অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୀର ହନୁମାନ

ବୀର ହନୁମାନ

ଉପକ୍ରମ

ରାବଣର ଦରବାରରେ ଥିବା ରାକ୍ଷସମାନେ ନିଜ ନିଜର ବାହାଦୁରୀ କହିସାରିବା ପରେ ବିଭୀଷଣ ନିଜ ଆସନରୁ ଉଠି ରାବଣକୁ ପ୍ରଣାମ କରି କହିଲେ, “ଶାସ୍ତ୍ର ବଚନ ହେଲା ସାମ, ଦାନ, ଓ ଭେଦ ଦ୍ୱାରା କାମ ନ ହେଲେ ଦଣ୍ଡ ଦିଆଯାଇଥାଏ । ଏଠାରେ ଆପଣଙ୍କ ଶତ୍ରୁ ହେଲେ ରାମ । ଏଠାରେ ଦଣ୍ଡ ବି କୌଣସି କାମ ହେବନାହିଁ; କାରଣ ତାଙ୍କ ଶକ୍ତି ଅପାର । ତାଙ୍କର ଶକ୍ତିକୁ ଅନୁମାନ କରିବାହିଁ ନିତାନ୍ତ କଷ୍ଟକର । କେବଳ ହନୁମାନର ଶକ୍ତିକୁ ଦେଖନ୍ତୁ । ଏତେ ବଡ ସମୁଦ୍ର ଲଂଘନ କରି ସେ ଆସି ଏଠାରେ କେତେ ଉତ୍ପାତ କରି ଚାଲିଗଲା ହେଲେ ଆମେ ତା’ର କିଛି କରିପାରିଲେ?

ବର୍ଣ୍ଣନା

ଋାମ ଯେତେବେଳେ ଖରଦୁଷଣଙ୍କୁ ମାରିଲେ ଆପଣ ପ୍ରତିଶୋଧ ଯୁଦ୍ଧରେ ନ ନେଇ ଛଳନା କରି ସୀତାଙ୍କୁ ଉଠାଇ ଆଣିଲେ । ରାମ ତ ଆଉ ନିଜ ପକ୍ଷରୁ ବିନା କାରଣରେ ସେମାନଙ୍କୁ ମାରି ନଥିଲେ । ସେମାନେ ଆକ୍ରମଣ କରିବାରୁ ସେ ବାଧ୍ୟ ହୋଇ ଅସ୍ତ୍ରଚାଳନା କଲେ ନିଜ ଆତ୍ମରକ୍ଷା ପାଇଁ । ସେଥିଯୋଗୁଁ ତାଙ୍କୁ ଦୋଷୀ ବୋଲି ଭାବିବା ଆମର ଅନୁଚିତ୍ ଓ ପାପ । କିନ୍ତୁ ଆପଣ ସୀତାଙ୍କୁ ଆଣିବା ଦ୍ୱାରା ବିପଦର ସୂତ୍ରପାତ କଲେ । ଏବେ ଆମର ଉଚିତ୍ କାର୍ଯ୍ୟ ହେଉଛି ସସମ୍ମାନେ ସୀତାଙ୍କୁ ରାମଙ୍କ ପାଖରେ ପହଁଚାଇ ଦେବା । ରାମଙ୍କ ପରାକ୍ରମର କୌଣସି ସୀମା ନାହିଁ । ସେପରି ବ୍ୟକ୍ତି ସହିତ ଶତ୍ରୁତା କରିବା ବୁଦ୍ଧିହୀନର କାର୍ଯ୍ୟ ହେବ । କ୍ରୋଧ, ସର୍ବଦା ସୁଖ ଓ ଧର୍ମ ନାଶ କରିଥାଏ । ତଦ୍ୱାରା ସବୁକିଛି ନଷ୍ଟ ହୁଏ । ତେଣୁ ସୁଖଶାନ୍ତିରେ ଜୀବନ ବିତାଉଥିବା ବିଚାରା ପ୍ରଜାମାନଙ୍କ ଉପରେ ଅକାରଣ ବିପଦ କାହିଁକି ଆଣିବା?” ବିଭୀଷଣଙ୍କ କଥା ଲଙ୍କାର ରାଜା ରାବଣର ମନ ମୁତାବକ ହେଲା ନାହିଁ । ତେଣୁ ସେ ଅଧିକ ରାଗି ଯାଇ କହିଲା, “ତୁ ମୋତେ ଭୟଭୀତ କରିବାକୁ ଚାହୁଁଛୁ? ମନେରଖ ରାବଣକୁ ଭୟ ଦେଖାଇବା ପରି ବ୍ୟକ୍ତି ଏବେ ସୁଦ୍ଧା ମଧ୍ୟ ଏ ବକ୍ଷରେ ଜନ୍ମ ନେଇନାହିଁ ।”

ସେଦିନ ପାଇଁ ମନ୍ତ୍ରଣା, ଆଲୋଚନା ଶେଷ ହେଲା । ପରଦିନ ମଧ୍ୟ ସେହି ଯୁଦ୍ଧ ଉପରେ ଆଲୋଚନା ହେଲା । ରାବଣ ତା’ର ବିଶ୍ୱସ୍ତ ରାକ୍ଷସ ପ୍ରହସ୍ତକୁ ଡାକି କହିଲା, “ସେନାଧ୍ୟକ୍ଷ, ଆମ ରାଜ୍ୟର ସୁରକ୍ଷା ପାଇଁ ଅଧିକ ସୈନ୍ୟବଳ ଯେପରି ରଖା ହୁଅନ୍ତି ଓ ସମସ୍ତେ ସର୍ବଦା ସାବଧାନ ରହନ୍ତି ।” ରାବଣର ଆଜ୍ଞା ତତ୍କ୍ଷଣାତ୍ ପାଳନ ହେଲା ।

ଏଥର ରାବଣ ତା’ ଦରବାରର ସମସ୍ତିଙ୍କୁ ଡାକି କହିଲା, “ତୁମମାନଙ୍କ ମଧ୍ୟରେ ଭଲମନ୍ଦ ଜ୍ଞାନ ଅଛି । ମୁଁ ଯାହା ବି କହିବାକୁ ଯାଉଛି ସେକଥା କୁମ୍ଭକର୍ଣ୍ଣ ବ୍ୟତୀତ ତୁମେମାନେ ସମସ୍ତେ ଅଳ୍ପ ବହୁତ ଜାଣିଛ । ସୀତାଙ୍କୁ ମୁଁ ଛଳ କରି ଉଠାଇ ଆଣିଛି । ତିନିଲୋକରେ ତା’ ପରି ସୁନ୍ଦରୀ ନାରୀ ଆଉ କେହି ବି ନାହିଁ । ତାକୁ ଫେରାଇ ନେବା ପାଇଁ ରାମ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ଆସିଛି । ସେମାନେ ସମୁଦ୍ର ଲଂଘନ କରି ଏଠାକୁ ଆସିବା ଅବଶ୍ୟ କଷ୍ଟକର । ତଥାପି ମଧ୍ୟ ଯଦି ସେମାନେ ଆସି ଲଙ୍କାଗଡ ଉପରେ ଆକ୍ରମଣ କରନ୍ତି ତେବେ ଆମର କ’ଣ କରିବା ଉଚିତ୍ ସେକଥା ସମସ୍ତେ ଭାବିଚିନ୍ତି କୁହ ।”

ରାବଣର ଗୁରୁଜନମାନେ ବିଶେଷତଃ ତା’ର ଅଜା ତାକୁ କହିଲେ, “ସୀତାଙ୍କୁ ଏପରି ହରି ଆଣିବା ଭୁଲ୍ ହୋଇଛି । ନିଜର ଭୁଲ୍ ଉପରେ ଯୁଦ୍ଧ କରିବାକୁ ଗଲେ ବିଜୟ କିପରି ହେବ? ଏବେ ମଧ୍ୟ ସମୟ ଅଛି ସୀତାଙ୍କୁ ଫେରାଇ ଦିଅ । ବିଭୀଷଣ ବୟସରେ ସାନ ହେଲେ ମଧ୍ୟ ସେ ଧାର୍ମିକ; ତାଙ୍କ କଥା ଯୁକ୍ତିଯୁକ୍ତ ଓ ଯଥାର୍ଥ ମଧ୍ୟ । କେବଳ ଗୋଟାଏ ଖିଆଲ୍ ଉପରେ ସମଗ୍ର ସ୍ୱର୍ଣ୍ଣଲଙ୍କା ଆଜି ମହାବିପଦର ସମ୍ମୁଖୀନ ହେବାକୁ ଯାଉଛି । ଏହାର ମୀମାଂସା କର । ଆଜି ଯଦି କୁମ୍ଭକର୍ଣ୍ଣ ଉଠିଥାନ୍ତା ତେବେ ସେ ମଧ୍ୟ ବିଭୀଷଣ ପରି ନମ୍ରଭାବରେ ନ କହି ତୁମକୁ ତିରସ୍କାର କରିଥାନ୍ତା । ବହୁ କଷ୍ଟରେ ରାକ୍ଷସମାନଙ୍କର ଏକ ସ୍ୱତନ୍ତ୍ର ରାଜ୍ୟ ହୋଇ ପାରିଛି ଓ ରାଜା ପ୍ରଜା ସମସ୍ତେ ଶାନ୍ତିରେ ଅଛନ୍ତି । ଏ ପରିସ୍ଥିତିରେ ସୀତାଙ୍କ ଯୋଗୁଁ ରାଜ୍ୟ ଛାରଖାର କରିବା କୌଣସି ବୁଦ୍ଧିମାନର କାର୍ଯ୍ୟ ନୁହେଁ ।”

ମାତ୍ର ରାବଣ ତ ନିଜର ସିଦ୍ଧାନ୍ତରେ ଅଟଳ ଥିଲା । ତେଣୁ ଏସବୁ ପ୍ରସ୍ତାବ ତାକୁ ବିଷତୁଲ୍ୟ ମନେ ହେଉଥିଲା । ସେ ବହୁତ ରାଗି ଯାଇଥିଲା । କ୍ରୋଧବଶରେ ସେ ଅନେକ କିଛି ଅକାର୍ଯ୍ୟ କରିପକାଉଥିଲା । ତେଣୁ ତାକୁ ଶାନ୍ତ କରିବାକୁ ଯାଇ ସେନାପତି ମହାପାଶ୍ୱର୍ କହିଲା, “ପ୍ରଭୁ, ଶାନ୍ତ ହୁଅନ୍ତୁ, କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ପରି ବୀର ଥାଉଁ ଥାଉଁ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି । ପ୍ରଥମ ଦିନରେହିଁ ସେମାନେ ରାମକୁ ତା’ର ସେନାନୀ ସହିତ ବଧ କରି ଯୁଦ୍ଧ ଶେଷ କରି ପାରିବେ । ପୁଣି ନରବାନର ଆମର ଭକ୍ଷ୍ୟ । ଚିନ୍ତା କରିବାର କୌଣସି କାରଣ ବି ନାହିଁ । କିନ୍ତୁ ଆହୁରି ଗୋଟିଏ କଥା । ଆପଣ ଯଦି ସୀତାଙ୍କୁ ବିବାହ କରନ୍ତେ ତେବେ ତ ସେକଥା ଶୁଣି ରାମ ଫେରିଯାନ୍ତେ । ଆଉ ଯୁଦ୍ଧର ପ୍ରଶ୍ନ ଉଠନ୍ତା ନାହିଁ ।”

ରାବଣ ଏକଥା ଶୁଣି କିଛି ସମୟ ଗୁମ୍ ମାରି ବସିଲା । ତା’ପରେ ସେ କହିଲା, “ତୁମେ ଯାହା କହିଲ ସେକଥା ନିଶ୍ଚିତ ଭାବରେ ଯଥାର୍ଥ । କିନ୍ତୁ ମୁଁ କ’ଣ ଏ ବିଷୟରେ ଭାବିନାହିଁ କି? ଯେପର୍ଯ୍ୟନ୍ତ ସୀତା ନିଜେ ଇଚ୍ଛା ନ କରିବ ସେପର୍ଯ୍ୟନ୍ତ ମୁଁ ତାକୁ ବିବାହ କରିପାରିବି ନାହିଁ । ଏହି ବିଷୟରେ ମୁଁ କାହିଁକି ଅସହାୟ ସେକଥା କହୁଛି ଶୁଣ । ତାହା ମୋର ଜୀବନର ଏକ ବଡ ଦୁଃଖ ।

ଅନେକ ଦିନ ପୂର୍ବେ ବେଦବତୀ ନାମକ ଏକ ସୁନ୍ଦରୀ କନ୍ୟା ବଣରେ ତପସ୍ୟା କରୁଥିଲା । ମୁଁ ତ ସେତେବେଳେ ଯୁବକ ଓ ପ୍ରତାପଶାଳୀ । ତା’ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୁଁ ତାକୁ ବିବାହ କରିବାର ପ୍ରସ୍ତାବ ଦେଲି । କିନ୍ତୁ ସେ ନାରାୟଣଙ୍କୁ ତପସ୍ୟା କରୁଥିବାରୁ ମୋର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା । ତେଣୁ ମୁଁ ଉତ୍ତେଜନା ବଶରେ ତାର କେଶ ଆକର୍ଷଣ କରି ରଥରେ ବସାଇ ନେଇ ଆସିବାକୁ ଚେଷ୍ଟା କଲି । କିନ୍ତୁ ସେ ସେଠାରେ ମୋତେ ଅଭିଶାପ ଦେଲା, “ଆଜିଠାରୁ ତୁ କୌଣସି ନାରୀର ଇଚ୍ଛା ବିରୁଦ୍ଧରେ ବଳାତ୍କାର କଲେ ଅଗ୍ନିରେ ଧ୍ୱଂସ ହୋଇଯିବୁ ।” ଏତିକି କହି ସେ ନିଜର ପବିତ୍ର ଦେହକୁ ଅଗ୍ନିରେ ଝାସ ଦେଇ ମୃତ୍ୟୁ ବରଣ କଲା । ପୁଣି ଆଉ ଥରେ ପ୍ରଜ୍ଞିକସ୍ଥଳା ନାମ୍ନୀ ସୁନ୍ଦରୀ ଅପ୍ସରାକୁ ମୁଁ ସେହିପରି ବ୍ୟବହାର କରନ୍ତେ ସେ ଯାଇ ବ୍ରହ୍ମାଙ୍କୁ ଏକଥା ଜଣାଇଥିଲା ଓ ବ୍ରହ୍ମା ମୋତେ ଅଭିଶାପ ଦେଇଥିଲେ ମୁଁ କୌଣସି ନାରୀ ଉପରେ ବଳାତ୍କାର କଲେ ମୋର ଶିର ଦୁଇଖଣ୍ଡ ହୋଇଯିବ । ତେଣୁ ଏହିସବୁ ଅଭିଶାପର ଭାରରେ ମୁଁ ଆଜି ଉପାୟହୀନ । ସୀତାକୁ ନେଇ ଆସିଲି ସତ କିନ୍ତୁ ମୋର କାମନାର ପୂର୍ତି ହେଲାନାହିଁ ।”

ସବୁ ଶୁଣି ବିଭୀଷଣ ସଙ୍ଗେ ସଙ୍ଗେ କହିଲେ, “ମହାରାଜ, ସବୁ ଦିଗରୁ ବିବେଚନା କରି ଦେଖିଲେ ସୀତାଙ୍କ ଯୋଗୁଁ ଲଙ୍କାଗଡ ଉପରେ ବିପଦ ଘନେଇ ଆସୁଛି ଅଥଚ ସୀତାଙ୍କୁ ଆପଣ ପାଇ ମଧ୍ୟ ପାଇପାରୁ ନାହାଁନ୍ତି । ତେଣୁ ବୁଦ୍ଧିମାନର କାର୍ଯ୍ୟ ହେଉଛି ସୀତାଙ୍କୁ ଫେରାଇ ଦେବା ।”

ଏକଥା ଶୁଣି ଇନ୍ଦ୍ରଜିତ ନିଜ ଆସନରୁ ଉଠିପଡି କହିଲା, “କାକା, ତୁମେ ସର୍ବଦା ଧର୍ମ ପଥରେ ଥାଅ । କିନ୍ତୁ ଧର୍ମ ମାନେ ନୁହେଁ ଯେ କାପୁରୁଷତା । ତୁମେ ତ ମୋର ପରାକ୍ରମ ବିଷୟରେ ଜାଣ । ଦେବରାଜ ଇନ୍ଦ୍ରଙ୍କୁ ମୁଁ ପରାଭୁତ କରିଛି । ତିନିଲୋକରେ ମୋ ବାଣକୁ ସାମ୍ନା କରିବା ପରି ଦେବଲୋକ, ଗନ୍ଧର୍ବ ଲୋକରେ ମଧ୍ୟ କେହି ବୀର ନାହିଁ । ଆଉ ଏ ରାମ ଲକ୍ଷ୍ମଣ ତ ଦୁଇଟା ମଣିଷ, ଆମର ଭକ୍ଷ୍ୟ, ତାଙ୍କୁ ଭୟକରି ଯୁଦ୍ଧ ବନ୍ଦ କରି ଦେବା – ଇଏ କି ପ୍ରକାର କ୍ଷତ୍ରିୟ ଧର୍ମ? ପୁଣି ତୁମେ ଋଷି ପୁଲସ୍ତ୍ୟଙ୍କ ନାତି? ଏତେ ଭୟ କାହିଁକି?”

ବିଭୀଷଣ ପୁଣି ତା’ର ହାତ ଯୋଡି ରାବଣକୁ କହିଲେ, “ମହାରାଜ, ଆହୁରି ଥରେ ମୁଁ କହୁଛି ବ୍ରହ୍ମାଙ୍କ କଥା ଅନୁସାରେ ଶୀରାମ ହିଁ ହେଉଛନ୍ତି ନାରାୟଣଙ୍କ ଅବତାର ତାଙ୍କ ବାଣର ସମ୍ମୁଖରେ ତିନିଲୋକରେ ଏମିତି କେହି ବୀର ନାହିଁ ଯିଏ କି ତିଷ୍ଠି ପାରିବ । ଆପଣ ପୁଣି ଥରେ ଭାବି ଦେଖନ୍ତୁ, ଏହି ପରିସ୍ଥିତିରେ ଲଙ୍କାଗଡର ଓ ରାକ୍ଷସକୁଳର ସୁରକ୍ଷା ପାଇଁ ସୀତାଙ୍କୁ ଫେରାଇ ଦିଅନ୍ତୁ ।” ରାବଣ ଏକଥା ଶୁଣି କ୍ରୋଧରେ ଲାଲ୍ ହୋଇ ଯାଇ ନାନା ପ୍ରକାର କୁବାକ୍ୟ କହି ବିଭୀଷଣକୁ ତିରସ୍କାର କଲା; ଶେଷକୁ କହିଲା, “ତୁ ମୋର ଭାଇ ବୋଲି ଏତେ ପର୍ଯ୍ୟନ୍ତ ଜୀବିତ ଅଛୁ । ନହେଲେ ଏତେବେଳକୁ ମୁଁ ତୋର ମୁଣ୍ଡକାଟି ସାରନ୍ତିଣି ।”

ବିଭୀଷଣ ମଧ୍ୟ ନିଜର କର୍ତ୍ତବ୍ୟ କରିବାକୁ ଯାଇ ପୁଣି କହିଲେ, “ମହାରାଜ, ଆପଣ ତ ମୋର ବଡ ଭାଇ, ପିତା ତୁଲ୍ୟ; ମୁଁ ଏସବୁ ଆପଣଙ୍କର, ରାଜ୍ୟର ଓ ରାକ୍ଷସକୁଳର ଭଲ ପାଇଁ କହୁଛି । ନହେଲେ ମୋର ବା ସେଥିରେ କି ସ୍ୱାର୍ଥ ଅଛି? ଏଣିକି ଆପଣଙ୍କର ଯାହା ଇଚ୍ଛା ତା କରନ୍ତୁ । ଯେଉଁ ସଭାସଦ୍ମାନେ ଆପଣଙ୍କୁ ଯୁଦ୍ଧ ପାଇଁ ମନ୍ତ୍ରଣା ଦେଉଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ, ଶ୍ରୀରାମଙ୍କର କୋପ ଓ ସର୍ବନାଶୀ ବାଣ ବିଷୟରେ । ମୁଁ ଯଦି ଆପଣଙ୍କ ମନରେ କିଛି ଦୁଃଖ ଦେଇଛି ତେବେ ମୋତେ କ୍ଷମା କରନ୍ତୁ ।” ଏମିତି କହି ରାବଣର ପାଦ ପାଖକୁ ବିଭୀଷଣ ଯିବା ମାତ୍ରେ ରାବଣ ଖୁବ୍ ଜୋର୍ରେ ତାଙ୍କୁ ପଦାଘାତ କରି କହିଲା, “ଯା, ନିର୍ଲଜ୍ଜ, ଭୀରୁ, କାପୁରୁଷ, ତୋତେ ମୋ ଦରବାରରେ ଦେଖିବାକୁ ଆଉ ମୋର ତିଳେ ବି ଇଚ୍ଛା ହେଉନି । ତୁ ଏ ଦରବାରରେ ଆଉ ସ୍ଥାନ ପାଇବାର ଯୋଗ୍ୟ ହିଁ ନୁହଁ ।”

ବିଭୀଷଣ ହାତ ଯୋଡି ନମ୍ର ଭାବରେ କହିଲେ, “ମହାରାଜ, ମୁଁ ଏହିକଥାର ଅପେକ୍ଷାରେ ଥିଲି । ଏବେ ମୁଁ ଶ୍ରୀରାମଙ୍କ ପାଖକୁ ଯାଉଛି । ସାରା ରାକ୍ଷସକୂଳର ନିଧନ ମୁଁ ଏଠାରେ ରହି ଦେଖିପାରିବି ନାହିଁ । ଚାଲିଲି – ବିଦାୟ ।” ଏତିକି କହି ବିଭୀଷଣ ଓ ତାଙ୍କର ଚାରି ଅନୁଚର ସେ ଦରବାର ଛାଡି ଆକାଶ ମାର୍ଗରେ ଶ୍ରୀରାମଙ୍କ ଛାଉଣୀ ଦିଗରେ ଅଗ୍ରସର ହେଲେ ।

ଆକାଶରେ ପାଞ୍ଚଜଣ ରାକ୍ଷସବୀରଙ୍କୁ ଦେଖି ବାନରମାନେ ପ୍ରମାଦ ଗଣିଲେ । କେତେକ ବାନର ବଡ ବଡ ବୃକ୍ଷ ଉତ୍ପାଟିତ କରି, ବଡ ବଡ ପଥର ଧରି ସେମାନଙ୍କ ସହିତ ଜୁଝିବାକୁ ପ୍ରସ୍ତୁତ ହୋଇ ପଡିଲେ । କେବଳ ସେମାନେ ଯାହା ସୁଗ୍ରୀବଙ୍କର ଆଦେଶକୁ ଅପେକ୍ଷା କରିଥା’ନ୍ତି । ଠିକ୍ ଏହି ସମୟରେ ଆକାଶ ମାର୍ଗରେ ଥାଇ ବିଭୀଷଣ କହିଲେ, “ମୁଁ ରାବଣର ସାନ ଭାଇ ବିଭୀଷଣ; ରାବଣ ବହୁତ ଅନାଚାର ଓ କୁକାର୍ଯ୍ୟ କରିବାରୁ ମୋର ତାଙ୍କ ସହିତ ମତଭେଦ ହେଲା ଏବଂ ସେ ମୋତେ ଲଙ୍କାରୁ ବହିଷ୍କାର କରିଦେଲେ । ମୁଁ ରାବଣଙ୍କୁ ବହୁତ ଥର ବୁଝାଇଲି ସୀତାଙ୍କୁ ନେଇ ଶ୍ରୀରାମଙ୍କର ଶରଣ ନେବାକୁ । ମାତ୍ର ସେ କ୍ରୋଧବଶରେ ମୋତେ ପଦାଘାତ କଲା । ମୁଁ ତା’ପରେ ନିଜର ସ୍ତ୍ରୀ ପରିବାର ସବୁ ଛାଡି ଏଠାକୁ ଚାଲି ଆସିଲି ଶ୍ରୀରାମଙ୍କର ଶରଣ ନେବାକୁ । ମୋ ସହିତ ମୋର ଚାରି ବିଶ୍ୱସ୍ତ ସହଚର ମଧ୍ୟ ଅଛନ୍ତି ।

ବିଭୀଷଣଙ୍କୁ ଆକାଶମାର୍ଗରେ ସ୍ଥିର ହୋଇ ରହିବାକୁ କହି ସୁଗ୍ରୀବ ଓ ଅଙ୍ଗଦ ଶ୍ରୀରାମଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲେ । ସୁଗ୍ରୀବ କହିଲେ, “ମୋର ତ ବିଭୀଷଣ କଥାରେ ଆଦୌ ଟିକିଏ ବି ବିଶ୍ୱାସ ହେଉନାହିଁ । ତା’ ସହିତ ଚାରିଜଣ ବୀର ମଧ୍ୟ ଅଛନ୍ତି । ପୁଣି ରାକ୍ଷସମାନେ ମାୟାବୀ । ଆମ ଭିତରେ ରହି ସବୁ ଭେଦ ଜାଣିବେ ଓ ଗୁପ୍ତଚର ଖବର ଦେବେ କିମ୍ବା ଆମେ ସଚେତନ ନଥିବା ସମୟରେ ସେମାନେ ଆମମାନଙ୍କୁ ମାରି ଦେଇ ପଳାଇବେ । ସେମାନଙ୍କ ବିଷୟରେ କିଛି ବି କୁହାଯାଇ ନପାରେ । ଏ ବିଷୟରେ ଆପଣ ଯାହା କରିବେ କରନ୍ତୁ । ମୋର କିନ୍ତୁ ସେମାନଙ୍କ କଥାରେ ମୋଟେ ବିଶ୍ୱାସ ନାହିଁ ।”

ସୁଗ୍ରୀବଙ୍କ କଥା ଶ୍ରୀରାମ ମନଦେଇ ଶୁଣିଲେ ଓ ଅଳ୍ପ ହସି କହିଲେ, “ମହାରାଜ ସୁଗ୍ରୀବଙ୍କ କଥା ତ ଶୁଣିଲ । ହନୁମାନ ଏବେ ଏ ସଂପର୍କରେ ତୁମର ମତ କ’ଣ କୁହ ।”

ହନୁମାନ କିଛି କହିବା ପୂର୍ବରୁ ଅଙ୍ଗଦ କହିଲେ, “ମୁଁ କାକା ସୁଗ୍ରୀବଙ୍କ କଥାରେ ସହମତ । ଶତ୍ରୁପକ୍ଷର ବ୍ୟକ୍ତି, ପୁଣି ତାଙ୍କର ଜନ୍ମ ରାକ୍ଷସ କୂଳରେ । ସେମାନଙ୍କୁ ବିଶ୍ୱାସ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ । କିନ୍ତୁ ଜାଣିବାକୁ ହେବ ସେ କି ଉଦ୍ଧେଶ୍ୟ ନେଇ ଏଠାକୁ ଆସିଛି ।”

ଜାମ୍ବବାନ୍ କହିଲେ, “ହଠାତ୍ ଏପରି ଭାଇକୁ ଛାଡି ବିଭୀଷଣ ଚାଲି ଆସି ଆମ ସହିତ ମିଳିତ ହେବା କିପରି ସନ୍ଦେହଜନକ ମନେହୁଏ । ସ୍ୱାଭାବିକ ତ ଆଦୌ ଲାଗୁନାହିଁ ।”

ଅନ୍ୟମାନେ ମଧ୍ୟ ନାନା ପ୍ରକାର ମତ ଦେଲେ । ଶେଷରେ ହନୁମାନ କହିଲେ, “ଆପଣମାନେ ଯାହା କହିଲେ ମାତ୍ର ମୁଁ ସେଥିରେ ସହମତ ନୁହେଁ । ବିଭୀଷଣଙ୍କର ସ୍ୱଭାବ ଜାଣିବାକୁ ଚାହୁଁଛ? ତାଙ୍କୁ ଆମ ମଧ୍ୟକୁ ଆସିବାକୁ ଦେଲେ ତ ଯାଇ ଆମେ ଜାଣିପାରିବା । ତାଙ୍କର ବ୍ୟବହାର ସନ୍ଦେହଜନକ ହୋଇଥିଲେ ସେ ଗୁପ୍ତଚର ସବୁ କରିଥା’ନ୍ତେ, ଏପରି ନିର୍ଭୀକ ଭାବରେ ନୁହେଁ । ମୁଁ ଲଙ୍କା ଯାଇଥିବାବେଳେ ଏହି ମହାତ୍ମାଙ୍କର କିଛିଟା ଗୁଣର ପରିଚୟ ମୁଁ ପାଇଥିଲି । ତାଙ୍କପରି ଶ୍ରୀରାମ ଭକ୍ତ ଓ ମହାତ୍ମା ପୃଥିବୀରେ କାହିଁକି ଏ ତିନିଲୋକରେ ବି ଦୁର୍ଲଭ । ସେ ସର୍ବଦା ଅନ୍ତରରେ ରାମରାମ ଜପ କରି ପ୍ରଭୁଙ୍କ ଦର୍ଶନ ପାଇଁ ଜୀବନ ଧରି ସେହି ରାକ୍ଷସ ରାଜ୍ୟରେ ରହିଥିଲେ । ସେ ଧାର୍ମିକ ଓ ଋଷି ପୁଲସ୍ତ୍ୟଙ୍କର ସୁଯୋଗ୍ୟ ଦାୟାଦ । ପୁଣି ତିନିଲୋକରେ ଏପରି କେହି ନାହିଁ ଯିଏ ଭଗବାନଙ୍କର ଶରଣଭିକ୍ଷା କରିବ ଅଥଚ ପାଇବ ନାହିଁ । ପ୍ରଭୁ ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା । ଯଦି ଜଣେ ପାପୀ ଓ ଅପରାଧି ହୋଇଥାଏ, ତଥାପି ମଧ୍ୟ ପ୍ରଭୁଙ୍କ ପାଖରେ ଶରଣଭିକ୍ଷା କରିବାରେ ହିଁ ତା’ର ପାପମୋଚନ ହୋଇଥାଏ । ଆଉ ବିଭୀଷଣଙ୍କ ପରି ପୁଣ୍ୟାତ୍ମାଙ୍କୁ ଶରଣ ନ ଦେବାର ପ୍ରଶ୍ନ ଉଠୁନାହିଁ ପ୍ରଭୁ ଚରାଚର ବ୍ରହ୍ମାଣ୍ଡର କର୍ତ୍ତା । ପ୍ରଭୁଙ୍କର ଶରଣ ନେବାରେ ସବୁ ପ୍ରାଣୀର ଅଧିକାର ଅଛି । ମୁଁ ଯାହା କହିବାର କହିଲି । ଏଣିକି ପ୍ରଭୁ ଯାହା ବିଚାର କରିବେ ତାହାହିଁ ହେବ ।”

ଆଧାର:ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate