କେଉଁ ମଫସଲ ଅଂଚଳର ପିଲାଟିଏ । ନାଁ ତାହାର କୁନା । ପିଲାଦିନରୁ ରୋଗଣା । କେତେ ଯେ ଔଷଧପତ୍ର ଖାଏ ତାହା କହିହେବ ନାହିଁ । ଆଜି ଜର ତ କାଲି ବାନ୍ତି । ବାପା ମାଆ ସବୁବେଳେ ମନଦୁଃଖ କରୁଥାନ୍ତି । କେତେକ ଦିଅଁ ଦେବତା ମନାସୁଥାନ୍ତି । ପାଞ୍ଚ ଝିଅରେ ଗୋଟିଏ ବୋଲି ପୁଅ । ଆଖିର ତାରା ସିଏ ।
କୁନା ପାଠ ପଢିଲା । ସ୍କୁଲରୁ କଲେଜ ଗଲା । କିନ୍ତୁ ତାହାର ରୋଗ କମିଲା ନାହିଁ । ଆସ୍ତେ ଆସ୍ତେ ଚିନ୍ତା ବଢିଲା । ସବୁବେଳେ ବାପାମାଆ ମନଦୁଃଖ କରୁଥାନ୍ତି । ଦିନ ଗଡି ଚାଲିଥାଏ। ଥରେ କୁନା କଲେଜରୁ ଫେରୁଥାଏ । ଗାଁକୁ ଯିବାକୁ ଗହୀର । ତା’ର ସାଇକେଲଟା ତଳକୁ ଖସିଗଲା । ସେ ତଳେ ପଡିଗଲା । ଗୋଡ ହାତ ଖଣ୍ଡିଆ ଖାବରା ହୋଇଗଲା । ପାଖରେ ତ କୌଣସି ଔଷଧ ଦୋକାନ ନଥାଏ । କ’ଣ କରିବ । ଏତିକି ବେଳେ ଦେଖିଲା, ଗୋଟିଏ ଗାଈଆଳ ବୁଢା ଛତାଟିଏ ଧରି ତା ପାଖରେ ପହଞ୍ଚିଗଲା । ସଙ୍ଗେସଙ୍ଗେ କିଛି ଗଛର ପତ୍ର ଛିଣ୍ଡାଇଆଣି, ତା’ର ରସ ଚିପୁଡି ଖଣ୍ଡିଆ ଜାଗାରେ ମାରିଦେଲା। ତା’ପରେ କୁନା ଘରକୁ ଫେରିଲା । କିଛିଦିନ ଚାଲିଗଲା । ଖଣ୍ଡିଆ ଜାଗାଗୁଡିକ ଶୁଖିଗଲା । କୁନା ସେହି ବାଟ ଦେଇ ଯାଉଥାଏ । ସେହି ବୁଢାକୁ ଦେଖି କୁନା ପଚାରିଲା, “ମଉସା, ସତରେ ତମେ ଜଣେ ଡାକ୍ତର । ନହେଲେ ସାମାନ୍ୟ ପତ୍ର ଟିକକରେ ମୋ ଗୋଡ ଖଣ୍ଡିଆଗୁଡିକୁ ଶୁଖାଇ ଦେଇଥାନ୍ତ କିପରି ? ବୁଢା ମନେ ପକାଇ କହିଲା, “ହଁ ରେ ପୁଅ, ଆମ ଚାରିପଟେ ଯେଉଁ ଗଛଲତାମାନ ଅଛି, ସବୁଥିରେ ଠାକୁରେ କିଛି ନା କିଛି ରୋଗ ଭଲ କରିବାକୁ ଔଷଧ ଦେଇଛନ୍ତି । ଆଜିକାଲି ସିନା ଡାକ୍ତରଖାନା ମାଳ ମାଳ, ଡାକ୍ତର ପଲପଲ । ଆଗେ ଏସବୁ କ’ଣ ଥିଲା । ! ତମେ ଯଦି ଚେଷ୍ଟା କରନ୍ତ, ପୁଣି ଥରେ ଏ ଗଛଗୁଡିକର ଯତ୍ନ ନେଇ ତା’ର ଔଷଧ ଲୋକଙ୍କ ସେବାରେ ଲଗାଇ ପାରନ୍ତ ।“
କୁନାର ମନକୁ କଥାଟା ବେଶ୍ ପାଇଲା, ସେ ସ୍ଥିର କଲା ନିଶ୍ଚୟ ଏ ଗଛଲତାଙ୍କ ବିଷୟରେ ଅଧିକ ଜାଣିବ । ସେଇଥିପାଇଁ ସେ ବହୁତ ଆୟୁର୍ବେଦ ବହି ପଢିଲା । ସରକାରଙ୍କର ବନ ବିଭାଗ ସହ ସମ୍ପର୍କ ରଖିଲା । ପଡୋଶୀମାନଙ୍କୁ ଏହି ଔଷଧ ବିଷୟରେ ବୁଝାଇଲା । ବୁଢାବୁଢା ଲୋକଙ୍କ ଠାରୁ ଗଛର ଔଷଧୀୟ ଗୁଣ ବୁଝିଲା । ତା’ପରେ ରୋଗୀମାନଙ୍କୁ ଗଛରୁ ଜାତ ବିଭିନ୍ନ ଫଳ, ମୂଳ, ପତ୍ର, ଚେର ଆଦି ଦେଇ ରୋଗ ଭଲ କଲା । ଆସ୍ତେ ଆସ୍ତେ ରୋଗୀଙ୍କ ସଂଖ୍ୟା ବଢିଲା । ସେ ମଧ୍ୟ ନିଜେ ସୁସ୍ଥ ହେବାକୁ ଲାଗିଲା । ସମସ୍ତେ କୁନାକୁ ଆଉ ରୋଗଣା ପରି ଭାବିଲେ ନାହିଁ । ସେ ‘କୁନା ଡାକ୍ତର’ ବୋଲି ସମସ୍ତଙ୍କ ନିକଟରେ ପରିଚିତ ହେଲା ।
ସେ ସରକାରଙ୍କ ବନବିଭାଗ ସହ ସଂପର୍କ ରଖି ଔଷଧ ଗଛର ଚାରା ନିଜ ଗାଁରେ ଲଗାଇଲା । ସମସ୍ତଙ୍କ ଆଗରେ ଗଛ ପାଇଁ କୁନା ଆଦର୍ଶ ହୋଇଗଲା ।
ସେଦିନ ଥାଏ ରବିବାର । ସାଥୀପିଲାଙ୍କୁ ଧରି ବବ୍ଲୁ ବାହାରିଲା ଭୋଜି କରି । ସବୁ ସାଙ୍ଗସାଥିଙ୍କ ମତ ଯେ ବଣରେ ଭୋଜି ହେବ । ବବ୍ଲୁ ବା କିପରି ଏକମତ ନ ହୁଅନ୍ତା । ସମସ୍ତେ ଚାଲିଲେ ସକାଳୁ ସକାଳୁ । ସାଇକେଲ ପଛରେ ସବୁ ଜିନିଷ ବନ୍ଧା ହୋଇଥାଏ । ଘରଠାରୁ ୩୦ କି.ମି. ଦୂରରେ ଅଛି ଜଙ୍ଗଲ । ଏହା ଏତେ ଦୂରକୁ ଲମ୍ବିଛି ଯେ ଆଖି ପାଇବ ନାହିଁ। ଚାରିଆଡ଼େ ଖାଲି ଗଛ ଆଉ ଗଛ । ଛୋଟିଆ ଝରଣାଟିଏ ବହି ଯାଉଛି । ବବ୍ଲୁ ଓ ତାର ସାଥୀମାନେ ଜଙ୍ଗଲରେ ପହଞ୍ଚି ରୋଷେଇ ପାଇଁ ପ୍ରସ୍ତୁତ ହେଲେ । କିଏ କାଠ ଆଣିବାକୁ ଗଲା ତ କିଏ ପତ୍ର ଆଣିବାକୁ ଗଲା । ବବ୍ଲୁ ତା’ର ସାଙ୍ଗ ଶିବୁକୁ ଧରି ଜଙ୍ଗଲ ଭିତରକୁ ଶୁଖିଲାକାଠ ଆଣିବାକୁ ଚାଲିଲା । ଘଞ୍ଚ ଜଙ୍ଗଲ । ସେ ଜଙ୍ଗଲର କେଉଁଠାରେ ପହଞ୍ଚିଛି ତାହା ମଧ୍ୟ ଜାଣିପାରୁ ନଥାଏ । କେବଳ ଗଛ ଡାଳମାନ ଭାଙ୍ଗି ଚିହ୍ନ ଦେଇ ଦେଇ ଯାଉଥାଏ । ହଠାତ୍ ଏକ ଧୂମାଳ ଆସିଲା । କିଏ କୁଆଡେ ଚାଲିଗଲେ । ଗଛ ମଡ୍ମଡ୍ ଭାଙ୍ଗିବା ଶବ୍ଦ ଶୁଭୁଥାଏ । ଜଙ୍ଗଲରେ ଗଛଗୁଡିକ ସତେ ଯେପରି ବିକଳରେ ଗର୍ଜନ କରୁଥାନ୍ତି । ବବ୍ଲୁ ତା’ ସାଙ୍ଗକୁ ପାଇଲା ନାହିଁ। ତା’ର ଛାତି ଭିତରଟା ଦାଉଁକିନା ହେଲା । ସେ କ’ଣ କରିବ କିଛି ଚିନ୍ତା କରିପାରିଲା ନାହିଁ । ତେଣୁ କାନ୍ଦିବାକୁ ଲାଗିଲା । ଜଙ୍ଗଲରେ ଦିନ କି ରାତି ଜଣାପଡିଲା ନାହିଁ । ପବନର ସୁ ସୁ ଶବ୍ଦରେ ଜଙ୍ଗଲ ଭିତରଟା କମ୍ପୁଥାଏ । ବର୍ଷା ଆରମ୍ଭ ହୋଇଗଲା । କିଛି ବୁଦ୍ଧିବାଟ ନପାଇ ବବ୍ଲୁ ଗୋଟିଏ ଝଙ୍କା ଆମ୍ବଗଛ ମୂଳରେ ବସିପଡିଲା । ବର୍ଷାରୁ ସିନା ରକ୍ଷା ପାଇଲା । ହେଲେ ବଣର ଜୀବଜନ୍ତୁଙ୍କ ଶବ୍ଦ ତାକୁ ଛାନିଆ କରିଦେଲା । ସେ ଆସ୍ତେ ଆସ୍ତେ ଗଛ ଉପରେ ଚଢି ଗୋଟିଏ ଡାଳକୁ ଧରି ବସିରହିଲା । ଏହିପରି ଘଣ୍ଟା ପରେ ଘଣ୍ଟା ବିତିଗଲା । ବବ୍ଲୁ ବୁଝିଲା, ସକାଳ ହେଲାଣି । ତଳକୁ ଆସି ଦେଖିଲା ଚାରିଆଡେ ଶୁନଶାନ୍ ଖାଲି ଗଛପତର । ଆସ୍ତେ ଆସ୍ତେ ସେ ଗଛ ଡାଳଗୁଡିକୁ ଘୁଞ୍ଚାଇ ଚାଲିଲା । ପ୍ରବଳ ଭୋକ ହେଉଥାଏ । କ’ଣ କ୍ଷୟବ ? ଦେଖିଲା ଜଙ୍ଗଲରେ ଆମ୍ବସବୁ ପାଚି ତଳେ ପଡିଛି । ମନଇଚ୍ଛା ଖାଇଲା। କିଛି ଦୂରରେ ପାଚିଲା କୋଳି ଗଛରୁ କୋଳି ଝଡି ପଡିଛି, ସେଗୁଡିକ ଖାଇଲା। ଝରଣାର ପାଣି ପିଇ ଆଗକୁ ଆଗକୁ ଚାଲିଲା । ସେ ବାଟ ପାଉ ନଥାଏ । ଚାଲି ଚାଲି ହାଲିଆ ବସି ପଡିଲା । କିଛି କାଠୁରିଆକୁ ଦେଖିଲା । ତା’ ମନରେ ଦମ୍ଭ ଆସିଲା । ସେମାନେ ଆସି ପହଞ୍ଚିଲେ ଏବଂ ତାକୁ ବାଟ ବତାଇଦେଲେ । ସେ କାଠୁରିଆଙ୍କୁ ଅନୁରୋଧ କଲା, ଭାଇମାନେ ସବୁଗଛକୁ କାଟ ନାହିଁ । ଅନାବନା ଗଛ କାଟ ଯେତିକି ଦରକାର, ସେତିକି ଗଛ କାଟ। କାରଣ ଏହି ଗଛ, ମୋ ଜୀବନ ବଞ୍ଚାଇଦେଲା । ବବ୍ଲୁ ଯାହା ଘଟିଥିଲା ସବୁ କହିଗଲା । କାଠୁରିଆମାନେ ଠିକ୍ ଭାବିଲେ ଏବଂ ଦରକାରୀ ଗଛଗୁଡିକ ରକ୍ଷା କରିବା ପାଇଁ ଚେଷ୍ଟା କଲେ ।
ସଦାର ବୟସ ମାତ୍ର ୨୪ ରୁ ୨୫। ଅଧାରୁ ପାଠ ଛାଡିଲା । ବାପା ମା’ ବେଶି ପାଠ ପଢିନାହାନ୍ତି । ତେଣୁ ସଦାକୁ ମଧ୍ୟ ପଢେଇବାକୁ ଇଚ୍ଛା କଲେ ନାହିଁ । ମଜୁରିଆ ଭାବରେ କାମ କରି ପେଟ ପୋଷନ୍ତି । ସାନ ଭଉଣୀଟି ବିଦ୍ୟାଳୟକୁ ଯିବା ଆରମ୍ଭ କରିଛି ।
ଘରଠାରୁ ୧୦ କି.ମି. ଦୂରରେ ଜଙ୍ଗଲ । ପ୍ରତିଦିନ ସଦା ତା’ ସାଇକେଲଟି ଧରି ଜଙ୍ଗଲକୁ ଯାଏ । କାଠ କାଟେ ସେଗୁଡିକ ଆଣି ବଜାରରେ ବିକ୍ରି କରେ । ବେଳେବେଳେ ଜଙ୍ଗଲରେ ନିଆଁ ଲଗାଇ କାଠ କୋଇଲା ଆଣି ଦୋକାନ ବଜାରରେ ଦେଇ ବେଶ୍ ଦି ପଇସା କମାଏ । ଏଗୁଡିକ ଚୋରା କାରବାର ଜାଣି ମଧ୍ୟ ସେ ଖାତିର କରେ ନାହିଁ । ଏପରିକି ଥରେ ଦୁଇଥର ଥାନାବାବୁ ତା ସାଇକେଲ ସହ ତାକୁ ଥାନାରେ ଭର୍ତ୍ତି କରିଛନ୍ତି । ତଥାପି ସେ ମୋହ ସେ ତୁଟାଇ ପାରିନାହିଁ ।
ବାପା କୁହନ୍ତି ଘର ପାଖରେ ଜଙ୍ଗଲ ଥିଲା । ବିଲୁଆ ଠେକୁଆ ଆଦିଙ୍କୁ ଗହିରରେ ଦେଖିବାକୁ ମିଳୁଥିଲା । ଏହି ଜଙ୍ଗଲ କଟା ଯୋଗୁ ସେ ସବୁ ଦେଖିବା ସାତ ସପନ । ତେଣୁ ତାଙ୍କୁ ଜାଳକାଠ ପାଇଁ ଏତେବାଟ ଯିବାକୁ ପଡୁଛି ।
ଖରାଦିନ ହୋଇଥାଏ । ସକାଳୁ ସକାଳୁ ସାଇକେଲ ଓ ଟାଙ୍ଗିଆଟା ଧରି ସଦା ବାହାରି ପଡିଲା ଗଛ କାଟିବା ପାଇଁ ଜଙ୍ଗଲକୁ । ଜଙ୍ଗଲରେ ପହଞ୍ଚିଲା ବେଳକୁ ଦେହସାରା ଗୋଟା ଗୋଟା ଝାଳ, କ’ଣ କରିବ । ଟିକେ ପୋଛିପାଛି ହୋଇ ନିଜ କାମରେ ଲାଗିଗଲା । ଜାଣିପାରିଲା ନାହିଁ କେତେବେଳେ ହେଲାଣି । ସୂର୍ଯ୍ୟଦେବତା ମୁଣ୍ଡଉପରକୁ ଉଠିଗଲେଣି । ପ୍ରବଳ ଖରା। ଚାରିଆଡ଼େ ତାତି ଲାଗିଲାଣି । ଆଉ ଅଧିକ ବିଳମ୍ବ ନ କରି କାଟିଥିବା କାଠକୁ ସାଇକେଲରେ ଲଦି ଆଗକୁ ଚାଲିଲା ସଦା । କିଛି ବାଟ ଗଲା । ଚାରିଆଡ଼େ ଗଛ କଟା ହୋଇ ଖୁଣ୍ଟାମାନ ଠିଆ ହୋଇଥାଏ । ଶୂନ ଶାନ ଲାଗୁଥାଏ । ଆଉ ଡେରି ନ କରି ସଦା ସାଇକେଲଟା ତଳକୁ ଗଡାଇଲା । ହଠାତ୍ ସାଇକେଲ ଚକରୁ ପବନ ଚାଲିଗଲା । ସଦାର ମନ ଅସ୍ଥିର ହେଲା ସେ ବାରମ୍ବାର ଏପାଖ ସେପାଖ ଚାହିଁଲା । କେହି କୁଆଡେ ନାହାନ୍ତି । ତଥାପି ସାଇକେଲ ଧରି ଚାଲିଥାଏ । ମୁଣ୍ଡଟା ବୁଲାଇବାକୁ ଆରମ୍ଭ କଲା ଜିଭଶୁଖି ଆସିଲା । କିଛି ଦୂରରେ ଗୋଟିଏ ପୋଖରୀ ହୁଡାରେ ଗଛଟିଏ ଦେଖିଲା । ସଦା ଜୀବନ ବିକଳରେ ସେଠାରେ ପହଞ୍ଚିବାକୁ ଚାହିଁଲା । ପାଦ ଦୁଇଟା ତଳେ ନ ଲାଗିଲା ପରି ଲାଗିଲା । ଆକାଶଟା ଘୁରି ଯାଉଥିଲା । ସେ ଜୀବନ ବିକଳରେ ପାଦର ଗତି ବଢାଇଲା । ଆଉ ଦୁଇଗଜ ଦୂରରେ ଗଛ । ହଠାତ୍ ସାଇକେଲଟା ତା ହାତରୁ ପଡିଗଲା । ଘୁଷୁରି ଘୁଷୁରି ଗଛ ମୂଳରେ ବସିପଡିଲା । ଗଛର ଛାଇ ତାକୁ ଟିକେ ଆରାମ ଲାଗିଲା ସେ ବାରମ୍ବାର ଗଛକୁ ଚାହୁଁଥାଏ ।
ଏହି ଗଛମାନଙ୍କୁ ନିଷ୍ଠୁର ଭାବେ କେତେ ସେ ନ ହାଣିଛି । ଆଜି କିନ୍ତୁ ସେମାନେ ହିଁ ତା’ର ସହାୟକ । ହଠାତ୍ ତା’ର ଚେତା ଚାଲିଗଲା । ଚେତା ଆସିଲା ବେଳକୁ ଦେଖିଲା ସେ ଘରେ ଶୋଇଛି । ସେ ଜାଣିପାରିଲା ତାଙ୍କ ଘର ପାଖର ଅନ୍ୟ କାଠୁରିଆମାନେ ତାକୁ ଘରକୁ ଆଣିଛନ୍ତି ।
ସେହିଦିନ ଠାରୁ ସେ ଗଛ ନ କାଟିବାକୁ ଶପଥ ନେଲା । ଅନ୍ୟମାନଙ୍କୁ ବୁଝାଇଲା । ନୂଆ ଜଙ୍ଗଲ ପାଇଁ ନଣ୍ଡା ପାହାଡ଼ରେ ଗଛ ଲଗାଇବାକୁ ଚେଷ୍ଟା କଲା । ଆଜି ତା’ର ଫଳ ସ୍ୱରୂପ ଘରଠାରୁ ଅଳ୍ପ ଦୂରରେ ହସି ଉଠିଛି ଗୋଟିଏ ନୂଆ ଜଙ୍ଗଲ। ଚଢେଇମାନଙ୍କର କିଚିରି ମିଚିରି ଶବ୍ଦ ଆଉ ସୁଲୁସୁଲିଆ ପବନର ଶବ୍ଦ ସମସ୍ତଙ୍କୁ ଆନନ୍ଦ ଦେଉଛି।
ଚିଣ୍ଟୁର ଘର ସାବରୀ ନଈ କୂଳରେ । ନଈରେ ପହଁରିବା, ନଈ କୂଳରେ ବିରାଟ ବରଗଛ ଓହଳରେ ଦୋଳି ଖେଳିବା, ବାଗୁଡି ଖେଳିବା, ସାଙ୍ଗସାଥୀ ସହ ମିଶି ଗଛ ଉପରେ ଚଢି ନଈ ଭିତରକୁ ଡେଇଁବାକୁ ସେ ଭାରି ଭଲପାଏ ।
ସେ ବର୍ଷ ଅଶିଣ ମାସ । ଉପର ମୁଣ୍ଡରେ ପ୍ରବଳ ବର୍ଷା । ତୁହାକୁ ତୁହା ପବନ । ଏହିପରି ସାତ ଦିନ ଧରି ଚାଲିଲା । ନଈ କୂଳ ଲଂଘିଲା । ଚିଣ୍ଟୁ ଆସ୍ତେ ଆସ୍ତେ ପାଣି ଗାଁ ଭିତରକୁ ଆସିଲା । ଘରର ଚାଳମାନ ଭାସିଗଲା । ଗାଈଗୋରୁ ଭାସିଭାସି ଚାଲିଗଲେ । ଚିଣ୍ଟୁ କ’ଣ କରିବ ? ଯାହା ଘରେ ଚୁଡା, ଗୁଡ ଥିଲା ତାକୁ ଧରି ବାପା ମା’ ଆଉ ସାନ ଭାଇ ସହ ସେ ବରଗଛ ଉପରକୁ ଜୀବନ ବିକଳରେ ଚଢିଗଲା । ପାଣି ବଢୁଥାଏ । ସୁ-ସୁ ପବନ ବହୁଥାଏ । କଲିଜା ଥରୁଥାଏ । ସେ ଠାକୁରଙ୍କୁ ଡାକୁଥାଏ । ରାତି ପାହି ସକାଳ ହେଲା । ସୂର୍ଯ୍ୟ ଦେଖାଗଲେ । ନଈ ସେପାଖରୁ ଡଙ୍ଗା ଦେଖାଗଲା । ଉଧାରକାରୀ ଦଳ ବରଗଛରୁ ଏମାନଙ୍କୁ ଉଦ୍ଧାର କଲେ । ଡଙ୍ଗାରେ ବସିଲା ବେଳକୁ ବରଗଛକୁ ଚାହିଁଛି । ଚିଣ୍ଟୁ ଭାବିଲା ସତରେ କେତେ ବିଶ୍ଵାସୀ ଏ ଗଛ । ନିଜ ଜୀବନକୁ ରକ୍ଷା କରିବା ସହ ଚାରିପ୍ରାଣୀଙ୍କୁ ବଞ୍ଚାଇଲା । ସେ ଶପଥ କଲା ନିଶ୍ଚୟ ଗଛ ଲଗାଇବ । ବନ୍ୟା ଗଲା । ହେଲେ ଚିଣ୍ଟୁ ତା ପ୍ରତିଜ୍ଞା ଭୁଲି ନଥିଲା । ସେ ନଈ କୂଳରେ ସାଙ୍ଗ ସାଥୀମାନଙ୍କୁ ଧରି ଗଛମାନ ଲଗାଇ ଚାଲିଲା । ବୟସ୍କ ଲୋକେ ମଧ୍ୟ ଏହା ଦେଖି ଗଚମାନ ଲଗାଇଲେ । ବନ୍ୟା ଆସିଲେ ବି ଆଉ ଭୟଙ୍କର ରୂପ ନେଲା ନାହିଁ କାରଣ ଗଛ ସେସବୁକୁ ଅଟକାଇ ଦେଲା । ସମସ୍ତେ ଚିଣ୍ଟୁକୁ ବାଃ ବାଃ କହିଲେ ।
ରମେଶ ନୂଆ ନୂଆ ସହରକୁ ଆସିଥାଏ । ଚାରିଆଡେ ଗାଡ଼ି ମଟର । ତାଙ୍କ କୋଠା ଆଗରେ ଲମ୍ବି ଯାଇଛି ଦୀର୍ଘ ରାସ୍ତାଟିଏ । ସବୁବେଳେ ଗାଡ଼ିମଟର ପେଁ ପାଁ ।ବୁଲାଣି ପାଖରେ ଏକ ବଡ ନିମ୍ବଗଛ ତଳେ ମଦନ ସାହୁର ଜଳଖିଆ ଦୋକାନ । କେତେ ରିକ୍ସାବାଲା, ଟଲିବାଲା, ଝୁମ୍ପୁଡ଼ିବାଲା, ଆଉ ମଜୁରିଆ ସେଠାରେ ଖାଆନ୍ତି । ସେଦିନ କ’ଣ ହେଲା କେଜାଣି ରମେଶ ବାପାଙ୍କୁ ପଚାରିଲା । ବାପା କହିଲେ ଚାରିଟିକିଆ ରାସ୍ତା ହେବ ତ ତେଣୁ ରାସ୍ତାକଡରେ ଗଛସବୁ ହଣା ହେବ । ଲୋକମାନେ ଏହାର ବିରୋଧ କରୁଛନ୍ତି। ରମେଶ ମନକୁ କଥାଟା ପାଇଲା । ସତରେ ତ ଗଛ ଥିବାରୁ ଏ ଲୋକେ ଖରାରୁ ଟିକେ ରକ୍ଷା ପାଉଥିଲେ । ଲୋକମାନେ ଏମାନଙ୍କ ଗଛ ଛାଇରେ ଗଡିଯାଆନ୍ତି । ଖରାଦିନେ ତ ଖରାବେଳେ ବସିବାକୁ ଜାଗା ନ ଥାଏ । ଗାଡ଼ି ମଟରରୁ ବାହାରୁଥିବା ଧୂଆଁ ଅପେକ୍ଷା ଏ ସ୍ଥାନଟି ଖୁବ୍ ଥଣ୍ଡା । ଅବସ୍ଥା ହେବ କ’ଣ ? କିଏ ଏମାନଙ୍କୁ ରକ୍ଷା କରିବ? କେତେ ଗାଈଗୋରୁ ମଣିଷ ଟିକେ ବସିଯାଉଥିଲେ । କ’ଣ ନା ରାସ୍ତା ଚଉଡା ହେବ । ବିଜୁଳିବତୀ କେବୁଲ ଯିବ । ରମେଶକୁ ଲାଗିଲା ତା’ ଗାଁ ଜୀବନ ବହୁତ ଭଲ ।
ସେ ଭିଡ ଠେଲି ଚାଲିଲା ଆଗକୁ ଆଗକୁ । ଠିଆ ହୋଇଥିବା ଅଫିସରଙ୍କୁ କହିଲା –“ ଆପଣମାନେ କ’ଣ ଏ ଗଛଠାରୁ କିଛି ଉପକାର ପାଇନାହାଁନ୍ତି ।
ଅଫିସରମାନେ ବିସ୍ମିତ ହୋଇ କହିଲେ, ‘ହଁ ତ’ । ତେବେ ଏ ଗଛ କାଟୁଛ କାହିଁକି ? ଅଫିସରମାନେ କହିଲେ – “ଜନସଂଖ୍ୟା ବଢିଲା, ଯାନବାହାନ ବଢିଲା, ତେଣୁ ରାସ୍ତା ଚଉଡା ହେବା ପାଇଁ ଗଛ ସଂଖ୍ୟା ବଢାଉ ନାହାନ୍ତି କାହିଁକି ? ଆପଣମାନେ ଜାଣନ୍ତି ଯେଉଁଗଛ କାଟୁଛନ୍ତି ତାହା ଶହଶହ ବର୍ଷର । ଆମ ଶିକ୍ଷକ କହୁଥିଲେ ଏ ଗଛଗୁଡିକର ଉପକାରିତା । ଆପଣମାନେ କ’ଣ ପାଠରେ ପଢିନାହାନ୍ତି ?”
ଅଫିସରମାନେ ରମେଶର ମନକଥା ଜାଣି ପାରିଲେ ଏବଂ ତାକୁ ବୁଝାଇବାକୁ ଚେଷ୍ଟା କଲେ । ସେମାନେ କହିଲେ – “ରାସ୍ତା ମଝିରେ ଗଛମାନ ଲାଗିବ । ସରକାରଙ୍କ ତରଫରୁ ଖୁବ୍ କମ୍ ଦିନରେ ଝଙ୍କାଳିଆ ହୋଇ ବଢିପାରୁଥିବା ଗଛମାନ ଲଗାଯିବ। ଖରାଦିନେ ବାଟୋଇମାନେ କ୍ଳାନ୍ତ ଅନୁଭବ କରିବେ ନାହିଁ ।ଏହାଦ୍ଵାରା ଯାନବାହାନର ଧୂଆଁରେ ବାୟୁ ମଧ୍ୟ ପ୍ରଦୂଷିତ ହେବ ନାହିଁ ।“
ରମେଶ ଆଜି ସେସବୁ କଥା ଦେଖୁଛି । ବାପାଙ୍କ ସାଥୀରେ ଗଲାବେଳେ ରାସ୍ତାର ମଝିରେ ଗଛମାନ ପୋତା ହୋଇ ପାଣି ଦିଆଚାଲିଛି । ଗଛ ବଡ ହୋଇ ଝଙ୍କାଳିଆ ହେଲାଣି ।
ଆଜି ରମେଶ ସମସ୍ତଙ୍କୁ କହୁଛି –“ଗୋଟିଏ ଗଛ କାଟିଲେ ଦଶଟି ଗଛ ପୋତି, ତାକୁ ବଢାଅ, ସମାଜକୁ ସବୁଜ କର ।“
ସେଦିନ ଶୀତୁଆ ସଞ୍ଜରେ ଘୋଡେଇ ହୋଇ ନିଆଁ ପାଖରେ ବସିଥାନ୍ତି କୁନି, ତା’ ବୋଉ, ସାନଭାଇ ଆଉ ଜେଜେମା । ହାତପାପୁଲି ଦିଓଟିକୁ ନିଆଁକୁ ଦେଖାଇ ଉଷୁମ ଟାଣୁଥିବା ଜେଜେମା କହି ଚାଲିଥାନ୍ତି – ତାଙ୍କ ଗାଁ ପାଖରେ କିପରି ଜଙ୍ଗଲ ଥିଲା । ସେମାନେ କିପରି କୋଳି ତୋଳିବାକୁ ବଣକୁ ଯାଉଥିଲେ । ଠେକୁଆ, କୁଟୁରା, ହରିଣ ସହ ହାତୀମାନଙ୍କର ଜଙ୍ଗଲରେ ବୁଲିବା, ଝରଣାପାଣି ପିଇବା ଆଦିରେ କି ମଜା ଥିଲା । ଆଜି ଜଙ୍ଗଲସବୁ ପଦା ହୋଇଗଲାଣି । ପଶୁପକ୍ଷୀମାନେ ଖାଇବାକୁ ପାଉନାହାନ୍ତି। ହଠାତ୍ ପାଟି ଶୁଭିଲା । ଗାଁ ମୁଣ୍ଡ ପୋଟଳେଇ ଠାକୁରାଣୀ ପଟୁ ଧଇଁ ସଇଁ ହୋଇ ମକରା ଦଉଡି ଦଉଡି ଆସି ଏକା ନିଃଶ୍ଵାସରେ କହିଚାଲିଲା – ହାତୀପଲ ବିଲବାଡି ପାରି ହୋଇ ଗାଁ ଆଡକୁ ମୁହାଁଉଛନ୍ତି । ସମସ୍ତଙ୍କୁ ଛାନିଆଁ ଲାଗିଲା । ସେମାନେ ଯିଏ ଯୁଆଡେ ପାରିଲେ ଜୀବନ ନେଇ ଦଉଡୁଥାନ୍ତି । ଜେଜେମା କିନ୍ତୁ ବିଚଳିତ ହେଲେ ନାହିଁ । ସେ ସମସ୍ତଙ୍କୁଧରି ଘରପଛପଟ ବାଉଁଶ ବୁଦା ଭିତରେ ପଶିଗଲେ । ସେ ଜାଣିଥିଲେ ହାତୀର ବାଉଁଶ ବୁଦାକୁ ଭାରିଭୟ । ବୁଦା ଭିତରେ ଥାଇ ସେମାନେ ଦେଖିଲେ । ଦଳେହାତୀ ମାଡିଆସିଲେ । ସବା ଆଗରେ ଦନ୍ତାହାତୀ ତା’ ପଛପଟେ ପାଞ୍ଚଟି ମାଈହାତୀ ତାଙ୍କ ସହିତ ତିନୋଟି ହାତୀଛୁଆ ମାଟିକାନ୍ଥଟାକୁ ଠେଲି ଭାଙ୍ଗିଦେଲେ । ଧାନସବୁ ଖାଇଗଲେ । ଚାଳଛପରକୁ ଟାଣି ଗଦା କରିଦେଲେ । କିଛି ସମୟ ଏହିପରି କାଣ୍ଡ ଘଟାଇ ସେମାନେ ନିଜ ବାଟରେ ଫେରିଗଲେ ।
ଜେଜେମା ସହିତ ସମସ୍ତେ ପଦାକୁ ବାହାରି ଆସିଲେ । ଜେଜେମା କହିଲେ, ଦେଖିଲୁ, କୁନି ମୁଁ ଯାହା କହୁଥିଲି ତାହା କିପରି ସତ ହେଲା । ଜଙ୍ଗଲ ନଥିବାରୁ ଜୀବଜନ୍ତୁମାନେ ଖାଇବାକୁ ନପାଇ ଗାଁ ଭୂଇଁରେ ପହଞ୍ଚିଲେଣି । ଏସବୁ ମଣିଷ ହିଁ କରିଛି । ତେଣୁ କଥାରେ ଅଛି –
ଆପଣା ହସ୍ତେ ଜିହ୍ଵା ଛେଦି ।
କେ ତା’ରେ ଅଛି ପ୍ରତିବାଦୀ ?
ତେଣୁ ମଣିଷ ସତର୍କ ନହେଲେ, ଜଙ୍ଗଲ ନ ବଢାଇଲେ ସେ ମଧ୍ୟ ବଞ୍ଚିପାରିବ ନାହିଁ । ପାଣିପାଗ ବଦଳିଯିବ । ଖାଇବାକୁ ମିଳିବ ନାହିଁ । ପଶୁମାନେ ସେମାନଙ୍କର କ୍ଷତି କରିବେ । ତେଣୁ ଜଙ୍ଗଲ ବଢାଇବା ଉଚିତ୍ । ଗଛ ଲଗାଇବା ନିହାତି ଦରକାର । ଏ କଥାଗୁଡିକ କୁନି ମନକୁ ଖୁବ୍ ପାଇଲା ।
କିଛିଦିନ ଗଲା । ବନାମହୋତ୍ସବ ତାଙ୍କ ବିଦ୍ୟାଳୟରେ ପାଳିତ ହେଉଥିଲା । ସରକାରଙ୍କ ଦ୍ଵାରା ମାଗଣା ଗଛଚାରା ବଣ୍ଟା ହେଲା । କୁନି ତା’ ସାଙ୍ଗସାଥୀଙ୍କ ସହ ବିଦ୍ୟାଳୟ ଭିତରେ ଓ ପାଖଆଖ ଖାଲି ଜାଗାରେ ଚାରାମାନ ଲଗାଇଲା । ତା’ର ସାଙ୍ଗସାଥୀମାନେ ମିଶି ଆଖପାଖ ଗାଁରେ ଲୋକମାନଙ୍କୁ ଗଛଲଗାଇବାର ଉପକାରିତା ବୁଝାଇଲେ । ଛୋଟ ଛୋଟ ପିଲାଙ୍କଠାରୁ ଏପରି ଭଲକଥା ଶୁଣି ଗାଁ ଲୋକେ ସରପଞ୍ଚଙ୍କୁ ଭେଟିଲେ । ଶେଷରେ ସମସ୍ତଙ୍କ ମିଳିତ ସହଯୋଗରେ ଖାଲିପଡିଥିବା ଜାଗାଗୁଡିକରେ ପୁଣି ଗଛ ଲଗାହେଲା । କିଛିଦିନ ଗଲା, ସେ ଜାଗାଗୁଡିକ ଗଛରେ ପୂରି ଉଠିଲା । ନାନା ଜାତିର ଗଛରେ ସେ ଅଞ୍ଚଳ ହସିଉଠିଲା । ପୁଣି ଠେକୁଆ, ହରିଣ, ହାତୀ ଆଦି ଆନନ୍ଦରେ ଦୌଡା ଦୌଡି କଲେ ଆଉ ହାତୀମାନେ ଜଙ୍ଗଲଭିତରୁ ପଦାକୁ ଆସିବାକୁ ଚାହିଁଲେ ନାହିଁ। ତେଣୁ ଲୋକମାନଙ୍କର କିଛି କ୍ଷତି ହେଲାନାହିଁ । ସେମାନେ ଆନନ୍ଦରେ ରହିଲେ ।
ସେଦିନ ଥାଏ ଗଣେଶ ପୂଜା । ପୁଷ୍ପାଞ୍ଜଳି ପାଇଁ ଫୁଲ ଦରକାର । କ’ଣ କରିବ ରିଙ୍କୁ । ମନଟା ଡହଳ ବିକଳ ହେଉଥାଏ। ଇଏ କଟକ । ଚାରିଆଡେ ଖାଲି କୋଠା । ମାଟି ଟିକେ ଦେଖିବାକୁ ମିଳେ ନାହିଁ । ତାଙ୍କ କୋଠା ଚାରିପଟେ ବିରାଟ ପାଚେରୀ,ହେଲେ ଗଛଟିଏ ବି ନାହିଁ ।
ବୁଢୀମା ଗାଁରୁ ଆସିଲେ ଠାକୁର ପୂଜା ପାଇଁ ଫୁଲଟିଏ ପାଆନ୍ତି ନାହିଁ । ବାପା ଚାନ୍ଦିନୀଚୌକ ଅଫିସ ପାଖରୁ ଫୁଲ କିଣି ଆଣନ୍ତି । ସେଦିନ ପୁଷ୍ପାଞ୍ଜଳି ପାଇଁ ଫୁଲ ନ ମିଳିବାକୁ ବହୁତ କଷ୍ଟ ଲାଗିଲା ।
ସଂନ୍ଧ୍ୟା ବେଳକୁ ବାପା ଟୁର୍ ରୁ ଫେରିଲେ । ରାତିକୁ ନିମନ୍ତ୍ରଣ ଥାଏ ବନ୍ଧୁ ମିତ୍ରଭାନୁଙ୍କ ଘରେ । ମିତ୍ରାଭାନୁ ବଙ୍ଗାଳୀ ଲୋକ। ସଂନ୍ଧ୍ୟାରେ ବାପା ଓ ମାଆଙ୍କ ସହ ରିଙ୍କୁ ତାଙ୍କ ଘରକୁ ଗଲା । କୋଠା ଉପରେ ବାପା ଓ ମିତ୍ରଭାନୁ ଅଙ୍କଲ ବସିଥାନ୍ତି । ପାଖରେ ବସି ଗପୁଥାନ୍ତି ମାଆ ଏବଂ ଆଣ୍ଟି । ରିଙ୍କୁର ଆଖି କୋଠା ଉପରେ ଲଗା ଯାଇଥିବା ଭଳିକି ଭଳି ଗଛ ଉପରେ ପଡୁଥାଏ । ବିଭିନ୍ନ ଜାତିର ବିଭିନ୍ନ ରଙ୍ଗର ଫୁଲ ହସିଉଠୁଥାଏ । ଘାସ ଗାଲିଚାଟିଏ କୋଠା ଉପରେ ହୋଇଥାଏ । ଏସବୁ ଦେଖି ରିଙ୍କୁ ଭାବି ପାରିଲା ନାହିଁ ଯେ ସେ ଗୋଟାଏ ଛାତ ଉପରେ ବସିଛି । ତାକୁ ଲାଗିଲା କେଉଁ ପାର୍କରେ ବସିଲା ପରି । ସେ ବାପାଙ୍କ ପାଖକୁ ଲାଗିଗଲା ଏବଂ ଗଛ ବିଷୟରେ ଜାଣିବାକୁ ଚାହିଁଲା । ମିତ୍ରଭାନୁ ବାବୁ ରିଙ୍କୁର ମନକଥା ବୁଝିଲେ ଏବଂ ସରଳଭାବରେ ବୁଝାଇଦେଲେ କିପରି ଜରିପଡ଼ି ତା’ ଉପରେ ମାଟି ଦେଇ ଗଛ ଲଗାଯାଇଛି । ଘାସ ମଞ୍ଜିମାନ ବୁଣି ଗାଲିଚା ପରି କରାଯାଇଛି । ସେଦିନ ଘରକୁ ଫେରିବା ପରଠାରୁ ରିଙ୍କୁ ବାପାଙ୍କ ସହ ଜିଦ୍ ଧରି କୋଠା ଉପରେ କେତେକ ଫୁଲ ଗଛ କୁଣ୍ଡରେ ଲଗାଇଲା । ଉପଯୁକ୍ତ ପାଣି, ସାର, ମାଟି ଦେବାରୁ ଗଛଗୁଡିକ ସୁନ୍ଦର ଭାବରେ ବଢିଲା । ଫୁଲ ଫୁଟିଲା, ପ୍ରଜାପତିମାନେ ଉଡିଆସିଲେ । ସୁନ୍ଦର ବଗିଚାଟିଏ ହେଲା । ବାପାଙ୍କୁ ଆଉ ପଇସା ଖର୍ଚ୍ଚ କରି ପରିଶ୍ରମ କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫୁଲ କିଣିବାକୁ ପଡିଲା ନାହିଁ । ବୁଢୀମା କାର୍ତ୍ତିକ ମାସରେ ଆସିଲେ । ବଗିଚାଟି ଦେଖି ଖୁସି ହେଲେ ଏବଂ ରିଙ୍କକୁ ପ୍ରଶଂସା କରିବା ସହ ଠାକୁରଙ୍କୁ ଏ ଭଲ ବୁଦ୍ଧିଦେଇଥିବାରୁ ମୁଣ୍ଡିଆ ମାରିଲେ ।
ଆଜି ରିମା ପୁରସ୍କାର ଗ୍ରହଣ କରୁଛି ରାଜ୍ୟପାଳଙ୍କଠାରୁ । କେତେ ଖୁସିର କଥା । ଛାତି ତା’ର ଗର୍ବରେ ଫାଟି ପଡିଛି । ସେ ପିଲାଦିନର କଥା ମନେ ପକାଇଲା । ସେତେବେଳେ ତା’ର ବୟସ ପାଞ୍ଚ ବର୍ଷ । ତୁଲସୀ ଚଉରା ମୂଳରେ ବୋଉ ପାଣି ଦେଇ ଠିକ୍ ଉଠିଯାଉଥାନ୍ତି । ରିମା ତା’ ସାଥୀମାନଙ୍କ ସହ ଖେଳୁଥାଏ । ଟିକିଏ ଦୂରରେ ବସିଥାନ୍ତି ତାଙ୍କର ମାଆ। ସେ ଖେଳୁଖେଳୁ ଚଉରା ପିଣ୍ଡି ଉପରକୁ ଉଠିଗଲା ଏବଂ ତୁଲସୀପତ୍ର ନିଜେ ଖାଇବା ସହ ଅନ୍ୟମାନଙ୍କୁ ବାଣ୍ଟିଲା । ଆସ୍ତେ ଆସ୍ତେ ଗଛଟି ପତ୍ର ଶୂନ୍ୟ ହୋଇଗଲା ପରେ ସେ ଡାଳ ଏବଂ ପରେ ମୂଳକୁ ଧରି ଓପାଡି ଦେଲା । ସାଙ୍ଗସାଥୀମାନେ ଆନନ୍ଦରେ ତାଳି ମାରୁଥାନ୍ତି ।
ମାଆ ଆଉ ସମ୍ଭାଳି ପାରିଲେ ନାହିଁ । ସାଙ୍ଗେ ସାଙ୍ଗେ ଦୌଡି ଆସିଲେ । ଆଉ ମନଇଚ୍ଛା ପାଟି କଲେ । ତୁଲସୀ କିପରି ଆମର ଉପକାର କରେ, ସର୍ଦ୍ଦି କାସ ଦୂର କରେ, ଅନ୍ୟାନ୍ୟ ରୋଗ ଉପଶମ କରେ ସେ ବିଷୟରେ ବୁଝାଇଲେ । ସାଙ୍ଗମାନଙ୍କର ମନ ତରଳି ଗଲା । ସେହିଦିନଠାରୁ ରିମା ସେହି ସାଙ୍ଗମାନଙ୍କୁ ଧରି ନିଜ ଗାଁ ପାଖ ମନ୍ଦିର ଏବଂ ବିଦ୍ୟାଳୟ ଠାରେ ଗଛମାନ ପୋତି ଚାଲିଲା ଏବଂ ଅଳ୍ପଦିନ ମଧ୍ୟରେ ଏକ ସବୁଜ ଚାଦର ବିଛାଗଲା ପରି ଲାଗିଲା । ମନ୍ଦିରକୁ ଆସୁଥିବା ଲୋକେ, ବିଦ୍ୟାଳୟର ଶିକ୍ଷକ ଛାତ୍ରୀଛାତ୍ରମାନେ ତାକୁ ବହୁତ ପ୍ରଶଂସା କଲେ ।
ଥରେ ତାଙ୍କ ବିଦ୍ୟାଳୟକୁ ବିଶିଷ୍ଟ ପରିବେଶବିତ୍ ଆସିଥିଲେ । ସେ ଏପରି କାର୍ଯ୍ୟ ଦେଖି ରିମାକୁ ପ୍ରଶଂସା କଲେ ଏବଂ ତାଙ୍କର ନାମ ପୁରସ୍କାର ପାଇଁ ସୁପାରିଶ କଲେ । ସେଦିନ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥାଏ । ସ୍ଵତନ୍ତ୍ର ଭାବେ ରିମା ନିମନ୍ତ୍ରିତ ହୋଇଥାଏ । ରାଜ୍ୟପାଳ ଆସିଲେ । ମାତ୍ର ପାଞ୍ଚ ବର୍ଷର ଝିଅ ନିକଟରେ ଏ ପ୍ରକାର ଗୁଣ ଦେଖି ଖୁବ୍ ଖୁସି ହେଲେ । ପୁରସ୍କାର ଦେବା ସମୟରେ ସେ ଝିଅଟିକୁ ଆହୁରି ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବାକୁ ଉପଦେଶ ଦେଲେ । ରୀମା ସେହିଦିନଠାରୁ ଆହୁରି ଗଛ ଲଗାଇବା ସହ ସୁନ୍ଦର ସୁନ୍ଦର ଚିତ୍ର କରି ଗଛର ଉପକାର ଲୋକକମାନଙ୍କୁ ଦେଖାଇଲା ଲୋକମାନେ ରୀମାକୁ ଖୁବ୍ ପସନ୍ଦ କଲେ ।
ଲକି ଚାହିଁଛି ଆମ୍ବଗଛଟିକୁ । ଝୁଲି ପଡିଛି ପେନ୍ଥାପେନ୍ଥା ଆମ୍ବ । ବାସନାରେ ବାସିଉଠୁଛି ବଗିଚା । ଆଜି ସେ ଶାଶୂଘରକୁ ଯିବ । ବାଜିଉଠୁଛି ଶାହାନାଇ । ସେ ଭାବୁଛି ଅତୀତକୁ ସେଦିନ ତା’ର ଷୋହଳ ବୟସ ଥିଲା । ଷୋହଳ ବୟସ ପାଇଁ ବାପା କରିଥିବା ମାନସିକ ଅନୁସାରେ ପୂଜାର୍ଚ୍ଚନା ଚାଲିଥାଏ ।
ପାଲା ହେଉଥାଏ, ସମସ୍ତେ ବନ୍ଧୁବାନ୍ଧବ ଯୋଗ ଦେଇଥାନ୍ତି । ବିଭିନ୍ନ ଉପହାରମାନ ଦେଉଥାନ୍ତି । ଉପହାରଗୁଡିକ ଦେଖି ତା’ର ପେଟ ପୂରିଉଠୁଥାଏ । ଏହି ସମୟରେ ତାଙ୍କ ବିଦ୍ୟାଳୟର ସାର୍ ପହଞ୍ଚିଲେ । ଆଗରୁସେ ବାରମ୍ବାର ସାର୍ ଙ୍କୁ ଆସିବାକୁ କହିଥିଲା । ସାର୍ ଙ୍କର ସେ ସବୁଠାରୁ ପ୍ରିୟ ଛାତ୍ରୀ । ସାର୍ ନିଜ ଜୀବନଠାରୁ ବଳି ସ୍ନେହ କରନ୍ତି । ଲକି ଭାବିଥିଲା ସାର୍ ନିଶ୍ଚୟ ଆସିବେ ।
ସତକୁ ସତ ସାର୍ ଠିକ୍ ସମୟରେ ପହଞ୍ଚିଲେ । ବନ୍ଧୁବାନ୍ଧବ ସାଙ୍ଗସାଥୀ ଥାନ୍ତି । ସେ ଆଣିଥିବା ଉପହାରଟି ନିଆରା ଥିଲା। ସମସ୍ତେ ଚାହିଁ ରହିଥିଲେ । ଗୋଟିଏ ଛୋଟିଆ କୁଣ୍ଡରେ ଥିବା ଏକ ଆମ୍ବଗଛଟିଏ । ଏହା ଦେଖି ଲକିକୁ ଟିକେ ସଙ୍କୋଚ ଲାଗିଲା, ସାର୍ ଙ୍କୁ ମୁଣ୍ଡିଆ ମାରିବା ବେଳେ । ସାର୍ ଗଛଟିର ମହତ୍ତ୍ଵ ବିଷୟରେ ସଂକ୍ଷେପରେ ତାଙ୍କୁ କହିଥିଲେ ।
ଲକି ବାପାଙ୍କୁ ଆମ୍ବଗଛଟି ଦେଖାଇବା ମାତ୍ରେ ସେ ଆନନ୍ଦ ହେଲେ ଏବଂ ଲକି ସହିତ ଯାଇ ବଗିଚାରେ ଗଛଟିକୁ ପୋତିଦେଲେ । ସବୁଦିନ ଗଛମୂଳେ ପାଣି ଦେବା ତା’ର ଅଭ୍ୟାସ । ଯେତେହେଲେ ବି ସାର୍ ଙ୍କ ସ୍ମୃତି ମନେ ରଖିବାକୁ ହେବ । ଆସ୍ତେ ଆସ୍ତେ ଗଛଟି ବଡ ହେଲା, କଅଁଳିଆ ପତ୍ର ଦେଲା ଏବଂ ସମୟକ୍ରମେ ବଉଳ ଆସିଲା ଏବଂ ବଗିଚାଟି ମହକି ଉଠିଲା । ତା’ପରେ ପେନ୍ଥା ପେନ୍ଥା ଆମ୍ବ ପବନରେ ଦୋଳିଖେଳିଲା । ଆମ୍ବ ପାଚିଗଲେ ତା’ର ସୁଆଦ ମନମୁଗ୍ଧକର ଥିଲା । ସେଦିନର ସେ ଉପହାରର ପ୍ରକୃତ ମୂଲ୍ୟ ବୁଝିପାରିଲା । ଅନ୍ୟସବୁ ଉପହାର ଅପେକ୍ଷା ଗଛର ଉପହାର ଯେ କେତେ ମୂଲ୍ୟବାନ୍ ତାହା ସେ ଅଙ୍ଗେ ଲିଭାଇଲା ।
ସାଙ୍ଗସାଥୀମାନେ ଡାକ ପକାଇଲେ-ବର ଆସୁଛି । ଲକି ଭାବନା ରାଇଜରୁ ଫେରିଆସିଲା । ସେ ଚିନ୍ତାକଲା ସେ ପରଘରକୁ ଗଲେ ମଧ୍ୟ କିଛି ସ୍ମୃତି ନେଇଯିବ । ଯେଉଁଠାରେ ଜନ୍ମକଲା ବାପା, ମାଆ, ଭାଇ ଭଉଣୀ କେହି ନଥିଲେ ବି ସେହି ସ୍ମୃତିକୁ ନେଇ ବଞ୍ଚିବ । ବୋଉ ପାଖକୁ ଆସିଥାନ୍ତି । ଝିଅର ମନକଥା କେବଳ ମାଆ ବୁଝିପାରେ । ଲକି ବୋଉକୁ ଗୋଟି ଗୋଟି କରି ସବୁ କଥା କହିଲା ଏବଂ ପର ଗାଆଁକୁ ଗଲେ ମଧ୍ୟ ସେଠାରେ ସେ ବଗିଚାଟିଏ କରି ନିଜର ସୁଖ ସଂସାର କରିବା ସହ ଶାନ୍ତିରେ ରହି ଅନ୍ୟର ଆଦର୍ଶ ହେବ ବୋଲି ଜଣାଇଲା । ମାଆ ସଙ୍ଗେ ସଙ୍ଗେ ପାଖ ପଡୋଶୀଙ୍କ ଘରୁ କେତୋଟି ଦରକାରୀ ଗଛ ଯୋଗାଡ଼ କଲେ ଏବଂ ସେଗୁଡିକ ଯତ୍ନରେ ରଖିଲେ ଏବଂ ସେଗୁଡିକ ଯେପରି ଝିଅକୁ ଦେବାକୁ ନ ଭୁଲନ୍ତି ବୋଲି ବାପାଙ୍କୁ କହିଲେ । ବାସ୍ତବିକ ସ୍ନେହର ଡୋର ଯେ ଏତେ ପବିତ୍ର ତାକୁ କେହି କାଟିପାରିବେ ନାହିଁ ବରଂ ଦୂରେଇ ଗଲେ ସ୍ନେହ ଅଧିକ ହୁଏ ଆଜି ତାହା ଜଣାପଡିଲା ।
ସେଦିନ ଥାଏ ରବିବାର ।ବାପା ବସି ଦୂରଦର୍ଶନରେ ସମ୍ବାଦ ଦେଖୁଥାନ୍ତି । ଇଜି ବାପାଙ୍କ ପାଖରେ ବସିଥାଏ । ଦୂରଦର୍ଶନରେ ସମ୍ବାଦ ଦେଖୁଥାନ୍ତି । ଇଜି ବାପାଙ୍କ ପାଖରେ ବସିଥାଏ । ଦୂରଦର୍ଶନରେ ମୁଖ୍ୟ ପ୍ରସଙ୍ଗ ଥାଏ ଦାରୁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଆଉ ସୁଦର୍ଶନଙ୍କ ଦାରୁ ଚିହ୍ନଟ । ବନଯାଗ ଦଳ ଦେଉଳୀମଠରୁ ବାହାରି ଦାରୁ ଖୋଜୁଥାନ୍ତି । ଇଜି ବାପାଙ୍କ ଠାରୁ ‘ଦାରୁ’ ହେବା ପାଇଁ ଗଛର କେଉଁ କେଉଁ ଲକ୍ଷଣ ଥିବା ଦରକାର ସେ କଥା ବୁଝୁଥାଏ । ଗଛଟି ନିମ୍ବଗଛ ହେବା କାହିଁକି ଆବଶ୍ୟକ –ସେ ବିଷୟରେ ଗୋଟିଏ ଗୋଟି ପଚାରୁଥାଏ । ବାପା ମଧ୍ୟ ବୁଝାଇ ଚାଲିଥାନ୍ତି । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦାରୁ ଚିହ୍ନଟ ସରି ଶେଷକୁ ଥାଏ ଶ୍ରୀଜଗନ୍ନାଥଙ୍କ ଦାରୁ । ଜଗତସିଂହପୁର ଖରିପଡିଆରୁ ସେ ଦାରୁଟି ଚିହ୍ନଟ ହୋଇଥାଏ । ଦୂରଦର୍ଶନରେ ଦେଖାଯାଉଥାଏ କିଭଳି ସେଠାରେ ଲୋକମାନେ ଏକାଠି ହେଉଛନ୍ତି । ଯଜ୍ଞମଣ୍ଡପ ତିଆରି ହୋଇ ଯଜ୍ଞ ହେଉଛି । ଦଇତାପତିମାନେ ସେଠାରେ ଉପସ୍ଥିତ ଅଛନ୍ତି । ବିଦ୍ୟାପତି ନରସିଂହ ପତି ମହାପାତ୍ର, ବିଶ୍ଵାବସୁ ବିନାୟକ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଦାରୁଙ୍କର ସେବାବିଧି କରୁଛନ୍ତି ।
ଇଜିର ମନ ସେ ଜାଗାଟି ଦେଖିବାକୁ ଅଥୟ ହେଲା । ବାପାଙ୍କ ପାଖରେ ଜିଦ୍ କରିବସିଲା । ବାପା ଶେଷରେ ରାଜି ହେଲେ । ଇଜି ତା’ର ବୋଉ ଏବଂ ବାପାଙ୍କ ଶ ଖରିପଡିଆକୁ ବାହାରିଲା । ସେ ସ୍ଥାନଟି ତାଙ୍କର ଘରଠାରୁ ମାତ୍ର ୧୦ କି.ମି. ଦୂର । ଅଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚିଗଲେ । ସେଠାରେ ସେମାନେ ଦେଖିଲେ ବଡଦାଣ୍ଡରେ ରଥଯାତ୍ରା ପରି ଗହଳି ଲାଗିଛି । ଦାରୁ ଥିବା ସ୍ଥାନକୁ ଲୋକଙ୍କ ସୁଅ ଛୁଟିଛି । ପିଲାଠାରୁ ବୁଢାଯାଏ ସମସ୍ତଙ୍କ ମନ ଚଞ୍ଚଳ । କେମିତି ଟିକେ ଦାରୁ ଦେବତାଙ୍କୁ ଦେଖିବୁ, ମୁଣ୍ଡିଆଟିଏ ମାରିବୁ। ସେଠାରେ ବିଭିନ୍ନ ଉଠାଦୋକାନମାନ ବସିଛି । ଦାରୁ ଦେବତାଙ୍କର ଫଟୋଚିତ୍ର ଚାଲିଛି । ତାଳସଜ, ପଇଡ ରାସ୍ତାର ଦୁଇପଟେ ଥୁଆ ହୋଇ ବିକ୍ରି ହେଉଛି । ଏସବୁ ଦୃଶ୍ୟ ଦେଖି ଇଜିକୁ ଖୁବ୍ ଭଲ ଲାଗିଲା । ଟାଇଁ ଟାଇଁଆ ଖରା ଆଉ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ଇଜି ମାଡିଚାଲିଥାଏ ଆଗକୁ ଆଗକୁ । ଶେଷରେ ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ଦାରୁ ନିକଟରେ । ଇଜିକୁ ସବୁ ଆଶ୍ଚର୍ଯ୍ୟ ଲାଗୁଥାଏ । ହରିବୋଲ ହୁଳହୁଳି ପଡୁଥାଏ । ଦୀପମାନ ଜଳା ହେଉଥାଏ । ସମସ୍ତଙ୍କର ଆଖି ଲାଖି ରହିଥାଏ ଶ୍ରୀଜଗନ୍ନାଥଙ୍କ ଦାରୁ ଠାରେ ।
ମନଭରି ଶ୍ରୀଜଗନ୍ନାଥଙ୍କ ଦାରୁକୁ ଦେଖିଲା ପରେ ଟଙ୍କତୋରାଣି ପିଇ, ଦାରୁମାନଙ୍କର ଫଟୋଚିତ୍ର ଧରି ଫେରୁଥାଏ । ଦେଖୁଥାଏ ରାସ୍ତାରେ ଉଭୟ ପାଖରେ ଗଛ ନାହିଁ । ତେଣୁ ତାତି ପ୍ରବଳ ହେଉଛି । ଲୋକମାନେ ଛାଇ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି । ତେଣୁ ସେ ଭାବିଲା ଯଦି ରାସ୍ତାକଡରେ ଗଛ ଲଗାଯାଆନ୍ତା ତେବେ ଏ କଷ୍ଟ ମଧ୍ୟ ଦୂର ହୁଅନ୍ତା। ଆଉ ଯଦି କିଛି ନିମ୍ବଗଛ ଲଗାଯାଆନ୍ତା ତେବେ ସେଥିରୁ ମଧ୍ୟ ଭାଗ୍ୟରେ ଥିଲେ ଦାରୁଦେବତା ମିଳନ୍ତେ । ତେଣୁ ବାପାଙ୍କୁ ସବୁ ମନକଥା କହିଲା । ଇଜିର କଥା ବାପାଙ୍କ ମନକୁ ଛୁଇଁଲା । ବାପା ତାଙ୍କ କ୍ଲବ୍ ର ସଭ୍ୟମାନଙ୍କୁ ଏକାଠି କଲେ ଏବଂ ବର୍ଷାଦିନ ଆରମ୍ଭରୁ ଏହି କାର୍ଯ୍ୟ କରିବେ ବୋଲି ସ୍ଥିର କଲେ ଏବଂ ପ୍ରଥମ ଗଛଟି ଇଜି ପୋତି ଏହି ଶୁଭକାର୍ଯ୍ୟ ଆରମ୍ଭ କରିବ ବୋଲି ସିଦ୍ଧାନ୍ତ ହେଲା । ଇଜି ଏ କଥାଟିଏ ଏକମତ ହେବା ସହ ନିଜ ସାଙ୍ଗସାଥୀମାନଙ୍କୁ ଧରି ତାଙ୍କର ଗାଁ ପାଖ ନଈବନ୍ଧ ରାସ୍ତାରେ ଗଛ ଲାଗାଇବ ବୋଲି ବାପାଙ୍କ ନିକଟରେ ମଧ୍ୟ ଶପଥ କଲା । ବାଟଯାକ ଭାବୁଥାଏ ଏ ଜଗତରେ ସୁନା,ରୁପା, ତମ୍ବା,ହୀରା, ନୀଳା ପରି ଅମୂଲ୍ୟ ଜିନିଷ ଥିଲେ ମଧ୍ୟ ଜଗତର ନାଥ ଜଗନ୍ନାଥ ଗଛରୁ ତିଆରି ହେଉଛନ୍ତି । ମୂଲ୍ୟବାନ୍ ଧାତୁକୁ କେହି ପୂଜା ତ କରୁନାହାନ୍ତି, ପୂଜା କରୁଛନ୍ତି ଗଛକୁ । ତେଣୁ ଗଛର ମୂଲ୍ୟ, ମୂଲ୍ୟବାନ୍ ଧାତୁଠାରୁ ବହୁ ଗୁଣରେ ଅଧିକ । ଏହାର ପ୍ରତ୍ୟେକ ଅଂଶ ଲୋକଙ୍କର ସେବା କରେ । ପ୍ରକୃତରେ ଗଛ ହିଁ ଆମର ସବୁକିଛି । ଗଛ ଆମର ଅତି ନିଜର ।
ଆଧାର– ଦି’ ପ୍ରିଣ୍ଟ ଏଣ୍ଡ ପ୍ରସେସ୍
Last Modified : 1/16/2020