অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଲୁଆ ଏବଂ ସିଂହ

ବିଲୁଆ ଏବଂ ସିଂହ

ଉପକ୍ରମ

ଗୋଟିଏ ଜଂଗଲରେ ମହାଚତୁରକ ନାମକ ଏକ ବିଲୁଆ ବାସ କରୁଥାଏ । ଥରେ ଜଂଗଲରେ ବୁଲୁଥିବା ସମୟରେ ଏକ ହାତୀକୁ ମରି ପଡିଥିବାର ଦେଖିଲା । ମଲା ହାତୀକୁ ଦେଖି ସେ ପ୍ରଥମେ ତାର ଚାରି ପାଖରେ କିଛି ସମୟ ପାଇଁ ବୁଲିଲା । ମଲା ହାତୀଟିର ମାଂସ ଖାଇବାକୁ ତା’ର ଲୋଭ ହେଲା । କିନ୍ତୁ ସେ ହାତୀର ଟାଣ ଚମଡାକୁ ଫିଟାଇ ପାରିଲା ନାହିଁ । ଏହି ସମୟରେ ଏକ ସିଂହ ସେଠାରେ ଆସି ପହଁଚିଲା । ସିଂହକୁ ଦେଖି ନମସ୍କାର କରି କହିଲା, ‘ପ୍ରଭୁ’ ଆପଣ ଏ ଜଂଗଲର ମହାରାଜ । ମୁଁ ତ’ ଛାର ସେବକଟିଏ ମାତ୍ର । ଆପଣଙ୍କ ଭୋଜନ ନିମନ୍ତେ ମୁଁ ଏଠାରେ ଏହି ମହାହାତୀଟିକୁ ଜଗି ବସିଛି । ଆପଣତ ବର୍ତ୍ତମାନ ଏଠାକୁ ଆସି ଗଲେଣି । ତେଣୁ ପ୍ରଥମେ ଆପଣ ଏହାକୁ ଭୋଜନ କରନ୍ତୁ ।

ବର୍ଣ୍ଣନା

ବିଲୁଆର ପ୍ରଭୁ ଭକ୍ତିରେ ସିଂହ ମହାରାଜ ଖୁସି ହୋଇ ତାକୁ କହିଲେ, ‘ବତ୍ସ! ମୁଁ ଅନ୍ୟଦ୍ୱାରା ଶିକାରକରାଯାଇଥିବା ଜୀବକୁ ଭକ୍ଷଣ କରେ ନାହିଁ । ତେଣୁ ତୁମେ ଏହାକୁ ଭୋଜନ ରୂପେ ବ୍ୟବହାର କରିପାର । ସିଂହର ଏତାଦୃଶ କଥାଶୁଣି ଚତୁର ବିଲୁଆ କହିଲା, ‘ମହାରାଜ’, ମୁଁ ଆପଣଙ୍କ ନିକଟରେ ଧନ୍ୟ । ପ୍ରକୃତରେ ଆପଣ ରାଜାର ସ୍ୱଭାବକୁ ବାଦ୍ ଦେଇ ନାହାନ୍ତି । ବିଲୁଆର କଥା ଶୁଣି ସିଂହଟି ମନେ ମନେ କୃତ୍ୟ କୃତ୍ୟ ହୋଇ କିଛି ସମୟପରେ ଚାଲିଗଲା । ସିଂହ ଚାଲିଯିବା ପରେ ବିଲୁଆଟି ଶାନ୍ତିରେ ନିଶ୍ୱାସ ମାରିଲା । କିନ୍ତୁ କିଛି ସମୟପରେ ସେଠାରେ ଏକ ବାଘ ଆସି ପହଁଚିଲା । ବାଘକୁ କିପରି ସେ ସେଠାରେ ଘଉଡାଇବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା ।

ଚତୁରତାର ସହିତ ବାଘକୁ କହିଲା, ‘ମାମୁଁ’! ଏଠାରେ ଯେଉଁ ହାତୀଟାକୁ ମୁଁ ଜଗିବସିଛି ତାକୁ ପରା ମହାରାଜ ସିଂହ ମାରିଛନ୍ତି । ସେ ବର୍ତ୍ତମାନ ସ୍ନାନ ପାଇଁ ନଦୀକୁ ଯାଇଛନ୍ତି । ଯିବା ପୂର୍ବରୁ ମୋତେ କହିଛନ୍ତି, ଯଦି କୌଣସି ବାଘ ଆସି ମୋର ଶିକାରକୁ ଖାଏ, ତା’ହେଲେ ମୁଁ ବାଘ ବଂଶ ଲୋପ କରିଦେବି । ବିଲୁଆର କଥା ଶୁଣି ବାଘ ମନେ ମନେ ଡରିଗଲା । ଆଉ କୌଣସି କଥା ଚିନ୍ତା ନ କରି ସିଧା ଏକମୁହାଁ ହୋଇ ଧାଇଁଲା । ବାଘ ସିନା ଗଲା, କିଛି ସମୟପରେ ଏକ ଚିତାବାଘ ଆସି ସେଠାରେ ପହଁଚିଲା । ବିଲୁଆ ତାକୁ ଦେଖି ମନେମନେ ଏକ ଉପାୟ ଚିନ୍ତା କଲା । ବିଲୁଆ ଭାବିଲା ଚିତାର ତ’ ନଖ ଓ ଦାନ୍ତ ବେଶ୍ ଶକ୍ତ । ତେଣୁ ତାହାଦ୍ୱାରା କିଛି କାର୍ଯ୍ୟ ହାସଲ କରାଯାଇ ପାରିବ । ତେଣୁ ସେ ଚିତାକୁ କହିଲା, ‘ଭଣଜା’ କିରେ! ତୋର କ’ଣ ଏତେ ଦିନ ହେବ ଦେଖା ସାକ୍ଷାତ ନଥିଲା? ତୁ କ’ଣ ଆଉ ଏହି ଜଂଗଲରେ ରହୁନାହୁଁ କି? ମହାରାଜ ସିଂହ ମୋତେ ଏକ ଦାୟିତ୍ୱ ଦେଇ ଯାଇଛନ୍ତି । ସେ ଏଠାରେ ଏହି ହାତୀଟିକୁ ଶିକାର କରି ଗାଧୋଇବା ପାଇଁ ଯାଇଛନ୍ତି । ତୁ ତ ମୋର ଅତି ଆପଣାର । ମହାରାଜାଙ୍କର ଗାଧୋଇବା ସରିବା ପର୍ଯ୍ୟନ୍ତ ତୁ କିଛି ସମୟ ପାଇଁ ହାତୀ ମାଂସ ଟିକେ ଖାଉନୁ । ଲୋଭୀ ଚିତାବାଘଟା ବି କିପରି ଚତୁର ବିଲୁଆର ଉଦ୍ଧେଶ୍ୟ ବୁଝି ପାରନ୍ତା? ସେ ସଂଗେ ସଂଗେ ତା’ର ଶକ୍ତ ଦାନ୍ତ ଓ ନଖ ସାହାଯ୍ୟରେ ହାତୀ ମାଂସ ଖାଇବାକୁ ଆରମ୍ଭ କଲା । ଠିକ୍ ମାଂସ ଖଣ୍ଡେ ପାଟିକୁ ନେଲାବେଳକୁ ଚତୁର ବିଲୁଆ ଚିତ୍କାର କଲା, ‘ଭଣଜାରେ ତୁରନ୍ତ ସ୍ଥାନ ଛାଡି ପଳା । ସିଂହ ମହାରାଜ ଆସିଗଲେ ।’ ବିଲୁଆର କଥା ଶୁଣି ଚିତାବାଘ କି ସେଠାରେ ରହେ । ସେ ସଂଗେ ସଂଗେ ଏକା ଡିଆଁକେ ସେ ଯାଗା ଛାଡି ଚାଲିଗଲା ।

ଚିତାବାଘ ଯିବାପରେ ବିଲୁଆ ମନ ଖୁସିରେ ହାତୀ ମାଂସ ଖାଇବାକୁ ଆରମ୍ଭ କରିଦେଲା । ଅଳ୍ପ ମାଂସ ଖାଇବା ପରେ ଆଉ ଏକ ବିଲୁଆ ମାଂସ ବାସନା ପାଇ ସେଠାରେ ଆସି ପହଁଚିଲା । ‘ମହାଚତୁରକ’ ସେହି ବିଲୁଆଟିକୁ ଦେଖି ମନେ ମନେ ରାଗି ଯାଇ ତାକୁ କିପରି ସେଠାରୁ ଘଉଡାଇବ ସେ ବିଷୟରେ ଚିନ୍ତାକଲା । ସଂଗେ ସଂଗେ ନିଜ ଶକ୍ତିର ପରାକ୍ରମ ଦେଖାଇବା ପାଇଁ ତା’ ସହିତ ଯୁଦ୍ଧ ଆରମ୍ଭ କରିଦେଲା । ଯୁଦ୍ଧରେ ସେ ବିଲୁଆଟିକୁ ପରାସ୍ତକରି ଖୁସିରେ ମାଂସ ଖାଇବା ଆରମ୍ଭ କରିଦେଲା ।

କାହାଣୀଟି କହିସାରି ମାଙ୍କଡ କହିଲା, ‘ରେ କୁମ୍ଭୀର’ ତେଣୁ ତୁମେ ତୁମ ସମାସ୍କନ୍ଧ କୁମ୍ଭୀର ସହିତ ଯୁଦ୍ଧ କରିବାକୁ ଯାଅ । ପୁରାଣ ଶାସ୍ତ୍ରରେ କୁହାଯାଇଛି ଗାଈଗୋରୁ ମାନଙ୍କଠାରୁ ଐଶ୍ୱର୍ଯ୍ୟ, ବ୍ରାହ୍ମଣମାନଙ୍କ ଠାରୁ ତପଃ, ନାରୀମାନଙ୍କ ଠାରୁ ଚପଳତା ଓ ସ୍ୱଜାତିଠାରୁ ଭୟର ସମ୍ଭାବନା ଆଶା କରାଯାଏ । ଚିତ୍ରାଙ୍ଗ କୁକୁର କିପରି ନିଜ ଦେଶ ଛାଡି ଅନ୍ୟ ଦେଶରେ ସ୍ୱଜାତି ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଥିଲା । କୁମ୍ଭୀର ସଂଗେ ସଂଗେ ସେହି କାହାଣୀ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ମାଙ୍କଡ କାହାଣୀ କହିବା ଆରମ୍ଭ କଲା ।

ଆଧାର:ଓଡିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate