অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାଗ୍ୟରେ ଥିଲେ

ଭାଗ୍ୟରେ ଥିଲେ

ଉପକ୍ରମ

କଥାରେ ଅଛି ଭାଗ୍ୟରେ ଥିଲେ ମଣିଷ ଜୀବନର ଗତିପଥ ବଦଳିଯାଏ । ସେ ଯାହା ଖୋଜୁଥାଏ ତାହା ତାକୁ ମିଳିଯାଏ । ସଂକ୍ଷେପରେ କହିଲେ ଭଗବାନ ଯେତେବେଳେ ଦିଅନ୍ତି ଛପରଫାଡି ଦିଅନ୍ତି । ସବୁପ୍ରକାର ସୁଖସୁବିଧା ଆପେ ଆପେ ହାତରେ ଧରାଦିଏ । ଭାଗ୍ୟରେ ନଥିଲେ ମଣିଷ ଭିକାରୀ ମଧ୍ୟ ହୋଇଯାଏ, ଏକଥାକୁ ଭାଗ୍ୟବାଦୀମାନେ ବିଶ୍ୱାସ କରନ୍ତି । ମାତ୍ର ଯେଉଁମାନେ ପ୍ରକୃତ କର୍ମବୀର ସେମାନେ କର୍ମକୁ ହିଁ ବିଶ୍ୱାସ କରନ୍ତି, କିନ୍ତୁ ଅଳସୁଆ ଦୁଃଖପାଏ । ନିକମା ହୋଇ ବସିଖାଇଲେ ନଈବାଲି ମଧ୍ୟ ସରିଯାଏ । ଏଣୁ କର୍ମ ହିଁ ଭଗବାନ । କର୍ମ ହିଁ ଜୀବନ । ବେଳେ ବେଳେ ଅଳସୁଆ ବି ପରିସ୍ଥିତିରେ ପଡି କାମ କରିବାକୁ ଆଗେଇ ଆସେ ଏବଂ ଭାଗ୍ୟକୁ ବିଶ୍ୱାସ କରେ ।

ବର୍ଣ୍ଣନା

ଜନକପୁର ଗ୍ରାମରେ ଜଣେ ବିଧବା ସ୍ତ୍ରୀଲୋକ ରହୁଥାଏ, ତାର ଗୋଟିଏ ବୋଲି ପୁଅ । ନାଁ ତା’ର ଭଗବାନ । ନୁଆଁଣିଆ ଚାଳଘରଟିଏ । ବାଡିରେ କିଛି ଗଛ ଏବଂ ଟୁବି ଗଡିଆଟିଏ । ଜମିବାଡି ତ ସେମାନଙ୍କର ନାହିଁ । ସ୍ୱାମୀ ମରିଗଲାପରେ ଯାହା ଦି’ପା ଜମିଥିଲା ତାହା ବିକ୍ରି ହୋଇ ଯଇଛି । ସ୍ତ୍ରୀଲୋକଟି ଗାଆଁର ଲୋକମାନଙ୍କ ଘରେ ପାଇଟି କରି ଯାହା ଆଣେସେଇଥିରେ ସେ ଓ ତାର ପୁଅ ଦୁଃଖେକଷ୍ଟେ ଚଳିଯାଆନ୍ତି । ଗୋଟିଏ ବୋଲି ପୁଅ, ତାକୁ ପିଲାଟିବେଳୁ ତା’ ମାଆ ଏତେ ଗେହ୍ଲା କରିଦେଲାଯେ ସେ ଜମାରୁ ପାଠ ପଢିଲା ନାହିଁ । ଚାଟଶାଳୀକୁ ଯାଇ ଅବଧାନଙ୍କ ମାଡ ଡରରେ ଲୁଚିଲା । ଦୁଷ୍ଟପିଲାଙ୍କ ସହିତ ମିଶିଲା । ତା ମାଆ ତାକୁ ଯେତେଥର ବହି, ସିଲଟ ଆଣି ଦେଲେ ସବୁନଷ୍ଟ କରି ପକାଇଲା । ଖାତା ବହି ଚିରି କାଗଜ ଡଙ୍ଗା କଲା, ସିଲଟ ଭାଙ୍ଗିଲା । ତେଣୁ ବିରକ୍ତ ହୋଇ ମାଆ ଆଉ ଭଗବାନକୁ ପାଠ ପଢିବାକୁ ବାଧ୍ୟ କଲାନାହିଁ । ସେ ଭଗବାନକୁ ବି ଏକଥା ଭାରି ସୁହାଇଲା । ତେଣୁ ନିକମା ଭାବରେ ବସି, ଖେଳି ସେ ତାର ସବୁ ସମୟ କାଟିଲା । ମାଆ ତେଣେ ଖଟି ଖଟି ହାଡ ଦି’ଖଣ୍ଡ ଧରିଲାଣି । ଏଥିପ୍ରତି ପୁଅ ଭଗବାନର ବା ଚିନ୍ତା କ’ଣ ।

ଏବେ ସେ ଭଗବାନ ତ ବଡ ହୋଇଗଲାଣି । ମଜୁରି ଖଟିଲେ ପୁରା ମଜୁରି ଆଣନ୍ତା, ମାଆ ପୁଅ ଆରାମରେ ଚଳନ୍ତେ । ମାତ୍ର କାମକୁ ଭଗବାନର ଭାରି ଡର । କୁଟାକୁ ଦିକୁଟା ବି ସେ ଆଦୌ କରେ ନାହିଁ । ଏ ଭଳିକି ଦଶବାର ବର୍ଷ ପର୍ଯ୍ୟନ୍ତ ମାଆ ଖୋଇ ନଦେଲେ ସେ ଭଗବାନ ହାତ ଘେନି ଖାଉ ନଥିଲା । ଗାଧୋଇ ନଦେଲେ ଗାଧୋଉ ନଥିଲା । ଏବେ ତା ମାଆ ଆଉ ସବୁ କାମ କରି ପାରୁନି । ଏଣେ ଏ ଭଗବାନର ଅଳସୁଆ ପ୍ରକୃତି ଦିନକୁ ଦିନ ବଢିଚାଲିଛି । ଖାଇଦେଲା ମାତ୍ରେ ସେ ଶୋଇପଡେ । ସକାଳେ କେହି କେବେ ତାକୁ ଆଗୁଆ ବିଛଣା ଛାଡିବାର ଦେଖିନାହିଁ । ଦିନ ଦଶଟାରେ ଉଠେ ସେ ଭଗବାନ । ଶୀତଦିନେ ଭଲଭାବରେ ଗାଧାଏ ନାହିଁ । ତା ମାଆ ତାକୁ ଅନେକ ବୁଝାଏ, କହେ, “ବାପରେ! ତୋତେ – ଗେଲରେ ବଢାଇ ଆଣିଲି, ପାଠତ ପଢିଲୁ ନାହିଁ, ଏବେ ବଡ ହେଲୁଣି, କାମ ହେଲେ କର । ନହେଲେ ଘର ଚଳିବ କିପରି? ମୁଁ ଆଉ ବେଶୀ ପରିଶ୍ରମ କରିପାରୁନି । କାଲି ତୁ ବାହା ହେବୁ । ତୋର ଛୁଆପିଲା ହେବେ । ତୁ ଚଳିବୁ କିପରି? ମୋ କଥା ମାନ, ତୁ କିଛି କାମ କର ।”

ଏପରି କଥା ଶୁଣି ଭଗବାନ କହେ ତୁ କିଛି ଚିନ୍ତା କରନା ମାଆ । ମୋ ଭାଗ୍ୟରେ ଯାହାଥିବ ତାହା ହିଁ ହେବ । ଯିଏ ଜନମ ଦେଇଛି ସେଇ ଚଳାଇବ । ଥରେ ତା ମାଆ ବେମାର ପଡିଲା, ଫଳରେ ସେ ଆଉ କାମ କରିବାକୁ ଯାଇ ପାରିଲା ନାହିଁ । ଘରେ ଯାହା ଥିଲା, ଶେଷ ହୋଇଗଲା । ଏଣେ ସେ ଭଗବାନ ବି କାମକୁ ଗଲା ନାହିଁ । ତା ମାଆ କହିଲା ତୁ ଯଦି କାମ ନକରିବୁ ତେବେ ମୁଁ ତୋତେ ଆଉ ଖାଇବାକୁ ଦେଇପାରିବିନି । ତୁ ନିଜେ କିଛି ରୋଜଗାର କରି ଖାଇବୁ । ନହେଲେ ଉପାସ ରହିବୁ । ଭଗବାନ ଦିନେ କାମ ଖୋଜିବାକୁ ଗଲା । ତାର ସ୍ୱଭାବ ଜାଣି କେହି ବି ତାକୁ କାମ ଦେଲେ ନାହିଁ । ସଂନ୍ଧ୍ୟାରେ ଫେରିବାରୁ ତା ମାଆ ଅଥୟ ହୋଇପଡିଲା ।

ପରଦିନ ସକାଳେ ତା ମାଆ ଚାରିପଟ ରୁଟିକରିଦେଲା ଏବଂ କହିଲା, “ତୁ ପାଖ ସହରକୁ ଯା, କାମ ଖୋଜିବୁ, ଭୋକ କଲେ ୟାକୁ ଖାଇବୁ ।” ତା’ପରେ ସେ ଭଗବାନ ରୁଟି ଗାମୁଛାରେ ବାନ୍ଧି ବାହାରିଲା । ରାସ୍ତାରେ ଛୋଟିଆ ଶାଳବଣଟିଏ ପଡିଲା । ସେଠାରେ ବାଟୋଇମାନଙ୍କ ପାଇଁ କିଏ ଜଣେ ମହତ ଲୋକ କୂଅଟିଏ ଖୋଳାଇ ଦେଇଥିଲେ । ଆଉ ଥକ୍କା ମେଂଟାଇବା ପାଇଁ ଗଛମୂଳ ଛାଇରେ ପକ୍କା ଚାନ୍ଦିନୀଟିଏ ମଧ୍ୟ କରିଦେଇ ଥିଲେ । ଏଣେ ଏ ଭଗବାନ ଯାଇ ସେଇଠି ଅଟକିଲା ଭାବିଲା ଆଉ ଆଗକୁ ପାଣି ମିଳି ନପାରେ ଏଣୁ ସେଇଠି ରୁଟି ଖାଇ ପାଣି ପିଇନେବ । କିନ୍ତୁ ଖାଇସାରିଲେ ଯଦି ତାକୁ ନିଦ ଲାଗେ? ଏହିପରି ବିଭିନ୍ନ କଥା ଚିନ୍ତା କରି ଶେଷରେ ସେ ନିଷ୍ପତି ନେଲା ନା ସେ ରୁଟି ଖାଇବନି । ଭଗବାନ ଗଛଛାଇରେ ଟିକିଏ ବସିଲା । ସେତେବେଳେ ତ ଶିରିଶିରି ଥଣ୍ଡା ପବନ ହେଉଥାଏ – ତେଣୁ ଭଗବାନକୁ ନିଦ ହୋଇଗଲା, ତା’ପରେ ସେ ଭଗବାନ ଗୋଟାଏ ସ୍ୱପ୍ନ ଦେଖିଲା । ଗୋଟାଏ ବିରାଟ ରାକ୍ଷସ ତା ଆଡକୁ ଆଁ କରି ମାଡି ଆସୁଛି । ଭଗବାନ ସେ ରୁଟିତକ ଖାଇବା ଆଗରୁ ରାକ୍ଷସ ରୁଟିତକ ନେଇ ପାଟିରେ ପୁରାଇଦେଲା । ଏଣେ ସେ ଭଗବାନ ବିକଳରେ ଖାଲି କାନ୍ଦୁଥାଏ ‘ନା, ଖାଅନି, ଖାଅନି । ସେତକ ମୋ ମାଆ ଦେଇଛି, ତାହେଲେ ମୁଁ କ’ଣ ଖାଇବି? ରାକ୍ଷସ ରୁଟି ଖାଇସାରି ଭଗବାନକୁ କହିଲା, “ମୁଁ ଖୁବ୍ ଭୋକିଲା ଥିଲି, ତୋ ରୁଟି ଖାଇ ମୋ ପ୍ରାଣ ରହିଲା । ତୁ ବରମାଗ, ଯାହା ମାଗିବୁ ତାହା ଦେବି ।”

ତହୁଁ ସେ ଭଗବାନ କହିଲା, ‘ତେବେ ମୋତେ କାମଦିଅ । ମୁଁ କାମ କରି ରୋଜଗାର କଲେ ମୋ ମାଆର ଦୁଃଖଯିବ । ଆମେ ସୁଖରେ ଚଳିବୁ ।” ଏକଥା ଶୁଣି ରାକ୍ଷସ କହିଲା ତୋତେ ଆପେ ଆପେ ଭଲକାମ ମିଳିଯିବ । ଏଇଠି ବସିଥା ।”

ଠିକ୍ ଏଇ ସମୟରେ କେହି ତା ଗୋଡ ଚାଟିଲାପରି ଲାଗିଲା । ତେଣୁ ସେ ଭଗବାନର ନିଦ ହଠାତ୍ ଭାଙ୍ଗିଗଲା । ତା’ପରେ ସେ ଦେଖିଲା ସତକୁ ସତ ଗୋଟିଏ ବଳଦ ତା ଗୋଡକୁ ଚାଟୁଛି । ତେଣୁ ଭଗବାନ ଉଠିପଡିଲା । ବଳଦକୁ ଆଉଁସି ଦେଲା, ତାକୁ ରୁଟି ଖୁଆଇଲା, ପାଣି ପିଆଇଲା । ବଳଦଟି ତା କଥା ମାନିଲା । ସେଇଠି ଶୋଇ ବଳଦ ପାକୁଳି କରିବାକୁ ଲାଗିଲା । ଭଗବାନ କିନ୍ତୁ ତା’ ମନେ ମନେ ଭାବୁଥାଏ ଏ ବଳଦ କାହାର? ଏଠାକୁ କିପରି ଆସିଲା?

ସେ ଏମିତି ଭାବୁଥିବା ସମୟରେ ଜଣେ ଭଦ୍ରଲୋକ ତା ସାମନାକୁ ଆସିଲେ । ଆଉ କହିଲେ ତମକୁ ଧନ୍ୟବାଦ, ତମେ ଏ ବଳଦକୁ ଏକାଥରକେ ପୋଷା ମନେଇଦେଲ । ଇଏ କେତେ ପିଲାଙ୍କୁ ମାରି ଘାଇଲା କରିଛି । ଜମିଦାରବାବୁ ନୂଆକରି ୟାକୁ କିଣି ଥିଲେ । ମହଣ ନହେବାରୁ ରାଗରେ ତାକୁ ଛାଡିଦେଇଥିଲେ । ତମେ ବଳଦକୁ ଧରି ମୋ ସହିତ ଆସ । ଜମିଦାର ଏକଥା ଜାଣିଲେ ଭାରି ଖୁସିହେବେ ।

ତା’ପରେ ଭଗବାନ ବଳଦ ଓ ସେ ଲୋକଟି ସହ ପାଖଗାଁକୁ ଯାଇ ଜମିଦାରଙ୍କୁ ଦେଖାକଲା । ସବୁକଥା ଶୁଣି ଜମିଦାର ଭାରି ଖୁସିହେଲେ । ଭଗବାନକୁ କହିଲେ, “ତମେ ଯଦି ମୋ ଘରେ ରହି ଚାଷକାମ ଦେଖାଶୁଣା କରିବ ତେବେ ମୁଁ ତୁମକୁ ଉପଯୁକ୍ତ ପାରିଶ୍ରମିକ ଦେବି । ତମେ ନିଶ୍ଚିତ ଭାବରେ ଜଣେ ଭଲ ଚାଷୀ, ନହେଲେ ମାରଣା ବଳଦକୁ ବଶ କରନ୍ତ କିପରି?

ଭଗବାନ ଘରକୁ ଆସି ତା ମାଆ ପାଖରେ ସବୁକଥା କହିଲା । ସବୁଶୁଣି ତା ମାଆ ବହୁତ ଖୁସି ହୋଇଗଲା ପରଦିନଠାରୁ ସେ ଭଗବାନ ଜମିଦାରଙ୍କ ଘରକୁ ଯାଇ ଚାଷକାମ ଦେଖାଶୁଣା କଲା । ତା’ର କାମରେ ସନ୍ତୁଷ୍ଟ ହୋଇ ଜମିଦାର ତାକୁ ଅଧିକ ପାରିଶ୍ରମିକ ଦେଲେ । ଯାହା ଫଳରେ କି ଖୁବ୍ ଅଳ୍ପଦିନରେ ସେ ଭଗବାନ ଭଲଘରଟେ କରିପାରିଲା । ତଥା ତା ମାଆକୁ ସୁଖରେ ରଖିପାରିଲା । ତା ମାଆ ତାର ବାହାଘର କଥା କହିବାରୁ ସେ ଭଗବାନ କହିଲା, “ଅପେକ୍ଷା କର ମାଆ, ଭାଗ୍ୟରେ ଥିଲେ କେଉଁ ଦେଶର ରାଜକୁମାରୀ ମୋତେ ନିଶ୍ଚୟ ମିଳିଯିବ । ଦେଖିଲୁନି ମୋ ଭାଗ୍ୟରେ ଥିଲା ବୋଲି କେମିତି ମୋ ମନ ଜାଣି କାମ ମୋତେ ମିଳିଗଲା? ଭାଗ୍ୟରେ ଥିଲେ ମୁଁ ତୋ ମନଲାଖି ବୋହୂଟେ ନିଶ୍ଚୟ ଆଣିବି ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ, ଅନ୍ଧବିଶ୍ୱାସ, ତର୍କ ହୀନତା ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ ।

ଆଧାର: ଓଡିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate