ଉପକ୍ରମ ବର୍ଷାଦିନେ ଫୋନ୍ ଓଦା ହେବା ଏକ ସାଧାରଣ ସମସ୍ୟା ହେଲେ ଫୋନ୍ ଓଦା ହୋଇଯିବା ପରେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ଏହା ଖରାପ ହେବାଠୁ ଦୂରେଇ ରହିପାରିବ । ଟିପ୍ସ ଫୋନ୍ କୁ ଶୁଖାଇବା ପାଇଁ ହେୟାର୍ ଡ୍ରାୟର କିମ୍ବା ବ୍ଲୋଅର୍ର ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରୁ ନିର୍ଗତ ହେଉଥିବା ହିଟ୍ ଫୋନ୍ ର ଇଣ୍ଟରନାଲ୍ ସର୍କିଟ୍କୁ ନଷ୍ଟ କରିଦେଇପାରେ । ଏପରି କି ଫୋନ୍ ବ୍ଲାଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି । ଓଦା ଫୋନ୍ ରେ ହେଡ୍ ଫୋନ୍ ବ୍ୟବହାର କରିବା ଠିକ୍ ନୁହେଁ । ଏପରି କରିବା ଦ୍ଵାରା ହେଡ୍ ଫୋନ୍ ଜ୍ୟାକ୍ ରେ ପାଣି ପଶି ତାହା ଖରାପ ହେବାର ଆଶଙ୍କା ରହିଥାଏ । ଓଦା ହୋଇଥିବା ଫୋନ୍ କୁ କେବେ ବି ଚାର୍ଚ୍ଚରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ଫୋନ୍ ଚାର୍ଜର ସହିତ ବ୍ୟାଟେରି ମଧ୍ୟ ଖରାପ ହେବାର ଯଥେଷ୍ଟ ଆଶଙ୍କା ଥାଏ । ଏହା ଛଡା ଫୋନ୍ ବ୍ଲାଷ୍ଟ ହେବାର ଆଶଙ୍କାରୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ସାଧାରଣତଃ ବର୍ଷାଦିନେ ଅଧିକାଂଶ ଯୁବପିଢି ଫୋନ୍ କୁ ସୁରକ୍ଷିତ ରଖିବା ଲାଗି ଘରୁ ବାହାରିବା ପୂର୍ବରୁ ତା’କୁ ପଲିଥିନ୍ ରେ ଗୁଡାଇ ଦିଅନ୍ତି । କିନ୍ତୁ ଓଦା ଫୋନ୍ କୁ ପଲିଥିନ୍ ରେ ଗୁଡାଇବାର ଭୁଲ୍ କରନ୍ତୁ ନାହିଁ । ଏହାଦ୍ୱାରା ଭିତରକୁ ପବନ ନଯିବା ଯୋଗୁ ଫୋନ୍ ଭିତରର ବିଭିନ୍ନ ପାର୍ଟ ଶୀଘ୍ର ଖରାପ ହୋଇଯାଇଥାଏ । ତେଣୁ ଫୋନ୍ କୁ ଶୁଖିବା ପରେ ହିଁ ପଲିଥିନ୍ ରେ ଗୁଡାଇ ରଖନ୍ତୁ । ଅନେକେ ଓଦା ଫୋନ୍ ରୁ ପାଣି ବାହାର କରିବା ପାଇଁ ଅଧିକ ଜୋରରେ ହଲାଇ କିମ୍ବା ଛାଟି ସେଥିରୁ ପାଣି ବାହାର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏପରି କରିବା ଦ୍ଵାରା ପାଣି ବାହାରିବା ପରିବର୍ତ୍ତେ ଇଣ୍ଟରନାଲ୍ ପାର୍ଟରେ ପଶି ଫୋନ୍ କୁ ନଷ୍ଟ କରିଦେଇପାରେ । ତେଣୁ ଫୋନ୍ ରେ ପାଣି ପଶିଥିଲେ ତା’କୁ ଛାଟିବା ବଦଳରେ କିଛି ସମୟ ଚାଉଳ ଡବା ଭିତରେ ରଖିଦିଅନ୍ତୁ । ଅନେକ ଯୁବପିଢି ଓଦା ଫୋନ୍ କୁ ଶୁଖାଇବା ଲାଗି ଫୋନ୍ କୁ ବଲ୍ବ, ହିଟର୍ କିମ୍ବା ଗ୍ୟାସ ପାଖରେ ମଧ୍ୟ ରଖିଦେଇଥାନ୍ତି । ଏହାଦ୍ୱାରା ଫୋନ୍ ର ସ୍କ୍ରିନ୍ ଶୀଘ୍ର ନଷ୍ଟ ହେବା ସହିତ ତା’ର ଇଣ୍ଟରନାଲ୍ ପାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଓଦା ଫୋନ୍ କୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ୟାଣ୍ଟ୍ ପକେଟ୍ କିମ୍ବା ପର୍ସରେ ନରଖି ତା’କୁ ବାହାରେ ଖୋଲା ସ୍ଥାନରେ ରଖନ୍ତୁ । ଆଧାର – ଦୈନିକ ଧରିତ୍ରୀ