ସବୁଜିମାକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରଯୁଜ୍ୟ ବୃତ୍ତି ହେଉଛି ଉଦ୍ୟାନ କୃଷି । ଏଥିରେ ସେମାନେ ଉଦ୍ୟାନ କୃଷିବିତ୍ ଭାବେ କାର୍ଯ୍ୟ କରି ଆକର୍ଷଣୀୟ ଅର୍ଥ ଉପାର୍ଜନ କରିପାରିବେ । ଭାରତରେ କୃଷି ଉତ୍ପାଦର ବ୍ୟବସାୟ ଓ ରପ୍ତାନି ବୃଦ୍ଧି ପାଉଥିବାରୁ ଏଭଳି ବୃତ୍ତିର ଚାହିଦା କ୍ରମେ ବଢିବାରେ ଲାଗିଛି ।
କୃଷି ଓ ଉଦ୍ୟାନକୃଷି ମଧ୍ୟରେ ତଫାତ କେବଳ ଏତିକି ଯେ, ପ୍ରଥମଟି ମୁଖ୍ୟତଃ ଶସ୍ୟ ଉତ୍ପାଦନକୁ ବୁଝାଉଥିବାବେଳେ ଦ୍ଵିତୀୟତି ଫଳ, ଫୁଲ, ପରିବା, ଔଷଧୀୟ ବୃକ୍ଷ ଆଦି ସହ ଜଡିତ । ଉଦ୍ୟାନ କୃଷିରେ କଳା ସହିତ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଅର୍ଥନୀତି, ଜୈବ ବିଜ୍ଞାନ ଆଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦ୍ୟାନ କୃଷିବିତ୍ ଏହି ସବୁ ବିଦ୍ୟାର ପ୍ରୟୋଗ କରି ମାନବ ସମାଜ ଓ ପରିବେଶର ହିତ ସାଧନ କରନ୍ତି ।
ଉଦ୍ୟାନ କୃଷିବିତଙ୍କ କାର୍ଯ୍ୟ କେବଳ ସୁନ୍ଦର ସବୁଜିମା ସୃଷ୍ଟିରେ ସୀମିତ ନୁହେଁ । ସେମାନେ ବିଭିନ୍ନ ପ୍ରକାର ବୃକ୍ଷ ଓ ସେସବୁର ମହତ୍ଵ ଅନୁଧ୍ୟାନ କରି ଚାରା ରୋପଣ, ମୂର୍ତ୍ତିକା ପ୍ରସ୍ତୁତି ଆଦି ଲାଗି ଉକୃଷ୍ଟ ପ୍ରଣାଳୀ ବିକଶିତ କରନ୍ତି । ଉଦ୍ୟାନ କୃଷିର ଉତ୍ପାଦ ଖାଦ୍ୟ, ବୟନ, ଔଷଧ, ଅତର ଆଦି ବିଭିନ୍ନ ଶିଳ୍ପରେ ବ୍ୟବହୃତ ହୁଏ । ଉଦ୍ୟାନ କୃଷିବିତ୍ ଏହିସବୁ ଉତ୍ପାଦର ଗୁଣବତ୍ତା ସୁନିଶ୍ଚିତ କରନ୍ତି । ଏଥିସହିତ ପରିବେଶକୁ ପ୍ରଭାବିତ ନକରି କିଭଳି ଫସଲ ଉତ୍ପାଦନ ବୃଦ୍ଧି ଓ ବୃକ୍ଷର ରୋଗ ପ୍ରତିରୋଧକ ଶକ୍ତି ବଢାଯାଇପାରିବ ତାହାର ପନ୍ଥା ବିକଶିତ କରନ୍ତି । ଜୀବିକାର୍ଜନ ସହିତ ଆଜିକାଲି ଅନେକ ଲୋକ ନିଜ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଉଦ୍ୟାନ କୃଷି କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ବଗିଚା କାର୍ଯ୍ୟ କରି ସେମାନେ ଆତ୍ମସନ୍ତୋଷ ଲାଭ କରନ୍ତି ।
+୨ ବିଜ୍ଞାନରେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ କିମ୍ବା ଜୈବ ବିଜ୍ଞାନ ଆଦି ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ବି.ଏସସି. କୃଷି ବିଜ୍ଞାନରେ ଉଦ୍ୟାନକୃଷିକୁ ଏକ ବିଷୟ ଭାବେ ବାଛି ପାରିବେ । ନହେଲେ ସ୍ଵତନ୍ତ୍ରଭାବେ ଉଦ୍ୟାନ କୃଷିରେ ସ୍ନାତକ ଡିଗ୍ରୀ କରିପାରିବେ। ଡିପ୍ଲୋମା ପାଇଁ ମଧ୍ୟ ଏହି ଶିକ୍ଷାଗତା ଯୋଗ୍ୟତା ଆବଶ୍ୟକ । ଉଦ୍ୟାନ କୃଷିରେ ବି.ଏସସି.କରିଥିବା ଛାତ୍ରଛାତ୍ରୀ ଏହି ବିଷୟବସ୍ତୁରେ ଏମ.ଏସସି. କରିପାରିବେ । ଏହା ପରେ ସେମାନେ ଉଦ୍ୟାନ କୃଷିରେ ଏମ.ଫିଲ, ପିଏଚ. ଡି. କରିପାରିବେ । ଅଧିକାଂଶ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇପିଏଆର୍) ଅଧିନସ୍ଥ ଶିକ୍ଷାନୁଷ୍ଠାନରେ ପିଏଚ୍. ଡି. କାର୍ଯ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରିଥାଆନ୍ତି । ଯଦି ପ୍ରକୃତରେ ରୁଚି ସହିତ ଗବେଷଣା ପ୍ରତି ଆଗ୍ରହ ରହିଛି ତାହେଲେ ଉଦ୍ୟାନକୃଷି ଆପଣଙ୍କ ପାଇଁ ପ୍ରକୃଷ୍ଟ ପାଠ୍ୟକ୍ରମ ।
ଉଦ୍ୟାନକୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାର ନିଯୁକ୍ତି ସୁଯୋଗ ରହିଛି । ପିଏଚ. ଡି. ଡିଗ୍ରୀଧାରୀଙ୍କଠାରୁ ଆରମ୍ଭ କରି ମୋଟେ ଶିକ୍ଷା ଗ୍ରହଣ କରି ନଥିବା ବ୍ୟକ୍ତି ବି ଏହି କ୍ଷେତ୍ରରେ ନିୟୋଜିତ ହୋଇପାରିବେ । ତେବେ ଏହି କ୍ଷେତ୍ରରେ କ୍ୟାରିୟର ଅଗ୍ରଗତି ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଉପରେ ନିର୍ଭର କରିଥାଏ । ଉଦ୍ୟାନ କୃଷିରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଅର୍ଜନ କରିଥିବା ପାର୍ଥୀମାନେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ସହ ଶିକ୍ଷାନୁଷ୍ଠାନଗୁଡିକରେ, ନିଯୁକ୍ତି ପାଇପାରିବେ । ସରକାରୀ ସଂସ୍ଥାରେ କାର୍ଯ୍ୟରତ ଉଦ୍ୟାନ କୃଷିବିତମାନେ ପାର୍କ ଓ ବିଭିନ୍ନ ବିଭାଗ ଦ୍ଵାରା ପରିଚାଳିତ ବଗିଚା ଆଦିର ଡାଇତ୍ଵ ସମ୍ଭାଳିଥାନ୍ତି । ଏଥିସହିତ ଉଦ୍ୟାନ କୃଷି ଅଧିକାରୀ, ପାରିବା ନିରିକ୍ଷକ, ଜିଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରଗୁଡିକରେ ପ୍ରଶିକ୍ଷଣ ସହାୟକ ପଦବୀରେ ନିଯୁକ୍ତି ପାଇପାରନ୍ତି ।
ଘରେଇ କ୍ଷେତ୍ରରେ କୃଷିବିତମାନେ ଫଳ, ଫୁଲର ବ୍ୟବସାୟିକ କାରବାର କରୁଥିବା ସଂସ୍ଥାରେ ବିଭିନ୍ନ ପଦବୀରେ ନିଯୁକ୍ତି ହୁଅନ୍ତି । ଏଥିସହିତ କୃଷି ବିଶ୍ୱବିଦ୍ୟାଳୟ ଓ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନରେ କୃଷିବିତଙ୍କ ପାଇଁ ଅଧ୍ୟାପନା କରିବାର ସୁଯୋଗ ରହିଥାଏ । କୃଷି ବିକାଶ ଅଧିକାରୀ ସହ ଜଣେ ଏହି କ୍ଷେତ୍ରରେ ବୈଜ୍ଞାନିକ ମଧ୍ୟ ହୋଇପାରିବେ । ସେହିପରି ନିଜେ ଉଦ୍ୟାନକୃଷିରେ ଉଦ୍ୟୋଗ ଆରମ୍ଭ କରିପାରିବେ । ଅନେକ ହୋଟେଲ, ହଲିଡେ ରିସର୍ଟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କୃଷି ବିଶେଷଞ ନିଯୁକ୍ତ କରିଥାନ୍ତି । ଅଙ୍ଗୁର ବଗିଚା ଓ ନର୍ସରୀ ଆଦିରେ ସେମାନଙ୍କ ପାଇଁ କାର୍ଯ୍ୟ ରହିଥାଏ । ସମୟକ୍ରମେ ଦେଶରୁ କୃଷି ଉତ୍ପାଦ ରପ୍ତାନି କରୁଥିବାରୁ ଉଦ୍ୟାନକୃଷି କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଅର୍ଥ ଉପାର୍ଜନ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି କ୍ଷେତ୍ର ଉପରେ ନିର୍ଭର କରିଥାଏ ।
ଆଧାର – ଶିକ୍ଷା ବ୍ୟୁରୋ
Last Modified : 1/26/2020