୪୦ ବର୍ଷ ବୟସ୍କ ବ୍ୟକ୍ତି ନିଯୁକ୍ତି ଆଜିର ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ କମ୍ ବୟସର ଯୁବ ପ୍ରତିଭାଙ୍କ ସାମ୍ନାରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ନିଯୁକ୍ତି ପାଇଁ ପ୍ରତିଯୋଗିତା କରିବାରେ ନିଶ୍ଚିତ ଭାବେ ନିରୁତ୍ସାହିତ ହେବ । ନିଜେ ଟେକ୍ଲୋସାଭି ନ ହେବା, ପରିବର୍ତ୍ତତ ବ୍ୟବସ୍ଥାରେ ନିଜକୁ ଅଯୋଗ୍ୟ ମନେକରିବା ଏହାର କାରଣ ହୋଇପାରେ । କିନ୍ତୁ ସେମାନେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଠିକ୍ ସମୟରେ କର୍ମ ସଂସ୍ଥାନରେ ଯୋଗଦେଇ ପାରନ୍ତି ନାହିଁ। ସ୍ଵାସ୍ଥ୍ୟଗତ ସମସ୍ୟା ଅବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ବାରମ୍ବାର ବିଫଳତା କାରଣରୁ ସମୟ ଅତିକ୍ରାନ୍ତ ମଧ୍ୟ ହୋଇଯାଏ । ସେହିପରି ନିଜଠାରୁ କମ୍ ବୟସର ପିଲାଙ୍କୁ ଦେଖ୍ ନିଜକୁ ସଙ୍କୋଚ ବୋଧ ହୁଏ । କିନ୍ତୁ ସମୟ ଅତିକ୍ରାନ୍ତ ହୋଇଗଲେ ଯେ, ନିଯୁକ୍ତି ମିଳିବ ନାହିଁ ତାହା ନୁହେଁ ବରଂ ନିଜ ପ୍ରତିଦ୍ଵନ୍ଦ୍ୱିଙ୍କ ସାମ୍ନାରେ ନିଜକୁ ପ୍ରଦର୍ଶନ କରି ଲକ୍ଷ୍ୟ ହାସଲ କରିବାରେ ବାହାଦୁରି ରହିଛି। ସେହିପରି ଅନେକ ଅଭିଜ୍ଞ ଏବଂ ବୟସ୍କ ବ୍ୟକ୍ତି ନିଜ ସ୍ୱପ୍ନର କ୍ୟାରିୟର ମଧ୍ୟ କରି ପାରି ନ ଥାନ୍ତି । ବୟସ ଯଦି ୪୦ ବର୍ଷ ପାର ହୋଇ ଯାଇଛି ଏବଂ ନିଜ ସ୍ୱପ୍ନର କ୍ୟାରିୟର ଗଢିପାରି ନାହାନ୍ତି ସେଥିପାଇଁ କ’ଣ ପରାମର୍ଶ ଦିଅନ୍ତି କ୍ୟାରିୟର କନସଲଟାଣ୍ଟ ଏଠାରେ ବର୍ଣ୍ଣନା କରାଗଲା । କିପରି କ୍ୟାରିୟର ଗଢିବେ ବୟସ ବଢିଯାଇଥିବାରୁ ଆପଣ ସମୟ ହରାଇଥିଲେ ମଧ୍ୟ, ଭାବନ୍ତୁ ବହୁତ କିଛି ଅର୍ଜନ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା, ବିଫଳତାର ଅଭିଜ୍ଞତା, ବହୁ ସାକ୍ଷାତକାରର ଅନୁଭୂତି, ପ୍ରତିଯୋଗିତାର ଧାରା ଇତ୍ୟାଦି । ଏହାକୁ ଆପଣ ସକାରାତ୍ମକ ଦିଗରୁ ଚିନ୍ତା କରନ୍ତୁ । କଥାରେ ଅଛି ଶିକ୍ଷାର ସମାପ୍ତି ନାହିଁ । ଜ୍ଞାନର ଅନ୍ତା ନାହିଁ। ସେଥିପାଇଁ ବିଦ୍ୟା ଅର୍ଜନର ଧାରାକୁ ଅବ୍ୟାହତ ରଖନ୍ତୁ। ପାଠ ପଢିବା, ଅଭ୍ୟାସ କରିବା ଏବଂ ଜାଣିବାର ଜିଜ୍ଞାସା ଓ ଶିଖିବାର ଅଭିପ୍ସାକୁ ସଦାବେଳେ ଜାଗ୍ରତ ରଖନ୍ତୁ । ଅନେକଙ୍କ ମନରେ ଏକ ଧାରଣା ଯେ, ଯଦି କୌଣସି ବ୍ୟକ୍ତି ପୁରୁଣା ଏବଂ ଚିରାଚରିତ ବ୍ୟବସ୍ଥାରେ କାର୍ଯ୍ୟ କରିଛନ୍ତି, ସେ ଯେତେ ଅଭିଜ୍ଞ ହେଲେ ମଧ୍ୟ ତାଙ୍କର ନୂତନ ଜ୍ଞାନକୌଶଳ ସମ୍ପର୍କରେ କିଛି ଧାରଣା ନାହିଁ। କିନ୍ତୁ ଯେଉଁ ବୟସ୍କ କର୍ମଜୀବୀ ଏହାକୁ ମିଥ୍ୟା ପ୍ରମାଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବର୍ତ୍ତମାନର ଦୃତ ପ୍ରଗତିଶୀଳ ଏବଂ ବ୍ୟବହାର୍ଯ୍ୟ ବୈଷୟିକ ଜ୍ଞାନକୌଶଳ ସହିତ ଖାପ ଖୁଆଇବାକୁ ପଡିବ । ପରିବର୍ତ୍ତନ ସୁନିଶ୍ଚିତ । ଆଜି ଯେଉଁ ବ୍ୟବସ୍ଥାରେ କାର୍ଯ୍ୟ ହେଉଛି, ୧୦ ବର୍ଷ ପରେ ସେଥିରେ ନିଶ୍ଚିତ ପରିବର୍ତ୍ତନ ଆସିବ । ପୂର୍ବରୁ ସବୁ ହାତ ଲେଖା ବିଲ୍ ହେଉଥିଲା। ଏବେ କମ୍ପ୍ୟୁଟର ବିଲିଂ ହେଉଛି । ଆଗକୁ ଆଉ କେଉଁ ନୂତନ ବ୍ୟବସ୍ଥା ଆସିପାରେ । ତେଣୁ ବଦଳୁଥିବା ବ୍ୟବସ୍ଥା ଓ ପରିବର୍ତ୍ତନଶୀଳ ଦୁନିଆରେ ନିଜକୁ ସଦାବେଳେ ଫିଟ୍ ବୋଲି ପ୍ରମାଣିତ କରିବା ଉଚିତ । କ୍ୟାରିୟର କନସଲଟାଣ୍ଟଙ୍କ ମତରେ ଅନେକ ଅଭିଜ୍ଞ ଓ ବରିଷ୍ଠ ବ୍ୟକ୍ତି ନିଜ ସ୍ଵପ୍ନର ପଦବୀ ପାଇଁ ଯୁବ ପ୍ରତିଭାଙ୍କ ସହିତ ପ୍ରତିଯୋଗିତା କରିବାରେ ଭୟ କରନ୍ତି । କିନ୍ତୁ ସେମାନେ ନିଜର ଦୀର୍ଘ ଅଭିଜ୍ଞତାକୁ ଆକଳନ କରି ନ ଥାନ୍ତି । ଅଭିଜ୍ଞତା ହିଁ ସବୁ କିଛି । ସେମାନେ ନିଜ ଅନୁଭୂତି ଓ ଅଭିଜ୍ଞତାକୁ ମୂଳ ଅସ୍ତ୍ର କରିବା ଦରକାର ବୋଲି ବିଶେଷଜ୍ଞମାନେ କୁହନ୍ତି । ସଂଗୃହିତ: ପ.କ୍ ପ୍ରମାନିକ