অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର ବଦଳ କଥା

ଉପକ୍ରମ

ଏ ଦେଶରେ ଦେବତା ମାନଙ୍କର ଅବତାର ଗ୍ରହଣ ହେବା କଥା ସମସ୍ତେ ଜାଣନ୍ତି । ସେଥିପାଇଁ ଭାରତ ଦେଶକୁ ଦେବ ଭୂମି ଭାରତ ବର୍ଷ କହନ୍ତି । ଏହି ଭାରତ ଦେଶରେ କାଶୀ ନାମକ ଏକ ସହର ଥିଲା । ହିନ୍ଦୁ ମାନଙ୍କ ଲାଗି ତାହା ଥିଲା ତୀର୍ଥ ଭୂମି । କାଶୀ ନଗରରେ ହଜାର ହଜାର ମଠ ମନ୍ଦିର ଥିଲା । ଯାତ୍ରୀ ମାନଙ୍କ ଲାଗି ଭାରତର ଧନାଢ୍ୟ ବ୍ୟକ୍ତି ମାନେ ବଡ ବଡ ଧର୍ମଶାଳା ମାନ ନିର୍ମାଣ କରିଥିଲେ । ସେହିଠାରେ ଯାଇ ଦୂର ଦୂରାନ୍ତରରୁ ଆସୁଥିବା ତୀର୍ଥଯାତ୍ରୀ ମାନେ ବିଶ୍ରାମ ନେଉଥିଲେ ।

କାଶୀ ଥିଲା ବଡ ନଗର । ବହୁ ମଠ ମନ୍ଦିରରେ ପୂର୍ଣ୍ଣ । ସେଥିଲାଗି ସେହି ନଗରରେ ଶହ ଶହ ପାଠଶାଳା ଗଢି ଉଠିଥିଲା ।

ବର୍ଣ୍ଣନା

ସେହି କାଶୀ ନଗ୍ରରେ ମଥୁରା ନଗ୍ରରୁ ଜଣେ ବ୍ରାହ୍ମଣ ପିଲା ଆସି ସେହି ପାଠଶାଳାରେ ପାଠ ପଢିଲା । ଆଉ ମଧ୍ୟ ସେହି କାଶୀ ନଗରର ଅନତୀ ଦୂରରେ ଆଉ ଗୋଟିଏ ପଲ୍ଲୀ ଗ୍ରାମ ଥିଲା । ସେହି ଗ୍ରାମରେ ଜଣେ ଧନୀକ ଜମିଦାର ଥିଲେ । ଧନ ସଂପଦରେ ତାଙ୍କ ଠାରୁ ବଳି ଆଉ ଦ୍ୱିତୀୟ ବ୍ୟକ୍ତି କେହି ନଥିଲେ । ସେ ଘୋଷଣା କଲେ ଯେ ମୋର ମନ ବାଂଛା ପୂରଣ ନିମନ୍ତେ ମୋର ମାନସିକ ଅଛି । ଯେକୌଣସି ଏକ ପର୍ବ ଦିନରେ ମୁଁ ଲକ୍ଷାଧିକ ସୁବର୍ଣ୍ଣ ମୋହର ଦାନ କରିବି ।

ସେହି ଶୁଭ ଦିବସ ଆସିଲା । ଧନୀ ବ୍ୟକ୍ତି ସୁବର୍ଣ୍ଣ ମୋହର ସେହି ଦିନ ଠାରୁ ଦାନ କରିବାକୁ ଆରମ୍ଭ କଲେ । ସେହି ଦିନ ଠାରୁ ଯେ କୌଣସି ବ୍ରାହ୍ମଣ ତାଙ୍କ ଦ୍ୱାରରେ ପହଁଚନ୍ତି ସେହି ଧନୀକ ବ୍ୟକ୍ତି ତାକୁ ଗୋଟିଏ ସୁବର୍ଣ୍ଣର ମୋହର ଦାନ କରନ୍ତି । ଏହି ପରି ଭାବରେ ଦେଶର ସମସ୍ତ ବ୍ରାହ୍ମଣଙ୍କ ପାଖରେ ଏହି ସମ୍ବାଦ ଯାଇ ପହଁଚିଲା । ପ୍ରତିଦିନ ସୁବର୍ଣ୍ଣ ମୋହର ଦାନ ନେବା ନିମନ୍ତେ ଶହ ଶହ ବ୍ରାହ୍ମଣ ତାଙ୍କ ଦ୍ୱାର ଦେଶରେ ପହଁଚି ଦାନ ଆଣିଲେ ।

ସେତେ ବେଳେ କାଶୀର ରମାନନ୍ଦ ପାଠଶାଳାରେ ମଧ୍ୟ ଅନେକ ବ୍ରାହ୍ମଣ ପିଲା ଥିଲେ । ସେମାନେ ମଧ୍ୟ ସୁବର୍ଣ୍ଣ ମୋହର ଦାନ ପାଇବା ଆଶାରେ ସେହି ଧନୀକ ବ୍ୟକ୍ତିଙ୍କ ଗୃହକୁ ଯିବାକୁ ବାହାରି ପଡିଲେ ।

ସେଥି ଲାଗି ଶୁଭ ଦିନ ସ୍ଥିର କରା ଗଲା । ଏହା ପରେ ପିଲା ମାନେ ଯାତ୍ରା ଆରମ୍ଭ କଲେ । ସେହି ପାଠଶାଳାରେ କୃଷ୍ଣ ସୁନ୍ଦର ନାମରେ ମଧ୍ୟ ପିଲାଟିଏ ପାଠ ପଢୁଥିଲେ ସେ ମଧ୍ୟ ସମସ୍ତ ପିଲାଙ୍କ ସହିତ ଦାନ ନେବାକୁ ବାହାରି ପଡିଲା ।

ରମାନନ୍ଦ ପାଠଶାଳାରେ ଜଣେ ବୟୋଜ୍ୟେଷ୍ଠ ଗୁରୁ ଥିଲେ । ସେ ବେଦ ବେଦାନ୍ତ ଶିକ୍ଷାରେ ପୂର୍ଣ୍ଣତା ଲାଭ କରିଥିଲେ । ସେ ଯେତେ ବେଳେ ଜାଣିଲେ ପାଠଶାଳାର ଅନେକ ପିଲା ସୁବର୍ଣ୍ଣ ମୋହର ଦାନ ପାଇବା ଆଶାରେ ବାହାରିଛନ୍ତି ସେହେତୁ ପିଲାଙ୍କୁ କହିଦେଲେ – ଦେଖ ପିଲାମାନେ ତୁମେ ଯଦି ପଥ ମଧ୍ୟରେ ନୀଳ ଚଢେଇକୁ ଦେଖିବ ତୁମେ ସେତେ ବେଳେ ତା’ର ବାମ ପାଶ୍ୱର୍ରେ ନବୁଲି ଦକ୍ଷିଣ ପାର୍ସ୍ବରେ ବୁଲିଯିବ । ଏହା କରିବା ଦ୍ୱାରା ତୁମ୍ଭ ମାନଙ୍କର କାର୍ଯ୍ୟ ଶୁଭ ହେବ ।

ଗୁରୁଙ୍କ କହିବା କଥାକୁ ମନେ ରଖି ସବୁ ପିଲା ଯାତ୍ରା ଆରମ୍ଭ କରି ଦେଲେ ।

ସେମାନେ ଯାତ୍ରା ମାର୍ଗରେ ଅଳ୍ପ କିଛି ଦୂର ଯାଇଛନ୍ତି ଗୁରୁଙ୍କର କଥା ମନେ ପଡିବା ବେଳକୁ ଆଖି ଆଗକୁ ବୃକ୍ଷ ଉପରେ ବସିଥିବା ଏକ ନୀଳ ଚଢେଇକୁ ଦେଖିଲେ । ପିଲାମାନେ ଗୁରୁଙ୍କର କହିବା କଥାନୁଯାୟୀ ଯେତେ ବେଳେ ନୀଳ ଚଢେଇର ଦକ୍ଷିଣ ପାର୍ସ୍ବ ଦେଇ ବୁଲିକରି ଯିବା ବେଳକୁ ସେ ପୁଣି ଫଡ୍କରି ଉଡି ଯାଏ ଆର ଡାଳକୁ ।

ଏମିତି ବାରମ୍ବାର ହେବା ଦ୍ୱାରା ନୀଳ ଚଢେଇ ଏମିତି ତରକା ହୋଇଗଲା ଯେ ସେ ଆଉ କୌଣସି ଡାଳରେ ମୁହୂର୍ତ ଟିଏବି ସ୍ଥିର ହୋଇ ବସି ପାରିଲା ନାହିଁ । ହେଲେ ଗୁରୁଙ୍କ ଆଦେଶ ପାଳିବା ପାଇଁ ପିଲାମାନେ କେଉଁ ଚଢେଇଟିକୁ ଛାଡି ପାରୁଛନ୍ତି, ଶେଷରେ ଚଢେଇଟି ଆଉ ପାଖରେ ନବସି ଏଥର ବହୁତ ଦୂରକୁ ଉଡି ଚାଲି ଗଲା । ଏହା ଦେଖି ପିଲାମାନେ ଧୈର୍ଯ୍ୟ ହରା ହୋଇପଡି ଆଉ ନୀଳ ଚଢେଇର ଦକ୍ଷିଣ ପାର୍ସ୍ବ ନଦେଖି ସିଧା ସଳଖ ନିଜର ଗନ୍ତବ୍ୟ ପଥରେ ଚାଲି ଗଲେ ।

ବିଚରା କୃଷ୍ଣ ସୁନ୍ଦର କିନ୍ତୁ ନଛୋଡ ବନ୍ଧା, ସେ ସିଦ୍ଧାନ୍ତ କଲା ଯେ ଯଦି ମୋର ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେବ ତାହା ହେଲେ ଗୁରୁଙ୍କର କଥାକୁ ମାନିକରି ହିଁ ଯିବି । ଯଦି ତାହା ସମ୍ଭବ ହୋଇ ନପାରିଲା ତାହା ହେଲେ ନିଜର ଗନ୍ତବ୍ୟ ପଥକୁ ଭୁଲି ନିଜର ଆସିଥିବା ପାଠଶାଳାକୁ ଫେରିଯିବି । ଗୁରୁଙ୍କ ଆଦେଶକୁ ପାଳନ ନକରିବା ତ ମୋ ପାଇଁ ଖୁବ୍ ବଡ ଅପରାଧ ହେବ । ତା’ଛଡା ଯାଉଥିବା କାର୍ଯ୍ୟରେ ବିଫଳତା ନମିଳିବ କାହିଁକି । ସେଥିଲାଗି ବେଳ ବୁଡିବା ପର୍ଯ୍ୟନ୍ତ ସେ ସେହି ନୀଳ ଚଢେଇର ପଛେ ପଛେ ଧାଇଁଲା । ନୀଳ ଚଢେଇ ଯେଉଁ ଦିଗରେ ଉଡି ଉଡି ଗଲା କୃଷ୍ଣ ସୁନ୍ଦର ମଧ୍ୟ ସେହି ଦିଗକୁ ଦୌଡି ଦୌଡି ଗଲା ।

ଏମିତି ଅନେକ ସମୟ ଚାଲିଲା, ଅନ୍ୟ ପିଲାମାନେ କେଉଁଆଡେ ଚାଲିଗଲେ ଯେ ତାହା କୃଷ୍ଣ ସୁନ୍ଦର ଜାଣିବି ପାରିଲା ନାହିଁ । ସଞ୍ଜ ହେଲା । ଅନ୍ଧାର ଆସି ଯିବାରୁ ନୀଳ ଚଢେଇକୁ ଆଉ ରାସ୍ତା ଦେଖା ଗଲା ନାହିଁ । ତା’ ଛଡା ଉଡି ଉଡି ତା’ର ଡେଣାକୁ ମଧ୍ୟ ଥକ୍କା ଲାଗିଲା । ସେ ଆଉ ଆଗକୁ ଉଡି ଗଲା ନାହିଁ । ଏଥର ସେ ଯେଉଁ ଡାଳରେ ବସିଲା ସେହି ଡାଳରେ ବସୁ ବସୁ ଶୋଇ ପଡିଲା ।

ହେଲେ କୃଷ୍ଣ ସୁନ୍ଦର ଖୁବ୍ ଜିଦ୍ଖୋର । ଗରୁଙ୍କର ବାକ୍ୟକୁ ସେ ପାଳନ କରିବେ । ସେ ଭଲ ଭାବରେ ଜାଣିଥିଲା ଯେ ଗୁରୁ ଯେତେବେଳେ ଯାହା କରିଥାଆନ୍ତି ସେଥିରେ ଶିଷ୍ୟର ନିଶ୍ଚୟ ମଙ୍ଗଳ ହୋଇଥାଏ । ତା’ ସାଥିରେ ଆସିଥିବା ଅନ୍ୟ ପିଲାମାନେ ରାସ୍ତା ଭାଙ୍ଗି ଚାଲି ଗଲେଣି ସିନା ହେଲେ ସେମାନେ ଗୁରୁଙ୍କ କଥାକୁ ଅମାନ୍ୟ କରି ଚାଲିଗଲେ । ହେଲେ ସେମାନଙ୍କର ଅମଙ୍ଗଳ ହେଉ ଅବା ନହେଉ ମଙ୍ଗଳରେ କେବେ ସେମାନଙ୍କ କାର୍ଯ୍ୟ ସାଧନ ହୋଇପାରିବ ନାହିଁ ।

ସଞ୍ଜ ହେଲାରୁ ନୀଳ ଚଢେଇଟି ଗୋଟିଏ ଡାଳରେ ସ୍ଥିର ହୋଇ ବସି ଯିବାରୁ କୃଷ୍ଣ ସୁନ୍ଦର ଗୁରୁଙ୍କର ବାକ୍ୟ ଅନୁସାରେ ନୀଳ ଚଢେଇର ଦକ୍ଷିଣ ପାଶ୍ୱର୍ରେ ବୁଲି ନିଜର ଗନ୍ତବ୍ୟ ସ୍ଥଳରେ ପହଁଚିବାକୁ ଚେଷ୍ଟା କଲା ।

ଯାହା ହେଉ ସଞ୍ଜ ହୋଇଗଲା ସିନା ହେଲେ କୃଷ୍ଣ ସୁନ୍ଦର ଗୁରୁଙ୍କର କଥାକୁ ପାଳନ କରି ପାରିଲା । ସେଥିଲାଗି ମନରେ ତା’ର ଆନନ୍ଦ ଯେପରି ସେପରି ତୃପ୍ତି ବି ଲାଗିଲା ।

ଏଥର ସେ ନୀଳ ଚଢେଇକୁ ଛାଡି ଆଗକୁ ଚାଲିଲା । ନୀଳ ଚଢେଇକୁ ଛାଡିବା ସମୟକୁ ତ ରାତ୍ରି ହୋଇ ଯାଇ ଥିଲା । କିନ୍ତୁ ସେହି ଗ୍ରାମରେ ପହଁଚିବା ବେଳକୁ ଅନ୍ଧାରବି ଘୋଟି ଗଲା । ଗାଁ ଗଣ୍ଡା ସବୁ ନିଃଶୁନ୍ ହେବା ପରି ଲାଗୁଥାଏ । କାହାରି ଜଣ କର ପାଟି ଶବ୍ଦ କୃଷ୍ଣ ସୁନ୍ଦର ଶୁଣି ପାରିଲେ ନାହିଁ ।

ଏମିତି ଏମିତି ଦିନ ଯାଇ ରାତ୍ରି ହେଲା । ଦିନ ସାରାର ପଥ ଚଲା କଷ୍ଟ ମଧ୍ୟ ତାକୁ ହୋଇଛି । କ୍ଷୁଧାରେ ଆଉଟୁ ପାଉଟୁ ହୋଇ ଯାଉଥାଏ । ବିକଳରେ ଲୋକମାନଙ୍କୁ ଖୋଜୁ ଥାଏ । ସେ ଭାବୁ ଥାଏ କାହାର ଜଣେ ହେଲେ ଦେଖା ଯଦି ପାଇ ଯାଆନ୍ତା ତାହା ହେଲେ ତାହାଙ୍କ ଦ୍ୱାରା କିଛି ଖାଇବା ପଦାର୍ଥ ଯୋଗାଡ କରନ୍ତା ।

ଏଥର ସମସ୍ତ ଚେଷ୍ଟାରୁ ବିଫଳ ହୋଇ କୃଷ୍ଣ ସୁନ୍ଦର ଗ୍ରାମ ନିକଟରେ ଦେଖିଲା ଗୋଟିଏ ଦୋକାନ ଅଛି । ଦୋକାନଟି ବନ୍ଦ ଥାଏ । ହେଲେ ଦୋକାନର ପିଣ୍ଢାଟି ଖୁବ୍ ପରିଷ୍କାର ଯେପରି ଲମ୍ବା ଓସାରରେ ବି ସେହିପରି ବଡ, ସବୁ ଦିଗରୁ ନୈରାଶ୍ୟ ହେବା ପରେ କୃଷ୍ଣ ସୁନ୍ଦର ଟିକିଏ ବିଶ୍ରାମ ନେବା ନିମନ୍ତେ ସେହି ଦୋକାନ ପିଣ୍ଢାରେ ଗାମୁଛା ପାରି ଦେଲା ଓ ଗାମୁଛା ଉପରେ ଶୋଇ ପଡିଲା ।

ଯୋଗକୁ ଦେଖି ସେହି ଦିନ ସେହି ଦେଶ ରାଜାଙ୍କର କନ୍ୟାର ବିଭାଘର । ବର ଖୁବ୍ ସୁନ୍ଦର ବେଶରେ ଘୋଡା ପିଠିରେ ବସିଛି । ନାନା ପ୍ରକାରର ବାଜା ବାଜୁଛି, ତୋପ ଆତସ ବାଜିରେ ରାସ୍ତା ଦୁଲୁକୁଛି । ବର ଆସୁଛି ଆସୁଛି ବୋଲି ଚହଳ ପଡୁଛି । ହେଲେ ଏତେ ସପନକୁ ରାତି ବା କାହିଁ । ବର ସହିତ ଯାଉଥିବା ଯାତ୍ରୀମାନେ ସୁନ୍ଦର । ଫୁଲ ଗଛ ଗୁଡିକ ସୁନ୍ଦର, ଆଲୋକ ସଜ୍ଜା ସୁନ୍ଦର, ବାଣ ଆତସବାଜି ସୁନ୍ଦର, ହେଲେ ଏଇ ସୁନ୍ଦର ମଧ୍ୟରେ ବରର ବାପାଙ୍କର ମନରେ ସରାଗ ନାହିଁ । ସୁଖ ନାହିଁ । କାରଣ ହେଲା ବରଟି ଥିଲା କଣା, କଣା ବରକୁ ପୁଣି ଝିଅ ବା କିଏ ଦେବ? ସେଥିଲାଗି ବରର ବାପ ସେତେ ବେଳକୁ ଖୁବ୍ ବ୍ୟସ୍ତତାର ସହିତ ଏମିତି ଗୋଟିଏ ସୁନ୍ଦର ରୂପ ଗଠନ ଓ ଆଖିକୁ ଦିଶୁଥିବା ପିଲାର ଅନୁସନ୍ଧାନରେ ଥାଆନ୍ତି । ବର ଯାଇ ରାଜାଙ୍କ ଘରେ ପହଁଚିବା ଆଗରୁ ବର ବଦଳ ହୋଇଯିବା ନିତାନ୍ତ ଦରକାର ।

ବର୍ତ୍ତମାନ ଲାଗି ତାଙ୍କର ବର ପାତ୍ର ଗୋଟିଏ ଦରକାର । ବର୍ତ୍ତମାନ ଯିଏ ବର ସାଜି ଯିବ ସେ କିଛି ଧନ ନେଉ ବରଂ ବର୍ତ୍ତମାନ ପାଇଁ ବର କାର୍ଯ୍ୟଟି ଚଳି ଗଲେ ଗଲା । ତେଣୁ ବର ପିତା ଜଣେ ବର ପ୍ରାତ୍ରର ଅନୁସନ୍ଧାନରେ ଥାଆନ୍ତି ।

ଏବେ ବର ପହଁଚିବାର ସମୟ ହୋଇ ଯାଉଛି ବରର ପିତା ବରକୁ ବଦଳ କରିବା ନିମନ୍ତେ ବିକଳିଆ ହୋଇ ଏଣେ ତେଣେ ବର ଜଣେ ଖୋଜୁ ଥାଆନ୍ତି ।

ବର ପିତା ଏହି ପରି ଭାବରେ ବର ପାତ୍ରଟିଏ ଖୋଜି ଖୋଜି ଆସି ସେହି ଠାରେ ହିଁ ପହଁଚି ଗଲା । ସେ ଦେଖିଲା ଦୋକାନ ପିଣ୍ଢାରେ ଖୁବ୍ ସୁନ୍ଦର ଯୁବକ ଟିଏ ଖଣ୍ଡିଏ ଗାମୁଛା ପାରି ଶୋଇ ଯାଇଛି । ବରର ପିତା ଭାବିଲେ ବର୍ତ୍ତମାନ ଯେବେ ଏହି ପିଲାଟିକୁ କୌଣସି ପ୍ରକାରରେ ରାଜି କରାଇ ଦିଅନ୍ତି । ସେ ଆଜି ଏତେ ବଡ ବିପଦରୁ ରକ୍ଷା ପାଇ ଯାଆନ୍ତେ । ସେଥି ଲାଗି ବ୍ୟସ୍ତତା ମଧ୍ୟରେ ଯାଇ ଦୋକାନ ପିଣ୍ଢାରେ ଶୋଇଥିବା କୃଷ୍ଣ ସୁନ୍ଦରକୁ ଉଠାଇଲେ ।

କୃଷ୍ଣ ସୁନ୍ଦର ଉଠି ବସିଲା । ବର ପିତା କହିଲା ଆଚ୍ଛା ପୁଅ ତୁ ଏହି ଅନ୍ଧାର ରାତିରେ ଏଠାରେ କାହିଁକି ଶୋଇଛୁ ।

କୃଷ୍ଣ ସୁନ୍ଦର କହିଲା – ମୋର ଆଉ କିଛି ଚାରା ନଥିଲା । ମୁଁ ସେହି ଗ୍ରାମକୁ ଯିବି । ବରର ପିତା ପଚାରିଲେ କେଉଁ ଗ୍ରାମକୁ ଯିବ ।

କୃଷ୍ଣ ସୁନ୍ଦର କହିଲେ – ତୁମେ କ’ଣ ଶୁଣି ନାହଁ । କାଶୀ ନଗରର ପଡିଶା ଗ୍ରାମରେ ଜଣେ ଧନୀକ ଲୋକ ସୁବର୍ଣ୍ଣ ମୋହର ଦାନ କରୁଛନ୍ତି । ମୁଁ ସେହି ସୁବର୍ଣ୍ଣ ମୋହର ପାଇବା ଆଶାରେ ଯାଉଥିଲି ଯେ ରାତ୍ରି ତଥା ଅନ୍ଧାର ହୋଇଯିବା କାରଣରୁ ମୁଁ ଏହି ଦୋକାନ ପିଣ୍ଢାରେ ରାତିକ ଲାଗି ବିଶ୍ରାମ ନେଇଛି । ଖୁବ୍ କ୍ଷୁଧା ହେଉଥିଲେ ମଧ୍ୟ ମୁଁ ନିରୁପାୟ । ଏ ଗ୍ରାମ ତ ନିଃଶୁନ୍, ସମସ୍ତେ ଯେ ଯୁଆଡେ ଶୋଇ ଗଲେଣି । କାହାକୁ ଯାଇ ଉଠାଇବି କିଏ ମୋତେ ଗଣ୍ଡେ ଖାଇବାକୁ ଦେବ । ଦେଖା ଯାଉ ସକାଳ ହେଲେ ତେଣିକି ଉପାୟ ଦେଖିବି ।

କୃଷ୍ଣ ସୁନ୍ଦରଙ୍କ ଠାରୁ ଏକଥା ଶୁଣି ବରର ପିତାଙ୍କ ମନରେ ବୁଦ୍ଧି ଆସିଲା । ହଜିଲା ବଳଦ ଖୋଜିଲା ଠେଇଁ । ଏ ପିଲାଟି ଜଣା ଯାଉଛି ଖୁବ୍ ଗରିବ । ସୁବର୍ଣ୍ଣ ମୋହର ପାଇବା ଆଶାରେ ଯାଉଛି । ତେଣୁ ତାହାର ଧନ ବ୍ୟତୀତ ଆଉ କିଛି ଦରକାର ନାହିଁ । ସେ ଯଦି ମୋ ଠାରୁ କିଛି ଧନ ନେଇ ସନ୍ତୁଷ୍ଟ ହୋଇଯିବ । ଦୁଇ ଚାରି ଘଂଟା ଲାଗି ସେ ଯଦି ବର ହୋଇଯିବ, ମୁଁ ଏହି ବିପଦରୁ ରକ୍ଷା ପାଇଯିବି । ପିଲାଟି ମଧ୍ୟ ସୁବର୍ଣ୍ଣ ମୋହର ପାଇ ଖୁସିରେ ଘରକୁ ଫେରିବ ।

ଏପରି କଥା ଚିନ୍ତା କରି ବରର ପିତା କୃଷ୍ଣ ସୁନ୍ଦରଙ୍କୁ କହିଲେ – ବାପ ତୋର ନାଁଟା କ’ଣ?

କୃଷ୍ଣ ସୁନ୍ଦର ତା’ର ନାମଟି କହି ଦେଲା ।

କୃଷ୍ଣ ସୁନ୍ଦର – ଆରେ ବାଃ ତୋର କେଡେ ସୁନ୍ଦର ନାମ । ଆଚ୍ଛା, ବାପା ତୁ ପରା ଖାଇବାକୁ କହୁଥିଲୁ ।

କୃଷ୍ଣ ସୁନ୍ଦର କହିଲା – ହଁ ।

ବରର ପିତା କହିଲେ – ତୋତେ ତ ଖୁବ୍ ଜୋର୍ରେ ଭୋକ ହେଉଛି ଆଗ ଗଣ୍ଡେ ଖାଇଦେ’ ।

ଏହା ପରେ ବର ପିତା କିଛି ମିଠା ଫଳ ଆଣି କୃଷ୍ଣ ସୁନ୍ଦରକୁ ଖାଇବାକୁ ଦେଲା ।

ସହଜେତ କୃଷ୍ଣ ସୁନ୍ଦରକୁ ଭୋକ ହେଉଥିଲା ଏଥର ପେଟ ପୁରା ଖାଇସାରି ଶାନ୍ତିରେ ଗୋଟାଏ ନିଃଶ୍ୱାସ ମାରିଲା ।

ବରର ପିତା କହିଲେ – ଏବେ ଶାନ୍ତି ତ ପୁଅ !

କୃଷ୍ଣ ସୁନ୍ଦର କହିଲା – ଆପଣ ମୋତେ ଖାଇବାକୁ ଦେଇ ମୋର ପିତା ମାତାଙ୍କ କାମ କରି ମୋତେ ଋଣୀ କରାଇ ଦେଲେ । ଭଗବାନ ସେପରି ସୁବିଧା କେବେ ଦେଲେ ମୁଁ ଆପଣଙ୍କର ଏହି ଋଣ ନିଶ୍ଚୟ ଶୁଝି ଦେବି ।

ବର ପିତା କହିଲା ହେଲା ହେଲା, ତୁ ଯଦି ମୋର ଋଣ ଶୁଝି ଦେବାକୁ କହୁଛୁ ତାହା ହେଲେ ମୋର ଗୋଟିଏ କାର୍ଯ୍ୟ ଅଛି । ତୁ ଯଦି ସେତକ କରି ଦିଅନ୍ତୁ ତାହା ହେଲେ ମୋତେ ବିପଦରୁ ରକ୍ଷା କରି ତୋର ଋଣ ଶୁଝନ୍ତୁ । ଆଉ ସୁବର୍ଣ୍ଣ ମୋହର ଗୋଟିଏ ନେଇ ଘରକୁ ଯାଇ ବେଶ୍ ଆନନ୍ଦରେ ରହନ୍ତୁ । ଏହା ଛଡା ମୋର ତୁ ଯେଉଁ କାର୍ଯ୍ୟଟି ତୁଲାଇ ଦେବୁ ତାହା ଆଜି ରାତିରେ କରିବୁ । ସକାଳ ହେଲେ ମୁଁ ତୋତେ ସୁବର୍ଣ୍ଣ ମୋହର ଦେଇ ବିଦା କରି ଦେବି । ପରେ ତୁ ପୁଣି ଯେଉଁଠିକୁ ଯିବାକୁ ଆସିଛୁ ସେହି ସ୍ଥାନକୁ ଚାଲି ଯିବୁ । ସେଠାରୁ ମଧ୍ୟ ଆଉ ଏକ ସୁବର୍ଣ୍ଣ ମୋହର ପାଇ ଘରକୁ ଯିବୁ । କହିଲୁ ପୁଅ ତୁ ମୋର ଏହି ସାଧାରଣ ଛୋଟିଆ ଉପକାରଟି କରିବୁ । ହଁ, ମୁଁ ଜାଣେ ତୁ କୌଣସି ସଂସ୍କାର ମାର୍ଜିତ ପିତା ମାତାଙ୍କର ପୁଅ । ମୁଖରେ ତୁ ଯେଉଁ କଥା ଲାଗି ହଁ କହିଛୁ ସେ କଥା ନିଶ୍ଚୟ କରିବୁ । ମୁଁ ଠିକ୍ କହିଲି ନା ପୁଅ ।

କୃଷ୍ଣ ସୁନ୍ଦର କହିଲା – ଦେଖନ୍ତୁ ବାବା ଆପଣ ମୋତେ ଖାଇବାକୁ ଦେଇ ମୋର ଜୀବନ ବଂଚେଇଲେ । ପୁଣି ମୋତେ ଗୋଟିଏ ସୁବର୍ଣ୍ଣ ମୋହର ଦେବେ ବୋଲି କହୁଛନ୍ତି । ଏଥର କୁହନ୍ତୁ ମୋତେ ଆପଣଙ୍କ ଲାଗି କେଉଁ କାମ କରିବାକୁ ପଡିବ । ହଁ, ମୋର ଆଉ ଗୋଟିଏ କଥା – ଆପଣଙ୍କ କାର୍ଯ୍ୟ ସାରି ମୁଁ ସକାଳୁ ସକାଳୁ ଏ ସ୍ଥାନ ଛାଡି ସେହି ଗ୍ରାମକୁ ଯିବି । ସେହିପରି ଯଦି ବ୍ୟବସ୍ଥା ଦେବେ ତାହା ହେଲେ ମୁଁ ଆପଣଙ୍କ କାର୍ଯ୍ୟ କରିଦେବା ପାଇଁ ଆଦୌ ଆକୁଣ୍ଠିତ ହେବି ନାହିଁ ।

ବରର ପିତା କହିଲେ ତୁ ତାହା ହେଲେ ସତ କହୁଛୁନା – ମଝିରେ କଥା ବଦଳାଇ ଅସତ୍ୟ ହେବୁ ନାହିଁ ତ!

କୃଷ୍ଣ ସୁନ୍ଦର କହିଲେ – ଗୁରୁ ମୋତେ ଶିଖାଇଛନ୍ତି ଯେ ତୁମେ କାହାକୁ କିଛି କରି ଦେବାର ଯଦି ପ୍ରତିଶୃତି ଦେବ, ତାହା ହେଲେ ପ୍ରାଣ ବରଂ ଚାଲିଯିବ ହେଲେ ଦେଇଥିବା ବଚନ କେବେ ଖଣ୍ଡନ କରିବ ନାହିଁ । ମୁଁ ଯେତେବେଳେ ଆପଣଙ୍କୁ ବଚନ ଦେଉଛି ତାହା ହେଲେ ବଚନ ଖଣ୍ଡନ କରିବାର ପ୍ରଶ୍ନ ଉଠିବ ନାହିଁ ।

କୃଷ୍ଣ ସୁନ୍ଦରଙ୍କ କଥା ଶୁଣି ବରର ପିତା ଖୁବ୍ ଆନନ୍ଦ ହୋଇଯାଇ କହିଲେ ତୁ ପୁଅ ମୋତେ ଆଜି ଗୋଟାଏ ବଡ ବିପଦରୁ ବଂଚାଇ ଦେଲୁ । ବିପଦଟା ଏପରି ଯେ ମୋର ପୁଅ କଣା, ସେଥି ଲାଗି ଝିଅଟିଏ ଦେବାକୁ ଯିଏ ଆସୁଥିଲା ସେତିକି ଦେଖି ମୁଖ ଆମ୍ବିଳା କରି ଫେରି ଯାଉଥିଲା । ଏବେ ମୋ ପୁଅର ବାହାଘର । କନ୍ୟାର ପିତା ଜାଣନ୍ତି ନାହିଁ ଯେ ସେ ଯାହାକୁ ଜୋଇଁ କରିବାକୁ ଯାଉଛନ୍ତି ସେ ଗୋଟାଏ କଣା, ଗୋଟାଏ ଆଖିକୁ ଦିଶୁଛି ତ ଅନ୍ୟ ଆଖିକୁ ଦିଶୁ ନାହିଁ । ଏତିକି ଅସୁବିଧା ବ୍ୟତୀତ ମୋର କ’ଣ ନାହିଁ । ଗୋଟାଏ ରାଜାର ଯାହା ନଥିବ ତା’ର ଦୁଇ ଗୁଣ ଧନ ମୋର ଅଛି । ଗୋଟାଏ ବୋଲି ପୁଅ ମୋର । ଘରକୁ ପୁଅ ବିଭାକରି ବୋହୁ ଗୋଟିଏ ଆଣିବା ଲାଗି ସ୍ତ୍ରୀ ମୋର କି ବିକଳ ହେଉଛି । ଯାହା ହେଉ ବାପ ତୁ ବି ମୋର ଗୋଟାଏ ପୁଅ । ଆଜି ଏହି ବିପଦରୁ ତୁ ମୋତେ ବଂଚାଇ ଦେଲୁ ।

କୃଷ୍ଣ ସୁନ୍ଦର ବରର ପିତାଠାରୁ ସବୁ ଶୁଣି ସାରି କହିଲା କୁହନ୍ତୁ ଏଥି ଲାଗି ମୋତେ ପୁଣି କ’ଣ କରିବାକୁ ହେବ । ସେତକ ଉପକାର କରି ଦେଇ ସକାଳୁ ସକାଳୁ ମୋତେ ଏ ଗ୍ରାମ ଛାଡି ଆର ଗ୍ରାମକୁ ଯିବାକୁ ହେବ ।

ବରର ପିତା କହିଲେ – ସେତେ ବଡ କଥା ନୁହଁ ପୁଅ । ଖୁବ୍ ଛୋଟିଆ କାର୍ଯ୍ୟ ଗୋଟିଏ । ପୁଅ ମୋର ବର ବେଶ ହୋଇ ଆସିଛି । ତୁ କେବଳ ତା’ର ବର ପୋଷାକ ପିନ୍ଧି ପାଲିଙ୍କିରେ ବସି ବାହା ହେବା ଲାଗି ଦି’ ଘଂଟା ଲାଗି କନ୍ୟା ଘରକୁ ଯିବୁ । କନ୍ୟା ସହିତ ତୋର ବାହାଘର ହୋଇଯିବା ପରେ କଥା ସରିଲା । ତେଣିକି ମୁଁ ବୋହୂକୁ ନେଇ ଆସିଲେ ପୁଣି ଏଇଠି ତୁ ତୋର ପୋଷାକ ପିନ୍ଧି ତୋ କାର୍ଯ୍ୟରେ ଯିବୁ; ଆଉ ପୁଅ ମୋର ତା’ର ବର ପୋଷାକ ପିନ୍ଧି ମୋ ଗ୍ରାମକୁ ବାହୁଡି ଯିବ । କଥା ଦେଇଥିଲା ଯେତେ ବେଳେ କୃଷ୍ଣ ସୁନ୍ଦର ରାଜି ହୋଇ ବର ବେଶ ହୋଇ ପାଲିଙ୍କିରେ ବସି ବାହା ହେବାକୁ ଗଲା ।

ବର ରାଜ ନଅରରେ ପହଁଚିବା ବେଳକୁ ବହୁତ ଲୋକ ବର ରୂପ ଦେଖିବା ଲାଗି ବର ପାଖକୁ ଲମ୍ବା ଲାଇନ୍ ଲଗାଇ ଥିଲେ । ସମସ୍ତେ ବରର ରୂପ ଦେଖି ଖୁସ୍ । ସମସ୍ତଙ୍କ ମୁଖରେ ସେହି ଗୋଟିଏ କଥା ରାଜା ଝିଅ ପାଇଁ ବର ରୂପ ଖୁବ୍ ସୁନ୍ଦର ହୋଇଛି । ହଁ, ବିଧାତା ନିର୍ମାଣ, ଯାହାର ଯାହା ଘରେ ଚାଉଳ ପଡିଛି ବିଧାତା ତାହାହିଁ ଯୁଟାଇ ଦିଅନ୍ତି । ଉଆସ ଲୋକେ ଯେଉଁ ମାନେ ବରକୁ ଦେଖିଲେ ସେମାନେବି ବରର ରୂପ ଦେଖି ଖୁବ୍ ଆନନ୍ଦ ହେଲେ ।

ବିଭାଘର ସରିଲା – ତା’ପରେ ଝିଅ ଜ୍ୱାଇଁ ମଧୁଶଯ୍ୟା ଘରକୁ ଗଲେ । ହେଲେ କ’ଣ ହେବ ଦିନ ସାରା ଉପାସରେ ଥିଲା କୃଷ୍ଣ ସୁନ୍ଦର । ସାମାନ୍ୟ କ’ଣ ଜଳଖିଆ ଖାଇ ବର ବେଶ ହୋଇ ପାଲିଙ୍କିରେ ବସିଲା । ଏବେ ରାତି ପାହିବାକୁ କେତେ ବା ବେଳ ଅଛି । କ୍ଷୁଧାରେ ସେ ଛଟ ପଟ ହେଲାଣି । ଏଥିରେ ସେ ମଧୁଶଯ୍ୟା କରିବାକୁ ଶକ୍ତି ପାଉଛି କେଉଁଠି । ସେ ଆଉ କ୍ଷୁଧା ସମ୍ଭାଳି ନପାରି ରାଜା ଝିଅକୁ କହିଲା, ମୋତେ ଖୁବ୍ ଭୋକ ହେଉଛି ।

ରାଜା ଝିଅ କହିଲା ସେହି କଥା ମୋତେ ଆଗରୁ କହିଲ ନାହିଁ । ମୁଁ ଦାସୀ ହସ୍ତରେ ମଗାଇ ଦେଇ ଥାଆନ୍ତି । ଏବେ ଆଉ କି ଉପାୟ କରିବି । ତା’ଛଡା ଭଣ୍ଡାର ଘର ତ ବନ୍ଦ ହୋଇ ଗଲାଣି ।

କୃଷ୍ଣ ସୁନ୍ଦର କହିଲା ତୁମେ ଯାହା କର ପଛକେ ମୋ ଲାଗି ଆଗ ଖାଇବାର ବନ୍ଦୋବସ୍ତ କର । ନଖାଇଲେ ମୁଁ ଆଉ ସମ୍ଭାଳି ହୋଇ ରହି ପାରିବି ନାହିଁ ।

ରାଜା ଝିଅ ସ୍ୱାମୀଙ୍କ କଥା ଶୁଣି ନାଚାର । ଏବେ ତ କିଛି ଉପାୟ ନାହିଁ । ତେଣୁ ସେ କ’ଣ କଲାନା, ବନ୍ଦାଣ ଥାଳିରେ ଯେଉଁ ଚାଉଳ ଥିଲା ସେହି ଚାଉଳକୁ ଆଣି ଲୁଗାପଟା ଜାଳି ଭାତ ଗଣ୍ଡାକ ଫୁଟାଇ ଦେଲା । ସେହି ଭାତକୁ ଖାଇ କୃଷ୍ଣ ସୁନ୍ଦର ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲା । ତା’ପରେ ଦୁହିଁଙ୍କ ମଧ୍ୟରେ ପ୍ରେମା ଳାପ ଜମିଲା ।

ଏହିପରି ଭାବରେ ମଧୁଶଯ୍ୟା ଘରେ କୃଷ୍ଣ ସୁନ୍ଦର ରାତିଟି ବିତାଇ ତା’ପରେ ସକାଳ ହେବାରୁ ମଧୁଶଯ୍ୟା ଘର ଛାଡି ପଳାଇ ଆସିଲା । ତା’ପରେ ବରର ବାପ ଠାରୁ ସୁବର୍ଣ୍ଣ ମୋହରଟି ନେଇ ପାନ୍ଥଶାଳା ଆଡେ ପଳାଇ ଗଲା ।

କୃଷ୍ଣ ସୁନ୍ଦର ସେ ସ୍ଥାନ ଛାଡି ଦେଇ ଚାଲିଯିବା ପରେ ବରର ବାପ ଏବେ ଗୋଟାଏ ଗୋଳା ଉଠାଇ କହିଲା ମୋ ପୁଅର ଆଖିଟା କାହିଁକି ଖରାପ ହୋଇଗଲା ।

ବରର ବାପ ଯେତେ ବେଳେ ଏକଥା କହିଲା ସେ କଥା ଶୁଣି ସମସ୍ତେ ତଟସ୍ଥ ହୋଇଗଲେ । ଏକଥା ଶୁଣି ଶାଶୁ ଶଶୁରଙ୍କର ମନ ଖୁବ୍ ଦୁଃଖ ହେଲା ।

କିନ୍ତୁ ଖୁବ୍ ଚାଲାଖ୍ ଥିଲା ରାଜ କୁମାରୀ, ସେ ଏକଥା ସବୁ ଜାଣିବା ପରେ ରାଜ କନ୍ୟା ଡେରାବାଟ ସେପଟେ ଥାଇ ବରକୁ ଦେଖିନେଇ ଜାଣି ପାରିଲା ଯେ ସେ ଯାହାଙ୍କୁ କାଲି ରାତିରେ ବାହା ହୋଇଥିଲା ସେ କିନ୍ତୁ ୟେ ନୁହଁ । ତାହା ହେଲେ ଏହା ଭିତରେ କିଛି ଗୂଢ ରହସ୍ୟ ଅଛି । ସେହିଠୁ ସେ ବାପ ମାଆଙ୍କୁ ହାତ ଯୋଡି କହିଲା – ମାଆ କାଲି ଯାହାଙ୍କୁ ମୁଁ ବିଭା ହୋଇଥିଲି, ମଧୁଶଯ୍ୟାରେ ଯାହାଙ୍କ ସହିତ ରାତିଟା ବିତାଇଲି ସେ ବର କିନ୍ତୁ ୟେ ନୁହଁ । ସେ ନିଶ୍ଚୟ ଆଉ ଜଣେ କିଏ ଥିଲେ । ଆପଣ ରାଜବୈଦ୍ୟ ଡକାଇ ତା’ର ଆଖି ପରୀକ୍ଷା କରନ୍ତୁ । ରାଜବୈଦ୍ୟ ନିଶ୍ଚୟ ଏହାଙ୍କର ଆଖି କେତେଦିନ ହେଲା ଖରାପ ହେଲାଣି ସେକଥା ରାଜବୈଦ୍ୟ ନିଶ୍ଚୟ କହି ଦେବେ ।

ଝିଅ ଠାରୁ ଏକଥା ଶୁଣିବା ପରେ ରାଜା ରାଗରେ ନିଆଁ ବାଣ ହୋଇଗଲେ । ରାଗ କ୍ରୋଧରେ ବରଯାତ୍ରୀ ମାନଙ୍କୁ ରାଜ ଉଆସରୁ ବାହାର କରି ଦେଲେ । ଗୋଟିଏ ବୋଲି ଝିଅ ମୋର, ତା’ କପାଳରେ ପୁଣି ଏୟା ଥିଲା ।

ରାଜାଙ୍କ ଠାରୁ ଏକଥା ଶୁଣି ରାଜା ଝିଅ କହିଲା ଯାହା ଭାଗ୍ୟରେ ବିଧାତା ନିଜ ହାତରେ ଲେଖି ଦେଇଛନ୍ତି ସେ କଥାକୁ ପୁଣି ଆନ କରିବ କିଏ । ଶୁଣ ତାହା ହେଲେ ମୁଁ ତୁମକୁ ଏଠାରେ ଗୋଟିଏ ଗପ କହୁଛି । ଏହା ପରେ ରାଜା ଝିଅ ବାପା ମାଆଙ୍କ ଶୁଣିବା ଲାଗି ଗପଟିଏ କହିଲା ।

ଆଧାର: ଓଡ଼ିଆ ଗପ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate