অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବେଙ୍ଗ ରାଜକୁମାର

ବେଙ୍ଗ ରାଜକୁମାର

ଉପକ୍ରମ

ଏକଦା ଗୋଟିଏ ଦେଶରେ ଜଣେ ରାଜା ଥିଲେ ଏବଂ ତାଙ୍କର କେତୋଟି ଝିଅ ଥିଲେ । ସବା ସାନ ଝିଅଟି ଖୁବ୍ ସୁନ୍ଦରୀ ଥିଲା ଏବଂ ତାକୁ ସମସ୍ତେ ଛୋଟ ରାଜକୁମାରୀ ବୋଲି ଡାକୁଥିଲେ ।ସେ ରାଜାଙ୍କ ପ୍ରାସାଦ ନିକଟରେ ଗୋଟିଏ ବଡ ଘଂଚ ଜଙ୍ଗଲଥିଲା । ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ପୁରୁଣାବଡଗଛମୂଳେ ଗୋଟିଏ କୂଅ ଥିଲା ।

ବର୍ଣ୍ଣନା

ଗ୍ରୀଷ୍ମ ଋତୁରେ ଛୋଟ ରାଜକୁମାରୀ ସେଇ କୂଅର ଫନ୍ଦ ଉପରେ ବସି ହାତରେ ଗୋଟିଏ ସୁନାର ବଲ୍ ଧରି ଖେଳୁଥିଲା । ଛୋଟ ରାଜକୁମାରୀର ଏଇ ଖେଳଟି ଥିଲା ଅତ୍ୟନ୍ତ ପ୍ରିୟ ଏବଂ ଏଇ ଖେଳକୁ ସେ ଯେତେ ଖେଳିଲେ ମଧ୍ୟ ଆଦୌ କ୍ଳାନ୍ତ ହେଉନଥିଲା । ଦିନେ ସେ ଛୋଟ ରାଜକୁମାରୀ ସୁନାର ବଲ ଧରି ଖେଳୁଖେଳୁ ବଲ୍ଟି ହଠାତ୍ ତା ହାତରୁ ଖସି ଗଡିଗଡି ଯାଇ କୂଅର ପାଣିମଧ୍ୟକୁ ଟବ୍କରି ଗଳି ପଡିଲା ।

ସେହି କୂଅଟି ଖୁବ୍ ଗଭୀର ହୋଇଥିବାରୁ କୂଅରୁ ବଲ୍ଟି ଆଣି ନପାରି ରାଜକୁମାରୀ ବଡପାଟିରେ ଖାଲି କାନ୍ଦିବାକୁ ଲାଗିଲା । ଠିକ୍ ଏହି ସମୟରେ ତା ପଛପଟୁ ଗୋଟିଏ କଣ୍ଠସ୍ୱର ଶୁଣାଗଲା । ‘କ’ଣ ହେଲା ଛୋଟ ରାଜକୁମାରୀ? ତମେ ଏମିତି କାନ୍ଦୁଛ ଯେ ତୁମ କାନ୍ଦ ଶୁଣି କଠିନ ପଥର ମଧ୍ୟ ତରଳି ଯିବ ।’ ରାଜକୁମାରୀ ଚାହିଁ ଦେଖିଲା ଯେ ଗୋଟିଏ ବେଙ୍ଗ ତାର ମୁଣ୍ଡ ଉପରକୁ ଟେକି ତାକୁ ଏଇ କଥା କହୁଛି ।

ରାଜକୁମାରୀ କହିଲା ‘ଓ ତୁ ସେଇ ପାଣିରେ ଚବ୍ ଚବ୍ ଶବ୍ଦ କରୁଥିବା ବେଙ୍ଗ? ମୋ ବଲ୍ କୂଅରେ ପଡିଗଲାତ ସେଥିପାଇଁ ମୁଁ କାନ୍ଦୁଛି ।’

ଏକଥା ଶୁଣି ସେ ବେଙ୍ଗ କହିଲା ‘ଓ ଏଇ କଥା ତ! ମୁଁ ତୁମ ବଲ୍ କୂଅରୁ ବାହାର କରି ତୁମକୁ ଦେବି । ହେଲେ ମୁଁ ତୁମକୁ ବଲ୍ଟି ଫେରାଇ ଦେଲେ ତୁମେ ମୋତେ କ’ଣ ଦେବ?

ରାଜକୁମାରୀ କହିଲା ‘ତୁମେ ଯାହା ଚାହିଁବ ମୁଁ ତାହା ଦେବି । ମୁଁ ମୋର ପୋଷାକ, ମୋ ବେକର ହାର, ଅଳଙ୍କାର ସବୁ ଦେବି । ତୁମେ ଯେବେ ଚାହିଁବ ତେବେ ମୁଁ ମୋ ସୁନାମୁକୁଟ ମଧ୍ୟ ତୁମକୁ ଦେଇ ଦେବି ।’

ବେଙ୍ଗ କହିଲା ‘ତୁମ ପୋଷାକ, ବେକର ହାର, ଅଳଙ୍କାର କିମ୍ବା ତୁମ ସୁନାମୁକୁଟ ମୁଁ ଚାହେଁ ନାହିଁ । ତୁମେ ଯଦି ମୋତେ ଭଲ ପାଇ ମୋତେ ତୁମର ଖେଳସାଥୀ କରିବ, ତୁମ ଖାଇବା ଟେବୁଲ୍ ଉପରେ ବସାଇ ତୁମ ସୁନାଥାଳିରୁ ଖୁଆଇବ ଏବଂ ସୁନାଗିନାରୁ ପାଣି ପିଆଇବ ଏବଂ ତୁମ ଶେଯରେ ଶୁଆଇବାପାଇଁ ପ୍ରତିଜ୍ଞା କରିବ ତେବେ ଅତି ଆନନ୍ଦରେ ତୁମର ବଲ୍କୁ ମୁଁ ପାଣିରୁ କାଢିଆଣି ଦେବି ।’ ରାଜକୁମାରୀ କହିଲା ‘ଓଃ ଏଇଆତ? ତୁମେ ମୋତେ ବଲ୍ଟି ଆଣି ଦିଅ ମୁଁ ପ୍ରତିଜ୍ଞା କରୁଛି ।’ ଏକଥା ସିନା ସେ ରାଜକୁମାରୀ କହିଦେଲା ହେଲେ ମନେମନେ ଭାବିଲା, ଏ ନିର୍ବୋଧ ବେଙ୍ଗଟା କ’ଣ ଚବ୍ ଚବ୍ ହେଉଛି । ସେତ ପାଣିରେ ବାସକରେ ଏବଂ ଅନ୍ୟ ବେଙ୍ଗ ସାଙ୍ଗରେ ସେ ବୋବାଏ । ସେ ପୁଣି ଜଣେ ମଣିଷର ଖେଳ ସାଥୀ ହେବ ।

ବେଙ୍ଗ ଯେମିତି ରାଜକୁମାରୀର ପ୍ରତିଜ୍ଞା ଶୁଣିଲା ସେ କୂଅରୁ ପାଣି ମଧ୍ୟରେ କୁଆଡେ ଅଦୃଶ୍ୟ ହୋଇଗଲା । ପାଣିର ତଳକୁ ବୁଡିଯାଇ ପାଟିରେ ବଲ୍ଟି ଧରି ସେ ଉପରକୁ ଉଠି ଆସିଲା ଏବଂ ବଲ୍ଟିକୁ ରାଜକୁମାରୀ ପାଦ ପାଖକୁ ଫୋପାଡି ଦେଲା । ରାଜକୁମାରୀ ତାର ପ୍ରିୟ ଖେଳନା ବଲ୍ଟିକୁ ପାଇ ଆନନ୍ଦରେ ନାଚି ଉଠିଲା । ତା’ପରେ ସେ ବଲ୍ଟି ଧରି ଆନନ୍ଦରେ ନାଚିନାଚି ଚାଲିଗଲା ହେଲେ ଯେଉଁ ବେଙ୍ଗଟି ତା ବଲ୍ଆଣି ଦେଲା ତା କଥା ଟିକିଏମାତ୍ର ଭାବିଲା ନାହିଁ ।

ରାଜକୁମାରୀ ଚାଲିଯିବାର ଦେଖି ବେଙ୍ଗଟି କକ୍ କକ୍ କରି ବଡ ସ୍ୱରରେ ଚିତ୍କାର କରି ଉଠିଲା ମାତ୍ର ତାର ସ୍ୱର ରାଜକୁମାରୀ ନଶୁଣି ଚାଲିଗଲା । ବେଙ୍ଗଟି ପୁଣି କୂଅ ଭିତରକୁ ଫେରିଗଲା ।

ତା ପରଦିନ ରାତିରେ ଯେତେବେଳେ ରାଜକୁମାରୀ ତାର ଖାଇବା ଟେବୁଲ୍ ପାଖରେ ଖାଇବସିଛି ଠିକ୍ ସେତିକିବେଳେ ‘ଫକ୍ ଫକ୍’ ଶବ୍ଦକରି କିଏ ଜଣେ ଉପରମହଲାକୁ ଚଢିବାର ଶୁଣାଗଲା । କବାଟ ପାଖରେ ସେ ପହଁଚି କହିଲା,

‘ଆଗୋ ରାଜକୁମାରୀ ଦିଅ ଦୁଆର ଖୋଲି’ ରାଜକୁମାରୀ ଖାଇବା ଟେବୁଲ୍ ପାଖରୁ ଉଠି ତାକୁ କିଏ ଡାକୁଛି ବୋଲି କବାଟ ପାଖକୁ ଗଲା । କବାଟ ଖୋଲି ଦେଖିଲାବେଳକୁ କବାଟ ପାଖରେ ସେଇ ଓଦାସରସର ହୋଇ ବେଙ୍ଗଟା ବସିଛି । ତା’ପରେ ସେ ଛୋଟ ରାଜକୁମାରୀ ହଠାତ୍ କବାଟକୁ ଧଡ୍କିନା ବନ୍ଦ କରି ଦେଇ ତାର ଖାଇବା ଟେବୁଲ୍ ପାଖକୁ ଫେରି ଆସିଲା । କିନ୍ତୁ ତା ଛାତି ଧଡପଡ ହେବାକୁ ଲାଗିଲା । ଖାଇବା ଟେବୁଲ୍ ପାଖରେ ବସିଥିବା ରାଜା ତାଙ୍କ ଝିଅର ଏ ଭୟ ଆଉ ବ୍ୟସ୍ତତା ଦେଖି ପଚାରିଲେ ‘କ’ଣ ଝିଅ କାହାକୁ ଦେଖି ଡରୁଛୁ? ସେଠି କ’ଣ କିଏ ଅସୁର ଆସିଛି? ତତେ ନେଇଯିବ ବୋଲି ଭୟ କରୁଛୁ?

ତହୁଁ ସେ ରାଜକୁମାରୀ କହିଲା ‘ନା ଅସୁର ନୁହେଁ, ଗୋଟାଏ କଦାକାର ବୁଢାବେଙ୍ଗ ।’

ରାଜା ପଚାରିଲେ ‘ତାକୁ ଦେଖି ଏତେ ଭୟ କରୁଛୁ କାହିଁକି? ସେ ତୋଠାରୁ କ’ଣ ଚାହୁଁଛି?

ରାଜକୁମାରୀ କହିଲା ‘ବାପା ମୁଁ ଯେତେବେଳେ ଲେମ୍ବୁ ଗଛ ପାଖ କୂଅ ନିକଟରେ ଖେଳୁଥିଲି ଠିକ୍ ସେତେବେଳେ ମୋ ବଲ୍ଟି ସେ କୂଅରେ ପଡିଗଲା । ମୁଁ ଯେମିତି ସେ ବଲ୍ ପାଇଁ ଜୋର୍ରେ କାନ୍ଦିଲି ସେ ବେଙ୍ଗଟି କୂଅରୁ ବଲ୍ଟି ଆଣି ମୋତେ ଦେଲା ଏବଂ ସେହିକ୍ଷଣି ମୁଁ ପ୍ରତିଜ୍ଞା କରି ତାକୁ କହିଥିଲି ଯେ ସେ ମୋର ଖେଳସାଥି ହେବ । ମାତ୍ର ମୁଁ କେବେ ଚିନ୍ତା କରିନଥିଲି ଯେ ସେ ବେଙ୍ଗ ତା କୂଅ ଛାଡି ଏଠାକୁ ଆସିବ । ମାତ୍ର ସେ ଏବେ କୂଅରୁ ଆସି ପ୍ରତିଜ୍ଞା ପୂରଣ କରିବାକୁ କହି ମୋ ସାଥିରେ ଖାଇବାକୁ ଓ ମୋ ଶେଯରେ ଶୋଇବାକୁ ଚାହୁଁଛି । କିନ୍ତୁ ଏହା ମୋ ପକ୍ଷରେ ଖୁବ୍ ଅସହ୍ୟ ବାପା । ଏଇ ଓଦା ସରସର ବେଙ୍ଗଟା ଦେଖିବାକୁ ଖୁବ୍ ଅସୁନ୍ଦର ଓ ତା ଆଖି ଦୁଇଟା ଡିମା ଡିମା ।’

ରାଜକୁମାରୀ ଯେତେବେଳେ ତା ବାପା ସହିତ କଥାବାର୍ତ୍ତା କରୁଥିଲା ବେଙ୍ଗଟି ପୁଣି କବାଟ ଖଡଖଡ କଲା କହିଲା –

‘ଆଗୋ ରାଜକୁମାରୀ ଦିଅ ଦୁଆର ଖୋଲି

କୂଅ ମୂଳ କଥା କିବା ଗଲଟି ଭୁଲି, ଦିଅ ଦୁଆର ଖୋଲି ।’

ରାଜା ଏହା ଶୁଣି କହିଲେ ‘ଦେଖ୍ ଝିଅ ପ୍ରତିଜ୍ଞା କଲେ ତାକୁ ରକ୍ଷା କରିବାକୁ ହୁଏ । ତେଣୁ ତୁ ଯା ଦୁଆର ଖୋଲି ଦେ ।’ ତଥାପି ରାଜକୁମାରୀ ଏହା କରିବାକୁ ଚାହୁଁନଥିଲା । ମାତ୍ର ବାପାଙ୍କ କଥାରେ ସେ ଯାଇ କବାଟ ଖୋଲିଦେଲା । ଯେମିତି ସେ କବାଟ ଖୋଲି ଦେଲା ବେଙ୍ଗ ଡେଇଁ ଡେଇଁ ଘର ଭିତରକୁ ରାଜକୁମାରୀ ପଛେ ପଛେ ଗଲା । ଖାଇବା ଟେବୁଲ୍ ପର୍ଯ୍ୟନ୍ତ ଯାଇ ଚଟାଣ ଉପରେ ବସି ସେ ରାଜକୁମାରୀକୁ କହିଲା ‘ମୋତେ ଟେବୁଲ୍ ଉପରକୁ ଉଠାଇ ନିଅ ।’ ରାଜକୁମାରୀ ତାକୁ ଟେବୁଲ୍ ଉପରକୁ ଉଠାଇ ନେବାକୁ କୁଣ୍ଠିତ ହେଲା । କାରଣ ବେଙ୍ଗଟି ଓଦା ସରସର ଏବଂ ତା ଦେହଯାକ ଆବଡା ଖାବଡା । ମାତ୍ର ରାଜା ରାଜକୁମାରୀକୁ କ୍ରୂର ଦୃଷ୍ଟିରେ ଚାହିଁ କହିଲେ, ‘ତୁ ତୋର ପ୍ରତିଜ୍ଞା ରକ୍ଷା କରିବା ଉଚିତ୍ ।’ ରାଜକୁମାରୀ ବାଧ୍ୟ ହୋଇ ବେଙ୍ଗଟିକୁ ଟେବୁଲ୍ ଉପରକୁ ଉଠାଇନେଲା ଏବଂ ବେଙ୍ଗଟି ଟେବୁଲ୍ ଉପରେ ବସିବା ପରେ କହିଲା ‘ମୋ ଆଡକୁ ଖାଇବା ଥାଳିଟା ଠେଲିଦିଅ । ତାହେଲେ ଯାଇ ଆମେ ଦୁହେଁ ଖେଳସାଥି ଭଳି ଏକାଠି ଖାଇବା ।’ ରାଜକୁମାରୀ ଭୟରେ ଥରିବାକୁ ଲାଗିଲା ଏବଂ ବେଙ୍ଗଟି ପେଟପୂରା ଖାଇଲା ମାତ୍ର ରାଜକୁମାରୀ ଟିକିଏ ହେଲେ ବି ଖାଇ ପାରିଲା ନାହିଁ । ତାପରେ ବେଙ୍ଗ କହିଲା ମୁଁ ବହୁତ ଖାଇଦେଇଥିବାରୁ ମୋତେ ନିଦ ଲାଗୁଛି । ମୋତେ ତୁମେ ଶେଯ ଉପରକୁ ନେଇଯାଅ ମୁଁ ଟିକିଏ ଶୋଇ ପଡିବି ।’

ବେଙ୍ଗ କଥା ଶୁଣି ରାଜକୁମାରୀ ଖାଲି କାନ୍ଦିବାକୁ ଲାଗିଲା, ରାଜକୁମାରୀ ଭୟରେ ତା ବାପାଙ୍କ ଆଡକୁ ଚାହିଁଲା, ମାତ୍ର ତା ବାପା କହିଲେ, ‘ସେ ତୁମକୁ ବିପଦ ବେଳେ ସାହାଯ୍ୟ କରିଛି ତାକୁ ତୁମେ ଘୃଣା କରିବା କ’ଣ ଠିକ୍?

ତାପରେ ସେ ରାଜକୁମାରୀ ପକ୍ଷରେ ଆଉ କିଛି ବି କରିବାର ନଥିଲା ତେଣୁ ସେ ବେଙ୍ଗଟିକୁ ଦୁଇହାତରେ ଟେକି ନେଇ ତା ଶୋଇବା କୋଠରିକୁ ଚାଲିଗଲା ଓ ବେଙ୍ଗଟିକୁ ଘର ଚଟାଣରେ ପକାଇ ଦେଲା । ଭାବିଲା ସେ ଏତିକିରେ ସନ୍ତୁଷ୍ଟ ହେବ । ରାଜକୁମାରୀ ଶେଯକୁ ଶୋଇବାକୁ ଗଲାପରେ ସେ ‘ଫକ୍ଫକ୍’ ଶବ୍ଦ ଶୁଣିବାକୁ ପାଇଲା । ବେଙ୍ଗଟି ଚଟାଣରେ ଡେଇଁଡେଇଁ ଆସି ତା ଶେଯ ପାଖରେ ପହଁଚି କହିଲା ‘ମୁଁ ଭାରି କ୍ଳାନ୍ତ ଓ ଏ ଚଟାଣଟା ଖୁବ୍ କଠିନ । ମୋର ମଧ୍ୟ ତୁମର ଏ କୋମଳ ଶଯ୍ୟାରେ ଶୋଇବାର ଅଧିକାର ଅଛି । ମୋତେ ଉପରକୁ ଉଠାଇନିଅ ନଚେତ୍ ମୁଁ ତୁମ ବାପାଙ୍କୁ କହିଦେବି ।’

ଏଥର ସେ ରାଜକୁମାରୀ ଖୁବ୍ ରାଗିଗଲା ହେଲେ ତା ପାଖରେ ଆଉ କିଛି ବି ଉପାୟ ନଥିଲା । ତେଣୁ ରାଜକୁମାରୀ ସେ ବେଙ୍ଗଟିକୁ ନେଇ ତା ଶେଯରେ ତା ପାଦତଳେ ରଖିଦେଲା । ବେଙ୍ଗଟି ସାରା ରାତ୍ରୀ ସେଠାରେ ରହିଲା ଏବଂ ସକାଳର ସୂର୍ଯ୍ୟ ଉଦୟ ପୂର୍ବରୁ ଶେଯରୁ ଡେଇଁ ଦୁଆର ବଂଧ ଦେଇ ଚାଲିଗଲା । ହେଲେ ଏସବୁ କଥା ରାଜକୁମାରୀ ଆଦୌ ଜାଣି ପାରିଲା ନାହିଁ ।

ତାର ପରଦିନରେ ମଧ୍ୟ ଠିକ୍ ସେଇଆ ଘଟିଲା । ବେଙ୍ଗଟି ପୁଣି ଆସି କବାଟ ଖଡଖଡ କରି କହିଲା –

ଆଗୋ ରାଜକୁମାରୀ ଦିଅ କବାଟ ଖୋଲି

କୂଅ ମୂଳକଥା କିବା ଗଲଟି ଭୁଲି

ଦିଅ କବାଟ ଖୋଲି ।

ରାଜକୁମାରୀ ପୁଣି ଯାଇ କବାଟ ଖୋଲିଲା । ବେଙ୍ଗଟି ଆସି ପୂର୍ବ ରାତି ଭଳି ତା ସୁନାଥାଳୀରେ ଖାଇ ସୁନାଗିନାରେ ପାଣିପିଇ ତାର ପାଦ ତଳେ ଶେଯରେ ଶୋଇଲା । ସକାଳୁ ପୁଣି ଚାଲିଗଲା । ପୁଣି ତୃତୀୟ ରାତ୍ରୀରେ ଆସିଲା ଏବଂ ସେମିତି ଖାଇଲା ଓ ପିଇଲା ମାତ୍ର ରାଜକୁମାରୀର ପାଦତଳେ ଶୋଇବାକୁ ଇଚ୍ଛା ପ୍ରକାଶ କଲା ନାହିଁ । ସେ ରାଜକୁମାରୀକୁ କହିଲା ‘ମୁଁ ତୁମ ପାଦତଳେ ଶୋଇବାକୁ ଚାହେଁ ନାହିଁ ବରଂ ମୁଁ ତୁମ ତକିଆ ତଳେ ଶୋଇବାକୁ ଚାହେଁ । ତାଛଡା ମୋତେ ସେଠାରେ ଶୋଇବାକୁ ମଧ୍ୟ ଖୁବ୍ ଭଲ ଲାଗିବ ।’

ରାଜକୁମାରୀ ଏକଥା ଶୁଣି ଭାବିଲା ଏପରି ଘୃଣ୍ୟ, ଓଦା ସରସର ଆଉ ଡିମା ଆଖିଆ ବେଙ୍ଗଟାକୁ ତା ତକିଆ ତଳେ ଶୁଆଇବା ତା ପକ୍ଷରେ ଏକବାରେ ଅସମ୍ଭବ । ତେଣୁ ସେ ମନେ ମନେ ଧୀରେ ଧୀରେ କାନ୍ଦିବାକୁ ଲାଗିଲା ଏବଂ କାନ୍ଦି କାନ୍ଦି ଶେଷରେ ନିଦରେ ଶୋଇ ପଡିଲା ।

ଯେତେବେଳେ ରାତି ପାହି ସକାଳ ହେଲା ଏବଂ ପ୍ରଭାତର ସୂର୍ଯ୍ୟ କିରଣ ଝରକା ଦେଇ ସେ ଘର ଭିତରକୁ ଉଛୁଳି ପଡିଲା ଠିକ୍ ସେତିକିବେଳେ ବେଙ୍ଗଟି ଗୁରୁଣ୍ଡି ଗୁରୁଣ୍ଡି ତକିଆ ତଳୁ ବାହାରି ଆସି ଶେଯରୁ ତଳକୁ ଡେଇଁ ପଡିଲା । ତାର ପାଦ ଚଟାଣରେ ବାଜିଛି କି ନାହିଁ ହଠାତ୍ ଏକ ବିଚିତ୍ର ଘଟଣା ସେଠାରେ ଘଟିଲା । ସେ ଆଉ ସେହି ଡିମା ଆଖିଆ ବେଙ୍ଗ ହୋଇ ରହିଲା ନାହିଁ ବରଂ ଏକ ସୁନ୍ଦର ରାଜ କୁମାରରେ ପରିଣତ ହୋଇଗଲା ।

ସେ କହିଲା, ତୁମେ ଚାହିଁ ଦେଖ । ମୁଁ ଯେପରି ଦେଖା ଯାଉଥିଲି ସେପରି ନାହିଁ । ଗୋଟିଏ ଦୁଷ୍ଟ ସ୍ତ୍ରୀଲୋକ ମୋତେ ଗୁଣି କରି ବେଙ୍ଗରେ ପରିଣତ କରି ଦେଇଥିଲା । ତୁମେ ସେ ଯାଦୁବିଦ୍ୟାକୁ ଖଣ୍ଡନ କରି ମୋତେ ସାହାଯ୍ୟ କଲ । ମୁଁ ତୁମର ଏଇ ସାହାଯ୍ୟ ପାଇଁ ଅପେକ୍ଷା କରିଥିଲି ରାଜକୁମାରୀ ।’

ରାଜକୁମାରୀ ଏହା ଦେଖି ଆଶ୍ଚର୍ଯ୍ୟରେ ଆବାକ୍ ହୋଇ ଉଠିଲା ଏବଂ ତାର ଆଖି ଝଲସି ଉଠିଲା ।

ବେଙ୍ଗ ରାଜକୁମାର ହସି ହସି କହିଲା, ‘ମୋତେ ତୁମେ ଏଥର ତୁମ ଖେଳସାଥୀ କରିବ ତ? ସେ କୂଅମୂଳ ପ୍ରତିଜ୍ଞା କଥା ଥରେ ମନେ ପକାଅ ତ?’

ଏହା ଶୁଣି ସେ ରାଜକୁମାରୀ ହସି ଉଠିଲା ଏବଂ ଉଭୟେ ସୁନାର ବଲ୍ ଖେଳିବାକୁ ଦୌଡି ଦୌଡି ବାହାରିଗଲେ ।

ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ଖେଳସାଥୀ ହୋଇ ରହିଲେ ଏବଂ ଯାହା ବିଶ୍ୱାସ କରାଯାଏ ସେମାନେ ବଡ ହୋଇ ଶେଷରେ ପରସ୍ପର ବିବାହ ବଂଧନରେ ଆବଦ୍ଧ ହେଲେ ।

ଆଧାର – ଓଡିଆ ଗପ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate