ଯଦି ଆଜିର ଯୁବପିଢିଙ୍କୁ ପଚରାଯାଏ ଯେ ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଚାହାଁନ୍ତି ତେବେ ସେମାନେ ଆଇଏଏସ, ଆଇପିଏସ, ସିଏ, ବ୍ୟାଙ୍କ ପିଓ, ଇଞ୍ଜିନିୟର, ଡାକ୍ତର କିମ୍ବା ମ୍ୟାନେଜମେଣ୍ଟ ପ୍ରଫେଶନାଲ ହେବା ପାଇଁ ଇଚ୍ଛା ରଖିଥିବା ପ୍ରକାଶ କରିବେ । ପେସାଗତ କିମ୍ବା ବୈଷୟିକ ଶିକ୍ଷା ସମାପ୍ତି ପରେ ଖୁବ କମ ଛାତ୍ରୀଛାତ୍ର ଉଦ୍ୟୋଗୀ ହେବା ପାଇଁ ମନ ବଳାଇଥାନ୍ତି । ଅନ କ୍ୟାମ୍ପସ କିମ୍ବା ଅଫ କ୍ୟାମ୍ପସ ଜରିଆରେ ଭଲ ଦରମା ଥିବା ଚାକିରିଟିଏ ପାଇବା ସବୁ ଛାତ୍ରୀଛାତ୍ରଙ୍କ ସ୍ଵପ୍ନ ଥାଏ ।
ଦେଶର ଅର୍ଥନୈତିକ ସମସ୍ୟାର ସମାଧାନ ଲାଗି ଛାତ୍ରୀଛାତ୍ର ମାନଙ୍କୁ ଜଣେ ଜଣେ ଉଦ୍ୟୋଗୀ ହେବା ଲାଗି ପ୍ରବର୍ତ୍ତାଇବା ଜରୁରୀ । ଅନେକ ଦେଶରେ ଛାତ୍ରୀଛାତ୍ରମାନେ ପାଠପଢା ସାରିବା ପରେ ନିଜ ନିଜର ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ ଖୋଲିବା ଉପରେ ଅଗ୍ରାଧିକାର ଦେଇଥାନ୍ତି । ସରକାରୀ ଚାକିରିକୁ ସେମାନେ ଦ୍ଵିତୀୟ ବିକଳ୍ପ ଭାବେ ନେଇଥାନ୍ତି । କିନ୍ତୁ ଆମ ଦେଶରେ ବିଶେଷକରି ଓଡିଶାରେ ଏହି ମନୋବୃତ୍ତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖିବାକୁ ମିଳିନଥାଏ । ଏଠାରେ ପିଲାମାନେ ନିଜ ନିଜର ଉଦ୍ୟୋଗ ସ୍ଥାପନ କରିବା ବଦଳରେ ମୋଟା ବେତନ ଯୁକ୍ତ ଚାକିରିକୁ ପସନ୍ଦ କରିଥାନ୍ତି । ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡିବ ବୋଲି ଏମାନେ ଭାବିଥାନ୍ତି । ସଫଳତା ମିଳିବ କିମ୍ବା ନାହିଁ ସେଥିରେ ମଧ୍ୟ ଗ୍ୟାରେଣ୍ଟି ନାହିଁ ବୋଲି ଏମାନେ କୁହନ୍ତି । ଖାଲି ସେତିକି ନୁହଁ , ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଡା ନିଯମାବଳୀ ତଥା କଟକଣା ମଧ୍ୟରେ ଏମାନେ ବ୍ୟବସାୟ କରିବା ନେଇ ପଛଘୁଞ୍ଚା ଦେଇଥାନ୍ତି । କେତେକାଂଶରେ ସେମାନେ ଠିକ । କିନ୍ତୁ ଏଠାରେ କୁହାଯାଇପରିବ ଦେଶରେ ବ୍ୟବସାୟୀକ ଟ୍ରେଣ୍ଡ ବଦଳିଯାଇଛି ।
ସରକାର ଇଜ ଅଫ ଡୁଇଙ୍ଗ ବିଜନେସ ବାତାବରଣରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଚ୍ୟାଲେଞ୍ଜ ନେବା ପାଇଁ ପ୍ରସ୍ତୁତ ଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ଆଇଆଇଏମ ତଥା ଆଇଆଇଟି ଭଳି ବଡବଡ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଚାକିରିକୁ ହାତଛଡା କରି ଆଜି ବ୍ୟବସାୟ ଜଗତରେ ନାଁ କମାଇବା ପାଇଁ ଆଗେଇ ଆସିଲେଣି । ଦେଶରେ ଏମଏସଏମଇ କ୍ଷେତ୍ରରେ ଅଭିବୃଦ୍ଧିରେ ଏମାନଙ୍କର ସକ୍ରିୟ ଭୂମିକା ରହିଛି । ସରକାରଙ୍କ ପ୍ରୋତ୍ସାହନ ମାଧ୍ୟମରେ ଏହି କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରାଯାଇପାରିବ । କାମ ପାଇଁ ଗାଁରୁ ସହରକୁ ପଳାଇ ଆସୁଥିବା ଯୁବପିଢି ନିଜ ସ୍ଥାନରେ ରହି ମଧ୍ୟ ନିଜ ନିଜର ଏମଏସଏମଇ ୟୁନିଟ ଗଠନ କରି ମୋଟା ଅଙ୍କର ରୋଜଗାର କରିପାରିବେ ଏବଂ ଦେଶର ନିଯୁକ୍ତି କ୍ଷେତ୍ରର ଅଭିବୃଦ୍ଧିରେ ନିଜର ଅବଦାନ ମଧ୍ୟ ଦେଇପାରିବେ । ଏମଏସଏମଇ ବର୍ତ୍ତମାନ ଭାରତୀୟ ଶିଳ୍ପ କ୍ଷେତ୍ରରେ ଏକ ଲୋକପ୍ରିୟ ଶବ୍ଦ ପାଲଟିଛି । ସମସ୍ତ ଶିଳ୍ପର ମୂଳରେ ଏହା ରହିଛି । ଏମଏସଏମଇ ବିକାଶ ଆଇନର ସଂଶୋଧନ ଏବଂ ସରକାରଙ୍କ ପ୍ରୋତ୍ସାହନ ଦ୍ଵାରା ବର୍ତ୍ତମାନ ବୃହତ ମାତ୍ରାରେ ଯୁବପିଢି ଏ ଦିଗରେ ଆଗେଇବା ପାଇଁ ଇଚ୍ଛା ପ୍ରକାଶ କଲେଣି । ରାଜ୍ୟ ସରକାର ଏମଏସଏମଇ କ୍ଷେତ୍ରରେ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଉତ୍ପାଦ ପାଇଁ ୩ରୁ ୨୦ ବର୍ଷ ପାଇଁ ଟିକସ ମୁକ୍ତ କାର୍ଯ୍ୟ ପରିବେଶ ପ୍ରଦାନ କରାଯାଉଛି । ଆବଶ୍ୟକ ପୁଞ୍ଜି ତଥା ନିବେଶ ଅନୁସାରେ ଏହି ଉଦ୍ୟୋଗ ଗୁଡିକର ଆକାରକୁ ସ୍ଥିର କରାଯାଇଥାଏ । ଏହି ଏମଏସଏମଇ କ୍ଷେତ୍ରରେ ଯୁବପିଢିଙ୍କ ଲାଗି କିଭଳି ସୁବିଧା ସୁଯୋଗ ରହିଛି ତାହା ଆଜିର ବିଷୟ ବସ୍ତୁ । ଭାରତ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଘରୋଇ ବ୍ୟାଙ୍କ ସହିତ ସମସ୍ତ ବ୍ୟାଙ୍କକୁ ନିବେଶସାପେକ୍ଷ ନୀତି ଆପଣେଇବା ପାଇଁ କୁହାଯାଇଛି । ଉଦ୍ୟୋଗୀ ମାନଙ୍କୁ ତ୍ଵରିତ ସେବା ପ୍ରଦାନକରିବା ଲାଗି ଏକ ସ୍ଵତନ୍ତ୍ର ଏମଏସଏମଇ ଫାଇନାନ୍ସ ୱିଙ୍ଗ ସ୍ଥାପନ କରିବା ପାଇଁ ନିର୍ଦେଶ ଦିଆଯାଇଛି । ସେଲସ ଏମ୍ପ୍ଲାଏଡ ଟେକ୍ନୋକ୍ରାଟ ତଥା ପ୍ରଫେଶନାଲ ମାନଙ୍କ ପାଇଁ ଏଠାରେ ୧୦ ଲକ୍ଷ ଟଙ୍କାରୁ କମ ମୂଲ୍ୟର ରୁଣ ପାଇବା ଅତ୍ୟନ୍ତ ସହଜ, ଯେଉଁଥିରେ ୨ଲକ୍ଷ ୱର୍କିଙ୍ଗ କ୍ୟାପିଟାଲ ଭାବେ ବ୍ୟବହାର କରାଯାଇ ପାରିବ । ସେବା କ୍ଷେତ୍ର ପାଇଁ ସ୍ଵତନ୍ତ୍ର ଫାଇନାନ୍ସ ସ୍କିମ ରହିଛି । ଅନେକ କ୍ଷେତ୍ରରେ ଅନାବଶ୍ୟକ କଟକଣା ଏବଂ ନିୟମ ଏଡାଇବା ଲାଗି ବିଭିନ୍ନ ସରକାରୀ ଏଜେନ୍ସି ସେଲ୍ଫ ଡିକ୍ଳାରେସନ ସୁବିଧା ପ୍ରଦାନ କରୁଛନ୍ତି । ମେକ ଇନ ଇଣ୍ଡିଆ ଅଭିଯାନକୁ ସଫଳ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି । ଆକାଉଣ୍ଟ ଗୁଡିକର ଯାଞ୍ଚ ଆବଶ୍ୟକ ନାହିଁ । ତାଚ୍ଛଡା ୩ବର୍ଷ ପାଇଁ ଟିକସ ଛାଡ ବ୍ୟବସ୍ଥା କରାଯାଇଛି । ପାଣ୍ଠି ଯୋଗାଣ ଏବଂ ଋଣ ସଂଗ୍ରହ ପ୍ରକ୍ରିୟାକୁ ସହଜ କରାଯାଇଛି । ଏସଏମଇ ତଥା ଏମଏସଏମଇ ଏଜେନ୍ସି ଗୁଡିକ ପ୍ରକଳ୍ପ କୁ ମଞ୍ଜୁରୀ ଦେବା ପରେ ବ୍ୟାଙ୍କ ଗୁଡିକ ସରଳ ଋଣ ପ୍ରଦାନ ପ୍ରକ୍ରିୟା ମାଧ୍ୟମରେ ଉଦ୍ୟୋଗୀ ମାନଙ୍କୁ ସାହାଯ୍ୟ କରୁଛନ୍ତି । ନିର୍ଧାରିତ ସମୟ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଦ୍ଵାରା ରିଟେଲ ଲେଣ୍ଡିଂ ସୁବିଧା ପ୍ରଦାନ କରାଯାଉଛି । ବ୍ୟବସାୟ ଋଣ, ଅଟୋ ଋଣ, ବାଣିଜ୍ୟକ ଯାନ ଋଣ, ନିର୍ମାଣ ଯନ୍ତ୍ରାଂଶ ଋଣ ନିମନ୍ତେ ସମ୍ପତି ବଦଳରେ ରିଟେଲ ଲୋନ ପ୍ରଦାନ କରାଯାଉଛି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ସିକ୍ୟୁରୀଟି ରଖାଯାଉ ନାହିଁ । ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଟର୍ମ ଲୋନ ଫ୍ୟାସିଲିଟି ସିଜିଟି ଏମଏସଏମଇ ଦ୍ଵାରା ଗ୍ୟାରେଣ୍ଟି ପ୍ରାପ୍ତ । ଓଡ଼ିଶାକୁ ଅନେକ ଏସଇଜେଡ ଆସୁଛି, ଯେଉଁ ଗୁଡିକ ଉତ୍ପାଦନ କମ୍ପାନୀଗୁଡିକ ନିମନ୍ତେ ସହାୟକ ହେବେ । ଏହି ଏସଇଜେଡ ଗୁଡିକ କମ୍ପାନୀ ମାନଙ୍କୁ ଉତ୍ପାଦନ ଏବଂ ରପ୍ତାନି କ୍ଷେତ୍ରରେ ସୁବିଧା ପ୍ରଦାନ କରିବ। ମେକଇନ ଇଣ୍ଡିଆ ଏବଂ ଷ୍ଟାର୍ଟ ଅଫ ଇଣ୍ଡିଆ ଅଭିଯାନ ପରେ ଓଡିଶା ସମେତ ଅନେକ ରାଜ୍ୟ ଔଦୋଗୀତାକୁ ନୂଆ ଦିଗ ଦେବାପାଇଁ ଆଗେଇ ଆସିଛନ୍ତି । ଯୁବ ନିବେଶକଙ୍କ ପାଇଁ କ୍ୟାରିୟର ର ଢେର ସୁଯୋଗ ରହିଛି ଏହି ଯୁବ ପିଢୀ ଖାଲିଜେ ନିଜେ ସଫଳ ହୋଇପାରିବେ ତାହା ନୁହେଁ , ଦେଶର ନିଯୁକ୍ତି କ୍ଷେତ୍ରକୁ ଏମାନେ ତ୍ୱରାନିତ୍ଵ କରିପାରିବେ । ଓଡିଶାରେ ଖାଦ୍ୟ ପ୍ରକ୍ରିୟାକରଣ , ନଡିଆକତାରୁ ପ୍ରସ୍ତୁତ ଉତ୍ପାଦ ଶିଳ୍ପ, ପ୍ଲାଷ୍ଟିକ ତଥା ଏଥିରୁ ପ୍ରସ୍ତୁତ ଉତ୍ପାଦ , କ୍ଷୁଦ୍ର ଉପକରଣ ଉତ୍ପାଦନ ଶିଳ୍ପ ଔଷଧ , ବୟନଶିଳ୍ପ ଖାଦ୍ୟ ଓ ପାନୀୟ ଏବଂ ଆଇଟି ଓ ଆଇଟିଇଏସ ଶିଳ୍ପ କ୍ଷେତ୍ରରେ ଢେର ସୁଯୋଗ ରହିଛି । ଉପଯୁକ୍ତ ଜ୍ଞାନ ଏବଂ ସାମାନ୍ୟ ଆତ୍ମ ବିଶ୍ୱାସ ଆପଣଙ୍କୁ ଏ କ୍ଷେତ୍ରରେ ସଫଳତା ଦେଇପାରିବ ।
ଓଡିଶା ଅର୍ଥନୀତିରେ ଏମଏସଏମଇ କ୍ଷେତ୍ରର ପ୍ରମୁଖ ଅବଦାନ ରହିଛି । ମୋଟ ରପ୍ତାନୀରେ ଏହାର ଅବଦାନ ୪୦% ଥିବା ବେଳେ ମୋଟ ଉତ୍ପାଦନ କ୍ଷେତ୍ରରେ ଏହାର ଅବଦାନ ୪୫% ରହିଛି । ଏହି କ୍ଷେତ୍ରର ଭବିଷ୍ୟତ ଉଜ୍ଜ୍ୟୋଳ ରହିଥିବାରୁ ଯୁବପିଢି ଏହାକୁ କ୍ୟାରିୟର ର ଏକ ବିକଳ୍ପ ଭାବେ ନେଇ ପାରିବେ । ଆପଣଙ୍କ ନିକଟରେ ଯଦି ଆତ୍ମ ବିଶ୍ୱାସ ରହିଛି ତା’ହେଲେ ସରକାରୀ ଏଜେନ୍ସି ଗୁଡିକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଅପେକ୍ଷାରତ ଅଛନ୍ତି ।
ଆଧାର - କ୍ୟାରିୟର ବ୍ୟୁରୋ
Last Modified : 6/23/2020