অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦେବୀଭକ୍ତ

ଦେବୀଭକ୍ତ

ଉପକ୍ରମ

ଯଶଗ୍ରାମରେ ଯୁଗଳ ଯାଇ ପହଁଚିଲା । ସେତେବେଳେ ତା’ ସହିତ କୌଣସି ଜିନିଷପତ୍ର ମଧ୍ୟ ନଥିଲା । ଗ୍ରାମାଧିକାରୀଙ୍କ ସହ କଥା ହୋଇ ସେ କହିଲା, “ମୁଁ ଏକବସ୍ତ୍ର ହୋଇ ଚାଲି ଆସିଲି । କେହି ହେଲେ ମୋତେ ଆଶ୍ରୟ ଦେବ ଏହି ବିଶ୍ୱାସ ରଖି ମୁଁ ଏଠାକୁ ଆସିଛି ।”

ବର୍ଣ୍ଣନା

ତାଙ୍କ କଥା ଶୁଣି ଗ୍ରାମାଧିକାରୀ କହିଲେ, “ଏଇ ଦେଖ ଭୂଷଣଙ୍କର ଏହି ଘରଟି ଖାଲି । ଯେତେବେଳେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବ, ସେତେବେଳେହିଁ ଯୁଆଡେ ଇଚ୍ଛା ଯାଅ । ଏବେ ଗ୍ରାମରେ କେଉଁଠାରେ ହେଲେ କିଛି କାମ କରି ଆରାମ୍ରେ ଥାଅ ।”

ଯୁଗଳ ସେଠାରେ ରହିଲା । ପ୍ରଥମେ କାମ ପାଇଁ, ସେ ଭୂଷଣଙ୍କ ଘରକୁ ଗଲା । ତାଙ୍କୁ ଯାଇ ସେ କହିଲା, “ମାଲିକ, ଆପଣଙ୍କ ଘର ମୋତେ ଭାରି ଭଲ ଲାଗୁଛି ଯେ ହେଲେ ବିନା ଭଡାରେ ରହିବାକୁ ମୋତେ ଆଦୌ ଭଲ ଲାଗୁନାହିଁ, ସଙ୍କୁଚିତ ବୋଧ କରୁଛି । କିଛି କାମ ଥିଲେ କୁହନ୍ତୁ ମୁଁ ସେତକ କରିଦେବି ।”

ଏକଥା ଶୁଣି ଭୂଷଣ ହସି ହସି କହିଲେ, “ମୋ ସାନ ଭାଇର ବିବାହ ପରେ, ଏହି ଘରଟି ସେମାନଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ସେମାନେ ଯାଇ ସହରରେ ବସବାସ କରିବାରୁ ଘର ଖାଲି ପଡିଥିଲା । ଘରର ଯତ୍ନନେବା ପାଇଁ ଅନେକ ଚାକର ରଖି ଖର୍ଚ୍ଚାନ୍ତ ହେଲି । କିନ୍ତୁ ଫଳ କିଛିବି ହେଲେ ହେଲା ନାହିଁ । ତେଣୁ ତୁମେ ରହିଲେ ଘରଟି ସଫାସୁତୁରା ରଖିବ; ପୁଣି ମୋର ମଧ୍ୟ ଆଉ ପଇସା ଖର୍ଚ୍ଚ ହେବ ନାହିଁ । ତାହାହିଁ ହେବ ମୋର ଘରଭଡା ପଇସା । କାରଣ ପଇସା ଖର୍ଚ୍ଚରୁ ତ ରକ୍ଷା ପାଇଲି । ମନରେ କୌଣସି ଦ୍ୱନ୍ଦଦ୍ୱିଧା ନରଖି ଖୁସିରେ ସେଠାରେ ରହିଥାଅ । ପରେ ଦେଖିବା ।”

ଯୁଗଳ କହିଲା “ତଥାପି ମଧ୍ୟ ମୋତେ ଲାଗୁଛି, ମୁଁ ଆପଣଙ୍କ ପାଖରେ ଏବେ ମଧ୍ୟ ଋଣି । ମୋର ଭଲସମୟ ଆସିଲେ ମୁଁ ଆପଣଙ୍କ ପଇସା ନିଶ୍ଚୟ ଶୁଝିଦେବି ।” ତା’ପରେ ସେ ଗ୍ରାମର ଅନ୍ୟମାନଙ୍କ ଘରକୁ ଯାଇ ଚାକିରୀ ଖୋଜୁଥାଏ ।

ପ୍ରଥମଦିନ ସେ ସୀତାପତି ନାମକ ଜଣେ କବିଙ୍କ ଘରକୁ ଗଲା । ସେ ଯୁଗଳର ସବୁ କଥା ଶୁଣି କହିଲେ, “ମୁଁ ଜଣେ କବି । ମୁଁ ମୋ ଲେଖା ଧନୀ, ଜମିଦାର, ରାଜା ପ୍ରଭୃତିଙ୍କୁ ଦିଏ । ସେମାନେ ମଧ୍ୟ ମୋତେ ବହୁତ ଧନ ଦିଅନ୍ତି । ଏହିଭଳି ଭାବେ ମୋ ଦିନ ବେଶ୍ ଆରାମ୍ରେ କଟେ । ମୋ ସ୍ତ୍ରୀକୁ ସାହାଯ୍ୟ କରିବା ପାଇଁ ସ୍ତ୍ରୀଲୋକଟିଏ ଅଛି । ଆମ ଘରେ ଏତେ କାମ ନାହିଁ ଯେ ତୁମକୁ ଆମେ ରଖି ପାରିବୁ । ମୁଁ ସେଥିପାଇଁ ବଡ ଦୁଃଖିତ ।”

ଯୁଗଳ କହିଲା “ବାବୁ, ମୁଁ ଦେଖୁଛି ଆପଣଙ୍କ ଘର ପଛପଟେ ତ ବହୁତ ଜାଗା ଅଛି । ଆପଣ ମୋତେ ଚାକିରୀ ଦେଲେ ମୁଁ ସେ ବଗିଚାଟିର ଦେଖାଶୁଣା କରିବି । କିନ୍ତୁ ଚାକିରୀ ନଦେଲେ ମୋର ବଡ ଅସୁବିଧା ହେବ ।”

ସୀତାପତି ତା’ର କଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ଭାବିଲେ, “ଇଏ ତ ଦେଖିବାକୁ ବେଶ୍ ଭଦ୍ର ଓ ଶିକ୍ଷିତ ଲାଗୁଛି । କିନ୍ତୁ ମୋର କାହିଁ ମନେ ହୁଏ ଯେ ପରିସ୍ଥିତି ତାକୁ ଦରିଦ୍ର କରିଛି ।” ତା’ପରେ ସେ କହିଲେ, “ବଗିଚାର ଦେଖାଶୁଣା ତ ମୁଁ ନିଜେ କରେ । ତାହା ଦ୍ୱାରା ମୋର ବ୍ୟାୟାମ ମଧ୍ୟ ହୋଇଥାଏ । ତୁମେ ଚାକିରୀ ବିଷୟରେ ଏତେ ବ୍ୟସ୍ତ ହୁଅ ନାହିଁ । ଚାକିରୀ ନ ମିଳିବା ପର୍ଯ୍ୟନ୍ତ ଆମଘରେ ଭୋଜନ କରୁଥାଅ । ଭଗବାନ୍ଙ୍କ କୃପାରୁ ଆମର କିଛି ଅସୁବିଧା ହେବ ନାହିଁ ।”

ସୀତାପତିଙ୍କୁ ଯୁଗଳ ନମସ୍କାର କରି କହିଲା, “ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ । କିନ୍ତୁ ଆପଣଙ୍କ ଘରେ ମାଗଣା ଖାଇବାକୁ ମୋତେ ମଧ୍ୟ ଆଦୌ ଭଲ ଲାଗିବ ନାହିଁ । ଯଦି ଆପଣ ମୋତେ ବିଶ୍ୱାସ କରନ୍ତି ତ ଯେବେ କିଛି ଟଙ୍କା କରଜ ମାଗିବି, ତେବେ ତାହା ଦେବେ । ଯେତେବେଳେ ମୋର ଭଲ ସମୟ ଆସିବ ସେତେବେଳେ ମୁଁ ଟଙ୍କା ଶୁଝିଦେବି ।” ଏତିକି କହି ସୀତାପତିଙ୍କ ଉତ୍ତରକୁ ଅପେକ୍ଷା ନ କରି ସେ ଅନ୍ୟଜଣଙ୍କ ଘରକୁ ଗଲା । ଦ୍ୱିତୀୟ ବ୍ୟକ୍ତିଟି ହେଲେ ଜଣେ ବ୍ୟବସାୟୀ । ସେ ମଧ୍ୟ ସୀତାପତିଙ୍କ ଭଳି କଥା କହିଲେ । ଯୁଗଳ ମଧ୍ୟ ସେହି ଏକହିଁ କଥା କହି ସେଠାରୁ ଆସିଲା ।

ଏହି ପରି ସେ ଅନେକ ଲୋକଙ୍କ ଘରକୁ ଗଲା । କିନ୍ତୁ ସବୁଠାରେ ସେହି ଏକହିଁ କଥା ସେ ଶୁଣିବାକୁ ପାଇଲା । ସେ ବୁଲି ବୁଲି ଥକିଗଲା ଓ ଗୋଟିଏ ଗଛତଳେ ବସି ବିଶ୍ରାମ କଲା । ଗ୍ରାମାଧିକାରୀ ଅନ୍ୟପଟରୁ ଆସୁଥିଲେ । ସେ ପଚାରିଲେ, “କ’ଣ କେଉଁଠି କିଛି କାମ ମିଳିଲା?”

“ମହାଶୟ, ଆପଣଙ୍କ ଗ୍ରାମ ତ ବଡ ମହାନ୍ । ସମସ୍ତେ ନିଜ ନିଜ କାମ ନିଜେ କରୁଛନ୍ତି । ତେଣୁ ମୋତେ କାମଟିଏ ମିଳିଲା ନାହିଁ ।” ଏହାପରେ ଯୁଗଳ ସମସ୍ତ କଥା ଗ୍ରାମାଧିକାରୀକୁ ବର୍ଣ୍ଣନା କରି କହିଲା ।

ଗ୍ରାମାଧିକାରୀ କହିଲେ “ପ୍ରତ୍ୟେକ ଦିନ, ଜଣକ ଘରକୁ ଖାଇବାକୁ ଯାଅ, ତୁମର ଆରାମ୍ରେ ଦିନ କଟିବ ।” ତା’ପରେ ଯୁଗଳ କହିଲା “କୌଣସି କାମ ନକରି, ବସି ଖାଇବା ମୋର ଆଦୌ ପସନ୍ଦ ନୁହେଁ । ନଖାଇ କିଛିଦିନ ରହିଯିବାର ଶକ୍ତି ମୋର ଅଛି । ଦେଖାଯାଉ ।”

ଗ୍ରାମାଧିକାରୀ ଏଥିରେ ଭାରି ଆଶ୍ଚର୍ଯ୍ୟ ହେଲେ । ସେ ଭାବିଲେ ଯେ ଏପରି ଆତ୍ମାଭିମାନୀ ବ୍ୟକ୍ତିକୁ ସମ୍ମାନ ଦେବା ଉଚିତ୍ । ସେହିଦିନ ସେ ତାଙ୍କ ଗ୍ରାମର ମୁଖ୍ୟବ୍ୟକ୍ତିମାନଙ୍କୁ ଡାକିଲେ । ଏକ ଛୋଟ ସଭା ମଧ୍ୟରେ ସେ ଯୁଗଳ ବିଷୟରେ କହିଲେ, “ଇଏ ଆମ ଗ୍ରାମକୁ ଆସିଥିବା ଜଣେ ନୂତନ ବ୍ୟକ୍ତି ଯିଏ କି ଆତ୍ମସମ୍ମାନ ବିଷୟରେ ସର୍ବଦା ସଚେତନ । ଦାନ ନେବାକୁ ନାରାଜ । ସିଏ ଏଠାରେ ଉପବାସ ରହିବେ, ତାହା ମଧ୍ୟ ଆମ ପାଇଁ ଭଲ ନୁହେଁ । ତେଣୁ ପ୍ରତ୍ୟେକ ଦିନ ସେ ଆମମାନଙ୍କ ମଧ୍ୟରୁ ଜଣକ ଘରେ କାମ କରିବେ ଓ ସେହିଠାରେ ଖାଇବେ ।”

ଯୁଗଳ ପାଇଁ ତାହା ଏକ ଆଶିର୍ବାଦ ହେଲା । ଅଳ୍ପଦିନ ପରେ କିନ୍ତୁ ତାକୁ ଅସୁବିଧା ଲାଗିଲା, ସେ ପ୍ରତ୍ୟେକଙ୍କଠାରୁ ବିଭିନ୍ନ ପରିମାଣରେ ଧାର ଆଣିଲା । ସମସ୍ତିଙ୍କୁ କହିଥାଏ କି ପଇସା ଦେଲେ, ଭଲ ସମୟ ପଡିଲେ, ଶୁଝିଦେବ । ସେ ଅନେକ ଧନ ନେଲା; କିନ୍ତୁ ନ ଶୁଝିଲେ ମଧ୍ୟ କେହି ସେ ବିଷୟରେ ତାହା ସହିତ ଉଚ୍ଚବାଚ୍ୟ ମଧ୍ୟ କଲେ ନାହିଁ ।

ଏମିତି ବର୍ଷେ କଟିଗଲା । ଦିନେ ଯୁଗଳ ଗ୍ରାମାଧିକାରୀଙ୍କ ସହିତ ଦେଖାକରି ତାଙ୍କୁ କହିଲା, “ମୁଁ ମୋ ଗ୍ରାମକୁ ଯାଉଛି । ଏବେ ଆପଣଙ୍କ ଗ୍ରାମବାସୀଙ୍କୁ ଏକାଠି କରି କୁହନ୍ତୁ କାହାର କ’ଣ ଦରକାର, ମୁଁ ଆଣିଦେବି ।”

ଗ୍ରାମାଧିକାରୀ ହସି ହସି କହିଲେ, “ତୁମେ କ’ଣ ଆଣିପାରିବ?”

ଯୁଗଳ କହିଲା “ଯେଉଁ ଗ୍ରାମକୁ ମୁଁ ଯାଉଛି, ସେଠାରେ ଲଳିତାମ୍ବିକା ନାମକ ଜଣେ ଦେବୀ ଅଛନ୍ତି । ସେ ସମସ୍ତ ପ୍ରକାରର ଇଚ୍ଛା ଓ ପ୍ରାର୍ଥନା ପୁରଣ କରନ୍ତି ।”

ଗ୍ରାମାଧିକାରୀ କହିଲେ, “କୁହ ତ ଦେଖି ସେ ଗ୍ରାମ କେଉଁଠି? ମୁଁ ମଧ୍ୟ ତୁମ ସହିତ ସେଠାକୁ ଯିବି । ମୋର ମଧ୍ୟ ଗୋଟିଏ ଇଚ୍ଛା ଅଛି । ମୁଁ ଦେବୀଙ୍କୁ ପ୍ରାର୍ଥନା କରି କହିବି ।”

ଯୁଗଳ କହିଲା “ଆଜିପର୍ଯ୍ୟନ୍ତ ତ କେହିବି ସେହି ସ୍ଥାନକୁ ଯାଇ ନାହାଁନ୍ତି । ଦେବୀଙ୍କର ଦର୍ଶନ ଏ ପର୍ଯ୍ୟନ୍ତ କେହି ମଧ୍ୟ କରି ନାହାଁନ୍ତି, ମୋତେ କୁହନ୍ତୁ ଆପଣଙ୍କର ଇଚ୍ଛା କ’ଣ? ମୁଁ ଆପଣଙ୍କ ପାଇଁ ଦେବୀଙ୍କୁ ପ୍ରାର୍ଥନା କରିବି ।” ଗ୍ରାମାଧିକାରୀ ପଚାରିଲେ “ମୋର ବିବାହ ଦଶବର୍ଷ ହେଲାଣି । ମାତ୍ର ଏପର୍ଯ୍ୟନ୍ତ ମୋର ସ୍ତ୍ରୀ ମା’ ହୋଇ ପାରିନାହିଁ । ଦେବୀ କ’ଣ ମୋତେ ସନ୍ତାନଟିଏ ଦେଇ ପାରିବେ?” ତାଙ୍କ କଥା ଶୁଣି ଯୁଗଳ କହିଲା, “ନିଶ୍ଚୟ ଦେଇପାରିବେ ।”

ଗ୍ରାମାଧିକାରୀଙ୍କ ଘୋଷଣା ଅନୁସାରେ ଗ୍ରାମର ସମସ୍ତେ ସେଠାରେ ଆସି ଏକତ୍ରିତ ହେଲେ । ଯୁଗଳ ସଭାରେ ଉଠିପଡି କହିଲା, “ମନୁଷ୍ୟର ସର୍ବଦା ଗୋଟିଏ ସନ୍ଦେହ ଥାଏ ଯେ ଭଗବାନ ଅଛନ୍ତି ନା ନାହାଁନ୍ତି । ସେ ଅଛନ୍ତି ଓ ନିଶ୍ଚିତ ଭାବରେ ଅଛନ୍ତି । ଭଲ କାର୍ଯ୍ୟକୁ ସେ ଉତ୍ସାହ ଦିଅନ୍ତି, ଖରାପ କାର୍ଯ୍ୟକୁ ସେ ନିରୁତ୍ସାହିତ କରନ୍ତି । ପାପୀଙ୍କୁ ସେ ମଧ୍ୟ ଦଣ୍ଡ ଦିଅନ୍ତି । ଏହି ଗ୍ରାମରେ ସମସ୍ତେ ଭଲ ଲୋକ, ତେଣୁ ସେ ସମସ୍ତିଙ୍କର ନିଶ୍ଚୟ ମଙ୍ଗଳ କରିବେ, ଏବେ ଆପଣମାନେ ଆପଣଙ୍କ ଇଚ୍ଛା କ’ଣ କୁହନ୍ତୁ, ମୁଁ ସେସବୁ ଯାଇ ଦେବୀ ଲଳିତାମ୍ବିକାଙ୍କୁ ଜଣାଇବି ।”

ଗ୍ରାମର ସମସ୍ତେ ଜଣ ଜଣ କରି ନିଜର ଇଚ୍ଛା ଜଣାଇଲେ । କାହାର ମା’ ବେମାର, କାହାର ସ୍ୱାମୀ ନିଷ୍ଠୁର, କାହାର ଧନ ନାହିଁ, କାହାର ଛୁଆ ନାହିଁ ଇତ୍ୟାଦି । କେତେଲୋକ ବ୍ୟକ୍ତିଗତ ଇଚ୍ଛା ପ୍ରକାଶ କଲେ ଓ କେତେକ ଗ୍ରାମର ମଙ୍ଗଳ ପାଇଁ କହିଲେ । ସେଥିରେ ସବୁ ଗ୍ରାମର ଉନ୍ନତି ପାଇଁ ଇଚ୍ଛା ଥିଲା, ଯଥା ମିଠାପାଣି ଥିବା କୂଅ, ଭଲ ରାସ୍ତା, ଡାକ୍ତରଖାନା, ସ୍କୁଲ, ଗ୍ରାମର ଚାରିଆଡ ପରିଷ୍କାର କରିବା, ମନ୍ଦିରଟି କ୍ରମେ ଭାଙ୍ଗି ଯାଉଛି, ତାକୁ ନୂଆ କରି ତୋଳିବା ଇତ୍ୟାଦି ।

ଏସବୁ ଆଲୋଚନା ଶେଷ ହେବା ପରେ ସେଠାରେ ଜଣେ ଡେଙ୍ଗା, କଳା ଲୋକ ପହଁଚି ଯୁଗଳକୁ କହିଲା, “ତୁ ଏଠାରେ?”

ଗ୍ରାମାଧିକାରୀ ତାକୁ ଡାକିନେଇ ପଚାରିଲେ ଯେ ସେ କ’ଣ କହିବାକୁ ଚାହାଁନ୍ତି । ସେହି ଲୋକଟିର ନାମ ନୀଳ । ତାଙ୍କର ଗ୍ରାମ ଚନ୍ଦ୍ରପୁର । ସେଠାରେ ଯୁଗଳ ବର୍ଷେ ରହିଥିଲା । ସେମାନଙ୍କଠାରୁ ମଧ୍ୟ ସେ ବହୁତ ଟଙ୍କା କରଜ ଆଣି ଲଳିତାମ୍ବିକାଙ୍କ ପୂଜା କରି ସମସ୍ତିଙ୍କ ଇଚ୍ଛା ପୂରଣ କରିବ ବୋଲି କହି ହଠାତ୍ ଗ୍ରାମରୁ ବାହାରି ପଡିଲା । ଗ୍ରାମବାସୀ ତାକୁ ଛାଡିଲେ ନାହିଁ । ବାସ୍ ସେହିଦିନ ରାତିରେ ସେଠୁ ସେ କୁଆଡେ ପଳାଇଗଲା । ଗ୍ରାମବାସୀମାନେ ଯୁଗଳକୁ ଖୋଜି ଆଣିବାର ଭାର ଏହି ନୀଳ ଉପରେ ଦେଇଛନ୍ତି ।

ଗ୍ରାମାଧିକାରୀ ଯୁଗଳକୁ ପଚାରିଲେ, “କ’ଣ ଏସବୁକଥା ସତ?” ତହୁଁ ସେ ଯୁଗଳ କହିଲା, “ହଁ ସତ ।”

ଗ୍ରାମାଧିକାରୀ ତାକୁ ପୁଣି ପଚାରିଲେ, “ତୁମେ ଏପରି କାହିଁକି କଲ?” ତା’ପରେ ସେ ଯୁଗଳ କହିଲା, “ମୁଁ ଲଳିତାମ୍ବିକାଙ୍କ ଭକ୍ତ । ମୋର ଏହି ଇଚ୍ଛା ଥିଲା କି ଦେବୀଙ୍କ ଦ୍ୱାରା ଲୋକଙ୍କ ସମସ୍ତ ଇଚ୍ଛା ପୁରଣ କରିବି । ସେଥିପାଇଁ ମୁଁ ପ୍ରଥମେ ବୀରପୁର ଗ୍ରାମକୁ ଯାଇ ସେଠାରେ ବର୍ଷେ ରହିଥିଲି, ଯେପରି ଏଠାକୁ ଆସିଛି । ସେମାନଙ୍କଠାରୁ ମୁଁ ତିନିହଜାର ମୋହର ଧାର୍ ଆଣିଛି । ସେମାନେ ମଧ୍ୟ ମୋର ବହୁତ ସହାୟତା କରିଛନ୍ତି ଓ କେବେ କିଛି ମାଗି ନାହାଁନ୍ତି । ତା’ପରେ ମୁଁ ସେଠାରୁ ଲୁଚି ଲୁଚି ଯାଇ ଚନ୍ଦ୍ରପୁରରେ ଏଇ ନୀଳଙ୍କ ଗ୍ରାମରେ ରହିଲି ସେଠାରୁ କରଜକରି ବର୍ଷେ ରହି ମୁଁ ଚୁପ୍କରି ଚାଲିଆସିଲି । ଏବେ ମୋ ପାଖରେ ବାରହଜାର ମୋହର ଅଛି । ସେସବୁ ନେଇ ଚନ୍ଦ୍ରପୁର ଯାଇ ତାଙ୍କ ଋଣ ପରିଶୋଧ କରିବି । ମୋର ଇଚ୍ଛା ଥିଲା ସିଧା ନିଜ ଗ୍ରାମକୁ ଯାଇ ଦେବୀଙ୍କର ଦର୍ଶନ କରିବି ଓ ପରେ ଚନ୍ଦ୍ରପୁର ଯିବି । କିନ୍ତୁ ମଝିରେ ନୀଳ ଆସିଲା । ଏଣିକି ତ ମୋ କାହାଣୀ ଆପଣ ଜାଣନ୍ତି ।”

ନୀଳ କହିଲା, “ମିଛ କହୁଛି, ବାରହଜାର ମୋହର ଧରି ସେ ପଳାଇଥା’ନ୍ତା; ମୁଁ ଆସିବାରୁ ସେ ଆଜି ଧରାପଡିଛି ।” ଯୁଗଳ କହିଲା, “ଏପରି ବାଜେ କଥା ନୀଳ କହ ନାହିଁ । ସତମିଛ ଭଗବାନଙ୍କ ହାତରେ ଅଛି । ମୁଁ ତୋର ଗ୍ରାମବାସୀଙ୍କ ଟଙ୍କା ଜମା କରିଛି, ନିଜେ ନେଇ ଦେଇଦେବି । ଯଦି ଚାହଁ ତ ଦୁଇଗୁଣ ମଧ୍ୟ ଦେଇପାରେ । ଏବେ ସବୁ ଠିକ୍ ତ?”

ନୀଳ କହିଲା, “ଠିକ୍ ତ କହୁଛୁ । କିନ୍ତୁ ଏହି ଗ୍ରାମର ବାରହଜାର ମୋହର କେଉଁଠୁ ଶୁଝିବୁ? ପୁଣି ଅନ୍ୟ ଏକ ଗ୍ରାମକୁ ଯାଇ ଶୁଝିବୁ? ଏପରି ଠକାମୀ ଆଉ କେତେଦିନ ଚଳିବ । ମୁଁ ତୋତେ ନେଇ ସିପାହୀମାନଙ୍କ ହାତରେ ଦେଲେ ଯାଇ ମୋର ମନ ଶାନ୍ତ ହେବ ।”

ଗ୍ରାମାଧିକାରୀ କହିଲେ, “ନୀଳ, ଆମ ଗ୍ରାମ ଶସ୍ୟଶ୍ୟାମଳା; ଆମେ ପୁଣ୍ୟ କାର୍ଯ୍ୟରେ ବିଶ୍ୱାସ କରୁ । ଆମର ବିଶ୍ୱାସ ଯେ ଯୁଗଳ ଜଣେ ଭଲ ମଣିଷ । ଆମେ ତାଙ୍କୁ ଧନ ଦେଇଛୁ । ସେଥିପାଇଁ ଆମେ କୌଣସି ପଶ୍ଚାତାପ କରୁ ନାହୁଁ । ତୁମ ଗ୍ରାମବାସୀଙ୍କ କରଜ ସେ ଶୁଝିଦେବେ । ତେଣୁ ତାଙ୍କୁ ଛାଡିଦିଅ । ନହେଲେ ହୁଏତ ଲଳିତାମ୍ବିକା ଦେବୀଙ୍କର ଦର୍ଶନ କରିବା ପରେ, ତାଙ୍କୁ କଷ୍ଟ ଦେଲେ ଦେବୀ କୁପିତା ହେବେ ଓ ତୁମ ଗ୍ରାମର ଅମଙ୍ଗଳ ହେବ ।” ନୀଳ କହିଲା, “ସେ ଯେ ଅନ୍ୟଗ୍ରାମକୁ ଯାଇ ନ ଠକାଇବ ସେକଥା କିଏ ନିଶ୍ଚିତ ଭାବରେ କହିବ? ଯଦି ସେ ଦେବୀଙ୍କ କୃପାରୁ ସମସ୍ତିଙ୍କ ଉପକାର କରିପାରିବ ତ ତେବେ ଧନ ପରିଶୋଧ କରିବାର କୌଣସି ବି ଆବଶ୍ୟକତା କାହିଁକି ପଡିବ? କାହିଁକି ବା ସେ ଏତେ ଠକାମୀ କରୁଛି?”

ଗ୍ରାମାଧିକାରୀ ହସି ହସି କହିଲେ, “ଯେତେବେଳେ ସେ ବୀରପୁରରେ ଥିଲେ, ସେମାନେ ଧନ ଫେରାଇ ନଦେଲେ ତାଙ୍କୁ ଛାଡିଲେ ନାହିଁ ବୋଲି ସେ ଚନ୍ଦ୍ରପୁରରେ ପହଁଚି ଧନ କରଜ ନେଇ ସେମାନଙ୍କୁ ଶୁଝିଲେ । ପୁଣି ତମ ଗ୍ରାମବାସୀଙ୍କ ଅବିଶ୍ୱାସ ଯୋଗୁଁ ଆମଠାରୁ ନେଇ ତୁମକୁ ଶୁଝୁଛନ୍ତି । କିନ୍ତୁ ଆମ ଗ୍ରାମରେ ତାଙ୍କ ସ୍ଥାନ ଭିନ୍ନ । ତାଙ୍କଠାରୁ ଆମେ ଆଦୌ ଧନ ପରିଶୋଧ କରିବାକୁ ଆଶା କରି ନାହୁଁ । ତେଣୁ ସେ ଏବେ ଦେବୀଙ୍କ ପାଖକୁ ଯାଇ ଆମ ଇଚ୍ଛା ସବୁ ପୁରଣ କରିବେ । ଇଚ୍ଛା ଯଦି ପୁରଣ ନହୁଏ ତ ଆମର ସେଥିରେ ଆଦୌ ଦୁଃଖ ନାହିଁ ।”

ଯୁଗଳ ଗ୍ରାମାଧିକାରୀଙ୍କୁ କୃତଜ୍ଞତା ଜଣାଇ ଚନ୍ଦ୍ରପୁର ଯାଇ ସବୁଧନ ଶୁଝିଦେଲା । ସମୟକ୍ରମେ ଦେଖାଗଲା ଯଶଗ୍ରାମର ଗ୍ରାମବାସୀଙ୍କ ସମସ୍ତ ଇଚ୍ଛା ପୁରଣ ହୋଇଛି । ସେଠିକା ଗ୍ରାମାଧିକାରୀଙ୍କର ପୁଅଟିଏ ହେଲା । ଗ୍ରାମର କୁଅମାନଙ୍କରେ ଖାରିପାଣି ବଦଳରେ ମିଠାପାଣି ଝରିଲା । କ୍ରମେ ସେଠିକା ଗ୍ରାମବାସୀଙ୍କର ଅନ୍ୟାନ୍ୟ ଇଚ୍ଛାସବୁ ମଧ୍ୟ ପୁରଣ ହେଲା । ଗ୍ରାମବାସୀମାନେ ଏଥିରେ ବହୁତ ଖୁସି ହୋଇ ଚାହିଁଲେ ଯୁଗଳକୁ ଡାକି ତା’ର ଭବ୍ୟ ସ୍ୱାଗତ ସତ୍କାର କରିବେ ଓ ତାକୁ ଆହୁରି ଅନେକ ଧନ ଦେବେ । କିନ୍ତୁ କେହି ଜାଣନ୍ତି ନାହିଁ ସେ କେଉଁଠି ଓ କୁଆଡେ ଗଲା । କେବଳ ଏତିକି ଜାଣିଲେ ଯେ ସେ ପ୍ରକୃତରେ ଦେବୀ ଭକ୍ତ ଓ ଦେବୀଙ୍କର ମହିମା ଅପାର । ଯଶପୁର ଗ୍ରାମଲୋକେ ଭଲରେ ରହିଲେ । ବୀରପୁର ଓ ଚନ୍ଦ୍ରପୁରର ଲୋକେ କେବଳ ପଶ୍ଚାତାପ କଲେ ।

ଆଧାର: ଓଡ଼ିଆ ଗପ




© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate