ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / କାହାଣୀ / ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ
ସେଆର କରନ୍ତୁ

ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ

ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା ।

ଉପକ୍ରମ

ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ ମୋଟେ ଅନାଇ ପାରିଲେ ନାହିଁ । କେତେ ଅନୁନୟ ବିନୟ ହୋଇ ସେ ରାଣୀ ଭଗବାନଙ୍କୁ ଡାକିଲେ – ପ୍ରଭୁ! ତୁମେ ଏ କଅଣ କଲ? ରଜାଘରେ ପୁଣି ଏମିତି ଅଲକ୍ଷଣିଆ ପୁଅ! ଜନ୍ମବେଳରୁ ତାର ମୁଣ୍ଡଟା ବଡ ଏବଂ ମୁଣ୍ଡରେ ତାର ପୁଣି ଗୋଟିଏ ଜଟ ।

ବର୍ଣ୍ଣନା

ରାଣୀଙ୍କର ଏ ପ୍ରକାର ଦୁଃଖ ସହି ନ ପାରି ହଠାତ୍ ସେଠାରେ ଜଣେ ପରୀ ଆସି ପହଁଚିଲା । ରାଣୀ ସେ ପରୀ ପାଖରେ ବହୁତ ପ୍ରାର୍ଥନା କଲେ । ତହୁଁ ସେ ପରୀ କହିଲା, “ରାଣୀ! ତୁମେ ତୁମ ପୁଅର ଏ ପ୍ରକାର ଅସୁନ୍ଦର ରୂପ ଦେଖି ଆଦୌ ବ୍ୟସ୍ତ ହୁଅନାହିଁ । ତୁମ ପୁଅ ରୂପରେ ଅସୁନ୍ଦର ହେଲେ କ’ଣ ହେଲା, ତାପରି ଗୁଣର ଆଉ କେହି ହେଲେ ବି ହେବେ ନାହିଁ । ସେ ଭାରି ବୁଦ୍ଧିମାନ ଓ ଚତୁର ହେବ । ପଣ୍ଡିତ ପଣିଆରେ ଏ ରାଜ୍ୟରେ ତା’ସହିତ କେହି ବି ସମାନ ହେବେ ନାହିଁ । କେବଳ ସେତିକି ନୁହେଁ, ସେ ଯାହାକୁ ଭଲ ପାଇବ, ସେ ବି ଠିକ୍ ସେମିତି ଚତୁର ଓ ବୁଦ୍ଧିମାନ ହେବ ।”

ଏଇ ଘଟଣାର ସାତବର୍ଷ ପରେ ପାଖ ରାଜ୍ୟର ରାଣୀଙ୍କର ଦୁଇଟି ଜାଆଁଳା ଝିଅ ଜନ୍ମ ହେଲେ । ବଡ ଝିଅଟି ଭାରୀ ସୁନ୍ଦରୀ, ଆଉ ସାନ ଝିଅଟି କିନ୍ତୁ ଭାରୀ ଅସୁନ୍ଦରୀ ଥିଲା । ଠିକ୍ ଏତିକିବେଳେ ସେଠାରେ ସ୍ୱର୍ଗର ପରୀଟିଏ ଆସି ଉପସ୍ଥିତ ହେଲା । ସେ ରାଣୀଙ୍କୁ କହିଲା, “ତୁମର ସୁନ୍ଦରୀ ଝିଅଟି ଅତ୍ୟନ୍ତ ବୋକୀ ହେବ । ସାନଝିଅଟି ସିନା ଅସୁନ୍ଦରୀ ହେଲେ କ’ଣ ହେବ, ତା’ ପରି ବୁଦ୍ଧିମତୀ ଆଉ କେହି ହେଲେ ବି ହେବେ ନାହିଁ ।”

ଚନ୍ଦ୍ରଉଦିଆ ପରି ସେ ରାଜପୁରୀରେ ସମୟାନୁକ୍ରମେ ଦୁଇ ଝିଅ ବଢିବାକୁ ଲାଗିଲେ । ପ୍ରଥମ ଝିଅଟିର ସୁନ୍ଦର ପଣରେ ସମସ୍ତେ ଖୁସି ହେଲେ; କିନ୍ତୁ ଖୁବ୍ ଅଳ୍ପଦିନ ମଧ୍ୟରେ ସମସ୍ତେ ଆପେ ଆପେ ଜାଣିଗଲେ ଯେ, ସେ ଗୋଟିଏ ବୋକୀ ।

ତେଣୁ ପାଠ ଘରେ ତାର ତାଲା ପଡିଲା । ସେ ଆଦୌ କିଛି ମନେରଖି ପାରିଲା ନାହିଁ । ପାଣି ପିଇବାକୁ ଗଲେ କାଚଗ୍ଲାସ୍ ଭାଙ୍ଗିପକାଏ, ଖାଇବସିଲେ ତାକୁ କିଛି ଠିକଣା ରହେନାହିଁ । ଏସବୁ ଦେଖି ସେ ରାଜାରାଣୀ ବଡ ଚିନ୍ତିତ ହୋଇପଡିଲେ । ଏପରି ଝିଅକୁ ନେଇ ସେ ଏବେ କ’ଣ କରିବେ? ସେ କିପରି ଅବା ଏ ସଂସାରରେ ଚଳିବ? ତେଣୁ ସେ ବଡ ଝିଅକୁ କେହି ବି ଭଲ ପାଇଲେ ନାହିଁ, କି ତା ପାଖରେ କେହି ବି ବସିଲେ ନାହିଁ ।

କିନ୍ତୁ ରାଣୀଙ୍କ ଆର ଝିଅଟି ଅସୁନ୍ଦରୀ ବୋଲି ପ୍ରଥମେ ପ୍ରଥମେ ତାକୁ କେହି ବି ଆଦର କରୁନଥିଲେ; ମାତ୍ର ତାର ଚତୁରୀ ପଣରେ ସମସ୍ତେ ଅଳ୍ପଦିନରେ ଖୁବ୍ ଖୁସି ହୋଇଗଲେ । ସେ ଆସ୍ତେ ଆସ୍ତେ ବଡ ହେଲା । ପରେ ରାଜା ନିଜେ ରାଜକାର୍ଯ୍ୟରେ ତାର ପରାମର୍ଶ ଲୋଡିଲେ । ତାପରେ ଚାରିଆଡେ ଖାଲି ସେ ସାନ ଜେମାଙ୍କର ପ୍ରଶଂସା ଶୁଣିବାକୁ ମିଳିଲା ।

ବଡଜେମା ଅନେକ ଦିନଯାଏଁ ବୁଝିପାରୁ ନଥିଲା ଯେ କାହିଁକି ତାକୁ ଘରେ କି ବାହାରେ କେହି ବି ଆଦର କରୁ ନାହାଁନ୍ତି । ଶେଷରେ ସେ ସବୁକଥା ଜାଣିପାରିଲା ।

ସେ ବଡଜେମା ଦିନେ ଅତି ମନ ଦୁଃଖରେ ରାଜନଅର ପାଖ ଜଙ୍ଗଲରେ ଯାଇ ଗୋଟିଏ ଗଛ ମୂଳରେ ପହଁଚିଲା । ଆଖିରୁ ତାର କେବଳ ଲୁହ ବୋହିଯାଉଥାଏ । ଠିକ୍ ଏତିକିବେଳେ ପାଖ ରାଜ୍ୟ ତଥା ଜଟିଆ ରାଜକୁମାର ସେଠାରେ ଆସି ଉପସ୍ଥିତ ହେଲା । ଜଟିଆ ରାଜକୁମାର ରୂପରେ ଅସୁନ୍ଦର ହେଲେ କ’ଣ ହେବ, ବୁଦ୍ଧି ଓ ଚତୁର ପଣରେ ତାର ନାମ ଚାରିଆଡେ ଡାକ ପଡିଥାଏ । ତେଣୁ ପୁଅ ଉପରେ ରାଜ୍ୟ ଦାୟିତ୍ୱ ଦେଇ ବୁଢାରାଜା ଆରାମ୍ କରୁଥାଆନ୍ତି । ରାଣୀଙ୍କର କେବଳ ଗୋଟିଏ ମାତ୍ର ଚିନ୍ତା, କିପରି ସୁନ୍ଦରୀ ବୋହୂଟିଏ ଘରକୁ ଆଣିବେ; ମାତ୍ର ରାଜ କୁମାରଙ୍କ ରୂପକୁ ଦେଖି କେଉଁ ସୁନ୍ଦରୀ ରାଜକୁମାରୀ ଅବା ବାହା ହବାକୁ ରାଜି ହେବ । ଏଥିପାଇଁ ସେ ରାଜା ଓ ରାଣୀ ବଡ ଦୁଃଖରେ ଥାଆନ୍ତି ।

ସେ ଯାହାହେଉ ସେଦିନ ଜଙ୍ଗଲରେ ଜଟିଆ ରାଜକୁମାର ଗଛମୂଳେ ସୁନ୍ଦରୀ ରାଜକୁମାରୀକୁ ଦେଖି ମନେ ମନେ ସେ ଖୁବ୍ ଖୁସି ହୋଇଗଲା । ତା ପାଖକୁ ଯାଇ ଏ ଜଟିଆ ରାଜକୁମାର କହିଲା, ‘ରାଜକୁମାରୀ, ତୁମେ କାନ୍ଦୁଛ କାହିଁକି?’

ଏତେଦିନ ପରେ ରାଜକୁମାରୀ ତା ପାଇଁ ଜଣକର ଏପରି ସହାନୁଭୂତିର ପଦିଏ କଥା ଶୁଣିଲା । ତେଣୁ ହଠାତ୍ ତାର ଆଖିରୁ ଝର ଝର ହୋଇ କେଇ ଟୋପା ଲୁହ ବହି ଆସିଲା । ତାପରେ ସେ ରାଜକୁମାରୀ କହିଲା, “ମୋର ସୁନ୍ଦର ପଣ ହିଁ ଆଜି ମୋତେ କାଳ ହୋଇଛି । ସେତିକି ଛଡା ମୋର ଆଉ କିଛି ବି ନାହିଁ । ମୁଁ ବୋକିଟାଏ ବୋଲି ମୋତେ କେହି ବି ଟିକିଏ ଆଦର କରୁ ନାହାଁନ୍ତି । ମୋ ହାତରେ ପାଠ ଆଦୌ ହେଉ ନାହିଁ କି ମୋର କିଛି ବି ମନେ ରହୁନାହିଁ ।

ଏପରି କଥା ଶୁଣି ସେ ଜଟିଆ ରାଜକୁମାର କହିଲା, “ରାଜକୁମାରୀ, ତୁମେ ସତ୍ୟ କର । ଆଜକୁ ଠିକ୍ ବର୍ଷକ ପରେ ଯଦି ତୁମେ ମୋତେ ବିବାହ କରିବ, ତା ହେଲେ ଯାଇ ତୁମର ଏ ବୋକୀପଣିଆ ଚାଲିଯିବ ।”

ଏତିକି କହି ରାଜକୁମାର ତା ରାଜ୍ୟକୁ ଫେରିଗଲା । ରାଜକୁମାରୀ ଏଣେ ତା ରାଜନବରକୁ ଫେରି ଆସିଲା । ସେହି ମୁହୂର୍ତରୁ କ’ଣ ହେଲା କେଜାଣି, ରାଜକୁମାରୀର ମନରେ ଆସିଲା ଅନେକ ପରିବର୍ତ୍ତନ । ହଠାତ୍ ତାର ବୋକୀପଣିଆ କୁଆଡେ ଚାଲିଗଲା । ଏଣିକି ସେ ସବୁକଥା ଠିକ୍ ଠିକ୍ କରି ବୁଝିପାରିଲା । ତାର ସମସ୍ତ ପାଠ ବି ମନେ ରହିଲା ।

ଦାସ ଦାସୀ, ରାଜା ରାଣୀ ସମସ୍ତେ ଏସବୁ ଦେଖି ଆଶ୍ଚର୍ଯ୍ୟ ମଣିଲେ ମଧ୍ୟ ଅତ୍ୟନ୍ତ ସୁଖୀ ହେଲେ ।

ଏଣିକି ସେ ବଡ ଜେମାଙ୍କର ରୂପ ସହିତ ଗୁଣର ମଧ୍ୟ ଅନେକ ଆଦର ହେଲା । ପାଖଆଖର ବହୁ ରାଜକୁମାର ଏ ବଡ ଜେମାକୁ ବିବାହ କରିବା ପାଇଁ ପ୍ରସ୍ତାବ କଲେ । ମାତ୍ର ସେ ବଡଜେମା କାହାରିକୁ ସୁଧା ବାହାହେବା ପାଇଁ ଆଦୌ ରାଜି ହେଲେ ନାହିଁ ।

ଏମିତି ଚାହୁଁ ଚାହୁଁ ବରଷୁଟିଏ ବିତିଗଲା । ସେଦିନ ରାଜକୁମାରୀ ରାଜନବର ପାଖ ଜଙ୍ଗଲକୁ ବୁଲି ଯାଇଥାଏ । ସେ ସେଠାରେ ଦେଖିବାକୁ ପାଇଲା ବହୁ ଲୋକଙ୍କର ସମାଗମ ହୋଇଛି । ଚାରିଆଡେ ଖାଲି ତମ୍ବୁ ଟଣା ହୋଇଛି । କେତେ ଘୋଡାହାତୀ ସୈନ୍ୟ-ସାମନ୍ତ ଅପେକ୍ଷା କରିଛନ୍ତି । ଭୋଜିଭାତ ଧୁମ୍ଧାମ୍ ଚାଲିଛି । ସେମାନଙ୍କ ପାଖକୁ ଯାଇ ରାଜକୁମାରୀ ସେମାନଙ୍କୁ ପଚାରି ବୁଝିଲା, ଜଟିଆ ରାଜକୁମାରଙ୍କର ବାହାଘର ହେବ । ସେଥିପାଇଁ ଏ ଉତ୍ସବ ଚାଲିଛି ।

ଠିକ୍ ଏତିକିବେଳେ ସେ ଜଟିଆ ରାଜକୁମାର ତମ୍ବୁ ମଧ୍ୟରୁ ହସି ହସି ବାହାରକୁ ଆସିଲା ଏବଂ ରାଜକୁମାରୀଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ଜଣାଇଲା । କିନ୍ତୁ ସେ ରାଜକୁମାରୀ ଏପରି ଏକ ଅସୁନ୍ଦର ମଣିଷଟାକୁ ଦେଖି ନିଜ କପାଳରେ ଆଖିକୁ ଖୋସିଦେଲା । ଛି, ଛି, ମଣିଷ ପୁଣି ଏଡିକି କୁରୂପ ହୋଇ ପାରନ୍ତି ।

ସେହି କ୍ଷଣି ସେ ଜଟିଆ ରାଜକୁମାର ରାଜକୁମାରୀକୁ ମନେ ପକାଇ ଦେଲା ବରଷକ ତଳର ସମସ୍ତ କଥା । ସେ ତାକୁ ବୁଦ୍ଧି ଓ ଚତୁରପଣିଆ ଦେଇଥିଲା । ତାରି ବଦଳରେ ସେ ତାଙ୍କୁ ବାହାହେବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲା । ରାଜକୁମାରୀ କହିଲା, “ସେତେବେଳେ ତ ମୋର ବୁଦ୍ଧି ନଥିଲା; ତେଣୁ ମୁଁ ତୁମକୁ ବାହାହବା ପାଇଁ ହଁ କରିଥିଲି । ଏବେ ତୁମେ କିପରି କହୁଛ, ତୁମ ରୂପର ମଣିଷକୁ ମୁଁ ପୁଣି ବିବାହ କରିବି ।”

ଜଟିଆ ରାଜକୁମାର ଏକଥା ଶୁଣି କହିଲା – ‘ରାଜକୁମାରୀ, ଏ ସଂସାରରେ ରୂପଟା ତ କିଛି ବଡ କଥା ନୁହେଁ । ଦିନେ ତୁମର ମଧ୍ୟ ରୂପ ଥିଲା । ମାତ୍ର ବୁଦ୍ଧି ନ ଥିବାରୁ ତୁମେ ଭାଙ୍ଗି ପଡୁଥିଲ । ଅପାମାନିତ ମଧ୍ୟ ହେଉଥିଲ । ମୋର ରୂପ ସିନା ନାହିଁ ହେଲେ ବୁଦ୍ଧି ତ ଅଛି । ମୋତେ ତ ତୁମେ ଜବାବ୍ ଦେଇଥିଲ ବାହାହେବାକୁ । ତେବେ ଏବେ ମନା କରୁଛ କାହିଁକି?

ଏସବୁ କଥା ଶୁଣି ହଠାତ୍ ସେ ରାଜକୁମାରୀ ଖୁବ୍ ଲଜ୍ଜିତ ହେଲା । ସେ ତା ମନେ ମନେ ନିଷ୍ପତି କଲା ଯେ, ଜଟିଆ ରାଜକୁମାରଙ୍କୁ ହିଁ ବିବାହ କରିବ ବୋଲି । ପରୀ ତ ତାକୁ ଆଗରୁ ବର ଦେଇଥିଲା । ସେ କଥା ବି ହଠାତ୍ ତାର ମନେ ପଡିଗଲା । ତାହା ଥିଲା ଯେ, “ସେ ଯେଉଁ ପୁରୁଷକୁ ଭଲ ପାଇବ, ତାକୁ ସେ ଅତିଶୟ ସୁନ୍ଦରପଣ ଦେଇ ପାରିବ ।”

ରାଜକୁମାରୀ ସେ ଜଟିଆ ରାଜକୁମାରକୁ ସୁନ୍ଦର ହୋଇଯିବା ପାଇଁ ମନେ ମନେ ଖୁବ୍ ପ୍ରାର୍ଥନା କଲା । ଦେଖୁ ଦେଖୁ ସେ ଜଟିଆ ରାଜକୁମାରର ଜଟଟି କୁଆଡେ ଉଭାନ୍ ହୋଇଗଲା । ତାପରେ ସେ ହୋଇଗଲା ଏକ ସୁନ୍ଦର ରାଜପୁରୁଷ । ସୈନ୍ୟ ସେନାପତିମାନେ ପ୍ରଥମେ ପ୍ରଥମେ ତାଙ୍କ ରାଜକୁମାରଙ୍କୁ ଆଦୌ ଚିହ୍ନିପାରିଲେ ନାହିଁ । ପରେ ତାଙ୍କୁ ରାଜକୁମାର ବୋଲି ଜାଣି ମହାଆନନ୍ଦରେ ଖାଲି ନାଚିବାକୁ ଲାଗିଲେ ସେ ଜଟିଆର ସୈନ୍ୟ ସେନାପତିମାନେ । ରାଜକୁମାରୀ ସେ ଜଟିଆ ରାଜକୁମାର ସହିତ ଯାଇ ନିଜ ରାଜନବରରେ ଉପସ୍ଥିତ ହେଲା । ରାଜାରାଣୀ ଏପରି ଦିବ୍ୟସୁନ୍ଦର ରାଜକୁମାରକୁ ଜେମା ବରଣ କରିଛି ଜାଣି ଅତ୍ୟନ୍ତ ସୁଖୀ ହେଲେ । ଭଲ ତିଥି ଦେଖି ମହା ଆଡମ୍ବରରେ ସେ ରାଜକୁମାରୀ ଓ ଜଟିଆ ରାଜକୁମାରର ବାହାଘର ହେଲା । ଏହାପରେ ଦୁଇ ରାଜ୍ୟରେ ଆନନ୍ଦ ଉତ୍ସବର ଆଉ କୌଣସି ସୀମା ରହିଲା ନାହିଁ ।

ଆଧାର: ଓଡ଼ିଆ ଗପ

3.09259259259
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top