ଅପୂର୍ବ କଥା – ଅପୂର୍ବ ସମୀରକୁ ଡାକୁମାନଙ୍କ ହାତରୁ ଉଦ୍ଧାର କରିଥିଲା । ଅପୂର୍ବର ଆଦେଶ ପାଇ ସମୀର ଜଳଦସ୍ୟୁମାନଙ୍କ ହାତରୁ ପାଞ୍ଚଜଣ ବାଳକଙ୍କୁ ଉଦ୍ଧାର କଲା । ପୁଣି ଅପୂର୍ବର ଆଦେଶରେ ସମୀର ଓ ତା’ର ସାଥୀ ପାଞ୍ଚଜଣ ଶିଳାଦ୍ୱୀପରୁ ଜଳଦସ୍ୟୁଙ୍କ ସଂଚିତ ଅଜସ୍ର ଧନରାଶି ରାଜାଙ୍କୁ ଦେଲେ । ତା’ପରେ ରାଜାଙ୍କ ସୈନ୍ୟବଳ ନେଇ ସେଇ ଜଳଦସ୍ୟୁଙ୍କୁ ବନ୍ଦୀ କରାଗଲା । ଏଣିକି ଆଗକୁ ପଢନ୍ତୁ ।
ଜଳଦସ୍ୟୁ ଓ ଅନ୍ୟାନ୍ୟ ଦସ୍ୟୁମାନଙ୍କୁ ଧରିବା ପରେ ରାଜ୍ୟରେ ଚୋରୀ ଡକାୟତିଜନିତ ଆତଙ୍କ ପ୍ରାୟ ଲୋପ ପାଇଗଲା । ଲୋକମାନଙ୍କ ମଧ୍ୟରେ ପ୍ରଚାର ହୋଇଗଲା ଯେ ଜଣେ ଦିବ୍ୟପୁରୁଷ ସମସ୍ତ ଭଲ ଲୋକଙ୍କୁ ରକ୍ଷା କରୁଛନ୍ତି ଓ ଦୁଷ୍ଟକୁ ଦଣ୍ଡ ଦେଉଛନ୍ତି । ତେଣୁ ଦଣ୍ଡ ପାଇବା ଭୟରେ ଆଉ କେହି ବି କୌଣସି କୁକାର୍ଯ୍ୟ କରିବାକୁ ଦୁଃସାହସ କରୁ ନଥା’ନ୍ତି । ଧର୍ମପ୍ରିୟ ରାଜା ତ ସମୀରକୁ ନିଜ ପାଖେ ପାଖେ ରଖିଥା’ନ୍ତି । କୌଣସି ସମସ୍ୟା ପଡିବା ମାତ୍ରେ ସମୀରର ସାହାଯ୍ୟ ନିତାନ୍ତ ଲୋଡା । ଏବେ ଅନେକ ଦିନ ଧରି ରାଜ୍ୟରେ କୌଣସି ସମସ୍ୟା ନଥାଏ । ଏମିତି କିଛିଦିନ ବିତିଗଲା ।
ଅପୂର୍ବ ହିମାଳୟକୁ ଫେରିଗଲା । ଯେଉଁଠି ମୁନି ସଦାନନ୍ଦ ରହୁଥା’ନ୍ତି ସେଇଠାରେ ସେ ରହୁଥାଏ, ସର୍ବଦା ଧ୍ୟାନମଗ୍ନ । ଏକଥା କେବଳ ସମୀର ଜାଣିଥାଏ । ଯିବା ଆଗରୁ ଅପୂର୍ବ ସମୀରକୁ କହିଯାଇଥାଏ ଯେ ସମସ୍ୟା ଦେଖାଦେବା ମାତ୍ରେ ସେ ଅପୂର୍ବଙ୍କୁ ସ୍ମରଣ କରିବ ଯଦ୍ୱାରା ଅଳ୍ପ ସମୟ ମଧ୍ୟରେ ଅପୂର୍ବ ତା’ ପାଖରେ ଆସି ପହଁଚିଯିବ ।
ଦିନେ ଯୋଗୀ ସଦାନନ୍ଦ ଅପୂର୍ବକୁ ପାଖକୁ ଡାକି କହିଲେ, “ବତ୍ସ, ତୁମ ପୂର୍ବରୁ ଅନେକ ଯୋଗୀଋଷି ଧ୍ୟାନ ତପସ୍ୟା କରିଛନ୍ତି । ତେଣୁ ତୁମର ଏସବୁ କରିବା ମୋଟେ ଦରକାର ନାହିଁ । ତୁମ ଉପରେ ଯେଉଁ ବିଶେଷ ଦାୟିତ୍ୱ ଦିଆଯାଇଛି ତୁମେ ତାହା ସଫଳତାର ସହିତ ତୁଲାଇବ ବୋଲି ମୋର ଆଶା । ମୁଁ ଏତେଦିନ ତପସ୍ୟା କରି ଯେଉଁ ଯୋଗଶକ୍ତି ପାଇଛି ସେଥିରୁ ଅର୍ଦ୍ଧେକ ତୁମକୁ ଦେଉଛି, ତୁମେ ତାହାର ଯଥାର୍ଥ ଉପଯୋଗ କର । ଅର୍ଥାତ୍ ମାନବଜାତିର କଲ୍ୟାଣ ସକାଶେ ସେ ଶକ୍ତିକୁ ଉପଯୋଗ କର, ତାହାହିଁ ତୁମର କର୍ତ୍ତବ୍ୟ ।”
ଏକଥା ଶୁଣି ଅତ୍ୟନ୍ତ ବିନମ୍ର ସହକାରେ ଅପୂର୍ବ କହିଲା, “ମୁଁ ତ ତାହା ପ୍ରଥମରୁହିଁ କରି ଚାଲିଛି । ମୁଁ କ’ଣ ଆପଣଙ୍କ ଇଚ୍ଛାର ବିପରୀତ କେବେ କିଛି କରିଛି କି? ଯଦ୍ୱାରା ଆପଣ ମନରେ ଆଘାତ ପାଇଛନ୍ତି?”
ତହୁଁ ସେ ଯୋଗୀ ସଦାନନ୍ଦ କହିଲେ, “ନାହିଁ ବତ୍ସ, ତୁମେ ସେପରି କିଛି କରିନାହଁ । ବରଂ ମୋର ସଂକଳ୍ପ ଅନୁସାରେହିଁ ତୁମେ ସବୁକାର୍ଯ୍ୟ କରିଛ । ତୁମକୁ ଦେଖିବା ମାତ୍ରେ ମୋର ମନ ଆନନ୍ଦରେ ଭରି ଉଠେ ।”
ଏହା ଶୁଣି ଅପୂର୍ବ କହିଲା, “ମୁଁ ଧନ୍ୟ ହେଲି । ଆଜିକାଲି ରାଜ୍ୟରେ ସବୁକିଛି ଠିକ୍ଠାକ୍ ଚାଲୁଛି । ଯାହାକିଛି ଛୋଟ ଛୋଟ ସମସ୍ୟା ଦେଖା ଦେଉଛି, ସେଗୁଡିକ ସେମାନେ ନିଜେ ସମାଧାନ କଲେ ସେ ଦିଗରେ ତାଙ୍କର ଅଭିଜ୍ଞତା ହେବ । ସର୍ବଦା ସାହାଯ୍ୟ କଲେ, ଆତ୍ମନିର୍ଭରଶୀଳ ହେବାରେ ସେମାନଙ୍କ ମଧ୍ୟରେ ବାଧା ସୃଷ୍ଟି ହେବ । ନୁହେଁ କି?”
ଯୋଗୀ ସଦାନନ୍ଦ କହିଲେ, “ହଁ, ଠିକ୍ କଥା । ତଥାପି ମଧ୍ୟ ମାନବ ସ୍ୱଭାବ ଅତ୍ୟନ୍ତ କ୍ଳିଷ୍ଟ । ଶାନ୍ତିରେ ଜୀବନଯାପନ କରିବା କେତେକ ଲୋକଙ୍କ ପକ୍ଷେ ସଂପୂର୍ଣ୍ଣ ଅସମ୍ଭବ । ପୁଣି ଆଉ କେତେଲୋକ ସର୍ବଦା କିଛି ନା କିଛି ସମସ୍ୟା ସୃଷ୍ଟି କରିବେ । ଯେପରିକି ବିନା ସମସ୍ୟାରେ ସେମାନଙ୍କର ନିଦ ହେବନାହିଁ ।”
ଏକଥା ଶୁଣି ଅପୂର୍ବ ଚମକି ଉଠି କହିଲା, “କାହିଁକି? କିଏ ଏବେ କୌଣସି ଦୁଷ୍କର୍ମ କଲା କି?”
ସବୁଶୁଣି ସଦାନନ୍ଦ ଦୀର୍ଘଶ୍ୱାସ ଛାଡି କହିଲେ, “ହଁ ବତ୍ସ, ସେପରି ଲୋକ ଚୋର ଡକାୟତଙ୍କଠାରୁ ମଧ୍ୟ ଅଧିକ ବିପଜ୍ଜନକ । କାରଣ ସେମାନଙ୍କୁ ତୁମେ ହୁଏତ ସତ୍ ମାର୍ଗରେ ନେଇଥିବ । କିନ୍ତୁ ନିଜର ଲୋଭ, ଦୁର୍ବଳତାବଶରୁ ସେମାନେ ଏପରି କରନ୍ତି । ଏଣେ ସମାଜରେ ସେମାନେ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି । ସେମାନଙ୍କ ମଧ୍ୟରେ କାହା ପାଖରେ ପଇସାବଳ ଅଛି ତ କାହାର ଅଧିକାର ବଳ ଅଛି । ପୁଣି ଆଉ କାହାର ବା ବୁଦ୍ଧିବଳ ବି ଅଛି ।”
ଏହାଶୁଣି ଅପୂର୍ବ କହିଲା, “ସେମାନେ ଏବେ କି ପ୍ରକାର ଉପଦ୍ରବ କରୁଛନ୍ତି ମୋତେ କୁହନ୍ତୁ ।”
ସଦାନନ୍ଦ – “ଏସବୁ ତୁମେ ନିଜେ ଖୋଜି ଦେଖ । ମୁଁ ଥରେ ମାନବଜାତିର ଭବିଷ୍ୟତ ବିଷୟରେ ଭାବୁଥିଲି ଏବଂ ଧ୍ୟାନମଗ୍ନ ହେଲି । ଧ୍ୟାନାବସ୍ଥାରେ ଏକ ଦୃଶ୍ୟ ମୁଁ ଦେଖିଲି । ଦୁଇଜଣ ବଡ ମଣିଷ କୌଣସି ଅପବିତ୍ର କାର୍ଯ୍ୟ ପାଇଁ ଗୁପ୍ତମନ୍ତ୍ରଣା କରୁଥିବାର ମୁଁ ଦେଖିବାକୁ ପାଇଲି । ସେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ତ ମୁଁ ଜାଣେ; ସେ ରୁଦ୍ରପୁରୀର ପ୍ରଧାନମନ୍ତ୍ରୀ । ମୁଁ ଜାଣିପାରିଲି ସେମାନେ ଏହି ମନ୍ତ୍ରଣା ପୁଣି କାଲି କରିବେ । କିନ୍ତୁ କେଉଁ ବିଷୟରେ ସେମାନେ ଗୁପ୍ତମନ୍ତ୍ରଣା କରୁଛନ୍ତି ବା ଷଡଯନ୍ତ୍ର କରୁଛନ୍ତି ସେସବୁ ମୁଁ କିଛି ବି ଜାଣେନାହିଁ, ତେଣୁ ତୁମେ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇ ସବୁ ବିଷୟ ଗୁପ୍ତଭାବରେ ବୁଝିଆସ । ସେମାନଙ୍କ ଷଡଯନ୍ତ୍ର ବିଷୟରେ ଶୀଘ୍ର ଖବର ସଂଗ୍ରହ କରି ଆସ ।” ଏତିକି କହି ସଦାନନ୍ଦ ଅପୂର୍ବକୁ ଆଶୀର୍ବାଦ ଦେଇ ସେଠାରୁ ପଠାଇଲେ ।
ସଂଧ୍ୟା ହେଲା । ରୁଦ୍ରପୁରୀର ମନ୍ଦିରମାନଙ୍କରେ ଶଙ୍ଖ ଘଂଟ ବାଜି ଉଠିଲା । ରାଜଭବନ ଓ ପ୍ରଧାନମନ୍ତ୍ରୀଙ୍କ ଘର ମଝିରେ ଥିଲା ଏକ ବିଶାଳ ବରଗଛ । ସେହି ଗଛର ଶାଖାରେ ବସିଥାଏ ଅପୂର୍ବ; ପ୍ରଧାନମନ୍ତ୍ରୀଙ୍କ ଘରେ ପ୍ରବେଶ କରିବାର ସୁଯୋଗରେ ଥାଏ ।
ରାଜଭବନ ସମ୍ମୁଖରେ କେତେକ ଲୋକ ଆନନ୍ଦରେ କଥାବାର୍ତ୍ତା କରୁଥାନ୍ତି । ସମସ୍ତେ ବ୍ୟସ୍ତ ଥିବାର ଲାଗୁଥାଏ । ଜଣେ ବ୍ୟକ୍ତି ଅନ୍ୟ ପଟରୁ ଆସି ଜଣେ ରାଜକର୍ମଚାରୀଙ୍କୁ ପଚାରିଲା, “ଆଜି ସମସ୍ତେ ଏତେ କାର୍ଯ୍ୟବ୍ୟସ୍ତ କ’ଣ ପାଇଁ?”
ତା’ପରେ ସେ ରାଜକର୍ମଚାରୀ କହିଲେ,“ଆଜି ରାଜକୁମାରୀ ତାଙ୍କ ମାମୁଁଘର ଲାବଣ୍ୟପୁରୀରୁ ଛମାସ ପରେ ଘରକୁ ଫେରୁଛନ୍ତି ତ, କେବଳ ସେଇଥିପାଇଁ ଏ ବିଶେଷ ଆୟୋଜନ ।”
କିଛି ସମୟ ପରେ ହାତୀ ଘୋଡା ଓ ପାଲିଙ୍କି ପ୍ରଭୂତି ଥାଇ ଏକ ଶୋଭାଯାତ୍ରା ଆସିଲା ସେଥିରେ ହାତୀ ଉପରେ ସୁବର୍ଣ୍ଣ ଆସନରେ ରାଜକୁମାରୀ ବସିଥା’ନ୍ତି । ତାଙ୍କର ଦକ୍ଷିଣ ପାଶ୍ୱର୍ରେ ଓ ବାମ ପାଶ୍ୱର୍ରେ ଘୋଡା ଉପରେ ଓ ପାଲିଙ୍କିରେ ରାଜକୁମାରୀଙ୍କ ସଖୀଗଣ ଓ ଦେହରକ୍ଷୀ ସୈନ୍ୟଦଳ ମଧ୍ୟ ଚାଲିଥା’ନ୍ତି । ରାଜଭବନ ପାଖରେ ପହଁଚି ଦେଖାଗଲା ପ୍ରଥମେ ସଖୀମାନେ ଓହ୍ଲାଇଲେ । ତା’ପରେ ହାତୀର ମାହୁନ୍ତ ରାଜକୁମାରୀ ବସିଥିବା ହାତୀକୁ ବସାଇଲା ଓ ରାଜକୁମାରୀ ମଧ୍ୟ ଓହ୍ଲାଇଲେ ।
ସେତେବେଳକୁ ତ ରାଜା ସ୍ୱୟଂ ଆସି ସେଠାରେ ପହଁଚି ଯାଇଥିଲେ । ଝିଅକୁ ଦେଖି ରାଜା ଅତି ସ୍ନେହରେ ତାକୁ ଆଲିଙ୍ଗନ କରି ଘରକୁ ନେଲେ ଓ କୁଶଳ ପ୍ରଶ୍ନ କଲେ ।
କୃଷ୍ଣାକୁମାରୀ ଥିଲେ ରାଜାଙ୍କର ଏକମାତ୍ର ସନ୍ତାନ, ତାଙ୍କର ଶିଶୁ ଅବସ୍ଥାରେହିଁ ସେ ମା’ଙ୍କୁ ହରାଇଛନ୍ତି । ରାଜା ମଧ୍ୟ ଆଉ ଦ୍ୱିତୀୟ ବିବାହ କଲେ ନାହିଁ । ପଡୋଶୀ ରାଜ୍ୟ ଲାବଣ୍ୟପୁରୀ ହେଉଛି ରାଜକୁମାରୀଙ୍କ ମାମୁଁଘର । ମାମୁଁ ଯଶବର୍ମାଙ୍କର ମଧ୍ୟ କେହି ପିଲାପିଲି ନାହିଁ । ତେଣୁ ସେ ବି କୃଷ୍ଣାକୁମାରୀଙ୍କୁ ଖୁବ୍ ଭଲ ପାଉଥା’ନ୍ତି । ବିଶେଷତଃ ନିଜ ଭଉଣୀର ସ୍ମୃତିରୂପରେ ସେ ତାଙ୍କୁ ଦେଖନ୍ତି । ତେଣୁ ଦୁଇ ରାଜ୍ୟର ସେ ହେବେ ଏକମାତ୍ର ଉତ୍ତରାଧିକାରୀ । କୃଷ୍ଣାକୁମାରୀ ମଧ୍ୟ ନିଜ ମାମୁଁଙ୍କୁ ଖୁବ୍ ସମ୍ମାନ କରନ୍ତି । ମାମୁଁଙ୍କର ଆଦର ଯତ୍ନ ଏଡି ନପାରି ସେଠାରେ ସେ ବହୁଦିନ ରହିଯାଇଥିଲେ । ଏଣେ ବାବାଙ୍କ କଥା ମନେ ପଡିବାରୁ ସେ ଆସିବା ପାଇଁ ଉଚ୍ଛନ୍ନ ହେଲେ । ଯଥାସମୟରେ ହାତୀଘୋଡା, ପାଲିଙ୍କି ଓ ସୈନ୍ୟସାମନ୍ତ ସଜ୍ଜିତ ହେବା ପରେ ରାଜା ଯଶବର୍ମା କୃଷ୍ଣାକୁମାରୀଙ୍କୁ ତାଙ୍କ ନିଜ ରାଜ୍ୟକୁ ପଠାଇ ଦେଲେ ।
କୃଷ୍ଣାକୁମାରୀଙ୍କ ଗଳାରେ ମୋତିର ମାଳା ଥିଲା ଏବଂ ସେଥିରେ ଥିବା ଅନ୍ୟ ମଣିମାନେ ଅଦ୍ଭୁତ ଭାବରେ ଚକ୍ ଚକ୍ କରୁଥିଲେ । ମୋତିମାଳାର ପଦକରେ ଶୋଭା ପାଉଥିଲା ଅତ୍ୟନ୍ତ ମୂଲ୍ୟବାନ୍ ଚନ୍ଦ୍ରକାନ୍ତ ମଣି । ତାକୁ ଦେଖି ରାଜା ପଚାରିଲେ, “ଝିଅ ଇଏ କ’ଣ?”
ତହୁଁ କୃଷ୍ଣାକୁମାରୀ କହିଲେ, “ବାବା, ଲାବଣ୍ୟପୁରୀରୁ ମୁଁ ଏହାକୁ ଆଣିଛି ।”
ତା’ପରେ ରାଜା ବିଶ୍ୱକର୍ମା ତାଙ୍କ ଝିଅର ହାରକୁ ପରଖି ଦେଖିଲେ ଓ କହିଲେ, “ଇଏ ତ ଅଦ୍ଭୁତ ଚନ୍ଦ୍ରକାନ୍ତ ମଣି?”
ବାବାଙ୍କ କଥା ଶୁଣି ଝିଅ କହିଲେ, “ହଁ ବାବା, ଆପଣ ଠିକ୍ ଚିହ୍ନି ପାରିଛନ୍ତି । ଏହାକୁ ନ ପିନ୍ଧି ବାକ୍ସରେ କେତେଦିନ ଆଉ ଲୁଚାଇ ରଖିବି? ଏବେ ଆମର ଦୁଇ ରାଜ୍ୟରେ ସୁରକ୍ଷାବଳ ବହୁତ ବେଶି । ତେଣୁ ମୁଁ ଏହି ସମୟର ସୁଯୋଗ ନେଇ ହାରଟି ପିନ୍ଧିଛି । ମାମୁଁ ତ ଏହି ମାଳାଟିକୁ ବିଶେଷ ଭାବରେ କେବଳ ମୋରି ପାଇଁ ହିଁ ତିଆରି କରି ବହୁ ଦିନରୁ ରଖିଥିଲେ । ଏହାର ଉପରେ ଅନେକ ଲୋକଙ୍କର ଆଖି । କିନ୍ତୁ ମୋର ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଏ ହାର ପିନ୍ଧିବା ଅତ୍ୟନ୍ତ ଆବଶ୍ୟକ ବୋଲି ଜଣେ ସାଧୁ କହିବାରୁ ମାମୁଁ ଏଇଟିକୁ ମୋତେ ପିନ୍ଧିବାକୁ କହିଲେ । ଏତକ କହିସାରି ରାଜକୁମାରି ପୁଣି ତାଙ୍କ ବାପାଙ୍କୁ ପଚାରିଲେ ଏ ହାର ଆପଣଙ୍କର ପସନ୍ଦ ତ?”
ରାଜକୁମାରୀର କଥା ଶୁଣି ରାଜା କହିଲେ, “ତୋର ମାମୁଁ ଜଣେ ମହାନ୍ ଲୋକ ।”
ଏଣେ ତାନ୍ତ୍ରିକ ଆନନ୍ଦିତ ହୋଇ କହିଲା, “ଆଜିପର୍ଯ୍ୟନ୍ତ ଯେଉଁ ଧନ ତୁମ ହସ୍ତରେ ପଡିନଥିଲା, ଏବେ ତାହା ତୁମ ପାଖକୁହିଁ ଆସୁଛି । କେବଳ ହସ୍ତ ପ୍ରସାରଣ କରି ତାକୁ ଧରିବାରେ ଯେତିକି ଡେରି ।”
ପ୍ରଧାନମନ୍ତ୍ରୀ ତ ନୀରବରେ ସବୁ ଶୁଣି ଯାଉଥିଲେ, “ତୁମେ ବୁଝିବାକୁ ଚେଷ୍ଟାକର; ଭାଗ୍ୟ ନିଜେ ନିଜେ ତୁମ ପାଖକୁ ଆସୁଛି ବୋଲି ଯାହା ଭାବୁଛ ତାହା ଆଦୌ ସତ୍ୟ ନୁହେଁ । ମୁଁ ନିଜର ମନ୍ତ୍ରଶକ୍ତି ପ୍ରୟୋଗ କରିଥିଲି । ଲାବଣ୍ୟପୁରୀ ରାଜାଙ୍କ ମନକୁ ମୁଁ ପରିବର୍ତ୍ତନ କରି ଦେଇଥିଲି । ତାଙ୍କ ମନ ମଧ୍ୟରେ ଇଚ୍ଛାକୁ ମୁଁ ଜାଗ୍ରତ କରାଇଥିଲି ଯେ କୃଷ୍ଣକୁମାରୀଙ୍କ ଗଳାରେ ସେହି ହାରଟିକୁ ପକାଇ ଦେବାକୁ ।” ଏହିକଥା ସେ ତାନ୍ତ୍ରିକ ଗର୍ବର ସହିତ କହିଲା ।
ତାନ୍ତ୍ରିକଙ୍କ ସମସ୍ତ କଥା ଶୁଣି ମନ୍ତ୍ରୀ କହିଲେ, “ମହାତ୍ମା, ମୁଁ ତ ଆପଣଙ୍କ ଶକ୍ତି ବିଷୟରେ ଜାଣେ । ସେଥିରେ କ’ଣ ମୋର କିଛି ସନ୍ଦେହ ଅଛି? ମୋର ଏତିକି ଆଶା ଆପଣ ତନ୍ନ ତନ୍ନ କରି ଯେପରି ମୋର ଭବିଷ୍ୟତ ପାଇଁ ଲାଗିଛନ୍ତି, ତାହା ଯେପରି ସାଫଲ୍ୟମଣ୍ଡିତ ହୁଏ ।”
ଅପୂର୍ବ ଏକଥା ଶୁଣି ଭାବିଲା, “ଏହି ଦୁଷ୍ଟ, ନୀଚ ତାନ୍ତ୍ରିକ ମହାତ୍ମା ହେଲା କିପରି?”
“ଜୟବର୍ମା ବା ବିଶ୍ୱବର୍ମା କେହି ବି ମଧ୍ୟ ଏହି ହାରର ଗୁଣ ଜାଣନ୍ତି ନାହିଁ । ସେମାନେ କେବଳ ଏତିକି ଜାଣନ୍ତି ଯେ, ଏହା ଏକ ମୂଲ୍ୟବାନ୍ ହାର, ବାସ୍ । ଏହାର ଶକ୍ତି ବିଷୟରେ ସେମାନେ ଜାଣନ୍ତି ବା କ’ଣ?” ଏହି କଥା କହି ହଠାତ୍ ହସି ଉଠିଲା ସେ ତାନ୍ତ୍ରିକ ।
ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ସେ ଦୁହେଁ ଗୁପ୍ତମନ୍ତ୍ରଣା କଲେ ଏଣେ ସେମାନଙ୍କ ସବୁ କଥା ଗୋପନରେ ଶୁଣୁଥାଏ ଅପୂର୍ବ । ତଦ୍ୱାରା ସେଠାକାର ପରିସ୍ଥିତି ବିଷୟରେ ଅପୂର୍ବ କିଛିଟା ଧାରଣା କରିନେଲା । ପ୍ରଧାନମନ୍ତ୍ରୀ ଓ ସେ ତାନ୍ତ୍ରିକ ଦୁହେଁ ତ ପିଲାଦିନର ବନ୍ଧୁ । ଦୁହେଁ ଗୋଟେ ଗୁରୁଙ୍କ ନିକଟରେ ହିଁ ବିଦ୍ୟା ଶିକ୍ଷା କରିଥିଲେ । ତାଙ୍କ ଗୁରୁଙ୍କ ଗୁରୁହିଁ ସେହି ଅଦ୍ଭୁତ ଚନ୍ଦ୍ରକାନ୍ତମଣି ଥିବା, ମୋତିହାର ଲାବଣ୍ୟପୁରୀର ରାଜାଙ୍କୁ ଉପହାର ଦେଇଥିଲେ । ସେ ଥିଲେ ଯଶବର୍ମାଙ୍କ ଜେଜେବାବା । ସେହିଦିନଠାରୁ ତାହା ଧନାଗାରରେ ତିନିପିଢି ଧରି ପଡି ରହିଥିଲା ।
ତାନ୍ତ୍ରିକ ଯେତେବେଳେ ଗୁରୁଙ୍କର ତାଳପତ୍ର ପୋଥି ସବୁ ପଢୁଥିଲା, ସେତେବେଳେ ଗୋଟାଏ କଥା ସେ ଜାଣିପାରିଲା । ସେଥିରେ ଉଲ୍ଲେଖ ଅଛି ଯେ ଯଦି କେହି ସେହି ମଣିଯୁକ୍ତ ହାରକୁ ପିନ୍ଧି, ଏକ ବିଶିଷ୍ଟ ପୂଜା କରେ ତେବେ ପୂଜକର ସମ୍ରାଟ ହେବାର ସମ୍ଭାବନା ଥାଏ । ସେହି ଦିନଠାରୁ ତାନ୍ତ୍ରିକ ଭାଳି ହେଉଛି କିପରି ମଣିଟି ତା’ ହାତକୁ ଆସିବ ।
ତେଣୁ ସେ ଲାବଣ୍ୟପୁରୀର ରାଜାଙ୍କୁ ଭେଟି କହିଲା କୃଷ୍ଣାକୁମାରୀଙ୍କର ଏବେ ଖରାପ ସମୟ ପଡିଛି । ଦୁଷ୍ଟ ଗ୍ରହମାନେ ତାଙ୍କୁ ଅତ୍ୟନ୍ତ ହଇରାଣ କରିବେ । ଯଦି ଚନ୍ଦ୍ରକାନ୍ତ ମଣି ଥାଇ କୌଣସି ହାର ସେ ପିନ୍ଧନ୍ତି ତେବେ ବିପଦ କଟିଯିବ । ସେ ହାର ସର୍ବଦା ତାଙ୍କ ଗଳାରେ ରହିବା ଏକାନ୍ତ ଆବଶ୍ୟକ । ଭାଣିଜୀ ପ୍ରତି ଗଭୀର ମମତା ଯୋଗୁଁ ରାଜା ତାନ୍ତ୍ରିକର କଥା ରକ୍ଷା କରି ହାରଟି ଭାଣିଜୀକୁ ଦେଲେ ।
ତାନ୍ତ୍ରିକ ପ୍ରଧାନମନ୍ତ୍ରୀଙ୍କୁ ରାଜା ଯଶବର୍ମାଙ୍କ ମନ ମନ୍ତ୍ରଦ୍ୱାରା ପରିବର୍ତ୍ତନ କରିବା କଥା ମିଛ । କିନ୍ତୁ ପ୍ରଧାନମନ୍ତ୍ରୀ ସେସବୁ ବିଶ୍ୱାସ କରୁଥା’ନ୍ତି । କାରଣ ତାଙ୍କର ସ୍ୱପ୍ନ ହେଉଛି ତାନ୍ତ୍ରିକର ମନ୍ତ୍ର ପ୍ରଭାବରେ ଚନ୍ଦ୍ରକାନ୍ତ ମଣି ଥିବା ହାର ନେଇ ଆସିଲେ ସ୍ୱତନ୍ତ୍ର ଭାବରେ ଯଜ୍ଞ, ଓ ପୂଜା ଇତ୍ୟାଦି କରିବା ପରେ ସେ ଦିନେ ସମ୍ରାଟ ହୋଇ ପାରିବେ । ଲୋକଙ୍କୁ ଦେଖି ଦେଇ ଅପୂର୍ବ ସେମାନଙ୍କ ମନକଥା ଠିକ୍ ଜାଣି ପାରୁଥିଲା । ଅପୂର୍ବ ତାନ୍ତ୍ରିକର ସମସ୍ତ ଦୂରଭିସନ୍ଧି ବୁଝି ପାରିଲା । ସେ ଜାଣି ପାରିଥିଲା ଯେ ଚନ୍ଦ୍ରକାନ୍ତ ମଣିଟି ହାତରେ ପାଇବା ମାତ୍ରେ ତାନ୍ତ୍ରିକ ସେଇଟି ନେଇ ଚମ୍ପଟ ଦେବ । ତା’ପରେ ସେ ନିଜେ ତ ଜାଣିଛି, ମହାମହିମ ସମ୍ରାଟ ହେବା ପାଇଁ କି ପ୍ରକାର ଯଜ୍ଞ ଲୋଡା । ତେଣୁ ସମ୍ରାଟ ହୋଇ ନିଜେ ନିଜର ଇଚ୍ଛା ପୂର୍ଣ୍ଣ କରିବ ଓ ବୋକା ମୁଖ୍ୟମନ୍ତ୍ରୀ ଲୋକଙ୍କ ଆଗରେ ଧରା ପଡି ତା’ର ପଂଚତ୍ୱ ପ୍ରାପ୍ତି ହେବ । ଆଉ ଭାବିବାର କିଛି ନାହିଁ । କେହି ଜାଣିପାରିବେ ନାହିଁ କେଉଁଠି କିପରି ସବୁ ଘଟଣା ଘଟି ଯାଉଛି ।
ପ୍ରଧାନମନ୍ତ୍ରୀ ଥିଲେ ମୂର୍ଖ, ତାନ୍ତ୍ରିକ ଥିଲା ଠକ, ବଦମାସ ଓ ସ୍ୱାର୍ଥପର । ନିଜ ସ୍ୱାର୍ଥ ପାଇଁ ସେ ଯେକୌଣସି ପାପ କାର୍ଯ୍ୟ କରିବାକୁ ପଛାଇବ ନାହିଁ । ଏସବୁ ଅପୂର୍ବ ଜାଣି ପାରିଲା । ଏପରି ଦୁଷ୍ଟମାନେ ଯଦି ସମ୍ରାଟ ହେବେ, ତେବେ ମାନବଜାତିର ଭାଗ୍ୟ କ’ଣ ହେବ? ଏସବୁ ବିଷୟ ଉପରେ ସେ ଗଭୀର ଚିନ୍ତା କଲା ।
ଆଧାର ଓଡ଼ିଆ ଗପ
Last Modified : 6/21/2020