ଓଡ଼ିଶାର ଧର୍ମ, ଚଳଣି, ଶିଳ୍ପ, ସାହିତ୍ୟ ଓ କଳାକୁ ନିଜ ଭିତରେ ସମାହିତ କରି ବିକଶିତ ହୋଇଛି ଉତ୍କଳୀୟ ଲୋକସଂସ୍କୃତି ।
ଲୋକସଂସ୍କୃତି ଅନୁଧ୍ୟାନ କରିବା ଅବସରରେ ଗୋଟିଏ ଭୂଖଣ୍ଡର ଲୋକମାନଙ୍କ ମାନସିକ ସଂସ୍କୃତି ବୁଝିବା ସହଜ ହୋଇଥାଏ ।ଓଡ଼ିଶା କ୍ଷେତ୍ରରେ ଓଡ଼ିଆମାନେ ପାଳନ କରୁଥିବା ପର୍ବପର୍ବାଣି, ଓଷାବ୍ରତ ଇତ୍ୟାଦି ଓଡ଼ିଶାର ସାମାଜିକ ଜୀବନକୁ କିପରିସଜୀବ, ସରସ, ଚଳଚଞ୍ଚଳ କରି ରଖିଛି ଦେଖିଲେ ସଂସ୍କୃତିର ଚିତ୍ତାକର୍ଷକ ଦିଗଟି ଉନ୍ମୋଚିତ ହୋଇଯାଏ ।କଥାରେ ଅଛି, ବାର ମାସରେ ଆମର ତେର ଓଷା । ମହାବିଷୁବ ସଂକ୍ରାନ୍ତି ଓଡ଼ିଶାର ଗୋଟିଏ ମୁଖ୍ୟ ପର୍ବ । ନବବର୍ଷର ଆରମ୍ଭ ଏହିଦିନଠାରୁ ହୁଏ । ସୌର ମେଷ ମାସର ଏହା ପ୍ରଥମ ଦିନ ।ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବିଷୁବ ସଂକ୍ରାନ୍ତିରେ ଦିନରାତି ସମାନ ହୁଏ । ଓଡ଼ିଶା ପାଞ୍ଜିରେ ଏହି ଦିନଟିକୁ ନବବର୍ଷର ପ୍ରଥମ ଦିନ ରୂପେ ଉଲ୍ଲେଖ କରାଯାଇଛି । ଗ୍ରାମାଞ୍ଚଳରେ ଏହାକୁ ପଣାସଂକ୍ରାନ୍ତି କୁହାଯାଏ ।ମନ୍ଦିରରେ ପଣା ଦେଇ ପୂଜା କରିବା ସହିତ ଅତିଥି ଅଭ୍ୟାଗତ, ବନ୍ଧୁମିଳନରେ ପଣା ବଣ୍ଟନ କରାଯାଏ ।
ଗ୍ରହରାଜ ସୂର୍ଯ୍ୟ ଉତ୍ତରାୟଣ ଗତିକରି ଭାରତର ନିକଟବର୍ତ୍ତୀ ହେବା କାରଣରୁ ଗ୍ରୀଷ୍ମ କ୍ରମଶଃ ଅଧିକ ହୁଏ । ବିଷୁବସଂକ୍ରାନ୍ତିରେ ଝାମୁ ଯାତ, ଦଣ୍ଡନାଟ ଏକ ବିଶେଷ ଆକର୍ଷଣ । ମଙ୍ଗଳା, ହିଙ୍ଗୁଳା, ଭଗବତୀ, ଦକ୍ଷିଣୀଚଣ୍ଡୀ, ଗ୍ରାମ ଦେବତୀ, ହରପାର୍ବତୀ ଆଦି ଦେବୀଙ୍କ ନିକଟରେ ଜଳନ୍ତା କୋଇଲା ଉପରେ ଚାଲିବା ବହୁକାଳରୁ ପ୍ରଚଳିତ ଏକ ବିଧି ।
ଝଙ୍କଡର ଶାରଳା, ବାଙ୍କୀର ଚର୍ଚ୍ଚିକା, କାକଟପୁର ମଙ୍ଗଳା(ଚୈତ୍ର ଶେଷ ମଙ୍ଗଳବାର) ବାଣପୁର ଭଗବତୀ, ନରଣଗଡ଼ ଦକ୍ଷିଣୀଚଣ୍ଡୀଙ୍କ ପାଖରେ ହୋଇଥିବା ଝାମୁଯାତ୍ରାର ଖ୍ୟାତି ରହିଛି । ଓଡ଼ିଶାର ଅନ୍ୟ ବହୁ ସହର ଗ୍ରାମରେ ଅଗ୍ନିରେ ଚାଲିବା ପର୍ବ ପାଳିତ ହୁଏ । ଠାକୁରାଣୀମାନଙ୍କ କାଳଶିମାନେ ପ୍ରଥମେ ଝାମୁରେ ଚାଲନ୍ତି । ଏଥିପାଇଁ ବଡବଡ ଅହିଆ ଖୋଳାଯାଇ ସେଥିରେ ଡହ ଡହ କାଠକୋଇଲା ରଖାଯାଇଥାଏ । ଅହିଆ ଦୁଇମୁଣ୍ଡରେ ଦହିହାଣ୍ଡି ଓ ପାଣିହାଣ୍ଡି ଥାଏ । କାଳଶି ବ୍ୟତୀତ ମାନସିକ କରିଥିବା ଭଗତାମାନେ ଝାମୁରେ ଚାଲିଥା’ନ୍ତି । ଏମାନେ ପୂର୍ବରୁ ସାତ୍ତ୍ଵିକ ଭୋଜନ ସହ ସାତ୍ତ୍ଵିକ ଭାବରେ ଦେବୀଙ୍କ ଧ୍ୟାନରେ ଥା’ନ୍ତି। ଏତାଦୃଶ୍ୟ ବିଶ୍ଵାସ ଯୋଗୁଁ ରଡ଼ ନିଆଁରେ ଚାଲି ମଧ୍ୟ କାହାର ଗୋଡ଼ ଫୋଟକା ହୁଏ ନାହିଁ ।
କେତେକ ଅଞ୍ଚଳରେ ପଣାସଂକ୍ରାନ୍ତିରେ ପାଟୁଆ ଯାତ ହୁଏ । ପାଟୁଆମାନେ ମଧ୍ୟ ବଡପାଟୁଆଙ୍କ ନିର୍ଦେଶାନୁଯାୟୀ ନିଆଁରେ ଚାଲିଥା’ନ୍ତି । ଅଗ୍ନିରେ ଚାଲିବା ଧର୍ମାଚାର କେବଳ ଓଡ଼ିଶାରେ ପ୍ରଚଳିତ କହିଲେ ଠିକ୍ ହେବ ନାହିଁ । ବହୁ ପ୍ରାଚୀନକାଳରୁ ବିଶ୍ଵର ବହୁ ଅଞ୍ଚଳରେ ଏହାର ପ୍ରଚଳନ ଥିବାର ନିଜର ଅଛି । ଇଣ୍ଡୋନେସିଆ ଓ ବାଲିଦ୍ଵୀପରେ ଏହା ଏକ ପ୍ରାଚୀନ ବିଧି । ତେବେ ସ୍ପେନ ଓ ନିଉଜିଲାଣ୍ଡ ଭଳି ଦେଶରେ ମଧ୍ୟ ଏହାର ପ୍ରଚଳନ ରହିଛି ।
ମହାବିଷୁବ ସଂକ୍ରାନ୍ତି ସାମାଜିକ ସଂହତିର ପର୍ବ । ବନ୍ଧୁବାନ୍ଧବ ସମେତ ଅଜଣା ଅତିଥିଙ୍କୁ ଆପ୍ୟାୟିତ କରିବାର ଆଗ୍ରହ ସୃଷ୍ଟିକରେ ମଣିଷ ମନରେ ଦୃଢତା । ମଣିଷପଣିଆ ଯେ ମଣିଷ ଥିବା ଯାଏଁ ଜିଇ ରହିବ ଏହା ତା’ର ପ୍ରମାଣ ।
ଆଧାର – ଦୈନିକ ସମାଜ
୧୦ ଏପ୍ରିଲ ୨୦୧୬
Last Modified : 1/26/2020