କମଳା ତା’ପିଲାଦିନରୁ ମାତୃହୀନା । ପିତାଙ୍କର ବିଶେଷ ରୋଜଗାର ନ ଥିଲେ ମଧ୍ୟ ଅତି ଆଦରରେ ଝିଅ କମଳାକୁ ସେ ଉଭୟ ପିତାମାତାଙ୍କ ସ୍ନେହ ଦେଇ ଲାଳନ ପାଳନ କରିଥାନ୍ତି । ଭଗବାନ ଧନ ସମ୍ପତ୍ତି ନ ଦେଇଥିଲେ ମଧ୍ୟ କମଳାକୁ ଅଶେଷ ସୌନ୍ଦର୍ଯ୍ୟ ଧନରେ ଧନୀ କରିଥାନ୍ତି । ସମସ୍ତେ କମଳାଙ୍କର ସୁନ୍ଦର ରୂପର ଭୁରିଭୁରି ପ୍ରଶଂସା କରନ୍ତି । କମଳା ଧୀରେ ଧୀରେ ଜାଣିପାରିଲେ, ସେ ପ୍ରକୃତରେ ଅପୂର୍ବ ସୁନ୍ଦରୀ । ତେଣୁ ମନ ତାଙ୍କର ସ୍ୱପ୍ନଲୋକରେ ବିଚରଣ କରିବାରେ ଲାଗିଲା । କେଉଁ ଏକ ଜମିଦାର ବା ଧନୀକ ବ୍ୟକ୍ତି, ତାଙ୍କର ଏହି ସୁନ୍ଦର ରୂପ ପାଇଁ ତାଙ୍କୁ ବିବାହ କରିବେ ଓ ସେ ଖୁବ୍ ସମ୍ଭ୍ରାନ୍ତ ମହିଳା ଭାବେ ସୁଖୀ ଜୀବନ ବିତାଇବେ, ଏହି କଳ୍ପନାରେ ତାଙ୍କ ଦିନ କଟୁଥାଏ ।
କମଳାଙ୍କ ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଲା । କିନ୍ତୁ ସବୁ ପ୍ରସ୍ତାବ ମଧ୍ୟବିତ୍ତ ପରିବାରରୁ ଆସୁଥାଏ । ତାହା ପୁଣି ଯୌତୁକ ଦାବୀ କାରଣରୁ ଭାଙ୍ଗି ଯାଉଥାଏ । ପିତାଙ୍କର ଯୌତୁକ ଦେବାର ଅସମର୍ଥତା ହେତୁ କୌଣସି ପ୍ରସ୍ତାବ ସ୍ଥିର ହୋଇ ପାରୁ ନ ଥାଏ ।
ଏପରି ପରିସ୍ଥିତିରେ, ସହରରେ ଚାକିରୀ କରୁଥିବା କିଶୋର କମଳାଙ୍କୁ ଦେଖି ଖୁବ୍ ପସନ୍ଦ କଲେ । ତାଙ୍କର ମଧ୍ୟ ପିଲାଦିନରୁ ପିତାମାତାଙ୍କର ଦେହାନ୍ତ ଘଟିଥିଲା । ବିନା ଯୌତୁକରେ ସେ କମଳାଙ୍କୁ ବିବାହ କରିବାକୁ ରାଜି ଥିଲେ । ଏସବୁ ଦେଖି ସମ୍ପର୍କୀୟମାନେ କମଳାଙ୍କ ଭାଗ୍ୟର ପ୍ରଶଂସା କଲେ । କିନ୍ତୁ କମଳା ନିରାଶ ହେଲେ । କାରଣ ତାଙ୍କର ଉଚ୍ଚାଭିଳାଷ ଓ ଏଇ ବିବାହ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ଥିଲା ।
ସହରରେ କିଶୋରଙ୍କର ନିଜ ଘର ଥାଏ । ବିବାହ ପରେ ସେ ଦୁହେଁ ସେଠାରେ ରହିବା ପାଇଁ ଆସିଲେ । କିଶୋର ତାଙ୍କ ପତ୍ନୀଙ୍କୁ ଖୁବ୍ ଭଲ ପାଉଥାନ୍ତି । ଖାଇବା ପିଇବା ସେ କେଉଁଥିରେ କିଛିବି ଅଭାବ କରନ୍ତି ନାହିଁ । କିନ୍ତୁ କମଳାଙ୍କର ମନ ସବୁବେଳେ ଉଦାସ ଥାଏ । ରେଶମୀ ଶାଢୀ, ବିଭିନ୍ନ ଦାମୀ ଗହଣାର ସ୍ୱପ୍ନ ତାଙ୍କୁ ଘାରୁଥାଏ ।
ଥରେ କିଶୋରଙ୍କର ଜଣେ ସମ୍ପର୍କୀୟ ଏକ ବିଭାଘର ନିମନ୍ତ୍ରଣ ଦେବାପାଇଁ ଆସିଲେ । ଏହି ବ୍ୟକ୍ତି ଅଭାବ ସମୟରେ କିଶୋରଙ୍କୁ ବହୁତ ସାହାଯ୍ୟ କରିଥିଲେ । ତେଣୁ କିଶୋର ତାଙ୍କ ନିମନ୍ତ୍ରଣ ସ୍ୱୀକାର କରି କମଳାଙ୍କୁ କହିଲେ, “ଆମେ ଏଇ ଉତ୍ସବରେ ଯୋଗ ଦେବାପାଇଁ ନିଶ୍ଚୟ ତାଙ୍କ ଗ୍ରାମକୁ ଯିବା ।” କମଳା କିନ୍ତୁ ଏଥିରେ ବିଶେଷ ଉତ୍ସାହ ଦେଖାଇଲେ ନାହିଁ ।
ସେ କହିଲେ, “କେଉଁ ମୁହଁରେ ମତେ ତାଙ୍କ ଘରକୁ ଯିବାପାଇଁ କହୁଛ? ମୋର ଗଳାରେ ସୁନାହାରଟିଏ ନାହିଁ । ପିନ୍ଧିବା ପାଇଁ ଭଲ ଶାଢୀ ଖଣ୍ଡେ ନାହିଁ । ସମସ୍ତେ ମୋତେ ଦେଖି ସେଠାରେ ଉପହାସ କରିବେ । ସମସ୍ତଙ୍କ ଆଗରେ ମୋର ମୁହଁ ତଳକୁ ହେବ । ତୁମର ଇଚ୍ଛା ଥିଲେ ଯାଅ । ହେଲେ ମୋ ଯିବାର ନାମ ଧର ନାହିଁ ।”
ଏଭଳି କଥା ଶୁଣି କିଶୋର ଆଉ କିଛିବି ନ କହି ଚୁପ୍ ରହିଲେ । ମାଲିକଙ୍କ ପାଖରୁ କିଛି ଟଙ୍କା କରଜ ଆଣି ଖଣ୍ଡେ ଭଲ ଶାଢୀ କିଣିଲେ । ନୀଳ ରଙ୍ଗର ସେହି ଚମତ୍କାର ଶାଢୀ ସହିତ ମଲ୍ଲୀଫୁଲର ମାଳାଟିଏ କିଣି ଘରକୁ ଫେରିଲେ ।
ସେ ସବୁ ପତ୍ନୀଙ୍କ ହାତରେ ଦେଇ ସେ ସ୍ନେହରେ କହିଲେ, “କମଳା, କୌଣସି ଆଭୂଷଣ, ତୁମର ସୌନ୍ଦର୍ଯ୍ୟର ସରି ହେବ ନାହିଁ । ହଁ ମୁଁ ମାନୁଛି, କୌଣସି ଶୁଭକାମରେ ବିନା ଆଭୂଷଣରେ ଯିବା ମଧ୍ୟ ଠିକ୍ ନୁହେଁ । ତୁମେ ଗୋଟିଏ କାମ କର । ଆମ ପଡୋଶୀ ଘର, ଭଉଣୀ ଚନ୍ଦ୍ରକାନ୍ତାଙ୍କର ଅନେକ ସୁନା ଗହଣା ରହିଛି । ଆମେ ତ ଦୁଇ ତିନିଦିନ ମଧ୍ୟରେ ସେଠାରୁ ଫେରି ଆସିବା । ତେଣୁ, ତୁମେ ତାଙ୍କଠାରୁ ସୁନାହାରଟିଏ ମାଗି ଆଣି ପିନ୍ଧିବ, ଆମେ ଆସିଲେ ତାଙ୍କୁ ତାଙ୍କ ଜିନିଷ ଫେରାଇଦେବା ।”
କମଳାର, ଆନ୍ତରିକ ଇଚ୍ଛା ନ ଥିଲେ ମଧ୍ୟ ଚନ୍ଦ୍ରକାନ୍ତାଙ୍କୁ ଉଧାର ସୂତ୍ରରେ ସେ ସୁନାହାର ମାଗିଲେ । ଚନ୍ଦ୍ରକାନ୍ତା ନିଜର ଗହଣାବାକ୍ସ ଖୋଲି, କମଳାକୁ ନିଜ ପସନ୍ଦର ହାରଟିଏ ବାଛି ନେବାକୁ କହିଲେ । କମଳାଙ୍କୁ ଚନ୍ଦ୍ରହାର ଖୁବ୍ ପସନ୍ଦ ହେଲା । ଦୁଇ ତିନି ଦିନ ପରେ ଫେରାଇବେ ବୋଲି କଥା ଦେଇ ସେ ହାରଟି ଆଣିଲେ ।
ତିନିଘଂଟାର ଯାତ୍ରା ପରେ ସେମାନେ ବନ୍ଧୁଘରେ ଯାଇ ପହଁଚିଲେ । ପରଦିନ, ବିବାହ ଅନୁଷ୍ଠିତ ହେଲା । ସକାଳୁ, କମଳା ସ୍ନାନ କରି ନୂଆ ଶାଢୀ ପିନ୍ଧିଲେ ଓ ମାଗି ଆଣିଥିବା ସୁନାହାର ବେକରେ ପକେଇଲେ । ମଲ୍ଲୀଫୁଲର ମାଳାରେ ନିଜ ଜୁଡାକୁ ବେଶ୍ ସୁନ୍ଦର ଭାବେ ସଜେଇଲେ । ସହଜେ ତ ସେ ଖୁବ୍ ସୁନ୍ଦରୀ, ଏହି ସବୁ ବେଶ ଆଭୂଷଣ ତାଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କଲା । ବିବାହ ଉତ୍ସବକୁ ଆସୁଥିବା ସବୁ ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ କମଳା ଥିଲେ । ଏହା ଜାଣିପାରି, କମଳାଙ୍କର ଖୁସିର ସୀମା ଆଉ ରହୁ ନ ଥାଏ ।
ବିବାହର ପରଦିନ ପତିପତ୍ନୀ ସହର ଫେରିଆସିଲେ । ଚନ୍ଦ୍ରକାନ୍ତାଙ୍କ ଚନ୍ଦ୍ରହାର ଫେରାଇଦେବା ପାଇଁ କମଳା ନିଜ ବାକ୍ସ ଖୋଲିଲେ । ମାତ୍ର ହାରଟି ନ ପାଇ ସେ ଅଚାନକ ଚିତ୍କାର କରି ଉଠିଲେ । କମଳା ମନେ ପକେଇଲେ, ବିବାହ ଉତ୍ସବରେ, ସଂନ୍ଧ୍ୟା ସମୟରେ ସେ ହାରଟି ବେକରୁ କାଢି ବାକ୍ସରେ ରଖି ଚାବି ପକାଇଥିଲେ । କିନ୍ତୁ ସେ ହାରଟି ଏବେ ମିଳୁନାହିଁ ।
କିଶୋର ତାଙ୍କ ପତ୍ନୀଙ୍କ ଏଭଳି ଚିତ୍କାର ଶୁଣି ଘଟଣା କ’ଣ ବୁଝିଲେ । ସେ କମଳାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ବିବାହ ଉତ୍ସବରେ ଯୋଗ ଦେବାପାଇଁ ଆସିଥିବା ଏତେ ଲୋକଙ୍କ ମଧ୍ୟରୁ କିଏ ଏ ଚୋରି କରିଛି ତାହା ଜାଣିବାର କିଛି ଉପାୟ ନାହିଁ । ଏବେ ଆମେ ଚନ୍ଦ୍ରକାନ୍ତାଙ୍କୁ କ’ଣ କହିବା? ସେ କ’ଣ ବିଶ୍ୱାସ କରିବେ ଯେ ତାଙ୍କ ହାରଟି ପ୍ରକୃତରେ ଚୋରୀ ହୋଇଯାଇଛି? ବରଂ ସେ ଆମକୁ ଠକ, ଧପ୍ପାବାଜ ବୋଲି କହିବେ । ଏବେ ଆମ ଆଗରେ ଗୋଟିଏ ମାତ୍ର ସମାଧାନ ଅଛି । ତାହା ହେଉଛି ଆମେ ଚୁପ୍ଚାପ୍ ଠିକ୍ ସେହିପରି ହାରଟିଏ କିଣି ତାଙ୍କୁ ଫେରାଇଦେବା । ଯେମିତି ଆଉ କେହି ବାହାର ଲୋକ ଏ କଥା ଜାଣି ପାରିବେ ନାହିଁ ।”
କିଶୋର ବାହାରକୁ ଯାଇ କିଛି ସମୟ ପରେ ଘରକୁ ଫେରି ପତ୍ନୀଙ୍କୁ କହିଲେ, “ମାଲିକଙ୍କଠାରୁ କିଛି କରଜ ଏବଂ ଆମର ଏ ଘରଟି ବନ୍ଧା ଦେଇ ମୁଁ କିଛି ଟଙ୍କା ଆଣିଛି । ଏଇ ଟଙ୍କାରେ ଆମେ ଠିକ୍ ସେହିପରି ଚନ୍ଦ୍ରହାର କିଣିଦେବା ।” ଏଥିଉତାରେ ସେ ପତିପତ୍ନୀ ଅନେକ ଦୋକାନ ଖୋଜିବା ପରେ, ଯାଇ ଠିକ୍ ସେଇ ଗଢଣର ଚନ୍ଦ୍ରହାର ଗୋଟିଏ ଦୋକାନରେ ମିଳିଲା ।
ସେହିଦିନ ସଂନ୍ଧ୍ୟାରେ କମଳା, ଚନ୍ଦ୍ରକାନ୍ତଙ୍କୁ ତାଙ୍କ ଚନ୍ଦ୍ରହାର ଫେରାଇ ଦେଲେ । ଏହାପରେ କମଳା ନିଜ ଘରର ଚାକରାଣୀକୁ କାମରୁ ବାହାର କରି, ନିଜେ ସବୁ ଘରକାମ କଲେ । ଘର ପଛରେ ଥିବା ଛୋଟ ବାଡିରେ ପନିପରିବା ଗଛ ସବୁ ଲଗେଇଲେ । ଝାଡୁ ତିଆରି କରି ଦୋକାନକୁ ତାହା ବିକିବା ପାଇଁ ପଠାଇଲେ । ପତି ଏ ସବୁ କାମରେ ପତ୍ନୀଙ୍କୁ ସାହାଯ୍ୟ କରନ୍ତି । ଏହିପରି କମଳା, ସାଧ୍ୟ ମୁତାବକ ଅର୍ଥ ସଂଚୟରେ ଲାଗିପଡିଲେ ।
ଚାହୁଁ ଚାହୁଁ ପାଂଚବର୍ଷ ବିତିଗଲା । ଅଧିକ ଶାରିରୀକ ପରିଶ୍ରମ ହେତୁ, କମଳାର ଚେହେରାର କାନ୍ତି ମଳିନ ନ ପଡିଲେ ମଧ୍ୟ ତାଙ୍କର ଶରୀରର କୋମଳତା ନଷ୍ଟ ହୋଇଗଲା । ସମୟ ଥିଲା ଯେତେବେଳେ ସେ ଘଂଟା ଘଂଟା ଦର୍ପଣ ଆଗରେ ବସି ନିଜ ସୁନ୍ଦର ଚେହେରା ଦେଖୁଥିଲେ । କିନ୍ତୁ ଏବେ ସେ ବିଷୟରେ ଭାବିବା ପାଇଁ ତାଙ୍କର ସମୟ ନାହିଁ । ଜୀବନ ପ୍ରତି ମଧ୍ୟ ତାଙ୍କର କୌଣସି ଉଦାସ ବା ଅସନ୍ତୋଷ ଭାବ ଏବେ ଆଉ ନାହିଁ ।
ଦିନେ କମଳା, ନିଜର ସଂଚିତ ଅର୍ଥକୁ ବାକ୍ସରୁ କାଢି ଗଣି ବସିଲେ । ତା’ପରେ ଖୁସିରେ ସେ ଚିତ୍କାର କରି ଉଠିଲେ । କାରଣ ଚନ୍ଦ୍ରହାର କିଣିବା ସମୟରେ, ସେମାନେ କରିଥିବା କରଜ ଶୁଝିପାରିବା ପରି ଅର୍ଥ ଏବେ ତାଙ୍କ ପାଖରେ ଅଛି । ଘରକୁ ମଧ୍ୟ ବନ୍ଧକରୁ ମୁକୁଳେଇ ପାରିବେ ।
ଘରକୁ ଫେରି କିଶୋର ଏ ଖୁସୀଖବର ଶୁଣି ପତ୍ନୀଙ୍କୁ କହିଲେ, “କମଳା, ସୁଝିବାଠାରୁ ବଳି ସୁଖ ଆଉ କିଛି ନାହିଁ । ଏହି ଖୁସୀର ଅବସରରେ ମୁଁ ତୁମକୁ ଗୋଟିଏ ସତକଥା କହୁଛି । ବିଶ୍ୱାସ କରୁଛି ତୁମେ ମୋତେ ମୋଟେ ଭୁଲ୍ ବୁଝିବ ନାହିଁ । ସେହି ସମୟରେ, ତୁମକୁ ଏହି ବାସ୍ତବତା ବୁଝେଇବା ପାଇଁ ମୁଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥାନ୍ତି । ତେଣୁ ମୁଁ ଏହି ଉପାୟ କରିଥିଲି ।”
କମଳା ଆତୁର ହୋଇ ଜାଣିବାକୁ ଚାହିଁଲେ, ପ୍ରକୃତ ସତ୍ୟଟି କ’ଣ?
“ପ୍ରକୃତରେ ଚନ୍ଦ୍ରହାର କେହିବି ଚୋରୀ କରି ନାହାଁନ୍ତି । ସଂନ୍ଧ୍ୟା ସମୟରେ ତୁମେ ହାରଟି ରଖି ଚାଲିଯିବା ପରେ, ମୁଁ ତାହା ଲୁଚାଇ ଦେଲି । ସହରକୁ ଫେରିବା ପରେ, ତାହା ନେଇ ମୁଁ ମୋର ଜଣେ ବନ୍ଧୁଙ୍କର ଗହଣା ଦୋକାନରେ ରଖି ଆସିଲି । ତୁମ ସମ୍ମୁଖରେ, ହାରଟି କିଣିବାର ଏକ ନାଟକ କରିଥିଲି । ପ୍ରକୃତରେ ଆମ ଘର ମଧ୍ୟ ବନ୍ଧକ ରହିନାହିଁ, କିମ୍ବା ମୁଁ କରଜ ଟଙ୍କା ଆଣିନାହିଁ । ତୁମକୁ ଏକ ଶିକ୍ଷା ଦେବାପାଇଁ ମୁଁ ଏପରି କରିଥିଲି । ଏବେ ତୁମେ ଏହି ଟଙ୍କା ନେଇ ନିଜର ମନପସନ୍ଦର ଗହଣା କିଣିଆଣ?” ଏହିପରି ଭାବେ କିଶୋର ସବୁ ରହସ୍ୟ ଖୋଲିଦେଲେ ।
ମୁଣ୍ଡ ଉପରେ କରଜ-ବୋଝ ନ ଥିବାର ଜାଣି, କମଳା ପ୍ରଥମେ ଖୁସିରେ ବିଭୋର ହୋଇଗଲେ । ତା’ପରେ ସେ ତାଙ୍କ ପତିଙ୍କ ଦୁଇହାତକୁ ଧରି ପକେଇ କହିଲେ, “ସେତେବେଳେ ମୁଁ ନିର୍ବୋଧ ଥିଲି । ନିଜ ସୌନ୍ଦର୍ଯ୍ୟର ଅହଙ୍କାରରେ ଅନ୍ଧ ଥିଲି । ଭଗବାନଙ୍କ ପ୍ରଦତ୍ତ ଏହି ସୌନ୍ଦର୍ଯ୍ୟ, ଶାରିରୀକ ଶ୍ରମ ଦ୍ୱାରା ଅଧିକ ସୁସ୍ଥ ଓ ଦୀର୍ଘସ୍ଥାୟୀ ରହିବ । ସେଥିପାଇଁ ଦାମୀ ଶାଢୀ ଚକଚକିଆ ଗହଣାର କ’ଣ ବା ଦରକାର? ଆମେ ଏହି ଅର୍ଥରେ ଗୋଟିଏ ଛୋଟ ନଡିଆ ବଗିଚା କିଣିବା । ତୁମେ ସାହୁକାରଙ୍କ ଚାକିରୀ ଛାଡି, ନଡିଆ ବଗିଚାର ଦେଖାଶୁଣା କରିବ, କିଛି ସ୍ୱାଧୀନ ବ୍ୟବସାୟ କରିବ । ମୁଁ ବି ଅବଶ୍ୟ ସେଥିରେ ତୁମକୁ ସାହାଯ୍ୟ କରିବି । ଭବିଷ୍ୟତରେ ଆମର ପରିବାର ବଢିଲେ, ଖର୍ଚ୍ଚ ମଧ୍ୟ ବଢିଯିବ” କମଳା ଏତିକି କହି ଲାଜେଇ ଗଲେ ।
କିଶୋର, ଗହଣା ଓ ଶାଢୀ ପ୍ରତି ଲୋଭାସକ୍ତା କମଳା ଓ ଏବର କମଳାଙ୍କୁ ତୁଳନା କରି ଆକାଶ-ପାତାଳ ପ୍ରଭେଦ ଅନୁଭବ କଲେ । ମନେକଲେ, ସତେ କି କମଳାଙ୍କର ଏକ ନୂତନ ଜନ୍ମ ହୋଇଛି ।
ଆଧାର : ଓଡ଼ିଆ ଗପ
Last Modified : 8/5/2019