অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚୋର ହେଲେ ରାଜା

ଚୋର ହେଲେ ରାଜା

ଉପକ୍ରମ

ପୁରୁଷୋତମପୁର ରାଜ୍ୟରେ ତିନି ଜଣ କୁଖ୍ୟାତ ଚୋର ରହୁଥିଲେ । ଚୋରି ବିଦ୍ୟାରେ ଏହି ତିନି ଚୋର ଏପରି ମହାରଥୀ ହାସଲ କରିଥିଲେ ଯେ, ଖାସ୍ ସେଇଥିପାଇଁ ହିଁ ସେମାନେ ବିଖ୍ୟାତ । ସେମାନଙ୍କ ଚୋରିର ପ୍ରଭାବ ଏପରି ଥିଲା ଯେ ସେ ରାଜ୍ୟର ପ୍ରଜାଗଣ ରାତି ଅନିଦ୍ରା ରହି ନିଜ ଘର ଜଗୁ ଥିଲେ । କାହିଁକିନା ସେହି ଚୋରମାନଙ୍କର ଅଭ୍ୟାସ ଥିଲା ଚୋରିକରିବା କେବଳ ଚୋରିକରିବା ।

ବର୍ଣ୍ଣନା

ପ୍ରଥମ ଚୋରର ନାଁ ଥିଲା ଖଙ୍ଗଡ ସିଂ । ସେ ଯେ କୌଣସି ଘରକୁ ଚୋରି କରିବାକୁ ଗଲେ ତା’ର କାମ ଥିଲା ସୁଡଙ୍ଗ ଖୋଳିବା । ସୁଡଙ୍ଗ ଖୋଳିବାରେ ସେ ଏତେ ଓସ୍ତାଦ ଯେ, ଗୋଟିଏ ରାତିରେ ସେ ଏକ କିଲୋମିଟର ପର୍ଯ୍ୟନ୍ତ ସୁଡଙ୍ଗ ଖୋଳି ଦେଇପାରୁଥିଲା । ଏମିତିକି ସୁଡଙ୍ଗ ଖୋଳିବା ବେଳେ ଟିକେ ହେଲେବି ଖଡଖାଡ ଶବ୍ଦ ମଧ୍ୟ ହେଉନଥିଲା । ସେ ମାଟି ତଳେ ସୁଡଙ୍ଗ କରି ଚୋରି କରିବାକୁ ଥିବା ଘର ମଧ୍ୟରେ ଅତି ସହଜରେ ପହଁଚିଯାଉଥିଲା । ବାସ୍ ତା’ କାମ ସେତିକି ।

ଦ୍ୱିତୀୟ ଚୋରର ନାଁ ଥିଲା ଭଙ୍ଗଡ ସିଂ । ଭଙ୍ଗଡ ସିଂ ଭଙ୍ଗା ଭଙ୍ଗି କରିବାରେ ଖୁବ୍ ଓସ୍ତାଦ ଥିଲା । ତା’ ଭାଙ୍ଗିବାର ଶୈଳୀ ପୁରାପୁରି ନିଆରା । ସେ ଯେଉଁଭଳିଆ ପୁରୁଣା ତାଲା ହେଉ ପଛକେ ତାକୁ ସେ ବିନା ଚାବିରେ ଆଖିପିଛୁଳାକେ ଭାଙ୍ଗି ଦେଉଥିଲା । ସିନ୍ଦୂକ, କବାଟ, ଅମାର ଘର ଆଦିର ତାଲା ନିମିଷକ ମଧ୍ୟରେ ସେ ଭାଙ୍ଗି ଦେଉଥିଲା । ଏମିତିକି ସେ ଯେ କୌଣସି ଘରେ ଚାହୁଁଥିଲା ଖୁବ୍ ଶୀଘ୍ର ସେ ଘରେ ସେ କଳାକନା ବୁଲାଇ ଦେଉଥିଲା ।

ତୃତୀୟ ଚୋରର ନାଁ ଥିଲା ଲଙ୍ଗଡ ସିଂ । ଖଙ୍ଗଡ ସିଂ ଓ ଭଙ୍ଗଡ ସିଂ ତାଙ୍କ କାର୍ଯ୍ୟ କରିସାରିବା ପରେ ଏ ଲଙ୍ଗଡ ସିଂର କାମ ଆରମ୍ଭ ହେଉଥିଲା । ଅନ୍ଧାରରେ ସେ ସବୁ ଜିନିଷ ଦିନର ଆଲୁଅ ଭଳି ଦେଖିପାରୁଥିଲା । କେଉଁ ଜିନିଷ କେତେ ମୂଲ୍ୟବାନ ସେ ବି ସଙ୍ଗେ ସଙ୍ଗେ ପରଖି ଦେଉଥିଲା । ତା’ପରେ ଅତି ସାବଧାନତାର ସହ ଜିନିଷଗୁଡିକୁ ଆଣିବାର ସେ ବ୍ୟବସ୍ଥା କରୁଥିଲା । ଏପରିକି ଜିନିଷ ଆଣିବା ସମୟରେ ଟିକେ ହେଲେ ବି ଶବ୍ଦ ହେଉନଥିଲା ।

ତିନି ଚୋର ନିଜ ନିଜ ବିଦ୍ୟାରେ ଏପରି ପାରଙ୍ଗମ ଥିଲେ ଯେ ଆଜି ପର୍ଯ୍ୟନ୍ତ କେହିବି ତାଙ୍କୁ ଧରି ପାରୁନଥିଲେ । ସମୟାନୁକ୍ରମେ ଚୋରି କରିବା ତାଙ୍କର ଏକମାତ୍ର ଅଭ୍ୟାସ ଓ ସଉକରେ ପରିଣତ ହୋଇଯାଇଥିଲା । ଏପରିକି ସେମାନେ ସେ ରାଜ୍ୟର ସର୍ବଶ୍ରେଷ୍ଠ ଚୋର ବୋଲି ନିଜକୁ ନିଜେ ଖୁବ୍ ଗର୍ବ ଅନୁଭବ କରୁଥିଲେ ।

ଦିନକର କଥା । ସେମାନଙ୍କ ମୁଣ୍ଡରେ କୁବୁଦ୍ଧି ପଶିଲା । ସେମାନେ ଚିନ୍ତା କଲେ ଯେ ରାଜାଙ୍କ ମୁକୁଟ, ବେକର ହାର ଓ ତରବାରୀ ଚୋରି କରିବେ । ତାପରେ ସେମାନେ ରାଜମହଲରେ ଚୋରି କରିବା ପାଇଁ ଯୋଜନା କଲେ । ଯୋଜନା ମୁତାବକ କାମ ବି ଆରମ୍ଭ କଲେ । ଖଡଙ୍ଗ ସିଂ ଅଳ୍ପ ସମୟ ମଧ୍ୟରେ ସୁଡଙ୍ଗ ଖୋଳି ଦେଲା । ସିଧାସଳଖ ସେ ସୁଡଙ୍ଗର ବାଟ ରାଜାଙ୍କର ମହଲ ମଝିରେ ଯାଇ ବାହାରିଲା । ଭଙ୍ଗଡ ସିଂ ବି ତା କରାମତିରେ ରାଜାଙ୍କ ଗୁପ୍ତ ସିନ୍ଦୂକ ଭାଙ୍ଗି ଦେଲା । ଆଉ କାଳବିଳମ୍ବ ନକରି ଲଙ୍ଗଡ ସିଂ ରାଜାଙ୍କର ମୁକୁଟ, ତରବାରୀ ଓ ତାଙ୍କ ବେକରୁ ହାର ଚୋରି କରି ନେଲା । ତାପରେ ସେ ତିନି ଚୋର ମନଖୁସିରେ ସୁଡଙ୍ଗ ମଧ୍ୟ ଦେଇ ଫେରିବାକୁ ଲାଗିଲେ ।

ମାତ୍ର ବିଧିର ବିଧାନ ଅନ୍ୟ ପ୍ରକାରର ଥିଲା । ସବୁଦିନ ତ ଆଉ ଚୋର ଘରେ ଅନ୍ଧାର ନଥାଏ । ଫେରିବା ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା । ଚାହୁଁ ଚାହୁଁ ସେ ସୁଡଙ୍ଗରେ ବି ବର୍ଷାପାଣି ଭରିଗଲା । ତାପରେ ସେମାନେ ଆଉ ସେ ସୁଡଙ୍ଗ ବାଟ ଦେଇ ବାହାରକୁ ମୋଟେ ଯାଇପାରିଲେ ନାହିଁ । ତିନି ଚୋର ଧରାପଡିଗଲେ । ରାଜା ବି ସେମାନଙ୍କୁ ଚୋରି ଅପରାଧରେ ଅନ୍ଧାର କୋଠରୀରେ ସାରା ଜୀବନ ପାଇଁ ବନ୍ଦୀ କରି ରଖିବାର ଆଦେଶ ଦେଲେ ।

ଏପରି ଅନେକ ଦିନ ବିତିଗଲା । ସେତେବେଳେ ତୁର୍କସ୍ଥାନର ସୁଲତାନ ଫାୱାଇ ଶାହା ବିଶ୍ୱ ବିଜୟୀ ହେବେ ବୋଲି ସବୁ ଦେଶ ବିରୋଧରେ ଯୁଦ୍ଧ କରୁଥାଆନ୍ତି । ତାଙ୍କ ସମ୍ମୁଖରେ ଯୁଦ୍ଧ କରିବା ଅର୍ଥାତ୍ ମୃତ୍ୟୁକୁ ଡାକିବା । ଏଭଳି ସମ୍ବାଦ ପାଇ ସେ ପୁରୁଷୋତମପୁରର ରାଜାଙ୍କର ଭାଳେଣି ପଡିଗଲା । ତାଙ୍କ ରାଜ୍ୟ ସୁଲତାନ୍ ଫାୱାଇ ଶାହାଙ୍କ କବଜାକୁ ଚାଲିଯିବ । ସୁଲତାନ ତାଙ୍କର ମୁଣ୍ଡକାଟି ନେବେ । ତାଙ୍କ ସୈନ୍ୟବାହିନୀର ସମ୍ମୁଖ ହେବା ପାଇଁ ସେତେବେଳେ ରାଜାଙ୍କର ଆଦୌ ସାମର୍ଥ୍ୟ ନଥିଲା ।

ଏହିପରି ଭାବି ଭାବି ସେ ରାଜା ଦିନକୁ ଦିନ ପ୍ରମାଦ ଗଣିଲେ । ତାପରେ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଲେ । ସେ ଘୋଷଣା କଲେ ଯେଉଁ ବ୍ୟକ୍ତି ତାଙ୍କୁ ଏ ବିପଦରେ ସାହାଯ୍ୟ କରିବ ଓ ତାଙ୍କ ଜୀବନ ବଂଚାଇଦେବ ସେ ସୁଲତାନ ଦଖଲ କରିଥିବା ରାଜ୍ୟରୁ ଅଧେ ତାଙ୍କୁ ଦେଇଦେବେ ।

ଏ କଥା ଶୁଣି ସେ ତିନି ଚୋର କେବଳ ହସିବାକୁ ଲାଗିଲେ । କାରାଗାରରକ୍ଷୀ ସେମାନେ ଏଭଳି କାହିଁକି ହସୁଛନ୍ତି ବୋଲି ପଚାରିଲେ । ତହୁଁ ସେମାନେ କେବଳ ରାଜାଙ୍କୁ ଏକଥା କହିବେ ବୋଲି ଜଣାଇ ଦେଲେ । ତାପରେ ସେମାନେ କହିଲେ – ରାଜାଙ୍କର ଏ ସଙ୍କଟକୁ କେବଳ ସେମାନେ ହିଁ ଦୂର କରିପାରିବେ ।

ତା’ପରେ ଆରମ୍ଭ ହୋଇଗଲା ଖଙ୍ଗଡ ସିଂଙ୍କ କାମ । ସେ ଖୁବ୍ ଅଳ୍ପ ସମୟ ମଧ୍ୟରେ ସେନାଶିବିର ମଧ୍ୟକୁ ଦୁଇ ତିନିଟି ସୁଡଙ୍ଗ ଖୋଳି ଦେଲା । ଭଙ୍ଗଡ ସିଂ ସେ ଶିବିର ମଧ୍ୟରେ ଥିବା ସବୁ ଲୁହା ଫାଟକର ତାଲା ଭାଙ୍ଗିଦେଲା । ତା ସଙ୍ଗେ ସଙ୍ଗେ ସେ ଅସ୍ତ୍ରାଗାର ଓ ଗୋଳାବାରୁଦ ଦ୍ୱାରକୁ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଭାଙ୍ଗି ଦେଲା ।

ତା’ପରେ ଲଙ୍ଗଡ ସିଂ ଦଶ ଜଣ ସୈନିକଙ୍କୁ ନେଇ ସେ ଅସ୍ତ୍ରାଗାର ମଧ୍ୟରେ ପଶିଲେ । ସୁଡଙ୍ଗ ମଧ୍ୟ ଦେଇ ସେମାନେ ସୁଲତାନଙ୍କର ସବୁ ଅସ୍ତ୍ରଶସ୍ତ୍ର ଲୁଟି ନେଲେ ।

ରାଜା ଏକଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସୂର୍ଯ୍ୟ ଉଦୟ ହେବାକ୍ଷଣି ରାଜା ଆଉ କାଳବିଳମ୍ବ ନକରି ଶତ୍ରୁ ଶିବିରକୁ ଚାରିପଟୁ ଘେରିଗଲେ । ତାପରେ ସୁଲତାନଙ୍କର ସମସ୍ତ ସେନାବାହିନୀକୁ ସେ ବନ୍ଦୀ କରିଦେଲେ । ଶେଷରେ ରାଜା ସେ ସୁଲତାନଙ୍କୁ ମଧ୍ୟ ବନ୍ଦୀ କରିପକାଇଲେ । ସେ ସୁଲତାନଙ୍କର ରାଷ୍ଟ୍ରକୁ ନିଜ ରାଜ୍ୟରେ ମିଶାଇ ଦେଲେ । ରାଜା ବି ସେ ସୁଲତାନ ଫାୱାଇ ଶାହାଙ୍କୁ ରାଜବନ୍ଦୀ ଭାବରେ କାରାଗାରରେ ବନ୍ଦୀ କରି ରଖିଲେ ।

ସର୍ତ୍ତ  ମୁତାବକ ରାଜା ସେ ତିନିଚୋରଙ୍କୁ ସୁଲତାନ ବିଜୟୀ ହୋଇଥିବା ତିନି ଦେଶରୁ ଅଧେ ଅଧେ ଦେଇ ଦେଲେ । ତାପରେ ସେ ତିନିଚୋର ତିନି ଦେଶର ରାଜା ହୋଇଗଲେ । ସେମାନେ ଚୋରରୁ ରାଜା ହୋଇଥିବାରୁ ସେହି ଚୋରମାନେ ରାଜାଙ୍କର ବି ଅନେକ ପ୍ରଶଂସା କଲେ ।

ଆଧାର: ଓଡ଼ିଆ ଗପ

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate