ସେଆର କରନ୍ତୁ

ଅଜା ନାତି କଥା

ଅଜା ନାତି କଥା ର କାହାଣୀ

ଉପକ୍ରମ

ଅଜା ରାମ ଦ୍ୱିବେଦୀଏ – ଆରେ ଗଣି! ଆମ ଜମିର ରୋଡସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି’ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖାହେଲା । ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ କଥା ଶୁଣା ନାହିଁ । ଏ କିମିତିକା କଥାରେ?

ବର୍ଣ୍ଣନା

ନାତି ଗଣପତି – କେଉଁ ମକଦ୍ଦମା କଥା ଅଜା

ଅଜା – ଆରେ, ତୁ ସେଦିନ ପରା ଗେଜେଟ୍ରେ ପଢି ଶୁଣାଉଥିଲୁ, ଗୋଟିଏ ମାଇକିନିଆ, ଗୋଟିଏ ପୁରୁଷ,ଦୁଇଜଣ ଚୋର-ଚୋରଣୀ, ମଉନା-ମଉନୀ ବାବାଜି ସାଜି ଖଣ୍ଡଗିରିରେ ଗୋଟାଏ ଗୁହା ଭିତରେ ବସି ମିଛରେ ତପସ୍ୟା କରୁଥିଲେ । ପୁଲିସ୍ ସେମାନଙ୍କୁ ଚଲାଣ ଦେଲା । ମେଜେଷ୍ଟର ସାହେବ ବି ସେମାନଙ୍କୁ ଦି ଦି ବରଷ ମିଆଦ ଦେଲେ ।

ଗଣପତି – ହୋଃ ହୋଃ ହୋଃ! ଏଇ କଥା । ନାହିଁ ନାହିଁ ଅଜା, ସେଇଟା ଗେଜେଟ୍ ନୁହେଁ, ସେଇଟା ‘ସାହିତ୍ୟ’ ମାସିକ ପତ୍ରିକା । ସେଥିରେ ମଉନା-ମଉନୀ ବୋଲି ଗୋଟିଏ ଗଳ୍ପ ଲେଖାଥିଲା, ସେଇଟା ପଢି ମୁଁ ତୁମକୁ ଶୁଣାଉଥିଲି ।

ଅଜା – ଆରେ, ଗେଜେଟରେ କ’ଣ ମିଛ କଥା ଲେଖାହୁଏ? ତାହେଲେ ସେଗୁଡାକ ତୁ କିଆଁ ପଢୁ? ମଲା ଯା! ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ, ସେଥିରେ ସବୁ ସତକଥା ଲେଖା ଥାଏ । ତେବେ ଏଇଭଳି ମିଛକଥା ଗୁଡାଏ ଥାଏ? ସେଗୁଡାକ ତୁ କିଆଁ ପଢୁରେ? ତୁମ ସ୍କୁଲରେ କ’ଣ ଏଇ ମିଛକଥାଗୁଡାକ ପଢା ହୁଏ? ହବ ନାହିଁ? ମ୍ଳେଚ୍ଛ ପାଠ ତ?

ଗଣପତି – ନାହିଁ ଅଜା, ସେଗୁଡାକ ମୋଟେ ମିଛ ନୁହେଁ; ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣ୍ଣନା କରାଯାଇଛି ।

ଅଜା – କିଆଁ? ମିଛ କଥା ଗୁଡାଏ ଲେଖି ବର୍ଣ୍ଣନା କରିବା ଦରକାର କ’ଣ? ପଢିଲୁ, ଆମର ତ ଏତେ ପୁରାଣ ଅଛି, ସେଥିରୁ ତୁ ପଦେ ମିଛ ପାଇବୁ କି?

ଗଣପତି – ଆଚ୍ଛା, ସେକଥା ପଛେ ହେବ । ଆଉ କଥା ହେଉ ଅଜା, ଏହି କାନ୍ଥବାଡରେ କି ଚିତ୍ର? କ’ଣ ଲେଖାହୋଇଛି?

ଅଜା- ଆରେ, ତୁ କ’ଣ ଏତିକି ବୁଝିପାରୁ ନାହୁଁ? ତୋ ଆଈ ଗେରୁ, ହରତାଳ, କଳାରଙ୍ଗ, ନଡିଆ ସଢେଇରେ ଗୋଳେଇ କନାତୂଳିରେ ଏସବୁ ଚିତ୍ର କରିଛି । କାହିଁକିନା ସେ ଖୁବ୍ ଚିତ୍ର କରି ଜାଣେ । ଏଇ ଦେଖ, ଏଇଟା ହେଲା କଦମ୍ବଗଛ, ସେଥିରେ ଫୁଲ ଫୁଟିଛି, ତା’ ମୂଳରେ ଶ୍ରୀକୃଷ୍ଣ ରାଧିକା ଯୁଗଳମୂର୍ତ୍ତି ଛିଡା ହୋଇଛନ୍ତି । ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି ।

ଗଣପତି – କାହିଁ ଅଜା, ବଇଁଶୀ ତ ଶୁଭୁ ନାହିଁ?

ଅଜା – ହୋଃ ହୋଃ ହୋଃ! ତୁ କିମିତିକା ଓଲା ଟୋକାଟା କିରେ । ହବ ନାହିଁ କ୍ୟାଁ? ମ୍ଳେଚ୍ଛ ପାଠ ପଢି ତୁମମାନଙ୍କ ବୁଦ୍ଧି ବିଗିଡି ଯାଇଛି । ଆରେ, ଏ କ’ଣ ସତକୁ ସତ ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି? ଏଇ ହେଲା ଛବି ।

ଗଣପତି – ତେବେ ଏ ତ ସତ କୃଷ୍ଣ ନୁହେଁ, ମିଛ କୃଷ୍ଣ କହ ।

ଅଜା – (ଟିକିଏ ଖପା ହୋଇ ତେଜରେ) ଏ ରାମ! ରାମ! ଋାମ! ମିଛ କୃଷ୍ଣ କ’ଣ ରେ? ଏ ହେଲା କୃଷ୍ଣଙ୍କ ଚିତ୍ର ।

ଗଣପତି – ତେବେ ଅଜା, ଶୁଣନ୍ତୁ । କଥା କ’ଣ କି ଚିତ୍ରବିଦ୍ୟା ଗୋଟିଏ ଲଳିତକଳା । ସେ ଦୁଇରକମ- ଗୋଟିଏ ଚିତ୍ର ବାହାରର ଜଡ ଦେହରେ, ଆଉ ଗୋଟିଏ ମାନସିକ କ୍ରିୟାର । ଆଚ୍ଛା, ଆପଣଙ୍କ ବୁଝିବା ପାଇଁ ମୁଁ ଗୋଟିଏ କଥାରେ କହେଁ – ଗୋଟିଏ ଆଧିଭୌତିକ ଚିତ୍ର, ଆଉ ଗୋଟିଏ ଆଧ୍ୟାତ୍ମିକ ଚିତ୍ର । ଚିତ୍ରକର ଯେ, ସେ ତୂଳି ଗୋଟାଏ ଧରି ମନୁଷ୍ୟ ଶରୀର ଚିତ୍ର କରେ; କବି କ’ଣ କରେ କି ମନୁଷ୍ୟ ମନର ଗତି, କାର୍ଯ୍ୟପ୍ରଣାଳୀ, କ୍ରିୟା ଇତ୍ୟାଦି କଲମରେ ଲେଖେ । ଏଇଟାକୁ ମାନସିକ ଚିତ୍ର ବୋଲାଯାଇପାରେ । କେବଳ ଲୋକଶିକ୍ଷା ପାଇଁ କିମ୍ବା ଲୋକନେତ୍ର ରଞ୍ଜନ ପାଇଁ କବି ଆଉ ଚିତ୍ରକରମାନେ ଏହିପରି ଚିତ୍ର କରିଥା’ନ୍ତି ।

ଅଜା – ଆଚ୍ଛା, ଆମ ପୂର୍ବ ମହର୍ଷିମାନେ ତ ଲୋକଶିକ୍ଷା ପାଇଁ ଏତେ ପୁରାଣ ଗ୍ରନ୍ଥ ରଚନା କଲେ, ଗୋଟିଏ ହେଲେ ତ ମିଛକଥା ସେମାନେ ସେଥିରେ ଲେଖି ନାହାଁନ୍ତି । ଜ୍ଞାନ ପାଇଁ ସେସବୁକୁ ପଢ । ଏପରି ମିଛ କଥାଗୁଡାକ କ୍ୟାଁ ପଢିବ?

ଗଣପତି – ଆଚ୍ଛା ଅଜା, ମୁଁ ଯାହା କହୁଛି, ତାହା ଧୀରେ ହୋଇ ଶୁଣନ୍ତୁ । ଖପା ହୋଇଯିବେ ନାହିଁ ଟି? ଆପଣ ତ ମହାଭାରତ ବନପର୍ବରେ ନିଶ୍ଚୟ ପଢିଥିବେ, ଅଜଗର ସାପଟାଏ ଭୀମସେନଙ୍କୁ ଗିଳିବ ବୋଲି ଖୁବ୍ ଆଂଟ କରି ଧଇଲା । ଭୀମ ଭାରି ବଳୁଆ ସିନା, ପଳେଇଯିବା ପାଇଁ ଖୁବ୍ ଗୁଡାଏ ଟଣାଓଟରା କଲେ; ହେଲେ ସେ ସାପ ତ ତାଙ୍କୁ ନ ଛାଡେ! ତା’ ବାଦ୍ ଭୀମ ଢେର୍ ରକମ କଥା କହି ନେହୁରା ହେଲେ । ଅଜଗରକୁ ଦାତାରାମ, ଏତେଦିନ ସେ ଭୋକିଲା ପଡିଥିଲା, ଆଜି ମୋଟା ମଣିଷଟାଏ ସେ ପାଇଛି, ସେ କି ଆଉ ୟାକୁ ଛାଡେ! ଠିକ୍ ଏତିକିବେଳେ ଯୁଧିଷ୍ଠିର ଆସି ସେଠାରେ ପହଁଚିଲେ । ତହୁଁ ସେ ଅଜଗର ଓ ଯୁଧିଷ୍ଠିର ଭିତରେ ଢେର୍ କଥାଭାଷା ଚଳିଲା । ଆଚ୍ଛା ଅଜା, ଅଜଗର ସାପ କ’ଣ ସତରେ କଥା କହୁଥିଲା?

ଅଜା- ହୋଃ ହୋଃ ହୋଃ! ଆରେ ତୁମେ ପିଲାଗୁଡାକ ତ ଧର୍ମଗ୍ରନ୍ଥ ପୁରାଣ ଆଦି କେବେବି ପଢିଲ ନାହିଁ! ତୁଚ୍ଛା ମିଛ ଗେଜେଟ୍ଗୁଡାକ ଖାଲି ପଢିବ, ମୂଳଜ୍ଞାନ କଥା କାହୁଁ ଜାଣିବ? ଆରେ ଜାଣୁ, ଏ ହେଲା ଦ୍ୱାପରଯୁଗର ପୁରାଣର କଥା । ଇଏ କ’ଣ ଆଜିକାଲିକା କଥା? ତୁ ତ ଆଉ ଜ୍ଞାନଶାସ୍ତ୍ର ପଢି ନାହୁଁ, ଜାଣିବୁ କେଉଁଠୁ? ତୁ ଯାହାକୁ ଅଜଗର ସାପ  କହୁଛୁ, ସେ ସାପ ନୁହେଁ- ସୂର୍ଯ୍ୟବଂଶର ରାଜା ନହୁଷ । ବ୍ରାହ୍ମଣମାନଙ୍କୁ ଆପଟ କରି ତାଙ୍କ କାନ୍ଧ ଉପରେ ସେ ଚଢିଥିଲା । ବ୍ରାହ୍ମଣମାନେ ବି ସିମିତି ଖପା ହୋଇ ତାଙ୍କୁ ଅଭିଶାପ ଦେଲେ । ତା’ପରେ ସେ ରାଜା ସାଙ୍ଗେ ସାଙ୍ଗେ ଅଜଗର ସାପ ପାଲଟିଗଲେ । ଦେଖିଲୁ, ଆଗେ କିମିତି ବ୍ରାହ୍ମଣଙ୍କର ତେଜ ଥିଲା?

ଗଣପତି- ଆଜି ବି କ’ଣ ବ୍ରାହ୍ମଣମାନଙ୍କର ତେଜ ନାହିଁ? ଯଜମାନଙ୍କୁ, ଯାତ୍ରୀଙ୍କୁ ସେମାନେ ପରା ଛାନିଆ କରିପକାଉଛନ୍ତି ।

ଅଜା- (ଟିକିଏ ରାଗିଯାଇ କହିଲେ) କ’ଣ? ବ୍ରାହ୍ମଣ ନିନ୍ଦା କରୁଛୁ?

ଗଣପତି – ନାହିଁ ନାହିଁ ଅଜା; ମୁଁ ଟିକେ ଥଟ୍ଟା କରି କହିଲି । ଆଚ୍ଛା, ମହାଭାରତର ଆଉ ଗୋଟିଏ କଥା ଶୁଣନ୍ତୁ । ଗୋଟିଏ ଶୁଆ ଚଢେଇ ବଣ ଭିତରେ ବସା ବାନ୍ଧିଥିଲା । ସଞ୍ଜବେଳେ ଜଣେ ଅତିଥି ତା ଦୁଆରେ ପହଂଚିଲେ । ସେ ଶୁଆଟି ତ ବଡ ଅତିଥିସେବା କରେ । ତେଣୁ ସେ କ’ଣ କଲା ନା, ଧାଇଁଯାଇ ଚଂଚଳ ସେ ଆଗନ୍ତୁକ ଅତିଥିଙ୍କୁ ଗୋଡ ଧୋଇବାକୁ ପାଣି ଦେଲା, ତାଙ୍କ ଲାଗି ଆସନ ଖଣ୍ଡିଏ ପକାଇଦେଲା, ଆଉ ତାଙ୍କ ଭୋଜନ ପାଇଁ କିଛି ଚାଉଳ ଆଣି ଦେଲା । ତା’ପରେ ସେ ଅତିଥି ଭାତ ରାନ୍ଧିଲେ । ମଲା ଯା! ତିଅଣ ଯେ ନାହିଁ! ଅତିଥି କ’ଣ କଲେ କି, ତୁନି ତୁନି ଯାଇ ସେ ଶୁଆ ବେକ ମୋଡିଦେଲେ । ତା’ ମାଉଁସ ତରକାରି କରି ଭୋଜନ କଲେ । ଆଚ୍ଛା ଅଜା, ଶୁଆ ଯେଉଁ ଚାଉଳ ଆଣିଦେଲା ତା’ ଘରେ ସେ ଚାଉଳ କିଏ କୁଟିଦେଲା? ଶୁଆଣୀ କୁଟିଦେଲା ପରା!

ଅଜା ତ ଏଥର ଟିକିଏ ହଇରାଣରେ ପଡିଗଲେ – ନାସଦାନି କାଢି ଲାଗ ଲାଗ ତିନି ଚାରି ଟିପା ନାସ ଶୁଙ୍ଘି ଦେଲେଣି । ତହିଁ ଉତାରେ ଖନେଇ ଖନେଇ ସେ କହିଲେ, “ଆଚ୍ଛା ଗଣି, ମୁଁ ଉଛୁଣି ଭଲ ବୁଝିପାରୁ ନାହିଁ । କାଲି ମୁଁ ତତେ ବେଶ୍ କରି କହିବି, ଫଳରେ ତୁ ବେଶ୍ ବୁଝିପାରିବୁ । ମୁଁ ଟୀକା ପଢି ନାହିଁ । ରାମ ମିଶ୍ରେ ବେଶ୍ ସଂସ୍କୃତ ଜାଣନ୍ତି । ସେ ଟୀକା ପଢିଛନ୍ତି – ସେ ହିଁ ଠିକ୍ ବୁଝାଇ ଦେବେ ।”

ଗଣପତି – ଆଚ୍ଛା ଅଜା, ଆଉ ଦିନେ ଆମେ ଦୁଇଜଣ ସାଙ୍ଗସୁଙ୍ଗା ହୋଇ ମିଶ୍ରଙ୍କ କତିକି ବୁଝାବୁଝି କରିବା ଲାଗି ଯିବା । ଆଉ ଗୋଟିଏ କଥା ମୋତେ ବୁଝାଇ ଦିଅନ୍ତୁ, ଦେଖେଁ । ପିଲାଶ୍ରୀକୃଷ୍ଣ ଗୋପପୁରେ ଥିଲେ । ତାଙ୍କୁ ମାରିପକାଇବା ପାଇଁ କଂସ ପୂତନା ରାକ୍ଷସୀକୁ ପଠାଇଦେଲା । ସେ ପୂତନା କ’ଣ କଲା କି, ନାରୀବେଶ ଧରି ଆପଣା ସ୍ତନରେ ବିଷ ଭର୍ତ୍ତିକରି ଗୋପପୁରକୁ ଆସିଲା । ଶ୍ରୀକୃଷ୍ଣ ବିଷମିଶା କରି ତା ସ୍ତନ ଚଁ କରି ଟାଣିଦେଲେ, ପୂତନା ରଡିଟାଏ କରି ସେହିଠାରେ ହିଁ ମରି ପଡିଗଲା । ସେ କଥା ମହାଭାରତରେ ବି ଲେଖାଅଛି । ଶ୍ରୀକୃଷ୍ଣ ଜନ୍ମବେଳେ ଗୋଟାଏ ଶକୁନି ସେ ଗ୍ରାମରେ ଆସି ବସିଲା । ଶକୁନି ଅର୍ଥ ପୂତନା । ମହାଭାରତରେ ପୂତନା କଥା ଏହିପରି ଲେଖା । ହେଲେ ଆଉ ଗୋଟାଏ ପୁରାଣରେ ଲେଖାଅଛି – ପିଲାବେଳେ ଶ୍ରୀକୃଷ୍ଣଙ୍କୁ କୁଆଡେ ପିହୁଡା ରୋଗ ହୋଇଥିଲା । ପିହୁଡା ରୋଗ ପୂତନା । ବୋଇଲ ଅଜା, ଏଥିରୁ କେଉଁ ପୁରାଣଟା ସତ? ଆଚ୍ଛା ଅଜା! ଆହୁରି ଗୋଟାଏ କଥା କହନ୍ତୁ ତ? ପୂତନା ତ ଊଣେଇଶ ଯୋଜନ ମାଡି ପଡିଲା, ତେବେ ଗୋପପୁରରେ ଯେତେ ମଣିଷ, ଗୋରୁ, ପଶୁ, ପକ୍ଷୀ ଥିଲେ, ସେ ସବୁ ତ ଚାପାପଡି ମରିଗଲେ- ଗୋପପୁରରେ ସବୁ ଗଉଡ ବଂଶ ବି ମରିଗଲେ? କାହିଁ ସେକଥା ତ କେଉଁ ପୁରାଣରେ ହେଲେ ବି ଲେଖା ନାହିଁ ।

ଅଜା ଏଣେ ତାଙ୍କ ନାତିର ପ୍ରଶ୍ନ ବାଣରେ ବଡ ହଇରାଣରେ ପଡିଲେଣି । କିଛି ବି ଉତ୍ତର ନ ଦେଇପାରି କେବଳ ସେ ନାସ ଶୁଙ୍ଘୁଛନ୍ତି । ଶେଷରେ ସେ କହିଲେ, “ହଇରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି । ସତ, ସେ ଗୋପପୁରଟା ତ ଏତେ ବଡ ନୁହେଁ! ପୂତନା ମଡାଟା ଊଣେଇଶ ଯୋଜନ ମାଡି ଗୋପପୁରରେ କିମିତି ପଡିଲା? ପୁଣି ପୁରାଣରେ ଲେଖାଅଛି, ସେ ଗୋପପୁରରେ ହିଁ ପଡିଲା ।”

ଗଣପତି- ଜାଣ ତ ଅଜା, ପୁରାଣ ବୋଲ, କି ଉପନ୍ୟାସ ବୋଲ, କି ଗଳ୍ପ ବୋଲ, ଲୋକଶିକ୍ଷା ଲାଗି କବିମାନେ ଏହିପରି ଲେଖିଯାଇଛନ୍ତି । ପୁରାଣ ଅର୍ଥ କ’ଣ ନା, ପୁରୁଣା କଥା । ଆଜିକାଲି ଯେଉଁ  ଉପନ୍ୟାସ ସବୁ ବାହାରୁଛି, ତାକୁ ହଜାର ବରଷ ଉତାରେ ଲୋକମାନେ ପଢିଲେ, କେହି କେହି ସତ ବୋଲି ମଣିବା ଆଶ୍ଚର୍ଯ୍ୟ ନୁହେଁ ।

ଅଜା- ନାହିଁରେ ଗଣି! ତୋ କଥାରେ ମୋ ମନ ମୋଟେ ମାନୁ ନାହିଁ । ଆଚ୍ଛା, ମୁଁ ପଣ୍ଡିତ ରାମ ମିଶ୍ରଙ୍କୁ ଏ କଥା ପଚାରି ତତେ କହିବି ।

ଗାଳ୍ପିକ – ଫକୀରମୋହନ ସେନାପତି

ଆଧାର ଓଡ଼ିଆ ଗପ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top