ଉପକ୍ରମ ପାଖେଇ ଆସୁଛି ପରୀକ୍ଷା । ସରିଯାଇଛି ଶିକ୍ଷାନୁଷ୍ଠାନଗୁଡ଼ିକରେ ବାର୍ଷିକ ପାଠପଢା । ଆଉ ବର୍ତ୍ତମାନ ଶିକ୍ଷାର୍ଥୀଙ୍କ ଲାଗି ସମୟ କୋର୍ସ ରିଭିଜନର । ବର୍ତ୍ତମାନ ପରୀକ୍ଷା ସମୟ ପାଖେଇ ଆସିଛି । ସ୍କୁଲ, କଲେଜରେ ମଧ୍ୟ ପାଠପଢା ସରିଯାଇଛି । ସାରା ବର୍ଷ ମଧ୍ୟରେ କ୍ରମଶଃ ପଢାଯାଉଥିବା ପାଠ ଅର୍ଥାତ୍ ଲଙ୍ଗ୍ ଟର୍ମ ଷ୍ଟଡି ବା ଏକ୍ସଟେନ୍ସିଭ ଷ୍ଟଡି ସରିବା ପରେ ବର୍ତ୍ତମାନ କୋର୍ସ ରିଭିଜନ ଅର୍ଥାତ୍ ଶର୍ଟଟର୍ମ ଷ୍ଟଡି ବା ଇଣ୍ଟେନ୍ସିଭ ‘ଷ୍ଟଡିର ସମୟ । ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ଲାଗି ଶିକ୍ଷାର୍ଥୀ ଏହି ସମୟରେ ପ୍ରସ୍ତୁତ ହେବା ଦରକାର । ପରୀକ୍ଷାପାଇଁ ପ୍ରସ୍ତୁତି ତେବେ ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ଲାଗି ଶିକ୍ଷାର୍ଥୀ ଏହି ସମୟରେ କିଭଳି ପ୍ରସ୍ତୁତ ହେବା ଦରକାର ଜାଣିରଖନ୍ତୁ ସେ ସମ୍ପର୍କରେ… ପାଠପଢା କେବେ କମ୍ ଦିନ ମଧ୍ୟରେ ହୋଇ ନଥାଏ । ତେଣୁ ବର୍ଷସାରା ସ୍କୁଲ କଲେଜ ଏବଂ ଟ୍ୟୁଶନରେ ପଢାଯାଉଥିବା ପାଠ ପ୍ରତି ଯତ୍ନଶୀଳ ହେବା ଦରକାର । ତେବେ ପରୀକ୍ଷା ପୂର୍ବରୁ ମିଳୁଥିବା ଦିନଗୁଡ଼ିକରେ ଭଲ ଭାବେ ପ୍ରସ୍ତୁତ ହେବା ଲାଗି ପ୍ରଥମ କଥା ହେଉଛି ଏକ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବା, ଯାହାଦ୍ଵାରା ପ୍ରତ୍ୟେକ ବିଷୟକୁ ପଢିବା ଲାଗି ସମାନ ସମୟ ମିଳିଥାଏ । ଅଧିକାଂଶ ସମୟରେ ଦେଖାଯାଏ ଅନେକ ଶିକ୍ଷାର୍ଥୀ ନିଜ ପ୍ରିୟ ବିଷୟକୁ ଅଧିକ ସମୟ ଦେଉଥିବା ବେଳେ କଷ୍ଟ ଲାଗୁଥିବା ବିଷୟ ପ୍ରତି ଅବହେଳା କରି ବସନ୍ତି । ଏହାଦ୍ୱାରା ଉକ୍ତ ବିଷୟଗୁଡିକରେ କମ୍ ନମ୍ବର ଆସିଥାଏ । ତେଣୁ ଭଲ ନମ୍ବର ପାଇବା ଲାଗି ସମସ୍ତ ବିଷୟକୁ ସମାନ ଗୁରୁତ୍ଵ ଦେବା ଦରକାର । ତେବେ ଯେଉଁ ବିଷୟ ମନେ ରଖିବାରେ ବା ବୁଝିବାରେ କଷ୍ଟ ହେଉଛି ତାକୁ ପଢିବା ପାଇଁ ପାହାନ୍ତା ସମୟ ବା ବ୍ରାହ୍ମ ମୁହୂର୍ତ୍ତ ସବୁଠୁ ଭଲ । କାରଣ ଏହି ସମୟରେ ମସ୍ତିଷ୍କ ସବୁଠାରୁ ଅଧିକ ସକ୍ରିୟ ରହିଥିବାରୁ ପାଠ ସହଜରେ ମନେ ରହିଥାଏ । ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା ପଢିବା ଲାଗି ଏକ ନିରୋଳା ସ୍ଥାନ ବାଛନ୍ତୁ । ଅନେକ ରିଭିଜନ ପାଇଁ କେବଳ ସବୁ ପାଠକୁ ଥରେ ଲେଖାଏଁ ପଢିଦିଅନ୍ତି, ଯାହାକୁ ସାଧାରଣତଃ ସ୍କାନ୍ କୁହାଯାଇଥାଏ । ହେଲେ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । କାରଣ ଅଭ୍ୟାସ ଦ୍ଵାରା ହିଁ ସଫଳତା ମିଳିଥାଏ । ତେଣୁ ଯାହା ବି ପଢୁଛନ୍ତି ତାକୁ ମନେରଖିବା ଲାଗି ପାଟି କରି ପଢନ୍ତୁ । ଏହା ସହିତ ଉକ୍ତ ପାଠକୁ ଲେଖନ୍ତୁ । ତେବେ ସମସ୍ତ ପାଠ ପଢିବା ସହିତ ପୂର୍ବ କିଛି ବର୍ଷଗୁଡ଼ିକରେ ପରୀକ୍ଷାରେ ଆସିଥିବା ପ୍ରଶ୍ନପତ୍ର ଅନୁଯାୟୀ ସମ୍ଭାବ୍ୟ ପ୍ରଶ୍ନ ବାଛି ମଧ୍ୟ ଏହାକୁ ଭଲଭାବେ ଅଭ୍ୟାସ କରିବା ଦରକାର । ଏଥିପାଇଁ ଆପଣ ଅଧ୍ୟାପିକା ଅଧ୍ୟାପକଙ୍କ ସହାୟତା ମଧ୍ୟ ନେଇପାରିବେ । ଏହି ସମୟରେ ପାଠକୁ ପଢିବା ଏବଂ ଲେଖିବା ଦ୍ଵାରା ଯେ କେବଳ ମନେରହିଥାଏ ତା’ ନୁହେଁ ବରଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାର ଅଭ୍ୟାସ ମଧ୍ୟ ହୋଇଥାଏ । ଫଳସ୍ୱରୂପ ପରୀକ୍ଷାରେ ସମୟ ଅଭାବରୁ ପ୍ରଶ୍ନ ଛାଡି ଆସିବା କିମ୍ବା ଗୋଟିଏ ପ୍ରଶ୍ନର ଉତ୍ତର ଆବଶ୍ୟକରୁ ଅଧିକ ଲେଖିବା ଏବଂ ଅନ୍ୟଗୁଡିକୁ କମାଇବା ଭଳି ସମସ୍ୟା ମଧ୍ୟ ରହି ନ ଥାଏ । ତେବେ ପରୀକ୍ଷା କମ୍ ଦିନ ଥିବାରୁ ଅନେକ ଟେଷ୍ଟ ପେପର, ସାମ୍ପୁଲ ପେପର କିମ୍ବା ସାଙ୍ଗସାଥୀଙ୍କ ଠାରୁ ନୋଟ୍ ସଂଗ୍ରହ କରି ଘୋଷି ମନେରଖିବାର ଅଭ୍ୟାସ ରଖିଥାନ୍ତି । ହେଲେ ଘୋଷିଥିବା ପ୍ରଶ୍ନ ନ ଆସିଲେ, ଉତ୍ତର ଅଧାରୁ ମନେ ନ ପଡିଲେ କିମ୍ବା ସମାନ ପ୍ରଶ୍ନକୁ ବଦଳାଯାଇ ପଚରାଯାଇ ଥିଲେ ସେମାନେ ଏହାର ଉତ୍ତର ଦେଇପାରି ନ ଥାନ୍ତି । ତେଣୁ ପାଠ ଘୋଷିବା ପରିବର୍ତ୍ତେ ଭଲଭାବେ ବୁଝି ମନେରଖନ୍ତୁ । ପରୀକ୍ଷା ପୂର୍ବରୁ ପାଠର ବୋଝ ଅନେକ ପରୀକ୍ଷାର୍ଥୀଙ୍କ ମାନସିକ ଚାପକୁ ବଢାଇଦିଏ । କମ୍ ଦିନ ମଧ୍ୟରେ ଏତେ ପାଠ କିପରି ପଢିବି, ପରୀକ୍ଷାରେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବି କି ନାହିଁ, ମୋର ମାର୍କ କମିଯିବାନି ତ, ଯଦି ଫେଲ୍ ହୋଇଯାଏ ତେବେ କ’ଣ କରିବି ଭଳି ଅନେକ ପ୍ରଶ୍ନ ମଧ୍ୟ ସେମାନଙ୍କ ମନକୁ ଭାରାକ୍ରାନ୍ତ କରିଦିଏ । ହେଲେ ଏଭଳି ଭାବନାଦ୍ଵାରା ପାଠପଢା ବାଧାପ୍ରାପ୍ତ ହୋଇଥାଏ । ତେଣୁ ପ୍ରଥମେ ନିଜେ ନିଜର ଦୁର୍ବଳତା ଜାଣିବାକୁ ଚେଷ୍ଟା କରନ୍ତୁ ମନ ହାଲୁକା କରି ପାଠପଢାରେ ଧ୍ୟାନ ଦିଅନ୍ତୁ । ଏହାଦ୍ଵାରା ମାନସିକ ସ୍ଥିରତା ବୃଦ୍ଧି ପାଇବ ଏବଂ ପାଠ ସହଜରେ ମନେ ରହିବ । ପରୀକ୍ଷା କମ୍ ସମୟ ଅଛି, ତେଣୁ ଦିନରାତି ପଢିବା ଦରକାର, ଏଭଳି ଚିନ୍ତାଧାରା ଆଦୌ ଠିକ୍ ନୁହେଁ । କାରଣ ମସ୍ତିଷ୍କକୁ ବିଶ୍ରାମ ନ ମିଳିଲେ ସ୍ମରଣଶକ୍ତି ଏବଂ ଏକାଗ୍ରତା ବାଧାପ୍ରାପ୍ତ ହୋଇଥାଏ । ତା’ ଛଡା ପୂର୍ବଦିନଗୁଡ଼ିକରେ ପରୀକ୍ଷା ପ୍ରସ୍ତୁତି ଲାଗି ନିଦ୍ରା ଅଭାବରୁ ପରୀକ୍ଷା ସମୟରେ ଅଜୀର୍ଣ୍ଣ, ବାନ୍ତି, ଝାଡା, ମୁଣ୍ଡବିନ୍ଧା, ଆଖି ପୋଡିବା, ଠିକ୍ ସମୟରେ ପାଠ ମନେ ନ ପଢିବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ପଢିବା ସହିତ ନିଜ ଟାଇମ୍ ଟେବୁଲର ଶୋଇବା ଲାଗି ମଧ୍ୟ ଅତି କମ୍ ରେ ୫-୬ ଘଣ୍ଟା ସମୟ ରଖନ୍ତୁ । ଠିକ୍ ସେହିଭଳି ପଢିବା ନିଶାରେ ଖାଦ୍ୟପେୟକୁ ମଧ୍ୟ ଅବହେଳା କରନ୍ତୁ ନାହିଁ । କାରଣ ପରୀକ୍ଷା ସମୟରେ ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ଲାଗି ଆବଶ୍ୟକ ମାତ୍ରାରେ ଖାଦ୍ୟ ଜରୁରୀ । ମାନସିକ ଦକ୍ଷତା ବୃଦ୍ଧି କରିବା ଲାଗି ପ୍ରଚୁର ପାଣି ପିଇବା ସହିତ ଗ୍ଲୁକୋଜ, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ଯଥା ସମ୍ଭବ ତେଲ ମସଲା, ଫାଷ୍ଟଫୁଡ୍ ଭଳି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ପାଠ ପ୍ରତି ଏକାଗ୍ରତା ରଖିବା ଭଲ । ହେଲେ ପରୀକ୍ଷା ପାଖେଇ ଆସିଲେ ପଢିବା ନିଶାରେ ମନୋରଞ୍ଜନଠାରୁ ସମ୍ପୂର୍ଣ୍ଣ ଦୂରେଇଯିବା ଆଦୌ ଠିକ୍ ନୁହେଁ । ଆଧାର – ଦୈନିକ ଧରିତ୍ରୀ