অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦେଢ ଲକ୍ଷରେ ମିଳିବ ଥ୍ରୀଡି ‘ମାନବ’ ରୋବୋଟ୍

ଦେଢ ଲକ୍ଷରେ ମିଳିବ ଥ୍ରୀଡି ‘ମାନବ’ ରୋବୋଟ୍

ଉପକ୍ରମ

ଚଲାବୁଲା କରିବ ରୋବୋଟ୍ । ଆଉ ଫୁଟବଲ୍ ବି ଖେଳିବ । ଖାଲି ସେତିକି ନୁହେଁ; ଉଠିବ, ବସିବ ଓ ସବୁଠୁ ବଡ କଥା ହେଉଛି ମଣିଷ ଡାକିଲେ ଶୁଣିବ । ନିର୍ଦ୍ଦେଶ ଦେଲେ ମାନିବ । ବୟୋଜ୍ୟୋଷ୍ଠଙ୍କ ଯତ୍ନ ବି ନେଇପାରିବ । ଏପରି ମଣିଷକୃତ ରୋବୋଟ୍ ତିଆରି କରିଛନ୍ତି ନୂଆଦିଲ୍ଲୀସ୍ଥିତ ରୋବୋଟିକ୍ସ ରିସର୍ଚ୍ଚ ଆଣ୍ଡ ଏ ସେଟ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ତଥା ଆଇଆଇଟି ଭୁବନେଶ୍ୱରର ଅତିଥି ଅଧ୍ୟାପକ ଦିୱାକର ଭୈସ୍ । ଏହା ମଧ୍ୟ ହେଉଛି ଭାରତର ପ୍ରଥମ ମଣିଷକୃତ ଥ୍ରୀଡି ରୋବୋଟ୍ ।

ରୋବୋଟ

ଏହି ରୋବୋଟ ଟି ପାରିପାଶ୍ୱିକ ସ୍ଥିତିକୁ ଠଉରାଇବା ସହ ନିଜର ପ୍ରତିକ୍ରିୟା ଦେବାରେ ସକ୍ଷମ ହେବ । ଦରକାର ପଡିଲେ ଆତ୍ମରକ୍ଷା ବି କରି ପାରିବ । ଦେଶର ପ୍ରଥମ ଥ୍ରୀଡି ରୋବୋଟ୍ ‘ମାନବ’ର ଉଚ୍ଚତା ହେଉଛି ଦୁଇ ଫୁଟ । ସେହିପରି ଏହାର ଓଜନ ଦୁଇ କିଲୋ ଓ ଏହା ୨୧ ସର୍ଭୋସ୍ କ୍ଷମତା ବିଶିଷ୍ଟ । ଦୀର୍ଘ ଦିନ ହେବ ଏହା ତିଆରି ପାଇଁ ବହୁ ବୈଜ୍ଞାନିକ ଗବେଷଣା ଚଳାଇଥିଲେ । ତେବେ ଦିୱାକର ସମସ୍ତଙ୍କୁ ଚମକାଇ ଏହାକୁ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ମାତ୍ର ଏହାର ଦାମ୍ ଅପେକ୍ଷାକୃତ କମ୍ ରହିଛି । ମାତ୍ର ଦେଢ ଲକ୍ଷ ଟଙ୍କାରୁ ‘ମାନବ’ ରୋବୋଟର ସିରିଜ୍ ଆରମ୍ଭ ହେଉଛି । ତେବେ ଏହି ଥ୍ରୀଡି ସିରିଜର ଅଧିକ ଫିଚର୍ ବିଶିଷ୍ଟ ରୋବୋଟର ଦାମ୍ ଦେଢ ଲକ୍ଷରୁ ନେଇ ଅଢେଇ ଲକ୍ଷ ଟଙ୍କା ଯାଏ ରହିଛି । ଆଗାମୀ ଦିନରେ ରୋବୋଟର ସିଷ୍ଟମରେ ବିଭିନ୍ନ ପ୍ରକାରର ଇଣ୍ଟେଲିଜେନ୍ସ ସାମିଲ କରି ଏହାକୁ ଅଧିକ ଦକ୍ଷ ମଧ୍ୟ କରିହେବ । ଏ-ଏସ୍ଇଟି ଟ୍ରେନିଂ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେଉଛି ।

ଗତ କିଛି ଦିନ ତଳେ ଆଇଆଇଟି ଭୁବନେଶ୍ୱର ଚନ୍ଦ୍ରଶେଖରପୁର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଦିୱାକର ଦେଶର ଏହି ପ୍ରଥମ ଥ୍ରୀଡି ରୋବୋଟକୁ ପ୍ରଦର୍ଶିତ କରିଛନ୍ତି । ଦିୱାକର କହିଛନ୍ତି, ଗବେଷଣା ଦ୍ୱାରା ଏପରି ରୋବୋଟ୍ ତିଆରି କରିବାରେ ଆମେ ସକ୍ଷମ ହୋଇଛୁ । ଏହା ସମ୍ପୂର୍ଣ୍ଣ ଭାବେ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ । ନୂତନ ରୋବୋଟ୍ ‘ମାନବ’ ବିଭିନ୍ନ ସମସ୍ୟା ସମାଧାନ ଓ ଗବେଷଣା କ୍ଷେତ୍ରରେ ସହାୟକ ହେବ । ‘ମାନବ’ ହେଡ୍ ଷ୍ଟାଣ୍ଡ, ପୁସ୍ ଅପ୍ ଭଳି କାର୍ଯ୍ୟ କରିବା ସହ ଫୁଟବଲ ଖେଳିପାରିବ । ଏହା ମଣିଷର ନିର୍ଦ୍ଦେଶକୁ ବି ମାନିବ । ଏହା ଥ୍ରୀଡି ପ୍ଲାଷ୍ଟିକ୍ ସାମଗ୍ରୀରେ ତିଆରି ହୋଇଛି। ଫଳରେ ଏହାର କୌଣସି ଏକ ପାର୍ଟସ୍ ବା ସାମଗ୍ରୀ ଭାଙ୍ଗିଲେ ଏହା ସୁବିଧାରେ ଓ ଶସ୍ତାରେ ମିଳିଯିବ । ଦୁଇଟି କ୍ୟାମେରା ଏହାର ଆଖି ଭାବେ ଓ ଦୁଇଟି ହେଡ଼ ଫୋନ୍ କାନ ଭାବେ କାମ କରୁଛି । ମଣିଷଙ୍କ ଠାରୁ ଏହା ବେଶ୍ ଭଲ ଭାବେ ନାଚିବାର କ୍ଷମତା ବି ରଖୁଛି । ଏହା ଗବେଷକଙ୍କ ପାଇଁ ଏକ ପ୍ରେରଣା । ରୋବୋଟିକ୍ସର ନୂତନ ଏକ ଦିଗକୁ ଏହା ବାଟ ଫିଟାଇଛି ଓ ଅଧିକରୁ ଅଧିକ ଗବେଷଣା ଜାରି ରହିଲେ ଆହୁରି ଅଧିକ ବାଟ ଆଗେଇ ହେବ ବୋଲି ସେ କହିଛନ୍ତି ।

ସେହିପରି ଭବିଷ୍ୟତର ଯୋଜନା ଓ ଗବେଷଣା ବିଷୟରେ ଦିୱାକର କହିଛନ୍ତି, ଆମେ ଏପରି ଜ୍ଞାନକୌଶଳ ଉପରେ କାର୍ଯ୍ୟ କରିଛୁ, ଯାହା ଲୋକଙ୍କୁ ଅମର କରିପାରିବ । ମଣିଷର ମସ୍ତିଷ୍କ କିଭଳି କ୍ରିୟାଶୀଳ ହୋଇଥାଏ ଓ ଏହାର ଚିନ୍ତାତ୍ମକ ଦିଗ ସମ୍ପର୍କରେ ଆମ ପାଖରେ ଏପରି ଟେକ୍ନୋଲୋଜି ଅଛି । ଏହି ଟେକ୍ନୋଲୋଜି ଆଧାରରେ ଆମେ ମଣିଷର ଚେତନା ଶକ୍ତି ଓ ଶିଖିବା ପାଇଁ ଦକ୍ଷତା, ପରିବେଶ ସମ୍ପର୍କିତ ଜ୍ଞାନ, କମ୍ପ୍ୟୁଟର ମାଧ୍ୟମରେ ଦେଖାଇ ଦେଇପାରିବୁ । ନୂତନ ରୋବୋଟ୍ ବିଭିନ୍ନ ସମସ୍ୟା ସମାଧାନ ଏବଂ ଗବେଷଣା କ୍ଷେତ୍ରରେ ସହାୟକ ହେବ । ଆଗକୁ ସେନାବାହିନୀରେ ଯୁଦ୍ଧଶୈଳୀ ଦକ୍ଷତା ଥିବା ରୋବୋଟ୍ ବିକଶିତ କରିବାକୁ ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି ।

ଆଧାର

Smrutiranjan biswal (freelancer journalist)

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate