অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୁଦ୍ଧର କାରଣ

ଯୁଦ୍ଧର କାରଣ

ଦ୍ଵିତୀୟ ବିଶ୍ଵଯୁଦ୍ଧ କାରଣ ଓ ଫଳାଫଳ

ପ୍ରଥମ ବିଶ୍ଵଯୁଦ୍ଧର ବିପୁଳ କ୍ଷୟକ୍ଷତି ବିଶ୍ଵବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା  । ଭବିଷ୍ୟତ ପୃଥିବୀକୁ ଶାନ୍ତିପ୍ରଦ ଓ ମନୁଷ୍ୟଜାତିକୁ ନିରାପଦ କରିବା ଆଶାରେ ଜାତିସଂଘ ଗଠନ କରାଯାଇଥିଲା   । ଜାତିସଂଘ ଆନୁକୁଲ୍ୟରେ ଶାନ୍ତିପ୍ରତିଷ୍ଠା ଓ ନିରସ୍ତ୍ରୀକରଣ ଦିଗରେ ବହୁ ପଦକ୍ଷେପ ନିଆ ଯାଇଥିଲା   । ମାତ୍ର ଏ ସମସ୍ତ ପ୍ରଚେଷ୍ଟା ବିଫଳ ହେଲା   । ପ୍ରଥମ ବିଶ୍ଵଯୁଦ୍ଧ ଶେଷ ହେବାର ପ୍ରାୟ କୋଡିଏ ବର୍ଷପରେ ବିଭିନ୍ନ କରଣ ଯୋଗୁଁ ୧୯୩୯ ମସିହାରେ ଦ୍ଵିତୀୟ ସଂଗଠିତ ହୋଇଥିଲା   ।

ପ୍ୟାରିସ ଶାନ୍ତି ସମ୍ମିଳନୀର ତ୍ରୁଟି

ପ୍ୟାରିସ ଶାନ୍ତି ସମ୍ମିଳନୀରେ ତ୍ରୁଟି ବିଚ୍ୟୁତି ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ ଅନେକ ପରିମାଣରେ ଦାୟୀ ହୋଇଥିଲା   । ପ୍ରଥମ ବିଶ୍ଵଯୁଦ୍ଧ ପରେ ଶାନ୍ତିପ୍ରତିଷ୍ଠା ଉଦ୍ଦେଶ୍ୟରେ ପ୍ୟାରିସ ନଗରୀରେ ସମବେତ ବିଜୟୀ ରାଷ୍ଟ୍ରଗୁଡିକ ରାଷ୍ଟ୍ର ମୁଖ୍ୟମାନେ ପରାଜିତ ରାଷ୍ଟ୍ରମାନଙ୍କ ସହିତ ବିଚାରବିମର୍ଶ ନ କରି ଶାନ୍ତିଚୁକ୍ତିର ସର୍ତ୍ତାବଳୀ ନିର୍ଦ୍ଧାରଣ କରିନଥିଲେ   । ଅନ୍ୟପକ୍ଷରେ ସେମାନେ ପ୍ରତିଶୋଧପରାଣୟ  ଓ ଆକ୍ରୋଶମୂଳକ ଭାବରେ ସେଗୁଡିକୁ ପ୍ରସ୍ତୁତ କରିଥିଲେ   । ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଅନ୍ୟ ଶକ୍ତିମାନେ ସେମାନଙ୍କର ସ୍ଵାର୍ଥ ସାଧନ ପାଇଁ ବ୍ୟଗ୍ରଥିଲେ   । ଶାନ୍ତି ସମ୍ମିଳନୀର ସର୍ତ୍ତ ଅନୁଯାୟୀ ଇଂଲଣ୍ଡ ଓ ଫ୍ରାନ୍ସ ନିଜପାଇଁ ଯଥେଷ୍ଟ ଲାଭ ହାସଲ କରିଥିବା ବେଲେ ସେମାନଙ୍କର ମିତ୍ର ଭାବରେ ଯୁଦ୍ଧରେ ଭାଗ ନେଇଥିବା ଇଟାଲୀ ଓ ଜାପାନ ବିଶେଷ କିଛି ପାଇଲେ ନାହିଁ   । ଫଳରେ ଏହି ଦୁଇ ଦେଶ ଅସନ୍ତୁଷ୍ଟ ଦେଲେ   । ସେମାନେ ଯଥା ସମୟରେ ଜର୍ମାନୀ ସହିତ ମିତ୍ରତା ସ୍ଥାପାନ କରି ଫ୍ରାନ୍ସ ଓ ଇଂଲଣ୍ଡର ଶତ୍ରୁରୂପେ କାର୍ଯ୍ୟକଲେ   ।  ପ୍ୟାରିସ ଶାନ୍ତି ସମ୍ମିଳନୀରେ ଭାଗନେଇଥିବା ବିଜୟୀ ରାଷ୍ଟ୍ରଗୁଡିକର ରାଷ୍ଟ୍ରନାୟକମାନଙ୍କ ଅପରିଣାମଦର୍ଶିତା , ସଂକୀର୍ଣ୍ଣ ମନୋଭାବ ଓ ସାମ୍ରାଜ୍ୟଲୋଭ ପୃଥିବୀକୁ ଆଉ ଏକ ବିଶ୍ଵଯୁଦ୍ଧର ଘନଘଟା ମଧ୍ୟରେ ଟାଣି ନେଇଥିଲା   ।

୨. ଭର୍ସାଇ ସନ୍ଧିର କଠୋରତା

ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଜୟୀ ରାଷ୍ଟ୍ରମାନେ ଜର୍ମାନୀ ସହିତ ସ୍ଵାକ୍ଷର କରିଥିବା ଭର୍ସାଇ ସନ୍ଧିର କଠୋରତା ଦ୍ଵିତୀୟ ବିଶ୍ଵଯୁଦ୍ଧ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା  । ଏହା ଏକ ନିର୍ଦ୍ଦେଶିତ ସନ୍ଧି ଥିଲା   । ଆକ୍ରମଣ ଭୟରେ ପରାଜିତ ଜର୍ମାନୀ ବାଧ୍ୟହୋଇ ବିଭିନ୍ନ ଅପମାନଜନକ ସର୍ତ୍ତସମ୍ବଳିତ ସନ୍ଧି ଗ୍ରହଣ କରିଥିଲା   । ଜର୍ମାନୀକୁ ଦୁର୍ବଳ କରିଦେବା ପାଇଁ ଏହି ସନ୍ଧିରେ ସେ ଦେଶ ଉପରେ ରାଜନୈତିକ , ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ବହୁ କଟକଣା ଜାରି କରାଯାଇଥିଲା   । ଫଳରେ ଜର୍ମାନୀର ଜନସାଧାରଣ କ୍ଷୁବ୍ଧ ଓ ତୀବ୍ରଭାବରେ ଅସନ୍ତୁଷ୍ଟ ହୋଇଥିଲେ   । ସେମାନଙ୍କ ମନରେ ଜାଗି ଉଠିଥିବା ପ୍ରତିହିଂସା ପ୍ରକ୍ରିୟା ପରବର୍ତ୍ତୀ କାଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧର ମୁଖ୍ୟ କାରଣ ହୋଇଥିଲା   ।

୩. ଜାତିସଂଘର ବିଫଳତା

ଶାନ୍ତି ପ୍ରତିଷ୍ଠା ଦିଗରେ ଜାତିସଂଘର ବିଫଳତା ଦ୍ଵିତୀୟ ବିଶ୍ଵଯୁଦ୍ଧର ଅନ୍ୟଏକ କାରଣ   । ପ୍ରଥମ ବିଶ୍ଵଯୁଦ୍ଧ ପରେ ସାମୁହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା   ।  କିନ୍ତୁ ଏହି ଲକ୍ଷ୍ୟ ପୂରଣ କରିବାକୁ ଜାତିସଂଘ ସମର୍ଥ ହୋଇପାରିଲା ନାହିଁ   । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ  ଜାତିସଂଘ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ କଂଗ୍ରେସ ବିରୋଧ ଯୋଗୁଁ ଆମେରିକା ଏହାର ସଭ୍ୟପଦ ଗ୍ରହଣ କରିପାରିଲାନାହିଁ   । ପୁନଶ୍ଚ ଜାତିସଂଘର ନିର୍ଦ୍ଦେଶ ଅମାନ୍ୟ କରୁଥିବା ଓ ବିଶ୍ଵଶାନ୍ତି ଭଙ୍ଗ କରୁଥିବା ବୃହତ ରାଷ୍ଟ୍ରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିଲା ନାହିଁ   । ଏହାର ସଭ୍ୟ ରାଷ୍ଟ୍ରମାନେ ନିଜ ଇଚ୍ଛା ଅନୁସାରେ ସଭ୍ୟପଦରୁ ଓହରି ଯାଇ ପାରୁଥିଲେ   । ସ୍ଵାର୍ଥ ପୂରଣ ନହେବାରୁ ପ୍ରଥମେ ଜର୍ମାନୀ ଓ ପରେ ପରେ ଇଟାଲୀ ଓ ଜାପାନ ସଭ୍ୟପଦ ତ୍ୟାଗକଲେ   । ବୃହତ ରାଷ୍ଟ୍ରମାନଙ୍କ କାର୍ଯ୍ୟକଳାପ ଯୋଗୁଁ କ୍ଷୁଦ୍ର ରାଷ୍ଟ୍ରମାନେ ନିଜକୁ ସୁରକ୍ଷିତ ମଣିଲେ ନାହିଁ   । ତେଣୁ ଜାତିସଂଘରୁ ସେମାନେ ଆସ୍ଥା ହରାଇଲେ   ।

୪. ଫାସିବାଦୀ ଶକ୍ତିମାନଙ୍କ ଉତ୍ଥାନ

ଉଗ୍ରଜାତୀୟତାବାଦୀ ଓ ଫାସୀବାଦୀ ଶକ୍ତିମାନଙ୍କର ଉତ୍ଥାନ ଫଳରେ ବିଶ୍ଵ ରାଜନୀତିରେ ସଙ୍କଟଜନକ ପରିସ୍ଥିତି ଉପୁଜିଲା   । ହିଲଟର ଜର୍ମାନୀରେ ଏକଛତ୍ର ଶାସନ ପ୍ରତିଷ୍ଠା କରିବା ପରେ ବିଜୟୀ ରାଷ୍ଟ୍ରମାନଙ୍କୁ କ୍ଷତିପୂରଣ ବାବଦ ବିପୁଳ ଅର୍ଥ ଦେବାକୁ ମନା କରିଦେଲେ   । ଇଚ୍ଛାକୃତ ଭାବରେ ସେ ଭର୍ସାଇ ସନ୍ଧିର ସର୍ତ୍ତାବଳୀକୁ ଉଲ୍ଲଂଘନ କଲେ ଏବଂ ଲଢୁଆ ଆକାଶବାହିନୀ ଓ ନୌବାହିନୀ ସମେତ ଏକ ବିରାଟ ସୈନ୍ୟବାହିନୀ ଗଠନ କଲେ   । ୧୯୩୩ ମସିହାରେ ଜର୍ମାନୀ ଜାତିସଂଘରୁ ଓହରି ଆସିଲା   । ୧୯୩୬ ମସିହା ମାର୍ଚ୍ଚ ମାସରେ ହିଟଲର ରାଇନ ଅଞ୍ଚଳ ଅଧିକାର କରିନେଲେ   । ଜର୍ମାନୀଜାତି ବାସ କରୁଥିବା ଅଞ୍ଚଳଗୁଡିକୁ ନିଜ ଶାସନାଧିନ କରିବାର ଅଧିକାର ଜର୍ମାନୀର ଅଛି ବୋଲି ଘୋଷଣା କରି ସେ ୧୯୩୮ ମସିହାରେ ଅଷ୍ଟ୍ରିଆ ଅଧିକାର କଲେ   । ଚେକୋସ୍ଲୋଭାକିଆ ସୁଦେଦାନ ଅଞ୍ଚଳ ଓ ପରେ ପରେ ସମଗ୍ର ଚେକୋସ୍ଲୋଭାକିଆ ତାଙ୍କଦ୍ଵାରା ଅଧିକୃତ ହେଲା   ।

ଇଟାଲୀର ଏକଛତ୍ରବାଦୀ ଶାସକ ମୁସୋଲିନ ମଧ୍ୟ ପ୍ରାଚୀନ ରୋମାନ ସାମ୍ରାଜ୍ୟର ପୂର୍ବ ଗୌରବର ପୁନଃ ପ୍ରତିଷ୍ଠା ନିମନ୍ତେ ଅନୁରୂପ ନୀତି ଅନୁସରଣ କଲେ   । ୧୯୩୬ ମସିହାରେ ସେ ଆଫ୍ରିକା ମହାଦେଶସ୍ଥ ଆବିସିନିଆ କୁ ଜୟକରି ଇଟାଲୀ ସାମ୍ରାଜ୍ୟ ଅନ୍ତଭୁକ୍ତ କଲେ   । ଜାପାନ ମଧ୍ୟ ନିଜର ସାମ୍ରାଜ୍ୟ ଲିପ୍ପା ପୂରଣ ପାଇଁ ଦୂରପ୍ରାଚ୍ୟରେ ସାମରିକ ଅଭିଯାନ ଆରମ୍ଭ କଲା   । ଜାପାନ ୧୯୩୧ ମସିହାରେ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନର ମାଞ୍ଚୁରିଆ ପ୍ରଦେଶ ଆକ୍ରମଣ କରି ଏହାକୁ ଅଧିକାର କରିନେଲା  । ନିଜ ସ୍ଵାର୍ଥ ଦୃଷ୍ଟିରୁ ସେ ଜାତିସଂଘରୁ ଓହରି ଆସିଲା   ।

୫. ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା

ଜର୍ମାନୀ, ଇଟାଲୀ, ଓ ଜାପାନ ସାମ୍ରାଜ୍ୟବାଦୀ ଓ ଆକ୍ରମଣାତ୍ମକ ରାଜ୍ୟବିସ୍ତାର ନୀତିକୁ ପୃଥିବୀର ଗଣତନ୍ତ୍ରବାଦୀ ବୃହତ ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିବେ  । ଅନ୍ୟପକ୍ଷରେ ବ୍ରିଟେନ , ଫ୍ରାନ୍ସ , ପ୍ରଭୃତି ରାଷ୍ଟ୍ର ଜର୍ମାନୀକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ   ।   ଜର୍ମାନୀ ସୁଦେତାନ ଅଧିକାର କରିବା ସମୟରେ ବ୍ରିଟେନ ଓ ଫ୍ରାନ୍ସ ପ୍ରତିରୋଧ କରିବା ପରିବର୍ତ୍ତେ 1938 ମସିହାରେ ମ୍ୟୁନିକ ଠାରେ ଏକ ଚୁକ୍ତି କରି ଜର୍ମାନୀର କାର୍ଯ୍ୟ କଳାପ କୁ ପରୋକ୍ଷରେ ଅନୁମୋଦନ କଲେ   । ଏହି ଚୁକ୍ତି ଚେକୋସ୍ଲୋଭାକିଆ କୁ ଜର୍ମାନୀ ନିକଟରେ ମୁଣ୍ଡ ନୂଆଇବାକୁ ଏକରକମ ବାଧ୍ୟ କରାଯାଇଥିଲା   । ତେଣୁ ଗଣତନ୍ତ୍ରବାଦୀ ବୃହତ ରାଷ୍ଟ୍ରମାନଙ୍କର ସନ୍ତୋଷ୍ଟି କାରଣ ନୀତି ରାଜନୈତିକ ନିଷ୍କ୍ରିୟତା ଓ ଉଦାସୀନତା ଏକଛତ୍ରବାଦୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା   ।

୬. ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ

ଯୁକ୍ତରାଷ୍ଟ୍ର ଆମେରିକା , ବ୍ରିଟେନ , ଫ୍ରାନ୍ସ ଗଣତାନ୍ତ୍ରିକ ଆଦର୍ଶରେ ବିଶ୍ଵାସ କରୁଥିବା ବେଳେ ଜର୍ମାନୀ , ଇଟାଲୀ ଓ ଜାପାନ ଏକଛତ୍ରବାଦୀ ଆଦର୍ଶରେ ବିଶ୍ଵାସ କରୁଥିଲେ   । ସେମାନଙ୍କ ମଧ୍ୟରେ ଥିବା ଆଦର୍ଶଗତ ତାରତମ୍ୟ ଦ୍ଵିତୀୟ ବିଶ୍ଵଯୁଦ୍ଧନିମନ୍ତେ ପଥ ଉନ୍ମୁକ୍ତ କରିଥିଲା   । ୧୯୩୬ ମସିହାରେ ସ୍ପେନ ଦେଶରେ ନିର୍ବାଚିତ ସରକାରଙ୍କ ବିରୋଧରେ ଜେନେରାଲ ଫ୍ରାଙ୍କୋଙ୍କ ନେତୃତ୍ଵରେ ସୈନ୍ୟବାହିନୀର ଏକଅଂଶ ବିଦ୍ରୋହ ଯୋଗୁଁ ସେଠାରେ ଗୃହଯୁଦ୍ଧ ଅନୁଷ୍ଠିତ ହୋଇଥିଲା  । ଇଟାଲୀ  ଓ ଜର୍ମାନୀ ଏହି ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ   । ଏକ ପକ୍ଷରେ ଗଣତନ୍ତ୍ର ଓ ଅନ୍ୟପକ୍ଷରେ ଏକଛତ୍ରବାଦ ମଧ୍ୟରେ ସଂଗଠିତ ଏହି ସଂଘର୍ଷରେ ଗଣତନ୍ତ୍ର ପରାଜୟ ହୋଇଥିଲା  । ଜେନେରାଲ ଫ୍ରାଙ୍କୋ ନେତୃତ୍ଵରେ ସ୍ପେନ ଦେଶରେ ଏକଛତ୍ରବାଦ ଶାସନ ପ୍ରତିଷ୍ଠିତ ହୋଇଥିଲା   । ଗଣତନ୍ତ୍ର , ସମାଜବାଦ ଓ ସାମ୍ୟବାଦକୁ ଦମନ କରିବା ନିମନ୍ତେ ଏକଛତ୍ରବାଦୀମାନେ ବିଭିନ୍ନ ପଦକ୍ଷେପ ନେଇଥିଲେ   ।

୭. ସାମରିକ ମେଣ୍ଟ ଗଠନ

ସାମରିକ ମେଣ୍ଟ ଗଠନ ଦ୍ଵାରା ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ପଥ ସୁଗମ ହୋଇଥିଲା   । ଯୁଦ୍ଧ ସମୟରେ ପରସ୍ପରକୁ ସାହାଯ୍ୟ କରିବା ନିମନ୍ତେ ୧୯୩୬ ମସିହାରେ ଇଟାଲୀ ଓ ଜର୍ମାନୀ ଏକ ଚୁକ୍ତି ସମ୍ପାଦନ କରିଥିଲେ   । ସେମାନେ ଅକ୍ଷଶକ୍ତି ନାମରେ ପରିଚିତ   ହେଲେ   ।  ୧୯୩୭ ମସିହାରେ ଜାପାଞ୍ଜ ଏହି ମେଣ୍ଟରେ ଯୋଗଦେଲେ   । ଫଳରେ ରୋମ – ବର୍ଲିନ –ଟୋକିଓ ଅକ୍ଷଶକ୍ତି ଗଠିତ ହେଲା   ।  ଅନ୍ୟପକ୍ଷରେ ଇଂଲଣ୍ଡ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ରଆମେରିକା ମିଳିତ ହୋଇ ଏକ ସାମରିକ ଚୁକ୍ତି ସ୍ଵାକ୍ଷର କରିଥିଲେ   । ଏହା ଫଳରେ ଦୁଇଗୋଟି ପରସ୍ପର ବିରୋଧୀ ସାମରିକ ଗୋଷ୍ଠୀର ସୃଷ୍ଟି ହୋଇଥିଲା   । ସାମରିକ ଶକ୍ତିରେ ବଳୀୟାନ ବୃହତ ଶକ୍ତିମାନଙ୍କର ପରସ୍ପର ପ୍ରତି ଥିବା ଅବିଶ୍ଵାସ ଓ ସାମ୍ରାଜ୍ୟବାଦୀ ମନୋଭାବ ଯୋଗୁଁ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଲା   ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ଏବଂ ଫାସୀବାଦୀ ଶକ୍ତିଙ୍କର ପରାଜୟ

ଜର୍ମାନୀ ୧୯୩୯ ମସିହା ସେପ୍ଟେମ୍ବର ୧ ତାରିଖ ଦିନ ପୋଲାଣ୍ଡ ଆକ୍ରମଣ କଲା   । ପୋଲାଣ୍ଡ ମାଟିରୁ ଅପସରି ଯିବାପାଇଁ ବ୍ରିଟେନ ଜର୍ମାନୀକୁ ଚେତାବନୀ ଦେଲା  । କିନ୍ତୁ ଜର୍ମାନୀ ଏଥିରେ କର୍ଣ୍ଣପାତ ନ କରିବାରୁ ବ୍ରିଟେନ ସେପ୍ଟେମ୍ବର ମାସ ୩ ତାରିଖ ଦିନ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା   । ଏହାର ଅଳ୍ପ କିଛି ଘଣ୍ଟା ପରେ ଫ୍ରାନ୍ସ ମଧ୍ୟ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା   । ଫଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆନୁଷ୍ଠାନିକଭାବେ ଆରମ୍ଭ ହେଲା   । ୧୯୪୦ ମସିହାମେ ମାସ ସୁଦ୍ଧା ପୋଲାଣ୍ଡ , ନରୱେ , ଡେନମାର୍କ,ହଲାଣ୍ଡ , ବେଲଜିୟମ ପ୍ରଭୁତି ଦେଶ ଜର୍ମାନୀ ଦ୍ଵାରା ଅଧିକୃତ ହେଲେ   । ଜୁନ ମାସ ୧୪ ତାରିଖ ଦିନ ଜର୍ମାନୀବାହିନୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଅଧିକାର କଲେ   । ଫରାସୀ ସରକାର ନିଜ ଦେଶର ପ୍ରାୟ ଅର୍ଦ୍ଦେକ ପରିମାଣ ଅଞ୍ଚଳ ଜର୍ମାନୀକୁ ହସ୍ତାନ୍ତର କରି ତାହା ସହିତ ସନ୍ଧି କଲେ   । ସେହି ବର୍ଷ ଅଗଷ୍ଟ ମାସରେ ଜର୍ମାନୀ ବ୍ରିଟେନ ଉପରେ ବୋମା ବର୍ଷଣ କଲା  । ବ୍ରିଟେନ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଙ୍କ ନେତୃତ୍ଵରେ ବ୍ରିଟେନ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା   । ପର୍ଯ୍ୟାୟକ୍ରମେ ଜର୍ମାନୀ ବାହିନୀ ଗ୍ରୀସ ଓ ଯୁଗ୍ଲୋସ୍ଲୋଭିଆ ଅଧିକାର କରିନେଲେ   ।

୧୯୩୯ ମସିହା ଅଗଷ୍ଟ ୨୩ ତାରିଖ ଦିନ ସୋଭିଏତ ରୁଷ ଏବଂ ଜର୍ମାନୀ ପରସ୍ପର ମଧ୍ୟ ଅନାକ୍ରମଣ ଚୁକ୍ତି ସ୍ଵାକ୍ଷର କରିଥିଲେ   । କିନ୍ତୁ ଏହି ଚୁକ୍ତିର ସର୍ତ୍ତ ଅମାନ୍ୟ କରି ୧୯୪୧ ମସିହା ଜୁନ ୨୨ ତାରିଖରେ ହିଟଲର ସୋଭିଏତ ରୁଷ ଆକ୍ରମଣ କରିବାରୁ ଅନନ୍ୟୋପାୟ ହୋଇ ସୋଭିଏତ ରୁଷ ମିତ୍ର ଶକ୍ତି ପକ୍ଷରୁ ଯୁଦ୍ଧରେ ଯୋଗଦେଲା   । ସେହି ବର୍ଷ ପ୍ରଶାନ୍ତ ମହାସାଗରରେ ହାୱାଇ ଦ୍ଵୀପରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା ବନ୍ଦର ନଗର ପର୍ଲହାର୍ବର ଉପରେ ଜାପାନ ଆକ୍ରମଣ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ବାଧ୍ୟହୋଇ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗ ଦେଲେ   । ଫଳରେ ଯୁଦ୍ଧ ବ୍ୟାପକ ରୂପ ଧାରଣ କରିଥିଲା   ।

ଦ୍ଵିତୀୟ ବିଶ୍ଵଯୁଦ୍ଧର ପ୍ରାଥମିକ ଅବସ୍ଥାରେ ଜର୍ମାନୀ , ଇଟାଲୀ ସମେତ ଫାସୀବାଦୀ ଶକ୍ତିମାନେ ବିପୁଳ ବିଜୟ ହାସଲ କରିଥିଲା   । କିନ୍ତୁ ୧୯୪୨ ମସିହାରେ ବ୍ରିଟେନ , ଫ୍ରାନ୍ସ , ଯୁକ୍ତରାଷ୍ଟ୍ର ଆମରିକା ଓ ସୋଭିଏତ ରୁଷ ପ୍ରଭୁତି ୨୬ ଟି ଦେଶର ପ୍ରତିନିଧି ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଯାଇଥିଲା   । ଷ୍ଟାଲିନଗ୍ରାଡ ଠାରେ ରୁଷ ର ପ୍ରବଳ ପ୍ରତିରୋଧ ଯୋଗୁଁ ଜର୍ମାନୀ ଅଧିକୃତ ଚେକୋସ୍ଲୋଭାକିଆ ରୁମାନିଆ ପ୍ରଭୁତି ରାଜ୍ୟ ଅଧିକାର କରିନେଲା   । ୧୯୪୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନର ମିଳିତ ସୈନ୍ୟବାହିନୀ ସିସିଲି ଅଧିକାର କଲେ   ।  ଜର୍ମାନୀଠାରୁ ସବୁ ପ୍ରକାର ସାହାଯ୍ୟ ପାଇ ମଧ୍ୟ ଇଟାଲୀ ପରାଜିତ ହୋଇ ୧୯୪୩ ମସିହା ସେପ୍ଟେମ୍ବରରେ ଆତ୍ମସମର୍ପଣ କରିଲା   । କ୍ରମେ ଜର୍ମାନୀ ମଧ୍ୟ ବିଭିନ୍ନ ଯୁଦ୍ଧକ୍ଷେତ୍ରରେ ପରାଜିତ ହେବାକୁ ଲାଗିଲା   । ୧୯୪୫ମସିହାର ଆରମ୍ଭକୁ ଉଭୟ ପଶ୍ଚିମ ଓ ପୂର୍ବଦିଗରୁ ଜର୍ମାନୀ ଆଡକୁ ମିତ୍ରଶକ୍ତିର ସୈନ୍ୟମାନେ ଅଗ୍ରସର ହେଲେ   । ଏପ୍ରିଲ ୩୦ ତାରିଖ ଦିନ ରୁଷ ସୈନ୍ୟମାନେ ଜର୍ମାନୀର ରାଜଧାନୀ ବର୍ଲିନ ସହର  ମଧ୍ୟକୁ ମଡିଆସିଲାବେଳେ ହିଟଲର ମାଟିତଳେ ନିର୍ମିତ ତାଙ୍କର ଆଶ୍ରୟକକ୍ଷରେ ଆତ୍ମହତ୍ୟା କଲେ   । ରୁଷ ସୈନ୍ୟ ବର୍ଲିନ ଅଧିକାର କଲେ ଏବଂ ୧୯୪୫ ମହିଷାରେ ମେ ମାସ ୭ ତାରିଖ ଦିନ ଜର୍ମାନୀ ବିନା ସର୍ତ୍ତରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ କଲା   ।

ଜର୍ମାନୀର ପରାଜୟ ସତ୍ତ୍ୱେ ଜାପାନ ବିରତ ହେଲାନାହିଁ   । ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନ ମହାନଗରୀ ହିରୋସିମା ଏବଂ ପରେ ପରେ ଅଗଷ୍ଟ ୯ ତାରିଖରେ ଜାପାନ ନଗରୀ ନଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମରିକା ପରମାଣୁ ବୋମା ପକାଇ ଜାପାନର ଏହି ନଗରୀ ଦୁଇଟିକୁ ଧ୍ଵଂସ କରିଦେଲା    । ପରିମାଣୁ ବୋମାର ଭୟାବହତା ଦେଖି ୧୯୪୫ ମସିହା ଅଗଷ୍ଟ ୧୪ ତାରିଖ ଦିନ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା   । ଫଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧର ପରିସମାପ୍ତି ଘଟିଲା   ।

ଦ୍ଵିତୀୟ ବିଶ୍ଵଯୁଦ୍ଧର ଫଳାଫଳ

୧. କ୍ଷୟକ୍ଷତି

ପୂର୍ବରୁ ଘଟିଥିବା ପୃଥିବୀର ସମସ୍ତ ଯୁଦ୍ଧ ତୁଳନାରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଅତୀବ ଭୟଙ୍କର ଥିଲା  । ଏହାର ପ୍ରଧାନ ରଣକ୍ଷେତ୍ର ଗୁଡିକ ଈଊରୋପ ମହାଦେଶରେ ଥିବାରୁ ଇଉରୋପ ମହାଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା   । ଏହି ଯୁଦ୍ଧର ଯୁକ୍ତରାଷ୍ଟ୍ର ଆମେରିକା ତଥା ଏସିଆ ଓ ଇଉରୋପର ବୃହତ ଶକ୍ତି ସମୂହ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମଥର ପାଇଁ ଏହି ମହାସମରରେ ପରମାଣୁ ବୋମାର ପ୍ରୟୋଗ କରାଯାଇଥିଲା   । ଜଳ , ସ୍ଥଳ , ଓ ଆକାଶମାର୍ଗରେ ଉଭୟ ପକ୍ଷର ଆକ୍ରମଣତ୍ମକ ଶକ୍ତିର ପରୀକ୍ଷା ହୋଇଥିଲା   । ଯୁଦ୍ଧଯୋଗୁଁ ହଜାର ହଜାର ବର୍ଗ କିଲୋମିଟର ଉର୍ବର ଚାଷଜମି ନଷ୍ଟ ହୋଇ ଯାଇଥିଲା  । ଏଥିରେ ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ମୃତ୍ୟୁବରଣ କରିଥିଲେ   । ଅଗଣିତ ଲୋକ ବିକଳାଙ୍ଗ ହୋଇଥିଲେ   । ଶହଶହ ସହର , ଗୀର୍ଜା , ବିଶ୍ଵବିଦ୍ୟାଳୟ ଓ କଳକାରଖାନା ମଧ୍ୟ ଧ୍ଵଂସ ସ୍ତୂପରେ ପରିଣତ ହୋଇଯାଇଥିଲା   । ଘନଘନ ଆକ୍ରମଣ ଓ ବୋମାବର୍ଷଣ ଫଳରେ ଜର୍ମାନୀ ରାଜଧାନୀ ବର୍ଲିନ ଧ୍ଵଂସ ସ୍ତୂପରେ ପରିଣତ ହୋଇଥିଲା   । ପରମାଣୁ ବୋମା ପ୍ରୟୋଗ ଫଳରେ ଜାପାନର ପ୍ରମୁଖ ସହର ହିରୋସୀମା ଓ ନାଗାସାକି ଧ୍ଵଂସ ସ୍ତୂପରେ ପରିଣତ ହୋଇଥିଲା   । ଯୁଦ୍ଧରେ ଧନସମ୍ପତ୍ତି କ୍ଷୟକ୍ଷତି ଜଳ୍ପନାତୀତ ଥିଲା   । ହଜାର ହଜାର ସଂଖ୍ୟକ ଯୁଦ୍ଧବନ୍ଦୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଇଥିଲା   । ହିଟଲରଙ୍କ ନିର୍ଦ୍ଦେଶରେ ଅସଂଖ୍ୟ ଇହୁଦୀ ଓ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରାଯାଇଥିଲା    ।

୨. ରାଜନୈତିକ ଅର୍ଥନୈତିକ ପରିଣତି

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୃଥିବୀର ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ଦେଖାଦେଇଥିଲା   । ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କର ପ୍ରଭାବ ହ୍ରାସ ପାଇଥିଲା   । ଏସିଆ ଓ ଆଫ୍ରିକାର ବହୁ ଉପନିବେଶ ଆନ୍ଦୋଳନ କରି ସ୍ଵାଧୀନ ହେଲେ   । ଯୁକ୍ତରାଷ୍ଟ୍ର ଆମେରିକା  ପୃଥିବୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରୂପେ ପ୍ରତିଷ୍ଠିତ ହୋଇଥିଲା   । ସୋଭିଏତ ରୁଷ ଅନ୍ୟତମ ବୃହତଶକ୍ତି ରୂପେ ଆତ୍ମପ୍ରକାଶ କଲା   ।

ଜର୍ମାନୀକୁ ନାଜିଦଳ ଲୋପ ପାଇବା ସଙ୍ଗେ ସଙ୍ଗେ ଜର୍ମାନୀ ଉପରେ ବ୍ରିଟେନ,ରୁଷ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୁତ୍ଵ ପ୍ରତିଷ୍ଠିତ ହେଲା   । ୧୯୪୯ ମସିହାରେ ଜର୍ମାନୀର ପଶ୍ଚିମାଞ୍ଚଳକୁ ଏକତ୍ର କାରାଯାଇ ପଶ୍ଚିମ ଜର୍ମାନୀ ବା ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ର ଗଠିତ ହୋଇଥିଲା   । ପୂର୍ବ ଜର୍ମାନୀ ଜର୍ମାନ ଗଣତାନ୍ତ୍ରିକ ନାମରେ ପରିଚିତ ହେଲା   । ପଶ୍ଚିମ ଜର୍ମାନୀର ଶାସନରେ ପାଶ୍ଚାତ୍ୟ ଗଣତନ୍ତ୍ରର ପ୍ରଭାବ ରହୁଥିବା ବେଳେ ପୂର୍ବ ଜର୍ମାନୀର ଶାସନରେ ସାମ୍ୟବାଦୀ ପ୍ରଭାବ ରହିଲା   ।

ଫ୍ରାନ୍ସ ଓ ଇଟାଲୀରେ ସାମ୍ୟବାଦି ପ୍ରଭାବ ବିଶେଷ ଭାବରେ ବୃଦ୍ଧି ପାଇଲା   । ବ୍ରିଟେନରେ କ୍ଲିମେଣ୍ଟ ଅଟଲିଙ୍କ ନେତୃତ୍ଵରେ ଶ୍ରମିକ ଦଳ କ୍ଷମତାକୁ ଆସିଲେ   । ଏହି ଦଳର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରି ବ୍ରିଟେନର ଅର୍ଥନୀତିରେ ଉନ୍ନତି ଘଟାଇଥିଲା   ।

ପୋଲାଣ୍ଡ, ହଙ୍ଗେରୀ , ରୁମାନିଆ , ବୁଲଗେରିଆ ପ୍ରଭୁତି ପୂର୍ବ ଇଉରୋପୀୟ ଦେଶମାନଙ୍କରେ ସାମ୍ୟବାଦି ସରକାର ଗଠିତ ହେଲା   । ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେଜ ପୁନର୍ବାର ଉଦ୍ୟମ ଆରମ୍ଭ ହୋଇଯାଇଥିଲା   ।

ଆଧାର: ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate