অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇର୍ସା ଅନର୍ଥର ମୂଳ କାରଣ

ଇର୍ସା ଅନର୍ଥର ମୂଳ କାରଣ

ଉପକ୍ରମ

ପୂର୍ବ କାଳର କଥା । ଇରାବତୀ ନାମରେ ରାଜ୍ୟଟିଏ ଥିଲା । ସେହିଠାରେ ରାଜୁତି କରୁଥାଆନ୍ତି ରାଜା ପରିତ୍ୟାଗସେନ । ତାଙ୍କ ପ୍ରଜାମାନେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ରାଜା ଥିଲେ ପ୍ରବଳ ପ୍ରତାପୀ । ତେଣୁ ପାଖପଡୋଶୀ ରାଜାମାନେ ଆଦୌ ସାହସ କରୁ ନ ଥିଲେ ରାଜା ପରିତ୍ୟାଗସେନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ଆଚରଣ କରିବା ପାଇଁ । ସେ ରାଜାଙ୍କର ଦୁଇରାଣୀ । ବଡରାଣୀ ମନୋରମା ଏବଂ ସାନରାଣୀ କାବ୍ୟାଳଙ୍କାରା । ସେ ଦୁଇରାଣୀ ରୂପରେ ଗୁଣରେ ଖୁବ୍ ସୁନ୍ଦରୀ । ସେମାନେ ମନ ଦେଇ ରାଜାଙ୍କୁ ସେବା କରୁଥାଆନ୍ତି ।

ବର୍ଣ୍ଣନା

କିନ୍ତୁ ଏତେ ସୁଖ ମଧ୍ୟରେ କେଜାଣି କାହିଁକି ସେ ରାଜାରାଣୀଙ୍କ ମନରେ ଆଦୌ ଶାନ୍ତି ନ ଥାଏ । କାହିଁକି ନା ସେ ରାଜାଙ୍କର କୁଳ ଉଜ୍ଜ୍ୱଳ କରିବା ପାଇଁ ସନ୍ତାନଟିଏ ନାହିଁ । ତେଣୁ ସେ ଦୁଇରାଣୀ କେତେ ବ୍ରତ, ଉପବାସ କରୁଥାଆନ୍ତି । ଏଣେ ରାଜାଙ୍କର ମନରେ ତ ସବୁବେଳେ ଦୁଃଖ । ସେ ରାଜା ସର୍ବଦା ଭାବୁଥାନ୍ତି ଯେ, ଏତେ ବଡ ରାଜ୍ୟର ଉତ୍ତରାଧିକାରୀ କିଏ ହେବ? ରାଜ୍ୟର ଶାସନଭାର କାହାକୁ ଦେଇ ସେ ଟିକେ ଶାନ୍ତିରେ ଆଖି ବୁଜିବେ?

ରାଜାଥିଲେ ଚଣ୍ଡୀଙ୍କର ଭକ୍ତ । ପ୍ରତିଦିନ ଚଣ୍ଡୀଙ୍କର ପୂଜା ନକଲେ ରାଜା ଆଦୌ ଶାନ୍ତି ପାଉ ନ ଥିଲେ । ସର୍ବଦା ଅତି ବିକଳ ହୋଇ ରାଜା ଚଣ୍ଡୀଙ୍କୁ ପ୍ରାର୍ଥନା କରନ୍ତି ତାଙ୍କ କୋଳରେ ସନ୍ତାନଟିଏ ଦେବାପାଇଁ । ଦିନେ ସେ ରାଜା ଚଣ୍ଡୀଙ୍କ ମନ୍ଦିରରେ ଅଧିଆ ପଡିଥିଲେ । ଅଖିଆ ଅପିଆ ଚଣ୍ଡୀଙ୍କର ଆସନ ଟଳିଲା । ତେଣୁ ସେ ଚଣ୍ଡୀ ରାଜାଙ୍କୁ ସ୍ୱପ୍ନରେ ସାକ୍ଷାତ ଦେଇ କହିଲେ ଯେ, “ବତ୍ସ ! ଏ ଦୁଇଟି ଫଳ ନେଇ ତୁ ତୋ ଦୁଇ ରାଣୀଙ୍କୁ ଦେବୁ । ତାପରେ ଯାଇ ଦେଖିବୁ ସେମାନେ ଯଥା ସମୟରେ ସନ୍ତାନବତୀ ହେବେ ।”

ରାଜାଙ୍କର ସେହିକ୍ଷଣି ହଠାତ୍ ନିଦ ଭାଙ୍ଗିଗଲା । ସେ ଦେଖିଲେ, ସତକୁ ସତ ତାଙ୍କ ପାଖରେ ଦୁଇଟି ଫଳ ଥୁଆ ହୋଇଛି । ତାପରେ ସେ ଅତ୍ୟନ୍ତ କୃତକୃତ୍ୟ ହୋଇ ଚଣ୍ଡୀଙ୍କ ପାଇଁ ପ୍ରଣାମ ଜଣାଇଲେ ।

ତାପରେ ରାଜା ଫେରି ଆସିଲେ ତାଙ୍କ ନଅରକୁ । ସେ ତାଙ୍କ ଦୁଇରାଣୀଙ୍କୁ ପାଖକୁ ଡାକି ସ୍ୱପ୍ନ ବୃତାନ୍ତ ସବୁ କହିଲେ । ସମସ୍ତ କଥା ଶୁଣି ସାରିବା ପରେ ସେମାନଙ୍କର ଅର୍ଥାତ୍ ସେ ଦୁଇରାଣୀଙ୍କର ଆନନ୍ଦ ପୁଣି ଦେଖେ ଆଉ କିଏ? ତହୁଁ ସେମାନେ ବି ଖୁବ୍ ବ୍ୟାକୁଳ ହେଲେ ଦେବୀଙ୍କର ପ୍ରଦତ୍ତ ଫଳ ଲାଭ କରିବା ପାଇଁ । ରାଜା ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, “ଆଦୌ ବ୍ୟସ୍ତ ହୁଅ ନାହିଁ । ଠିକ୍ ସମୟରେ ତୁମ ପାଖରେ ଫଳଟି ପହଁଚିବ ।”

ରାଜା ପ୍ରଥମଦିନ ବଡରାଣୀଙ୍କ ମହଲରେ ଯାଇ ବିଶ୍ରାମ କଲେ । ତାଙ୍କୁ କହିଲେ, “ତୁମେ ସ୍ନାନ ସାରି ଠାକୁରାଣୀଙ୍କୁ ପୂଜା କରିବା ପରେ ଯାଇ ଏ ଫଳଟି ଗ୍ରହଣ କରିବ ।”

ବଡରାଣୀ ବି ରାଜାଙ୍କ ଆଜ୍ଞାନୁସାରେ ସେହି ଫଳଟି ଆଣି ଖାଇଦେଲେ । ଆର ଫଳଟି ରାଜା ନିଜ ତକିଆ ତଳେ ଥୋଇ ଶୋଇପଡିଲେ । ବଡରାଣୀ ମନୋରମା ତାହା କିନ୍ତୁ ଲକ୍ଷ୍ୟ କରିଥିଲେ । ହଠାତ୍ ତାଙ୍କ ମନରେ ସାନରାଣୀଙ୍କ ପ୍ରତି ଟିକେ ଈର୍ଷା ହେଲା । ତେଣୁ ସେ ବିଚାରିଲେ, “ଆର ଫଳଟି ସେ ଖାଇଦେଲେ କାଳେ ତାଙ୍କର ଦୁଇଟି ସନ୍ତାନ ଆସିବେ । ତାପରେ ସେ ହେବେ ରାଜାଙ୍କର ଅତ୍ୟନ୍ତ ପ୍ରିୟ । ପୁଅ ନ ହେଲେ ସେ ସାନରାଣୀଙ୍କୁ କେହି ବି ଆଦୌ ପଚାରିବେ ନାହିଁ ।”

ଏହା ଭାବି ସତକୁ ସତ ମନୋରମା ରାଜାଙ୍କ ତକିଆତଳୁ ସେ ଫଳଟି ଆଣି ଖାଇଦେଲେ ।

ସକାଳୁ ଉଠି ସେ ରାଜା ଯେତେବେଳେ ତାଙ୍କ ସାନରାଣୀଙ୍କ ମହଲକୁ ଯିବା ପାଇଁ ବାହାରିଲେ, ତକିଆତଳୁ ଫଳଟି ଖୋଜିଲେ । ଆର ଫଳଟି କାହିଁ ବୋଲି ବଡରାଣୀଙ୍କୁ ରାଜା ପଚାରିଲେ । ଏପରି କଥା ଶୁଣି ବଡରାଣୀ ତାଙ୍କ ମନରେ ହସ ଫୁଟାଇ ଉତ୍ତର ଦେଲେ, “ମହାରାଜ ! ଫଳଟି ଭାରି ସୁଆଦ ଲାଗିଲା । ତେଣୁ ମୁଁ ଆର ଫଳଟି ବି ଖାଇଦେଲି ।”

ଏକଥା ଶୁଣି ସେ ରାଜାଙ୍କର ମନଟି ହଠାତ୍ ଶୁଖିଗଲା । ତାପରେ ଅତ୍ୟନ୍ତ ଦୁଃଖରେ ସେ ଭାଙ୍ଗିପଡିଲେ । ସାନରାଣୀଙ୍କୁ ଏବେ ସେ ରାଜା କି ଜବାବ୍ ଦେବେ ! ବଡରାଣୀ ମନୋରମାଙ୍କ ହୃଦୟରେ ଏତେ କପଟତା ଅଛି ବୋଲି ସେ ରାଜା ଅବା କିପରି ଅନୁମାନ କରିବେ !

ଏପରି ଭାବି ଭାବି ସେ ରାଜା ଯାଇ ପହଁଚିଲେ କାବ୍ୟାଳଙ୍କାରାଙ୍କ ମହଲରେ । ସେଠାରେ ସାନରାଣୀ ଓ ତାଙ୍କ ଦାସୀମାନେ ରାଜାଙ୍କୁ ବି ଅତ୍ୟନ୍ତ ଆଦରରେ ପାଛୋଟି ନେଲେ । ସେଠାରେ ସେମାନେ ଯତ୍ନର ସହିତ ରାଜାଙ୍କୁ ସମସ୍ତ ଚର୍ଚ୍ଚା କଲେ । ହେଲେ ସେ ରାଜାଙ୍କ ମନରେ ଆଦୌ ଟିକିଏ ବି ସୁଖ ନ ଥାଏ । ଏସବୁ ଅନୁମାନ କରି ସେ ସାନରାଣୀ ଅତ୍ୟନ୍ତ ବିଚଳିତ ହୋଇ ରାଜାଙ୍କୁ ପଚାରିଲେ – “ମହାରାଜ ! ଆପଣଙ୍କ ମନରେ ସରାଗ କାହିଁକି ନାହିଁ । ମୋତେ ସେ ସବୁକଥା ଖୋଲି କରି କହନ୍ତୁ ।”

ତାପରେ ରାଜା ତାଙ୍କ ବଡରାଣୀଙ୍କର ବ୍ୟବହାର କଥା ସବୁ ବର୍ଣ୍ଣନା କଲେ । ସେ ସାନରାଣୀ କେତେ ଆଶାରେ ଦେବୀଙ୍କର ଫଳ ପାଇବା ପାଇଁ ଅପେକ୍ଷା କରି ସ୍ୱପ୍ନ ଦେଖୁଥିଲେ, ସେ ଏଣିକି ମାଆ ହେବେ । ତାଙ୍କର କୋଳରେ ବି ସନ୍ତାନଟିଏ ହସି ଉଠିବ! ହେଲେ ଏସବୁ ଶୁଣି ହଠାତ୍ ତାଙ୍କର ସବୁ ସ୍ୱପ୍ନ କୁଆଡେ ଉଭେଇଗଲା । ତାପରେ ସେ ସାନରାଣୀ କେବଳ ନିଜର ଭାଗ୍ୟକୁ ନିନ୍ଦାକରି କାନ୍ଦିବାକୁ ଲାଗିଲେ ।

ଏଇମିତି କେତେ ମାସ ଚାଲିଗଲା । ଦିନେ ସେ ବଡରାଣୀ ମନୋରମାର କୋଳରେ ଜନ୍ମ ହେଲେ ଯାଆଁଳା ସନ୍ତାନ ଦୁଇଟି । ଦେଖିବାକୁ ସେମାନେ ଠିକ୍ ଚନ୍ଦ୍ରଉଦିଆ ପରି । ଏତେକାଳ ପରେ ସେ ରାଜାଙ୍କ ଘରେ ପୁଅ ହୋଇଛି । ତେଣୁ ସେ ରାଜମହଲରେ କେତେ ପ୍ରକାର ଉତ୍ସବ ଅନୁଷ୍ଠାନ ହେଲା । ପୁଅର ମାଆ ବୋଲି ସମସ୍ତଙ୍କର ଖୁବ୍ ଆଖି ସେ ବଡରାଣୀଙ୍କ ଉପରେ । ରାଜା ମଧ୍ୟ ଏହି ଉତ୍ସବରେ ଏପରି ମାତିଗଲେ ଯେ, ସେ ତାଙ୍କ ସାନରାଣୀଙ୍କୁ ସୁଦ୍ଧା ସ୍ମରଣ କଲେ ନାହିଁ । କଥାରେ ପରା ଅଛି, “ଦୈବର ଲିଖନ, କେ କରିବ ଆନ” ।

ଦୁଇ ପୁଅଙ୍କର ନାଁ ଦିଆହେଲା । ବଡପୁଅର ଆଖି ଦୁଇଟି ଠିକ୍ ପଦ୍ମ ଫୁଲପରି, ତେଣୁ ତାର ନାମ ରଖାଗଲା ଇନ୍ଦୀବରସେନ । କିନ୍ତୁ ଦ୍ୱିତୀୟ ପୁଅଟି ତ ସାନରାଣୀଙ୍କ କୋଳରେ ଆସିଥାଆନ୍ତା । ହେଲେ ଭାଗ୍ୟର ବିଡମ୍ବନା । ତାହା ତ ଆଦୌ ହୋଇପାରିଲା ନାହିଁ । ତେଣୁ ସେ ରାଜା ତାର ନାମ ରଖିଲେ ଅନିଚ୍ଛାସେନ ।

ଏଣିକି ସେ ବଡରାଣୀ ମନୋରମା ଖାଲି ପୁତ୍ର ଗର୍ବରେ ବାଟ ଚାଲୁଥାନ୍ତି । ତାଙ୍କରି କଥାରେ ସେ ରାଜା ବି ପରିଚାଳିତ । କିନ୍ତୁ ଏପଟେ ସାନରାଣୀ ଅବହେଳିତା ହୋଇ ଅତ୍ୟନ୍ତ ଦୁଃଖରେ ଥାଆନ୍ତି ।

ଦିନକର କଥା । ଦୁଇ ରାଜକୁମାର ଖେଳିବା ଅବସରରେ ସାନରାଣୀଙ୍କ ମହଲ ଆଡେ ଟିକେ ମାଡିଗଲେ । ଏ ପୁଅ ଦୁହିଁଙ୍କୁ ଦେଖି ସେ ସାନରାଣୀଙ୍କର କେତେ ଯେ ଆନନ୍ଦ । ଦୁହିଁଙ୍କୁ କୋଳ କରି ଖାଲି ଗେଲ କରିବାକୁ ଲାଗିଲେ ସେ ସାନରାଣୀ । ଠିକ୍ ଏତିକିବେଳେ ବଡରାଣୀଙ୍କର ଦାସୀ ଆସି ସେଠାରେ ହାଜର୍ । ତାପରେ ସେ ଜୋର୍ କରି ଦୁଇପୁଅଙ୍କୁ ଛଡାଇ ନେଇଗଲା ସେ ସାନରାଣୀଙ୍କଠାରୁ । ସେ ଦାସୀ ଧୀରେ ଧୀରେ ଏହା ମଧ୍ୟ ଶୁଣାଇ ଦେଇଗଲା – “ଆଣ୍ଠୁକୁଡା ନଜର ପଡିଲେ ପୁଅ ଦୁହିଁଙ୍କର ନିଶ୍ଚୟ ଅମଙ୍ଗଳ ହେବ ।”

ଏତିକି କଥା ଶୁଣି ସେ ସାନରାଣୀ ଖାଲି ଅତ୍ୟନ୍ତ ଅନୁତାପରେ ଭାଙ୍ଗିପଡିଲେ । ଈର୍ଷାରେ ତାଙ୍କର ହୃଦୟ କେବଳ ଜଳିବାକୁ ଲାଗିଲା । ସେହିଦିନୁ ସେ ଆଉ କେବେହେଲେ ବି ପୁଅ ଦୁହିଁଙ୍କ ଆଡେ ମୋଟେ ଚାହିଁ ନାହାଁନ୍ତି । କିନ୍ତୁ ସାନରାଣୀ ଈର୍ଷାରେ ସବୁବେଳେ ସେମାନଙ୍କର ଅମଙ୍ଗଳ ହିଁ ଚିନ୍ତା କରିଛନ୍ତି । ମନକୁ ତାଙ୍କର ଯେତେ ବୁଝାଇଲେ ମଧ୍ୟ ତାହା କିନ୍ତୁ ଆଦୌ ଆୟତ ହୁଏନାହିଁ ।

ଏମିତି ଚାହୁଁ ଚାହୁଁ କୋଡିଏ ବର୍ଷ ଅତୀତ ହୋଇଗଲା । ସେ ରାଜକୁମାର ଦୁହେଁ ଏଣିକି ଯୁବକ । ନାନା ବିଭିନ୍ନ ବିଦ୍ୟା ଓ ଶସ୍ତ୍ର ବିଦ୍ୟାରେ ସେମାନେ ନିପୁଣ । ଦିନେ ସେ ଦୁଇଭାଇ ମହାରାଜାଙ୍କ ପାଖରେ ପ୍ରସ୍ତାବ କଲେ – “ପିତା ! ଆମକୁ ଦିଗ୍ବିଜୟ ପାଇଁ ଅନୁମତି ଦିଅନ୍ତୁ । ତାହେଲେ ଯାଇ ଦେଶ ଭ୍ରମଣର ଅନୁଭୂତି ସହିତ ରାଜ୍ୟଜୟର ଗୌରବ ମଧ୍ୟ ଆମକୁ ମିଳିବ ।”

ରାଜା ବି ତାଙ୍କ ଦୁଇ ସନ୍ତାନଙ୍କର ଯୋଗ୍ୟତା ବିଷୟରେ ନିଃସନ୍ଦେହ ଥିଲେ । ତେଣୁ ପିତାଙ୍କର ଅନୁମତିକ୍ରମେ ଏକ ସେନାବାହିନୀର ନେତୃତ୍ୱ ନେଇ ସେ ଦୁଇ ଭାଇ ବାହାରି ପଡିଲେ । ବିଦାୟ ବେଳରେ ସେ ମହାରାଜ ପରିତ୍ୟାଗସେନ ତାଙ୍କ ଦୁଇପୁଅଙ୍କୁ ଆଶୀର୍ବାଦ କରି କହିଲେ, “ତୁମେ ଦୁହେଁ ମା’ ଚଣ୍ଡୀଙ୍କର କୃପାରେ ଜନ୍ମ ଗ୍ରହଣ କରିଛ । ବାଟରେ କୌଣସି ବିପଦ ପଡିଲେ ତୁମେ ଦୁହେଁ ତାଙ୍କୁ ହିଁ ସ୍ମରଣ କରିବ । ସେ ହିଁ ତୁମକୁ ରକ୍ଷା କରିବେ ।”

ଏକ ବିଶାଳ ସେନାବାହିନୀର ତ ନେତୃତ୍ୱ ନେଇଥାଆନ୍ତି ଏ ଦୁଇ ରାଜକୁମାର । ତେଣୁ ପ୍ରଥମେ ସେମାନେ ପୂର୍ବଦିଗକୁ ମାଡିଚାଲିଲେ । ଯେତେ ରାଜ୍ୟ ସେମାନେ ଅତିକ୍ରମ କଲେ, ସେହି ଦେଶର ରାଜାମାନେ ହେଲେ ନତମସ୍ତକ । ସେହି ଦେଶର ରାଜାମାନେ ଏ ଦୁଇଭାଇଙ୍କ ନିକଟରେ ବଶ୍ୟତା ମଧ୍ୟ ସ୍ୱୀକାର କଲେ । ସେ ଦୁଇ ରାଜକୁମାରଙ୍କ ଦିଗ୍ବିଜୟର କାହାଣୀ ତାଙ୍କ ରାଜଧାନୀ ଇରାବତୀ ନଗରୀରେ ପହଁଚୁଥାଏ । ଏସବୁ ଶୁଣି ସେ ରାଜା ଓ ତାଙ୍କ ବଡରାଣୀଙ୍କର ଆନନ୍ଦ ଆଉ ପୁଣି ଦେଖେ କିଏ? ଏଇଥିପାଇଁ ସେ ରାଜ୍ୟସାରା ଖାଲି ଉତ୍ସବ ପାଳନ କରାଯାଉଥାଏ । କିନ୍ତୁ ଏହି ଆନନ୍ଦ ଉତ୍ସବରେ କେବଳ ଭାଗ ନ ଥାଏ ସେ ସାନରାଣୀଙ୍କର । କେହି ବି ତାଙ୍କୁ ଆଦୌ ପଚାରନ୍ତି ନାହିଁ । ଦିନକୁ ଦିନ ସେ ସାନରାଣୀ କାବ୍ୟାଳଙ୍କାରା ଈର୍ଷା ଓ କ୍ରୋଧରେ ଭାଙ୍ଗି ପଡୁଥାଆନ୍ତି । ତାଙ୍କର ଅଶାନ୍ତି ବି ସେମିତି ଦିନକୁ ଦିନ ବଢି ବଢି ଚାଲିଥାଏ ।

ଦିନେ ସାନରାଣୀ ତାଙ୍କ ମହାମନ୍ତ୍ରୀଙ୍କୁ ଡକାଇ ପଠାଇଲେ । ସେ ମହାମନ୍ତ୍ରୀ ଥିଲେ ସାନରାଣୀଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ, କାରଣ ଏକଦା ରାଜାନିଗ୍ରହରୁ ସାନରାଣୀ ତାଙ୍କୁ ରକ୍ଷା କରିଥିଲେ ।

ମହାମନ୍ତ୍ରୀ ଆସି ସେ ସାନରାଣୀଙ୍କୁ ସମ୍ମାନ ଜଣାଇ ଡାକିବାର କାରଣ ପଚାରିଲେ । ସାନରାଣୀ ଅତ୍ୟନ୍ତ ଗୋପନରେ ନିଜର ମନୋଭାବ ପ୍ରକାଶ କଲେ । ସନ୍ତାନଗର୍ବିତା ସଉତୁଣୀର ଅଭିମାନ ସେ ଆଉ ମୋଟେ ସହ୍ୟ କରିପାରୁ ନାହାଁନ୍ତି । ସେଥିରେ ରାଜା ମଧ୍ୟ ତାଙ୍କଠାରୁ ଆସ୍ତେ ଆସ୍ତେ ଦୂରେଇ ଗଲେଣି । ତେଣୁ ସେ ଇଚ୍ଛା କରନ୍ତି, ଏହାର ଚରମ ପ୍ରତିଶୋଧ ନେବେ ।

ସାନ ରାଣୀଙ୍କର ଏ ପ୍ରକାର ପ୍ରସ୍ତାବ ଶୁଣି ସେ ମହାମନ୍ତ୍ରୀ ଜଣକ ହଠାତ୍ ଭୟରେ ଚମକି ପଡିଲେ । କାହିଁକିନା ସେ ରାଣୀଙ୍କର ପ୍ରସ୍ତାବ ହେଲା – ରାଜାଙ୍କର ଦସ୍ତଖତ ମୋହର ଜାଲ କରି ଏକ ଆଦେଶ ପଠାଇବାକୁ ହେବ ତାହା ପୁଣି ସମସ୍ତଙ୍କ ଅଜାଣତରେ । ସେ ଚିଠିପାଇ ସାମନ୍ତମାନେ ଯେପରି ସେ ଦୁଇ ରାଜକୁମାରଙ୍କୁ ସଙ୍ଗେ ସଙ୍ଗେ ହତ୍ୟା କରନ୍ତି ।

ଏସବୁ ଶୁଣି ମହାମନ୍ତ୍ରୀ କହିଲେ – “ମହାରାଣୀ ! ଏହି ନୃଶଂସ କାର୍ଯ୍ୟ ଦିନେ ହେଲେ ତ ପ୍ରକାଶିତ ହେବ । ସେତେବେଳେ ପରିଣାମ ହେବ ଫାଶୀକାଠରେ ଝୁଲିବା । ସେତେବେଳେ ତ କେହି ବି ଆଉ ଆପଣଙ୍କୁ କ୍ଷମା ଦେଇପାରିବେ ନାହିଁ ।”

ସବୁଶୁଣି ସେ ସାନରାଣୀ କହିଲେ – “ସେଥିପାଇଁ ତୁମେ ଆଦୌ ବ୍ୟସ୍ତ ହୁଅନାହିଁ । ଏପରି ଏକ ଅବହେଳିତ ଜୀବନ ଯାପନ କରିବା ଅପେକ୍ଷା ବରଂ ଫାଶୀକାଠରେ ଝୁଲିବା ଶହେଗୁଣ ଭଲ । ମାତ୍ର ତା’ପୂର୍ବରୁ ଏ ଦୁଇ ରାଜକୁମାରଙ୍କର ଜୀବନ ଦୀପ ଲିଭାଇଦେବାକୁ ମୁଁ ଇଚ୍ଛା କରେ ।”

ମହାମନ୍ତ୍ରୀ ଏବେ ଆଉ କ’ଣ କରିବେ । ରାଣୀଙ୍କର ଇଚ୍ଛାନୁଯାୟୀ ରାଜାଙ୍କର ଦସ୍ତଖତ ମୋହର ଜାଲ କରି ଅତ୍ୟନ୍ତ ଗୋପନରେ ରାଜାଦେଶ ପଠାଇଦେଲେ ।

ସେହି ସମୟରେ ତ ସେ ଦୁଇ ରାଜକୁମାର ଚାନ୍ଦାବାର ସହରରେ ନିଜ ଡେରା ପକାଇଥାନ୍ତି । ସେନାପତି ସାମନ୍ତରାଜା ଓ ସୈନ୍ୟମାନେ କିଛିଦିନ ସେଠାରେ ବିଶ୍ରାମ କରି ପୁନର୍ବାର ତାଙ୍କ ଅଭିଯାନ ଆରମ୍ଭ କରିବେ ।

ଏହି ସମୟରେ ହଠାତ୍ ସେ ରାଜକୀୟ ଗୋପନ ଆଦେଶନାମା ଶିବିରରେ ଯାଇ ପହଁଚିଗଲା । ତାପରେ ସେନାପତି ସାମନ୍ତମାନଙ୍କର ଏକ ଗୋପନ ସଭା ଆହ୍ୱାନ୍ କଲେ । ରାଜାଙ୍କର ଆଦେଶ – ତୁରନ୍ତ ସେ ଦୁଇ ରାଜକୁମାରଙ୍କୁ ହତ୍ୟା କରି ଖବର ପଠାଇବାକୁ ହେବ । ଏସବୁ ଶୁଣି ସମସ୍ତେ ମନେ ମନେ ଭାବିଲେ, ଏ କି ଭୟଙ୍କର ଆଦେଶ ! ଏହି ପରି ଆଦେଶକୁ ହଠାତ୍ କେହି ବି ବିଶ୍ୱାସ କରିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ମାତ୍ର ଏବେ ଉପାୟ କ’ଣ? ରାଜାଙ୍କର ଦସ୍ତଖତ ମୋହର ଯେ ଅଭ୍ରାନ୍ତ! ତେଣୁ ସେ ସାମନ୍ତମାନେ ନିଷ୍ପତି କଲେ ରାତି ପାହିଲେ ରାଜାଦେଶ ନିଶ୍ଚୟ ପାଳନ କରାଯିବ ।

ସେତେବେଳକୁ ମଧ୍ୟରାତ୍ରିର ଘନ ଅନ୍ଧକାର । ଶିବିରମାନଙ୍କରେ ସମସ୍ତେ ବିଶ୍ରାମ କରୁଥାଆନ୍ତି । ଦୁଇ ରାଜ କୁମାର ମଧ୍ୟ ନିଶ୍ଚିନ୍ତରେ ନିଦ୍ରା ଯାଇଥାଆନ୍ତି । ମାତ୍ର ଏଣେ ଜଣେ ବୃଦ୍ଧ ସାମନ୍ତଙ୍କ ଆଖିରେ ଆଦୌ ନିଦ ନାହିଁ । ଦୁଇ ରାଜକୁମାରଙ୍କ ପ୍ରତି ତାଙ୍କର ଖୁବ୍ ଦୟା ହେଲା । ରାଜାଙ୍କର ଏପରି ଅନ୍ୟାୟ ଆଦେଶ ସେ ବୃଦ୍ଧ ଜଣକ ଆଦୌ କାର୍ଯ୍ୟକାରୀ କରାଇ ଦେବେ ନାହିଁ । ସେହି ନିର୍ଜନ ରାତିରେ ବୃଦ୍ଧ ସାମନ୍ତ ଯାଇ ଦୁଇ ରାଜକୁମାରଙ୍କ ଶିବିରରେ ପହଁଚିଲେ । ଅତି ଧୀରେ ସେମାନଙ୍କୁ ଉଠାଇ କହିଲେ – “ତୁରନ୍ତ ଘୋଡା ପିଠିରେ ପଳାୟନ କର । ନଚେତ୍ ସକାଳ ପାହିଲେ ତୁମ ପ୍ରାଣସଙ୍କଟ ଉପସ୍ଥିତ ।”

ସେ ବୃଦ୍ଧ ସାମନ୍ତ ଓ ଦୁଇ ରାଜକୁମାର ରାତିସାରା ଘୋଡାରେ ଚଢି ପଳାୟନ କଲେ । ରାତି ପାହିଲା ବେଳକୁ ସେମାନେ ଯାଇ ବହୁତ ଦୂରରେ । ସେମାନେ ଯାଇ ପହଁଚିଥିଲେ ବିନ୍ଧ୍ୟ ଅଂଚଳର ଘନ ଅରଣ୍ୟ ମଧ୍ୟରେ । କିନ୍ତୁ ସେ ବୃଦ୍ଧ ସାମନ୍ତ ଏହି ପଥଶ୍ରମ ଆଉ ସହିପାରିଲେ ନାହିଁ । ତେଣୁ ସେ ସେହି ଅରଣ୍ୟ ମଧ୍ୟରେ ପହଁଚିବାମାତ୍ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

ଏଣେ ସେନାଶିବିରରେ ଚହଳ ପଡିଗଲା । ସେ ଦୁଇ ରାଜକୁମାରଙ୍କର ଶିବିର ଖାଲି ପଡିଛି । ଚାରିଆଡକୁ ଦୂତ ପଠାଇ ସାମନ୍ତମାନେ ଶେଷରେ ହତାଶ ହେଲେ । ତାପରେ ସେମାନେ ତାଙ୍କ ରାଜାଙ୍କ ନିକଟକୁ ଏ ସମସ୍ତ ଘଟଣା ବର୍ଣ୍ଣନା କରି ଏକ ଚିଠି ଲେଖିଲେ ।

ରାଜାଙ୍କର ଦସ୍ତଖତ ମୋହର ଜାଲ୍ କରି ଏପରି ନିଷ୍ଠୁର ଆଦେଶ ଦିଆଯିବା ଘଟଣାର ଭଲ ଭାବରେ ଅନୁସନ୍ଧାନ ଚାଲିଲା । ରାଜା କେବଳ ସନ୍ଦେହରେ ତାଙ୍କ ମହାମନ୍ତ୍ରୀଙ୍କୁ ରାଜ୍ୟରୁ ବିତାଡିତ କରିଦେଲେ । ତାପରେ ସେ ଏହା ମଧ୍ୟ ଜାଣିବାକୁ ପାଇଲେ, ତାଙ୍କ ସାନରାଣୀଙ୍କ ଚକ୍ରାନ୍ତରେ ହିଁ ଏସବୁ ଘଟିଛି । ତେଣୁ ତାଙ୍କୁ ମଧ୍ୟ ପାତାଳି ବନ୍ଦୀଘରେ ଆବଦ୍ଧ କରି ରଖିବାକୁ ଆଦେଶ ଦିଆଗଲା ।

ଏଣେ ସେ ବିନ୍ଧ୍ୟ ଅଂଚଳର ଅରଣ୍ୟ ମଧ୍ୟରେ ଦୁଇ ରାଜକୁମାର ଖୁବ୍ ଅସହାୟ ଅବସ୍ଥାରେ ଏଣେତେଣେ ଖାଲି ବୁଲୁଥାଆନ୍ତି । ଚାରିଆଡେ ତ ଖାଲି ବିପଦ । ରାଜାଙ୍କ ଅନୁଚରମାନେ ମଧ୍ୟ ସେମାନଙ୍କୁ ଖୋଜିବା ପାଇଁ ବୁଲୁଥିବେ । ଧରାପଡିଲେ ତ ପ୍ରାଣଦଣ୍ଡ ସୁନିଶ୍ଚିତ । ତାଙ୍କ ପାଇଁ ସେ ବୃଦ୍ଧ ସାମନ୍ତ ନିଜ ପ୍ରାଣ ଦେଲେ ।

ଏହିପରି ଏକ ସଙ୍କଟ କାଳରେ ହଠାତ୍ ରାଜାଙ୍କର ଉପଦେଶ ସେ ଦୁଇରାଜକୁମାରଙ୍କର ମନେପଡିଲା । ସେମାନେ ଦୁହେଁ ଚଣ୍ଡୀଙ୍କର ଅନୁଗ୍ରହରେ ହିଁ ଜନ୍ମ ହୋଇଛନ୍ତି । ତେଣୁ ତାଙ୍କୁ ହିଁ ସ୍ମରଣ କରିବାକୁ ହେବ ବୋଲି ଦୁଇ ରାଜକୁମାର ଶେଷ ନିଷ୍ପତି ନେଲେ ।

ବଡରାଜକୁମାର ଇନ୍ଦୀବର ସେହିକ୍ଷଣି ହିଁ ଅତ୍ୟନ୍ତ ନିଷ୍ଠାର ସହିତ ଚଣ୍ଡୀଙ୍କୁ ପ୍ରାର୍ଥନା କଲେ । ସେପଟେ ଚଣ୍ଡୀଙ୍କର ଆସନ ବି ଟଳିଲା । ତେଣୁ ସେ ଚଣ୍ଡୀ ଏ ବଡ ରାଜକୁମାରଙ୍କ ଆଗରେ ଉପସ୍ଥିତ ହୋଇ ତାଙ୍କୁ ଗୋଟିଏ ତରବାରୀ ଉପହାର ଦେଲେ । ଚଣ୍ଡୀ କହିଲେ, “ରାଜକୁମାର ! ଏହି ଦୈବୀ ତରବାରୀ ତୁମ ହାତରେ ଥିଲା ପର୍ଯ୍ୟନ୍ତ କିଛିବି ବିପଦ ତୁମକୁ ବାଧିବ ନାହିଁ ।”

ତାପରେ ସେ ଦୁଇ ଭାଇ ଖୁସି ମନରେ ଆଗକୁ ଚାଲିଲେ । କିଛିଦିନ ବୁଲି ବୁଲି ସେମାନେ ଆସି ପହଁଚିଲେ ଏକ ପ୍ରାଚୀନ ଦୁର୍ଗରେ । ତାର ଚାରିଆଡେ ତ ସୁଦୃଢ ପଥର ପାଚେରି । ଏହି ଦୁର୍ଗର ସିଂହଦ୍ୱାରରେ ବିକଟାଳ ଅସୁରଟାଏ ଜଗି ରହିଛି । ଦୁଇଭାଇଙ୍କୁ ଦେଖି ସେ ଅସୁର ହଠାତ୍ ସେମାନଙ୍କ ଆଡକୁ ମାଡି ଆସିଲା । କିନ୍ତୁ ଦୈବୀ ତଲୁଆର ଦେଖାଇଲା ମାତ୍ରେ ସେ ଅସୁରଟା ସଙ୍ଗେ ସଙ୍ଗେ ଭସ୍ମ ହୋଇଗଲା ।

ଏଣିକି ଦୁଇଭାଇ ସେ ଦୁର୍ଗ ମଧ୍ୟରେ ପ୍ରବେଶ କଲେ । ଏ ତ ବଡ ଆଶ୍ଚର୍ଯ୍ୟ କଥା । କୌଣସିଠାରେ ବି କୁଆକୋଇଲିର ଶବ୍ଦ ନାହିଁ । ରାସ୍ତାଘାଟ, ଘରଦ୍ୱାର, ଚାରିଆଡେ ଖାଲି ନିର୍ଜନ । ସେଠାରେ କୌଣସି ମଣିଷର ଚଳପ୍ରଚଳ ସ୍ୱପ୍ନ ପ୍ରାୟ । ତାପରେ ସେଠାକାର ବଜାର ମଧ୍ୟରେ ଏ ଦୁଇ ଭାଇ ଖାଲି ବୁଲିବାକୁ ଲାଗିଲେ । ସେମାନେ ଦୁହେଁ ଦେଖିଲେ ସେଠାରେ ଅସୁମାରୀ ଜିନିଷ ସଜା ହୋଇଛି । ହେଲେ ସେଠାରେ କେହି କିଣିବାକୁ ନାହିଁ କି ବିକିବାକୁ ବି ନାହିଁ ।

ଏସବୁ ଦେଖି ସେ ଦୁଇ ଭାଇ ବିଚାରିଲେ – ଏଥିରେ କିଛି ରହସ୍ୟ ନିଶ୍ଚୟ ଅଛି । ନଚେତ୍ ଏପରି ଏକ ନଗର ମାନବଶୂନ୍ୟ ହୁଅନ୍ତା ବା କାହିଁକି? କିଛି ବାଟ ଆଗରେ ପଡିଲା ଏକ ବିଶାଳ ରାଜପ୍ରାସାଦ । ସେଠାରେ କାଳେ କାହା ସହିତ ସାକ୍ଷାତ ହୋଇପାରେ ! ଏପରି ଭାବି ସେ ଦୁଇ ରାଜକୁମାର ପ୍ରାସାଦ ମଧ୍ୟରେ ପଶିଲେ । ତା ଭିତରେ ପହଁଚି ସେମାନେ ଦେଖିଲେ ଏକ ଖୋଲା ହଲ୍ରେ ବିରାଟ ସୁନ୍ଦର ସିଂହାସନ । ତାରି ଉପରେ ଏକ ଭୟଙ୍କର ଅସୁର ଟିକେ ଘୁମାଇ ପଡିଛି । ତାକୁ ପୁଣି ସେବା କରୁଛନ୍ତି ଦୁଇଜଣ ରାଜକୁମାରୀ ।

ଏତେଦିନପରେ ଦୁଇଜଣ ମଣିଷଙ୍କୁ ଦେଖି ସେ ରାଜକୁମାରୀ ଦ୍ୱୟ ହଠାତ୍ ଟିକେ ଚମକି ପଡିଲେ । ଏତିକିବେଳେ ସେ ଅସୁରର ନିଦ ବି ଭାଙ୍ଗିଗଲା । ସମ୍ମୁଖରେ ଦୁଇଜଣ ମଣିଷକୁ ଦେଖି ସତେ ଯେମିତି ସେ ଅସୁର ପାଟିରୁ ଖାଲି ଲାଳ ବୋହିବାକୁ ଲାଗିଲା ।

ଏଥିରେ ସେ ବଡ ରାଜକୁମାର ଆଦୌ କିଛି ଭୟ ନ କରି ଅସୁରକୁ ପଚାରିଲେ – “ଆମେ କେଉଁଠାରେ ଆସି ପହଁଚିଛୁ ।”

ଏକଥା ଶୁଣି ସେ ଅସୁର ବିକଟାଳ ହସ ହସି କହିଲା – “ଏ ଦୁର୍ଗର ରାଜା ପ୍ରଜା ସମସ୍ତେ ମୋର ଆହାର ହୋଇଛନ୍ତି । ଏହି ଦୁଇ ରାଜା ଝିଅଙ୍କର ରୂପ ମୋତେ ପାଗଳ କରିଛି । ତେଣୁ କେବଳ ସେମାନେ ବଂଚିଗଲେ । ତୁମକୁ ଏ ପୁରକୁ କିଏ ପଠାଇଲା? ତୁମ ଦୁହିଁଙ୍କୁ ଖାଇଲେ ହିଁ ମୋର ବହୁଦିନର କ୍ଷୁଧା ମେଂଟିବ ।”

ଏତିକି କହି ସେ ଅସୁର ଯେମିତି ରାଜକୁମାର ଆଡକୁ ନିଜ ହାତ ବଢାଇଛି, ବଡ ରାଜକୁମାର ସେହିକ୍ଷଣି ତାକୁ ଦୈବୀ ଖଣ୍ଡାଟିକୁ ଦେଖାଇଦେଲେ । ଚାହୁଁ ଚାହୁଁ ସେ ରାକ୍ଷସଟି ଜଳିପୋଡି ପାଉଁଶ ହୋଇଗଲା ।

ଏଥର ବଡ ରାଜକୁମାର ସେ ଦୁଇ ରାଜାଝିଅଙ୍କର ପରିଚୟ ପଚାରିଲେ । ତେଣୁ ସେ ଦୁଇ ରାଜଝିଅଙ୍କ ମଧ୍ୟରୁ ଜଣେ କହିଲା – “ଆମେ ଦୁଇ ଭଉଣୀ । ମୋର ନାମ ମଦନମଞ୍ଜରୀ । ମୋର ସାନ ଭଉଣୀର ନାମ ରତ୍ନମଞ୍ଜରୀ । ଆମର କପାଳ ବଡ ଅଭାଗ୍ୟ । ଆମର ଆଖି ଆଗରେ ଏ ଅସୁର ଗୋଟି ଗୋଟି କରି ଆମ ରାଜ୍ୟର ସମସ୍ତ ପ୍ରଜାମାନଙ୍କୁ ଖାଇଲା । ଶେଷରେ ରାଜା ରାଣୀ ସମେତ ଆମ ବଂଶରେ ଆଉ କାହାକୁ ସେ ରଖିଲା ନାହିଁ । କେବଳ ତାର ସେବା କରିବା ପାଇଁ ସେ ଆମ ଦୁଇ ଭଉଣୀଙ୍କ ଜୀବନ ରକ୍ଷା କରିଛି । ଆମ ଦୁଇ ଭଉଣୀଙ୍କ ଉପରେ ଏଣିକି ଅଧିକାର ଆପଣଙ୍କର । ତେଣୁ ଆପଣମାନେ ଆମକୁ ବିବାହ କରି କୃତାର୍ଥ କରନ୍ତୁ ।”

ସେହି ଦୁର୍ଗ ନଗରୀରେ ବାହାହୋଇ ସେ ଦୁଇଭାଇ କିଛିଦିନ ଆନନ୍ଦରେ ରହିଲେ । ପାଖ ରାଜ୍ୟରୁ ଲୋକ ମଧ୍ୟ ଆସି ସେଠାରେ ରହିଲେ । ତାପରେ ସେ ରାଜ୍ୟରେ ପୁଣି ହସ ଖେଳି ବୁଲିଲା ।

କିଛିକାଳ ପରେ ସେମାନଙ୍କର ଘରକଥା ମନେପଡିଲା । ବାପା ବୋଉ ମଧ୍ୟ ମନେ ପଡିଲେ ସେ ଦୁଇ ରାଜକୁମାରଙ୍କର । ତହୁଁ ସେ ସାନ ରାଜକୁମାର ଅନିଚ୍ଛାସେନଙ୍କୁ ତାଙ୍କ ବଡଭାଉଜ ମଦନମଞ୍ଜରୀ କହିଲା – “ହଠାତ୍ ଏପରି ଭାବରେ ରାଜ୍ୟକୁ ଯିବା ଆଦୌ ଠିକ୍ ହେବ ନାହିଁ । କାଳେ ସେମାନଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଥିବ ।”

ଏକଥା ଶୁଣି ସେ ଦୁଇ ଭାଇ ଏବେ କ’ଣ କରିବେ କିଛିବି ଭାବିପାରିଲେ ନାହିଁ । ଏପରି ପରିସ୍ଥିତିରେ ମଦନମଞ୍ଜରୀ କହିଲା – ଆମ ପ୍ରାସାଦରେ ଏକ ମନ୍ତ୍ରପୂତ ଯାନ ରହିଛି । ସେଥିରେ ବସି ଯାତ୍ରା କଲେ କେହିବି ଆଦୌ ଜାଣିପାରିବେ ନାହିଁ । ସାନରାଜକୁମାର ସେହି ଯାନରେ ଅତି ଗୋପନରେ ଯାଇ ରାଜ୍ୟର ହାଲଚାଲ ବୁଝିଆସି ପାରିବେ ।

ତାପରେ ଅନିଚ୍ଛାସେନ ସେ ମନ୍ତ୍ରଯାନରେ ଯାଇ ଇରାବତୀ ନଗରରେ ଓହ୍ଲାଇଲେ ଏକ ଉପବନ ମଧ୍ୟରେ । ସେହିଠାରେ ରାଜପୁରୋହିତ ଫୁଲ ତୋଳୁଥିଲେ । ସେ ସାନରାଜକୁମାରଙ୍କୁ ଦେଖି ରାଜପୁରୋହିତ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ – “ସାନରାଜକୁମାର ! ତୁମେ ଜୀବନରେ ଅଛ । ତୁମ ପାଇଁ ଆମ ରାଜାରାଣୀ ଖାଲି ପାଗଳ ପରି ହେଉଛନ୍ତି । ରାଜ୍ୟବାସୀଙ୍କ ମନରେ ବି ଆଦୌ ସରାଗ ନାହିଁ ।”

ତାପରେ ସେ ସାନରାଜକୁମାର କହିଲା – “ବଡ ରାଜକୁମାର ମଧ୍ୟ ବଂଚିଛନ୍ତି । ଏବେ କୁହ ଆମ ରାଜ୍ୟର ଖବର କଅଣ?”

ଏକଥା ଶୁଣି ରାଜପୁରୋହିତ କହିଲେ – “ସାନରାଣୀଙ୍କ ଚକ୍ରାନ୍ତରେ ତୁମ ଦୁଇଭାଇଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ହୋଇଥିଲା । ରାଜା ଏକଥା ଜାଣିଲାପରେ ତାଙ୍କ ମନ୍ତ୍ରୀଙ୍କୁ ସେ ନିର୍ବାସିତ କରିଛନ୍ତି । ଏବଂ ତାଙ୍କ ସାନରାଣୀଙ୍କୁ ପାତାଳି କାରାଗାରରେ ବନ୍ଦୀ କରାଯାଇଛି ।”

ଏଥର ନିଶ୍ଚିନ୍ତ ମନରେ ଅନିଚ୍ଛାସେନ ଯାଇ ରାଜରାଣୀଙ୍କୁ ସାକ୍ଷାତ କଲା । ଏତେଦିନ ପରେ ସାନପୁଅକୁ ଫେରିପାଇ ସେମାନେ ଅପୂର୍ବ ଶାନ୍ତି ଅନୁଭବ କଲେ । ବଡପୁଅ ମଧ୍ୟ ଏକ ଦୁର୍ଗ ରାଜ୍ୟରେ ରାଜୁତି କରୁଛି ଜାଣି ସେ ରାଜାରାଣୀ ବି ଆହୁରି ଖୁସି ହେଲେ ।

ଅନିଚ୍ଛାସେନ ଏଥର ତାଙ୍କ ବଡଭାଇଙ୍କ ପାଖକୁ ଫେରିଯିବାର କଥା । ହେଲେ ସେ ବଡରାଣୀ ମନୋରମା ତାଙ୍କ ପୁଅକୁ ଏକୁଟିଆ ଛାଡିଦେବାକୁ ଆଦୌ ରାଜି ହେଲେ ନାହିଁ । ତେଣୁ ରାଜାରାଣୀ ତାଙ୍କ ସାନପୁଅ ସହିତ ସେ ମନ୍ତ୍ର ବିମାନରେ ବସି ବାହାରିଲେ ଦୁର୍ଗ ନଗରୀକୁ ।

ଏହା ମଧ୍ୟରେ ପାତାଳି କାରାଗାରରେ ସାନରାଣୀଙ୍କୁ ତାଙ୍କ ଦାସୀମାନେ ସବୁକଥା ତ ଜଣାଉଥାନ୍ତି । ଦୁଇ ରାଜପୁତ୍ର ଜୀବନରେ ଅଛନ୍ତି ବୋଲି ଜାଣି ସେ ସାନରାଣୀ ଅତ୍ୟନ୍ତ ଭାଙ୍ଗିପଡିଲେ । ତାପରେ ସେ ଦେବୀ ଚଣ୍ଡୀଙ୍କୁ କେବଳ ଅନବରତ ପ୍ରାର୍ଥନା କରିବାକୁ ଲାଗିଲେ । ସେ ନିବେଦନ କଲେ – “ହେ ମା’ ଚଣ୍ଡୀ ! ଏ ତୋର କିପରି ନ୍ୟାୟ ! ମୋ ପ୍ରତି କପଟତା କରି ଆଜି ସେ ବଡରାଣୀ ପୁତ୍ରଗର୍ବିଣୀ, ତଥା ରାଜା ସୁହାଗିନୀ । କିନ୍ତୁ ମୁଁ ହେଲି ସନ୍ତାନହୀନା । ତାଫଳରେ ନାନା ଲାଂଛନାର ଶିକାର ମଧ୍ୟ ମୁଁ ହେଲି । ଏପରି ଏକ ଜୀବନ ଧରି ମୋର ବା ଆଉ ଲାଭ କ’ଣ?”

ଏସବୁ ଗୁହାରୀ ଶୁଣି ମା’ ଚଣ୍ଡୀଙ୍କର ସେ ସାନରାଣୀଙ୍କ ପ୍ରତି ଟିକେ ଦୟା ହେଲା । ତହୁଁ ସେ କାରାଗାର ମଧ୍ୟରେ ଦେଖାଦେଇ କହିଲେ – “ତୁ ଆଦୌ ବ୍ୟସ୍ତ ହୁଅ ନାହିଁ । ବାପ ମା’ଙ୍କର ଅନ୍ୟାୟ ତାଙ୍କ ସନ୍ତାନମାନେ ହିଁ ଭୋଗ କରିବେ । ଯାହାଫଳରେ ତୋର ସମସ୍ତ ଦୁଃଖ ଖୁବ୍ ଅଳ୍ପଦିନ ପରେ ହିଁ ଦୂର ହେବ ।”

ଏଣେ ଚଣ୍ଡୀ ସାନରାଣୀଙ୍କୁ ଏହି ବର ଦେଲାବେଳକୁ ତେଣେ ସେ ପଥର ଦୁର୍ଗରେ ବଡ ରାଜକୁମାର ବେହୋସ ହୋଇ ଶେଯରେ ସେମିତି ପଡିରହିଲେ । ଏସବୁ ଦେଖି ଦୁଇ ରାଜକୁମାରୀ ଖାଲି ଅତ୍ୟନ୍ତ ମନ ଦୁଃଖରେ କାଳ କାଟୁଥାଆନ୍ତି ।

ସାନପୁଅ ସହିତ ରାଜାରାଣୀ ଯାଇ ସେ ଦୁର୍ଗ ନଗରୀରେ ପହଁଚିଲେ । ସେମାନେ କେତେ ଆଶା କରିଥିଲେ ବଡପୁଅକୁ ଟିକେ ଭେଟିବେ ବୋଲି । କିନ୍ତୁ ସେ ତ ପ୍ରାଣହୀନ ଅବସ୍ଥାରେ ପଡିରହିଛି । ଏଣେ ତାଙ୍କ ରାଜନଅରରେ ଖାଲି ଶୋକର ଛାୟା । ସାନରାଜକୁମାର ସେ ମନ୍ତ୍ରଯାନରୁ ଓହ୍ଲାଇ ଯେମିତି ଟିକେ ବଡଭାଇକୁ ଛୁଇଁ ଦେଇଛି, ସେ ମଧ୍ୟ ସଙ୍ଗେ ସଙ୍ଗେ ପ୍ରାଣହୀନ ହୋଇ ସେଇଠି ପଡିରହିଲା । ଏସବୁ ଦେଖି ସେ ରାଜାରାଣୀ, ଓ ଦୁଇ ରାଜକୁମାରୀ ହଠାତ୍ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଲେ ।

ସେହିକ୍ଷଣି ରାଜା ରାଣୀ ମା’ ଚଣ୍ଡୀଙ୍କୁ ସ୍ମରଣ କରି ଅଧିଆ ପଡିଲେ । ତହୁଁ ଚଣ୍ଡୀ ତାଙ୍କୁ ସ୍ୱପ୍ନରେ କହିଲେ – “ତୁମେ ଦୁହେଁ ମୋର ଆଦେଶ ଅବଜ୍ଞା କଲ । ବଡରାଣୀ କପଟତା କରି ସାନରାଣୀଙ୍କୁ ଖୁବ୍ ଅପମାନିତ କଲା । ତା’ରି ଫଳ ଏବେ ତୁମେମାନେ ଭୋଗ କରୁଛ । ତୁରନ୍ତ ଯାଇ ସାନରାଣୀଙ୍କୁ ବନ୍ଦିଶାଳାରୁ ଉଦ୍ଧାର କର ଏବଂ ତାକୁ କ୍ଷମାଭିକ୍ଷା ବି କର । ସେ ଆଦର କରି ଏ ଦୁଇ ରାଜକୁମାରଙ୍କୁ ସ୍ପର୍ଶ କଲେ ଯାଇ ସେମାନେ ପୁଣି ତାଙ୍କ ଜୀବନ ଲାଭ କରିବେ ।”

ଏଥର ସେ ରାଜାରାଣୀ ନିଜର ସମସ୍ତ ଦୋଷ ସ୍ୱୀକାର କଲେ । ତାପରେ ସେ ମନ୍ତ୍ରଯାନରେ ଫେରିଯାଇ ସାନରାଣୀଙ୍କୁ କ୍ଷମା ମାଗିଲେ ଏବଂ ପୁଅ ଦୁହିଁଙ୍କୁ ଆଶୀର୍ବାଦ କରିବାକୁ ଖୁବ୍ ପ୍ରାର୍ଥନା କଲେ । ତାପରେ ଯାଇ ସେ ସାନରାଣୀଙ୍କର ସମସ୍ତ ଅଭିମାନ ତୁଟିଗଲା । ଏ ପୁଅ ଦୁହିଁଙ୍କ ପାଇଁ ମନ ତାଙ୍କର ଅତ୍ୟନ୍ତ ବ୍ୟାକୁଳ ହେଲା । ତାପରେ ସମସ୍ତେ ମନ୍ତ୍ରଯାନରେ ପୁଣି ଫେରିଆସିଲେ ସେ ଦୁର୍ଗପୁରୀକୁ । ସାନରାଣୀ ସେ ଦୁଇପୁଅଙ୍କ ମସ୍ତକରେ ଯେମିତି ଥରେ ହାତ ଦେଇଛନ୍ତି, ସେହିକ୍ଷଣି ସେମାନେ ନିଦରୁ ଉଠିଲା ପରି ଶୋଭା ପାଇଲେ । ପୁଅ ଦୁଇଜଣ ତାଙ୍କ ସାନମା’ଙ୍କ ପାଦତଳେ ପ୍ରଣାମ ଜଣାଇ ନିଜକୁ ଅହେତୁକ ଧନ୍ୟ ମନେ କଲେ ।

ଏଣେ ସାନପୁଅ ରାଣୀ ରତ୍ନମଞ୍ଜରୀଙ୍କ ସହିତ ରାଜୁତି କଲେ ଦୁର୍ଗ ନଗରୀରେ । ତେଣେ ବଡପୁଅ ମଦନମଞ୍ଜରୀ ସହିତ ନିଜ ରାଜ୍ୟକୁ ଫେରିଆସିଲେ ଏବଂ ପିତାଙ୍କ ଅନ୍ତେ ତାଙ୍କ ରାଜ୍ୟ ଶାସନ କଲେ ।

ଆଧାର - ଓଡ଼ିଆ ଗପ

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate