ଗୋଟିଏ ପୁଷ୍କରିଣୀରେ ‘ଅନଂଗତଭିଆତ’, ‘ପ୍ରତୁ୍ୟପିନ୍ନମତି’, ଏବଂ ‘ଯାଦଭଭିଷ୍ୟ’ ନାମକ ତିନୋଟି ମାଛ ରହୁଥିଲେ । ଏକଦା କେତେଜଣ ଧୀବର ସେହି ପୁଷ୍କରିଣୀ କଡଦେଇ ଯାଉଥାଆନ୍ତି । ସେମାନେ ସେହି ପୁଷ୍କରିଣୀର ନୀଳ ସ୍ୱଚ୍ଛ ଜଳରାଶିକୁ ଦେଖି କଥାବାର୍ତ୍ତା ହେଉଥାଆନ୍ତି : ଆମ୍ଭେମାନେ ସବୁ ପୋଖରୀରୁ ମାଛ ମାରି ସାରିଲୁଣି ଅଥଚ ଏହି ପୁଷ୍କରିଣୀକୁ ଆସି ନାହୁଁ । ତେଣୁ ଆସନ୍ତା କାଲି ଏହି ପୁଷ୍କରିଣୀରୁ ମାଛ ଧରିବା ପାଇଁ ଆସିବା । ଏହା କହି ଧୀବର ମାନେ ଚାଲିଗଲେ ।
ଅନଂଗତଭିଆତ ଧୀବର ମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କିଛି ସମୟପରେ ସେ ପୁଷ୍କରିଣୀରେ ଥିବା ଅନ୍ୟ ମାଛ ମାନଙ୍କୁ ଏହି ସମ୍ବାଦଟି ଜଣାଇଦେଲେ ଏବଂ କହିଲେ ‘ତୁମ୍ଭେମାନେ ଜାଣିଲଣି? ଆସନ୍ତାକାଲି ଧୀବରମାନେ ଏଠାକୁ ଆସି ଆମ୍ଭମାନଙ୍କୁ ଧରି ନେଇଯିବେ’ । ତେଣୁ ଏଠାରେ ଆଉ ଗୋଟିଏ ମୁହୂର୍ତ ରହିବା ମଧ୍ୟ ଆମ ପାଇଁ ବିପଦଜନକ । ତେଣୁ ଆମେ ଯେତେ ଶୀଘ୍ର ଏହି ପୁଷ୍କରିଣୀ ଛାଡି ଅନ୍ୟ ଏକ ସ୍ଥାନକୁ ଚାଲିଯିବା । ବିପର୍ଯ୍ୟୟ ସମୟରେ ଯେଉଁମାନେ ତତ୍କ୍ଷଣାତ୍ ସେହି ସ୍ଥାନ ଛାଡି ଚାଲିଯାଆନ୍ତି ସେମାନଙ୍କ ଜୀବନ ବିପଦମୁକ୍ତ ହୋଇଥାଏ । ଏହା ଶୁଣି ପ୍ରତୁ୍ୟପିନ୍ନମତି କହିଲେ ତୁମେ ଯାହା କହୁଛ, ଠିକ୍ କହୁଛ । ତେଣୁ ଆମେ ଅନ୍ୟତ୍ର ଚାଲି ଗଲେ ଆମେ ବିପଦମୁକ୍ତ ହୋଇଯିବା ।
କିନ୍ତୁ ଯାଦଭଭିଷ୍ୟ ଏମାନଙ୍କ କଥାକୁ ଥଟ୍ଟାରେ ଉଡାଇଦେଲେ ଏବଂ କହିଲେ, ଓଃ! ମୁଁ ତୁମ୍ଭମାନଙ୍କ କଥାରେ ଏକମତ ନୁହେଁ । ତୁମ୍ଭେମାନେ ଏହି ପୋଖରୀ ତ୍ୟାଗ କରିବା ନିଷ୍ପତି ନେଇ କିଛି ଠିକ୍ କରୁ ନାହଁ । ଆମ୍ଭେ ଏହି ପୋଖରୀରେ ଆମ ବାପ, ଅଜା ଅମଳରୁ ରହି ଆସିଛୁ । କେଉଁଠାରେ ଧୀବରମାନେ କ’ଣ ଏପରି କଥା ହେଲେ ଯେ, ସେହି କଥାକୁ ଶୁଣି ଆମ୍ଭେମାନେ ବ୍ୟସ୍ତ ହେବା ଉଚିତ୍ ନୁହେଁ । ତେଣୁ ମୁଁ ତୁମ୍ଭମାନଙ୍କ କଥାରେ ଏକମତ ନୁହେଁ ।
ଯେତେବେଳେ ‘ଅନଂଗତଭିଆତ’ ମାଛ ମାନଙ୍କର ଏହିପରି କଥା ଶୁଣିଲା, କୌଣସି କଥାକୁ କର୍ଣ୍ଣପାତ ନ କରି, ଆପଣାର ପରିବାର ସହିତ ତୁରନ୍ତ ସେହି ପୁଷ୍କରିଣୀ ଛାଡି ଅନ୍ୟତ୍ର ଚାଲିଗଲା । ପରଦିନ ସକାଳୁ ପ୍ରତୁ୍ୟପିନ୍ନମତି ଯେତେବେଳେ ଦୂରରୁ ଦେଖିଲା ଯେ ଧୀବରମାନେ ପୁଷ୍କରିଣୀ କୂଳକୁ ଆସୁଛନ୍ତି ସେ ସଂଗେ ସଂଗେ ତା’ର ପରିବାର ସହିତ ସେହି ପୁଷ୍କରିଣୀ ତ୍ୟାଗ କରି ଅନ୍ୟତ୍ର ଚାଲିଗଲା । ଧୀବର ମାନେ ପୁଷ୍କରିଣୀରେ ଜାଲ ବସାଇ ଯାଦଭଭିଷ୍ୟଙ୍କ ସମେତ ଅନ୍ୟ ମାଛ ମାନଙ୍କୁ ଧରି ନେଇଗଲେ । ବନ୍ଧୁ ଅନଂଗତଭିଆତଙ୍କ କଥାକୁ ହସରେ ଉଡାଇ ଦେଇଥିବାରୁ ଶେଷରେ ମାଛ ମାନଙ୍କ ଜୀବନ ଗଲା ।
ଏହି କାହାଣୀଟି କହିସାରି ମା’ ପକ୍ଷୀଟି କହିଲା, ‘ସେଥିପାଇଁ ମୁଁ କହୁଥିଲି, ଯିଏ ବୁଦ୍ଧି ଖର୍ଚ୍ଚ କରି ବିପଦ ଆସିବା ଆଗରୁ ସତର୍କତା ଅବଲମ୍ବନ କରେ ଏବଂ ଉଚିତ୍ ସମୟରେ ଚତୁରତାର ସହିତ କାର୍ଯ୍ୟକରି ବିପଦକୁ ଟାଳିଦେଇ ପାରେ ସେ ଜୀବନରେ କଦାପି ଦୁଃଖପାଏ ନାହିଁ । ତେଣୁ ‘ଅନଂଗତଭିଆତ’ ଓ ‘ପ୍ରତୁ୍ୟପିନ୍ନମତି’ ଉଚିତ୍ ସମୟରେ ବୁଦ୍ଧିମାନର କାର୍ଯ୍ୟ କରି ନିଜ ଜୀବନ ବଂଚାଇ ପାରିଥିଲେ । କିନ୍ତୁ ସେମାନଙ୍କ କଥାକୁ କର୍ଣ୍ଣପାତ ନ କରି ହେୟ ଜ୍ଞାନ କରିଥିବାରୁ ଯାଦଭଭିଷ୍ୟ ଧୀବରମାନଙ୍କ ଦ୍ୱାରା ମୃତ୍ୟୁବରଣ କଲେ ।
ଏହା ଶୁଣି ସାରିବା ପରେ ପୁରୁଷ ପକ୍ଷୀଟି ଗର୍ବର ସହିତ କହିଲା, “ତୁମେ କ’ଣ ଭାବୁଛ ମୁଁ ଚତୁର ନୁହେଁ, ମୋର ବୁଦ୍ଧି, ଜ୍ଞାନ କିଛି ନାହିଁ । ଦିନେ ନା ଦିନେ ତୁମେ ଦେଖିବ ମୁଁ କେତେ ବୁଦ୍ଧିମାନ! ମୁଁ ମୋର ଶକ୍ତି ବଳରେ ନିଶ୍ଚୟ ଏହି ସାଗରକୁ ଶୁଖାଇ ଦେଇପାରିବି । ମା’ ପକ୍ଷୀଟି କହିଲା, ଦେଖ! ତୁମେ ଜାଣିନାହଁ ସମୁଦ୍ରର ପରାକ୍ରମ କେତେ? ଶତ୍ରୁର ଶକ୍ତି ସଂପର୍କରେ ନ ଜାଣି ତାହା ସହିତ ଶତ୍ରୁତା କଲେ ଶେଷରେ ପରାଜୟ ବରଣ କରିବାକୁ ହିଁ ହୋଇଥାଏ ।
ପୁରୁଷ ପକ୍ଷୀଟି କହିଲା ‘ତୁମେ ଏପରି କହି ମୋତେ ଦୁର୍ବଳ କରିଦିଅ ନାହିଁ । ବୁଦ୍ଧି ନିକଟରେ ଶାରୀରିକ ବଳ କୌଣସି କାମ କରେ ନାହିଁ । ତୁମେ ଯେତେ କ୍ଷୁଦ୍ର ହେଲେ ମଧ୍ୟ ଯଦି ତୁମେ ଶତ୍ରୁକୁ ପରାଜିତ କରିବା ପାଇଁ ସଂକଳ୍ପ ବଦ୍ଧ ତା’ହେଲେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାହା ତୁମେ କରିପାରିବ । ଯେପରି ଗୋଟିଏ ବିରାଟକାୟ ହାତୀକୁ ତା’ର ମାହୁନ୍ତ ସାମାନ୍ୟ ଏକ ଅଙ୍କୁଶ ମାଧ୍ୟମରେ ନିଜ ଅକ୍ତିଆରରେ ରଖିଥାଏ । ଅଙ୍କୁଶଟି କ’ଣ ହାତୀର ଆକାର ଠାରୁ ବଡ? ସାମାନ୍ୟ ଏକ ଦୀପଶିଖାର ଆଲୋକ ପୃଥିବୀ ପୃଷ୍ଠରେ ଘନ ଅନ୍ଧକାରକୁ ଦୂର କରେ । ଦୀପଶିଖାଟି କ’ଣ ଅନ୍ଧକାର ଆଗରେ ବଡ? ସେହିପରି ଘଡଘଡିର ଶବ୍ଦରେ ପୃଥିବୀ ପୃଷ୍ଠରେ ଥିବା ବୃହତ ପର୍ବତ ମାଳା ମଧ୍ୟ ପ୍ରକଂପିତ ହୋଇଉଠେ । ତେଣୁ ଯେଉଁ ମଣିଷ ନିକଟରେ ଦୃଢ ମନୋବଳ ଥାଏ, ସେ ଶକ୍ତିଶାଳୀ ହୋଇଥାଏ । ମୁଁ ନିଶ୍ଚୟ ସମୁଦ୍ରର ଜଳକୁ ଶୁଖାଇ ଦେଇ ପାରିବି । ମୁଁ ମୋର ଥଂଟଦ୍ୱାରା ଶୋଷଣ କରି ଏହା କରିପାରିବି ।
ପୁରୁଷ ପକ୍ଷୀର ଦମ୍ଭପୂର୍ଣ୍ଣ କଥା ଶୁଣି ମା’ ପକ୍ଷୀଟି କହିଲା, ‘ତୁମେ ଏହା କିପରି କରିପାରିବ’? ପୁରୁଷ ପକ୍ଷୀଟି କହିଲା ମୁଁ କାହିଁକି କରିପାରିବି ନାହିଁ? ଯଦି ଏକ ମନ ହୋଇ ନିଷ୍ଠାର ସହିତ କୌଣସି କାର୍ଯ୍ୟରେ ହାତ ଦେବ ତା’ହେଲେ ତାହା ନିଶ୍ଚିତ ଭାବେ ପୂରଣ ହୋଇପାରିବ ।
ମା’ପକ୍ଷୀଟି କହିଲା, ‘ଯଦି ତୁମେ ବିଶାଳ ସମୁଦ୍ର ସହିତ ଶତ୍ରୁତା କରିବାକୁ ଚାହଁ ପ୍ରଥମେ ଅନ୍ୟ ପକ୍ଷୀମାନଙ୍କ ନିକଟକୁ ଏକ ବାର୍ତ୍ତା ପଠାଅ । କାରଣ ସମସ୍ତେ ମିଳିମିଶି କାର୍ଯ୍ୟ କଲେ, କାର୍ଯ୍ୟଟି ଯେତେ କଷ୍ଟସାଧ୍ୟ ହେଲେ ମଧ୍ୟ ତାହା ସଫଳ ହୋଇଥାଏ । କିପରି ଏକ ଘର ଚଟିଆ, କାଠହଣା ଚଢେଇ, ମାଛି ଏବଂ ବେଙ୍ଗମାନେ ଏକତ୍ରିତ ହୋଇ ଏକ ବିରାଟକାୟ ହାତୀକୁ ମାରିବାକୁ ସକ୍ଷମ ହୋଇଥିଲେ । ପୁରୁଷ ପକ୍ଷୀଟି କହିଲା, କିପରି ଏହା ସମ୍ଭବ ହୋଇ ପାରିଲା? ଏହାପରେ ମା’ ପକ୍ଷୀଟି କାହାଣୀ କହିବାକୁ ଆରମ୍ଭ କଲା ।
ଆଧାର : ଓଡ଼ିଆ ଗପ
Last Modified : 7/1/2019