ରାଣ ଏବଂ ଲୌହ ପ୍ରଭୃତି ପ୍ରଭୃତି ଅନେକ ଲବଣ ଅଛି  ।

  • ସଜନା ପତ୍ରର ରସ ଖାଇଲେ ଉଚ୍ଚ ରକ୍ତଚାପ କମିବାରେ ସାହାଯ୍ୟ କରେ  ।
  • ଏହି ବୃକ୍ଷ ଓଡିଶାର ସମସ୍ତ ଅଞ୍ଚଳରେ ଦେଖାଯାଏ  । ଲୋକମାନେ ଘରର ବାଡିରେ ସଜନା ଗଛକୁ ଲଗାଇଥାନ୍ତି  ।

ଜଳବାୟୁ ଓ ମୂର୍ତ୍ତିକା

ଆର୍ଦ୍ର ଓ ଉଷ୍ମ ଜଳବାୟୁରେ ସଜନା ଗଛ ଭଲ ବଢେ  । ବର୍ଷା ଉପରେ ନିର୍ଭର କରି ସଜନା ଚାଷ କରାଯାଇପାରିବ  । ବେଶୀ ଥାନଦା ଅଞ୍ଚଳରେ ସଜନା ଭଲ ବଢେ ନାହିଁ  ।

  • ଫୁଲ ଆସିବା ପୂର୍ବରୁ ଶୁଖିଲା ପାଗ ଆବଶ୍ୟକ ପଡିଥାଏ  ।
  • ଗଛ ମୂଳରେ ପାଣି ଜମିଲେ ଗଛ ଅଳ୍ପ ଦିନରେ ପଚି ମରିଯାଏ  ।
  • ସଜନା ଚାଷ ପାଇଁ ନିଗିଡା, ଉର୍ବର, ମଟାଳ ଓ ବାଲି ଦୋରସା ମାଟି ଉପଯୁକ୍ତ  । କାଦୁଅ  ମାଟିରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ  ।

କିସମ

ଫଳର ଆକୃତି ଓ ଦୈର୍ଘ୍ୟ ଅନୁସାରେ ବିଭିନ୍ନ ପ୍ରକାର କିସମ ଦେଖାଯାଏ  । ଆମ ଓଡିଶାରେ ଦେଖାଯାଉଥିବା କିସମଗୁଡିକ ବହୁ ବର୍ଷ ବଞ୍ଚିଥାଏ  । ଫଳ ଆସିବାକୁ ଡେରି ଲାଗେ  । କିନ୍ତୁ ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟ ଦ୍ଵାରା ବାହାର କରାଯାଇଥିବା ପିକେଏମ୍ – ୧ ଏକ ବାର୍ଷିକ ଅଧିକ ଅମଳକ୍ଷମ କିସମ  । ଏହା ଏକ ବର୍ଷ ମଧ୍ୟରେ ଅମଳ ଦିଏ  । ଜମିରେ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରଖାଯାଇପାରେ  । ଏହା ବ୍ୟତୀତ ଜାଫନାଟାଇପ, କୋଡିକାଲ ମୁଡିଙ୍ଗାର, କାଟୁମରିଙ୍ଗାର ପ୍ରଭୃତି ଉତ୍ତମ କିସମ ଅଟେ  । ସଜନା ଗଛର ଅଗକୁ ଭାଙ୍ଗି ଦେଲେ ଅନେକ ଶାଖା ପ୍ରଶାଖା ବାହାରି ଗଛଟି ଗୁଳ୍ମ ପରି ଝଙ୍କାଳିଆ ହୁଏ  । ଏହା ଫଳରେ ଗଛରୁ ଫଳ ତୋଳିବା ସହଜ ହୋଇଥାଏ  ।

ଚାରା ପ୍ରସ୍ତୁତି

ସଜନା ମଞ୍ଜି ଏବଂ ଡାଳ ଦ୍ଵାରା ବଂଶ ବିସ୍ତାର କରାଯାଏ  । ପଲିଥିନ ମୁଣିରେ ଖତ ମାଟି ଭର୍ତ୍ତି କରି ସେଥିରେ ଗୋଟିଏ ବା ଦୁଇଟି ମଞ୍ଜି ପୋତା ଯାଏ  । ମୁଣିରେ ସୁସ୍ଥ ସବଳ ଗଛ ଉତ୍ତରା ଯାଏ  । ଏକ ଏକର ସଜନ ଚାଷ ପାଇଁ ୬୦୦ ରୁ ୭୦୦ ଗ୍ରାମ୍ ବିହନ ଦରକାର ହୋଇଥାଏ  । ସିଧାସଳଖ ଜମିରେ ଗାତା ପ୍ରସ୍ତୁତ କରି ବିହନ ଲଗାଯାଇପାରେ  । ବର୍ଷା ଦିନେ ଡାଳ ଲଗାଇ ଗଛ କରାଗଲେ ଗଛରେ ଶୀଘ୍ର ଫଳ ଆସେ  । ସାଧାରଣତଃ ୪୦ଦିନର ଚାରା ଲଗାଯାଏ  ।

ଚାରାରୋପଣ

ଜମିକୁ ଭଲ ଭାବେ ଚାଷ କରି ୮ ଫୁଟ ଦୂରତାରେ ଏବଂ ଦେଢ ଫୁଟ ଲମ୍ବା- ଚଉଡା- ଗଭୀରତାରେ ଗାତା ଖୋଳାଯାଏ   । ପ୍ରତି ଗାତରେ ଦୁଇ ଝୁଡି ଭଲ ସଢା ଗୋବରଖତ ପ୍ରୟୋଗ କରାଯାଏ  । ପ୍ରତି ଗାତରେ ଗୋଟିଏ ଚାରା ଲଗାଯାଏ  । ଚାରାକୁ ଜୁଲାଇ ଠାରୁ ଡିସେମ୍ବର ମାସ ମଧ୍ୟରେ ଲଗାଯାଏ  । ପ୍ରତି ଗାତରେ ଯେପରି ଗୋଟିଏ ଗଛ ବଞ୍ଚି ରହେ ସେଥିପାଇଁ  ଧ୍ୟାନ ଦିଆଯାଏ  । ଗଛ ମୂଳରୁ ଅନାବନା ଗଛ ସଫା କରି କୋଡାଖୁସା କରାଯାଏ  । ଚାରାଗୁଡିକ ଚାରି ପାଞ୍ଚ ଫୁଟ ବଢିବା ପରେ ଅଗଟିକୁ ଛିଣ୍ଡାଇ ଦିଆଯାଏ  । ପ୍ରତି ୧୫ ଦିନ ଅନ୍ତରରେ ଘାସ ସଫା କରାଯାଇ ଗଛମୂଳକୁ କୋଡାଖୁସା କରାଯାଇଥାଏ  । ଦ୍ଵିତୀୟ ବାର ପୁଣି ଥରେ ନୂଆ ଡାଳର ଅଗକୁ ଛିଣ୍ଡାଇ ଦେଲେ ଗଛଟି ସିଧା ନ’ବଢି ବହୁତ ଶାଖପ୍ରଶାଖା ମେଲିଥାଏ  ।

ଖତ ଓ ସାର

ଫୁଲ ଓ ଫଳ ଆସିବା ପୂର୍ବରୁ ପ୍ରତି ଗାତରେ ଦୁଇ ଝୁଡି ସଢା ଗୋବରଖତ ସହିତ ୧୦୦ ଗ୍ରାମ୍ ୟୁରିଆ, ୨୦୦ ଗ୍ରାମ୍ ସୁପରଫସଫେଟ୍, ୫୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଓ ୧୦୦ ଗ୍ରାମ୍ ନିମ ପିଡିଆ ଦିଆଯାଏ  ।

ଜଳସେଚନ

ଜମିର ଆରଦ୍ରତା ଦେଖି ଖରା ମାସରେ ଦୁଇ ତିନି ଥର ଜଳସେଚନ କରାଯାଏ  । ବାଡିରେ ଲାଗିଥିବା ସଜନା ଗଛକୁ ଜଳସେଚନ କରାଯାଏ  ନାହିଁ  । ମୃତ୍ତିକା  ଅତ୍ୟଧିକ ଶୁଷ୍କ ହେଲେ ଜଳସେଚନ କରା ନ’ଗଲେ, ଫଳ ଅମଳ କମିଯାଏ  ।

କାଣ୍ଟଛାଣ୍ଟ

ପୁରୁଣା ସଜନାଗଛକୁ ବର୍ଷା ଋତୁ ପୂର୍ବରୁ କାଣ୍ଟଛାଣ୍ଟ କରାଯାଏ  । ଏହା ଦ୍ଵାରା ଅଧିକ ନୂଆ ଶାଖା ବାହାରି ଅଧିକ ଫୁଲଫଳ ଧରେ ବିଶେଷତଃ ସାଧାରଣ କିସମ ଗଛରେ ଏଭଳି କାଣ୍ଟଛାଣ୍ଟ ପ୍ରତିବର୍ଷ ନିତାନ୍ତ ଆବଶ୍ୟକ  ।

ରୋଗପୋକ ନିୟନ୍ତ୍ରଣ

ସଜନାରେ ଫଳବିନ୍ଧା ପୋକ ଓ ସଂବାଳୁଆ ବିଶେଷ କ୍ଷତି କରିଥାଆନ୍ତି  । ସଂବାଳୁଆଗୁଡିକ ସକାଳ ବେଳା କାଣ୍ଡରେ ଜମା ହୋଇ ବିଶେଷ କ୍ଷତି କରିଥାଆନ୍ତି  । ଏହି ଅବସ୍ଥାରେ ନିଆଁ ହୁଲା ଦେଖାଇ ମାରିବା ଶଜା କିମ୍ବା କୀଟନାଶକ ଯଥା : ରୋଗର, ମନୋକ୍ରୋଟଫସ୍ ବା ମାଲାଥିୟମ ୨ ମି.ଲି. କୁ ଏକ ଲିଟର ପାଣିରେ ମିଶାଇ ସିଂଚନ କରାଯାଏ  । ଲୁଗା ସଫା ଡିଟରଜେଣ୍ଟକୁ ପାଣିରେ ଗୋଳାଇ ପୋକ ଗୁଡିକ ଉପରେ ପକାଇଲେ ସେଗୁଡିକ ନଷ୍ଟ ହୋଇଯାଆନ୍ତି  ।

ପତ୍ରପୋଡା ବା ବ୍ଲାଇଟ ରୋଗ ଦ୍ଵାରା ପତ୍ର ଓ ଫଳର ଅଗ୍ରଭାଗ ପୋଡିଯାଏ  । ଏହାକୁ ଦମନ କରିବାକୁ ଏଣ୍ଡୋଫିଲ୍ – ଏମ୍ ୪୫ କୁ ୪ ଗ୍ରାମ୍ ହିସାବରେ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ  ।

ଅମଳ

ସଜନା ଛୁଇଁଗୁଡିକୁ ପାକଳ ହେବା ପୂର୍ବରୁ ତୋଳାଜାଏ  । ପିକେଏମ୍ – ୧ କିସମ ଗଛରୁ ୬ ମାସ ପରେ ଅମଳ ମିଳିଥାଏ  । ଗୋଟିଏ ଗଛରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ଛୁଇଁ ତୋଳାଯାଇଥାଏ  । ଦେଶୀ କିସମଗୁଡିକରୁ ଗଛର ଶାଖାପ୍ରଶାଖା, ଆକୃତି ଓ ବୟସକୁ ନେଇ ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ଛୁଇଁ ମିଳିଥାଏ  । ଦେଶୀୟ ସଜନାରେ ବର୍ଷରେ ତିନିଥର ଫୁଲଫଳ ଆସେ  । ବର୍ଷର ଅଧିକାଂଶ ସମୟରେ ଫଳ ଅମଳ କରାଯାଇଥାଏ  ।

ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate