অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରକୃତ ସାହାଯ୍ୟ

ପ୍ରକୃତ ସାହାଯ୍ୟ

ଉପକ୍ରମ

ରବିଚନ୍ଦ୍ର ନାମକ ଜଣେ ଜମିଦାରଙ୍କର ଦୁଇଜଣ ପୁତ୍ର ଥିଲେ । ସେମାନେ ହେଲେ ହରି ଓ ଗିରି । ରବିଚନ୍ଦ୍ର ତାଙ୍କ ମୃତ୍ୟୁ ସମୟରେ ସେ ନିଜର ସମସ୍ତ ସମ୍ପତ୍ତିକୁ ଏ ଦୁଇ ପୁତ୍ରଙ୍କ ମଧ୍ୟରେ ସମାନ ରୂପେ ବାଂଟି ଦେଇଥିଲେ ।

ବର୍ଣ୍ଣନା

ତାଙ୍କର ଅକଳନ ସମ୍ପତ୍ତି, ପୁତ୍ରମାନଙ୍କ ପାଇଁ ଯଥେଷ୍ଟ ଥିଲା । ହରି ପୈତୃକ ସମ୍ପତ୍ତି ପାଇ ମହା ଆଡମ୍ବରରେ ତାଙ୍କ ଜୀବନ ବିତାଉଥାଆନ୍ତି । ମନ ଇଚ୍ଛା ଅର୍ଥ ଖର୍ଚ୍ଚ କରି, ପ୍ରତି ଦିନ ଜାକଜମକରେ ଘରେ ଉତ୍ସବ ପାଳନ କରନ୍ତି । ତାଙ୍କର ମହଲ ସଦୃଶ ଏକ ବିରାଟ ଘର ଥାଏ ଓ ତହିଁରେ ଅନେକ ଦାସଦାସୀ ବି ଥା’ନ୍ତି । ସବୁଲୋକ ତାକୁ ଖୁବ୍ ପ୍ରଶଂସା କରନ୍ତି ଓ ଜଣେ ସମ୍ଭ୍ରାନ୍ତଲୋକ ଭାବେ ତାକୁ ଗଣନା କରନ୍ତି । ହରି ଲୋକମାନଙ୍କୁ ଢେର୍ ସାହାଯ୍ୟ କରନ୍ତି । ପ୍ରକୃତରେ ତାଙ୍କଠାରେ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତି ନଥାଏ, ମାତ୍ର ଲୋକ-ଦେଖାଣିଆ ଭାବରେ ସେ ଏହି କାମ କରନ୍ତି ।

କିନ୍ତୁ ତାଙ୍କର ଭାଇ ଗିରି ଏକ ଛୋଟ ଖପର ଘରେ ବାସ କରନ୍ତି । ଘରେ କୌଣସି ମୂଲ୍ୟବାନ ଆସବାବପାତ୍ର ନଥିଲେ ମଧ୍ୟ ପରିବେଶ ବେଶ୍ ସଫାସୁତୁରା ରଖନ୍ତି । ପରିଷ୍କାର ଓ ରୁଚିପୂର୍ଣ୍ଣ ପୋଷାକ ପରିଧାନ କରନ୍ତି । ତାଙ୍କର ଏହି ସରଳ ଜୀବନଶୈଳୀ ସହିତ ପତ୍ନୀ କଳ୍ପନାଙ୍କ ଚିନ୍ତାଧାରା ମେଳ ଖାଇଥାଏ । ତେଣୁ ସେମାନଙ୍କର ସମୟ ଆନନ୍ଦରେ ଅତିବାହିତ ହୁଏ । ଗିରିଙ୍କର ଅପରକୁ ସାହାଯ୍ୟ କରିବାର ମନୋଭାବ ଥାଏ । କିନ୍ତୁ ସେ କାହାକୁ ସାହାଯ୍ୟ କରିବା ପୂର୍ବରୁ ପ୍ରଥମେ ତା’ର ଅସୁବିଧାର କାରଣ ଭଲ ରୂପେ ଜାଣିବା ପାଇଁ ଚେଷ୍ଟା କରନ୍ତି । ତା’ର ଉତ୍ତରରେ ସନ୍ତୁଷ୍ଟ ହେଲେ ଯାଇ ସେ ତାକୁ ସାହାଯ୍ୟ କରନ୍ତି । ତାଙ୍କର ଏହି ଗୁଣ ପାଇଁ ସାରା ଗ୍ରାମରେ ତାଙ୍କୁ ଜଣେ କୃପଣ ଭାବରେ ଗଣନା କରାଯାଏ ।

ଥରେ ତାଙ୍କର ପଡୋଶୀ ଧନପତି ଏକ ଦୂରସ୍ଥାନକୁ ଯାତ୍ରା ଉଦ୍ଧେଶ୍ୟରେ ବାହାରି ଥିଲେ । ସେ ଅଚଳପତିଙ୍କୁ ଏକ ମୁଦି ଦେଇ କହିଲେ, “ମୋର ଅନ୍ୟ ସମସ୍ତ ମୂଲ୍ୟବାନ ବସ୍ତୁ, ମୁଁ ଏକ ଗୁପ୍ତ ସ୍ଥାନରେ ସୁରକ୍ଷିତ ଭାବେ ରଖି ଦେଇଛି । ଏଇଟି ଆଙ୍ଗୁଠିରେ ରହିଯାଇଥିବାରୁ, ମୁଁ ରଖିପାରିଲି ନାହିଁ । ଯାତ୍ରାକାଳରେ ଚୋରୀ ଭୟ ରହିଛି । ଏଇ ମୁଦିଟି କେବଳ ମୂଲ୍ୟବାନ ନୁହେଁ, ଏହା ମଧ୍ୟ ମୋର ପୂର୍ବ ପୁରୁଷ ମାନଙ୍କର ଏକ ସନ୍ତକ । ଆମ ବଂଶ ପରମ୍ପରାରେ, ପ୍ରତିପୀଢିରେ ପିତାଙ୍କ ଠାରୁ ପୁତ୍ର ଏହି ମୁଦି ପ୍ରାପ୍ତ ହୋଇଥାଏ ।” ଧନପତି ଏପରି କହି ସେଠାରୁ ଚାଲିଗଲେ ।

ଅଚଳପତି ସେହି ମୁଦ୍ରିକା ଆଣି ତାଙ୍କର ସିନ୍ଦୁକରେ ଥିବା ଗହଣା ବାକ୍ସରେ ରଖିଲେ । ଗହଣା ବାକ୍ସରେ ତ ପୂର୍ବରୁ ତାଙ୍କ କନ୍ୟାର ବିବାହ ପାଇଁ କରିଥିବା ଗହଣା ଥିଲା । ସେ ଏହି ବିଷୟ ପତ୍ନୀଙ୍କୁ ଜଣାଇଲେ ନାହିଁ ।

ତତ୍ପରଦିନ ଜୟାକୁ ଦେଖିବା ପାଇଁ ବରପକ୍ଷ ଆସିଲେ । ସେମାନେ କନ୍ୟାକୁ ପସନ୍ଦ କଲେ । ଯୌତୁକ ସମ୍ବନ୍ଧୀୟ କଥା ଉଠିଲା । ବରର ମାତା, ବୋହୁର ଗହଣା ଦେଖିବା ପାଇଁ ଚାହିଁବାରୁ ଜୟାଙ୍କ ମା’ ତାଙ୍କୁ ନେଇ ସିନ୍ଦୁକରୁ ଗହଣା ବାକ୍ସ ଖୋଲି ଦେଖାଇଲେ । ଜୟାଙ୍କ ଗହଣା ଦେଖି ଶାଶୁ ବହୁତ ଖୁସି ହୋଇଗଲେ । ବିଶେଷ କରି ସେହି ମୁଦିଟି ତାଙ୍କ ମନକୁ ବେଶ୍ ପାଇଲା । ସେ କହି ଉଠିଲେ, “ଏଇ ମୁଦିଟି ମୋର ଭାରି ପସନ୍ଦ ହେଉଛି । ଆମର ପ୍ରସ୍ତାବ ପକ୍କା ହୋଇଗଲା । ତେଣୁ ଶୁଭ ସନ୍ତକ ରୂପେ ତୁମେ ମୋତେ ଏଇ ମୁଦିଟି ଦେଇ ଦିଅ ।”

ମୁଦିଟିକୁ ଦେଖି ଜୟାର ମା’ ଆଶ୍ଚର୍ଯ୍ୟରେ ଡୁବିଗଲେ । ତାଙ୍କର ପତି ଆଗରୁ କେବେ ସେହି ମୁଦିଟି ଦେଖାଇ ନଥିଲେ । ତେଣୁ ସେ ଜାଣି ପାରୁ ନ ଥିଲେ । ଏହା କେବେ ତିଆରି ହୋଇଛି କି କେଉଁଠାରୁ ଆସିଛି! ତେଣୁ ସେ ତାହା ସମୁଦୁଣୀଙ୍କୁ ଦେବା ପୂର୍ବରୁ ପତିଙ୍କ ଅନୁମତି ଆଣିବା ପାଇଁ ଚାହିଁଲେ । ଶାଶୁ କହିଲେ, “ମୁଁ ଏପରି ମୁଦି ମାଗିକରି ପିନ୍ଧିବା କଥା ଯଦି ମୋର ପତି ଜାଣିଯିବେ, ତେବେ ସେ ତ ମୋ ଉପରେ ଭାରି ବିରକ୍ତ ହେବେ । ଏତେ ଛୋଟ କଥା ପତିଙ୍କୁ ଜଣାଇବା କ’ଣ ଦରକାର?”

ତାଙ୍କ କଥାଶୁଣି, ଜୟାଙ୍କ ମା’ ନିଜ ପତିଙ୍କୁ ପଚାରିବା କଥାକୁ ଆଉ ଗୁରୁତ୍ୱ ଦେଲେ ନାହିଁ । ସେ ତାଙ୍କ ଭାବୀ ସମୁଦୁଣୀଙ୍କ ଆଙ୍ଗୁଳିରେ ମୁଦିଟି ସିଧା ପିନ୍ଧାଇଦେଲେ । ଏହା ପରେ ପୁରୋହିତଙ୍କୁ ଡକାଇ ବିବାହର ଦିନ ଓ ସମୟ ଠିକ୍ ହୋଇଗଲା । ବରପକ୍ଷ ବିଦାୟ ନେଇ ଚାଲିଗଲେ । ଜୟାଙ୍କ ମା’ ଭାବିଲେ, ପତି ଯେତେବେଳେ ମୁଦି କଥା ପଚାରିବେ ସେ ତାଙ୍କୁ ଏହି କଥା କହିଦେବେ ।

ଜୟାଙ୍କର ବିବାହ ଠିକ୍ ହୋଇଯିବାରୁ ଘରେ ସମସ୍ତଙ୍କ ମନ ବହୁତ ଖୁସି ଥାଏ । ଏକ ସପ୍ତାହ ପରେ ପଡୋଶୀ ଧନପତି ବିଦେଶରୁ ଫେରିଲେ । ନିଜ ମୁଦି ଫେରେଇ ନେବାକୁ ସେ ଆସିବାରୁ ଅଚଳପତି ସିନ୍ଦୁକରୁ ତାହା ଆଣିବାକୁ ଗଲେ । ମାତ୍ର ଗହଣା ବାକ୍ସରେ ମୁଦି ନ ପାଇ ସେ ବିଚଳିତ ହୋଇ ପଡି ପତ୍ନୀଙ୍କୁ ପଚାରିଲେ । ପତ୍ନୀ ତାଙ୍କୁ ପ୍ରକୃତ ଘଟଣା ଜଣେଇ ଦେଲେ ।

ଅଚଳପତି ଏହା ଶୁଣି ବ୍ୟତିବ୍ୟସ୍ତ ହୋଇ ପଡିଲେ । ସେ ପ୍ରଥମେ ନିଜକୁ ଦୋଷ ଦେଲେ ଯେ, ସେ କାହିଁକି ଏହା ପତ୍ନୀଙ୍କୁ ଆଗରୁ ଜଣେଇ ନ ଥିଲେ । କିନ୍ତୁ ଏପରି ପରିସ୍ଥିତିରେ ସେ ଆଉ କ’ଣ ବା କରି ପାରିବେ? ଶେଷରେ ସେ ବାଧ୍ୟ ହୋଇ ପଡୋଶୀ ଧନପତିଙ୍କୁ ସବୁ ସତକଥା କହି ଦେଇ ତାଙ୍କ ଠାରୁ ପରାମର୍ଶ ଚାହିଁଲେ ।

ଧନପତି ଏହା ଶୁଣି ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଲେ । କିଛିକ୍ଷଣ ଚିନ୍ତା କରିବା ପରେ ସେ କହିଲେ, “ମୁଁ ତୁମର ସାଧୁପଣିଆକୁ ସନ୍ଦେହ କରୁନାହିଁ । ତେବେ ସେହି ମୁଦିଟି ଆମର ବଂଶ ପରମ୍ପରାର ଏକ ସନ୍ତକ ସ୍ୱରୂପ । ମୁଁ ତୁମକୁ ଦୁଇ ସପ୍ତାହ ସମୟ ଦେଉଛି । ଏହି ସମୟ ମଧ୍ୟରେ ତୁମେ ମୋର ସେହି ମୁଦିକୁ ଫେରେଇ ଆଣିବା ପାଇଁ କୌଣସି ଉପାୟ ଚିନ୍ତା କର ।”

ଏମିତି କଥା ଶୁଣି ଅଚଳପତି କୃତଜ୍ଞତା ପୂର୍ବକ କହିଲେ “ଆପଣଙ୍କ ପରାମର୍ଶ ମୁଁ ଗ୍ରହଣ କରୁଛି । ତେବେ ଏପରି ଆଉ ଏକ ମୁଦି କେଉଁ ଠାରୁ ମିଳିବ ବା ତିଆରି ହୋଇପାରିବ, ମୁଁ ସୁନାରୀଙ୍କୁ କହି ତା’ର ବ୍ୟବସ୍ଥା କରିବି ।” ଧନପତି ହସି ଦେଇ କହିଲେ, “ତୁମେ ଜାଣ, ଏହି ମୁଦିର ମୂଲ୍ୟ କେତେ ହେବ? ଆଉ ଗୋଟିଏ ଏପରି ମୁଦି ତିଆରି କରିବା ପାଇଁ ଦୁଇ ହଜାର ଟଙ୍କା ପଡିପାରେ ।”

ଅଚଳପତି ତାଙ୍କ କନ୍ୟାର ବିବାହ ନିମନ୍ତେ ପାଂଚହଜାର ଟଙ୍କା ଜମା କରିଥିଲେ । ସେହି ଅର୍ଥରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ସେ ମୁଦି ତିଆରି କରିବା ପାଇଁ ସ୍ଥିର କଲେ । ତେଣୁ ସେ ଧନପତିଙ୍କୁ ଅନୁରୋଧ କଲେ ଯେ, ଏପରି ମୁଦି ଆଉ ଗୋଟିଏ କେଉଁଠାରେ ମିଳିଲେ, ତା’ର ନକଲରେ ସେ ମୁଦିଟିଏ ତିଆରି କରି ଫେରେଇ ଦେବେ ।

ଧନପତି ଚିନ୍ତା କରି କହିଲେ, “ମୋର ପିତାମହଙ୍କ ପାଖରେ ଏପରି ଚାରିଗୋଟି ମୁଦି ଥିଲା । ସେ ତାଙ୍କର ଦୁଇ ପୁତ୍ରକୁ ଦୁଇଟି ଲେଖାଏଁ ମୁଦି ଦେଇଥିଲେ । ମୋ ପିତାଙ୍କର ମଧ୍ୟ ଦୁଇଟି ପୁତ୍ର । ଆମ ଦୁଇଭାଇଙ୍କୁ ପିତା ସେହି ଦୁଇଟି ମୁଦି ବାଂଟିଦେଲେ । ମୋର ଭାଇ ମଳୟ ଦ୍ୱୀପରେ ବ୍ୟବସାୟ କରି ସେଠାରେ ଅବସ୍ଥାନ କରୁଛନ୍ତି । ତାଙ୍କର ଠିକଣା ପାଇବା ଅସମ୍ଭବ । ଆଉ ବାକି ରହିଲେ ମୋର ବାବା । ବହୁକାଳରୁ ତାଙ୍କର ଦେହାନ୍ତ ଘଟିଛି । ତାଙ୍କର ଦୁଇ ପୁତ୍ର ସେମାନେ ହେଲେ ହରି ଓ ଗିରି । ଏଇ ପାଖ ଗ୍ରାମରେ ସେମାନେ ବାସ କରନ୍ତି । ତାଙ୍କ ବିଷୟରେ ଯେତିକି ମୁଁ ଜାଣେ, ହରି ଜଣେ ଦାନୀ ଲୋକ ଓ ଗିରି ହେଉଛନ୍ତି କୃପଣ । ତୁମେ ସେହି ଦୁଇ ଭାଇଙ୍କ ପାଖକୁ ଯାଇ ନକଲ ଆଣିବାକୁ ଚେଷ୍ଟା କରିପାର ।” ଧନପତି ଏହିପରି ବିବରଣୀ ଦେଲେ ।

ଅଚଳପତି ନିଜ ପୁତ୍ର ପ୍ରଦୀପକୁ ସମସ୍ତ ବିଷୟ ଜଣାଇ କହିଲେ, “ପୁତ୍ର, ଯେ କୌଣସି ପ୍ରକାରେ ଆମକୁ ଏହି ମୁଦିର ନକଲ ଆଣିବାକୁ ପଡିବ ।”

ପ୍ରଦୀପ ଆଉ କାଳ ବିଳମ୍ବ ନ କରି ହରି ଓ ଗିରିଙ୍କ ଗ୍ରାମକୁ ସିଧା ଚାଲିଲେ । ପ୍ରଥମେ ସେ ଦାନୀ ନାମରେ ଖ୍ୟାତ ହରିଙ୍କର ନିକଟକୁ ଯାଇ ତାଙ୍କୁ କହିଲେ, “ମୁଁ ଆପଣଙ୍କ ପାଖକୁ କିଛି ସାହାଯ୍ୟ ଆଶାରେ ଆସିଛି । ଏବେ ମୋର ସମସ୍ୟା ଶୁଣନ୍ତୁ ।”

ସେହି ସମୟରେ ହରିଙ୍କ ଘରେ ଏକ ଉତ୍ସବ ଚାଲିଥାଏ । ହରି ବହୁତ ବ୍ୟସ୍ତ ଥିବାରୁ ସେ କହିଲେ, “ମୋର ପାଖରେ ଏତେ ସମୟ କାହିଁ ଯେ, ମୁଁ ତୁମଠାରୁ କାହାଣୀ ଶୁଣିବି । ଶୀଘ୍ର ପ୍ରକାଶ କର ତୁମେ କ’ଣ ଚାହୁଁଛ?”

ପ୍ରଦୀପ କହିଲେ “ଆପଣଙ୍କ ବଂଶ ପରମ୍ପରା ଗତ ମୁଦ୍ରିକାର ନକଲ ମୋର ଦରକାର ।”

ଏହା ଶୁଣି ହରି କହିଲେ, “ମୋର ସେହି ମୁଦ୍ରିକାଟି ପୂଜା-ମନ୍ଦିରରେ ରହିଯାଇଛି । ତା’ର ନକଲ କାଢିବା ଏବେ ଆଦୌ ସମ୍ଭବ ନୁହେଁ । ଏହି ପାଖରେ ମୋର ଭାଇ ଗିରି ରହନ୍ତି । ତାଙ୍କ ପାଖରେ ମଧ୍ୟ ଠିକ୍ ମୋ ପରି ଏକ ମୁଦ୍ରିକା ଅଛି । କିନ୍ତୁ ସେ ମହାକୃପଣ । ସେ ମୁଦିର ନକଲ ଉତାରିବା ପାଇଁ ଖର୍ଚ୍ଚର ପଇସାଟିଏ ବି ତୁମକୁ ସାହାଯ୍ୟ କରିବ ନାହିଁ । ମୁଁ ତୁମକୁ ଏହି ଶହେଟଙ୍କା ଦେଉଛି, ଯାହା ଅର୍ଥ ଲାଗିବ ଖର୍ଚ୍ଚ କରିବ ।” ପ୍ରଦୀପଙ୍କ ହାତରେ ଜୋର୍ କରି ଶହେଟଙ୍କା ଧରେଇ ଦେଇ ହରି ସେଠାରୁ ଅନ୍ୟ ଆଡେ ଚାଲିଗଲେ ।

ପ୍ରଥମରୁ ଗିରି ଜଣେ କୃପଣ ଲୋକ ବୋଲି ଜାଣିଥିବାରୁ, ସେ ତାଙ୍କ ଘରକୁ ଯିବା ପାଇଁ ଆଗ୍ରହୀ ନ ଥିଲେ । ମାତ୍ର ଏବେ ସେଠାକୁ ନ ଯାଇ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ ।

ଗିରିଙ୍କ ଘରେ ପହଁଚିବାରୁ, ପ୍ରଦୀପକୁ ସେ ସ୍ୱାଗତ ଜଣାଇଲେ । ଥଣ୍ଡା ପାନୀୟ ପିଇବାକୁ ଦେଇ ତାଙ୍କ ସହିତ ସେ ମଧୁର ଆଳାପ କଲେ । ପ୍ରଦୀପ ନିଜର ସମସ୍ୟା ବିସ୍ତାର ପୂର୍ବକ ଜଣାଇଲେ । ଗିରି ସମସ୍ତ କଥା ଧ୍ୟାନର ସହିତ ଶୁଣି କିଛି ପ୍ରଶ୍ନ କଲେ ଓ ବିଷୟର ଗମ୍ଭୀରତା ହୃଦୟଙ୍ଗମ କରିପାରିଲେ ।

ଏହା ପରେ ସେ ପ୍ରଦୀପକୁ କହିଲେ, “ପ୍ରକୃତରେ ତୁମର ସମସ୍ୟା ଜଟିଳ । ବଡ ସତର୍କତାର ସହିତ କାମ କରିବା ପାଇଁ ପଡିବ । ଠିକ୍ ଏଇ ପ୍ରକାରର ମୁଦ୍ରିକା ତିଆରି କରିପାରିବାର ଦକ୍ଷତା ବଜ୍ରପୁରୀ ଗ୍ରାମର ରତ୍ନଗୁପ୍ତଙ୍କର ରହିଛି । କିନ୍ତୁ ସେ ତ ଏବେ ଜଣେ କୋଟିପତି । ଏପରି ଛୋଟ ଛୋଟ କାମ ସେ ଆଉ ତାଙ୍କ ହାତକୁ ନେଉ ନାହାଁନ୍ତି । ତେବେ ମଧ୍ୟ ତାଙ୍କୁ ବୁଝାଇ ସୁଝାଇ କାମଟି କରାଇବା । ତୁମ ସହିତ ମୁଁ ନିଜେ ଯିବି ।”

ପ୍ରଦୀପ କହିଲେ “ମହାଶୟ, ମୋ ପାଖରେ ତ ଏତେ ଧନ ନାହିଁ । ମୋତେ ଗ୍ରାମକୁ ଯାଇ ଆବଶ୍ୟକ ଅର୍ଥ ଆଣିବା ପାଇଁ ପଡିବ ।”

ଏହା ଶୁଣି ଗିରି କିଛି ସମୟ ଚିନ୍ତା କଲେ । “ତୁମର ପିତା, ଭଉଣୀର ବିବାହ ପାଇଁ ଯେଉଁ ଅର୍ଥ ସଂଚୟ କରିଛନ୍ତି, ସେହି ଅର୍ଥରେ ମୁଦ୍ରିକା ତିଆରି କଲେ ବି ବିବାହ ଆୟୋଜନର ଖର୍ଚ୍ଚ କେଉଁଠାରୁ ସେ ଆଣିବେ? ଯେଉଁ ବିବାହ ପାଇଁ ଆମର ଏତେ ପରିଶ୍ରମ, ତାହା ବୃଥା ହୋଇଯିବ । ଏଥିପାଇଁ ତୁମ ପିତାଙ୍କୁ ଅର୍ଥ କରଜ ଆଣିବାକୁ ପଡିବ । ସେହି କରଜ ସେ ମୋ ଠାରୁ ହିଁ ନେଇ ଯିବେ ।”

ଗିରିଙ୍କର ଏପରି କଥା ପ୍ରଦୀପକୁ ଆଚମ୍ବିତ କଲା । କାରଣ ସେ ଆଗରୁ ତାଙ୍କର କୃପଣତା ବିଷୟରେ ଅନେକ କଥା ଶୁଣିଥିଲା । ଏହା ପରେ ଦୁହେଁ ବଜ୍ରପୁରୀ ଅଭିମୁଖେ ବାହାରିଲେ । ଯାତ୍ରା ସମୟର ଖର୍ଚ୍ଚ ଓ ପଥ ମଧ୍ୟରେ ଭୋଜନ ଖର୍ଚ୍ଚ ଗିରି ନିଜ ହାତରୁ ଦେଲେ । ଦୁଇ ଦିନ ମଧ୍ୟରେ ରତ୍ନଗୁପ୍ତଙ୍କର ଠାରୁ ଅବିକଳ ସେହିପରି ଏକ ମୁଦ୍ରିକା ତିଆରି କରି ଆଣିବାରେ ଗିରି ସଫଳ ହେଲେ ।

ମୁଦିଟି ସାଥିରେ ନେଇ ଗିରି ଓ ପ୍ରଦୀପ ଅଚଳପତିଙ୍କ ସମୁଦିଙ୍କ ଗ୍ରାମକୁ ଗଲେ । ସେଠାରେ ପହଁଚିବା ପରେ ଗିରି ଅଚଳପତିଙ୍କ ସମୁଦିଙ୍କୁ ସାକ୍ଷାତ କରି କହିଲେ, “ମହାଶୟ, ସମୁଦୁଣୀ ମନା କରୁଥିଲେ ମଧ୍ୟ ଅଚଳପତିଙ୍କ ପତ୍ନୀ ତାଙ୍କ ଅଙ୍ଗୁଳୀରେ ମୁଦିଟିଏ ପିନ୍ଧାଇ ଦେଲେ । ସେତେବେଳେ ସେ ଜାଣି ନ ଥିଲେ ଯେ, ସେହି ମୁଦିଟି ତାଙ୍କର ନୁହେଁ । ଏଥିରେ ଅନ୍ୟ କାହାର ନାମ ଖୋଦେଇ ହୋଇଛି । ଅତି ଛୋଟ ଅକ୍ଷର ହୋଇଥିବାରୁ, ଏହାକୁ କେହି ମଧ୍ୟ ଦେଖି ପାରିନାହାଁନ୍ତି । ପତ୍ନୀଙ୍କର ଏହି କାମରେ ଅଚଳପତି ଖୁବ୍ ବ୍ୟସ୍ତ ହେଲେ । ସେ ଠିକ୍ ଏହି ପ୍ରକାରର ଅନ୍ୟ ଏକ ମୁଦି ତିଆରି କରି, ସେଥିରେ ସମୁଦୁଣୀଙ୍କ ନାମ ଖୋଦେଇ କରିଛନ୍ତି । ସେ ମୋତେ ମୁଦିଟି ଦେଇ ପଠେଇଛନ୍ତି । ଆପଣ ଭୁଲ୍ ନ ବୁଝି ଏଇ ମୁଦିଟି ରଖି, ପୂର୍ବର ସେହି ମୁଦିଟି ଫେରାଇ ଦିଅନ୍ତୁ ।”

ଅଚଳପତିଙ୍କର ଏପରି ବନ୍ଧୁ ବତ୍ସଳତା ଦେଖି ତାଙ୍କର ସମୁଦି ଆନନ୍ଦିତ ହେଲେ । ଗିରିଙ୍କର କଥାରେ ସେ ରାଜି ହୋଇ ପତ୍ନୀଙ୍କ ଠାରୁ ମୁଦିଟି ବଦଳାଇ ଆଣିଲେ । ବିଦାୟ ଦେବା ସମୟରେ ଗିରିଙ୍କୁ ସେ କହିଲେ, “ପ୍ରକୃତରେ ଆମ ସମୁଦିଙ୍କ ପରି ଉଚ୍ଚ କୋଟୀର ଲୋକ ଏହି ସଂସାରରେ ବିରଳ । ତାଙ୍କୁ କହିବେ, ଆମ ପରିବାରର ସମସ୍ତେ ତାଙ୍କର ଏପରି ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ ।”

ଗିରି ଓ ପ୍ରଦୀପ ଦୁହେଁ ସେଠାରୁ ଯାଇ ଅଚଳପତିଙ୍କ ଗ୍ରାମରେ ପହଁଚିଲେ । ପ୍ରଦୀପ ପିତାଙ୍କୁ ସମସ୍ତ ଘଟଣା ଜଣେଇ, ମୁଦିଟି ଧନପତିଙ୍କୁ ଫେରାଇଦେବା ପାଇଁ ଦେଲେ ।

ଅଚଳପତି ଗିରିଙ୍କର ଦୁଇ ହାତ ଧରି ପକେଇ କହିଲେ, “ଆପଣଙ୍କ ପରି ଉଦାର ହୃଦୟ ଲୋକ ମୁଁ କେଉଁଠାରେ ବି ଦେଖି ନାହିଁ । କାହାରି ମନରେ କଷ୍ଟ ନଦେଇ, ଉଭୟ ପରିବାରର ସମ୍ମାନ ରକ୍ଷା କରି ଆପଣ ଯେପରି ଦକ୍ଷତାର ସହ ଏହି କାମ ତୁଲାଇଲେ, ତା’ର କୌଣସି ତୁଳନା ନାହିଁ । ଠିକ୍ ସମୟରେ ଅର୍ଥ କରଜ ଦେଇ ମୋତେ ସାହାଯ୍ୟ କଲେ । ଆପଣଙ୍କର କରଜ ମୁଁ ସୁଧ ସହିତ ଶୁଝିଦେବି । କେଉଁ ଭାଷାରେ ମୁଁ କୃତଜ୍ଞତା ଜଣାଇବି, ତାହା ଜାଣିପାରୁନାହିଁ ।”

ଗିରି ତାଙ୍କୁ ପ୍ରବୋଧନା ଦେଇ କହିଲେ, “ମହାଶୟ, ଅପରକୁ ଆବଶ୍ୟକ ସମୟରେ ସାହାଯ୍ୟ କରିବା ପ୍ରତ୍ୟେକ ମନୁଷ୍ୟର ଧର୍ମ । ଭଗବାନଙ୍କ କରୁଣାରୁ ମୋର ଧନ ସମ୍ପତ୍ତିର ଅଭାବ ନାହିଁ । ମୋର କରଜ ଶୁଝିବା ସମ୍ବନ୍ଧରେ ଆପଣ ଚିନ୍ତିତ ହେବେ ନାହିଁ । ଯେତେବେଳେ ସୁବିଧା ହେବ ଦେଇ ଦେବେ । ନିଜକୁ ଋଣୀ ମନେ କରି ଆଦୌ ମନଦୁଃଖ କରିବେ ନାହିଁ ।”

ଗିରିଙ୍କର ଏପରି ଆଚରଣ ପ୍ରଦୀପକୁ ବିସ୍ମିତ କରୁଥାଏ । ଶେଷରେ ସେ କହିଲେ, “ସମସ୍ତଙ୍କ ନିକଟରୁ ମୁଁ ଶୁଣି ଥିଲି, ଆପଣ ଜଣେ ଅତି କୃପଣ ପ୍ରକୃତିର ମଣିଷ । ଆପଣଙ୍କର ଭାଇଙ୍କର ଯେତିକି ସମ୍ପତ୍ତି, ଆପଣ ମଧ୍ୟ ଠିକ୍ ସେତିକି ଧନର ଅଧିକାରୀ । କିନ୍ତୁ ସେ ଐଶ୍ୱର୍ଯ୍ୟମୟ ଜୀବନ ଯାପନ କରୁଥିବା ବେଳେ ଆପଣ କାହିଁକି ଏପରି ସରଳ ଜୀବନ ବିତାଉଛନ୍ତି? ଅସୁବିଧାରେ ପଡି ଯେ କୌଣସି ଲୋକ ଆପଣଙ୍କ ଠାରୁ ସାହାଯ୍ୟ ଲୋଡିଲେ, ଆପଣ ନିଜର ଲାଭକ୍ଷତି କଥା ନ ମାନି ତା’ର ସହାୟତା କରନ୍ତି । ତଥାପି ମଧ୍ୟ ଆପଣଙ୍କର ଦାନ-ଗୁଣର ପ୍ରଶଂସା କାହାଠାରୁ ବି ଶୁଣିବାକୁ ମିଳେ ନାହିଁ । କେହି ଆପଣଙ୍କୁ ଭଲ ପାଆନ୍ତି ନାହିଁ । ଅଥଚ ଆପଣଙ୍କ ଭାଇଙ୍କର ଜୟଗାନ କରନ୍ତି । ଏହାର କାରଣ ମୁଁ ଆଦୌ ବୁଝି ପାରୁନାହିଁ ।”

ପ୍ରଦୀପର ଏଭଳି କଥା ଶୁଣି ଗିରି ହସି ଉଠିଲେ । ତା’ପରେ ଆଦର ପୂର୍ବକ ତାଙ୍କୁ ସେ କହିଲେ, “ପୁତ୍ର, ଯିଏ ପାଖକୁ ଆସି ସାହାଯ୍ୟ ମାଗିବ, ତା’ର ସମସ୍ୟା ବିଷୟରେ କିଛି ନଜାଣି, ତାକୁ କିଛି ନ ପଚାରି ଆଖିବୁଜି ସାହାଯ୍ୟ କଲେ ସମସ୍ତେ ଦାନୀକର୍ଣ୍ଣ କହି ପ୍ରଶଂସା କରିବେ । ଏହିପରି ଦାନୀ କର୍ଣ୍ଣ ମାନେ ସମାଜର ଉପକାର ତ କରନ୍ତି ନାହିଁ, ଅପର ପକ୍ଷରେ ଅନେକ ଅକାମୀ ଲୋକଙ୍କର ସୃଷ୍ଟିର କାରଣ ହୁଅନ୍ତି । ସେହି ଲୋକମାନଙ୍କର ଏପରି ହାତ ପତେଇ ସାହାଯ୍ୟ ମାଗି ଚଳିବା ବ୍ୟତୀତ ଅନ୍ୟ କିଛି ସାହାରା ନ ଥାଏ । ମୁଁ ସର୍ବଦା ଅନ୍ୟର ପ୍ରକୃତ ଅସୁବିଧା ଜାଣିବା ପାଇଁ ଚାହିଁଥାଏ । ତା’ର ସମସ୍ୟାର ସତ୍ୟତା ଓ ଗୁରୁତ୍ୱ ଉପଲବ୍ଧି କରିବା ପରେ ଯାଇ, ମୁଁ ସହାୟତା କରେ । ଏଥିରେ ମୋତେ ଆନନ୍ଦ ମିଳିଥାଏ । ଏବେ ମୋର ସରଳ ଜୀବନ ଯାପନର ରହସ୍ୟ ଶୁଣ । ମୁଁ ମୋ ପିତାଙ୍କଠାରୁ ଯେଉଁ ସମ୍ପତ୍ତି ଉତ୍ତରାଧିକାରୀ  ସୂତ୍ରରେ ପାଇଛି, ତାହା ମୋର ସନ୍ତାନକୁ ସମର୍ପଣ କରିବା ମୋର କର୍ତ୍ତବ୍ୟ । ମୁଁ ନିଜେ ପରିଶ୍ରମ କରି ଯାହା ଉପାର୍ଜନ କରେ ସେହିଥିରେ ମୁଁ ଚଳିଯାଏ । ମୋର ଉପାର୍ଜନରୁ ମୁଁ ଅନ୍ୟକୁ ସାହାଯ୍ୟ କରେ । ଯଦି କେଉଁ ସମୟରେ ପିତାଙ୍କ ସମ୍ପତ୍ତିରୁ ଅର୍ଥବ୍ୟୟ କରି ମୋତେ କାହାକୁ ସାହାଯ୍ୟ କରିବାକୁ ପଡେ, ତେବେ ମୁଁ ତାହା କରିଥାଏ । ଯେଉଁ ଲୋକ କରଜ ନେଇଥାଏ ସେ ଯଦି ଠିକ୍ ସମୟରେ ପରିଶୋଧ କରିଦିଏ, ତେବେ ତାହା ପୈତୃକ ସମ୍ପତ୍ତିରେ ଭରଣା ହୋଇଯାଏ । ଆଉ ଯଦି କୌଣସି କାରଣରୁ ସେହି ଅର୍ଥ ମୁଁ ଫେରି ନପାଏ, ତାହେଲେ ନିଜ ଖର୍ଚ୍ଚ କାଟ କରି ଅର୍ଥ ସଂଚୟ କରି, ପୂର୍ବ ସମ୍ପତ୍ତିରେ ତାହାକୁ ମୁଁ ମିଶାଇଦିଏ । ଆଜିଯାଏଁ ମୁଁ ଯେତେ ଲୋକଙ୍କୁ କରଜ ଦେଇଛି, ସେଥି ମଧ୍ୟରୁ ଅଧିକାଂଶ ଭାଗ ମୁଁ ପୁନଶ୍ଚଫେରି ପାଇନାହିଁ । ତେଣୁ ମୁଁ ଏପରି ସରଳ ଜୀବନଯାପନ କରି ଅର୍ଥ ସଂଚୟ କରୁଛି । କେବଳ ଏହି କାରଣରୁ ଅନେକେ ମୋତେ ମହାକୃପଣ ବୋଲି ମନେ କରନ୍ତି ।”

ଅଚଳପତି ଗିରିଙ୍କୁ ତାଙ୍କ ଗ୍ରାମରେ ନେଇ ଛାଡିବା ପାଇଁ ଏକ ଗାଡିର ଆୟୋଜନ କଲେ । କିନ୍ତୁ ଗିରି ତାହା ପ୍ରତ୍ୟାଖ୍ୟାନ କରି କହିଲେ ଯେ, ମୋର ଯାତ୍ରା ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ମୁଁ ବହନ କରିବି । ଆପଣ ଅଯଥା ବ୍ୟସ୍ତ ହୁଅନ୍ତୁ ନାହିଁ ।” ଏପରି କହି ସେ ତାଙ୍କଠାରୁ ବିଦାୟ ନେଲେ ।

ଏବେ ପ୍ରଦୀପ ସଠିକ୍ ବୁଝିପାରିଲେ ଯେ, ଗିରିଙ୍କୁ କୃପଣ ଭାବରେ ଅଭିହିତ କରୁଥିବା ଲୋକମାନଙ୍କର ଧାରଣା ପୁରାପୁରି ଭୁଲ୍ ଅଟେ । ପ୍ରକୃତରେ ଗିରି ଜଣେ ପରୋପକାରୀ ଓ ବିବେକବାନ୍ ବ୍ୟକ୍ତି । ସେ ତାଙ୍କର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେଲେ ଓ ପିତାଙ୍କ ସହିତ ପରାମର୍ଶ କରି ନିଜ ପରିବାରକୁ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ କଲେ । ଫଳତଃ ଏକବର୍ଷ ମଧ୍ୟରେ ସେମାନେ ଗିରିଙ୍କ ଠାରୁ ଆଣିଥିବା କରଜ ପରିଶୋଧ କରିପାରିଲେ ।

ଆଧାର: ଓଡିଆ ଗପ

 

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate