ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀରେ ଭୌଗୋଳିକ ଆବିଷ୍କାର ଯୋଗୁଁ ପୃଥିବୀର ବିଭିନ୍ନ୍ଜ ଅଞ୍ଚଳକୁ ଜଳପଥ ଓ ସ୍ଥଳପଥମନ ଆବିଷ୍କୃତ ହେଲା । ଯାତାୟାତ ଓ ଯୋଗାଯୋଗର ସୁବିଧା ହେବା ଦ୍ଵାରା ଏସିଆ ଓ ଆଫ୍ରିକା ମହାଦେଶର ପ୍ରାକୃତିକ ସମ୍ପଦର ପ୍ରଚୁର୍ଯ୍ୟ ସମ୍ପର୍କରେ ଇଉରୋପୀୟ ବଣିକମାନେ ଜାଣିପାରିଲେ । ଫଳରେ ବାଣିଜ୍ୟର ଉନ୍ନତି , ଆର୍ଥିକ ସମୃଦ୍ଧି , ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଇଉରୋପର ବିଭିନ୍ନ ରାଷ୍ଟ୍ର ଯଥା ଇଂଲଣ୍ଡ , ଫ୍ରାନ୍ସ, ପର୍ତ୍ତୁଗାଲ , ଡେନମାର୍କ ,ସ୍ପେନ , ହଲାଣ୍ଡ ପ୍ରଭୁତି ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶମାନ ସ୍ଥାପନ କରିଥିଲେ । ସେମାନେ ଉପନିବେଶଗୁଡିକର ଉନ୍ନତି ପ୍ରତି ଦୃଷ୍ଟି ନ ଦେଇ ନିଜର ସ୍ଵାର୍ଥ ହାସଲ ଦିଗରେ ଅଧିକ ଆଗ୍ରହୀ ଥିଲେ । ଉପନିବେଶଗୁଡିକର ଅଧିବାସୀମାନେ ଶୋଷଣ ଓ ନିର୍ଯ୍ୟାତନାର ଶିକାର ହେଉଥିଲେ । ତେଣୁ ଉପନିବେଶଗୁଡିକରେ ତୀବ୍ର ଜଣ ଅସନ୍ତୋଷ ଦେଖାଦେଇଥିଲା । ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଯିବା ପରେ ସେହି ଉପନିବେଶଗୁଡିକ ସ୍ଵାଧୀନତା ଲାଭ ଆଶାରେ ମିତ୍ରଶକ୍ତି ପକ୍ଷରେ ଯୋଗ ଦେଇଥିଲେ । କିନ୍ତୁ ଯୁଦ୍ଧ ଶେଷ ହେବାପରେ ସେମାନଙ୍କୁ ନିରାଶ ହେବାକୁ ପଡିଲା । ତେଣୁ ସେହି ଉପନିବେଶଗୁଡିକରେ ଜନ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଥିଲା ଏବଂ ଜନସାଧାରଣଙ୍କର ସକ୍ରିୟ ଅଂଶଗ୍ରହଣରେ ସେଗୁଡିକର ଗଣ ଆନ୍ଦୋଳନ ଆରମ୍ଭ ହୋଇ ଅନେକ ଏସୀୟ ଓ ଆଫ୍ରିକୀୟ ଉପନିବେଶ ସ୍ଵାଧୀନତା ଲାଭ କରିଥିଲେ ।
ଏସିଆ ମହାଦେଶର ପ୍ରାୟ ସମସ୍ତ ଉପନିବେଶରେ ସ୍ଵାଧୀନତାପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଇରାନ ଦେଶରେ ଇଂରେଜ ଶାସନ ବିରୋଧରେ ଆନ୍ଦୋଳନ ଦେଖାଦେଲା । 1921 ମସିହା ରେ ରେଜା ଖାଁ ଇଂରେଜମାନଙ୍କ ଠାରୁ କ୍ଷମତା ଅଧିକାର କରି ଇରାନକୁ ସ୍ଵାଧୀନ କରିଥିଲେ । ଆଫଗାନସ୍ଥାନରେ ପ୍ରଥମ ବିଶ୍ଵଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଇଂରେଜ ଶାସନ ଚାଲିଥିଲା । 1919 ମସିହାରେ ଏହାର ରାଜାଙ୍କୁ ହତ୍ୟା କରାଯିବାରୁ ତାଙ୍କପୁତ୍ର ଅମାନୁଲ୍ଲା ସିଂହାସନରେ ବସିଲେ । ସେ ଆଫଗାନିସ୍ତାନର ସ୍ଵାଧୀନତାକୁ ସ୍ଵିକୃତି ପ୍ରଦାନ କରିଥିଲେ । ଏହି ସମୟରେ ଆରବ ରାଜ୍ୟମାନଙ୍କରେ ମଧ୍ୟ ଫରାସୀ ଓ ଇଂରେଜ ଉପନିବେଶବାଦ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
ଫରାସୀ ଶାସନ ବିରୋଧରେ ସିରିୟାରେ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗଣହତ୍ୟା , ଆତଙ୍କରାଜ ଓ ଦମନଲୀଳା ସତ୍ତ୍ୱେ ଏହି ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିଲା । ପ୍ରଥମବିଶ୍ଵଯୁଦ୍ଧରେ ତୁର୍କୀରେ ମିତ୍ରଶକ୍ତିମାନଙ୍କର ଆଧିପତ୍ୟ ପ୍ରତିଷ୍ଠିତ ହୋଇଥିଲା । ତୁର୍କୀର ଜଣସାଧାରଣ ମୁସ୍ତାଫା କେମାଳଙ୍କ ନେତୃତ୍ଵରେ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ରୁଷ ସରକାରଙ୍କ ସହଯୋଗରେ ମୁସ୍ତାଫା କେମାଳ ମିତ୍ରଶକ୍ତିମାନଙ୍କର ସାମରିକ ବାହିନୀଗୁଡିକ ତୁର୍କୀରୁ ତଡିଦେଲେ । ତୁର୍କୀ ସ୍ଵାଧୀନତା ଲାଭ କରି ଏକ ସାଧାରନତନ୍ତ୍ରରେ ପରିଣତ ହେଲା । ଇଣ୍ଡୋନେସିଆର ଜାତୀୟଦଳ ମଧ୍ୟ ଡକ ଶାସନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା । କୋରିଆ , ଇଣ୍ଡୋଚୀନ , ବର୍ମା ପ୍ରଭୃତି ଦେଶରେ ମଧ୍ୟ ସାମ୍ରାଜ୍ୟବାଦୀ ଶକ୍ତି ପ୍ରତିରୋଧ କରାଯାଇଥିଲା ।
ଭାରତରେ ବ୍ରିଟିଶ ଉପନିବେଶବାଦ ବିରୋଧରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତାଙ୍କ ପ୍ରଦର୍ଶିତ ଅହିଂସା ଆନ୍ଦୋଳନ ବଳରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ଵାଧୀନତା ଲାଭ କରିଥିଲା । କିନ୍ତୁ ବ୍ରିଟିଶ ସାମ୍ରାଜ୍ୟବାଦର କୂଟନୈତିକ ଚକ୍ରାନ୍ତ ଫଳରେ ଅଖଣ୍ଡ ଭାରତ ପରିବର୍ତ୍ତେ ଏହା ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା । ବ୍ରହ୍ମଦେଶରେ ଅଙ୍ଗସାନଙ୍କ ନେତୃତ୍ଵରେ ଫାଶୀବାଦୀ ବିରୋଧୀ ସ୍ଵାଧୀନ ଜନ ସାମ୍ମୁଖ୍ୟ ମାଧ୍ୟମରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
ପ୍ରଥମ ବିଶ୍ଵଯୁଦ୍ଧ ପରେ ସନୟାତସେନଙ୍କ ନେତୃତ୍ଵରେ ଚୀନ ଦେଶରେ ଜାତୀୟତାବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତାଙ୍କର କୋମିଙ୍ଗ ଦଳ ଜାତୀୟ ସରକାର ଗଠନ କଲେ । ଚୀନର ସାମ୍ୟବାଦୀ ଦଳ ମଧ୍ୟ ଏହି ଜାତୀୟ ସରକାରକୁ ସହଯୋଗ କରିଥିଲା । ମାତ୍ର ସନୟାତସେନଙ୍କ ମୃତ୍ୟୁପରେ ଏହିଦୁଇଦଳ ମଧ୍ୟରେ ମତଭେଦ ଦେଖାଦେଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ ବଳକୁ ଚୀନ ଦେଶରେ ଚିଆଙ୍ଗ କାଇ ଶେକ ଙ୍କ ନେତୃତ୍ଵରେ କୋମିଙ୍ଗଟାଙ୍ଗ ଦଳ କ୍ଷମତା ଥିଲା । 1931 ମସିହାରେ ଜାପାନ ମାଞ୍ଚୁରିଆ ଆକ୍ରମଣଠାରୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ ପର୍ଯ୍ୟନ୍ତ ଚୀନର ସେନାବାହିନୀ କ୍ରମାଗତ ଭାବରେ ଜାପାନଠାରୁ ପରାଜୟ ବରଣ କରିଥିଲା । ଯୁଦ୍ଧରେ ପରାଜିତ ହେବା ଯୋଗୁଁ ଏବଂ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ସୁଧୀରିବାରେ ଅକ୍ଷମ ହେବାକୁ ମାଓ ସେ ତୁଙ୍ଗ ଙ୍କ
ନେତୃତ୍ଵାଧିନ ସାମ୍ୟବାଦ ଦଳ ଓ ତିଆଙ୍ଗ କାଇ ଶେକଙ୍କର କୋମିଙ୍ଗଟାଙ୍ଗ ଦଳ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହେଲା । ବିପୁଳ ଜନ ସମର୍ଥନ ବଳରେ ମାଓ ସେ ତୁଙ୍ଗ ବିଜୟଲାଭ କରି 1949 ମସିହା ଅକ୍ଟୋବର 1 ତାରିଖରେ ଚୀନ ଦେଶରେ ଲୋକ ସାଧାରନତନ୍ତ୍ର ସରକାର ଗଠନ କରିଥିଲେ । ଚିଆଙ୍ଗ କାଇ ଶେକ ପରାଜିତ ହୋଇ ଫର୍ମୋଜା ଦ୍ଵୀପକୁ ପଳାୟନ କଲେ । ସେଠାରେ ସେ ଯୁକ୍ତରାଷ୍ଟ୍ର ଆମେରିକା ସହଯୋଗରେ ସରକାର ଗଠନ କରି ସ୍ଵାଧୀନ ତାଇୱାନ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ ।
ଦ୍ଵିତୀୟ ବିଶ୍ଵଯୁଦ୍ଧପରେ ଜାପାନ କବଳରୁ କୋରିଆ ମୁକ୍ତି ଲାଭ କରି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଭାଗ ହୋଇଥିଲା । ସୋଭିଏତ ରୁଷ ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହେବା ପରେ 25 ଜୁନ 1950 ମସିହାରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କଳା । ଫଳରେ କୋରିଆ ଯୁଦ୍ଧ ଆରମ୍ଭ ହେଲା । ସଂଯୁକ୍ତ ରାଷ୍ଟ୍ରସଂଘ ଦ୍ଵାରା ପ୍ରେରିତ ସୈନ୍ୟବାହିନୀ ଉତ୍ତର କୋରିଆର ସୈନ୍ୟମାନଙ୍କୁ ଦକ୍ଷିଣ କୋରିଆରୁ ବିତାଡିତ କରିଥିଲେ । ଯୁଦ୍ଧର ଅବସାନ ହେଲା । 1954 ମସିହାରେ ଅନୁଷ୍ଠିତ ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ ରାଷ୍ଟ୍ରରୂପେ ପରିଗଣିତ କରାଗଲା ଏବଂ 38ଡିଗ୍ରୀ ସମାନ୍ତକୁ ଉଭୟ ଦେଶର ସୀମାରେଖା ରୂପେ ନିର୍ଣ୍ଣୟ କରାଗଲା ।
ଭିଏତନାମରେ ମଧ୍ୟ ଦ୍ଵିତୀୟ ବିଶ୍ଵଯୁଦ୍ଧପରେ ଫରାସୀ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନ ନେତୃତ୍ଵ ନେଇଥିଲେ ହୋ ଚି ମିନ । ସେ ସାମ୍ୟବାଦୀ ଚିନ୍ତାଧାରା ଦ୍ଵାରା ଉଦବୁଦ୍ଧ ହୋଇ “ଭିଏତ ମିନ “ ନାମକ ? ଏକ ଗଣବାହିନୀ ଗଠନ କରିଥିଲେ ଏବଂ ଫରାସୀ ସୈନ୍ୟମାନଙ୍କୁ ପରାଜିତ କରିଥିଲେ । ସୋଭିଏତ ରୁଷ ଓ ଚୀନ ଭିଏତନାମର ମୁକ୍ତି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । 1954 ମସିହା ଜେନେଭା ସମ୍ମିଳନୀରେ ଭିଏତନାମ ନାମକ ଦୁଇଟି ସ୍ଵାଧୀନରାଷ୍ଟ୍ର ଗଠନ କରାଯାଇଥିଲା । ଲାଓସରେ ଫରାସୀ ଶାସନ ବିରୋଧରେ ପାଥେଟଲାଓ ନାମକ ଗଣବାହିନୀ ଆନ୍ଦୋଳନ ଚଳାଇ 1954 ମସିହାରେ ସ୍ଵାଧୀନ ଲାଓସ ରାଜ୍ୟ ଗଠନ କରିଥିଲେ । କାମ୍ବୋଡିଆ ମଧ୍ୟ ଫରାସୀ ଶାସନରୁ ମୁକ୍ତପାଇ ନାରୋଦମ ସିହାନୋକଙ୍କ ନେତୃତ୍ଵରେ ନିଜକୁ ସ୍ଵାଧୀନ ରାଷ୍ଟ୍ର ରୂପେ ଘୋଷଣା କରିଥିଲେ ।
ପଶ୍ଚିମ ଏସୀୟ ରାଷ୍ଟ୍ର ସିରିୟା ଓ ଲେବାନନ ମୁକ୍ତି ଆନ୍ଦୋଳନ ଚଳାଇ 1946 ମସିହାରେ ଫରାସୀମାନଙ୍କୁ ବିତାଡିତ କରି ସ୍ଵାଧୀନ ହୋଇଥିଲା । ଆରବ ଦେଶମାନଙ୍କରେ ମୁକ୍ତି ଆନ୍ଦୋଳନ “ ଆରବ ଲିଗ “ ମାଧ୍ୟମରେ ଆଶାନୁରୂପ ସଫଳତା ଲାଭ କରିଥିଲା । ଯୁମେନ , ଜୋର୍ଡନ , ଇରାନ ପ୍ରଭୃତି ଦେଶ ବିଦେଶୀ ପ୍ରଭାବରୁ ନିଜକୁ ମୁକ୍ତି କରିଥିଲେ ।
ଆଫ୍ରିକା ମହାଦେଶରେ ମଧ୍ୟ ରାଜନୈତିକ ଓ ଜାତୀୟ ଜାଗରଣ ଦେଖା ଦେଇଥିଲା । ଆଫ୍ରିକୀୟ ଜାତୀୟ କଂଗ୍ରେସ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନର ନେତୃତ୍ଵ ନେଇ ଏହାକୁ ଚାଲୁ ରଖିଥିଲା । ଇଥିଓପିଆ ରେ ଇଟାଲୀ ଆକ୍ରମଣକୁ ଦୃଢ ଭାବରେ ପ୍ରତିରୋଧ କରାଗଲା । ଉପନିବେଶବାଦୀ ଓ ସାମ୍ରାଜ୍ୟବାଦୀ ଶକ୍ତିଗୁଡିକ କ୍ରମଶଃ ଦୁର୍ବଳ ହୋଇପଡିଲା । ଜନସାଧାରଣ ବିରୋଧର ମୁକାବିଲା କରି ନ ପାରି ସେମାନେ ଗୋଟିଏ ପରେ ଗୋଟିଏ ଉପନିବେଶକୁ ସ୍ଵାଧୀନତା ଦେବାକୁ ବାଧ୍ୟ ହୋଇଥିଲେ ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଇଜିପ୍ଟରେ ଆନ୍ଦୋଳନ ସଂଗଠିତ ହୋଇ ବ୍ରିଟିଶ ସମର୍ଥିତ ରାଜତନ୍ତ୍ରର ପତନ ଘଟିଲା । 1952 ମସିହାରେ ସେଠାକାର ରାଜା ଫାରୁକଙ୍କୁ ଗାଦିଚ୍ୟୁତ କରି ଜେନେରାଲ ନାଗୁଆଇବି ଶାସନ କ୍ଷମତା ହାତକୁ ନେଇଥିଲେ । 1954 ଶାସନ କର୍ଣ୍ଣେଲ ଗାମାଲ ଅବଦୁଲା ନାସେର ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍ଟ ଦେଶରେ ନୂତନ ସରକାର ଗଢିଥିଲେ । ଫରାସୀ ସରକାର ବିରୋଧରେ ସଂଗ୍ରାମ ଚଳାଇ ମରକ୍ଳୋ ଓ ଟ୍ୟୁନିସିଆ 1956 ମସିହାରେ ସ୍ଵାଧୀନ ହୋଇଥିଲା ।
1954 ମସିହାରେ ଆଲଜେରିଆରେ ‘ ଜାତୀୟ ମୁକ୍ତି ସାମ୍ମୁଖ୍ୟ “ ଗଠିତ ହେଲା ଏବଂ ଏହା ଫରାସୀ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା । ଫରାସୀ ସାମ୍ୟବାଦୀ ଦଳ ଓ ଅନ୍ୟାନ୍ୟ ଉଦାରଚେତା ନେତାମାନେ ଆଲଜେରିଆର ସ୍ଵାଧୀନତା ଆନ୍ଦୋଳନକୁ ସମର୍ଥନ କଲେ । ଫ୍ରାନ୍ସର ଜେନେରାଲ ଡିଗଲ ସରକାର ମଧ୍ୟ ଆଲଜେରିଆର ସ୍ଵାଧୀନତା ପ୍ରତି ସମ୍ବେଦନା ପ୍ରକାଶ କଲେ । ଫଳରେ 1962 ମସିହା ଜୁଲାଇ ମାସରେ ଆଲଜେରିଆ ସ୍ଵାଧିଞ୍ଜ୍ଜ ହେଲା ।
ବ୍ରିଟିଶ ଶାସନାଧିନ ଆଫ୍ରିକ୍ରିୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟରେ ଡ: କ୍ଵାମେ ଏନକ୍ରମା ଙ୍କ ନେତୃତ୍ଵରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହା 1957 ମସିହା ମାର୍ଚ୍ଚ ମାସ 6 ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଘାନା ନାମରେ ପରିଚିତ ହେଲା । ଫରାସୀ ଶାସନାଧିନ ଗିନିରେ ଜନମତ ଗ୍ରହଣ କରାଯାଇ 1958 ମସିହା ଅକ୍ଟୋବର 2 ତାରିଖ ଦିନ ଏକ ସାଧାରନତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା । 1960 ମସିହାରେ ଆଫ୍ରିକା 17 ଟି ଦେଶ ଯଥା ମୌରିଟାନିଆ , ମାଲି, ନାଇଜର, ଝଚାଡ , ସେନେଗାଲ, ଆଇଭରିକୋଷ୍ଟ, ଟୋଗୋ, ଡାହୋମେ , ନାଇଜେରିଆ ,କାମେରୁନ । ମଧ୍ୟ ଆଫ୍ରିକା ସାଧାରଣତନ୍ତ୍ର , ଗାବୋନ , କଙ୍ଗୋ, ସୋମାଲିଆ , ମାଲାଗାସି , କଙ୍ଗୋ ସାଧାରନତନ୍ତ୍ର ପ୍ରଭୁତି ସ୍ଵାଧୀନ ହୋଇଥିଲେ । ତେଣୁ ଏହି ବର୍ଷକୁ “ ଆଫ୍ରିକା ବର୍ଷ “ କୁହାଯାଏ । ସେହିପରି 1961 ମସିହାରୁ 1966 ମସିହା ମଧ୍ୟରେ ଗାମ୍ବିଆ , ଉଗାଣ୍ଡା , କେନିୟା , ତାଞ୍ଜାନିଆ , ଜାମ୍ବିଆ , ଲେସୋଥୋ ପ୍ରଭୃତି ରାଜ୍ୟ ସ୍ଵାଧୀନ ହୋଇଥିଲେ ।
ପର୍ତ୍ତୁଗୀଜ ଉପନିବେଶ ମୋଜାମ୍ବିକ ଓ ଆଙ୍ଗୋଲାରେ ମୁକ୍ତି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା । ଏହି ଆନ୍ଦୋଳନ ପ୍ରତି ଅନେକ ଆଫ୍ରିକୀୟ ସ୍ଵାଧୀନ ରାଷ୍ଟ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମର୍ଥନ ଜଣାଇଥିଲେ । 1975 ମସିହାବେଳକୁ ଏହି ଦୁଇଟି ପର୍ତ୍ତୁଗାଲ ଉପନିବେଶ ସ୍ଵାଧୀନ ହୋଇଥିଲେ । ରୋଡେସିଆର ବିଭିନ୍ନ ଅଞ୍ଚଳରେ ବ୍ରିଟିଶ ଉପନିବେଶବାଦ ବିରୋଧରେ ଗଣ ଆନ୍ଦୋଳନ ଦେଖା ଦେଇଥିଲା । ଦକ୍ଷିଣ ରୋଡେସିଆର ମୁକ୍ତି ଆନ୍ଦୋଳନକୁ ସଂଯୁକ୍ତ ରାଷ୍ଟ୍ର ସଂଘ ସାଧାରଣ ପରିଷଦ ସମର୍ଥନ ଜଣାଇଲା । ଫଳରେ ଦକ୍ଷିଣ ରୋଡେସିଆ 1980 ମସିହା ଏପ୍ରିଲ ମାସରେ ସ୍ଵାଧୀନ ହୋଇ ଜିମ୍ବାବେ ନାମରେ ପରିଚିତ ହେଲା ।
ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ମଧ୍ୟ ଉପନିବେଶ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ଏହାକୁ ଜର୍ମାନୀଠାରୁ ଛଡାଇ ନିଆଯାଏ ଦକ୍ଷିଣ ଆଫ୍ରିକା ତତ୍ଵାବଧାନ ରେ ରଖାଯାଇଥିଲା । ମାତ୍ର ଦକ୍ଷିଣ ଆଫ୍ରିକା ଏହାକୁ ଏକ ଉପନିବେଶ ଭାବରେ ଶାସନ କରିଥିଲେ । ଏହାର ଜନସାଧାରଣ ଦକ୍ଷିଣ – ପଶ୍ଚିମ ଆଫ୍ରିକା ଜନ ସଂଗଠନ ନାମକ ଏକ ବଳିଷ୍ଠ ସଂଗଠନ ଗଢି ଆନ୍ଦୋଳନ ଚଳାଇ ରଖିଲେ । ଶେଷରେ ଦକ୍ଷିଣ – ପଶ୍ଚିମ ଆଫ୍ରିକା ମାର୍ଚ୍ଚ 21,1990 ରେ ସ୍ଵାଧୀନ ହେଲା ଏବଂ ଏହାର ନୂତନ ନାମ ଲେଖା ନାମ୍ବିଆ ।
ଦକ୍ଷିଣ ଆଫ୍ରିକାର ଶାସନ ବ୍ୟବସ୍ଥା ଔପନିବେଶିକ ଶାସନ ବ୍ୟବସ୍ଥା ଠାରୁ ଅଧିକ ଭୟଙ୍କର ଓ ନିନ୍ଦନୀୟ ଥିଲା । ସେଠାରେ ସଂଖ୍ୟାଲଘୁ ଶ୍ଵେତାଙ୍ଗ ମାନେ ଏବଂ ସଂଖ୍ୟାଗରିଷ୍ଟ କୃଷ୍ଣକାୟମାନଙ୍କୁ ଶାସନ କରୁଥିଲେ ଏବଂ ସେମାନଙ୍କୁ ଘୃଣା ଓ ଶୋଷଣ ମଧ୍ୟ କରୁଥିଲେ । ଶ୍ଵେତାଙ୍ଗମାନଙ୍କର ଧାରଣା ଥିଲା ଜେ କୃଷ୍ଣକାୟମାନେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସେମାନଙ୍କଠାରୁ ନିକୃଷ୍ଟ । ନିଜକୁ ଶାସନ କରିବାର କ୍ଷମତା ସେମାନଙ୍କର ନାହିଁ । ଏଣୁ ଶ୍ଵେତାଙ୍ଗମାନଙ୍କର ଶାସନ ନ୍ୟାୟ ସଙ୍ଗତ । ଶ୍ଵେତାଙ୍ଗମାନଙ୍କ ଏହି ନୀତିକୁ ବର୍ଣ୍ଣବିଦ୍ଵେସ ବାଆ ବର୍ଣ୍ଣବୈଷମ୍ୟ ନୀତି କୁହାଯାଏ । ଏହି ନୀତି ଯୋଗୁଁ କୃଷ୍ଣକାୟମାନେ ଦେଶ ଶାସନରେ ଭାଗ ନେଇ ପାରୁନଥିଲେ । ଶ୍ଵେତାଙ୍ଗମାନଙ୍କ ପାଇଁ ଉଦ୍ଧିଷ୍ଟ ଶିକ୍ଷାନୁଷ୍ଠାନ , କ୍ଲବ, ଡାକ୍ତରଖାନା , ଭୋଜନାଳୟ ପ୍ରଭୁତି କୃଷ୍ଣକାୟମାନଙ୍କର ପ୍ରବେଶ ନିଷେଧ ଥିଲା । ଏହି ନୀତିକୁ ବଜାୟ ରଖିବା ପାଇଁ ଶ୍ଵେତାଙ୍ଗ ସରକାର ବଦ୍ଧପରିକର ହୋଇଥିଲାବେଳେ କୃଷ୍ଣକାୟମାନେ ଏହାର ବିରୋଧ କରୁଥିଲେ ।
କୃଷ୍ଣକାୟମାନେ “ ଆଫ୍ରିକୀୟ ଜାତୀୟ କଂଗ୍ରେସ “ ନାମକ ଏକ ସଂଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ । ଭାରତର ମହାନ ମୁକ୍ତି ସଂଗ୍ରାମୀ ମୋହନଦାସ କରମଚାନ୍ଦ ଗାନ୍ଧୀ ସେତେବେଳେ ଦକ୍ଷିଣ ଆଫ୍ରିକାରେ ଅବସ୍ଥାନ କରୁଥିଲେ । ମହାତ୍ମା ଗାନ୍ଧୀଙ୍କର ଙ୍କର ନୀତି ଓ ଆଦର୍ଶ ଆଫ୍ରିକୀୟ ଆନ୍ଦୋଳନ ପରିଚାଳିତ ହୋଇଥିଲା । ପର୍ଯ୍ୟାୟ କ୍ରମେ ଡ଼େସମଣ୍ଡ ଲୁଥୁଲି , ୱାଟଟର ସିସୁଲି ଓ ନେଲସନ ମାଣ୍ଡେଲା ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ଆନ୍ଦୋଳନ ବିରୋଧକରି ଶ୍ଵେତାଙ୍ଗ ସରକାର ପ୍ରବଳ ଦମନଲୀଳା ଚଳାଇଲେ ।
ପୃଥିବୀର ବହୁଦେଶ ଦକ୍ଷିଣ ଆଫ୍ରିକା ସରକାରଙ୍କର ବର୍ଣ୍ଣବିଦ୍ଵେଷ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସଂଯୁକ୍ତ ରାଷ୍ଟ୍ରସଂଘ ଏହାର ବିରୋଧ କରି ଦକ୍ଷିଣ ଆଫ୍ରିକା ବିରୋଧରେ ଅର୍ଥନୈତିକ ବାସନ୍ଦ ଲାଗୁ କରିଥିଲା । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ପ୍ରଭୁତି ଦେଶ ଦକ୍ଷିଣ ଆଫ୍ରିକା ସରକାରଙ୍କ ସହିତ ଅର୍ଥନୈତିକ ସମ୍ପର୍କ ବଜାୟ ରଖିଥିଲେ ଓ ସାମରିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଉଥିଲେ । କୃଷ୍ଣକାୟମାନଙ୍କର ଆନ୍ଦୋଳନକୁ ସାମ୍ୟବାଦୀ ଦେଶମାନେ ସମର୍ଥନ କରୁଥିବାରୁ ସେମାନେ ପରୋକ୍ଷରେ ଏହି ନୀତି ଅବଲମ୍ବନ କରୁଥିଲେ । କିନ୍ତୁ ବ୍ରିଟେନର ଶ୍ରମିକ ଦଳ ଓ ଯୁକ୍ତରାଷ୍ଟ୍ର ଆମେରିକା କୃଷ୍ଣକାୟମାନେ ବର୍ଣ୍ଣ – ବିଦ୍ଵେଷ ନୀତିର ବିରୋଧ କରୁଥିଲେ । ବହୁ ବର୍ଷଧରି ଅନ୍ତର୍ଜାତିକ ସମାଲୋଚନା ଓ ଚାପ ଫଳରେ ଶ୍ଵେତାଙ୍ଗ ସରକାର ବାଧ୍ୟ ୟୋଇ ସମାଧାନ ପାଇଁ ଆଗେଇ ଆସିଲେ । ଆନ୍ଦୋଳନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୃଷ୍ଣକାୟ ନେତା ନେଲସନ ମାଣ୍ଡେଲା କରାମୁକ୍ତ ହୋଇ 10 ମେ 1994 ମସିହାରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହେଲେ । ସେଠାରେ ସ୍ଵେଛାଚାରି ଶ୍ଵେତାଙ୍ଗ ଶାସନ ବଦଳରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା ।
ଆଧାର: ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।
Last Modified : 1/28/2020