অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାଗ୍ୟ ଓ ପଥର

ଭାଗ୍ୟ ଓ ପଥର

ଉପକ୍ରମ

ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରିରୀମାନଙ୍କ ଅଟ୍ଟହାସ୍ୟ ମୃଦୁମୃଦୁ ବଜ୍ରଧ୍ୱନି ମଝିରେ ଶୁଭୁଥାଏ । ତତ୍ସହିତ ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ।

ବର୍ଣ୍ଣନା

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଇତସ୍ତତଃ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ସେହି ଶବଟିକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତମେ ଯେ ଏଭଳି ନିର୍ଜନ ରାତିରେ, ଝଡବର୍ଷାକୁ ମୋଟେ ଖାତିର୍ ନକରି ଏଭଳି ଏକ କାମ ହାତକୁ ନେଇଛ, ଏହା ତ କିଛି କମ୍ ବାହାଦୁରୀର କଥା ନୁହେଁ । କିନ୍ତୁ ଏଥିପାଇଁ ନିଜର ନିରାପତ୍ତା ସକାଶେ କୌଣସି ବିଶେଷ କବଚ ଧାରଣ କରିଛ ତ? ଅବଶ୍ୟ ତମ ମୁଦ୍ରିକାରେ ନିଶ୍ଚୟ କୌଣସି ମୂଲ୍ୟବାନ ପଥର ଥିବ ଏବଂ ସେହି ପଥରର ପ୍ରଭାବ ତମ ଉପରେ ନିଶ୍ଚୟ ଭଲ ହୋଇଥିବ । ତେବେ ଅନେକ ସମୟରେ ଏସବୁର ମୂଲ୍ୟ କେହି କେହି ମଧ୍ୟ ବୁଝିପାରନ୍ତି ନାହିଁ । ସେଥିଲାଗି ମୁଁ ଗୋଟାଏ ଉଦାହରଣ ଦେଉଛି । ମନଦେଇ ତାହା ଶୁଣ । ମୋ ଗପ ଶୁଣିଲେ ତମ ଶ୍ରମଭାର ଲାଘବ ମନ ହେବ ।”

ତା’ପରେ ସେ ବେତାଳ ଗପିଲା: ଶ୍ରୀପୁର ନଗରୀରେ ଶ୍ରୀବର୍ଦ୍ଧନ ନାମକ ଜଣେ ବଣିକ ଥିଲେ । ସେ ସମୁଦ୍ର ସେପାରି ଦ୍ୱୀପମାଳା ସହ ବେପାର ବଣିଜ କରୁଥିଲେ । ଜଣେ ବୁଦ୍ଧିମାନ ଓ ସମୃଦ୍ଧ ବଣିକ ହିସାବରେ ତାଙ୍କର ବେଶ୍ ଖ୍ୟାତି ଥିଲା ।

ଥରେ ତାଙ୍କର ଗୋଟିଏ ଜାହାଜ ବୁଡିଗଲା । ଫଳରେ ସେ ବହୁତ କ୍ଷତିଗ୍ରସ୍ତ ହେଲେ । ଅନ୍ୟ ବଣିକ ଓ ତାଙ୍କର ବନ୍ଧୁମାନେ ତାଙ୍କ ଦୁଃଖରେ ତାଙ୍କ ସହ ସହାନୁଭୂତି ପ୍ରକାଶ କରିବାକୁ ଆସିଲେ ।

ସେ ବନ୍ଧୁମାନଙ୍କ ଭିତରେ ରବିଶଙ୍କର ଥିଲେ । ସେ ହଠାତ୍ ଶ୍ରୀବର୍ଦ୍ଧନଙ୍କ ହାତକୁ ଅନାଇ ପଚାରିଲେ, “ତମେ ଏ ମୁଦି କେବେଠୁଁ ପିନ୍ଧିଲଣି?”

ଶ୍ରୀବର୍ଦ୍ଧନ ଉତ୍ତର ଦେଲେ “ପ୍ରାୟ ଏକ ମାସ ହେବ!”

ରବିଶଙ୍କର କହିଲେ “ଓଃ, ତେବେ ଏ ମୁଦି ପିନ୍ଧିବା ପରେ ଯାଇ ଦୁର୍ଘଟଣା ଘଟିଛି । ଦେଖ ଶ୍ରୀବର୍ଦ୍ଧନ, ସବୁ ପ୍ରକାର ପଥର ସମସ୍ତଙ୍କ ପାଇଁ କେବେବି ଭଲ ନୁହେଁ । ତମେ ମୁଦିରେ ଯେଉଁ ପଥର ଲଗାଇଛ, ଏହା ତୁମ ଭାଗ୍ୟ ସକାଶେ ପ୍ରତିକୁଳ ବୋଲି ମୋର ଧାରଣା । ତମେ ଏହାକୁ ଆଉ ପିନ୍ଧ ନାହିଁ । ବରଂ ଜଣେ ପଥର-ବିଶେଷଜ୍ଞ ପାଖକୁ ଯାଅ । ସେ ତମ ଗ୍ରହ ରାଶି ନକ୍ଷତ୍ର ଅନୁସାରେ ଯେଉଁ ପଥର ତମପାଇଁ ମଙ୍ଗଳପ୍ରଦ ତାହା ତମକୁ ଯୋଗାଇ ଦେବ । ମୋର ସେପରି ଜଣେ ବନ୍ଧୁ ଅଛନ୍ତି । ତାଙ୍କ ନାମ ସୁନ୍ଦରକୁମାର । ତାଙ୍କ ପାଖକୁ ତମେ ଯାଅ ।”

ତାଙ୍କ କଥା ଶୁଣି ଶ୍ରୀବର୍ଦ୍ଧନ ଆଶ୍ଚର୍ଯ୍ୟ ହୋଇ ନିଜ ମୁଦ୍ରିକାଟି ଆଡେ ଅନାଇଲେ । ସେ ତ ଏସବୁ ବିଷୟରେ ପୂର୍ବରୁ କେବେ ବି ଚିନ୍ତା କରି ନଥିଲେ । ମୁଦ୍ରିକାଟି ତାଙ୍କୁ ଜଣେ ବନ୍ଧୁ ଉପହାର ରୂପେ ଦେଇଥିଲେ । ତେଣୁ ସେ ତା’କୁ ପିନ୍ଧିଥିଲେ । ଅବଶ୍ୟ ଭିନ୍ନ ଭିନ୍ନ ପଥରର ପ୍ରଭାବ ଭିନ୍ନ ଭିନ୍ନ ରାଶି ନକ୍ଷତ୍ରର ଲୋକଙ୍କ ଉପରେ ଭିନ୍ନ ବୋଲି ସେ ଶୁଣିଥିଲେ । କିନ୍ତୁ ସେ ବିଷୟ ଉପରେ ତାଙ୍କର କୌଣସି ଜ୍ଞାନ ନଥିଲା କି ଆଗ୍ରହ ବି ନଥିଲା । ସେ ବିଷୟରେ ସେ କେବେ କିଛି ଚର୍ଚ୍ଚା କରି ନଥିଲେ ।

ଶ୍ରୀବର୍ଦ୍ଧନ ମୁଦ୍ରିକାଟି ବାହାର କରିଦେଲେ । ତା’ପରେ ସେ ସୁନ୍ଦରକୁମାରଙ୍କ ଦୋକାନରେ ଯାଇ ପହଁଚିଲେ । ଗ୍ରହ ନକ୍ଷତ୍ର ଇତ୍ୟାଦି ବୁଝି ସୁନ୍ଦରକୁମାର କହିଲେ, “ତମ ପାଇଁ ଯେଉଁ ପଥର ଭଲ ହେବ, ତାହା ମୁଁ ଯୋଗାଇ ଦେଇ ପାରେ । ମୂଲ୍ୟ ଦଶହଜାର ଟଙ୍କା । କିନ୍ତୁ ତୁମର ଅବସ୍ଥା ଭଲ ନୁହେଁ । ତେଣୁ ମୁଁ ପାଂଚହଜାରରେ ଦେବି ।”

ଶ୍ରୀବର୍ଦ୍ଧନ ନୂଆ ପଥର ସହ ମୁଦ୍ରିକାଟି ଗ୍ରହଣ କରି କହିଲେ, “ମହାଶୟ, ଆପଣ ଯାହା କହୁଛନ୍ତି, ସେସବୁ ଠିକ୍ ତ?”

ସୁନ୍ଦରକୁମାର କହିଲେ “ବିଲ୍ କୁଲ୍ ଠିକ୍ । ଆପଣ ଦେଖିବେ ଏ ପଥର ଆପଣଙ୍କୁ ବହୁ ବିପଦରୁ ରକ୍ଷା କରିବ ।” ସେ ପୁଣି ବିଦାୟ ଦେଲାବେଳେ ଆହୁରି ବି କହିଲେ, “ବର୍ଷକ ପରେ ଆପଣ ମୋ ସହ ପୁଣି ଦେଖା କରିବେ । ସେତେବେଳକୁ ଆପଣଙ୍କ ଉପରେ ଭିନ୍ନ ନକ୍ଷତ୍ରର ପ୍ରଭାବ ପଡିଥିବ । ଆପଣଙ୍କୁ ଆଉ ଗୋଟିଏ ପ୍ରକାର ପଥର ଦେବି । ଦାମ୍ ବି ଏଥର ଭଳି ସୁବିଧା କରିଦେବି ।”

ତା’ର ଠିକ୍ ବର୍ଷକ ପରେ ଶ୍ରୀବର୍ଦ୍ଧନ ରାସ୍ତାରେ ଯାଉଥିବାବେଳେ ସୁନ୍ଦରକୁମାର ତାଙ୍କୁ ଦେଖି ପକାଇ କହିଲେ, “ଆସନ୍ତୁ ବାବୁ, ଭିତରକୁ ଆସନ୍ତୁ ।” ଶ୍ରୀବର୍ଦ୍ଧନ ଭିତରକୁ ଯିବାରୁ ସେ ପଚାରିଲେ, “କ’ଣ ଆଜ୍ଞା, ସବୁ ଭଲ ତ?”

“ମୋ କର୍ମ ଅନୁସାରେ ସବୁ ଚାଲିଛି ।”

ସୁନ୍ଦରକୁମାର ପୁଣି ପଚାରିଲେ “ଟିକିଏ ସ୍ପଷ୍ଟ କରି କୁହନ୍ତୁ ।”

ଶ୍ରୀବର୍ଦ୍ଧନ ଉତ୍ତର ଦେଲେ “ଯାହା କହିଲି ତାହାଠୁଁ ଅଧିକ କିଛି ଶୁଣି ଆପଣଙ୍କର କିଛି ଲାଭ ନାହିଁ କି ଆପଣଙ୍କୁ କହି ମୋର ମଧ୍ୟ କିଛି ଲାଭ ନାହିଁ । ମୋ କର୍ମ ଅନୁସାରେ ଯାହା ହେବାର କଥା ହେଉଛି ।” କିନ୍ତୁ ସୁନ୍ଦରକୁମାର ତାଙ୍କୁ ଏଡେ ସହଜରେ ଛାଡିଲେ ନାହିଁ । ପ୍ରକୃତରେ ତାଙ୍କ ଆର୍ଥିକ ଓ ବ୍ୟବସାୟଗତ ଅବସ୍ଥା କିପରି, ତାହା ଜାଣିବାକୁ ଜିଗର୍ କଲେ ।

ତହୁଁ ଦୀର୍ଘନିଃଶ୍ୱାସ ଛାଡି ଶ୍ରୀବର୍ଦ୍ଧନ କହିଲେ “ମୋର ପୁଣି ଆଉ ଗୋଟାଏ ଜାହାଜ ବୁଡିଗଲା ।”

ସୁନ୍ଦରକୁମାର ପଚାରିଲେ “ଆଉ ଗୋଟାଏ ବୁଡିଗଲା? କେତୋଟି ଜାହାଜ ପଠାଇଥିଲେ?”

“ତିନୋଟି ।”

ସେ ଉତ୍ତର ଶୁଣି ସୁନ୍ଦରକୁମାର ହାତତାଳି ଦେଇ କହିଲେ, “ତେବେ ତ ମୋ କଥା ସତ୍ୟ ବୋଲି ପ୍ରମାଣିତ ହେଲା! ଆପଣଙ୍କର ତିନୋଟି ଯାକ ଜାହାଜ ନ ବୁଡି ମାତ୍ର ଗୋଟାଏ ବୁଡିଲା । ଅର୍ଥାତ୍ ମୋ ପଥର ଆପଣଙ୍କୁ ସହାୟତା ଦେଲା! ବର୍ତ୍ତମାନ ଆପଣ ଅନ୍ୟ ଗୋଟିଏ ପଥର ନିଅନ୍ତୁ । ଏହାର ମୂଲ୍ୟ ପନ୍ଦର ହଜାର । ଆପଣଙ୍କୁ ଦଶହଜାରରେ ଦେବି । ଆପଣ ସେ ପୁରୁଣା ପଥରଟି ଫେରାଇ ଦେଲେ ମୁଁ ମାତ୍ର ପାଂଚହଜାରରେ ଆପଣଙ୍କୁ ତାହା ଦେଇଦେବି । ଏହା ଆପଣଙ୍କ ସକାଶେ ବିଶେଷ ସୁଯୋଗ ।”

ଏକଥା ଶୁଣି ଶ୍ରୀବର୍ଦ୍ଧନ ନିଜ ହାତରୁ ପୁରୁଣା ମୁଦ୍ରିକାଟି ବାହାର କରି ଥୋଇ ଦେଲେ ଓ କିଛି ନକହି ସେଠାରୁ ସେ ବାହାରି ଗଲେ ।

ସୁନ୍ଦରକୁମାର ପଛରୁ ଡାକିଲେ “ଶୁଣନ୍ତୁ, ଆଜ୍ଞା, ଶୁଣନ୍ତୁ!” ହେଲେ ଶ୍ରୀବର୍ଦ୍ଧନ ତାଙ୍କ କଥାର କିଛିବି ଜବାବ୍ ଦେଲେ ନାହିଁ ।

ବେତାଳ ତା’ କାହାଣୀଟି କହିସାରି ଟିକିଏ ଚୁପ୍ ରହି ତୀବ୍ର କଣ୍ଠରେ ସେ ପୁଣି ପଚାରିଲା, “ରାଜା! ଶ୍ରୀବର୍ଦ୍ଧନ ବୁଝିବା ଉଚିତ୍ ପଥର ଯୋଗୁଁ ତାଙ୍କର ତିନୋଟି ଜାହାଜ ନ ବୁଡି କେବଳ ଗୋଟିଏ ମାତ୍ର ବୁଡିଲା । ତଥାପି ବି ସେ ମାତ୍ର ପାଂଚହଜାର ମୂଲ୍ୟରେ ନୂଆ ପଥର ଗ୍ରହଣ  ନକରି କାହିଁକି ଚାଲିଗଲେ? ପୁରୁଣା ମୁଦିଟି ସେ ବା କାହିଁକି ଫେରାଇ ଦେଲେ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ତମେ ନୀରବ ରହିଲ ତେବେ ତମ ଶୀର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ତୁରନ୍ତ କହିଲେ, “ଶ୍ରୀବର୍ଦ୍ଧନଙ୍କର ତ ପଥର ଉପରେ ମୂଳରୁ ହିଁ ବିଶ୍ୱାସ ନଥିଲା କି ଅବିଶ୍ୱାସ ବି ନଥିଲା । ସେ ଯାହା କେବଳ ମୁଦିରେ ପଥରଟିଏ ପିନ୍ଧିଥିଲେ ମାତ୍ର । ତାଙ୍କ ବନ୍ଧୁ ରବିଶଙ୍କରଙ୍କ କଥାରୁ ପଥର ଉପରେ ତାଙ୍କ ବିଶ୍ୱାସ ଉପୁଜିଲା । କିନ୍ତୁ ସେ ବିଶ୍ୱାସ ତୁଟିଗଲା, ଯେତେବେଳେ ଦ୍ୱିତୀୟଥର ଲାଗି ତାଙ୍କ ଜାହାଜ ପୁଣି ବୁଡିଗଲା । ତାଙ୍କ କଥାରୁ ଏହା ସ୍ପଷ୍ଟ ଯେ ସେ କର୍ମରେ ବିଶ୍ୱାସ କରୁଥିଲେ । ପଥରର ପ୍ରଭାବ ଥାଇପାରେ, କିନ୍ତୁ କର୍ମକୁ ବଦଳାଇ ଦେଲାଭଳି ପ୍ରଭାବ ପଥରର ଆଦୌ ନାହିଁ । ଅନ୍ତତଃ ସୁନ୍ଦରକୁମାର ପୁରା ବେପାରୀ ବୋଲି ସେ ବୁଝୁଥିଲେ । ତେଣୁ ସେ ନୂଆ ମୁଦି କିଣିବାର ପ୍ରଶ୍ନ ହିଁ ନଥିଲା । ପୁରୁଣା ମୁଦି ଫେରାଇ ଦେବାର କାରଣ ତାଙ୍କ ବିରକ୍ତି । ସୁନ୍ଦରକୁମାରଙ୍କ ଯୁକ୍ତି ଓ ନୂଆ ପଥର ବିକିବା ପାଇଁ ଉତ୍କଣ୍ଠା ସେ ବିରକ୍ତିର ହେତୁ । ସୁନ୍ଦରକୁମାର ଯେ ତାଙ୍କଠାରୁ ପଇସା ଝଡାଇବାକୁ ଚାହୁଁଥିଲେ, ଏହା ବୁଝିବାକୁ ତାଙ୍କର ଆଉ ବିଳମ୍ବ ହେଲା ନାହିଁ । ଶ୍ରୀବର୍ଦ୍ଧନ ଭିନ୍ନ ମିଜାଜ୍ର ଲୋକ ଥିଲେ । ତାଙ୍କ ନିଜ ଦୁର୍ଭାଗ୍ୟରୁ ସୁନ୍ଦରକୁମାର ଫାଇଦା ଉଠାଇବାକୁ ଚାହୁଁ ଥିଲେ ଏହା ଜାଣି ସେ ପୁରୁଣା ମୁଦିଟି ଫେରାଇ ଦେଲେ – ଅର୍ଥାତ୍ ଲୋଭୀ ସୁନ୍ଦରକୁମାର ସେତିକି ନିଅନ୍ତୁ ଓ ସେ ଯେ ବିରକ୍ତ, ସେକଥା ବୁଝନ୍ତୁ ।”

ରାଜାଙ୍କ ଉତ୍ତର ଦାନ ସମାପ୍ତ ହେବା ମାତ୍ରେ ଶବ ସହ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।

ଆଧାର ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate