ବହୁତ ଦିନ ତଳର କଥା । କାଂଚିପୁରମ୍ ରାଜ୍ୟରେ ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମରେ ତିନି ଜଣ ସାଧୁ ରହୁଥିଲେ । ତନ୍ମଧ୍ୟରୁ ପ୍ରଥମ ସାଧୁଙ୍କ ନାଁ ଥିଲା ସାଧୁ ରାମାନନ୍ଦ । ଦ୍ୱିତୀୟ ସାଧୁଙ୍କ ନା ସାଧୁ ଆତ୍ମାନନ୍ଦ ଓ ତୃତୀୟ ସାଧୁଙ୍କ ନାମ ଥିଲା ସାଧୁ ଦୟାନନ୍ଦ । ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ସବୁବେଳେ ଖାଲି କଳି ଝଗଡା କରୁଥିଲେ । ସାଧୁ ରାମାନନ୍ଦ କହୁଥିଲେ ସେ ହିଁ ଶ୍ରେଷ୍ଠ ସାଧୁ । ଏଣେ ସାଧୁ ଆତ୍ମାନନ୍ଦ ମଧ୍ୟ କହୁଥିଲେ – ସେ ହିଁ ଶ୍ରେଷ୍ଠ ସାଧୁ । ମାତ୍ର ସାଧୁ ଦୟାନନ୍ଦ ସର୍ବଦା ସେମାନଙ୍କୁ ବୁଝାଉଥିଲେ । କହୁଥିଲେ – ଏ ଜଗତରେ କେବଳ ସାଧୁ ହିଁ ଶ୍ରେଷ୍ଠ ଅଟନ୍ତି ।
ଏ କଥା ଶୁଣି ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ହସି ହସି କହିଲେ – ‘କ’ଣ ତୁମେ କହୁଛ ଦୟାନନ୍ଦ । ତୁମ ନାଁ ଆଗରେ ସାଧୁ ଶବ୍ଦ ଲଗାଇଲେ କ’ଣ ତୁମେ କେବେବି ଆମ୍ଭମାନଙ୍କ ଭଳି ସାଧୁ ହୋଇପାରିବ । ଇଏତ ତୁମର ନିଜ ପ୍ରତି ସାଧୁତା ପ୍ରମାଣ କରିବାର ଦୁର୍ବଳତା ମାତ୍ର’ । ସେ ଦୁଇ ସାଧୁଙ୍କ ଏପରି କଥା ଶୁଣି ସାଧୁ ଦୟାନନ୍ଦ କହିଲେ – ‘ସାଧୁ ହେବା ପାଇଁ କେବଳ ‘ସାଧୁ’ ଶବ୍ଦର ପ୍ରୟୋଗ ଯଥେଷ୍ଟ ନୁହେଁ । କର୍ତ୍ତବ୍ୟରେ ସାଧୁତା ରଖିବା ଓ ଠିକ୍ କର୍ତ୍ତବ୍ୟ ସମ୍ପାଦନା କରିବା ହିଁ ସାଧୁତା’ ।
ତିନିସାଧୁଙ୍କର ଏଭଳି କଥା ସ୍ୱୟଂ ଭଗବାନ ଙ୍କ କାନରେ ପଡିଲା । ଦିନେ ଭଗବାନ ସେ ତିନିସାଧୁଙ୍କ ପରୀକ୍ଷା ନେବା ପାଇଁ ଆଶ୍ରମରେ ଆସି ପହଁଚିଲେ । ସ୍ୱୟଂ ଭଗବାନ ଏକ ସାଧାରଣ ପଥିକ ବେଶରେ ସେ ଆଶ୍ରମରେ ଆସି ପହଁଚିଲେ । କହିଲେ – ମୁଁ ଜଣେ ଦିଗହରା ପଥିକ । ବାଟ ଭୁଲି ଏ ଆଶ୍ରମରେ ପହଁଚିଛି । ଏକଥା ଶୁଣି ସେ ତିନି ସାଧୁ କହିଲେ – ଇଏ ତ ଆମ ସୌଭାଗ୍ୟ । ଅତିଥି ସେବା ତ ହିଁ ଆମ୍ଭମାନଙ୍କ ଧର୍ମ । ଆପଣ ଆସନ୍ତୁ । ଗୋଡ ହାତ ଧୋଇ ଟିକେ ଶୀତଳ ଜଳ ପିଇବେ । ଯଦ୍ୱାରା ଆପଣଙ୍କୁ ଟିକେ ଆରାମ ଲାଗିବ । ତାପରେ ସାଧୁ ରାମାନନ୍ଦ ସେ ଆଗନ୍ତୁକ ପଥିକଙ୍କୁ କୁଟୀରକୁ ପାଛୋଟି ନେଇଗଲେ । ଭଗବାନ ସେଠାରେ କିଛି ସମୟ ପାଇଁ ବିଶ୍ରାମ ନେଲେ । ଏହାପରେ ସାଧୁ ରାମାନନ୍ଦ କହିଲେ – ପଥିକ ମହାଶୟ, ଆପଣଙ୍କୁ ତ ଏବେ ନିଶ୍ଚୟ ଭୋକ ଲାଗୁଥିବ । ଆମ ଆଶ୍ରମରେ ତିନିଟି ଆମ୍ବଗଛ ଅଛି । ସେହି ଆମ୍ବଗୁଡିକ ବହୁତ ମିଠା । ସେହି ଆମ୍ବ ଖାଇ କ୍ଷୁଧା ନିବାରଣ କରିବେ ଆସନ୍ତୁ ।
ତାପରେ ସେ ତିନିଜଣ ସାଧୁ ଓ ପଥିକ ଜଣକ ଯାଇ ଆଶ୍ରମର ଉଦ୍ୟାନରେ ପହଁଚିଲେ । ସାଧୁ ରାମାନନ୍ଦ ଗୋଟିଏ ବଡ ବାଉଁଶ ଆଣି ନିଜ ଆମ୍ବଗଛର ଡାଳଗୁଡିକୁ ଖାଲି ପିଟିବାକୁ ଲାଗିଲେ । ତାପରେ ସେ ଗଛରୁ ଆମ୍ବଗୁଡିକ ଝଡିବାକୁ ଲାଗିଲା । ପଥିକ ଜଣକ ଗୋଟିଏ ଆମ୍ବ ଉଠାଇ ଖାଇଲେ ଓ କହିଲେ – ତୁମେ ମୋ ପାଇଁ ବହୁତ ପରିଶ୍ରମ କଲ, ମାତ୍ର ତୁମ ଗଛର ଆମ୍ୱ ଏତେଟା ମିଠା ଲାଗିଲା ନାହିଁ । ଏହାପରେ ସାଧୁ ଆତ୍ମାନନ୍ଦ ଗୋଟିଏ ବଡ ଦଉଡି ଆଣି ସେଥିରେ ଫାଶ ପକାଇଲେ । ସେହି ଫାଶଦ୍ୱାରା ସେ ନିଜ ଗଛର ଡାଳଗୁଡିକୁ ହଲାଇବାରେ ଲାଗିଲେ । ଫଳରେ ସେଥିରୁ ଆମ୍ବଗୁଡିକ ଝଡିବାକୁ ଲାଗିଲା । ତାପରେ ସେ ପଥିକ ଜଣକ ଆମ୍ବ ଉଠାଇ ଖାଇଲେ । କହିଲେ – ଏ ଆମ୍ବ ତ ମୁଁ କଦାପି ଖାଇ ହିଁ ପାରିବି ନାହିଁ । ଏ ଆମ୍ବ ମଧ୍ୟ ଏତେଟା ମିଠା ନୁହେଁ ।
ଏହାପରେ ସାଧୁ ଦୟାନନ୍ଦ ନିଜ ଆମ୍ବଗଛ ପାଖକୁ ଗଲେ । ବହୁତ କଷ୍ଟ କରି ସେ ଆମ୍ବ ଗଛରେ ଚଢିଲେ । ବାଛି ବାଛି କିଛି ସମୟ ପରେ ଦୁଇଟି ଆମ୍ବ ଧରି ସେ ଆମ୍ବଗଛରୁ ଓହ୍ଲାଇ ଆସିଲେ । ଏହା ଦେଖି ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ କହିଲେ – କେତେ କୃପଣ ଓ ମୂର୍ଖ ତୁମେ । ପଥିକ ମହାଶୟଙ୍କୁ ଆମ୍ବ ଖୁଆଇବ ବୋଲି ଏତେ ସମୟ ବସାଇଲ । ତହୁଁ ସେ ସାଧୁ ଦୟାନନ୍ଦ କହିଲେ – ‘ମୁଁ ତ ଏ ଆମ୍ବଗଛ ନିଜ ହାତରେ ଲଗାଇଛି । ତେଣୁ ମୁଁ ତ ଆଉ ଆପଣଙ୍କ ଭଳି ଏହାକୁ ବାଉଁଶରେ ପିଟିପିଟି କଷ୍ଟ ଦେଇପାରିବି ନାହିଁ । କାହିଁକିନା ଜଣକୁ କଷ୍ଟ ଦେଇ ଅନ୍ୟ ଜଣଙ୍କୁ କେବେବି ଖୁସି ଦିଆଯାଇ ନପାରେ । ଆଉ ଦଉଡିରେ ଫାଶ ପକାଇ ମୁଁ ମୋ ଗଛର ଗଳାରୋଦ୍ଧ କେବେବି କରିପାରିବି ନାହିଁ । ଏଭଳି ଯନ୍ତ୍ରଣା ଗଛକୁ ଦେବା ଅପେକ୍ଷା ବରଂ ଅତିଥିଙ୍କୁ ଜଳ ମାତ୍ର ଦେଇ ସନ୍ତୁଷ୍ଟ କରିବା ବହୁତ ଭଲ । କିନ୍ତୁ ମୁଁ ନିଜେ ଆମ୍ବ ଗଛରେ ଚଢି ଏ ଦୁଇଟି ପାଚିଲା ଆମ୍ବ ଆଣିଛି । ଆଉ ଆଶା କରୁଛି ଏ ଆମ୍ବଗୁଡିକ ପଥିକ ମହାଶୟ ନିଶ୍ଚୟ ଖାଇପାରିବେ ।’
ତାପରେ ଭଗବାନ ସେ ଆମ୍ବ ଦୁଇଟି ଖାଇଲେ । କହିଲେ – ଏଇ ଆମ୍ବଗଛର ଆମ୍ବ ତ ବହୁତ ମିଠା । ଏଭଳି ଆମ୍ବ ତ ମୁଁ ଆଗରୁ କେବେ ବି ଖାଇନଥିଲି । ତୁମେ ପ୍ରକୃତରେ ମହାନ୍ । ସାଧୁ ଦୟାନନ୍ଦଙ୍କ ବିଷୟରେ ଏପରି କଥା ଶୁଣି ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ବହୁତ ରାଗିଗଲେ । ତାପରେ ସେମାନେ କହିଲେ – ହେ ପଥିକ ମହାଶୟ! ଆମ୍ଭମାନଙ୍କ ଆମ୍ବ ଗଛର ଆମ୍ବ ବି ତ କିଛି କମ୍ ମିଠା ନୁହେଁ । ତୁମେ ଖାଲି ଅଯଥାରେ ସାଧୁ ଦୟାନନ୍ଦଙ୍କ ପ୍ରଶଂସା କରୁଛ ଓ ଆମ୍ଭମାନଙ୍କର ଅପମାନ କରୁଛ । ତୁମର ଏ ପକ୍ଷପାତ ଆଚରଣ ଆଦୌ ଗ୍ରହଣୀୟ ନୁହେଁ ।
ଏହାପରେ ସେ ପଥିକ ଜଣକ ନିଜ ପୂର୍ବ ରୂପକୁ ଫେରିଗଲେ । ତାପରେ ସେ ତିନି ସାଧୁ ଦେଖିଲେ ଯେ, ସେମାନଙ୍କ ସମ୍ମୁଖରେ ସ୍ୱୟଂ ଭଗବାନ ଉଭା ହୋଇଛନ୍ତି । ଭଗବାନ କହିଲେ – ହେ ସାଧୁଗଣ । ମୁଁ ଆପଣମାନଙ୍କର ସବୁ କଥା ଶୁଣିଥିଲି । ତେଣୁ ମୁଁ ଆପଣମାନଙ୍କର ସାଧୁତାର ପରୀକ୍ଷା ନେବା ପାଇଁ ଆଗ୍ରହ ପ୍ରକାଶ କଲି । ଆଉ ଆଜି ମୁଁ ଆପଣଙ୍କର ସାଧୁତା ପରୀକ୍ଷା ପାଇଁ ହିଁ ପଥିକ ବେଶରେ ଆସିଥିଲି । ମୁଁ ଆପଣମାନଙ୍କ ସେବାରେ ଅତ୍ୟନ୍ତ ସନ୍ତୁଷ୍ଟ । ମାତ୍ର ରାମାନନ୍ଦ ଓ ଆତ୍ମାନନ୍ଦ ସାଧୁ ହେବା ପାଇଁ ଆଦୌ ଯୋଗ୍ୟ ନୁହଁନ୍ତି । କାହିଁକିନା ଆପଣଙ୍କ ମନରେ ଦୟା କ୍ଷମା ନାହିଁ । କେବଳ ଭରି ରହିଅଛି ଈର୍ଷା ଓ ନିନ୍ଦା । ମାତ୍ର ସାଧୁ ଦୟାନନ୍ଦଙ୍କ ପାଖରେ ରହିଛି ଅସୀମ ଦୟା ଓ ପ୍ରେମ । ସେ ମନୁଷ୍ୟକୁ ଯେପରି ଦୃଷ୍ଟିରେ ଦେଖନ୍ତି, ବୃକ୍ଷଲତାଙ୍କୁ ମଧ୍ୟ ଠିକ୍ ସେହିଭଳି ଦୃଷ୍ଟିରେ ହିଁ ଦେଖନ୍ତି । ମୁଁ ତ ସମସ୍ତଙ୍କ ଶରୀରରେ ବିଦ୍ୟମାନ । ଯେତେବେଳେ ରାମାନନ୍ଦ ବାଉଁଶରେ ଆମ୍ବଗଛକୁ ପିଟିଲେ ସେତେବେଳେ ମୋ ଦେହରେ ଅନେକ କ୍ଷତ ସୃଷ୍ଟି ହେଲା ଯାହା କି ମତେ ବହୁତ ଯନ୍ତ୍ରଣା ଦେଲା । ଆମ୍ବଗୁଡିକ ସେଥିପାଇଁ ଆଦୌ ମିଠା ଲାଗିଲା ନାହିଁ । ଠିକ୍ ସେହିପରି ଆତ୍ମାନନ୍ଦ ଯେପରି ଦଉଡିରେ ଫାଶ ପକାଇ ଆମ୍ବଗଛକୁ ଟାଣିଲେ ମତେ ଯେମିତି ଲାଗିଲା ସେ ଯେପରି ମୋରି ଗଳାରେ ଫାଶ ପକାଇ ମୋ ଗଳାରୁଦ୍ଧ କରି ମୋତେ କଷ୍ଟ ଦେଉଛନ୍ତି । ମାତ୍ର ଏହାପରେ ସାଧୁ ଦୟାନନ୍ଦ ଯେପରି ଗଛରେ ଚଢି ମୋ ପାଇଁ ପାଚିଲା ଆମ୍ବ ଦୁଇଟି ଆଣିଲେ ସେଥିରେ ମୋ ଶରୀରକୁ କିଛି ବି କଷ୍ଟ ହେଲା ନାହିଁ । ସେ ଆଦୌ କୃପଣ କିମ୍ବା ହିଂସ୍ର ନୁହଁନ୍ତି । ସେ ଗଛଟିକୁ ଆଉଁସି ଆଉଁସି ସେଥିରୁ ଆମ୍ବ ଆଣିଥିବାରୁ ଗଛଟି ପ୍ରତି ତାଙ୍କର ସ୍ନେହ ଓ ପ୍ରେମ ଅଶେଷ । ସାଧୁ ଦୟାନନ୍ଦଙ୍କ ଏପରି ସେବାରେ ମୁଁ ତୁମ୍ଭେମାନେ ଦେଇଥିବା ସବୁ କଷ୍ଟକୁ ଦୂର କରିପାରିଲି ।
ତା’ପରେ ଭଗବାନ ପୁଣି କହିଲେ – ‘ସାଧୁ ପଦ ପାଇଁ କେବଳ ସାଧୁ ଦୟାନନ୍ଦ ହିଁ ଯୋଗ୍ୟ । କେବଳ ସାଧୁ ଶବ୍ଦ ଲଗାଇ ଦେଲେ ଜଣେ କଦାପି ବି ସାଧୁ ହୋଇଯାଏ ନାହିଁ । ସାଧୁ ହେବା ପାଇଁ ହେଲେ ପ୍ରଥମେ ମନ ଓ ହୃଦୟ ଭିତରେ ଦୟା, ସ୍ନେହ ଓ ସେବା ମନୋଭାବ ରହିବା ନିହାତି ଆବଶ୍ୟକ ଯାହାକି କେବଳ ସାଧୁ ଦୟାନନ୍ଦଙ୍କ ଶରୀରରେ ହିଁ ରହିଅଛି । ସେଥିପାଇଁ ଆଜିଠାରୁ ସାଧୁ ଦୟାନନ୍ଦ କାଳ କାଳକୁ ସାଧୁ ହୋଇ ରହିବେ ଓ ତୁମ୍ଭେ ଦୁଇଜଣ ସାଧୁ ଦୟାନନ୍ଦଙ୍କ ସେବକ ହୋଇରହିବ ।’
ଏ କଥା ଶୁଣି ରାମାନନ୍ଦ ଓ ଆତ୍ମାନନ୍ଦ ନିଜ ନିଜର ଭୁଲ୍ ବୁଝିପାରିଲେ । ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା ପ୍ରଦାନ କଲେ । ତାପରେ ସେମାନେ ସମସ୍ତେ ପ୍ରଭୁଙ୍କର ଶରଣାଗତ ହେଲେ । ଜୀବନର ବାକି ସମୟ ସଂସାରର ଉନ୍ନତି ପାଇଁ ସାଧୁ ଦୟାନନ୍ଦ କାର୍ଯ୍ୟ କଲେ ।
ଆଧାର : ଓଡ଼ିଆ ଗପ
Last Modified : 1/28/2020