ଗୋଟିଏ ଗାଁରେ ବୁଢାବୁଢୀ ଦୁଇଜଣ ବସବାସ କରୁଥିଲେ । ତାଙ୍କର ଦୁଇଟି ପୁଅ ଝିଅ – ଝିଅଟିଏ ଷୋଳ ବରଷର ଆଉ ପୁଅଟିଏ ମାତ୍ର ପାଂଚ ବରଷର । କିଛିଦିନ ଅନ୍ତେ ସେ ବୁଢାବୁଢୀ ମରିଗଲେ । ଭାଇଭଉଣୀ ଏବେ କିପରି ଚଳିବେ । ଘରେ ଯାହା ଅଳ୍ପ କିଛି ସମ୍ପତ୍ତି ଥିଲା ତହିଁରେ କିଛିଦିନ ସେମାନଙ୍କର ଗୁଜୁରାଣ ଚଳିଗଲା । ତାପରେ ସାନଭାଇକୁ ସାଙ୍ଗରେ ଧରି ଝିଅଟି ସହରକୁ ଚାଲିଲା, କାମ ଖୋଜିବା ପାଇଁ ।
ମୁଣ୍ଡ ଉପରେ ପ୍ରଚଣ୍ଡ ଖରା । ରାସ୍ତାରେ ଆଦୌ ଚାଲି ହେଉ ନ ଥାଏ । କିଛି ବାଟ ଗଲାପରେ ସେ ସାନଭାଇଟିକୁ ଅତ୍ୟନ୍ତ ଶୋଷ କଲା । ସେ ଗୋଟିଏ ସ୍ଥାନରେ ଦେଖିଲା, ଗାଈମାନଙ୍କ ପାଇଁ କିଛି ପାଣି ରଖାହୋଇଛି । ସେ ତା ଭଉଣୀକୁ କହିଲା, “ଅପା, ମୋତେ ଭାରି ଶୋଷ କରୁଛି, ମୁଁ ଏ ପାଣି ପିଇବି ।” ଏହା ଶୁଣି ଭଉଣୀଟି ମନା କଲା, ଓ କହିଲା – “ଏ ପାଣି ପିଇଲେ ତୁ ବାଛୁରୀ ପାଲଟି ଯିବୁ ।” ଏପରି କଥା ଶୁଣି ପିଲାଟି ଏବେ ଆଉ କ’ଣ କରିବ, କେବଳ ନିଜ ମନକୁ ବୁଝାଇ ଆଗକୁ ଚାଲିଲା ।
ପୁଣି କିଛିବାଟ ଗଲାପରେ ଘୋଡାମାନଙ୍କ ପାଇଁ ପାଣି ଥୁଆ ହୋଇଥିବା ଦେଖି ପିଲାଟି ପାଣି ପିଇବା ପାଇଁ ଖାଲି ନିଜ ଭଉଣୀକୁ ଅଳି କଲା । ତହୁଁ ସେ ଭଉଣୀ କହିଲା, “ଏ ପାଣି ପିଇଲେ ତୁ ଘୋଡା ପିଲା ହୋଇଯିବୁ ।”
ଏଣେ ଖରା ତ ଆଦୌ ସହି ହେଉ ନଥାଏ । ଅତ୍ୟନ୍ତ ଶୋଷରେ ଖାଲି ତଂଟି ଶୁଖି ଯାଉଥାଏ । ବଡ କଷ୍ଟରେ ଅପାର କଥା ମାନି ପିଲାଟି ବାଟ ଚାଲୁଥାଏ । କିଛିବାଟ ଗଲାପରେ ଦେଖାଗଲା ଛେଳିମାନଙ୍କ ପାଇଁ ପାଣି ଥୁଆ ହୋଇଛି । ଭଉଣୀ ପଚାରିବାରୁ ସେ କହିଲା, “ଏ ପାଣି ପିଇଲେ ତୁ ଛେଳିଛୁଆ ହୋଇଯିବୁ ।”
ସେତେବେଳେ ସେ ପିଲାଟି ଶୋଷରେ ଏପରି ଛଟପଟ ହେଉଥିଲା ଯେ, ତାକୁ ଆଉ ତା ଭଉଣୀର କୌଣସି କଥା କାନେଇବା ପାଇଁ ତର ସହିଲା ନାହିଁ । ସେ ପିଲାଟି ଝଟକରି ଯାଇ ପାଣି ପିଇବା ମାତ୍ରେ ହଠାତ୍ ସେ ଗୋଟେ ଧଳା ଛନିଛନିଆ ଛେଳି ଛୁଆଟିଏ ହୋଇଗଲା । ଏକମାତ୍ର ଭାଇଟି ଛେଳିଛୁଆ ହୋଇଯିବାରୁ ଭଉଣୀଟି ଗଛମୂଳରେ ବସି ଖାଲି କାନ୍ଦିବାକୁ ଲାଗିଲା । କେତେ ସମୟ ଏଇମିତି ଗଲାଣି ତାକୁ ତ ଜଣାନାହିଁ । ତେଣେ ସଂନ୍ଧ୍ୟା ତ ମାଡି ଆସୁଛି । ଠିକ୍ ଏହି ସମୟରେ ସେହି ବାଟେ ତରତର ହୋଇ ଜଣେ ବଣିକ ଆସୁଥିଲେ; ଝିଅଟି କାହିଁକି ଏଠାରେ ଏକୁଟିଆ ବସି କାନ୍ଦୁଛି ବୋଲି ତା ପାଖରେ ଯାଇ ପଚାରିଲେ । ତାପରେ ସେ ଝିଅଟି କାନ୍ଦି କାନ୍ଦି ତା’ ଭାଇ କିପରି ଛେଳିଛୁଆ ହୋଇଯାଇଛି ସବୁକଥା ସେ ବଣିକକୁ ଗୋଟି ଗୋଟି କରି କହିଲା । ବଣିକ ସେ ଝିଅଟିର ସୁନ୍ଦର ରୂପ ଦେଖି ମନେ ମନେ ଭାରି ଖୁସି ହୋଇ କହିଲେ, “ତୁମର ଯଦି କିଛି ଆପତ୍ତି ନାହିଁ, ତେବେ ତୁମେ ମୋତେ ବାହା ହୁଅ । ମୁଁ ତୁମକୁ ଓ ସେ ଛେଳିଛୁଆକୁ ଅତ୍ୟନ୍ତ ଆଦରରେ ରଖିବି ।” ସେତେବେଳେ ତ ସେ ଝିଅଟିର ଅନ୍ୟ ଉପାୟ କିଛି ନ ଥିଲା । ତେଣୁ ସେ ଝିଅଟି ବଣିକକୁ ବାହା ହୋଇ ସୁଖରେ ରହିଲା । ଛେଳିଛୁଆଟି ବି ଆଦର ଯତ୍ନ ପାଇ ବଢୁଥାଏ ।
ଏମିତି ଏମିତି କିଛିଦିନ ଚାଲିଗଲା । ସେ ବଣିକ ଘର ତଳ ବାରି ତେନ୍ତୁଳି ଗଛରେ ଗୋଟିଏ ଡାହାଣୀ ରହୁଥାଏ । ଝିଅଟିର ଏ ପ୍ରକାର ସୁଖ ଦେଖି ସେ ଡାହଣୀଟି ଆଦୌ ସହିପାରିଲା ନାହିଁ । ଦିନେ ବଣିକ ସ୍ତ୍ରୀ ପୋଖରୀ କୂଳକୁ ଯାଇଛି, ସେହି ସମୟରେ ହଠାତ୍ ସେ ଡାହାଣୀଟି ଗଛରୁ ଓହ୍ଲାଇ ବଣିକର ସ୍ତ୍ରୀକୁ ପାଣିରେ ମାଡିବସିଲା । ତାପରେ ଡାହାଣୀଟି ସେ ବଣିକ ସ୍ତ୍ରୀର ବେକରେ ଗୋଟିଏ ବଡ ପଥର ବାନ୍ଧିଦେଲା । ତହୁଁ ସେ ଡାହାଣୀଟି ନିଜେ ବଣିକ ସ୍ତ୍ରୀ ରୂପରେ ବଣିକର ଘରକୁ ଚାଲିଆସିଲା । ଏସବୁ କଥା ସେଇ ଛେଳିଛୁଆଟି ତ ଦେଖିଥାଏ । ତା ଭଉଣୀର ଏପରି ଅବସ୍ଥା ଦେଖି ତାକୁ ଆଉ ଅନ୍ନ କି ଜଳ କିଛି ବି ଆଦୌ ରୁଚିଲା ନାହିଁ । ତାପରେ ସେ ଛେଳିଛୁଆଟି ଏକପ୍ରକାର ଖିଆପିଆ ଛାଡିଦେଲା । ସବୁବେଳେ ସେ ଯାଇ ଖାଲି ପୋଖରୀ କୂଳରେ କାନ୍ଦି କାନ୍ଦି ଗଡିଲା । ସେ ପୋଖରୀ ଭିତରୁ ଖାଲି ଶବ୍ଦ ହେଉଥାଏ, “ଭାଇରେ ଏବେ ଆଉ ମୋର କିଛି ଉପାୟ ନାହିଁ । ମୋ ବେକରେ ତ ବଡ ପଥର ବୋଝ ବନ୍ଧା ହୋଇଛି ।”
ଛେଳିପିଲାଟି କାଳେ ଧରାପକାଇ ଦେବ ଏହି ଭୟରେ, ଦିନେ ସେ ବଣିକର ସ୍ତ୍ରୀରୂପିଣୀ ଡାହାଣୀ ବଣିକକୁ କହିଲା, “ଏ ଛେଳିପିଲାଟା ଆଜିକାଲି ବଡ ଅବାଧ୍ୟ ହେଲାଣି, ଏବେ ତାକୁ ମାରିଦିଅ ।” ଏପରି କଥା ଶୁଣି ସେ ବଣିକଟି ବଡ ଆଶ୍ଚର୍ଯ୍ୟ ହେଲା । ସେ ବଣିକଟି କହିଲା, “ଏହି ଛେଳି ପିଲାଟି ପରା ତୁମର ଭାଇ । ସେ ହତଭାଗ୍ୟକୁ ମାରିବା ପାଇଁ ଏବେ ତୁମର ମନ କିପରି ବଳୁଛି?”
ଡାହାଣୀଟି ଯେମିତି ଜିଗର ଲଗାଇଲା, ସେମିତି ସେ ଛେଳିଛୁଆଟି ନିଜ ଜୀବନ ବିକଳରେ ସେ ପୋଖରୀ କୂଳକୁ ଦଉଡିଗଲା । ସେଠାରେ ସେ ବସି କାନ୍ଦୁଥାଏ । ଡାହାଣୀ ତା ଚାକର ପିଲାକୁ ପଠାଇଲା, ସେ ଛେଳିଛୁଆକୁ ଧରି ଆଣିବା ପାଇଁ । ଚାକର ପିଲାଟି ପୋଖରୀ କୂଳରେ ପହଁଚି ଦେଖିଲା, ସେ ଛେଳିଛୁଆର ଆଖିରେ ଖାଲି ଲୁହ । ପୋଖରୀ ଭିତରୁ ଶବ୍ଦ ହେଉଛି – “ଭାଇରେ ଏବେ ଆଉ ମୋର କିଛି ବି ଉପାୟ ନାହିଁ । ମୋ ବେକରେ ତ ପଥର ବୋଝ ହୋଇଛି ।”
ସଙ୍ଗେ ସଙ୍ଗେ ସେ ଚାକର ପିଲାଟି ଦଉଡି ଯାଇ ତା ମାଲିକ ତଥା ସେ ବଣିକଙ୍କୁ ଏସବୁ ଖବର ଦେଲା । ମାଲିକ ସେ ପୋଖରୀ କୂଳକୁ ଯାଇ ସବୁ ଶୁଣିଲା । ହଠାତ୍ ତାର ମନେ ହେଲା, ଏ ତ ତାର ସ୍ତ୍ରୀର ସ୍ୱର । ତେବେ ତା ଘରେ କିଏ? ଆସ୍ତେ ଆସ୍ତେ ସେ ବଣିକର ସନ୍ଦେହ ବଢିବାକୁ ଲାଗିଲା । ତେଣୁ ସେ ବଣିକ କେଉଟ ଡାକି ପୋଖରୀରେ ଜାଲ ପକାଇବାରୁ ପାଣି ଭିତରୁ ତାର ସ୍ତ୍ରୀ ବାହାରି ଆସିଲା । ବଣିକର ସ୍ତ୍ରୀ ବେକରୁ ପଥର ବି ଖୋଲି ଦିଆଗଲା । ତାକୁ ଡାକ୍ତରମାନେ ଲାଗି ପଡି ଚିକିତ୍ସା କରିବାରୁ ଆସ୍ତେ ଆସ୍ତେ ତାର ହୋସ୍ ବି ଆସିଲା । ତାପରେ ସେ ବଣିକର ସ୍ତ୍ରୀ ଗୋଟି ଗୋଟି କରି ସବୁ କଥା ତା ସ୍ୱାମୀ ଆଗରେ କହିଲା । ତହୁଁ ସେ ବଣିକ ସଙ୍ଗେ ସଙ୍ଗେ ଗୁଣିଆ ଡାକି ତା ଘରେ ସ୍ତ୍ରୀ ରୂପରେ ଥିବା ଡାହାଣୀକୁ ବାନ୍ଧି ପକାଇଲା । ସେ ଡାହାଣୀଟି ମାଡ ଖାଇ ଖାଲି କଲବଲ ହେଉଥାଏ । ବିକଳ ହୋଇ ସେ ଡାହାଣୀ କହୁଥାଏ, “ମୋତେ ଛାଡିଦିଅ । ମୁଁ ତୁମର ଏ ଛେଳିଛୁଆକୁ ମଣିଷ କରିଦେବି । ସତକୁ ସତ ଡାହାଣୀର ମନ୍ତ୍ରରେ ଛେଳିଛୁଆଟି ବି ସଙ୍ଗେ ସଙ୍ଗେ ମଣିଷ ହୋଇଗଲା । ଭାଇକୁ ପାଇ ଏବେ ସେ ଝିଅର ଆନନ୍ଦ ପୁଣି ଆଉ ଦେଖେ କିଏ? ତାପରେ ସେ ଡାହାଣୀଟି ବି ତା ବାଟରେ ଚାଲିଗଲା ।
ଆଧାର ଓଡ଼ିଆ ରୋଗ
Last Modified : 1/28/2020