অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାନ୍ଧିଜୀଙ୍କ ଦୃଷ୍ଟିରେ ଶିକ୍ଷା

ଶିକ୍ଷାର ସଂଜ୍ଞା

ମାନବ ଜୀବନର ବହୁ ଅସୁବିଧା, ଜଟିଳ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବା କ୍ଷେତ୍ରରେ ଯାହା ମସ୍ତିଷ୍କର ବୌଦ୍ଧିକତାକୁ ଶାଣିତ କରିଥାଏ, ତାକୁ ଶିକ୍ଷା କୁହାଯାଏ ।

ଶିକ୍ଷାର ସଂଜ୍ଞା ନିରୂପଣ କରିବାକୁ ଯାଇ ଏକଦା ବୈଜ୍ଞାନିକ ଆଇନଷ୍ଟାଇନ କହିଥିଲେ - 'Education should aim at developing a harmonious personality by training the pupils to think and act independently and stimulate the curiosity of the child and thus awakens and strengthen the psychological forces within him.’ ଜାତି ର ଜନକ ଗାନ୍ଧି ଜୀ ଙ୍କ ମତରେ - ‘ଶିକ୍ଷା ସଚ୍ଚରିତ୍ର ଗଠନ ଓ ବୌଦ୍ଧିକତାର ବିକାଶ ତଥା ଉନ୍ମଷ କରିଥାଏ । Education aims at character building or the enlightenment and enlargement of mind’ - Gandhiji; ବାସ୍ତବିକ୍, ଶିକ୍ଷା ମଣିଷର ଚିନ୍ତାଚେତନାକୁ ପରିବ୍ୟାପ୍ତ ବା ଉର୍ଦ୍ଧ୍ଵାଭିମୁଖୀ କରିଥାଏ ।

ଆଧୁନିକ ଶିକ୍ଷାନୀତି ଗାନ୍ଧୀ ଦର୍ଶନର ପ୍ରତିକୂଳ

ଆଧୁନିକ ଶିକ୍ଷାନୀତି ଗାନ୍ଧୀ ଦର୍ଶନର ପ୍ରତିକୂଳ ଅଟେ । ତାଙ୍କ ଜୀବନ ତ ଏକ ଖୋଲା ବହି ଥିଲା । ସେ ବହୁ ଶିକ୍ଷାବିତ୍, ଶିକ୍ଷକ, ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସିଥିଲେ । ବିଶ୍ଵର ବହୁ ଦେଶ ଭ୍ରମଣକରି ଅନେକ ଅନୁଧାନ ଓ ଗଭୀର ଅନୁଶୀଳନ ପରେ ଆମ ଦେଶ ଭାରତ ପାଇଁ କି ଧରଣର ଶିକ୍ଷାନୀତି ହେବା ଉଚିତ୍, ସେ ସମ୍ପର୍କରେ ମତାମତ ପ୍ରକଟ କରିଥିଲେ । ତାଙ୍କର ଦିଗଦର୍ଶନ କେତେକାଂଶରେ ଆମ ଦେଶର ଶିକ୍ଷାକୁ ପ୍ରଭାବିତ କରିଥିଲା । ଏହା ସତ୍ୟ ଯେ, ଯେଉଁ ଦେଶର ଶିକ୍ଷା ଯେତେ ଉନ୍ନତ, ସେ ଦେଶର ଉନ୍ନତି, ସଭ୍ୟତା, ସଂସ୍କୃତି ଅନୁରୂପ ଉନ୍ନତ ଅଟେ । ଭେଲୋରଠାରେ ଛାତ୍ର ମାନଙ୍କ ଠାରୁ ସମିଳିତ ଅଭିନନ୍ଦନ ଗ୍ରହଣ କରିବା ଅବସରରେ ସେ ଛାତ୍ର ମାନଙ୍କୁ ଦେଇଥିବା ମୂଲ୍ୟବାନ୍ ଉପଦେଶ ଗୁଡ଼ିକ Young India ପତ୍ରିକାରେ ୧୯୨୭ ମସିହା ଅଗଷ୍ଟ ୮ ତାରିଖରେ ପ୍ରକାଶିତ ହୋଇଥିଲା । ଯା’ର ସାରବତ୍ତା ଥିଲା ଯେ ଛାତ୍ରାବସ୍ଥା ହି ମାନବ ଜୀବନର ଗୁରୁତ୍ଵପୂର୍ଣ୍ଣ ସମୟ । ପ୍ରତ୍ୟେକ ପ୍ରଥମେ ନିଜର ମନକୁ ଚିହ୍ନିବ, ତଦନୁସାରେ ତତ୍ତ୍ଵ ନେବା ଉଚିତ୍ ।

ଶିକ୍ଷାର ଲକ୍ଷ୍ୟ

ଶିକ୍ଷାର ଲକ୍ଷ୍ୟ ଚରିତ୍ର ଗଠନ ଓ ପବିତ୍ରତା । ଗାନ୍ଧିଜୀଙ୍କ ମତରେ ‘ଛାତ୍ର’ ଶବ୍ଦର ପ୍ରକୃତ ଅର୍ଥ ବ୍ରହ୍ମଚାରୀ । ଆଧ୍ୟାତ୍ମିକାରର ପୃଷ୍ଠଭୂମିରେ ଶିକ୍ଷା ପର୍ଯ୍ୟବସିତ ହେବା ଉଚିତ । ସଂଯମତା, ଚରିତ୍ରବତ୍ତା, ଲକ୍ଷ୍ୟପୂର୍ଣ୍ଣ ଆଚରଣ ଛାତ୍ରଟି ପାଖରୁ ଆଶା କରାଯାଏ । ଶିକ୍ଷାର୍ଥୀ ଜୀବନରେ ଭଗବତ୍ ଗୀତାଠାରୁ ଆରମ୍ଭ କରି ସମସ୍ତ ଧର୍ମଗ୍ରନ୍ଥକୁ ପାଠକରିବା ଉଚିତ । ତାହା ପୁଣି ଚିତ୍ତ ଶୁଦ୍ଧି ବିନା ନିରର୍ଥକ ଶିକ୍ଷାର୍ଥୀ ମାନେ ଗୀତା, ଉପନିଷଦର ମହବାଣୀଗୁଡ଼ିକୁ ଆଚାରବିଚାରରେ ବିନିଯୋଗ କରିବା ଉଚିତ୍ । ଈଶ୍ୱର ବିଶ୍ୱାସୀ ହେବା ଦ୍ୱାର ମଣିଷ ନିରହଙ୍କାରୀ ହେବା ସହ ଫଳ ଆଶାବିନା ନିରନ୍ତର କାର୍ଯ୍ୟ କରିଚାଲେ । ସେହିପରି ନିତ୍ୟ-ନୈମିତ୍ତିକ ଶିକ୍ଷା ସହ ଧନ୍ଦାମୂଳକ ବୈଷୟିକ ଶିକ୍ଷା ଅଙ୍ଗୀଭୂତ ନହେଲେ ସେ ଶିକ୍ଷା ଅକାରଣ । କାରଣ, ଶିକ୍ଷାର ପରିସର ବ୍ୟାପକ । ଛାତ୍ର ଜୀବନରେ ଖଦୀବସ୍ତ୍ର ପରିଧାନ, ସୂତାକାଟିବା କାର୍ଯ୍ୟ ଛାତ୍ରମାନଙ୍କୁ ସ୍ୱାବଲମ୍ବୀ ହେବାକୁ ଅନୁପ୍ରେରିତ କରିବା ସହ ବଳକା ସମୟର ସଦୁପଯୋଗ କର୍ମତତ୍ପର କରିଥାଏ । ଆତ୍ମନିଯୁକ୍ତି କ୍ଷେତ୍ରରେ ଏହା ବେଶ ଖୋରାକ୍‌ ଯୋଗାଇ ଥାଏ । ବେକାର ସମସ୍ୟା ବିରୁଦ୍ଧରେ ଏହା ତ ଏକ ସଫଳ ପଦକ୍ଷେପ । ମାନବିକ ଶକ୍ତିର ସୁବିନିଯୋଗ । ତଥା ବିକାଶ ଦିଗରେ ଏହା ସହାୟକ ହୋଇଥାଏ । ଏହା ବି ରାଷ୍ଟ୍ରୀୟ ଅର୍ଥନୈତିକ ପ୍ରଗତିରେ ଏକ ବଳିଷ୍ଠ ତଥା ଗଠନମୂଳକ ଭୂମିକା ନିଭାଇଥାଏ ।

ଶିକ୍ଷାର ସାର୍ଥକତା

ଚରିତ୍ର ଗଠନ ହିଁ ଶିକ୍ଷାର ସାର୍ଥକତା । ଏହା ମଣିଷକୁ ସଚ୍ଚରିତ୍ର ସଂଯମୀ ବା ଦୂରଦର୍ଶୀ ହେବାକୁ ସୁଶିକ୍ଷା ଦେଇଥାଏ । ଗାନ୍ଧିଜୀଙ୍କ 410602 - 'If wealth is lost, nothing is lost. If health is lost, something is lost. If character is lost, everything is lost.'

ଶିକ୍ଷାରେ ସୁନ୍ଦର ଅକ୍ଷର ଏକ ପ୍ରମୁଖ ଭୂମିକା ନିଭାଇଥାଏ । ଅବଶ୍ୟ ଗାନ୍ଧିଜୀଙ୍କ ଜୀବନକାଳ ଭିତରେ ତାଙ୍କର ଅକ୍ଷର କଦର୍ଯ୍ୟ ଥିଲା । ଦକ୍ଷିଣ ଆଫ୍ରିକାକୁ ଓକିଲାତି କରିବାକୁ ଯାଇଥିବାବେଳେ ସେଠିକାର ଓକିଲମାନଙ୍କର ସୁନ୍ଦର ଅକ୍ଷର ଦେଖିଲା ପରେ, ନିଜର କଦର୍ଯ୍ୟ ଅକ୍ଷର ପାଇଁ ସେ ଖୁବ୍ ଲଜ୍ଜିତ ହୋଇଥିଲେ । ପରେ ଭଲ ଅକ୍ଷର ଲେଖିବାର ଉଦ୍ୟମ କରି ସେ ଅସଫଳ ହୋଇଥିଲେ । ତାଙ୍କର ଏହି ତିକ୍ତ ଅନୁଭୂତିକୁ ଶିଖି ସେହି ଭୁଲ୍ ନକରିବା ପାଇଁ ସେ ଶିକ୍ଷାର୍ଥୀମାନଙ୍କୁ ଉପଦେଶ ଦେଇଥିଲେ । ବାପୁଜୀଙ୍କ ମତରେ - Bad handwriting should be regarded as a sign of an imperfect education. Every young man and women should understand that good handwriting is a necessary part of education.'

ଶିକ୍ଷାକୁ ଡିଗ୍ରୀ ହାସଲ ବା ଚାକିରି ପାଇଁ ଉଦ୍ଦିଷ୍ଟ ବୋଲି ଭାବି ସାର୍ଟିଫିକେଟ୍ ହାସଲ ଉଦ୍ଦେଶ୍ୟରେ ଆୟତ୍ତ କରିବା ଅନୁଚିତ୍ । ତଦ୍ୱାରା ଶିକ୍ଷାର ମୂଳ ଆଭିମୁଖ୍ୟ ଓ ମୌଳିକତା କ୍ଷୁଣ୍ଡ ହୁଏ । ଏହି ପର୍ଯ୍ୟାୟରେ ଗାନ୍ଧିଜୀ କହନ୍ତି - Everything should be learnt by heart’ ଦକ୍ଷିଣ ଆଫ୍ରିକାର ଟଷ୍ଟୟ ଆଶ୍ରମ ତାଙ୍କୁ ଏ କ୍ଷେତ୍ରରେ ପ୍ରଭାବିତ କରିଥିଲା । ମାତୃଭାଷାରେ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଉପରେ ସେ ସର୍ବାଧିକ  ଗୁରୁତ୍ୱ ପ୍ରଦାନ କରିଥିଲେ । ତେଣୁ ସେ କହୁଥିଲେ – ‘The mother tongue should be used as the medium of instruction of schools.'

ଶିକ୍ଷାନୀତିର ପାଠ୍ୟଖସଡ଼ାରେ ଏ ଦେଶର ଜାତୀୟ ସଂହତି ଧର୍ମନିରପେକ୍ଷତା, ପରମ୍ପରା ଓ ସଂସ୍କୃତିର ପ୍ରତିଫଳନ ରହିବା ବିଧେୟ ବୋଲି ବାପୁଜୀ କହୁଥିଲେ । ଏହା ଶିକ୍ଷାର୍ଥୀକୁ ସ୍ୱଦେଶପ୍ରେମୀ କରି ଗଢ଼ିଥାଏ । ଫଳତଃ ମେଧାବି ପ୍ରତିଭାମାନେ ସୁଖସୁବିଧା ହାସଲ ପାଇଁ ବିଦେଶକୁ ଯିବାକୁ ଇଚ୍ଛା ବା ଆଗ୍ରହ କରିବେ ନାହିଁ । ତଦ୍ୱାରା ‘ମେଧାଚାଲାଣ (brain drain) ରୋକା ଯାଇପାରିବ । ଗାନ୍ଧିଜୀଙ୍କ ସେ ସମୟର ଏହି ଆଶଙ୍କାର ସର୍ବକାଳୀନତା ଏବେ ପରିଦୃଷ୍ଟ । ସୁତରା, ତା’ର ପ୍ରାସଙ୍ଗିକତା ଆଜି ଉପଲବ୍ଧ । ଶାରୀରିକ ମାନସିକ ଆଭିବୃଦ୍ଧି ଯେପରି ଯଥାନୁରୂପ ହୋଇପାରେ ସେଥିପ୍ରତି ଶିକ୍ଷା ଅଙ୍ଗୀକାରବଦ୍ଧ ରହିବା ଉଚିତ । ଏହା ଦ୍ଵାରା ଶିକ୍ଷାର୍ଥୀଟି ପୂର୍ଣ୍ଣାଙ୍ଗ ଶିକ୍ଷା (Integrated Education) ପାଇ ଆଦର୍ଶ ବ୍ୟକ୍ତିତ୍ଵର ଅଧିକାରୀ  ହୋଇଥାଏ । ପ୍ରଚଳିତ ଶିକ୍ଷାରେ ବସ୍ତୁବାଦର ପ୍ରାବଲ୍ୟତା ଥିବାବେଳେ ଭୋଗବାଦ ଆଡ଼କୁ ଏହା ନେଇଯାଏ । ଏଥିରେ ଆଧ୍ୟାତ୍ମିକତା  ଖୁବ୍ କ୍ଷୀଣ । ଅହିଂସା, ସତ୍ୟ, ବିଶ୍ଵଭ୍ରାତୃତ୍ଵଭାବ, “ବସୁଧୈବ କୁଟୁମ୍ବକମ୍”ର ମହାଭାବ ସେତେ ନଥିବା ଉଦବେଗର କଥା ବୋଲି ସେ ବିଚାର କରୁଥିଲେ । ସମାଜର ସମକାଳୀନତା ଓ ତତ୍କାଳିକତାର ଘୋର ଅଭାବ ଆଜିର ଶିକ୍ଷାରେ ରହିଥିବାର ସେ ଅନୁଭବ କରିଥିଲେ । ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ଗଠନ ଦିଗରେ କେଉଁ ଶିକ୍ଷା ଆବଶ୍ୟକ ସେ ସମ୍ପର୍କରେ ସେ କହନ୍ତି – Education is a means for the preparation of Life whose aim is self - realisation.'

ବ୍ରିଟିଶ ସରକାର ଅମଳର ମ୍ୟାକଲେଙ୍କ ଶିକ୍ଷାନୀତି କୁ ଭାରତରେ ଲଦି ଦିଆଯାଇଥିବା ଏବଂ ଦୀର୍ଘକାଳ ଧରି ଏହାର ପ୍ରଚଳନ ଆମକୁ ପାଶ୍ଚାତ୍ୟ ଶୈଳିକୁ ଅନୁକରଣ କରିବାକୁ ଯାଇ ଆମର ହନୁକରଣ ହୋଇଛି । ଏଥିରେ କେବଳ ପ୍ରଚଳିତ ଚାକିରିଜୀବୀ ଶ୍ରେଣୀ ସୃଷ୍ଟି ଓ ପ୍ରଚଳିତ ସୁବିଧା ସୁଯୋଗ ଆଗରେ ଅଣଚାକିରି କ୍ଷେତ୍ରରେ ତା’ର ଅଭାବ ଆମ ଦେଶର ଶିକ୍ଷାକୁ ସାର୍ବଜନୀନ ଓ ସର୍ବକାଳୀନ କରିପାରି ନାହିଁ । ବରଂ କେବଳ ବେକାର, କର୍ମ ବିମୁଖତା ଓ ଶ୍ରେଣୀ ବିଭାଗକୁ ଏହା ଦୃଢ଼ୀଭୂତ କରିଛି । ପରବର୍ତ୍ତୀ ସମୟର ୧୯୮୬ର ଶିକ୍ଷାନୀତି ମଧ୍ୟ ଆଶାଜନକ ସଫଳତା ପାଇ ପାରିନାହିଁ । ବରଂ ବ୍ୟକ୍ତି ଚରିତ୍ରର ଅବକ୍ଷୟ ଘଟିଛି । ଯୁବକମାନଙ୍କୁ ଏହା ସହରାଭିମୁଖୀ କରିଛି । ଗ୍ରାମ୍ୟ ଜୀବନ ଓ ଗ୍ରାମ୍ୟ ବିକାଶ ପଙ୍ଗୁ ହୋଇଛି । ଏହି ଅସଜଡ଼ା ତଥା ଅଲୋଡ଼ା ଶିକ୍ଷାନୀତି ଯୋଗୁଁ ଦେଶର ଅର୍ଥ, ଶକ୍ତି, ସମୟ, ମାନବିକ ସମ୍ବଳ ଶକ୍ତିର ଦୁରୁପଯୋଗ ଘଟିଛି । ଯିଏ ଯେଉଁ ଗୁଣର ଅଧିକାରୀ, ତା’ର ବିକାଶ ପାଇଁ ସେ ସୁବିଧା – ସୁଯୋଗ ପାଉ ନାହିଁ । ଏକ ସମୃଦ୍ଧ ଭାରତ ଗଠନରେ କୃଷକ, ସୈନିକ, ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର, ସାହିତ୍ୟିକ, ଐତିହାସିକ, କ୍ରୀଡ଼ାବିତ୍, ଶିକ୍ଷାବିତ୍ ପ୍ରଭୃତି ବିଭିନ୍ନ ବର୍ଗର ନାଗରିକ ଦରକାର । ଯା’ର ଯେଉଁ ଦିଗରେ ଆଗ୍ରହ ଅଛି ତା’ର ବିକାଶ ପାଇଁ ଶିକ୍ଷାରେ ସେପରି ସୁବ୍ୟବସ୍ଥା ରହିବା ଆବଶ୍ୟକ । ପ୍ରଚଳିତ ଶିକ୍ଷା ଏବେ ପରିବର୍ତ୍ତିତ ପରିସ୍ଥିତିରେ ସମୟର ଆହ୍ଵାନ ଅନୁଯାୟୀ ଦେଶ ପାଇଁ ପୁରୁଣା ଓ ଅଲୋଡ଼ା ହୋଇଥିବାରୁ ଏହାର ସଂସ୍କାର ଆବଶ୍ୟକ । ବାପୁଜୀଙ୍କ ପ୍ରଦତ୍ତ ଆଦର୍ଶ ଶିକ୍ଷା, ବୈଷୟିକ ଧନ୍ଦାମୂଳକ ଶିକ୍ଷା, ମାନବିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଏ ସମୟରେ ପ୍ରାଧାନ୍ୟ ଦେବା ଦରକାର । ଶିକ୍ଷା ଆଉ ଚାକିରିଆ ଶ୍ରେଣୀ ସୃଷ୍ଟି ନକରୁ । ଏହି ପରିପ୍ରେକ୍ଷୀରେ ଦେଶସାରା ପ୍ରଚଳିତ ଶିକ୍ଷାର ପୃଷ୍ଠଭୂମିରେ ଘରୋଇ ଟିଉସନ୍, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ପ୍ରଭୃତିର ସମୀକ୍ଷା ବା ପୁନର୍ବିଚାର କରାଯିବା ଉଚିତ ।

ପ୍ରଚଳିତ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ

ଏ ଶତାବ୍ଦୀ ପାଇଁ ପ୍ରଚଳିତ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ବାପୁଜୀଙ୍କ ପରିକଳ୍ପିତ ଶିକ୍ଷାର ଛାଇରେ ଏହି ପରିବର୍ତ୍ତିତ ଶିକ୍ଷା ପ୍ରସ୍ତୁତି ଅପରିହାର୍ଯ୍ୟ । ପ୍ରଥମତଃ ପ୍ରାଥମିକ ଶିକ୍ଷାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିବା ସହ କ୍ରୀଡ଼ା-କସରତ, ହସ୍ତକର୍ମ, ପ୍ରକୃତି ପର୍ଯ୍ୟବେକ୍ଷଣ, ପରିବେଶ ସୁରକ୍ଷା ସନ୍ନିବେଶିତ ହେବା ଦରକାର । ମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ସଂଯୋଜିତ କରିବା ମଧ୍ୟ ଉଚିତ । ଇଚ୍ଛାଧୀନ ବିଷୟ ଓ ସାଧାରଣ ବିଷୟର (Uniform Course) ବ୍ୟବସ୍ଥା ରଖାଯିବା ଆବଶ୍ୟକ । ଡିଗ୍ରୀ ବା ଶେଷ ପରୀକ୍ଷାର ଫଳକୁ ସାଧାରଣ ନିଯୁକ୍ତିରେ ପ୍ରବେଶର ମାନଦଣ୍ଡ ନରହି । ସମ୍ପୃକ୍ତ ବିଭାଗର କାର୍ଯ୍ୟଧାରାକୁ ଏଥିରେ ପରୀକ୍ଷା କରାଯିବା ଦରକାର । ବିଭିନ୍ନ ଧନ୍ଦାମୂଳକ ଶିକ୍ଷାକୁ ଶିକ୍ଷାର୍ଥୀର ଚୟନ ଅନୁସାରେ ବାଧ୍ୟତାମୂଳକ କରାଗଲେ କଲେଜ ସ୍ତରର ପିଲା ତଥା ମାଧ୍ୟମିକ ସ୍ତରରୁ ଏହା ବ୍ୟକ୍ତିକୁ ସ୍ୱାବଲମ୍ବୀ କରିପାରନ୍ତା । ସେହିପରି ମେଧାବି ଉଚ୍ଚଶିକ୍ଷିତମାନେ ଦେଶପାଇଁ ସେମାନଙ୍କର ମେଧା (Talency) ବିନିଯୋଗରେ ସେବା ଯୋଗାଇ ବିଦେଶକୁ ନଯାଇ ସେଠାରେ ସ୍ଥାୟୀ ବାସିନ୍ଦା ନହେବା ଦିଗରେ କ୍ଷେତ୍ର ପ୍ରସ୍ତୁତି ମଧ୍ୟ ହେବା ଦରକାର । ଆମର ସାମାଜିକ ଚଳଣି, ସଂସ୍କୃତିର ପ୍ରତିଫଳନ ଶିକ୍ଷାରେ ସନ୍ନିବେଶିତ ନହେଲେ ଭବିଷ୍ୟତ ପିଢ଼ିର ନାଗରିକମାନେ ଆମକୁ ନ୍ୟୁନ ଦୃଷ୍ଟିରେ ବିଚାର କରିବେ । ଏଥିସହ ଏହି ପରିବର୍ତ୍ତିତ ଶିକ୍ଷାରେ ବ୍ୟକ୍ତି ଚରିତ୍ର  ଓ କାର୍ଯ୍ୟର ସ୍ୱଚ୍ଛତ। ଓ ଉତ୍ତ ର ଦାୟିତ୍ଵ ବେ।ଧ  (Accountability)ର ପୁନର୍ଗଠନ ପାଇଁ ସୁପରିକଳ୍ପିତ ବ୍ୟବସ୍ଥା ରହିବା ଉଚିତ୍ । ଶିକ୍ଷା ନିଦ୍ଧାରକମାନେ ଶିକ୍ଷାସହ ସମ୍ପୃକ୍ତ ଶିକ୍ଷାବିତ୍, ଶିକ୍ଷାପ୍ରେମୀ ଓ ଚିନ୍ତାଶୀଳ ବୁଦ୍ଧିଜୀବୀମାନଙ୍କ ପରାମର୍ଶ ଗ୍ରହଣ କରିବା ସର୍ବାଦୌ ଆବଶ୍ୟକ । ତା’ହେଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ  ପରିଣତ ହେବା ସହ ଏ ଦେଶର ଅବକ୍ଷୟ ରୁଣ ଚିନ୍ତା-ଚେତନା, ବିକାଶ ଦିଗରେ ନୂଆ ସୂର୍ଯ୍ୟଟିଏ ଉଇଁ ଆସିବ । ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ଏବଂ ସ୍ଵରାଜ୍ୟ ସୁ-ରାଜ୍ୟରେ ସାରା ବିଶ୍ଵକୁ ବାଟ ଦେଖାଇବ ।

ସଂଗୃହିତ - ରବୀନ୍ଦ୍ର କୁମାର ଦାଶ ଆଡ଼ଭୋକେଟ୍ ଓ ‘ସମାଜ ପ୍ରତିନିଧି ଭୁବନ, ଢେଙ୍କାନାଳ- ୭୫୯୦୧୭

ଆଧାର - ଇ ମଗାଜିନ

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate