অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତିନୋଟି ରେଖା

ତିନୋଟି ରେଖା

ଉପକ୍ରମ

ପ୍ରାଚୀନ କାଳର କଥା । ଚୀନ୍ ଦେଶରେ ଚ୍ୟାଙ୍ଗ ନାମରେ ଜଣେ ମହାବୀର ଥିଲେ । ଦୁଷ୍ଟ ଓ ଅତ୍ୟାଚାରୀମାନଙ୍କୁ ଦମନ କରିବାରେ ଓ ସାଧୁ ଲୋକଙ୍କୁ ସହାୟତା କରିବାରେ ସେ ନିଜର ବଳ ଉପଯୋଗ କରୁଥା’ନ୍ତି ।

ବର୍ଣ୍ଣନା

ଥରେ ସେ ବୀର ଯୋଦ୍ଧା ଚ୍ୟାଙ୍ଗ ରାଜଧାନୀ ଅଭିମୁଖେ କୌଣସି ଏକ କାରଣରୁ ଯାଉଥା’ନ୍ତି । ମାତ୍ର ସଂଧ୍ୟ୍ୟା ହେବା ବେଳକୁ ସେ ବାଟ ଭୁଲି ଅନ୍ୟ ରାସ୍ତାରେ ଯାଉଥା’ନ୍ତି । ଦୂରରେ ଗୋଟିଏ ଗୃହ ଓ ତନ୍ମଧ୍ୟରୁ ଆସୁଥିବା ଆଲୋକ ରେଖା ଦେଖାଗଲା । ତେଣୁ ସେହି ଦିଗରେ ସେ ଘୋଡା ଛୁଟାଇ ଦେଲେ । ଅନ୍ତତଃ ରାତିକ ତ ଆଶ୍ରୟ ମିଳିଯିବ । ସେ ଘୋଡାରୁ ଓହ୍ଲାଇ ଦେଖିଲେ ଯେ ଘର ଭିତରେ ଦୀପ ଆଲୁଅରେ ବୁଢୀଟିଏ ବସି ସୁତା କାଟୁଛି । ସେ ମଧ୍ୟ ଘୋଡା ଟାପୁର ଶବ୍ଦ ଶୁଣି ବାହାରକୁ ଆସିଲା ଓ ପଚାରିଲା, “ତମେ କିଏ? କୁଆଡେ ଆସିଛ?”

ବୁଢୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚ୍ୟାଙ୍ଗ କହିଲେ “ମା, ମୁଁ ରାସ୍ତା ଭୁଲି ଏଠାକୁ ଆସିଛି । ମୋତେ ଯଦି ରାତିଟିଏ ଆଶ୍ରୟ ଦିଅନ୍ତ ତେବେ ତୁମର ବହୁତ ଉପକାର ହୁଅନ୍ତା ।”

ତାଙ୍କ କଥା ଶୁଣି ଗୃହକର୍ତ୍ତା କହିଲେ “ପୁଅ ଏ ଘରେ କାହାକୁ ଆଶ୍ରୟ ଦେବା ବା ନ ଦେବା ମୋ ହାତର କଥା ନୁହେଁ ।”

ଏପରି କଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଚ୍ୟାଙ୍ଗ ପଚାରିଲେ “ଏ ଘରେ କ’ଣ ତମେ ଏକା ରହୁଛ?”

ଏହା ଶୁଣି ସେ ବୁଢୀ ଅତମତ ହୋଇ କହିଲା “ପୁଅ, ବହୁ ଦିନରୁ ମୋର ସ୍ୱାମୀ ମରି ଯାଇଛନ୍ତି । ମୋର ଗୋଟିଏ ବୋଲି ପୁଅ ବ୍ୟବସାୟ କରି ଦୂରରେ ରହେ ।”

ଚ୍ୟାଙ୍ଗ ପଚାରିଲେ “ତୁମ ବୋହୁ କାହିଁ?”

ବୋହୁ ନାମ ଶୁଣିହିଁ ବୁଢୀର ଦେହ କମ୍ପି ଉଠିଲା, ବୁଢୀ କହିଲା “ପୁଅ, ତମେ ଏ ପ୍ରଶ୍ନ କାହିଁକି ପଚାରିଲ? ମୋ ବୋହୁ ତ ଭୁଲରେ ବୋଧହୁଏ ଝିଅଜନ୍ମ ପାଇଛି । ସେ ତ ଜଣେ ପେହଲବାନ୍ । ବଡ ବଡ ବୀରପୁରୁଷ ମଧ୍ୟ ତା’ ଆଗରେ ମଥା ନତ କରି ଚାଲିଯା’ନ୍ତି । ସେ ଇଚ୍ଛା କଲେ ମୋତେ ତା’ର କନିଷ୍ଠ ଆଙ୍ଗୁଳି ଦ୍ୱାରା ଏକ ମୁହୂର୍ତ୍ତରେ ମାରି ଦେଇ ପାରିବ । ବିଲେଇର ପଞ୍ଝା ତଳେ ମୂଷା ରହିଲା ପରି ମୁଁ ତା’ ପାଖରେ ଥାଏ । ଟିକିଏ ଭୁଲ୍ ହୋଇଗଲେ ସେ ମୋତେ ଗାଳିଗୁଲଜ କରେ ଓ ପିଟେ । ସେଥିପାଇଁ କହୁଛି, ପୁଅ! ତୁମକୁ ଆଶ୍ରୟ ଦେବାର ଅଧିକାର ଏ ଘରେ ମୋର ନାହିଁ ।”

ବୁଢୀର ସମସ୍ତ ଦୁଃଖ କାହାଣୀ ଶୁଣି ଚ୍ୟାଙ୍ଗଙ୍କର ବୁଢୀର ବୋହୁ ଉପରେ ଭାରି ରାଗ ଆସିଲା । ସେ କହିଲେ, “ମା’, ତୁମ ବୋହୁ କାହିଁ, ଯିଏ କି ବୁଢୀ ଶାଶୁ ଉପରେ ଏତେ ଅତ୍ୟାଚାର କରୁଛି? ଏ ସମସ୍ୟାର ସମାଧାନ ମୁଁ ଆଜିହିଁ କରିବି ।”

ତା’ପରେ ଚ୍ୟାଙ୍ଗ ତାଙ୍କ ଘୋଡାକୁ ଗଛରେ ବାନ୍ଧିଦେଇ ଦୁଆରବନ୍ଧ ଆଗରେ ବସିଲେ ।

ବୁଢୀ କହିଲା “ପୁଅ, ତୁମେ ଏ ଗୋଳମାଳରେ ଆଦୌ ମୁଣ୍ଡ ପୁରାଅ ନାହିଁ । ପ୍ରତିଦିନ ଜଙ୍ଗଲକୁ ଯାଇ ନିଜ ହାତରେ ବାଡିଖଣ୍ଡକର ବି ସାହାଯ୍ୟ ନ ନେଇ ଜନ୍ତୁ ଜାନୁଆର ସବୁ ସେ ମାରି ଧରି ଚାଲି ଆସୁଛି । ସେଇଆକୁ ବିକି ଆମେ ଏଠାରେ ଚଳୁ । ପୁଅ ବହୁତ ଦିନ ଅନ୍ତରରେ ଥରେ ଥରେ ଆସି କିଛି ପଇସାପତ୍ର ଦେଇ ପୁଣି ଚାଲିଯାଏ । ଯେତେ ଯାହା ହେଲେ ବି ମୋତେ ତ ପୁଣି ତା’ରି ପାଖରେ ହିଁ ଚଳିବାକୁ ହେବ, ସେଥିପାଇଁ ମୁଁ ତାକୁ କିଛି ବି ନ କହି ସବୁ ସହିଯାଏ ।”

ବୁଢୀ ମୁହଁରୁ ସବୁକଥା ଶୁଣି, ଚ୍ୟାଙ୍ଗ କହିଲେ, “ମା’, ମୁଁ ଏପର୍ଯ୍ୟନ୍ତ ସର୍ବଦା ଦୁର୍ବଳକୁ ହିଁ ରକ୍ଷାକରି ଆସିଛି । ଏଠାରେ ମଧ୍ୟ ମୁଁ ତାକୁ ଠିକ୍ ଶିକ୍ଷା ଦେବି ।”

କିଛି ସମୟ ପରେ ସେଠାରେ ବୋହୁ ଆସି ପହଁଚିଲା । ପିଠିରେ ଗୋଟାଏ ମୃତ ବାଘ ବୋହି ଆଣି ତଳେ କଚାଡି ଦେଇ ସେ କହିଲା, “ଦୀପଟା ଟିକିଏ ବାହାରକୁ ଆଣିବ ତ!”

ବୋହୁ କଥା ଶୁଣି ବୁଢୀ ବିକଳରେ ଦୌଡି ଦୌଡି ଦୀପ ଆଣି ଠିଆ ହୋଇଗଲା । ଚ୍ୟାଙ୍ଗଙ୍କର କ୍ରୋଧ ମଧ୍ୟ ମୃତ ବାଘକୁ ଦେଖି ଟିକିଏ ଥଣ୍ଡା ପଡିଗଲା ।

ବୋହୁ ଚ୍ୟାଙ୍ଗଙ୍କୁ ନ ଦେଖି ସେ ପଚାରିଲା “ଏ ଘୋଡା କୁଆଡୁ ଆସିଲା?”

ଚ୍ୟାଙ୍ଗ ସମ୍ମୁଖକୁ ଆସି କହିଲେ, “ଏ ଘୋଡା ମୋର । ମୁଁ ରାଜଧାନୀ ଦିଗରେ ଯାଉ ଯାଉ ରାସ୍ତା ଭୁଲି ଏଠାରେ ପହଁଚିଛି । ରାତି ହୋଇଗଲା । ଏଣୁ ଆଲୁଅ ଦେଖି ଆଶ୍ରୟ ପାଇଁ ମୁଁ ଏଠାକୁ ଆସିଲି ।”

ବୋହୁ ଏକଥା ଶୁଣି ଶାଶୁଙ୍କୁ ଅନାଇ କହିଲା, “ଆରେ, ଅତିଥି ଜଣେ ଘରକୁ ଆସିଛନ୍ତି, ତମେ ତାଙ୍କୁ ବାହାରେ ଠିଆ କରି ରଖାଇଛ?” ପୁଣି ଚ୍ୟାଙ୍ଗଙ୍କୁ ସେ କହିଲା, “ଭାଇ ଏ ବୁଢୀର ଦୋଷ କ୍ଷମା କରନ୍ତୁ । ମୁଁ ଏଇ ବାଘ ସହିତ ଲଢି ତାକୁ ମାରିବାକୁ ଟିକିଏ ସମୟ ଲାଗିଲା, ତେଣୁ ଫେରୁ ଫେରୁ ଡେରି ହେଲା । ଏପର୍ଯ୍ୟନ୍ତ ଯେ ଆପଣଙ୍କର କୌଣସି ଆଦର ସତ୍କାର ହୋଇ ପାରିନାହିଁ ସେଥିପାଇଁ ମୁଁ ବଡ ଦୁଃଖିତ ।”

ତା’ପରେ ଚ୍ୟାଙ୍ଗ କହିଲା “ଆପଣ ଏପରି କୁହନ୍ତୁ ନାହିଁ । ମୋତେ ଆଶ୍ରୟ ଦେଉଛନ୍ତି ସେଇ ଯଥେଷ୍ଟ ।” ଏହାପରେ ସେ ମନେ ମନେ ଭାବିଲା ଯେ ବୋହୁର ତ ବେଶ୍ ଶିଷ୍ଟାଚାର ଜ୍ଞାନ ଅଛି ।

କିଛି ସମୟ ପରେ ବୋହୁ ବାଘ ମାଂସର ତରକାରୀ ଓ ଅନ୍ୟାନ୍ୟ କିଛି ଖାଦ୍ୟ ଆଣି ଚ୍ୟାଙ୍ଗଙ୍କୁ ଦେଲା । ଖାଦ୍ୟ ଦେଖି ଚ୍ୟାଙ୍ଗ ବ୍ୟସ୍ତ । ତେବେ ଭଦ୍ରତା ରକ୍ଷା କରି ସେ କିଛି ଖାଇଲେ । ତା’ପରେ ସେ ବୋହୁ ବିନମ୍ର ସ୍ୱରରେ କହିଲା, “ଆମେ ତ ଗରୀବ ଲୋକ । ଆମ ଖାଦ୍ୟ ଆପଣଙ୍କୁ ଭଲ ନ ଲାଗିପାରେ । ତେଣୁ କିଛି ବି ଭାବିବେ ନାହିଁ ।”

ଚ୍ୟାଙ୍ଗ କହିଲେ “ଆପଣ ଏ କ’ଣ କହୁଛନ୍ତି? ଖାଦ୍ୟ ତ ବେଶ୍ ବଢିଆ ଥିଲା ।”

କିଛି ସମୟ ଚୁପ୍ ରହିବା ପରେ ଚ୍ୟାଙ୍ଗ କହିଲେ, “ଭଉଣୀ, ତମେ ଏତେ ଶକ୍ତିଶାଳୀ ଓ ବୁଦ୍ଧିମତୀ ହୋଇ ମଧ୍ୟ ଗୁରୁଜନମାନଙ୍କର ଅବମାନନା କିପରି କରୁଛ? ଏହାର କାରଣ କ’ଣ?

ଏଭଳି ପ୍ରଶ୍ନ ଶୁଣିହିଁ ବୋହୁ ରାଗିଯାଇ କହିଲା, “କ’ଣ ହେଲା? ଏ ବୁଢୀ ମୋ ବିରୁଦ୍ଧରେ ତୁମକୁ ତାହେଲେ କିଛି କହିଛି ।”

ଚ୍ୟାଙ୍ଗ କହିଲେ “ଭଉଣୀ ତୁମେ ଭୁଲ୍ ଭାବ ନାହିଁ । ସେ ବୁଢୀ ମୋତେ କିଛି ବି କହି ନାହାଁନ୍ତି । କିନ୍ତୁ ତୁମର ତାଙ୍କ ପ୍ରତି ବ୍ୟବହାରରୁ ମନେହୁଏ ତମର ବୁଦ୍ଧି ଓ ବଳ ଅନୁସାରେ ଶାଶୁଙ୍କ ପ୍ରତି ବ୍ୟବହାର ବେଶି ଭଲ ନୁହେଁ । ଏଇକଥା ଭାବି ତୁମକୁ ମୁଁ ଏହା ପଚାରିଲି ।”

ତା’ପରେ ବୋହୁ ଗୋଟିଏ ହାତରେ ଦୀପ ଧରି ଅନ୍ୟ ହାତରେ ଯୋଦ୍ଧା ବୀର ଚ୍ୟାଙ୍ଗଙ୍କର ପୋଷାକ ଧରି କିଛି ବାଟ ଘୋଷାରି ଆଣି କହିଲା, “ଏଇଠି ଠିଆ ହୁଅ । ତୁମକୁ ମୋର କିଛି କଥା କହିବାର ଅଛି ।”

ବୋହୁ ଚଟାଣ ଉପରେ ଗୋଟିଏ ହାତ ରଖି ତା’ର ଆଙ୍ଗୁଳିରେ ଗାର କାଟି କହିଲା, “ଦେଖ, ଦିନେ ଏପରି ହେଲା, ଅନ୍ୟ ଦିନ ଅନ୍ୟ ଏକ ଘଟଣା ହେଲା, ତୃତୀୟ ଦିନ ଏପରି ହେଲା, ତା’ପରେ କୁହ ମୋର ଦୋଷ ନା ବୁଢୀର ଦୋଷ?” ଇତିମଧ୍ୟରେ ଆଙ୍ଗୁଳି ବୁଲାଇବା ଦ୍ୱାରା ପଥର ଚଟାଣରେ ଗଭୀର ରେଖା କାଟି ହୋଇ ଯାଇଛି ।

ସେଇ ସବୁ ରେଖା ଦେଖିହିଁ ଚ୍ୟାଙ୍ଗଙ୍କର ମନ ଭୟରେ କମ୍ପି ଉଠିଲା – ସେ ତରବର ହୋଇ କହିଲେ, “ଭଉଣୀ, ଏଥିରେ ମତଦୈଧର କୌଣସି ଅବକାଶ ନାହିଁ । ବୁଢୀରହିଁ ସବୁ ଭୁଲ୍ ।”

ବୋହୁ କହିଲା “ବାସ୍ ଏତିକିହିଁ ମୁଁ ଶୁଣିବାକୁ ଚାହିଁଥିଲି ।” ତା’ପରେ ସେ ଚ୍ୟାଙ୍ଗଙ୍କର ଶୋଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେଲା ।

ଏ ଘଟଣା ଦେଖିବା ପରେ ବୀର ଚ୍ୟାଙ୍ଗଙ୍କ ମନରେ ବୁଢୀକୁ ରକ୍ଷା କରିବାର ଇଚ୍ଛା କୁଆଡେ ଉଭେଇ ଗଲା । ସେ ଭଗବାନ୍ଙ୍କୁ ଧନ୍ୟବାଦ ଦେଲେ ଯେ ନିଜେ କୌଣସି ମତେ ବଂଚି ଯାଇଛନ୍ତି । ରାତିରେ ତାଙ୍କୁ ଆଉ କି ନିଦ ହୁଏ? ରାତି ପାହିବାର ବହୁ ପୂର୍ବରୁ ସେ ସେ ସ୍ଥାନ ଛାଡି ପଳେଇଥିଲେ ।

ଆଧାର : ଓଡ଼ିଆ ଗପ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate