ଉପକ୍ରମ ଗୌତମପୁର ଗ୍ରାମରେ ସୋମୁ ନାମରେ ଚାଷୀଟିଏ ଥାଏ । ତା’ର ଲିମନ୍ ନାମରେ ପୁଅଟିଏ ଥାଏ । ତାକୁ ଆସି ଷୋଳବର୍ଷ ହେଲାଣି, କିନ୍ତୁ ସେ ତା’ବାପକୁ କୌଣସି କାମରେ ଟିକିଏ ହେଲେବି ସାହାଯ୍ୟ କରେନାହିଁ । ସବୁବେଳେ ଖାଲି ସେ ଇଆଡେ ସିଆଡେ ବୁଲୁଥାଏ । ବର୍ଣ୍ଣନା ଦିନେ ସୋମୁ ତା’ ପୁଅ ଲିମନ୍କୁ କହିଲା, “ଆରେ ଏମିତି ବେକାର ହୋଇ ସବୁବେଳେ ବୁଲୁଛୁ । କାମ ତ କିଛି କରିବୁ? କାମ ନ କଲେ ପେଟ ପୋଷିବୁ କିମିତି? ଶେଷରେ ଭୋକରେ ମରିବୁ ।” ବାପଠୁ ଏପରି ଗାଳି ଶୁଣି ଲିମନ୍ ମନରେ ଟିକେ ରାଗ ଆସିଲା । ତେଣୁ ସେ ହଠାତ୍ ଚିତ୍କାର କରି କହିଲା, “ମୁଁ କି କାମ କରିବି? ତମେ ମୋତେ କହି ଦେଉନାହଁ?” ତହୁଁ ସୋମୁ ଧୀର ଭାବରେ କହିଲା, “ଶୁଣ । ଆମର ଗହମ କ୍ଷେତରେ ଫସଲ କାଟିବାର ତ ସମୟ ହୋଇଗଲାଣି । ତାକୁ ବଣଜନ୍ତୁ ଓ ପକ୍ଷୀଙ୍କ ଦାଉରୁ ରକ୍ଷା କରିବା ପାଇଁ ମନଦେଇ ଜଗିବାକୁ ହେବ । ତାକୁ ଯତ୍ନର ସହ ଆମଦାନୀ କରିବାକୁ ହେବ । ତୁ ସେଇଠାକୁ ଚାଲିଯା ତ ।” ତା’ପରେ ସେ ଲିମନ୍ କ୍ଷେତକୁ ଗଲା । ସେଠି ପହଁଚି ତାକୁ ବଡ ଅଡୁଆ ଲାଗିଲା । ଜଗିବା ଗୋଟାଏ କାମ । ବସି ବସି ସେ ବିରକ୍ତ ଲାଗିଲାଣି । ତା’ପରେ ପକ୍ଷୀ ପଶୁ ଆସିବାରୁ ତା’ ମନଟା ଖୁସି ହୋଇଗଲା । ସେ ସେମାନଙ୍କ ଶବ୍ଦ ସବୁ ମନଦେଇ ଶୁଣିଲା ଓ ଠିକ୍ ସେହିଭଳି ଶବ୍ଦ ସବୁ କଲା । କିଛିଦିନ ଭିତରେ ପଶୁପକ୍ଷୀଙ୍କ ଶବ୍ଦ ଅବିକଳ ଭାବରେ କରିବାର ଦକ୍ଷତା ସେ ହାସଲ କଲା । ସେ ସମୟରେ ଗୌତମପୁର ଗ୍ରାମ ତ ଶ୍ରୀପୁରର ଜମିଦାରଙ୍କ ଜମିଦାରୀରେ ଥାଏ । ଘୋଡା ଚଢିବା ତାଙ୍କର ଏକ ସଉକ ଥିଲା । ସେ ପ୍ରତ୍ୟେକ ବର୍ଷ ଦଶହରାରେ ନିଜ ଘୋଡାଟି ବିକ୍ରି କରି ନୂଆ ଘୋଡାଟିଏ କିଣନ୍ତି । ଘୋଡାରେ ବସି ପ୍ରଜାମାନଙ୍କ ସହିତ ଦେଖା କରିବାକୁ ସେ ଯାଆନ୍ତି । ଏଥର ଦଶହରାରେ ସେ ଯେଉଁ ଘୋଡାଟି କିଣିଛନ୍ତି ସେଇଟି ବହୁତ ସୁନ୍ଦର ଓ ଭଲ ଦୌଡୁଛି, ହେଲେ ସେ ଟିକେ ଅମାନିଆ । ଯୁଆଡେ ମୁହଁକଲା ଦୌଡିଲା । ତାକୁ ଜବତ କରିବା ବି ଅତ୍ୟନ୍ତ କଷ୍ଟସାଧ୍ୟ । ଦିନେ ଜମିଦାର ଘୋଡାରେ ବସି ବୁଲିବାକୁ ବାହାରିଲେ । ସେଦିନ ସେ ଘୋଡା ଏକବାରେ ବଶରେ ଆଦୌ ନଥିଲା । ଦୌଡୁଛି ତ ଦୌଡୁଛି ଯମାରୁ ସେ କେଉଁଠି ମଧ୍ୟ ଅଟକ ହେଉନାହିଁ । ଘୋଡା ଯାଇ ଯାଇ ଗୌତମପୁରରେ ପହଁଚିଲା । ଏସବୁ ଦେଖି ଲୋକମାନେ ବୁଝିଗଲେ ଅମାନିଆ ଘୋଡା ଯୋଗୁଁ ଜମିଦାରଙ୍କ ଅବସ୍ଥା କିପରି ଖରାପ । ସେମାନେ ଘୋଡାକୁ ଜବତ କରିବାକୁ ତା’ ପଛରେ ଦୌଡିଲେ । ଘୋଡା ଆହୁରି ରାଗିଗଲା ଓ ଅଧିକ ଉଗ୍ରତା ଦେଖାଇଲା । ଏପରିକି ଯିଏ ବି ତା’ ପାଖକୁ ଗଲା ତାକୁ ସେ ନାତ ମାରିଲା ଓ ଭୟଙ୍କର ନାଦ କଲା । ଏମିତି ଦୌଡା ଦୌଡିରେ କେତେ କ୍ଷେତ ମଧ୍ୟ ନଷ୍ଟ ହୋଇଗଲା । ସେତେବେଳକୁ ସେ ଜମିଦାରଙ୍କ ରକ୍ତ ଭୟରେ ପାଣି ହୋଇଗଲାଣି । ସେ ଲଗାମ୍ ଯେତେ ଟାଣିଲେ ମଧ୍ୟ, ଯେତେ କଥା ଘୋଡାକୁ କହିଲେ ମଧ୍ୟ ସେ ଆଉ ଶୁଣୁଛି ବା କୋଉଠି? ସେତେବେଳେ ଲିମନ୍ ନିଜ କ୍ଷେତରେ ବସିଥିଲା । ସେ ଗୋଟାଏ ବୁଦା ମୂଳରେ ବସି ଘୋଡାପରି ଶବ୍ଦ କଲା । ଅନ୍ୟ ଘୋଡାର ଶବ୍ଦ ଶୁଣି ଜମିଦାରଙ୍କ ଘୋଡା ହଠାତ୍ ଚୁପ୍ ହୋଇଗଲା, ତା’ର ଗତି ମନ୍ଥର ହେଲା ଓ ଶେଷକୁ ସେ ଶାନ୍ତ ଭାବରେ ଠିଆ ହେଲା । ତା’ପରେ ସେ ପୁଣି ଶବ୍ଦ କଲା । ଜମିଦାର ଘୋଡାରୁ ଓହ୍ଲାଇ ଖୋଜିଲେ ସେ ଅନ୍ୟ ଘୋଡାଟିକୁ ଯିଏ କି ଏପରି ଶବ୍ଦ କରୁଛି । ଇତିମଧ୍ୟରେ ସେ ଗ୍ରାମର ଲୋକମାନେ ସେଠାରେ ଆସି ପହଁଚିଗଲେ । ଲିମନ୍ ବୁଦା ଉହାଡରୁ ବାହାରି ଆସିଲା । ଆଉ ସୋମୁ ମଧ୍ୟ ସେଠାରେ ଆସି ପହଁଚିଗଲା । ଜମିଦାରଙ୍କୁ କୁହାଗଲା ଲିମନ୍ହିଁ ଏପରି କରିଛି । ଜମିଦାର କୌତୁହଳୀ ହୋଇ ତାକୁ ଦେଖିଲେ । ସୋମୁ କହିଲା, “ହଜୁର୍, ଇଏ ମୋ ପୁଅ ଲିମନ୍ । ସେ କିଛି ବି କାମ କରେନାହିଁ, ଅଳସୁଆ ବୋଲି ମୁଁ ତାକୁ କ୍ଷେତ ଜଗିବାକୁ ପଠାଇଛି । ଏଇଠି ବସି ସେ କ୍ଷେତ ଜଗେ ଓ ପଶୁପକ୍ଷୀଙ୍କ ଶବ୍ଦ ଅନୁକରଣ କରେ ।” ସୋମୁର ସବୁ କଥା ଶୁଣି ଜମିଦାର କହିଲେ, “ତୁମ ପୁଅ ଆଜି ମୋତେ ବଡ ବିପଦରୁ ରକ୍ଷା କଲା । ସେ ଏତେ ପ୍ରକାର ଶବ୍ଦ ଆୟତ କରିପାରିଛି, ଆଉ ପୁଣି ତୁମେ ତାକୁ କହୁଛ ଅଳସୁଆ? ଇଏ ତ ଏକ ପ୍ରକାର କଳା ଓ ସେ ଦକ୍ଷତା ତା’ର ହିଁ ଅଛି । ତୁମ ପୁଅ ବହୁତ ଗୁଣବାନ୍ । ମୁଁ ତା’ ଉପରେ ବହୁତ ଖୁସି । ତେଣୁ ଏହି ପୋଖରୀ ପାଖରୁ ଝରଣା ପର୍ଯ୍ୟନ୍ତ ସବୁ ଜମି ମୁଁ ତା’ ନାମରେ ଲେଖି ଦେଉଛି । ସେସବୁର ମାଲିକ ଆଜିଠୁ ସିଏ ହେବ । କିନ୍ତୁ ଯେଉଁ କଳା ଯୋଗୁଁ ସେ ଏତେବଡ ହୋଇ ପାରିଛି ତାକୁ ସେ ଯେପରି ବନ୍ଦ ନ କରେ ଆଉ ଅଧିକରୁ ଅଧିକ ସେ ଦିଗରେ ଦକ୍ଷତା ହାସଲ କରେ । ପରବର୍ଷ ଦଶହରାକୁ ମୁଁ ହାତୀରେ ବସି ଆସିବି ।” ଜମିଦାରଙ୍କ କଥା ଶୁଣି ସମସ୍ତେ ଖୁସି ହେଲେ । ଲିମନ୍ ତ ବହୁତ ଖୁସି । ତାକୁ ଜମି ମିଳିଲା । ସେ ପଶୁପକ୍ଷୀଙ୍କ ଶବ୍ଦ କରିବାର କଳାରେ ବହୁତ ଉନ୍ନତି କଲା । ପରେ ଅନ୍ୟ ମାନଙ୍କୁ ମଧ୍ୟ ସେ ଶିଖାଇଲା । ପରେ ଗୌତମପୁରରେ ଏ କଳା ଶିଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତିବର୍ଷ ପ୍ରତିଯୋଗିତା ହେଉଥାଏ । ଜମିଦାର ଯୋଗ୍ୟତା ଅନୁସାରେ ପୁରସ୍କାର ବାଂଟନ୍ତି । କାଳକ୍ରମେ ଏ କଳା ପାଇଁ ଗୌତମପୁର ଖୁବ୍ ପ୍ରସିଦ୍ଧ ହୋଇଗଲା । ଆଧାର ଓଡ଼ିଆ ଗପ