অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୁରାଶା

ଉପକ୍ରମ

କଶ୍ୟପର ବାପାଙ୍କର ମରିବାର ଏକ ବର୍ଷ ଭିତରେ ତାର ବ୍ୟବସାୟରେ ବହୁତ କ୍ଷତି ହେଲା । ତେଣୁ ସେ ଋଣଗ୍ରସ୍ତ ହୋଇଗଲା । ଏଇ ଋଣରୁ ମୁକ୍ତି ପାଇବା ପାଇଁ ସେ ତା’ ବାପା ଜେଜେବାପାଙ୍କ ଅମଳର ଘର ମଧ୍ୟ ବିକିଦେଲା । ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସେ ନିଜ ଗାଁ ଧର୍ମପୁରୀରେ ଯାଇ ପହଁଚିଲା । ସେ ଗାଁରେ ତାର ଆଇ ନିଜ ନାତି ପାଇଁ ଟାଇଲ୍ ଛପର ଘରଟିଏ ଛାଡି ଦେଇ ଯାଇଥିଲେ ।

ଭାଙ୍ଗି ଯାଇଥିବା ଏହି ଘରକୁ ସେ ସ୍ୱାମୀ ସ୍ତ୍ରୀ ଦୁଇଜଣ ବହୁତ କଷ୍ଟ କରି ଚାରି ଦିନରେ ଠିକ୍ କଲେ । ପରିବାର ପୋଷଣର ସମସ୍ୟା ଏବେ ତା ଆଗରେ ଥିଲା । କଶ୍ୟପର ସ୍ତ୍ରୀ କୌଶଲ୍ୟା ବହୁତ ଚତୁରୀ ଥିଲା । ସେ ବହୁତ କଜିଆ ଖୋରଣୀ ଓ ମୁଖରା ବି ଥିଲା । ସ୍ୱାମୀକୁ ଚିନ୍ତିତ ଦେଖି ସେ କହିଲା, “ତମେ କାହିଁକି ଏତେ ଚିନ୍ତା କରୁଛ? ପୂର୍ବ ଘର ଭଲ ଲାଗୁ ନଥିଲା ବୋଲି ତ ଆମେ ଏତେ ଦୂର ଆସିଲେ । ଏବେ ଏଠି ଆମେ କାଠ ବିକିବା । ଘର ଚାରିପଟେ ଘନ ଜଙ୍ଗଲ ଅଛି । ତେଜ୍ ଧାରା ବାଲା କୁରାଢି ମଧ୍ୟ ଅଛି । ଏବେ ଯାଅ ।”

ବର୍ଣ୍ଣନା

କଶ୍ୟପ ଚୁପ୍ଚାପ୍ କୁରାଢି କାନ୍ଧରେ ପକାଇ ଜଙ୍ଗଲ ଆଡେ ଚାଲିଲା । ଜଙ୍ଗଲ ସବୁଜିମାରେ ଭରା ଥିଲା । କେଉଁଠି ହେଲେ ତାକୁ ଶୁଖିଲା ଗଛ ମିଳିଲା ନାହିଁ ।

“ମୋର କି ଦୁର୍ଭାଗ୍ୟ? ଏବେ ମୁଁ କ’ଣ କରିବି? ବରଂ ଗଛଟି କାଟିଲେ ସପ୍ତାହ ମଧ୍ୟରେ ତାହା ଶୁଖିଯିବ ଏବଂ ସେ କାଠ କାଟି ମୁଁ ସହରରେ ବିକ୍ରି କରିବି ।” ଏଇକଥା ଭାବି ସେ ଗୋଟେ ଗଛ କାଟିବାକୁ ଲାଗିଲା । ହଠାତ୍ ସେ ଶୁଣିଲା, “କଶ୍ୟପ ରହିଯାଅ ।” ଏହା ଶୁଣି ସେ ଦେଖିଲା ସବୁଜ ରଙ୍ଗର ଶାଢୀରେ ଉଜ୍ଜଳ ଦିଶୁଥିବା ଜଣେ ସ୍ତ୍ରୀଲୋକ ତା’ ଆଗରେ ଛିଡା ହୋଇଛନ୍ତି ।

କଶ୍ୟପ ଆଗେ କ୍ଷଣକ ପାଇଁ ସ୍ତବ୍ଧ ହୋଇଗଲା । ସେ କହିଲେ, “କଶ୍ୟପ ଏହା କି ପ୍ରକାର ଅତ୍ୟାଚାର? ସବୁଜ ରଙ୍ଗର ଗଛ କାଟିବାକୁ ତମେ କେମିତି ପ୍ରସ୍ତୁତ ହୋଇଗଲ?”

କଶ୍ୟପ କହିଲା “ମା’ ଯଦି ଆପଣ ମୋ ନାଁ ଜାଣିଛନ୍ତି ତାହେଲେ ତ ମୋ ଦାରିଦ୍ର୍ୟବସ୍ଥା ବିଷୟରେ ମଧ୍ୟ ନିଶ୍ଚୟ ଜାଣିଥିବେ । ମୋର ପରିବାର ପାଇଁ କାଠ କାଟି ଜୀବିକା ନିର୍ବାହ କରିବାକୁ ମୁଁ ଭାବିଛି ।”

ତା’ପରେ ସେହି ସ୍ତ୍ରୀଲୋକ ଜଣକ କଶ୍ୟପକୁ ସହାନୂଭୁତି ଆଖିରେ ଅନାଇ କହିଲେ, “ମୁଁ ବନଦେବୀ, ତୁମର ଭଲ ଚାହେଁ ।” ଏହା କହି ସେ ତାଳି ମାରିଲେ ଏବଂ ଗୋଟିଏ ସୁନ୍ଦର ସ୍ୱାସ୍ଥ୍ୟବତୀ ଧଳା ଗାଈ ଆସି ଛିଡା ହେଲା । “ଗାଈଟିକୁ ଘରକୁ ନେଇଯାଅ । ତୁମେ କିମ୍ବା ତୁମର ସ୍ତ୍ରୀ ଏହାକୁ ଯେତେ ପର୍ଯ୍ୟନ୍ତ ଦୁହୁଁଥିବ ସେତେ ପର୍ଯ୍ୟନ୍ତ ସେ ଗାଈ ଦୁଧ ଦେଉଥିବ । ଆଉ କେବେବି କଂଚା ଗଛକୁ କାଟିବ ନାହିଁ ।” ଏହା କହି ବନଦେବୀ ସେଠାରୁ ଅଦୃଶ୍ୟ ହୋଇଗଲେ ।

କଶ୍ୟପ ଖୁସିରେ ଗାଈକୁ ନେଇ ଘରକୁ ଗଲା । କୌଶଲ୍ୟା ସ୍ୱାମୀର ଖାଲି ହାତ ଦେଖି କହିଲା, “ଖାଲିରେ ଖୁସି ହୋଇ ଫେରୁଛ; କାଠ କାହିଁ?”

କଶ୍ୟପ ଯାହା ଯାହା ସବୁ ଜଙ୍ଗଲରେ ତା’ସହିତ ଘଟିଥିଲା ସେସବୁ ଗୋଟିଗୋଟି କରି ତା’ ସ୍ତ୍ରୀକୁ କହିଲା । ହେଲେ କୌଶଲ୍ୟା ନିଜ ସ୍ୱାମୀ କଥା ମୋଟେ ବିଶ୍ୱାସ କଲା ନାହିଁ । ସେ ଦୁଧ ଦୁହିଁ ହାଣ୍ଡିରେ ଭରିବାକୁ ଲାଗିଲା । ହାଣ୍ଡି ଭର୍ତ୍ତି ହୋଇଗଲା । କିନ୍ତୁ ଗାଈର ଦୁଧ ଦେବା ଆଉ ଯମାରୁ ବନ୍ଦ ହେଲାନି । କଶ୍ୟପ ଏହି ଦୁଧ ସହରକୁ ନେଇ ବିକ୍ରି କଲା ।

ଗୋଟିଏ ସପ୍ତାହ ଭିତରେ ଦୁଧ ଦୁହିଁ ଦୁହିଁ କୌଶଲ୍ୟା ଭୀଷଣ ବିରକ୍ତ ହୋଇଗଲା । ଦିନେ ସକାଳୁ ସେ ତା’ ସ୍ୱାମୀକୁ କହିଲା “ଦୁଧ ଦୁହିଁ ଦୁହିଁ ମୋ ହାତରେ ବିଣ୍ଡି ହୋଇଗଲାଣି । ଏହି ଗାଈକୁ ଦେବୀଙ୍କୁ ଫେରାଇ ଦିଅ ଏବଂ ଗଛ କାଟିବାର ଧମକ ଦେଇ ଅନ୍ୟ କିଛି ଗୋଟେ ଭଲ ବର ମାଗ ।”

କଶ୍ୟପ ଗାଈକୁ ନେଇ ଜଙ୍ଗଲରେ ପହଁଚି ଗଛ କାଟିବାକୁ ବାହାରିଛି; ଦେବୀ ଦେଖା ଦେଇ କହିଲେ “କଶ୍ୟପ, ତୁମେ ପୁଣି କାହିଁକି ଏପରି ଅବିବେକି କାମ କରୁଛ?”

କଶ୍ୟପ କହିଲା, “କଣ ଆଉ ମୁଁ କରିବି? ମୋ ସ୍ତ୍ରୀ ଦୁଧ ଦୁହିଁ ଦୁହିଁ ଖୁବ୍ ବିରକ୍ତ ହୋଇଗଲାଣି । ସେ ଆଉ ସେକାମ କରିବାକୁ ମନା କରୁଛି ।”

ବନଦେବୀ କିଛି ସମୟ ଚୁପ୍ ରହିଲେ ଏବଂ ପୁଣି ତାଳି ବଜାଇଲେ । ତତ୍କ୍ଷଣାତ୍ ସେଠାରୁ ଧଳା ଗାଈ ଅଦୃଶ୍ୟ ହୋଇ, ତା ସ୍ଥାନରେ ଗୋଟିଏ କଳା ବତକ ଦେଖାଗଲା ।

“କଶ୍ୟପ, ଏଇ ବତକକୁ ନେଇଯାଅ । ଯେ ପର୍ଯ୍ୟନ୍ତ ତୁମେ ଏବଂ ତୁମର ସ୍ତ୍ରୀ ଅଣ୍ଡା ଦେବା ପାଇଁ କହିବ ସେ ପର୍ଯ୍ୟନ୍ତ ଏଇ ବତକ ଅଣ୍ଡା ଦେଉଥିବ ।” ଏହା କହି ବନଦେବୀ ହଠାତ୍ ସେଠାରୁ ପୁଣି କୁଆଡେ ଅଦୃଶ୍ୟ ହୋଇଗଲେ ।

ତା’ପରେ କଶ୍ୟପ ସେହି ବତକଟିକୁ ନେଇ ଘରକୁ ଫେରିଲା । କୌଶଲ୍ୟା ଏଥିରେ ବହୁତ ଖୁସି ହୋଇ କହିଲା, “ହେ ମୋର ସୁନ୍ଦର ବତକ, ଅଣ୍ଡାଦେ ।” ସଙ୍ଗେସଙ୍ଗେ ବତକ ଅଣ୍ଡା ଦେବାକୁ ଲାଗିଲା । ସବୁ ଦିନ କଶ୍ୟପ ଅଣ୍ଡା ନେଇ ସହରରେ ବିକ୍ରି କରି ଆସେ ।

ଦଶଦିନରେ ସେହି ବତକଠାରୁ କୌଶଲ୍ୟାର ମନ ପୁରାପୁରି ଛାଡିଗଲା । ସେ କହିଲା “ଅଣ୍ଡା ବୋଲି କହି କହି ମୋ ଗଳା ଏକବାରେ ଦରଜା ହୋଇଗଲାଣି ।” “ସାଇ ପଡିଶାର ସ୍ତ୍ରୀଲୋକ ମାନେ ମୋତେ ବାରମ୍ବାର କହୁଛନ୍ତି ତୁମର କୋଇଲି ପରି କଣ୍ଠରୁ ଏପରି କର୍କଶ ସ୍ୱର ବାହାରୁଛି କାହିଁକି? ଏଇ ମାୟା ବତକକୁ ସେ ବନଦେବୀଙ୍କୁ ଫେରାଇ ଦିଅ ଏବଂ କାମରେ ଲାଗିବା ଅନ୍ୟ କୌଣସି ଜିନିଷ ତାଙ୍କଠାରୁ ନେଇ ଆସ । ହେଲେ କୁରାଢି ନେବାକୁ ତମେ ଯେମିତି ନ ଭୁଲ ।”

ଦ୍ୱିତୀୟ ଦିନ ବତକକୁ ନେଇ କଶ୍ୟପ ଜଙ୍ଗଲକୁ ଗଲା । ଏବଂ ସେହି ଗଛ କାଟିବାକୁ ବାହାରିଲାବେଳେ, ଦେବୀ ପୁଣି ତା’ ଆଗରେ ପ୍ରକଟ ହେଲେ ଓ ତାଙ୍କୁ କହିଲେ “କଶ୍ୟପ, ତୁମର ଏ କି ପ୍ରକାର ମୁର୍ଖତା?”

କଶ୍ୟପ ନିଜ ସ୍ତ୍ରୀ କହିଥିବା କଥା ପୁଣି ଆଉ ଥରେ କହିଲା । ବନଦେବୀ ତାଳି ବଜାଇଲେ ଏବଂ ସେ ବତକ ଅଦୃଶ୍ୟ ହୋଇଗଲା । ଆଉ ତା ଯାଗାରେ ଗୋଟିଏ ମାଟି ପାତ୍ର ଆସିଗଲା । “ଦେଖ, ମୁଁ ତୁମକୁ ଅକ୍ଷୟ ପାତ୍ର ଦେଉଛି । ତୁମେ ଏବଂ ତୁମ ସ୍ତ୍ରୀ ଯେଉଁ ଖାଦ୍ୟ ଚାହିଁବ ଏ ପାତ୍ର ସେସବୁ ଦେଉଥିବ ।” ଏହା କହି ଦେବୀ ସେଠାରୁ ସେହିକ୍ଷଣି ଅଦୃଶ୍ୟ ହୋଇଗଲେ ।

କୌଶଲ୍ୟା ଅକ୍ଷୟପାତ୍ର ଦେଖି ଖୁସିରେ ଫୁଲି ଉଠିଲା । କ୍ରମେ ଟଙ୍କା ଦେଇ କରି ଖାଇବା ପାଇଁ ତାଙ୍କ ଘରକୁ ବହୁତ ଲୋକ ଆସିବାକୁ ଲାଗିଲେ । ଚାହିଦା ଅନୁସାରେ କଶ୍ୟପ ଅକ୍ଷୟ ପାତ୍ରରୁ ଖାଦ୍ୟ ବାହାର କରି କୌଶଲ୍ୟାକୁ ଦେଉଥିଲା । କୌଶଲ୍ୟା ସେସବୁ ଗ୍ରାହକମାନଙ୍କୁ ପରଷୁଥିଲା ଏବଂ ଖାଇବା ପରେ ଟଙ୍କା ମଧ୍ୟ ଆଦାୟ କରୁଥିଲା ।

ପନ୍ଦରଦିନ ଭିତରେ ଏ କାମରେ କୌଶଲ୍ୟା ଅତ୍ୟନ୍ତ ବିରକ୍ତ ହୋଇ ସ୍ୱାମୀକୁ ରାଗି କରି କହିଲା, “ଖାଦ୍ୟ ପରଷିବା ପାଇଁ ଆଉ କିଛି ନିର୍ଦ୍ଦିଷ୍ଟ ସମୟ ରହିଲା ନାହିଁ । ଯେତେବେଳେ ଦେଖ ଲୋକମାନେ ଖାଇବାକୁ ଆସୁଛନ୍ତି । ଅଇଁଠା ପତ୍ର ଉଠାଇ ଉଠାଇ ମୁଁ ଏକଦମ୍ ଥକି ଗଲିଣି । କେବେ ଯାଁକେ ମୁଁ ଆଉ ଏଇ ବ୍ୟର୍ଥ କାମ କରୁଥିବି? ବନ ଦେବୀ ତମକୁ ମୁର୍ଖ ବନେଇ ତାଙ୍କ ଇସାରରେ ସେ ତୁମକୁ ନଚଉଛନ୍ତି । କାଲି ମୁଁ ତୁମ ସାଙ୍ଗରେ ସେ ଜଙ୍ଗଲକୁ ଯିବି । ଏହି କୁରାଢି ମୁଁ ତାଙ୍କ ମୁହଁ ଉପରକୁ ଫିଙ୍ଗିବି । ତୁମେ ନିଜେ ଦେଖିବ ମୁଁ କାଲି ସେଠୁ କ’ଣ ଆଣିବି ।”

ଦ୍ୱିତୀୟ ଦିନ ଅକ୍ଷୟ ପାତ୍ର ନେଇ ସ୍ୱାମୀ ସାଙ୍ଗରେ କୌଶଲ୍ୟା ମଧ୍ୟ ସେ ଜଙ୍ଗଲକୁ ଗଲା । ଜଙ୍ଗଲରେ ପହଁଚି ସ୍ୱାମୀକୁ ସେ ବଡ ଗଛଟିଏ କାଟିବାକୁ ଇଶାରା ଦେଲା । ସେ ତାହା କାଟିବାକୁ ବାହାରିଲାରୁ ବନଦେବୀ ସେଠାରେ ଅଚାନକ ଭାବେ ଆବିର୍ଭାବ ହୋଇ କହିଲେ, “ବନ୍ଦ କର ମୁର୍ଖ! ଅକ୍ଷୟ ପାତ୍ର ପାଇ ବି ତୁ ତୃପ୍ତ ନୁହଁ? ସ୍ତ୍ରୀକୁ ନିଜ ସାଙ୍ଗରେ ନେଇ ଆସିଛୁ ।”

ଏହା ଶୁଣି କଶ୍ୟପ ନିରବ ରହିଲା; କୌଶଲ୍ୟା ଆଗକୁ ଆସି କହିଲା, “ଆପଣ ମୋ ସ୍ୱାମୀକୁ ମାଟିର ଏମିତି ପାତ୍ର ଦେଇଛନ୍ତି ଯେ ମୁଁ ଏଠାକୁ ନ ଆସି ଆଉ କ’ଣ ବା କରିଥାନ୍ତି? ଆମକୁ ସୁନା ମୋହର ଭରା ଅକ୍ଷୟ ଥଳି ଦେଲେ ଯାଇ ଆମେ ଏପଟକୁ ଆଉ କେବେବି ମଧ୍ୟ ଆସନ୍ତୁ ନାହିଁ ।” ଅକ୍ଷୟ ପାତ୍ରକୁ ତଳେ କଚାଡିଦେଇ କୌଶଲ୍ୟା ଏହା କହିଲା ।

ଚାହୁଁ ଚାହୁଁ ସେ ଅକ୍ଷୟ ପାତ୍ର ଖଣ୍ଡ ଖଣ୍ଡ ହୋଇଗଲା । ବନଦେବୀ ତାକୁ ସହାନୁଭୂତି ଭରା ଦୃଷ୍ଟିରେ ଅନାଇ କହିଲେ, “ତୁମେମାନେ ନିଜ ଭାଗ୍ୟ ନିଜେ ମାଟିରେ ମିଳେଇ ଦେଲ । ମୁଁ ଦେଇଥିବା ଜିନିଷ ସୁରକ୍ଷିତ ଭାବେ ଫେରାଇଲେହିଁ ମୁଁ ଅନ୍ୟ ଯେ କୌଣସି ଜିନିଷ ଦେଇଥା’ନ୍ତି ।”

କୌଶଲ୍ୟା ସ୍ୱାମୀକୁ କହିଲା, “ଇଏ କିଛି ବି ଜିନିଷ ଦେବାକୁ ମନା କରିଦେଲେ, ଏବେ ଆଉ ତୁମେ କାହିଁକି ଗୋବରଗଣେଷ ପରି ଛିଡା ହୋଇଛ? ଅନ୍ଧାର ହେବା ପୂର୍ବରୁ ଅଧା ଜଙ୍ଗଲ କାଟି ପକାଅ ।” କଶ୍ୟପ ତା’ ସ୍ତ୍ରୀର ଏଭଳି ରାଗ ଦେଖି ଥରି ଥରି ଗଛ କାଟିବାରେ ଲାଗି ପଡିଲା ।

“ଏଇ ଜଙ୍ଗଲର ଗୋଟିଏ ବି ଗଛ କଶ୍ୟପ ଆଉ କାଟି ପାରିବ ନାହିଁ, ଏହା କହି ବନଦେବୀ ସେଠାରୁ କୁଆଡେ ଅଦୃଶ୍ୟ ହୋଇଗଲେ । ଠିକ୍ ତା’ ପର କ୍ଷଣରେହିଁ କଶ୍ୟପ ହାତରୁ କୁରାଢି ଖସିପଡିଲା । କଶ୍ୟପର ଦୁଇ ହାତ ସତେ ଯେମିତି ନିର୍ଜୀବ ହୋଇ ଓହଳି ପଡିଲା । ଏସବୁ ଘଟଣା ଦେଖି କୌଶଲ୍ୟା ଜୋର୍ରେ କାନ୍ଦି କାନ୍ଦି କହିଲା, “ମା ଆମକୁ କ୍ଷମା କରିଦିଅ । ଏତେ କଠୋର ଦଣ୍ଡ ଆମକୁ ଆଉ ଦିଅ ନାହିଁ ।”

ବହୁତ କାନ୍ଦିଲା ପରେ ମଧ୍ୟ ବନଦେବୀ ଆଉ ଦେଖା ଦେଲେ ନାହିଁ । କଣ କରିବେ ପତି ପତ୍ନୀ ଦୁହେଁ ଘରକୁ ଫେରିଲେ । କୌଶଲ୍ୟାର ବିଶ୍ୱାସ ଥିଲା ଯେ ବନଦେବୀ ଦେଖାଦେବେ ଏବଂ ସେମାନଙ୍କୁ କ୍ଷମା କରିବେ । ସେ ପ୍ରତିଦିନ ଜଙ୍ଗଲଯାକ କାନ୍ଦି କାନ୍ଦି ବୁଲେ ଏବଂ ଘରକୁ ଫେରେ । ଜଙ୍ଗଲରୁ ଫଳ, ବାବୁଲ ଅଠା ଇତ୍ୟାଦି ଆଣି ସେ ଗାଁରେ ବିକେ । ସେଇ ଟଙ୍କାରେ ସେ ତା’ ଘର ଚଳାଏ । ଜଙ୍ଗଲରୁ ଆମ୍ବ, ଅଂଳା ତେନ୍ତୁଳି ଇତ୍ୟାଦି ଗଛ ଆଣି ସେ ତା’ ଘର ପଛରେ ଥିବା ଯାଗାରେ ଲଗାଇଲା । ଏବଂ ତା ସାଙ୍ଗରେ ସେ ପନି ପରିବା ମଞ୍ଜି ଆଣି ମଧ୍ୟ ବୁଣିଲା ।

ଚାରିବର୍ଷ ମଧ୍ୟରେ ସେସବୁ ଗଛରେ ଫୁଲ ଫଳ ହେଲା । ଦିନେ ଆମ୍ବ ତେନ୍ତୁଳି ଆଦି ଗାଡିରେ ଲଦି ସେ ସହର ଗଲା ଏବଂ ସେଠାରେ ସେ ସେସବୁ ବିକି ହଜାରେ ଟଙ୍କା ପାଇଲା ।

ଟଙ୍କା ଥଳି ସ୍ୱାମୀକୁ ଦେଖାଇ ସେ କୌଶଲ୍ୟା କହିଲା, “ବନଦେବୀ ସତରେ ଆଜି ଆମ ଆଖି ଖୋଲି ଦେଲେ । ପେଟ ପୁରିବା ପାଇଁ ମଣିଷକୁ ଗଛ କାଟି ନୁହେଁ, ବରଂ ଗଛସଂଖ୍ୟା ବଢେଇ ଆମେ ଆହୁରି ଆନନ୍ଦରେ ଜୀବନ ବିତେଇ ପାରିବା । ଏଥିରେ ଯେଉଁ ତୃପ୍ତି ରହିଛି ତାହା ଅନ୍ୟ କେଉଁଥିଲେ ହେଲେବି ନାହିଁ । ଏହି ସତ୍ୟକୁ ବନଦେବୀ ଆମକୁ କହିଲେ; ଏଣୁ ଆମେ ତାଙ୍କ ପାଖରେ ଚିର କୃତଜ୍ଞ ।”

ଏଇ ତଥ୍ୟ ଜାଣିଲାରୁ ତାର ପ୍ରାୟଶ୍ଚିତ ହୋଇଗଲା । ହଠାତ୍ ଦିନେ କଶ୍ୟପ ହାତରେ ଶକ୍ତି ଫେରି ଆସିଲା । ଫଳରେ କଶ୍ୟପ ତା’ ହାତ ଉଠାଇ ଟଙ୍କା ଥଳି ନେବାକୁ ଚେଷ୍ଟା କରିବା ଦେଖି କୌଶଲ୍ୟାର ଆନନ୍ଦ ଆଉ ପୁଣି ଦେଖେ କିଏ?

“ଏହା ନିଃସନ୍ଦେହ ଯେ ବନଦେବୀଙ୍କ କୃପାରୁ ଏହା ହେଲା ।” ଏହା କହି କଶ୍ୟପ ନିଜ ଦୁଇ ହାତ ଉଠାଇ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତିରେ ସେହି ଅଦୃଶ୍ୟ ବନଦେବୀଙ୍କୁ ପ୍ରଣାମ କଲା ।

ଆଧାର: ଓଡ଼ିଆ ଗପ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate