ଉପକ୍ରମ ଆଗକୁ ଏଆଇପିଏମ୍ଟି ପରୀକ୍ଷା ଆସୁଛି । ଏଥି ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିନ୍ତା ରହିବା ସ୍ଵାଭାବିକ । ମେଡିକାଲ ଏପରି ଏକ ପାଠ୍ୟକ୍ରମ ଯେଉଁଥିରେ ସମର୍ପଣର ଅତ୍ୟନ୍ତ ଆବଶ୍ୟକତା ରହିଛି । ତେବେ ଚାପରେ ରହିଲେ କୌଣସି କାର୍ଯ୍ୟ ସଫଳ ହେବ ନାହିଁ । କିପରି କରିବେ ପ୍ରସ୍ତୁତି ଏବଂ କେଉଁ ବିଷୟ ପ୍ରତି ଅଧିକ ଗୁରୁତ୍ଵ ଦେବେ ଜାଣିବା ପାଇଁ ନିମ୍ନ ବିଷୟଗୁଡିକ ଉପରେ ଧ୍ୟାନ ଦେବା ଜରୁରୀ। ଯୋଜନା ସାଧାରଣ ଏଆଇପିଏମ୍ଟି କିମ୍ବା ଅନ୍ୟ ପ୍ରବେଶିକା ପରୀକ୍ଷାଗୁଡିକ ନିମନ୍ତେ ଯୋଜନା ସାଧାରଣ ହେବା ଦରକାର । ଛାତ୍ରୀଛାତ୍ରଙ୍କୁ ନିଜ ପୁସ୍ତକ ଉପରେ ଅଧିକ ଧ୍ୟାନ ଦେବା ଉଚିତ ଏବଂ ନିୟମିତ ଭାବେ ଶ୍ରେଣୀରେ ପଢାଯାଉଥିବା କନ୍ସେପ୍ଟ ଏବଂ ବିଷୟବସ୍ତୁକୁ ପ୍ରାକ୍ଟିସ୍ କରିବାକୁ ପଡିବ । ମେଡିକାଲ ଛାତ୍ରୀଛାତ୍ରଙ୍କ ପାଇଁ ସମ୍ପୂର୍ଣ୍ଣ ସିଲାବସ୍କୁ ସମୟ ପୂର୍ବରୁ ସମାପ୍ତ କରିବା ଏବଂ ରିଭିଜନ୍ କରିବାକୁ ପଡିବ । ସପ୍ତାହରେ ଥରେ ସ୍ପେଶାଲ ପେପର୍ର ପ୍ରାକ୍ଟିସ୍ କରିବାକୁ ପଡିବ । ପୁରୁଣା ବର୍ଷ ପ୍ରଶ୍ନପତ୍ରର ସମାଧାନ କରିବା ଦ୍ଵାରା ବିଷୟବସ୍ତୁକୁ ବୁଝିବା ସହଜ ହୋଇଯିବ । ସୁଚିନ୍ତିତ ଷ୍ଟଡି ପ୍ଲାନ ଏଆଇପିଏମ୍ଟି ଭଳି କମ୍ପିଟିଟିଭ୍ ପରୀକ୍ଷାକୁ କ୍ଲିୟର କରିବା ପାଇଁ ଏକ ସୁଚିନ୍ତିତ ଷ୍ଟଡି ପ୍ଲାନ ନିତାନ୍ତ ଜରୁରୀ । ଖାଲି ଯୋଜନା କରିଦେଲେ ହେବ ନାହିଁ ଏହାକୁ ପାଳନ ମଧ୍ୟ କରିବାକୁ ପଡିବ । ଷ୍ଟଡି ପ୍ଲାନରେ ପାଠପଢା ଏବଂ ମନୋରଞ୍ଜନ ଦୁଇଟିକୁ ସ୍ଥାନ ଦେବା ଉଚିତ । ମନକୁ ପ୍ରଫୁଲ୍ଲ ରଖିବା ପାଇଁ ଷ୍ଟଡି ବ୍ରେକ୍ ନିତାନ୍ତ ଜରୁରୀ । ପାଠପଢା ସମୟକୁ ୩ ଭାଗରେ ବିଭକ୍ତ କରିଦିଅନ୍ତୁ । ଗୋଟିଏ ଭାଗରେ ପାଠପଢା, ଗୋଟିଏ ଭାଗରେ ରିଭାଇଜ୍ ଏବଂ ତୃତୀୟ ଭାଗରେ ପ୍ରାକ୍ଟିସ୍କୁ ସ୍ଥାନିତ କରନ୍ତୁ । ଏହାଦ୍ୱାରା ସମୟ ପୂର୍ବରୁ ଆପଣ ସମ୍ପୂର୍ଣ୍ଣ ସିଲାବସ୍କୁ ସମାପ୍ତ କରିପାରିବେ । ଫିଜିକ୍ସ, କେମିଷ୍ଟ୍ରି ଏବଂ ବାୟୋଲୋଜିକୁ ସମାନ ପରିମାଣର ସମୟ ଦେବାକୁ ପଡିବ । ଫିଜିକ୍ସରେ ମେକାନିକ୍ସ, ଅପ୍ଟିକ୍ସ, ଅର୍ମୋଡାଇନାମିକ୍ସ ଏବଂ ନ୍ୟୁକ୍ଲିୟର ଫିଜିକ୍ସ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । କେମିଷ୍ଟ୍ରିରେ ମୋଲ୍ କନ୍ସେପ୍ଟ, ଜେନେରାଲ ଅର୍ଗାନିକ୍ କେମିଷ୍ଟ୍ରି, କେମିକାଲ ବଣ୍ଡିଙ୍ଗ୍, ପିରିଓଡିକ୍ ଟେବଲ୍ ଏବଂ କୋର୍ଡିନେଶନ୍ କେମିଷ୍ଟ୍ରି ଉପରେ ଅଧିକ ଗୁରୁତ୍ଵ ଦିଅନ୍ତୁ । ବାୟୋଲୋଜିରେ ଇକୋଲୋଜି ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ, ଜେନେଟିକ୍ସ, ସେଲ୍ ବାୟୋଲୋଜି, ମୋର୍ଫୋଲୋଜି ଅଫ୍ ପ୍ଲାଣ୍ଟ୍ସ ଆଣ୍ଡ୍ ଆନିମଲ୍ସ, ରିପ୍ରଡକ୍ସନ ଇନ୍ ପ୍ଲାଣ୍ଟ୍ସ ଆଣ୍ଡ୍ ଆନିମଲ୍ସ, ଫିଜିଓଲୋଜି ଅଫ୍ ପ୍ଲାଣ୍ଟ୍ସ ଆଣ୍ଡ୍ ଆନିମଲ୍ସ ଏବଂ ବେସିକ୍ସ ଅଫ୍ ବାୟୋଟେକ୍ନୋଲୋଜି ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଛାତ୍ରୀଛାତ୍ରଙ୍କୁ ନମୁନା ପ୍ରଶ୍ନ ପତ୍ର କିମ୍ବା ମକ୍ ଟେଷ୍ଟ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କନ୍ସେପ୍ଟକୁ କ୍ଲିୟର କରିଦେବାକୁ ପଡିବ । ଷ୍ଟଡି ମ୍ୟାଟେରିଆଲରେ ଦିଆଯାଇଥିବା ପ୍ରଶ୍ନଗୁଡିକର ପ୍ରାକ୍ଟିସ୍କୁ ଜାରି ରଖିବା ଦରକାର । ସୀମିତ ସଂଖ୍ୟକ ସିଟ୍ ଏବଂ କଡା ପ୍ରତିଯୋଗିତା ବିଷୟରେ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଆଧାର – ଦୈନିକ ଧରିତ୍ରୀ ୨୬ ମାର୍ଚ୍ଚ ୨୦୧୬