ଦିନ ଥିଲା ଯେତେବେଳେ ଗରିବ ଛାତ୍ରୀଛାତ୍ରମାନେ ଆର୍ଥିକ ସମସ୍ୟା ଯୋଗୁ ଉଚ୍ଚ ଶିକ୍ଷା ଲାଭ କରିପାରୁ ନଥିଲେ । ସେମାନଙ୍କ ସ୍ଵପ୍ନ ଅଧାରେ ରହି ଯାଉଥିଲା । ନିଜ ଇଚ୍ଛା ଏବଂ ପସନ୍ଦ ମୁତାବକ କ୍ୟାରିୟର କରିବାରେ ସକ୍ଷମ ନହେବା ଯୋଗୁ ସେମାନଙ୍କ ମନରେ ନିରାଶାଭାବ ପ୍ରକାଶ ପାଉଥିଲା । ଦେଶ ତଥା ଦେଶ ବାହାରେ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପଢିବା ପାଇଁ ଇଚ୍ଛା ଥିଲେ ବି ମାତାପିତାଙ୍କ ଆର୍ଥିକ ଦୁରବସ୍ଥା ଯୋଗୁ ପିଲାମାନଙ୍କୁ ବାଧ୍ୟ ହୋଇ ଅନ୍ୟ କୋର୍ସ କରିବାକୁ ପଡୁଥିଲା । ଆଇଆଇଟି, ଆଇଆଇଏମ୍ ତଥା ଅନ୍ୟାନ୍ୟ ବଡ ବଡ ଇଞ୍ଜିନିୟରିଂ କଲେଜ୍ ର ଉଚ୍ଚ କୋର୍ସ ଫି’ ଯୋଗୁ ପିଲାମାନେ ଏଠାରେ ପଢିବା ପାଇଁ ଚିନ୍ତା ମଧ୍ୟ କରୁ ନ ଥିଲେ । ଖାଲି ସେତିକି ନୁହେଁ ଟ୍ୟୁଶନ ଫି’, ବହିପତ୍ର ତଥା ହଷ୍ଟେଲ ଖର୍ଚ୍ଚ ଏଗୁଡିକ ମିଶିଲେ ଏହାର ଭରଣା କରିବା କଥା ମାତାପିତାମାନେ ଭାବୁ ନଥିଲେ । ଏବେ ମଧ୍ୟ ଆଇଆଇଟି ଏବଂ ଆଇଆଇଏମ୍ ଭଳି ଲୋକପ୍ରିୟ ଶିକ୍ଷାନୁଷ୍ଠାନରେ କୋର୍ସ ଫି’ ଉଚ୍ଚ ରହୁଛି, ଯାହାକି ଅନେକ ଅଭିଭାବଙ୍କ ପାଇଁ ଭରଣା କରିବା କଷ୍ଟକର ବ୍ୟାପାର ପାଲଟିଛି । ଏଭଳି କ୍ଷେତ୍ରରେ ଛାତ୍ରୀଛାତ୍ରମାନେ ସେମାନଙ୍କ ମନପସନ୍ଦର ଶିକ୍ଷାନୁଷ୍ଠାନରେ ପଢିବା ପରିବର୍ତ୍ତେ ରୋଜଗାର କରି ପରିବାର ଗୁଜରାଣ ମେଣ୍ଟାଇବା ଦିଗରେ ଅଗ୍ରସର ହେଉଛନ୍ତି । ନିଜ ସ୍ଵପ୍ନକୁ ପୂରଣ କରିବାରେ ବିଫଳ ହେବା ହେତୁ ଜୀବନକାଳ ପର୍ଯ୍ୟନ୍ତ ସେମାନେ ମନଊଣା କରିଥାନ୍ତି ।
କିନ୍ତୁ କଥା ହେଉଛି ଏବେ ସମୟ ବଦଳିବା ସହ ଶିକ୍ଷା ଟ୍ରେଣ୍ଡ୍ ମଧ୍ୟ ବଦଳିଛି । ପିଲାମାନଙ୍କ ପାଇଁ ସମସ୍ୟାର ସମାଧାନ ପାଲଟିଛନ୍ତି ବିଭିନ୍ନ ସରକାରୀ ତଥା ଘରୋଇ ବ୍ୟାଙ୍କ । ସ୍ଵଚ୍ଛ ପଦ୍ଧତି ମାଧ୍ୟମରେ ସମସ୍ୟାବିହୀନ ଶିକ୍ଷାଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କଗୁଡିକ ଆଗେଇ ଆସିଛନ୍ତି । ଏମ୍ବିଏ, ଇଞ୍ଜିନିୟରିଂ ଏବଂ ମେଡିକାଲ ଭଳି କୋର୍ସ ନିମନ୍ତେ ଏମାନେ ଶିକ୍ଷାଋଣ ପ୍ରଦାନ କରୁଛନ୍ତି । ଏଥିପାଇଁ ମାତାପିତାଙ୍କୁ ସେମାନଙ୍କ ଜମି ବିକ୍ରି କରିବାକୁ ପଡୁନାହିଁ କିମ୍ବା ସମ୍ପତ୍ତି ବନ୍ଧା ପକାଇବାକୁ ମଧ୍ୟ ପଡୁନାହିଁ । ବିନା ବିଳମ୍ବରେ ଋଣ ମିଳିଯାଉଛି । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଅନେକ ଅଭିଯାନ ଆରମ୍ଭ କରାଯାଇଛି, ଯାହା ଅଧୀନରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଜାତୀୟ ଦକ୍ଷତା ବିକାଶ କାଉନ୍ସିଲ ଅଧୀନରେ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏହା ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅତି ସହଜରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ବିଦ୍ୟାଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଅତି ସହଜରେ ଶିକ୍ଷା ଋଣ ମିଳିଯାଉଛି ।
ସମ୍ପ୍ରତି ଆଇଆଇଟି, ଆଇଆଇଏମ୍ ତଥା ଏମ୍ସ ସହିତ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ପାଠ୍ୟକ୍ରମ ଯେପରି ଆଇଟିଆଇ, ଡିପ୍ଲୋମା କିମ୍ବା ଡିଗ୍ରୀ କୋର୍ସ ପାଇଁ ମଧ୍ୟ ଶିକ୍ଷା ଋଣ ସୁବିଧା ଉପଲବ୍ଧ କରାଯାଇଛି । ଏଠାରେ ସୁଧ ହାର ସାଧାରଣ ଶିକ୍ଷା ଋଣ ତୁଳନାରେ ସାମାନ୍ୟ ଅଧିକ । ବିଦ୍ୟାଲକ୍ଷ୍ମୀ ସ୍କିମ୍ କ୍ଷେତ୍ରରେ ବିଭିନ୍ନ ସରକାର ତଥା ଘରୋଇ ବ୍ୟାଙ୍କ ଅଂଶୀଦାର ଅଛନ୍ତି । ଏହି ବ୍ୟାଙ୍କଗୁଡିକ ମଧ୍ୟରେ ଏସ୍ବାଆଇ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, କାନାରା ବ୍ୟାଙ୍କ, ଦେନା ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ, ଡସ୍ ବ୍ୟାଙ୍କ ଆଦି ରହିଛନ୍ତି । ମୁଖ୍ୟ ପ୍ରମୋଟର ଅଛନ୍ତି ଆଇଡିବିଆଇ, ୟୁଟିଆଇ ଏବଂ ଏନ୍ଏସ୍ଇ, ଯେଉଁମାନେ ବିଦ୍ୟାଲକ୍ଷ୍ମୀ ସ୍କିମ୍କୁ ପରିଚାଳନା କରିବେ । ବର୍ତ୍ତମାନ ସମୟରେ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ମ୍ୟାନେଜ୍ମେଣ୍ଟ କୋର୍ସଗୁଡିକରେ ଫି’ ଅଧିକ ରହୁଥିବାବେଳେ ଶିକ୍ଷା ଋଣ ନିତାନ୍ତ ଭାବେ ଜରୁରୀ ।
ଗୃହ ଏବଂ ଯାନ ଋଣ ତୁଳନାରେ ଶିକ୍ଷା ଋଣ ସୁଧ ହାର ସାମାନ୍ୟ ଅଧିକ ରହିଥାଏ । ବ୍ୟକ୍ତିଗତ ଋଣ ସହିତ ଏହା ପାଖାପାଖି ସମାନ ଥାଏ । ବାର୍ଷିକ ସୁଧ ହାର ୧୧.୩୦% ରେଞ୍ଜ୍ ରେ ରହିଥାଏ ।
ସୁଧ ହାରରେ କିଛି ରୁହାତି ସୁବିଧା : ଏସ୍ବିଆଇ ସ୍କଲାର ଲୋନ୍ ଅଧୀନରେ ଉନ୍ନତ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରମାନେ କିଛି ରିହାତି ବ୍ୟବସ୍ଥା ରହିଛି ।
ବିଦ୍ୟାଲକ୍ଷ୍ମୀ ସ୍କିମ୍ ରେ କିପରି ଋଣ ପାଇପାରିବେ : ଉଚ୍ଚ ଶିକ୍ଷାର ପ୍ରସାର କ୍ଷେତ୍ରରେ ସରକାରଙ୍କ ଏହା ନୂଆ ଯୋଜନା ହୋଇଥିବାବେଳେ ଏହାକୁ ଉପଲବ୍ଧ କରିବା ପାଇଁ କିଛି ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଏ କ୍ଷେତ୍ରରେ ନିୟୋଜିତ ବ୍ୟାଙ୍କ କନ୍ସୋର୍ଟିୟମ୍ ର ସମାନ ପ୍ରକାର ଆବେଦନ ଫର୍ମ ରହିଛି । ଏହାକୁ କମନ୍ ଏଜୁକେଶନ ଲୋନ ଆପ୍ଲିକେଶନ ଫର୍ମ (ସିଇଏଲ୍ଏଏଫ୍) ବୋଲି କୁହାଯାଇଥାଏ । ଆବେଦକଙ୍କୁ ଏହି ଫର୍ମକୁ ଡାଉନ୍ଲୋଡ୍ କରି ଆବଶ୍ୟକ ଡିଟେଲ ଦେଇ ଫର୍ମ ପୂରଣ କରିବାକୁ ପଡିଥାଏ । ସହ-ଋଣକର୍ତ୍ତା ତଥା ଗ୍ୟାରେଣ୍ଟରଙ୍କ ବିଷୟରେ ତଥ୍ୟ ଦେବାକୁ ପଡିଥାଏ । ଫର୍ମ ପୂରଣ କରିବା ସମୟରେ କୋର୍ସ ଡିଟେଲ, ଋଣ ପରିମାଣ, କୋର୍ସ ଅବଧି ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେବାକୁ ପଡିବ । ସିଇଏଲ୍ଏଏଫ୍ ମାଧ୍ୟମରେ ୩ଟି ବ୍ୟାଙ୍କରେ ଆବେଦନ କରିହେବ ।
କୋର୍ସ ସମାପ୍ତ ହେବାର ବର୍ଷେ ପରେ କିମ୍ବା କୌଣସି କମ୍ପାନୀରେ ଯୋଗ ଦେବାର ୬ ମାସରୁ ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିମଧ୍ୟରୁ ଯେଉଁଟି ଆଗେ ହେବ ସେ ଅନୁସାରେ ଋଣ ପରିଶୋଧ କରିବାକୁ ପଡିବ । ତେବେ ଛାତ୍ରୀଛାତ୍ରମାନେ ସ୍ଥାୟୀ ଚାକିରି ପାଇବା ନେଇ ନିଶ୍ଚିତ ହେବା ଦରକାର । ଆଗୁଆ ପରିଶୋଧ କରିବାକୁ ଚାହିଁଲେ କୌଣସି ଅସୁବିଧା ନାହିଁ ।
ଭାରତୀୟ ବ୍ୟାଙ୍କ ସଂଘର ନିଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିଛି । ଏହା ଛଡା ସନ୍ତୁଷ୍ଟି ନ ମିଳିଲେ ଉପଭୋକ୍ତା ଫୋରମ୍ ରେ ମଧ୍ୟ ଅଭିଯୋଗ ସମାଧାନ ନେଇ ଆପ୍ରୋଚ କରିହେବ ।
ଠିକ୍ ସମୟରେ ପରିସୋଧ କରିବା ଶ୍ରେୟସ୍କର : ସୁଧ ହାର ଅଧିକ ରହୁଥିବାରୁ ଆବଶ୍ୟକଠାରୁ ଅଧିକ ପରିମାଣ ଋଣ ହେବା ଠିକ୍ ନୁହେଁ । ଠିକ୍ ସମୟରେ ଏହାକୁ ପରିଶୋଧ କରିଦେବା ଉଚିତ । କାରଣ ଆପଣ ଯେତେ ବିଳମ୍ବ କରିବେ ସେତେ ମାତ୍ରାରେ ଅଧିକ ସୁଧ ହାର ପ୍ରଦାନ କରିବାକୁ ପଡିବ ।
ଏକ ଭଲ ଉଦ୍ଦେଶ୍ୟ ନେଇ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା ଋଣ ପ୍ରଦାନ କରାଯାଇଥାଏ । ଏଣୁ ଏହାର ସୁବିନିଯୋଗ କରି ପାଠପଢାକୁ ତ୍ଵରିତ କରିବା ଉଚିତ । ଫଳରେ ଭଲ ଚାକିରିଟିଏ ପାଇ ଛାତ୍ରୀଛାତ୍ର ମାନେ ଋଣ ପରିଶୋଧ ଦାୟିତ୍ଵ ନିଜ ମୁଣ୍ଡକୁ ନେଇପାରିବେ । ମାତାପିତା ଏବଂ ଅଭିଭାବକଙ୍କୁ ଏହି ବୋଝରୁ ବଞ୍ଚିତ ରଖିବେ । ଏକ ଉନ୍ନତ ଭବିଷ୍ୟତ ନିର୍ଦ୍ଧାରଣ କରି ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ କରିପାରିବେ ।
ଆଧାର – ଶିକ୍ଷା ବ୍ୟୁରୋ
Last Modified : 3/31/2020