ଚୀନ୍ ଦେଶର ଏକ ରାଜ୍ୟର ରାଜାମାନେ ବହୁ ପୁରୁଷ ଧରି ଗୋଟାଏ ଅଦ୍ଭୁତ ଟୋପି ପିନ୍ଧୁଥିଲେ । ସେ ଟୋପି ଗୋଟାଏ ଶିଆଳ ଛାଲରେ ତିଆରି । କାହିଁକି? ତା’ର କାରଣ ଜାଣିବାକୁ ହେଲେ ପୁରା କାହାଣୀଟିଏ ଶୁଣିବାକୁ ହେବ: ବହୁ ପ୍ରାଚୀନ କାଳର କଥା । ଚୀନ୍ ଦେଶର ଗୋଟାଏ ଗାଁରେ ଅଟାଙ୍ଗ ନାମକ ଗରିବ ଯୁବକଟିଏ ବାସ କରୁଥାଏ । କୁଡିଆଟି ଛଡା ତା’ର ନାମକୁ ମାତ୍ର ଖଣ୍ଡିଏ ଜମିଥାଏ । କିନ୍ତୁ ସେ ଜମିରେ ଏମିତି ଗୋଟାଏ ସମ୍ପତ୍ତି ଥାଏ, ଯାହା ଯୋଗୁଁ ସେ ବେଶ୍ ସ୍ୱଚ୍ଛନ୍ଦରେ ଚଳୁଥାଏ ।
ତା’ର ସେ ସମ୍ପତ୍ତି ହେଲା ଗୋଟାଏ ଡାଳିମ୍ବ ଗଛ । ସେ ଗଛର ଡାଳିମ୍ବ ଥରେ ଯିଏ ଖାଇଛି, ସେ କେବେ ବି ତାହାର ସ୍ୱାଦ ଭୁଲିପାରିବ ନାହିଁ । ତେଣୁ ଅଟାଙ୍ଗର ଡାଳିମ୍ବ ବହୁତ ମୂଲ୍ୟରେ ବିକ୍ରି ହୁଏ । ଏହିପରି ଭାବେ ସେ ଅଟାଙ୍ଗ ବେଶ ଖୁସିରେ ଚଳୁଥାଏ । ଏତେ ବଡ ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନଥାନ୍ତି ।
ସେ ଡାଳିମ୍ବ ଗଛକୁ ଚୋର ଖଂଟଙ୍କ କବଳରୁ ରକ୍ଷା କରିବା ନିମନ୍ତେ ଅଟାଙ୍ଗ ତା’ ଚାରିକଡେ ପଥର ପାଚେରୀ ତୋଳିଥାଏ । ଖାଲି ସେତିକି ନୁହେଁ, ଯେତେବେଳେ ଡାଳିମ୍ବ ପାରିବା ସମୟ, ସେତେବେଳେ ସେ ସେହି ଡାଳିମ୍ବ ଗଛ ତଳେ ସେସବୁକୁ ଜଗି ଶୋଇଥାଏ ।
ଦିନେ ସକାଳେ ଉଠି ସେ ଦେଖିଲା, କେତୋଟି ଡାଳିମ୍ବ କିଏ ଚୋରି କରିନେଇ ଯାଇଛି । ଏସବୁ ଦେଖି ସେ ଭାରି ଆଶ୍ଚର୍ଯ୍ୟ ହେଲା । କାରଣ କେଉଁଠାରେ ହେଲେ ମଣିଷଙ୍କ ପାଦଚିହ୍ନ ପଡି ନଥାଏ ।
ପରଦିନ ରାତିରେ ପୁଣି ଆଉ କେତୋଟି ଡାଳିମ୍ବ ଚୋରି ଗଲା । ଏଥିରେ ସେ ଅଟାଙ୍ଗ ଯେତିକି ଆଶ୍ଚର୍ଯ୍ୟ ହେଲା, ସେତିକି ଦୁଃଖିତ ମଧ୍ୟ ହେଲା । ମାତ୍ର ତୃତୀୟ ରାତିରେ ସେ ସମ୍ପୂର୍ଣ୍ଣ ଭାବେ ଚେଇଁ କରି ରହିଲା । ଦେଖିଲା ଗୋଟାଏ ଶିଆଳ ପାଚେରୀ ଡେଇଁ ଆସି ଡାଳିମ୍ବ ଗଛ ଚଢିଲା । ଅଟାଙ୍ଗ ଉଠିପଡି ଚଟାପଟ ଯାଇ ସେ ଶିଆଳର ଲାଞ୍ଜ ଧରି ପକାଇଲା । କିନ୍ତୁ ଶିଆଳ ତଡିତ୍ ଗତିରେ ସେଠାରୁ ଖସି ପଳାଇଲା ।
ଅଟାଙ୍ଗ ଲକ୍ଷ୍ୟ କରି ଦେଖିଲା, ଯିବା ବେଳକୁ ଶିଆଳ କାନ୍ଥ ଦେହରେ ଥିବା ଗୋଟାଏ ସୁଡଙ୍ଗ ଭିତର ଦେଇ ପଳାଇଗଲା । ପରଦିନ ଅଟାଙ୍ଗ ସେ ସୁଡଙ୍ଗ ଭିତରେ ପୁଳାଏ ଅଠା ରଖିଦେଲା । ସେ ଅଠାରେ ଥରେ ପଡିଲେ ସେଥିରୁ ଖସିଯିବା ଅସମ୍ଭବ । ଅଟାଙ୍ଗର ଯୋଜନା କାମ ଦେଲା । ରାତିରେ ପାଚେରୀ ଡେଇଁ ସେ ଶିଆଳ ଆସିଲା । କିନ୍ତୁ ଅଟାଙ୍ଗ ତାକୁ ଧରିବାକୁ ଚେଷ୍ଟା କରିବାରୁ ସେ ସୁଡଙ୍ଗ ଦେଇ ତରତରରେ ପଳାଇ ଯାଉ ଯାଉ ଅଠାରେ ଅଟକିଗଲା । ଯେତେ ଚେଷ୍ଟା କଲେ ବି ସେ ଆଉ ଖସି ଯାଇ ପାରିଲା ନାହିଁ ।
ଅଟାଙ୍ଗ ତା’ ପାଖକୁ ଯାଇ କହିଲା, “ଏଥର?”
ଶିଆଳ କହିଲା, “ଅଟାଙ୍ଗ୍! ମୁଁ ତମର ବହୁତ ଉପକାର କରିବି । ମୋତେ ଏବେ ଏଥିରୁ ମୁକ୍ତ କର ।”
ଶିଆଳ ମଣିଷ ଭଳି କଥା କହିବାର ଦେଖି ଅଟାଙ୍ଗର ଆଶ୍ଚର୍ଯ୍ୟର ଆଉ କୌଣସି ସୀମା ରହିଲା ନାହିଁ । ଶିଆଳ ପୁଣି କହିଲା, “ଏଥର ବୁଝି ପାରୁଛ ତ? ମୁଁ କୌଣସି ସାଧାରଣ ଶିଆଳ ନୁହେଁ । ବରଂ ମୁଁ ଜଣେ ଯାଦୁକର । ଅଭିଶାପ ପାଇ ଗୋଟାଏ ଜନ୍ମ ମୁଁ ଏହି ଶିଆଳ ରୂପେ ଜୀବନ କଟାଉଛି ।”
ଅଟାଙ୍ଗ ପଚାରିଲା “ଯେତେହେଲେ ତୁମେ ଶିଆଳ ହୋଇ ରହିଛ । ସେଥିରେ ପୁଣି ତୁମେ ମୋର କେଉଁ ଉପକାର କରି ପାରିବ?”
ଶିଆଳ କହିଲା “କ’ଣ କରି ନପାରିବି କୁହ? ଇଚ୍ଛା କଲେ ଏ ରାଜ୍ୟର ରାଜକନ୍ୟା ସହ ମୁଁ ତୁମ ବିବାହ ମଧ୍ୟ କରାଇଦେଇ ପାରିବି!”
“ସତେ? ଦେଖିବା, ସେ ବ୍ୟବସ୍ଥା କଲ!” ଏହା କହି ଅଟାଙ୍ଗ ଶିଆଳକୁ ସେ ଅଠାରୁ ଉଠାଇ ଆଣି ତେଲ ଦ୍ୱାରା ତା’ ଦେହରେ ଲାଗିଥିବା ଅଠା ସବୁ ଛଡାଇ ଦେଲା ।
ସେ ଶିଆଳ ଠିକ୍ ଭୋର ବେଳକୁ ନଈ ପାରି ହୋଇ ରାଜାଙ୍କ ଉଆସରେ ଯାଇ ପହଁଚିଗଲା । ରାଜାଙ୍କୁ ସେ କହିଲା, “ଶୁଣିଛି, ଆପଣଙ୍କ ପାଖରେ ଏମିତି ଗୋଟାଏ ଚାଲୁଣି ଅଛି, ଯାହା ଦ୍ୱାରା ଭଲ ହୀରା ବା ମୋତି ମାଣିକ ନିକୃଷ୍ଟ ରତ୍ନମାନଙ୍କଠାରୁ ଅଲଗା କରିହୁଏ । ଆପଣ ମୋତେ ଦୁଇଦିନ ପାଇଁ ସେ ଚାଲୁଣି ଦିଅନ୍ତେ ନାହିଁ?”
ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, “ତମେ ଶିଆଳ ହୋଇ ଯେ କଥା କହିପାରୁଛ, ଏହା ବିସ୍ମୟକର ବ୍ୟାପାର । ତମେ ଚାଲୁଣି କାହିଁକି ମାଗୁଛ, ତାହା ବି ଆହୁରି ବିସ୍ମୟକର ।”
ତା’ପରେ ସେ ଶିଆଳ କହିଲା “କଥା କ’ଣ କି, ମହାରାଜ ଅଟାଙ୍ଗ ଗଦାଏ ହୀରା ନୀଳା ପାଇଛନ୍ତି । ଏଠାକୁ ମୁଁ ତାଙ୍କର ଦୂତ ହିସାବରେ ଆସିଛି । ସେ ଭଲ ରତ୍ନ ସବୁ ବାହାର କରିନେଇ ବାକିତକ ଫିଙ୍ଗିଦେବେ ।”
ରାଜା ପଚାରିଲେ, “ମହାରାଜା ଅଟାଙ୍ଗ? ସେ କିଏ? ମୁଁ ବାସ୍ତବିକ ତାଙ୍କ ନାମ ଧାମ ଜାଣି ନଥିଲି!”
ଏହାପରେ ସେ ଶିଆଳ ବୁଝାଇ କହିଲା “ଜାଣନ୍ତେ ବା କିପରି? ସେ ତ ଝୁଂ ବଣ ଭିତରେ ବିରାଟ ପ୍ରାସାଦ ଅଧିକାର କରି ରହିଛନ୍ତି! ବାହାର ଜଗତ ସହ ତାଙ୍କର ବିଶେଷ କିଛି ସମ୍ପର୍କ ନାହିଁ ।”
ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ “କିନ୍ତୁ ଝୁଁ ବଣ ତ ରାକ୍ଷସର ରାଜ୍ୟ!”
ଶିଆଳ କହିଲା “ତାହା ରାକ୍ଷସର ରାଜ୍ୟ ଥିଲା । କିନ୍ତୁ ମହାରାଜା ଅଟାଙ୍ଗ ମହାନ୍ ଯାଦୁକର। ସେ ତାଙ୍କ ଯାଦୁ ଦ୍ୱାରା ରାକ୍ଷସକୁ ବଶ କରି ତା’ ଦୁର୍ଗ ଅକ୍ଳେଶରେ ଅଧିକାର କରିଛନ୍ତି।”
“ଅବଶ୍ୟ ସେ ଜଣେ ଯାଦୁକର ହୋଇଥିବେ । ନହେଲେ ତମ ଭଳି ଶିଆଳକୁ ସେ କ’ଣ କଥା କୁହାଇ ପାରନ୍ତେ?” ଏହା କହି ରାଜା ଚାଲୁଣି ଦେଇଦେଲେ । ଦୁଇଦିନ ପରେ ଶିଆଳ ଯେତେବେଳେ ଚାଲୁଣି ଆଣି ଫେରାଇଲା, ସେତେବେଳେ ସେଥିରେ କିଛି ରଙ୍ଗ ବେରଙ୍ଗର ପଥର କଣା ଲାଗିଥିଲା । ରାଜକୁମାରୀ ତାହା ଦେଖି କହିଲେ, “ଆରେ! ସତରେ ତ ଏଥିରେ ହୀରା ନୀଳା ପରୀକ୍ଷା ହୋଇଥିଲା ।”
ଶିଆଳ କହିଲା “ରାଜକୁମାରୀ! ଆମ ମହାରାଜାଙ୍କ ପ୍ରାସାଦରେ ଯେତେ ରତ୍ନରାଶି, ତାହା କଳ୍ପନା କରିହେବ ନାହିଁ । ତୁମ ଭଳି ଜଣେ ସୁନ୍ଦରୀ ରାଜକନ୍ୟା ଆମର ମହାରାଣୀ ହେଲେ କେଡେ ଭଲ ହୁଅନ୍ତା!”
ଏହିକଥାରେ ସେ ରାଜକୁମାରୀ ହଠାତ୍ ଲାଜେଇଯାଇ ରାଜାଙ୍କ ଆଡେ ଅନାଇଲେ । ରାଜା କହିଲେ, “ଶିଆଳ ମହାଶୟ! ପ୍ରସ୍ତାବ ପକାଅ!
ରାଜା ତତ୍କ୍ଷଣାତ୍ ନୂଆ ପୋଷାକ ଧରି ନଈ କୂଳକୁ ଗଲେ । ଅଟାଙ୍ଗ କୂଳକୁ ଯାଇ ସେସବୁ ପିନ୍ଧି ନଅରକୁ ଗଲା ।
ବାହାଘର ହୋଇଗଲା । ତା’ପରେ ସେଠାରେ କିଛିଦିନ ରହିବା ପରେ ବୋହୁକୁ ଧରି ନିଜ ଘରକୁ ଯିବା କଥା ।
ରାଜା ଶିଆଳକୁ ପଚାରିଲେ “ଆମ ଜୁଆଁଇଙ୍କୁ ପାଛୋଟି ନେବାକୁ କ’ଣ କେହି ଆସିବେ ନାହିଁ?”
ଶିଆଳ କହିଲା “ଆସିବେ ନାହିଁ ମାନେ? ସେମାନେ ଆସି ନଈ ସେ ପାରିରେ ଅଛନ୍ତି । କାଳେ ବନ୍ୟା ଆସିବ ବୋଲି ମୁଁ ସେମାନଙ୍କୁ ଆସିବାକୁ ମନା କରିଛି ।”
ନଈ ସେ ପାଖ ଦେଇ ଦଳେ ବଣିକ ଯାଉଥିଲେ । ଶିଆଳ ଆଗତୁରା ଯାଇ ସେମାନଙ୍କୁ କହିଲା, “ଡାକୁଦଳ ଆସୁଛନ୍ତି । ସାବଧାନ!”
ବଣିକ ଦଳପତି କହିଲେ “ତାହେଲେ ଏବେ ଆମେ କ’ଣ କରିବା? ଶିଆଳ ହୋଇ ତମେ ଯଦି କଥା କହି ପାରୁଛ, ତେବେ ଆମକୁ ଏ ବିପଦରୁ ରକ୍ଷା କରିପାରିବା ଭଳି ଶକ୍ତିବି ତମର ଅଛି ।”
ଶିଆଳ ବତାଇ ଦେଲା “ତମେମାନେ କହିବ କି ତମେମାନେ ମହାରାଜା ଅଟାଙ୍ଗଙ୍କର ଲୋକ ।”
ରାଜାଙ୍କ କର୍ମଚାରୀମାନଙ୍କୁ ସେ ଲୋକେ ସେଇଆ କହିଲେ । ବରକନ୍ୟାଙ୍କୁ ସେମାନଙ୍କ ହାତରେ ସମର୍ପି ଦେଇ ରାଜାଙ୍କ ଲୋକ ବାହୁଡି ଗଲେ ।
ଶିଆଳ ଯାଇ ବଣ ଭିତରେ ପହଁଚି ରାକ୍ଷସକୁ ଭେଟିଲା । ସେତେବେଳକୁ ସେ ରାକ୍ଷସ ଆସି ବୁଢା ହେଲାଣି । ଶିଆଳ କହିଲା, “ରାଜାଙ୍କ ବିଶାଳ ସୈନ୍ୟବାହିନୀ ତମକୁ ମାରିଦେବାକୁ ଆସୁଛନ୍ତି ।”
“ମୋରତ ଆଉ ସେମାନଙ୍କ ସହ ଲଢିବା ପାଇଁ ବଳ ନାହିଁ!” ରାକ୍ଷସ ଆତଙ୍କିତ ହୋଇ ଏତକ କହିଲା ।
ଶିଆଳ କହିଲା “ତେବେ ଏଇଠି କାଠଗଦା ଭିତରେ ଲୁଚି ରହ । କେହି ତୁମର କିଛି ବି କରିବେ ନାହିଁ ।”
ପରିଶେଷରେ ସେ ରାକ୍ଷସ ସେଇଆ କଲା । ତା’ ପ୍ରାସାଦରେ ଅଟାଙ୍ଗ ଆସି ସସ୍ତ୍ରୀକ ରହିଲା । ଅଟାଙ୍ଗ ଉକ୍ତ ପ୍ରାସାଦର ଅଧିକାରୀ ହେବାରୁ ରାକ୍ଷସକୁ ରାଜା ବୋଲି ମାନୁଥିବା ସେ ଆଖପାଖର ସମସ୍ତ ଲୋକେ ତାକୁ ବି ରାଜା ରୂପେ ମାନିଲେ । ରାକ୍ଷସ ତା’ ମୃତ୍ୟୁ ଯାଏଁ ଲୁଚି ରହିଥାଏ । ଶିଆଳ ସବୁ ଖାଦ୍ୟ ଆଣି ତାକୁ ଖାଇବାକୁ ଦେଉଥାଏ ।
କାଳକ୍ରମେ ସେ ଶିଆଳର ମୃତ୍ୟୁ ହେଲା । ଅଟାଙ୍ଗ ତା’ ଚମଡାରେ ନିଜ ଟୋପି ତିଆରିକଲା । ସେହି ଟୋପି ହେଲା ତା’ର ଓ ତା’ ଉତ୍ତରାଧିକାରୀମାନଙ୍କର ରାଜମୁକୁଟ ।
ଆଧାର: ଓଡିଆ ଗପ
Last Modified : 5/11/2021