କେନ୍ଦ୍ରୀୟ ସୂଚନା ଆୟୋଗର ଗଠନ କେନ୍ଦ୍ର ସରକାର ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ଏହି ଅଧିନିୟମ ଅନୁଯାୟୀ ଅର୍ପଣ କରାଯାଇଥିବା କ୍ଷମତା ପ୍ରୟୋଗ କରିବା ଏବଂ ସମର୍ପଣ କରାଯାଇଥିବା କୃତ୍ୟ ସମ୍ପାଦନ ନିମନ୍ତେ, କେନ୍ଦ୍ରୀୟ ସୂଚନା ଆୟୋଗ ନାମକ ଏକ ନିକାୟ ଗଠନ କରିବେ । କେନ୍ଦ୍ରୀୟ ସୂଚନା ଆୟୋଗ ନିମ୍ନଲିଖିତ ଭାବେ ଗଠିତ ହେବ – ମୁଖ୍ୟ ସୂଚନା ଆୟୁକ୍ତ; ଏବଂ ଆବଶ୍ୟକ ବିବେଚନା ହେବା ପ୍ରକାରେ ସର୍ବାଧିକ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ । ମୁଖ୍ୟ ସୂଚନା ଆୟୁକ୍ତ ଏବଂ ସୂଚନା ଆୟୁକ୍ତମାନେ ନିମ୍ନଲିଖିତ ଭାବେ ଗଠିତ ଏକ କମିଟିର ସୁପାରିସ କ୍ରମେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଇବେ– ପ୍ରଧାନମନ୍ତ୍ରୀ, କମିଟିର ଅଧ୍ୟକ୍ଷ । ଲୋକସଭାରେ ବିରୋଧୀ ଦଳର ନେତା; ଏବଂ ପ୍ରଧାନମନ୍ତ୍ରୀ ଦ୍ଵାରା ମନୋନୀତ ଜଣେ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ । ସ୍ପଷ୍ଟୀକରଣ – ସନ୍ଦେହ ଦୂରୀକରଣ ନିମନ୍ତେ ଉଲ୍ଲେଖ କରାଯାଇପାରେ ଯେ ଲୋକସଭାରେ ବିରୋଧୀ ଦଳର ନେତା ସ୍ବୀକୃତିପ୍ରାପ୍ତ ହୋଇ ନ ଥିଲେ , ଲୋକସଭାରେ ସରକାରଙ୍କ ବିରୋଧରେ ଥିବା ଏକକ ସଂଖ୍ୟାଗରିଷ୍ଟାତ ଦଳର ନେତାଙ୍କୁ ବିରୋଧୀଦଳ ନେତା ଭାବେ ବିବେଚନା କରାଯିବ । କେନ୍ଦ୍ରୀୟ ସୂଚନା ଆୟୋଗର ବ୍ୟାପାର ସମୂହର ସାଧାରଣ ଅଧୀକ୍ଷଣ ,ନିର୍ଦ୍ଦେଶ ପ୍ରଦାନ ଓ ପରିଚାଳନା, ମୁଖ୍ୟ ସୂଚନା ଆୟୁକ୍ତଙ୍କ ଉପରେ ନ୍ୟସ୍ତ ରହିବା ଏବଂ ତାହାଙ୍କୁ ଅନ୍ୟ ସୂଚନାଆୟୁକ୍ତମାନେ ସହାୟତା ପ୍ରଦାନ କରିବେ ଏବଂ ସେ ସ୍ଵୟଂଶାସିତ ଭାବରେ ଏହି ଅଧିନିୟମ ଅନୁଯାୟୀ ଅନ୍ୟ କୌଣସି କର୍ତ୍ତୁପକ୍ଷଙ୍କ ଅଧୀନ ନ ହୋଇ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦ୍ଵାରା ପ୍ରୟୋଗ କରାଯାଇପାରିବ ସମସ୍ତ କ୍ଷମତା ପ୍ରୟୋଗ କରିବେ ଏବଂ ସମସ୍ତ କାର୍ଯ୍ୟ ଓ ବିଷୟ ସମ୍ପାଦନ କରିବେ । ବିଧି, ବିଜ୍ଞାନ, ଓ ବୈଷୟିକ ବିଦ୍ୟା, ସମାଜସେବା, ମ୍ୟାନେଜମେଣ୍ଟ , ଗଣମାଧ୍ୟମ ବା ପ୍ରଶାସନିକ ଓ ଶାସନ କ୍ଷେତ୍ରରେ ଗଭୀରଜ୍ଞାନ ଓ ଅଭିଜ୍ଞତା ସହ ସାଧାରଣ ଜୀବନରେ ପ୍ରଖ୍ୟାତ ବ୍ୟକ୍ତିମାନଙ୍କୁ ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ ଦିଆଯିବ । ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ସୁଚନା ଆୟୁକ୍ତ, ଯଥାସ୍ଥିତି ସଂସଦର ସଭ୍ୟ କିମ୍ବା କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନମଣ୍ଡଳର ସଭ୍ୟ ହୋଇଥିବେ, କୌଣସି ଲାଭଜନକ ପଦ ଧାରଣ କରି ନ ଥିବେ, କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ହୋଇ ନ ଥିବେ ଏବଂ କୌଣସି ବ୍ୟବସାୟ କରୁ ନ ଥିବେ ବା କୌଣସି ବୃତ୍ତିରେ ସମ୍ପୃକ୍ତ ନ ଥିବେ । କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ମୁଖ୍ୟ କାର୍ଯ୍ୟଳୟ ଦିଲ୍ଲୀଠାରେ ରହିବା ଏବଂ କେନ୍ଦ୍ର ସରକାରଙ୍କର ପୂର୍ବ ଅନୁମୋଦନକ୍ରମେ କେନ୍ଦ୍ରୀୟ ସୂଚନା ଆୟୋଗ ଭାରତର ଅନ୍ୟାନ୍ୟ ସ୍ଥାନମାନଙ୍କରେ କାର୍ଯ୍ୟଳୟ ମାନ ସ୍ଥାପନ କରିପାରିବେ । କାର୍ଯ୍ୟକାଳ ଓ ସେବା ସର୍ତ୍ତାବଳୀ ମୁଖ୍ୟ ସୂଚନା ଆଯୋକ୍ତ ତାଙ୍କ କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦରେ ରହିବେ ଏବଂ ସେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ପରନ୍ତୁ ମୁଖ୍ୟ ସୂଚନା ଆୟୁକ୍ତ ପଞ୍ଚଷଠି ବର୍ଷ ବୟସ ଅତିକ୍ରମ କରିବା ପରେ ଉକ୍ତ ପଦବୀରେ କାର୍ଯ୍ୟ କରିପାରନ୍ତି ନାହିଁ । ପ୍ରତ୍ୟେକ ସୂଚନା ଆୟୁକ୍ତ, କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ କିମ୍ବା ପଞ୍ଚଷଠି ବର୍ଷ ହେବା ପର୍ଯ୍ୟନ୍ତ ଏ ଦୁଇଟି ମଧ୍ୟରୁ ଯେଉଁଟି ପ୍ରଥମେ ପଡିବ , ସେପର୍ଯ୍ୟନ୍ତ ପଦ ଧାରଣ କରିବେ ଏବଂ ସେପରି ସୂଚନା ଆୟୁକ୍ତ ରୂପେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ସୂଚନା ଆୟୁକ୍ତ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ରାଷ୍ଟ୍ରପତି କିମ୍ବା ଉପଲକ୍ଷେ ରାଷ୍ଟ୍ରପତି ଦ୍ଵାରା ନୁଯୁକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ସମକ୍ଷରେ ଏହି ଅଧିନିୟମ ପ୍ରଥମ ଅନୁସୂଚିତରେ ଥିବା ଫର୍ମ ଅନୁସାରେ ଶପଥ କିମ୍ବା ପ୍ରତିଜ୍ଞାନ କରି ସେଥିରେ ସ୍ଵାକ୍ଷର କରିବେ । ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ସୂଚନା ଆୟୁକ୍ତ ଯେକୌଣସି ସମୟରେ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ ହୋଇଥିବା ସ୍ଵହସ୍ତ "ଲିଖିତ ଇସ୍ତଫା ପତ୍ର"ଦ୍ଵାରା ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରିବେ । ପରନ୍ତୁ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଯେକୌଣସି ସୁଚନା ଆୟୁକ୍ତ , ଧାରା 14 ରେ ବିନିର୍ଦ୍ଧିଷ୍ଟ ରୀତିରେ ନିଜ ପଦବୀରୁ ଅପସାରିତ ହୋଇପାରିବେ । ମୁଖ୍ୟ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତା ତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଧନ ଓ ସର୍ତ୍ତାବଳୀ , ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହ ସମାନ ହେବ । ଜଣେ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତା ତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଦନ ଓ ସର୍ତ୍ତାବଳୀ , ଜଣେ ନିର୍ବାଚନ ଆୟୁକ୍ତଙ୍କ ସହ ସମାନ ହେବ । ପରନ୍ତୁ ନିଯୁକ୍ତି ସମୟରେ ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତ ଯଦି କେନ୍ଦ୍ର ସରକାର ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ବସେବା ପାଇଁ ଆଘାତଜନିତ ପେନସନ ଭିନ୍ନ ଅନ୍ୟ କୌଣସି ପେନସନ ପାଉଥିବେ ତେବେ ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତ ଭାବେ ସେବା ସକାଶେ ତାଙ୍କର ବେତନରୁ , ପେନସନ ସମାନୁପାତିକ ଅବସରକାଳୀନ ଛାଡି ପେନସନ ଓ ଅନ୍ୟ ଅବସରକାଳୀନ ସୁବିଧା ବାବଦ ଦେୟ ପେନସନ କରାଯିବ । ଏହି ଅଧିନିୟମ ଅନୁଯାୟୀ ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ସେମାନଙ୍କର କାର୍ଯ୍ୟ , ଦକ୍ଷତାର ସହ ସମ୍ପାଦନ କରିବା ନିମନ୍ତେ କେନ୍ଦ୍ର ସରକାର ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା କରିବେ ଏବଂ ଏହି ଅଧିନିୟମ ଅନୁଯାୟୀ ନିଯୁକ୍ତି ଅଧିକାରୀ ଓ ଓ କର୍ମଚାରୀମାନଙ୍କର ବେତନ, ଭତ୍ତା ଓ ସେବାର ନିବନ୍ଧବ ଓ ସର୍ତ୍ତାବଳୀ ବିହିତ ହେବାମତେ ହେବ । ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଉପଧାରା (3)ର ବ୍ୟବସ୍ଥାଗୁଡିକ ପ୍ରତି ସାପେକ୍ଷ ରହି, ରାଷ୍ଟ୍ରପତିଙ୍କ ଦ୍ଵାରା ଏକ ରେଫରେନ୍ସ କ୍ରମେ ତଦନ୍ତ କରିବା ପରେ ଉଚ୍ଚତମ ନ୍ୟାୟାଳୟ ଯଦି ରିପୋର୍ଟ କରନ୍ତି ଯେ ମୁଖ୍ୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି, କୌଣସି ସୂଚବା ଆୟୁକ୍ତ ଖରାପ ବ୍ୟବହାର କରିଛନ୍ତି ବା ଅସମର୍ଥ ଅଟନ୍ତି ଏବଂ ସେହି କାରଣରୁ ତାଙ୍କୁ ଅପସାରଣ କରିବା ଉଚିତ , ତେବେ ସେହି କାରଣରୁ ରାଷ୍ଟ୍ରପତି ଆଦେଶ ଦ୍ଵାରା ହିଁ ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ସୂଚନା ଆୟୁକ୍ତଙ୍କୁ ତାଙ୍କ ପଦରୁ ଅପସାରଣ କରିବେ । ଯେଉଁ ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତଙ୍କ ସମ୍ବନ୍ଧରେ ଉପଧାରା (1) ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟକୁ ଏକ ରେଫେରେନ୍ସ କରାଯାଇଥିବ ସେହି ରେଫେରେନ୍ସ ଉପରେ ଉଚ୍ଚତମ ନ୍ୟାୟାଳୟଙ୍କ ରିପୋର୍ଟ ପାଇ ତା ଉପରେ ରାଷ୍ଟ୍ରପତି ଆଦେଶ ନ ଦେବା ପର୍ଯ୍ୟନ୍ତ ତଦନ୍ତ ସମୟ ମଧ୍ୟରେ ରାଷ୍ଟ୍ରପତି ତାଙ୍କୁ ପଦରୁ ନିଲମ୍ବିତ କରିପାରିବେ ଓ ଯଦି ଆବଶ୍ୟକ ମାନେ କରନ୍ତି ତେବେ କାର୍ଯ୍ୟ ରେ ଯୋଗ ଦେବାକୁ ମଧ୍ୟ ବାରଣ କରିପାରିବ । ଯଦି ମୁଖ୍ୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି କୌଣସି ସୂଚନା ଆୟୁକ୍ତ - ଦେବାଳିଆ ବୋଲି ନ୍ୟାୟନିର୍ଣ୍ଣିତ ହୋଇଥିବେ; କିମ୍ବା ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବେ, ଯାହାକି ରାଷ୍ଟ୍ରପତିଙ୍କ ମତରେ ନୈତିକ ଭ୍ରଷ୍ଟାଚାର ଅଟେ ; କିମ୍ବା ନିଜ ପଦବୀରେ ଥିବା ସମୟରେ ପଦୀୟ କର୍ତ୍ତବ୍ୟର ପରିଧି ବାହାରେ ଅନ୍ୟ କୌଣସି ସବୈତନିକ କାର୍ଯ୍ୟରେ ନିଯୋଜିତ ହୋଇଥିବେ; କିମ୍ବା ରାଷ୍ଟ୍ରପତିଙ୍କ ମତରେ ଶାରୀରିକ ବା ମାନସିକ ଦୃଷ୍ଟିରୁ ଆଉ କାର୍ଯ୍ୟ କରିବାକୁ ଅସମର୍ଥ ଅଟନ୍ତି ; କିମ୍ବା ଏପରି ଆର୍ଥିକ ବା ଅନ୍ୟାନ୍ୟ ସ୍ଵାର୍ଥ ଜଡିତ କାର୍ଯ୍ୟରେ ଲିପ୍ତ ଯାହାକି ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ସୂଚନା ଆୟୁକ୍ତ ଭାବେ ତାଙ୍କ କୃତ୍ୟ ସଂପାଦାନ କୁ ପ୍ରତିକୂଳ ପ୍ରଭାବ ପକାଇବ; ତେବେ ଉପଧାରା (1) ରେ ଯାହା କିଛି ସତ୍ତ୍ୱେ, ରାଷ୍ଟ୍ରପତି ଆଦେଶ ଦ୍ଵାରା ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚବା ଆୟୁକ୍ତ ପଦରୁ ଅପସାରଣ କରିପାରିବେ । କେନ୍ଦ୍ର ସରକାରଙ୍କ ଦ୍ଵାରା ବା ତରଫରୁ କରାଯାଇଥିବା କୌଣସି ଚୁକ୍ତି ବା ରାଜିନାମାରେ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଜଣେ ସୂଚନା ଆୟୁକ୍ତ ଯଦି କୌଣସି ମତେ ସମ୍ପୃକ୍ତ ବା ସ୍ଵାର୍ଥରେ ଥିବେ ବା ଏକ ନିଗମିତ କମ୍ପାନିର ସାଧାରଣ ସଦସ୍ୟମାନଙ୍କ ଭିତରୁ ଜଣେ ସଦସ୍ୟ ଭିନ୍ନ ଅନ୍ୟଥା ତହିଁରୁ କୌଣସି ପ୍ରକାରର ଲାଭ ବା କୌଣସି ସୁବିଧା ବା ପାରିଶ୍ରମିକ ନେଉଥିବେ ତେବେ, ଉପଧାରା (1) ଉଦ୍ଦେଶ୍ୟରେ ସେ ଖରାପ ବ୍ୟବହାର କରିଛନ୍ତି ବୋଲି ବିବେଚିତ ହେବେ । ଆଧାର - ଓଡ଼ିଶା ସୂଚନା କମିଶନ