ପ୍ରଥମ ବିଶ୍ଵଯୁଦ୍ଧପରେ ୧୯୧୯ ମସିହା ଜାନୁଆରୀ ୧୮ ତାରିଖରେ ପ୍ୟାରିସଠାରେ ଏକ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମରିକା ତତକାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଏହି ସମ୍ମିଳନୀରେ ତାଙ୍କର ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏହାର ଶେଷ ସୂତ୍ର ଜାତିସଂଘ ଗଠନ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ ଥିଲା । ସମ୍ମିଳନୀରେ ତାଙ୍କର ପ୍ରସ୍ତାବ ଅନୁଯାୟୀ ଜାତିସଂଘ ଗଠନ ସମ୍ପର୍କିତ ରାଜିନାମା ପ୍ୟାରିସ ଚୁକ୍ତିର ଏକ ଅବିଚ୍ଛେଦ ଅଙ୍ଗ ଭାବେ ଗୃହିତ ହେଲା । ଏହିପରି ଭାବେ ଉଇଲସନଙ୍କ ଉଦ୍ୟମ ଯୋଗୁଁ ହିଁ ଜାତିସଂଘ ଗଠିତ ହୋଇଥିଲା ।
ଜାତିସଂଘ କୋଭେନାଣ୍ଟ କହିଲେ ରାଷ୍ଟ୍ରମାନଙ୍କମଧ୍ୟରେ ଜାତିସଂଘ ଗଠନ ସମ୍ପର୍କିତ ରାଜିନାମାକୁ ବୁଝାଯାଏ । ଏହାକୁ ଜାତିସଂଘର ସମ୍ବିଧାନ ବୋଲି ବିଚାର କରାଯାଏ । ଉଇଲସନଙ୍କ ସଭାପତିତ୍ଵରେ ଉଣେଇଶ ଜଣ ପ୍ରତିନିଧିଙ୍କ ଦ୍ଵାରା ଏହି କୋଭେନାଣ୍ଟ ଚିଠା ପ୍ରସ୍ତୁତ ହୋଇଥିଲା ଏବଂ ଇଂଲଣ୍ଡ ପ୍ରତିନିଧିଙ୍କ ଦ୍ଵାରା ଏହାର ବୈଧାନିକ ରୂପ ଦିଆଯାଇଥିଲା । ୧୯୧୯ ଏପ୍ରିଲ ୨୮ ରେ ଏହା ପ୍ୟାରିସ ସମ୍ମିଳନୀର ଏକ ସାଧାରଣ ଅଧିବେଶନରେ ଗୃହିତ ହେଲା । ଏଥିରେ ଛବିଶଟି ଧାରା ଥିଲା ଏବଂ ସବୁ ଧାରାଗୁଡିକ ସହିତ ୧୯୧୯ ଜୁନ ୨୮ ରେ ଏହାକୁ ପ୍ୟାରିସଠାରେ ସ୍ଵାକ୍ଷରିତ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭର୍ସାଇ ସନ୍ଧିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୧୯୨୦ ଜାନୁଆରୀ ୧୦ ତାରିଖରୁ କୋଭେଣ୍ଟର ବଳବର୍ତ୍ତର ହେଲା ଏବଂ ଆନୁଷ୍ଠାନିକ ଭାବେ ଜାତିସଂଘ ପ୍ରତିଷ୍ଠିତ ହେଲା ।
କୋନେନାଷ୍ଟର ଭୂମିକାରେ ଜାତିସଂଘର ଉଦ୍ଦେଶ୍ୟ ନିମ୍ନମତେ ଉଲ୍ଲେଖ କରାଯାଇଛି ।
ଜାତିସଂଘର କାର୍ଯ୍ୟକାରିତା ଓ ପରିଚାଳନା ପାଇଁ ତିନୋଟି ମୁଖ୍ୟ ଅଙ୍ଗ ଥିଲା । ସେଗୁଡିକ ହେଲା ସଭା ପରିଷଦ ଓ ସଚିବାଳୟ । ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ଓ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଜାତିସଂଘର ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା । ଏଗୁଡିକ ବ୍ୟତୀତ ଜାତିସଂଘର ଉଦ୍ଦେଶ୍ୟ ସାଧନରେ ସାହାଯ୍ୟ କରିବା ପାଇଁ ଅନ୍ୟାନ୍ୟ ଅନେକ ଅନୁଷ୍ଠାନ ରହିଥିଲା ।
୧.ସଭା
ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ । ପ୍ରତ୍ୟେକ ସ୍ଵାଧିନ ରାଷ୍ଟ୍ର ସଭାକୁ ତିନିଜଣ ପ୍ରତିନିଧି ପଠାଇପାରୁଥିଲେ , କିନ୍ତୁ କେବଳ ଗୋଟିଏ ଭୋଟର ଅଧିକାର ପାଉଥିଲା । ସଭାରେ ପ୍ରତ୍ୟେକ ରାଷ୍ଟ୍ରର ସ୍ଥାନ ସମାନ ଥିଲା । ସଭା ଏହାର ନିଜର ସଭାପତିଙ୍କୁ ଏବଂ ଆଠଜଣ ଉପସଭାପତିଙ୍କୁ ନିର୍ବାଚିତ କରୁଥିଲା । ବିଭିନ୍ନ ବିଷୟ ତଦାରଖ କରିଆବା ପାଇଁ ଛଅଗୋଟି ସ୍ଥାୟୀ କମିଟି ଓ ଦୁଇଗୋଟି ଅତିରିକ୍ତ କମିଟି ଥିଲା । ପ୍ରତ୍ୟେକ କମିଟି ନିଜର ଚେୟାରମ୍ୟାନଙ୍କୁ ନିର୍ବାଚିତ କରୁଥିଲେ । ଏସମସ୍ତ ନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ସଭାର ସାଧାରଣ କମିଟି ଗଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଅନ୍ତତଃ ଠାରେ ଏହାର ବୈଠକ ବସିବା ପାଇଁ ନିସ୍ପତି ହୋଇଥିଲା । ସମସ୍ତ ସଭ୍ୟଙ୍କ ସମ୍ମତି ବିନା ସଭାରେ କୌଣସି ପ୍ରସ୍ତାବ ହୋଇପାରୁ ନଥିଲା । ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଅତିକମରେ ସଭାର ଦୁଇ ତୃରୀୟାଂସ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା । ବିଶ୍ଵଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିଲା ଯେ କୌଣସି ପ୍ରସଙ୍ଗରେ ସଭାରେ ଆଲୋଚନା ହେଉଥିଲା । ଜାତିସଂଘର ସାଧାରଣ ସମ୍ପାଦକ ମନୋନୟନରେ ସଭାର କିଛି କ୍ଷମତା ଥିଲା । ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଓ ଜାତିସଂଘ ପରିଷଦର ଅସ୍ଥାୟୀ ସଭ୍ୟଙ୍କୁ ସଭା ନିର୍ବାଚିତ କରୁଥିଲା ।
୨. ପରିଷଦ
ପରିଷଦ ଜାତିସଂଘର କାର୍ଯ୍ୟକାରିଣୀ ଅଙ୍ଗ ଥିଲା । ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ଏହା ଗଠିତ ହୋଇଥିଲା । ଗ୍ରେଟ ବ୍ରିଟେନ , ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା , ଇଟାଲୀ ଓ ଜାପାନକୁ ପରିଷଦର ସ୍ଥାୟୀ ସଭ୍ୟ କରାଗଲା ଏବଂ ଚାରି ଜଣ ଅସ୍ଥାୟୀ ସଭ୍ୟ ସଭାଦ୍ଵାରା ନିର୍ବାଚିତ ହେଲେ । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ରେ ପ୍ୟାରିସ ଶାନ୍ତି ଚୁକ୍ତିକୁ ସିନେଟ ଅନୁମୋଦନ ନ କରିବାରୁ ସେ ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ । ଫଳରେ ଚାରି ଜଣସ୍ଥାୟୀ ରହିଲେ ଏବଂ ପରିଷଦ ମୋଟ ସଭ୍ୟ ସଂଖ୍ୟା ନଅ ପରିବର୍ତ୍ତେ ଆଠ ରହିଲା । ଦୁଇ ବର୍ଷ ପରେ ଅସ୍ଥାୟୀ ସଭ୍ୟ ସଂଖ୍ୟା ଛଅକୁ ବୃଦ୍ଧିଜ କରାଗଲା । ୧୯୨୬ ମସିହାରେ ଜର୍ମାନୀକୁ ସ୍ଥାୟୀ ସଭ୍ୟ କରାଗଲା କିନ୍ତୁ ଜର୍ମାନୀ ଜାତିସଂଘରୁ ଓହରି ଆସିବା ପରେ ଓ ୧୯୩୪ ମସିହାରେ ରୁଷିଆର ଯୋଗଦାନ ପରେ ସେ ସ୍ଥାୟୀ ସଭ୍ୟ ହେଲା । ୧୯୩୯ ମସିହାରେ ମାତ୍ର ତିନିଜଣ ସ୍ଥାୟୀ ସଭ୍ୟ ଥିଲେ । ପୁଣି ୧୯୩୯ ମସିହାରେ ରୁଷିଆ ଜାତିସଂଘରୁ ବହିସ୍କୃତ ହେବା ଫଳରେ କେବଳ ବ୍ରିଟେନ ଓ ଫ୍ରାନ୍ସ ସ୍ଥାୟୀ ସଭ୍ୟ ରହିଲେ । ସେହିପରି ବିଭିନ୍ନ ସମୟରେ ଅସ୍ଥାୟୀ ସଭ୍ୟ ସଂଖ୍ୟା ବୃଦ୍ଧିପାଇ ୧୯୩୬ ମସିହାରେ ଏହା ଏଗାର ହୋଇଥିଲା । ଅସ୍ଥାୟୀ ସଭ୍ୟମାନେ କେବଳ ତିନି ବର୍ଷ ପାଇଁ ନିର୍ବାଚିତ ହେଉଥିଲେ ଓ ପ୍ରତ୍ୟେକ ବର୍ଷ ତିନିଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ । ୧୯୨୬ ମସିହା ପରେ ପରିଷଦ ପ୍ରତ୍ୟେକ ବର୍ଷ ଅତି କମରେ ଚାରିଥର ଆହୁତ ହୋଇଥିଲା । ତାଛଡା କେତେକ ସ୍ଵତନ୍ତ୍ର ଅଧିବେସନ ମଧ୍ୟ ବସିଥିଲା । ତାଛଡା କେତେକ ସ୍ଵତନ୍ତ୍ର ଅଧିବେଶନ ମଧ୍ୟ ବସିଥିଲା । ରାଷ୍ଟ୍ରର ନାମର ପ୍ରଥମ ଅକ୍ଷର ଅନୁସାରେ ସଦସ୍ୟ ରାଷ୍ଟ୍ରଗୁଡିକ ଜଣକ ପରେ ଜଣେ ପାଳି କରି ପରିଷଦର ପ୍ରତ୍ୟେକ ଅଧିବେଶନରେ ସଭାପତିତ୍ଵ କରୁଥିଲେ ।
ପରିଷଦ ଅନେକ ଗୁରୁତ୍ଵପୂର୍ଣ୍ଣ କ୍ଷମତାର ଅଧିକାରୀ ଥିଲା । ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ବିବାଦଗୁଡିକ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପରିଷଦର ମୁଖ୍ୟ କାର୍ଯ୍ୟ ଥିଲା ଏବଂ ଏଥିପାଇଁ ଆବଶ୍ୟକ ହେଲେ ଆନ୍ତର୍ଜାତିକ ସମ୍ମିଳନୀ ଡାକିବା ପାଇଁ ଏହାର ଅଧିକାର ଥିଲା । କୌଣସି ସଦସ୍ୟ ରାଷ୍ଟ୍ର ଚୁକ୍ତି ପାଳନରେ ଅବହେଳା କାଲେ ତାକୁ ପରିଷଦ ଜାତିସଂଘର ସଭ୍ୟ ପଦରୁ ବଞ୍ଚିତ କରୁଥିଲେ । ଅହେତୁକ ଆକ୍ରମଣକାରୀ ରାଷ୍ଟ୍ର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ପରିଷଦର ଥିଲା । ରାଷ୍ଟ୍ରମାନଙ୍କର ଅସ୍ତ୍ରଶସ୍ତ୍ର ପରିମାଣକୁ ହ୍ରାସ କରିବା ପାଇଁ ଉଦ୍ୟମ କରିବା ସଂଖ୍ୟା ଲଘୁଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବା ସାର ବେଶିନ, ଓ ଡାନଜିଗ ସହରକୁ ଶାସନ କରିବା, ମଣ୍ଡେଟ ବ୍ୟବସ୍ଥାରେ ଥିବା ଅଞ୍ଚଳଗୁଡିକର ଶାସନରୁ ତଦାରଖ କରିବା , ଜାତିସଂଘ ସଚିବାଳୟ କାର୍ଯ୍ୟକୁ ତଦାରଖ କରିବା ଏବଂ ଜାତିସଂଘ ବିଭିନ୍ନ ସ୍ଵତନ୍ତ୍ର ସଂସ୍ଥାଗୁଡିକର ବିବରଣୀ ଗ୍ରହଣ କରିବା ପରିଷଦ କର୍ତ୍ତବ୍ୟ ଥିଲା ।
୩. ସଚିବାଳୟ
ଜାତିସଂଘର ସଚିବାଳୟ ବା ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲାଣ୍ଡ ଦେଶର ଜେନେଭା ସହରରେ ଅବସ୍ଥିତ ଥିଲା । ଏହାର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ସେକ୍ରେଟେରୀ ଜେନେରାଲ ବା ମହାସଚିବ କୁହାଯାଉଥିଲା । ପରିଷଦର ସୁପାରିସରେ ସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ଭୋଟଦ୍ଵାରା ସେକ୍ରେଟେରୀ ଜେନେରାଲ ନିର୍ବାଚନ ହେଉଥିଲା । ବିଭିନ୍ନ ଦେଶର ପ୍ରାୟ ସାତଶହ ପଚାଶଜଣ ବ୍ୟକ୍ତି ସଚିବାଳୟରେ କାର୍ଯ୍ୟକରିବା ପାଇଁ ନିଯୁକ୍ତି ପାଇଥିଲେ ।ପରିଷଦର ଅନୁମୋଦନରେ ସେକ୍ରେଟେରୀ ଜେନେରାଲଙ୍କ ଦ୍ଵାରା ଏହି ନିଯୁକ୍ତି ସମ୍ପନ୍ନ ହେଊଥିଲା । ଜାତିସଂଘର ସଭ୍ୟ ନଥିବା ଦେଶର ଅଧିବାସୀଙ୍କୁ ମଧ୍ୟ ନିଯୁକ୍ତ କରଯାଇପାରୁଥିଲା । ଜାତିସଂଘ ସଚିବାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ସେମାନେ ବ୍ୟକ୍ତିଗତ ଜାତୀୟତା ନିର୍ବିଶେଷରେ ନିଜ ରାଷ୍ଟ୍ରର ନିୟନ୍ତ୍ରଣାରୁ ସ୍ଵାଧିନ ରହି ଜାତିସଂଘର ଅନୁଗତ ଭାବେ ସେକ୍ରେଟେରୀ ଜେନେରାଲଙ୍କ ଅଧୀନରେ ଏବଂ ତାଙ୍କ ଜରିଆରେ “ ପରିଷଦ “ ଓ “ସଭା “ ଅଧୀନରେ ରହିଲେ କାରଣ ସେମାନଙ୍କୁ କେବଳ ତାଙ୍କ ରାଷ୍ଟ୍ରପାଇଁ କାମ ନ କରି ସମଗ୍ର ବିଶ୍ଵପାଇଁ କାମ କରିବାକୁ ହେଲା । ଜାତିସଂଘ ସଚିବାଳୟ କେବଳ ବିଭିନ୍ନ ଜାତୀୟତାର ବ୍ୟକ୍ତିଙ୍କ ସମଷ୍ଟି ନ ହୋଇ ଏକ ଆନ୍ତର୍ଜାତିକ ଅନୁଷ୍ଠାନ ପରି କାର୍ଯ୍ୟ କରିବବୋଲି ମତ ଦେଇଥିବା ଇଂଲଣ୍ଡରେ ସାର ଏରିକ ଡ୍ରୁମଣ୍ଡ ଯଥାର୍ଥରେ ଜାତିସଂଘର ପ୍ରଥମ ସେକ୍ରେଟେରୀ ଜେନେରାଲ ହୋଇଥିଲେ । ତାଙ୍କପରେ କ୍ରମରେ ଫ୍ରାନ୍ସର ଆଭେନଲ ଓ ଆୟାରଲାଣ୍ଡ ଲେଷ୍ଟର ଉକ୍ତ ପଦବୀ ଅଳଙ୍କୃତ କରିଥିଲେ । ସଚିବାଳୟରେ ଏଗାରଟି ବିଭାଗ କାର୍ଯ୍ୟ କରୁଥିଲା ଏବଂ ପ୍ରତ୍ୟେକ ବିଭାଗ ଜଣେ ସେକ୍ରେଟେରୀଙ୍କ ତତ୍ଵାବଧାନରେ କାର୍ଯ୍ୟ କରୁଥିଲା ।
ସଭା ଓ ପରିଷଦ ବିଚାର ଆଲୋଚନା ପାଇଁ ବିଭିନ୍ନ ବିଷୟଗୁଡିକର ତାଲିକା ପ୍ରସ୍ତୁତ କରିବା ଏବଂ ସେଗୁଡିକର ତଲାଇକା ପ୍ରସ୍ତୁତ କରିବା ଏବଂ ସେଗୁଡିକ ସମ୍ପର୍କରେ ଆବଶ୍ୟକ ସୂଚନା ଯୋଗାଇବା ଗୃହିତ ହୋଇଥିବା ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାଇବା ସଭାରେ ହୋଇଥିବା ଆଲୋଚନାର ବିବରଣୀ ଓ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିବା ରାଜିନାମା ବା ସନ୍ଧିଗୁଡିକ ପ୍ରକାଶ କରିବା ପ୍ରଭୁତି ସଚିବାଳୟର ପ୍ରଧାନ କାର୍ଯ୍ୟଥିଲା । ସେକ୍ରେଟେରୀ ଜେନେରାଲ ଜାତିସଂଘର ସମସ୍ତ ଶାସକୀୟ ଅଙ୍ଗଗୁଡିକର କାର୍ଯ୍ୟର ସମନ୍ଵୟକାରୀ ଥିଲେ । ସମୟ ସମୟରେ ସେ ଜାତିସଂଘର ନୀତି ଓ ବିବାଦଗୁଡିକର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଉଥିଲେ ।
୪। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟ୍ୟାଳୟ
ନେଦରଲାଣ୍ଡର ହେଗଠାରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ନ୍ୟାୟ୍ୟାଳୟ ୧୯୨୨ ମସିହା ଫେବୃୟାରି ୧୫ ତାରିଖରେ ଉଦଘାଟିତ ହୋଇ ବିଧିବଦ୍ଧ ଭାବେ ଏହାର କାର୍ଯ୍ୟ ଆରମ୍ଭ କଲା । ଏହି ନ୍ୟାୟ୍ୟାଳୟ ର ସ୍ଵୀକୃତ ଭାଷା । ଏହି ନ୍ୟାୟ୍ୟାଳୟରେ ଆରମ୍ଭ ସମୟରେ ଏଗାର ଜଣ ବିଚାରପତି ଓ ଚାରିଜଣ ଉପ- ବିଚାରପତି ଥିଲେ । ୧୯୩୦ ମସିହା ବେଳକୁ ଏହାର ବିଚାର ପତି ଓ ଚାରି ଜଣ ଉପ- ବିଚାରପତି ଥିଲେ । ୧୯୩୦ ମସିହା ବେଳକୁ ଏହାର ବିଚାର ପତିଙ୍କ ସଂଖ୍ୟା ପନ୍ଦରକୁ ବୃଦ୍ଧି କରାଯାଇଥିଲା ଏବଂ ୧୯୩୬ ମସିହାରେ ଉପ-ବିଚାରପତି ଉଚ୍ଛେଦ କରାଯାଇଥିଲା । ସଭା ଓ ପରିଷଦରେ ପୃଥକ ଭାବେ ଭୋଟଦାନ ପଦ୍ଧତି ଦ୍ଵାରା ବିଚାରପତି ନିର୍ବାଚିତ ହେଉଥିଲେ । ନିର୍ବାଚିତ ହେବା ପାଇଁ ଉଭୟ ଗୃହରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ମତ ହାସଲକରିବା ଆବଶ୍ୟକ ଥିଲା । ବିଚାରପତି ମାନେ ନିଜେ ସେମାନଙ୍କ ସଭାପତି ଓ ଉପ-ସଭାପତି ନିର୍ବାଚିତ କରୁଥିଲେ । ନିଜଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବାପାଇଁ ଯୋଗ୍ୟତା ଥିବା ଓ ଆନ୍ତର୍ଜାତିକ ଆଇନରେ ଗଭୀର ଜ୍ଞାନଥିବା ଯେ କୌଣସି ଜାତୀୟତାବ୍ୟକ୍ତି ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ପଦପାଇଁ ବଛାଯାଉଅଛି । ସେମାନଙ୍କ କାର୍ଯ୍ୟକାଳ ନଅବର୍ଷ ଥିଲା । ନ୍ୟାୟାଳୟରେ ବିହକରା କରିବା ପାଇଁ ଗୃହିତ ହୋଇଥିବା କଳହରେ ଭାଗୀଦାରି ଥିବା କୌଣସି ରାଷ୍ଟ୍ରର ବ୍ୟକ୍ତିବିଚାରପତି ନଥିଲେ , ନ୍ୟାୟାଳୟ କୁ ସେହି ରାଷ୍ଟ୍ରର ଆଇନ ଓ ପରମ୍ପରା ଅବଗତ କରାଇବାପାଇଁ ଉକ୍ତ ରାଷ୍ଟ୍ରର ଜଣେ ବିଚାରପତି ନିଯୁକ୍ତ କରିବାର ବ୍ୟବସ୍ଥା ଥିଲା ।
ଆନ୍ତର୍ଜାତିକ ଚୁକ୍ତିଗୁଡିକର ସର୍ତ୍ତ ଓ ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା , ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ କଳହ ସମୟରେ ଆଇନଗତ ପରାମର୍ଶ ଦେବା , ଜାତିସଂଘର କୋଭେନାଣ୍ଟ କୁ ସ୍ପଷ୍ଟ ଓ ବୋଧଗମ୍ୟ କରିବା ଏବଂ ସଭା ବା ପରିଷଦ ଦ୍ଵାରା ପ୍ରେରିତ କୌଣସି ବିବାଦ ସମ୍ବନ୍ଧୀୟ ବିଷୟ ଉପରେ ଉପଦେଶାତ୍ମ ମତ ଦେବା ଆନ୍ତର୍ଜାତିକ ନ୍ୟାୟାଳୟର କାର୍ଯ୍ୟଥିଲା ।
ଆନ୍ତର୍ଜାତିକ ନ୍ୟାୟାଳୟର ଆଇନଗତ ଅଧିକାର ଦୁଇ ପ୍ରକାରର ଥିଲା । ସେଗୁଡିକ ହେଲା ସ୍ଵେଚ୍ଛାକୃତ ଓ ବାଧ୍ୟତାମୂଳକ । ଯେତେବେଳେ ଦୁଇ ବା ତତୋଧିକ ରାଷ୍ଟ୍ର ସେମାନଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ପାଇଁ ନ୍ୟାୟାଳୟରେ ଉପସ୍ଥାପନ କରୁଥିଲେ ତାହା ନ୍ୟାୟାଳୟର ସ୍ଵେଚ୍ଛାକୃତ ଅଧିକାର ପରିସର ଅନ୍ତର୍ଭୁକ୍ତ ହେଉଥିଲା । ଜାତିସଂଘର ସଭ୍ୟ ହେବା ସମୟରେ କେତେକ ରାଷ୍ଟ୍ର ସେମାନଙ୍କ ବିବାଦର ନିଷ୍ପତ୍ତି ପାଇଁ ଆନ୍ତର୍ଜାତିକ ନ୍ୟାୟାଳୟରେ ଉପସ୍ଥାପନ କରିବେ ବୋଲି ଅଙ୍ଗୀକାରବଦ୍ଧ ହୋଇଥିଲେ । ଏ ପ୍ରକାର ବିବାଦର ସମାଧାନ କରିବା ନ୍ୟାୟାଳୟର ବାଧ୍ୟତାମୂଳକ ଅଧିକାର ପରିସର ଅନ୍ତର୍ଭୁକ୍ତ ଥିଲା ।
୫. ଆନ୍ତର୍ଜାତିକ ଶ୍ରମ ସଂଗଠନ
ଆନ୍ତର୍ଜାତିକ ଶ୍ରମ ସଂଗଠନ ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ସ୍ଥାପିତ ହୋଇଥିଲା । ଜାତିସଂଘର ସମସ୍ତ ସଭ୍ୟ ସ୍ଵୟଂକ୍ରିୟା ଭାବେ ଏହି ସଂଗଠନର ସଭ୍ୟ ହୋଇଥିଲେ । ତାଛଡା ଜାତିସଂଘର ସଭ୍ୟ ନ ହୋଇଥିବା ରାଷ୍ଟ୍ରମାନଙ୍କୁ ମଧ୍ୟ ଏହାର ସଦସ୍ୟ କରାଯାଇଥିଲା । ପୁରୁଷ ,ମହିଳା ,ଶିଶୁଙ୍କ ଶ୍ରମ ପାଇଁ ତାଙ୍କ ନିଜ ଦେଶରେ ଏବଂ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ତାଙ୍କ ଦେଶର ସମ୍ପର୍କ ଥିବା ଅନ୍ୟଦେଶରେ ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଆନ୍ତର୍ଜାତିକ ଶ୍ରମ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତେଣୁ ଏହି ସଂଗଠନ ସାରା ବିଶ୍ଵରେ ଶ୍ରମିକମାନଙ୍କ ସ୍ଵାର୍ଥ ରକ୍ଷା କରି ସେମାନଙ୍କ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରିଥିଲା । ଏହି ସଂଗଠନ ତିନୋଟି ଅଙ୍ଗ ଥିଲା । କିନ୍ତୁ ଏହା ଶ୍ରମିକମାନଙ୍କ ଦ୍ଵାରା ମନୋନୀତ ହେଉଥିଲା । ସାଧାରଣ ସମ୍ମିଳନୀର କୌଣସି ବୈଧାନିକ କ୍ଷମତା ନଥିଲା । କିନ୍ତୁ ଏହା ଶ୍ରମିକମାନଙ୍କ ଅବସ୍ଥାର କେତେକ ତ୍ରୁଟି ଓ ସେଗୁଡିକ ସୁଧାରିବା ପାଇଁ ଦୃଷ୍ଟି ଆକର୍ଷଣ କରୁଥିଲେ ଏବଂ ଶ୍ରମିକମାନଙ୍କ କାର୍ଯ୍ୟକରିବା ଅବସ୍ଥା ଉନ୍ନତି କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଚିଠା ପ୍ରସ୍ତୁତ କରୁଥିଲା । ଶାସନ ନିୟନ୍ତ୍ରକ ଦଳରେ ବତ୍ରିଶ ଜଣ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଷୋହଳ ଜଣ ସଦସ୍ୟ ରାଷ୍ଟ୍ରର ସରକାରଙ୍କ, ଆଠ ଜଣ ଶିଳ୍ପପତିମାନଙ୍କ ଓ ଆଠ ଜଣ ଶ୍ରମିକମାନଙ୍କର ପ୍ରତିନିଧିତ୍ଵ କରୁଥିଲେ । ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କ ନିର୍ବାଚନ ଏହାର ମୁଖ୍ୟ କାର୍ଯ୍ୟ ଥିଲା । ତା ଛଡା ସାଧାରଣ ସମ୍ମିଳନୀର ବୈଠକରେ ଆଲୋଚନା ହେବାକୁ ଥିବା ବିଷୟଗୁଡିକର ତାଲିକା ପ୍ରସ୍ତୁତ କରିବା ମଧ୍ୟ ଏହାର କାର୍ଯ୍ୟଥିଲା । ତା ଛଡା ସାଧାରଣ ସମ୍ମିଳନୀର ବୈଠକରେ ଆଲୋଚନା ହେବାକୁ ଥିବା ବିଷୟଗୁଡିକର ତାଲିକା ପ୍ରସ୍ତୁତ କରିଆବା ମଧ୍ୟ ଏହାର କାର୍ଯ୍ୟ ଥିଲା । ଜେନେଭାଠାରେ ଅବସ୍ଥିତ ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟ ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ତାର ପ୍ରସାରଣ ପାଇଁ ଉଦ୍ଧିଷ୍ଟ ଥିଲା କିନ୍ତୁ ଶ୍ରମିକମାନଙ୍କ ଅବସ୍ଥାର ନିୟନ୍ତ୍ରଣ ପାଇଁ ଆନ୍ତର୍ଜାତିକ ନିୟମ ପ୍ରସ୍ତୁତ କରିବା କଥା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟାଳୟ ନିଜର ସମ୍ବାଦପତ୍ର ଓ ପତ୍ରିକା ପ୍ରକାଶ କରୁଥିଲେ ।
ଜାତି ସଂଘର କାର୍ଯ୍ୟାବଳୀ ଆଲୋଚନା କାଲେ ଜଣାଯାଏ ଯେ ଏହା କେତେକ କାର୍ଯ୍ୟରେ କୃତିତ୍ଵ ହାସଲ କରିଥିବା ବେଳେ କେତେକ କାର୍ଯ୍ୟ ସମ୍ପାଦନ କରିବାରେ ଅକୃତକାର୍ଯ୍ୟ ହୋଇଥିଲା ।
(କ) କୃତିତ୍ଵପୂର୍ଣ୍ଣ କାର୍ଯ୍ୟ
ଜାତିସଂଘ ହସ୍ତକ୍ଷେପ ଫଳରେ ଅନେକ ଅନ୍ତଃରାଷ୍ଟ୍ରୀୟ କଳହ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା । ୧୯୨୧ ମସିହାରେ ଆଲାଣ୍ଡଦ୍ଵୀପର ଅଧିକାରକୁ ନେଇ ସ୍ଵିଡେନ ଓ ଫିଣଲାଣ୍ଡ ମଧ୍ୟରେ ଲାଗିଥିବା କଳହର ସମାଧାନ କରାଯାଇ ଆଲାଣ୍ଡ ଫିନଲାଣ୍ଡ ହସ୍ତାନ୍ତର କରାଯାଇଥିଲା । ଗଣଭୋଟ ଜରିଆରେ ଉତ୍ତର ସାଇଲେସିଆ ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ କଳହର ସମାଧାନ କରାଯାଇଥିଲା । ଆଲବାନିଆର ସୀମା ସମ୍ପର୍କରେ ଗ୍ରୀସ ଓ ଯୁଗୋସ୍ଲୋଭିଆ ମଧ୍ୟରେ ଯୁଦ୍ଧର ସମ୍ଭାବନାକୁ ଏଡାଯାଇ ପାରିଥିଲା । 1922 ମସିହାରେ ଏକ କମିଶନ ନିଯୁକ୍ତି କରି ପୋଲାଣ୍ଡ ଓ ଚେକେସ୍ଲୋଭାକିଆ ମଧ୍ୟରେ ଥିବା ସୀମା ସମ୍ପର୍କିତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରୁଥିଲା । 1925 ମସିହାରେ ଗ୍ରୀସ ଓ ବୁଲଗେରିଆ ମଧ୍ୟରେ ସୀମା ନିରୂପଣ ପ୍ରସଙ୍ଗରେ ବୁଲଗେରିଆରେ ମୁତୟନ ଥିବା ଗ୍ରୀସ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରାଯାଇ ପାରିଥିଲା । 1922 ମସିହାରେ ଏକ ସନ୍ଧି ଅନୁଯାୟୀ କଲମ୍ବିଆକୁ ହସ୍ତାନ୍ତର କରିଥିବା ଲେଟିସିଆ ସହରକୁ ଦକ୍ଷିଣ ଆମେରିକାର ପେରୁ ରାଷ୍ଟ୍ରର 1933 ମସିହାରେ ପୁନଃ ଅଧିକାରକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧକୁ ବନ୍ଦ କରାଯାଇ ଆପୋଷ ନିଷ୍ପତ୍ତି ଦ୍ଵାରା ଲେଥିସିଆ କଲମ୍ବିଆକୁ ଦିଆଯାଇଥିଲା । ପ୍ୟାରିସ ସନ୍ଧି ଅନୁଯାୟୀ 1935 ମସିହାରେ “ ସାର” କୋଇଲା ଅଞ୍ଚଳରେ ଏକ ଗଣଭୋଟ ସଂଗଠିତ କରାଯାଇ “ ସାର “ ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା । ମାଣ୍ଡେତ ବ୍ୟବସ୍ଥା ଫଳରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଉପନିବେଶମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର ବାର୍ଷିକ ବିବରଣୀ ଜାତିସଂଘକୁ ଦେବାଦ୍ଵାରା ଉପନିବେଶ ଗୁଡିକରେ ଶୋଷଣ ବନ୍ଦ ହୋଇପାରିଥିଲା ।
ଶ୍ରମିକମାନଙ୍କ ସମସ୍ୟାର ସମାଧାନ ଓ ସେମାନ ଙ୍କ ଅବସ୍ଥାର ଉନ୍ନତି ପାଇଁ ଆନ୍ତର୍ଜାତିକ ଶ୍ରମକ ସଂଗଠନ ପ୍ରତିଷ୍ଠା , ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଥାପନା ତଥା ମେଲେରିଆ, ଯକ୍ଷ୍ମା , କଲେରା , ବସନ୍ତ , ଓ ଅନ୍ୟ କେତେକ ସଂକ୍ରମଣ ରୋଗର ନିରାକରଣ ଏବଂ ପୁରୁଷ , ମହିଳା ଓ ଶିଶୁମାନଙ୍କୁ ନେଇ ବେଆଇନ ଦାସ ବ୍ୟବସାୟର ନିୟନ୍ତ୍ରଣ ଭଳି କେତେକ ବିଶିଷ୍ଟ ପଦକ୍ଷେପ ଜାତିସଂଘର ସାମାଜିକ ଓ ମାନବୀୟ କ୍ଷେତ୍ରରେ କୃତିତ୍ଵପୂର୍ଣ୍ଣ କାର୍ଯ୍ୟଥିଲା ।
(ଖ) ଅସଫଳ କ୍ଷେତ୍ର
କେତେକ କାର୍ଯ୍ୟରେ ଜାତିସଂଘ ସଫଳତା ପାଇପାରିନଥିଲା । ଲିଥୁଆନିଆ ଦଖଲରେ ଥିବା ଭିଲନା ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ , ଗ୍ରୀସ ଓ ଆଲବାନିଆ ମଧ୍ୟରେ ସୀମା ନିରୂପଣ କରିବାକୁ ଯାଇଥିବା ଇଟାଳୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ଇଟାଲୀ ଦ୍ଵାରା କୋରଫ୍ୟୁ ଦ୍ଵୀପ ଧ୍ଵଂସ ଓ ଗ୍ରୀସ ଠାରୁ କ୍ଷତିପୂରଣ ଆଦାୟ, ଜାତିସଂଘ ସୁରକ୍ଷା ଦେଉଥିବା ଓ ଜେନ ଫରାସୀ କମିଶନଙ୍କ ଦ୍ଵାରା ପ୍ରଶାସିତ ହେଉଥିବା ମେମେଲ ବନ୍ଦର ଉପରେ ଲିଥୁଆନିଆର ପ୍ରଭାବ ବିସ୍ତାର , ଜାପାନର ମାଞ୍ଚୁରିଆ ଅଧିକାର , ଇଟାଲୀର ଆବିସାନିଆ ବିଜୟ ଏବଂ ସ୍ପେନୀୟ ଗୃହଯୁଦ୍ଧରେ ସେଠାକାର ପ୍ରଜାତନ୍ତ୍ର ଉଚ୍ଛେଦକୁ ରୋକୀବାରେ ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା ।
ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରି ଜାତିସଂଘ ନିଶ୍ଚୟ କୃତି ଅର୍ଜନ କରିଥିଲା । ତଥାପି ପୃଥିବୀରେ ଯୁଦ୍ଧର ଆଶଙ୍କାକୁ ଦୂରୀଭୂତ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାରେ ଜାତିସଂଘର ମୂଳ ଉଦ୍ଦେଶ୍ୟ ସଫଳ ହୋଇନଥିଲା ଏବଂ 1939 ମସିହାରେ ଆରମ୍ଭ ହୋଇଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧକୁ ଏହା ପ୍ରତିରୋଧ କରି ପାରି ନଥିଲା । ଜାତିସଂଘର ଏହି ବିଫଳତା ପାଇଁ ଅନେକ କାରଣ ଦାୟୀ ଥିଲା ।
୧. ପ୍ୟାରିସ ଶାନ୍ତିଚୁକ୍ତି ସହିତ ସଂଯୋଗ
ଜାତି ସଂଘର କୋଭଏନାଣ୍ଟ ପ୍ୟାରିସଠାରେ ସ୍ଵାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତି ସହିତ ସଂଲଗ୍ନ କରିଦିଆଯାଇଥିଲା ।ଚୁକ୍ତିର ସର୍ତ୍ତାବଳୀ ଗୁଡିକ ବିଜିତ ରାଷ୍ଟ୍ରମାନଙ୍କ ପ୍ରତି ଅତ୍ୟନ୍ତ କଠୋର ଥିଲା । ଉକ୍ତ ସର୍ତ୍ତ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଜାତିସଂଘ ଏକ ମାଧ୍ୟମ ରୂପେ ବ୍ୟବହୃତ ହେବ ବୋଲି ବିଜିତ ରାଷ୍ଟ୍ରମାନଙ୍କ ଧାରଣା ହେଲା । ଜାତିସଂଘର ଆରମ୍ଭରେ ବିଜିତ ରାଷ୍ଟ୍ରମାନଙ୍କୁ ସଭ୍ୟ ପଦ ଦିଆ ନଯିବାରୁ ସେମାନେ ଜାତିସଂଘକୁ କେବଳ ବିଜେତାମାନଙ୍କର ଏକ ସଂଗଠନ ବୋଲି ମନେ କଲେ । ସେମାନେ ଜାତିସଂଘକୁ ଘୃଣା କଲେ ଓ ସମର୍ଥନ ଦେବାପାଇଁ କୁଣ୍ଠାବୋଧ କଲେ ।
୨. ଯୁକ୍ତରାଷ୍ଟ୍ର ଆମେରିକା ଅନୁପସ୍ଥିତି
ଯୁକ୍ତ ରାଷ୍ଟ୍ର ଆମେରିକାର ସିନେଟ ପ୍ୟାରିସ ଶାନ୍ତି ଚୁକ୍ତିକୁ ଅନୁମୋଦନ କଲା ନାହିଁ । ଫଳରେ ସେ ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ । ଆମେରିକା ଅନୁପସ୍ଥିତି କେତେକ ଦେଶକୁ ଜାତିସଂଘ ସଭ୍ୟପଦରୁ ଇସ୍ତଫା ଦେବା ପାଇଁ ଉତ୍ସାହିତ କଲା । ଜାତିସଂଘର ଅର୍ଥନୈତିକ ପ୍ରତିବନ୍ଧକ ନୀତି ଫଳପ୍ରଦଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଇଂଲଣ୍ଡ ଓ ଆମେରିକା ଦ୍ଵାରା ଫ୍ରାନ୍ସକୁ ଦିଆଯାଇଥିବା ସୁରକ୍ଷାର ପ୍ରତିଶ୍ରୁତି ଅର୍ଥହାନୀ ହୋଇଗଲା । ଲାଟିନ ଆମେରିକା ଓ ଦୂର ପ୍ରାଚ୍ୟ ଅଞ୍ଚଳରେ ଜାତିସଂଘର କ୍ଷମତାକୁ ଦୁର୍ବଳ କରିଦେଲା ।
୩.ରାଷ୍ଟ୍ରମାନଙ୍କ ସ୍ଵାର୍ଥପର ମନୋଭାବ
ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ଜାତିସଂଘ ବା ସାରା ବିଶ୍ଵର ସ୍ଵାର୍ଥ ଅପେକ୍ଷା ନିଜର ସ୍ଵାର୍ଥକୁ ଅଧିକ ଗୁରୁତ୍ଵ ଦେଲେ । ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ସେମାନଙ୍କ ସର୍ବଭୌମତ୍ଵ କ୍ଷମତା ତ୍ୟାଗ କରିବାକୁ ପ୍ରସ୍ତୁତ ନ ଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ନିମନ୍ତେ ମଧ୍ୟସ୍ଥତା କରିବା ଜାତିସଂଘ ପାଇଁ କଷ୍ଟକର ହୋଇପଡିଲା । ଲାଟିନ ଆମେରିକା ଓ ଦୂରପ୍ରାଚ୍ୟ ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକା ନିଃସଙ୍ଗ ନୀତି ପରିତ୍ୟାଗ କରି ନିଜର ଜାତୀୟ ସ୍ଵାର୍ଥ ପ୍ରତି ଅନୁକୂଳ ହେଉଥିବା ନୀତି ଗ୍ରହଣ କଲା ଏବଂ ଇଂଲଣ୍ଡ ଓ ଫ୍ରାନ୍ସ ସେମାନଙ୍କ ସ୍ଵାର୍ଥ ରକ୍ଷାପାଇଁ ଫାସିବାଦୀ ଓ ନାଜିବାଦୀଙ୍କ ପ୍ରତି ତୋଷଣ ନୀତି ଅବଲମ୍ବନ କଲେ ।
୪. ସର୍ବଜନୀତାର ଅଭାବ
କୌଣସି ସମୟରେ ସମସ୍ତ ବୃହତ ରାଷ୍ଟ୍ରଜାତିସଂଘର ସଦସ୍ୟ ରହି ନଥିଲା । ଯୁକ୍ତରାଷ୍ଟ୍ର ଆମେରିକା କେବେ ମଧ୍ୟ ଏହାର ସଦସ୍ୟ ନ ଥିଲା । ଜର୍ମାନୀ ଓ ସୋଭିଏତ ରୁଷିଆ ଭଳି ପ୍ରମୁଖ ରାଷ୍ଟ୍ରଗଣ ଆରମ୍ଭରୁ ଏହାର ସଦସ୍ୟ ନ ଥିଲେ । ଜର୍ମାନୀ ୧୯୨୬ ମସିହାରୀ ଏହାର ସଦସ୍ୟ ହେଲା , କିନ୍ତୁ ହିଟଲରଙ୍କ ଉତଥାନ ପରେ ୧୯୩୩ ମସିହାରେ ସଦସ୍ୟ ପଦ ତ୍ୟାଗ କଲା । ସେହିବର୍ଷ ଜାପାନ ମାଞ୍ଚୁରିଆ ଆକ୍ରମଣ କରିବାପରେ ଜାତିସଂଘ ସହିତ ସମ୍ପର୍କ ଛିନ୍ନ କଲା । ୧୯୩୪ ମସିହାରେ ସୋଭିଏତ ରୁଷିଆକୁ ସଦସ୍ୟ କରାଗଲା କିନ୍ତୁ ୧୯୩୯ ମସିହାରେ ଫିନଲାଣ୍ଡ ଆକ୍ରମଣ କରାଇବାରୁ ତାକୁ ଜାତିସଂଘ ସଦସ୍ୟ ପଦରୁ ବହିସ୍କାର କରାଗଲା କରାଗଲା । ଇଟାଲୀ ୧୯୩୭ମସିହାରେ ସଦସ୍ୟପଦ ଛାଡିଥିଲା । ଏହିପରି ସର୍ବଜନୀନତାର ଅଭାବ ଫଳରେ ଜାତିସଂଘ ଦୁର୍ବଳ ହୋଇପଡିଲା ଏବଂ ଏହାର ନିଷ୍ପତ୍ତିଗୁଡିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
୫. ସାମ୍ବିଧାନିକ ତ୍ରୁଟି
ସଭା ଓ ପରିଷଦ ରେ ନିଷ୍ପତ୍ତି ନେବାପାଇଁ ସର୍ବସମ୍ମତିର ଆବଶ୍ୟକତା ଥିବାରୁ ନିଷ୍ପତ୍ତି ନେବାପାଇଁ ଅସୁବିଧା ହେଉଥିଲା । କିନ୍ତୁ କୌଣସି ବିଷୟରେ ସୁପାରିସ କରିବାକୁ ସର୍ବସମ୍ମତିର ଆବଶ୍ୟକତା ନଥିଲା । ତେଣୁ ସୁପାରିସ ଗୁଡିକରେ ନିଷ୍ପତ୍ତିର ଦୃଢତା ରହୁ ନଥିଲା । ପ୍ରତ୍ୟେକ ରାଷ୍ଟ୍ର ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ନିଜର ଅସ୍ତ୍ରଶସ୍ତ୍ର ସର୍ବନିମ୍ନ ପରିମାଣକୁ ହ୍ରାସ କରିବା ପାଇଁ କୋଭେନାଣ୍ଟରେ ଉଲ୍ଲେଖ କରାଯାଇଥିଲେ । କିନ୍ତୁ ସର୍ବନିମ୍ନ ପରିମାଣର ନିର୍ଦ୍ଧିଷ୍ଟ ଅର୍ଥ ନିରୂପଣ କରାଯାଇନ ଥିଲା । ଫଳରେ ରାଷ୍ଟ୍ରଗୁଡିକ ନିଜର ସ୍ଵାର୍ଥ ଓ ସୁବିଧା ଅନୁଯାୟୀ “ ସର୍ବନିମ୍ନ ପରିମାଣ “ର ଭିନ୍ନ ଭିନ୍ନ ବ୍ୟାଖ୍ୟା କଲେ ଏବଂ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର ମହଜୁତ କଲେ । ଜାତି ସଂଘ ଯୁଦ୍ଧକୁ ଅସିଦ୍ଧ ଘୋଷଣା କରି ନଥିଲା । ଫଳରେ ଅନେକ ସଦସ୍ୟ ରାଷ୍ଟ୍ର କୌଣସି ବିବାଦୀୟ ପ୍ରସଙ୍ଗ ଅନେକ ସଦସ୍ୟ ରାଷ୍ଟ୍ର କୌଣସି ବିବାଦୀୟ ପ୍ରସଙ୍ଗ ସମାଧାନ ପାଇଁ ଆଇନସମ୍ମତଭାବେ ପରସ୍ପର ମଧ୍ୟରେ ଯୁଦ୍ଧ କଲେ । ଜାତିସଂଘ ର ନିଜର ଏହାର ପ୍ରତ୍ୟକ୍ଷ ତତ୍ଵବଧାନରେ ଏକ ସୈନ୍ୟବାହିନୀ ନ ଥିଲା । ତେଣୁ ଅନ୍ୟାୟରେ ଆକ୍ରମଣ କରୁଥିବା ରାଷ୍ଟ୍ରର ସାମରିକ କାର୍ଯ୍ୟକୁ ପ୍ରତିରୋଧ କରିବା ପାଇଁ ସଦସ୍ୟ ରାଷ୍ଟ୍ରଙ୍କ ଇଚ୍ଛାଧିନ ସାହାଯ୍ୟ ଉପରେ ନିର୍ଭର କରିବାକୁ ପଢୁଥିଲା । ସର୍ବୋପରି ଜାତିସଂଘକୁ ଏହାକୁ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଯଥେଷ୍ଟ କ୍ଷମତା ଦିଆଯାଇ ନଥିଲା ।
୬. ଆର୍ଥିକ ମାନ୍ଦାବସ୍ଥା
୧୯୩୦ ମସିହାରେ ଆର୍ଥିକ ମାନ୍ଦାବସ୍ଥା ବିଶ୍ଵ ଅର୍ଥନୀତିକୁ ଭଙ୍ଗ କରିଦେଇଥିଲା । ଏହା ସବୁଦେଶରେ ସାମାଜିକ ବିନ୍ୟାସର ଗଠନକୁ ନଷ୍ଟ କରିଦେଇଥିଲା । ଜର୍ମାନୀର ନାଜିବାଦ ଓ ଜାପାନରେ ସାମରିକବାଦର ଉତଥାନ ପାଇଁ ଏହା ଅନେକ ପରିମାଣରେ ଦାୟୀଥିଲେ । ଏହା ପ୍ରତ୍ୟେକ ରାଷ୍ଟ୍ରରେ ପୁନଶ୍ଚ ଅର୍ଥନୈତିକ ଜାତୀୟତାଭାବ ସୃଷ୍ଟି କଲା । ଫଳରେ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦୀତା ର ପୁନରାବୃତ୍ତି ହେଲା ଏବଂ ପରସ୍ପର ମଧ୍ୟରେ ସନ୍ଦେହ ଓ ଅବିଶ୍ଵାସ ଜାତ ହେଲା । ଅନ୍ୟ ପକ୍ଷରେ ଜର୍ମାନୀ , ଇଟାଲୀ , ସ୍ପେନ ଓ ଜାପାନରେ ଏକଛତ୍ରବାଦୀମାନେ ଶାସନ କ୍ଷମତାକୁ ଆସିଲେ ଏବଂ ପାରସ୍ପରିକ ଆଲୋଚନା ଓ ବୁଝାମଣା ଅପେକ୍ଷା ସାମରିକ ଶକ୍ତିକୁ ଅଧିକ ଗୁରୁତ୍ଵ ଦେଲେ । ଜାତି ସଂଘ ଉପରେ ସେମାନଙ୍କ ବିଶ୍ଵାସ ରହିଲା ନାହିଁ ଏବଂ ସେମାନେ ସଭ୍ୟପଦରୁ ଇସ୍ତଫା ଦେଲେ । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ରାଷ୍ଟ୍ରଗୁଡିକ ତୋଷଣ ଓ ଅଣ ହସ୍ତକ୍ଷେପ ନୀତି ଅବଲମ୍ବନ କରି ଅହେତୁକ ଆକ୍ରମଣ ପ୍ରତି ମୌନ ସହମତି ଜଣାଇଲେ । ଏଭଳି ପରିସ୍ଥିତିରେ ଜାତିସଂଘର ସ୍ଥିତି ଅର୍ଥହୀନ ହୋଇପଡିଲା ।
ବିଶ୍ଵଶାନ୍ତିର ମହାନ ଲକ୍ଷକୁ ପୂରଣ କରିବା ଦିଗରେ ପ୍ରଥମ ଓ ଗୁରୁତ୍ଵପୂର୍ଣ୍ଣ ଆନ୍ତର୍ଜାତିକ ସଂଗଠନ ଭାବେ ଜାତିସଂଘ ଗଠିତ ହୋଇଥିଲା । ଅନ୍ତଃରାଷ୍ଟ୍ର ଦ୍ଵନ୍ଦ ଓ କଳହ ସମାଧାନ କରିବାରେ ଏହା କେତେକେ କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରିଥିଲା ।ସାମାଜିକ କ୍ଷେତ୍ରରେ ମଧ୍ୟ ଏହାର ସଫଳତା ଉଲ୍ଲେଖନୀୟ । କିନ୍ତୁ ଯୁଦ୍ଧର ଆଶଙ୍କାକୁ ହ୍ରାସକରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ସଫଳତା ପ୍ରାପ୍ତ କରିପାରି ନଥିଲା । ତଥାପି ଏହା ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଗଠିତ ସଂଯୁକ୍ତ ରାଷ୍ଟ୍ରସଂଘର ଅଗ୍ରଦୂତ ଭାବେ କାର୍ଯ୍ୟ କରିଥିଲା । ତେଣୁ ବିଶ୍ଵ ଇତିହାସରେ ଜାତିସଂଘର ଗୁରୁତ୍ଵ ଓ ଭୂମିକାକୁ ଉପେକ୍ଷା କରାଯାଇପାରିବ ନାହିଁ । ୧୯୪୬ ଏପ୍ରିଲ ଅଠର ତାରିଖରେ ଜାତିସଂଘକୁ ନୂତନ ଭାବେ ଗଠିତ ସଂଯୁକ୍ତ ରାଷ୍ଟ୍ର ସଂଘ ସହିତ ମିଶାଇ ଦିଆଗଲା ।
ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।
Last Modified : 1/14/2020