অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହାଭାରତ

ମହାଭାରତ

ଉପକ୍ରମ

ଦୁର୍ଯ୍ୟୋଧନ ମରଣ ମୁହଁରୁ ବର୍ତି ଆସିଲେ । ତାଙ୍କ ପାଇଁ ଏହି ଅପମାନ ଦୁଃସହ ଥିଲା । ମହାଭାରତ ନିଜର ଲୋକ ମାନଙ୍କୁ ସଙ୍ଗରେ ନେଇ ସେ ହସ୍ତିନାପୁର ଫେରି ଆସିବା ପଥରେ ଏକ ସରୋବର ପାଶ୍ୱରେ ବିଶ୍ରାମ ନେବା ପାଇଁ ସେଠାରେ ରହିଲେ ।

ବର୍ଣ୍ଣନା

ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିଥିବା କର୍ଣ୍ଣ ସେଠାରେ ଆସି ପହଁଚିଲେ । ଯୁଦ୍ଧକ୍ଷେତ୍ର ଛାଡି ଚାଲିଯିବା ପରେ, ସେଠାରେ ଘଟିଥିବା ଘଟଣା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ସେ ଦୁର୍ଯ୍ୟୋଧନଙ୍କୁ ପ୍ରଶଂସା କରି କହିଲେ, “ତୁମର ପରାକ୍ରମ ଅତୁଳନୀୟ । ସେହି ଉଦ୍ଧତ ଗନ୍ଧର୍ବମାନଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରି ତୁମେ ହସ୍ତିନାପୁରକୁ ଫେରୁଛ । ମୁଁ ସେମାନଙ୍କର ସମ୍ମୁଖୀନ ହୋଇ ନ ପାରିବାରୁ, ବିକର୍ଣ୍ଣ ରଥରେ ବସି ସେ ସ୍ଥାନ ପରିତ୍ୟାଗ କରି ଏଠାକୁ ଚାଲିଆସିଲି । ପ୍ରକୃତରେ ତୁମପରି ବୀର ଏ ସଂସାରରେ ଆଉ କେହିବି ନାହାଁନ୍ତି ।”

କର୍ଣ୍ଣଙ୍କର ଏଭଳି ପ୍ରଶଂସାପୂର୍ଣ୍ଣ ବାଣୀ ଦୁର୍ଯ୍ୟୋଧନଙ୍କ ମନରେ ଅଧିକରୁ ଅଧିକ ଆଘାତ ଦେଲା । କୋହ ଭରା ସ୍ୱରରେ ସମସ୍ତ ବିଷୟ ଜଣାଇ ସେ କହିଲେ, “ଯଦି ମୁଁ ଯୁଦ୍ଧରେ ଜୟଲାଭ କରିଥାନ୍ତି, ତେବେ ତ ନିଶ୍ଚୟ ଗୌରବର ଅଧିକାରୀ ହୋଇଥାନ୍ତି । ମୃତ୍ୟୁବରଣ କରିଥିଲେ ବୀରଲୋକ ପ୍ରାପ୍ତ ହୋଇଥାନ୍ତି । କିନ୍ତୁ, ମୋ ଭାଗ୍ୟରେ ଏହା ଜୁଟିଲା ନାହିଁ । ଅପମାନର ବୋଝ ମୁଣ୍ଡେଇ ମୁଁ ହସ୍ତିନାପୁରୀ ଆଉ ଯାଇପାରିବି ନାହିଁ । ପିତାଶ୍ରୀ, ଦ୍ରୋଣ, କୃପାଚାର୍ଯ୍ୟ ଅଶ୍ୱତ୍ଥାମା ଆଦିଙ୍କୁ ମୁଁ ଆଉ ମୋ ମୁହଁ ଦେଖାଇ ପାରିବି ନାହିଁ । ଏଠାରେ ଘଟିଥିବା ଘଟଣା ମଧ୍ୟ ପ୍ରକାଶ କରିପାରିବି ନାହିଁ । ମୋର ଏହି ଜୀବନ ପ୍ରତି ଆଉ କୌଣସି ପ୍ରକାର ମୋହ ନାହିଁ । ମୃତ୍ୟୁର ଆଶ୍ରୟକୁ ଚାଲିଯିବି । ତୁମ୍ଭେମାନେ ଏଇଠୁ ହସ୍ତିନାପୁର ଫେରିଯାଅ । ଦୁଃଶାସନକୁ ରାଜମୁକୁଟ ପିନ୍ଧାଇ, ରାଜ୍ୟଭାର ସମ୍ଭାଳିବାରେ ତାକୁ ସାହାଯ୍ୟ କରିବ । ମୁଁ ଅନ୍ନଜଳ ତ୍ୟାଗ କରି, ପ୍ରାୟୋପବେଶ ମାଧ୍ୟମରେ ପ୍ରାଣ ହାରିଦେବି ।” ଏପରି କହି ଦୁର୍ଯ୍ୟୋଧନ ଓ ଦୁଃଶାସନ ପରସ୍ପର କୋଳାକୋଳି ହୋଇ କାନ୍ଦିବାରେ ଲାଗିଲେ ।

ସେମାନଙ୍କର ଏପରି କ୍ରନ୍ଦନ ଦେଖି କର୍ଣ୍ଣ ବିରକ୍ତି ପ୍ରକାଶ କଲେ । “ତୁମେ ଦୁଇ ଭାଇ ଏପରି ଶୋକ କରିବା ଦ୍ୱାରା କଣ ମନକୁ ଶାନ୍ତି ମିଳୁଛି । ପାଣ୍ଡବଗଣ ତୁମକୁ ସାହାଯ୍ୟ କରିଛନ୍ତି । ଏହା କରିବା ସେମାନଙ୍କର କର୍ତ୍ତବ୍ୟ, ଯେହେତୁ ସେମାନେ ତୁମର ନାଗରିକ । ତେଣୁ ଏଠାରେ ଅପମାନର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ତୁମର ଏହି ଶୋକ, ଆତ୍ମହତ୍ୟାର ପ୍ରୟାସ, ଅନ୍ୟ ସାମନ୍ତଗଣଙ୍କ ସମ୍ମୁଖରେ ତୁମର କାପୁରୁଷତା, ଭୀରୁତା ପ୍ରତିପାଦିତ କରିବ । ପାଣ୍ଡବମାନେ ସର୍ବହରା ହୋଇ ଅରଣ୍ୟବାସ କରୁଛନ୍ତି । ତେବେ ବି ସେମାନେ ଉପବାସ ଅନଶନ ପରି ନିଷ୍ଫଳ ବିଚାର ମନକୁ ଆଣୁଛନ୍ତି କି?”

ତାଙ୍କପରେ ଶକୁନି ସାନ୍ତ୍ୱନା ଦେଇ କହିଲେ, “ତୁମେ ଏ କଣ କରିବା ପାଇଁ ଯାଉଛ? ପଶାଖେଳର ଫାଶ ବିଛାଇ ମୁଁ ପାଣ୍ଡବମାନଙ୍କୁ ସର୍ବସ୍ୱାନ୍ତ କରି, ସକଳ ସମ୍ପଦ ତୁମକୁ ଆଣିଦେଲି । ମୋର ସମସ୍ତ ଉଦ୍ୟମ ତୁମେ କ’ଣ ବିଫଳ କରାଇବାକୁ ଚାହୁଁଛ? ଏପରି ନିରର୍ଥକ ବିଚାର ତ୍ୟାଗ କରି, ଆନନ୍ଦରେ ସମୟ ବିତାଅ ।”

ଦୁର୍ଯ୍ୟୋଧନର ବିରସ ମନକୁ କାହାରି କଥା ଛୁଇଁ ନ ଥାଏ । ଓଲଟି ତାହା ତାଙ୍କୁ ଅଧିକ ପୀଡା ଦେଉଥାଏ । ତେଣୁ ସେ ବଳ୍କଳ ପରିଧାନ କରି, କୁଶାସନ ଉପରେ ବସି ଉପବାସ ବ୍ରତ ଆରମ୍ଭ କଲେ ।

ସେହି ସମୟରେ ଦେବତାଙ୍କ ଡରରେ ଦାନବଗଣ ପାତାଳ ପୁରୀରେ ଯାଇ ଆତ୍ମଗୋପନ କରିଥାନ୍ତି । ସେମାନେ ଜାଣିଗଲେ ଯେ, ଦୁର୍ଯ୍ୟୋଧନ ଉପବାସ ବ୍ରତ ଆରମ୍ଭ କରିଛନ୍ତି । ସେମାନେ ଇଚ୍ଛାକଲେ, ଦୁର୍ଯ୍ୟୋଧନଙ୍କୁ ନିଜ ପାଖକୁ ଡାକିନେବେ ଓ ଉପଯୁକ୍ତ ପରାମର୍ଶ ଦେବେ । ଏହି ଉଦ୍ଧେଶ୍ୟରେ ସେମାନେ ଏକ ଅଗ୍ନିକୁଣ୍ଡ ସ୍ଥାପନ କରି, ଅଥର୍ବବେଦ ପାଠ କଲେ ଓ ଦୁଗ୍ଧ ଆହୁତି ଦେଇ ହୋମ ଆରମ୍ଭ କଲେ । ସେହି ଅଗ୍ନିରୁ ‘କୃତ୍ୟା’ ନାମକ ଏକ ରାକ୍ଷସ ଉତ୍ପନ୍ନ ହେଲା ଓ ଦାନବଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲା, “ତୁମମାନଙ୍କୁ ମୁଁ କିପରି ସାହାଯ୍ୟ କରିପାରିବି, ତାହା ପ୍ରକାଶ କର ।”

“ଭୂଲୋକରେ ଦୁର୍ଯ୍ୟୋଧନ ଉପବାସ ବ୍ରତ ଆରମ୍ଭ କରିଛି । ତାକୁ ଏହି ପାତାଳଲୋକକୁ ସ୍ୱଶରୀରରେ ଘେନି ଆସ ।” ଦାନବଙ୍କର ଏପରି ଆଦେଶ ପାଇ କୃତ୍ୟା ତତ୍କ୍ଷଣାତ୍ ତାହା ପାଳନ କରି ଦୁର୍ଯ୍ୟୋଧନଙ୍କୁ ପାତାଳଲୋକକୁ ନେଇ ଆସିଲା ।

ସାରାରାତି ଦୁର୍ଯ୍ୟୋଧନଙ୍କୁ ସେ ଦାନବମାନେ ନିଜ ପାଶ୍ୱର୍ରେ ବସାଇ, ତାଙ୍କର ସମସ୍ତ ପ୍ରକାର ମନୋରଞ୍ଜନ ବ୍ୟବସ୍ଥା କଲେ ଓ କହିଲେ, “ତୁମେ ତ ଜଣେ ଉତ୍ତମ କ୍ଷତ୍ରିୟ । ହେଲେ କ୍ଷତ୍ରିୟ ଧର୍ମକୁ ପରିତ୍ୟାଗ କରି ଏହି ଉପବାସ ଦୀକ୍ଷା ତୁମେ କାହିଁକି ଗ୍ରହଣ କରୁଛ? ଏହା ଫଳରେ ତୁମକୁ ଆତ୍ମହତ୍ୟା ପାପ ଗ୍ରାସ କରିବ । ସାର ହେବ, କିଛି ସୁଖ ବା ଗୌରବର ପ୍ରଶ୍ନ ଉଠୁନାହିଁ । ଶତ୍ରୁଙ୍କୁ ଆନନ୍ଦିତ କରିବା ପରି ଏହି କାର୍ଯ୍ୟ ବନ୍ଦ କର । ତୁମର ଏହି ବଜ୍ର କଠୋର ଶରୀର ଈଶ୍ୱରଙ୍କର ଏକ ବରଦାନ ଅଟେ । ତୁମ ଶରୀରର ନିମ୍ନଭାଗ ଆମେ ସୃଷ୍ଟି କରିଛୁ । ତୁମେ କୌଣସି ସାଧାରଣ ମାନବ ନୁହଁ । ଯୁଦ୍ଧ ସମୟରେ ଯେଉଁମାନେ ସବୁ ତୁମ ପକ୍ଷରେ ରହି ଲଢିବେ, ସେମାନେ ସମସ୍ତେ ଆମମାନଙ୍କର ଅଂଶ ଅଟନ୍ତି । ତୁମର ସଖା କର୍ଣ୍ଣ ନରକାସୁରର ଏକ ଅଂଶ ଅଟେ । ତେଣୁ ତୁମେ ଏହି ବୃଥା ଭାବନା ତ୍ୟାଗ କରି, ନିର୍ଭୟରେ ରାଜ୍ୟ କାର୍ଯ୍ୟ ପରିଚାଳନା କର । ଯେଉଁଦିନ ପାଣ୍ଡବମାନଙ୍କର ବିଲୋପ ଘଟିବ, ଖାଲି ସେହିଦିନକୁ ପ୍ରତୀକ୍ଷା କର ।” ଏପରି ବାଣୀ ଦୁର୍ଯ୍ୟୋଧନଙ୍କ ଅଶାନ୍ତ ତଥା ଉତ୍ତପ୍ତ ମନକୁ ଅନେକାଂଶରେ ଶୀତଳ କଲା । ତା’ ମନରେ ଉତ୍ସାହ ସଂଚରି ଉଠିଲା । କୃତ୍ୟା ପୂର୍ବପରି ତାଙ୍କୁ ଆଣି ଭୂଲୋକର ସେହି କୁଶାସନ ଉପରେ ବସାଇ ଦେଇ ଚାଲିଗଲା ।

ପ୍ରଭାତ ସମୟକୁ ଦୁର୍ଯ୍ୟୋଧନଙ୍କୁ ମନେହେଲା, ସତେ ଯେପରି ସେ ଏକ ସ୍ୱପ୍ନ ଦେଖୁଥିଲେ । ସେ ଏହି ବିଷୟ କାହା ଆଗରେ କିଛି ପ୍ରକାଶ କଲେ ନାହିଁ ।

ଦୁର୍ଯ୍ୟୋଧନଙ୍କ ମାନସିକ ପରିବର୍ତ୍ତନ କର୍ଣ୍ଣ ତଥା ଅନ୍ୟମାନଙ୍କ ମନରେ ପ୍ରସନ୍ନତା ଆଣିଦେଲା । ପରିବାରବର୍ଗଙ୍କୁ ସଙ୍ଗରେ ଧରି ଦୁର୍ଯ୍ୟୋଧନ ମହା ଆଡମ୍ବରରେ ହସ୍ତିନାପୁର ପ୍ରତ୍ୟାବର୍ତ୍ତନ କଲେ ।

କୁରୁସଭାରେ ସମସ୍ତଙ୍କ ଉପସ୍ଥିତିରେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଭତ୍ସର୍ନା କରି କହିଲେ, “ଆମ୍ଭମାନଙ୍କର ବାରଣ ନ ମାନି, ଘୋଷଯାତ୍ରାର ଆଡମ୍ବର ଦେଖାଇବାକୁ ଯାଇ, ଅପମାନିତ ଓ ପରାଜିତ ହେଲ । ଧର୍ମରାଜ ତୁମର ସମ୍ମାନ ରକ୍ଷା କରି ଉଦାର ବ୍ୟବହାର ପୋଷଣ କଲେ । କର୍ଣ୍ଣ ପାଇଁ ତୁମେ ଏହି ମହାନ୍ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଆଚରଣ କରିଛ । କିନ୍ତୁ ତୁମର ସେହି ପ୍ରିୟସଖା କର୍ଣ୍ଣ, ତୁମକୁ ଗନ୍ଧର୍ବଙ୍କ ହାତରେ ଛାଡିଦେଇ, ସ୍ୱୟଂ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ଏବେ ବି ସମୟ ଅଛି, ପାଣ୍ଡବଙ୍କ ସହିତ ସ୍ନେହସମ୍ପର୍କ ସ୍ଥାପନ କରି ନିଜର କୁଳ ରକ୍ଷା କର ।”

ତାଙ୍କ କଥାକୁ ଦୁର୍ଯ୍ୟୋଧନ ହସରେ ଉଡାଇ ଦେଲେ ଓ କର୍ଣ୍ଣ, ଶକୁନି ଦୁଃଶାସନ ଆଦିଙ୍କୁ ନିଜ ସଙ୍ଗରେ ଧରି ସେ ସଭାସ୍ଥଳ ପରିତ୍ୟାଗ କଲେ । କିନ୍ତୁ ଭୀଷ୍ମଙ୍କ କଥାରେ କର୍ଣ୍ଣ ଲଜ୍ଜିତ ଅନୁଭବ କରି, ମୁଣ୍ଡ ତଳକୁ କରିଦେଲେ । ସେ ଧରିନେଲେ ଯେ, ତାଙ୍କୁ ଅପମାନିତ କରିବା ଭୀଷ୍ମଙ୍କର ଉଦ୍ଧେଶ୍ୟ ଥିଲା । ସେ ଦୁର୍ଯ୍ୟୋଧନଙ୍କୁ କହିଲେ, “ରାଜନ୍ ମୋତେ ସୈନ୍ୟବଳ ପ୍ରଦାନ କରନ୍ତୁ । ଭୀମ, ଅର୍ଜୁନ, ନକୁଳ, ସହଦେବ ଏ ଚାରିଜଣ ମିଶି ଯେତେ ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି, ମୁଁ ଏକାକୀ ଏହାଠାରୁ ଅଧିକ ରାଜ୍ୟ ଦଖଲ କରି ତୁମକୁ ସମର୍ପଣ କରିବି । ତେବେ ଯାଇ, ସେହି ବୃଦ୍ଧ ଭୀଷ୍ମ ମୋ ସମ୍ବନ୍ଧରେ ଏପରି ଭୀରୁତାପୂର୍ଣ୍ଣ ବାକ୍ୟ ଆଉ କେବେବି ମଧ୍ୟ ଉଚ୍ଚାରଣ କରିପାରିବ ନାହିଁ । ଏହା ମୋର ସମ୍ମାନ ଫେରେଇ ଆଣିବା ସହିତ, ମୋର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ସୁଯୋଗ ପ୍ରଦାନ କରିବ ।” ଦୁର୍ଯ୍ୟୋଧନ ଏଥିରେ ସମ୍ମତ ହେଲେ ।

ସେନାବାହିନୀଙ୍କୁ ସଙ୍ଗରେ ନେଇ କର୍ଣ୍ଣ ପ୍ରଥମେ ଦ୍ରୁପଦ ରାଜ୍ୟକୁ ପରାସ୍ତ କରି ସେଠାରୁ କର ଆଦାୟ କଲେ । ଏହାପରେ ଉତ୍ତରଦିଗରେ ଯାତ୍ରା କରି ସେ ଅଙ୍ଗ, ବଙ୍ଗ, କଳିଙ୍ଗ, ମଗଧ, ମତ୍ସ୍ୟ, କୋଶଳ ଆଦି ଦେଶର ଶାସକଙ୍କୁ ପରାଜିତ କରି ସେମାନଙ୍କଠାରୁ କର ଆଦାୟ କଲେ । ତତ୍ପରେ ଦକ୍ଷିଣ ଦିଗରେ ଜୟଯାତ୍ରା କରି, ସେ ଆହୁରି ଅନେକ ରାଜାଙ୍କୁ ପରାସ୍ତ କଲେ । କୁଣ୍ଡିନ ନଗରୀର ରାଜା ରୁକ୍ମୀ ବିନାଯୁଦ୍ଧରେ କର୍ଣ୍ଣଙ୍କ ସହିତ ସନ୍ଧିସ୍ଥାପନ କଲେ । ଏହିପରି ସଫଳ ଦିଗ୍ବିଜୟ ଯାତ୍ରା ସମାପ୍ତ କରି ହସ୍ତିନାକୁ ସେ ଫେରିଆସିଲେ ।

ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ଭୀଷ୍ମ, ଦ୍ରୋଣ, ବାହ୍ଲିକ ଆଦି କେତେ ବୀର ମୋ ପକ୍ଷରେ ଥାଇ ମଧ୍ୟ, ତୁମେ ଯାହା କାର୍ଯ୍ୟରେ କରି ଦେଖାଇଲ ସେପରି ଆଉ କେହିବି କରିନାହାଁନ୍ତି । ତୁମେ ହିଁ ମୋର ପ୍ରକୃତ ମିତ୍ର ।”

କର୍ଣ୍ଣଙ୍କ ଦିଗ୍ବିଜୟ ପରେ, ଦୁର୍ଯ୍ୟୋଧନଙ୍କ ମୁଣ୍ଡରେ ପୁଣି ଏକ ଦୁର୍ବୁଦ୍ଧି ଜାତ ହେଲା ଯେ, ସେ ଏକ ରାଜସୂୟ ଯଜ୍ଞ କରିବେ । ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରି ସେ ରତ୍ୱିକ ମାନଙ୍କୁ ଯଜ୍ଞାନୁଷ୍ଠାନ ପାଇଁ ଡକାଇଲେ ।

କିନ୍ତୁ ରତ୍ୱିକ ଗଣ ଆପତ୍ତି କରି କହିଲେ, “ପାଣ୍ଡବମାନଙ୍କ ଉପରେ ବିଜୟ ହାସଲ କରିବା ପରେ ଯାଇ ତୁମେ ରାଜସୂୟ ଯଜ୍ଞ କରିବା ପାଇଁ ସମର୍ଥ ହେବ । ଏହା ବ୍ୟତୀତ ତୁମର ପିତା ଏବେସୁଦ୍ଧା ଜୀବିତ ଅଛନ୍ତି । ତେଣୁ ତାଙ୍କ ଜୀବନକାଳ ମଧ୍ୟରେ ତୁମକୁ ଚକ୍ରବର୍ତ୍ତୀ ବୋଲାଇବାର ଅଧିକାର ମିଳିବ ନାହିଁ । ଯଜ୍ଞ କରିବାକୁ ଚାହୁଁଥିଲେ, ରାଜସୂୟ ସମାନ ଅନ୍ୟ ଏକ ଯଜ୍ଞ ‘ବୈଷ୍ଣବ ଯଜ୍ଞ’ ତୁମେ କରିପାର ।”

ଦୁର୍ଯ୍ୟୋଧନ ରତ୍ୱିକଗଣଙ୍କର ଏହି ପରାମର୍ଶ ନିଜର ଭାତୃବୃନ୍ଦ, କର୍ଣ୍ଣ ଓ ଶକୁନିକୁ ଜଣାଇଲେ । ସେମାନଙ୍କର ସହମତିରେ ବୈଷ୍ଣବଯଜ୍ଞର ଆୟୋଜନ କରାଗଲା । ନଗରର ବାହାରେ ସେମାନେ ଏକ ଯଜ୍ଞଶାଳା ନିର୍ମାଣ କଲେ । ସେହି ସମୟରେ ପାଣ୍ଡବଗଣ ଦ୍ୱୈତବନରେ ରହୁଥିଲେ । ଜଣେ ଦୂତଙ୍କୁ ପ୍ରେରଣ କରି ଦୁର୍ଯ୍ୟୋଧନ ଏହି ସମାଚାର ଯୁଧିଷ୍ଠିରଙ୍କୁ ଜଣାଇଲେ । ଧର୍ମରାଜ ସେହି ଦୂତକୁ କହିଲେ, “ଆମ୍ଭର ଭ୍ରାତା ଦୁର୍ଯ୍ୟୋଧନଙ୍କର ଯଜ୍ଞାନୁଷ୍ଠାନର ସମାଚାର ଶୁଣି ଆମେ ଅତି ଆନନ୍ଦିତ । କିନ୍ତୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଆମେ ସେହି ଯଜ୍ଞରେ ଭାଗ ନେବାପାଇଁ ହସ୍ତିନାପୁର ଯାଇ ପାରିବୁ ନାହିଁ । ଏହାଦ୍ୱାରା ଆମର ବନବାସ ଦୀକ୍ଷା ଭଗ୍ନ ହେବ ।”

ବୈଷ୍ଣବ ଯଜ୍ଞ ବିନା ବାଧାବିଘ୍ନରେ ସମ୍ପନ୍ନ ହୋଇଗଲା । ଏହି ଅବସରରେ ଦୁର୍ଯ୍ୟୋଧନଙ୍କୁ ଅଭିନନ୍ଦନ ଜଣାଇ କର୍ଣ୍ଣ କହିଲେ, “ଆଗାମୀ ଯୁଦ୍ଧରେ ମୁଁ ପାଣ୍ଡବଗଣଙ୍କୁ ମୃତ୍ୟୁଲୋକରେ ପହଁଚାଇବି ଓ ତୁମଦ୍ୱାରା ରାଜସୂୟ ଯଜ୍ଞ ବି କରାଇବି ।”

ପାଣ୍ଡବ ଦ୍ୱୈତବନରେ ଦୀର୍ଘକାଳ ଅବସ୍ଥାପନ କଲେ । ସେମାନଙ୍କର ଶିକାର କାରଣରୁ ଅରଣ୍ୟରୁ ପଶୁସଂଖ୍ୟା ଦିନକୁ ଦିନ ହ୍ରାସ ପାଇଲା । ଏହା ଲକ୍ଷ୍ୟ କରି ଧର୍ମରାଜ ତାଙ୍କ ଭାଇମାନଙ୍କ ସହିତ କାମ୍ୟକବନ ଚାଲିଆସିଲେ ଓ ଫଳାହାର କରି ଜୀବନନିର୍ବାହ କରିବା ପାଇଁ ନିଷ୍ପତି ନେଲେ ।

ଏପରି ବନବାସର ଏକାଦଶ ବର୍ଷ ସମାପ୍ତ ହେଲା । ସମୟେ ସମୟେ ଧର୍ମରାଜ ନିଜର କୃତକର୍ମ ପାଇଁ ଅନେକ ମନସ୍ତାପ କରୁଥାନ୍ତି ଯେ, ସେ ଯେବେ ପଶା ଖେଳି ନ ଥାନ୍ତେ, ତେବେ ତାଙ୍କର ଭ୍ରାତା ଓ ଦ୍ରୌପଦୀଙ୍କୁ ଆଜି ଏପରି ଦୁଃସହ କଷ୍ଟ ଭୋଗିବାକୁ କେବେବି ପଡି ନ ଥାନ୍ତା । ଭବିଷ୍ୟତ କଥା ଭାବିଲେ, ତାଙ୍କ ସ୍ମରଣକୁ କର୍ଣ୍ଣଙ୍କର ପାଣ୍ଡବଙ୍କୁ ବଧ କରିବାର ଅଟଳ ପ୍ରତିଜ୍ଞା ଆସୁଥାଏ । ଏହି ସବୁ ଦୁଃଶ୍ଚିନ୍ତାରେ ତାଙ୍କୁ ରାତ୍ରିରେ ନିଦ୍ରା ଆଉ ମଧ୍ୟ ଆସୁ ନ ଥାଏ ।

ଥରେ ବ୍ୟାସଦେବ ସେମାନଙ୍କୁ ଭେଟିବା ପାଇଁ କାମ୍ୟକବନରେ ଯାଇ ପହଁଚିଲେ । ଦେଖିଲେ, ପାଣ୍ଡବମାନେ ହତୋତ୍ସାହିତ ଓ ବଳହୀନ ହୋଇ ପଡିଛନ୍ତି । ସେ ସେମାନଙ୍କୁ ଧୈର୍ଯ୍ୟ ପ୍ରଦାନ କରି ଭବିଷ୍ୟବାଣୀ କରି କହିଲେ, ତେରବର୍ଷର ଏହି ବନବାସ ଯୋଗ ସଫଳତାର ସହିତ କଟିଯିବା ପରେ, ତୁମ୍ଭମାନଙ୍କୁ ନିଶ୍ଚୟ ରାଜ୍ୟ ପ୍ରାପ୍ତ ହେବ ।

ଅରଣ୍ୟରେ ନାନାଦି ଦୁଃଖ ଯାତନାରେ ପାଣ୍ଡବ ମାନଙ୍କର ସମୟ ବିତୁଥିବା ବେଳେ, ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଆଦି ବିଭିନ୍ନ ଯୋଜନାରେ ଲାଗି ପଡିଥାନ୍ତି ଯେ କିପରି ସେମାନଙ୍କର ବନବାସ ଦୀକ୍ଷା ଭଗ୍ନ ହେବ ଓ ସେମାନଙ୍କୁ ଅଧିକରୁ ଅଧିକ କଷ୍ଟ ଦିଆଯାଇପାରିବ ।

ଏହି ସମୟରେ, ଦୁର୍ବାସା ମହାମୁନି ତାଙ୍କର ଦଶହଜାର ଶିଷ୍ୟଙ୍କୁ ସାଥିରେ ଆଣି ହସ୍ତିନାପୁର ଠାରେ ଆସି ପହଁଚିଲେ । ମହାମୁନି ଦୁର୍ବାସା ତ ତାଙ୍କର କ୍ରୋଧୀ ସ୍ୱଭାବ ପାଇଁ ପ୍ରସିଦ୍ଧ । ତାଙ୍କର ଆତିଥ୍ୟରେ ସାମାନ୍ୟତମ ତ୍ରୁଟି ପରିଲକ୍ଷିତ ହେଲେ ସେ ଅଭିଶାପ ଦେବେ । ତେଣୁ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ ଅତି ସାବଧାନତାର ସହିତ ତାଙ୍କର ସେବା କରୁଥାନ୍ତି ।

ଦୁର୍ବାସା ଦୁର୍ଯ୍ୟୋଧନଙ୍କର ଅନେକ ପରୀକ୍ଷା ନେଉଥାନ୍ତି । ତତକ୍ଷଣାତ୍ ଭୋଜନ ବ୍ୟବସ୍ଥା କରିବା ପାଇଁ କହି, ବହୁତ ଡେରିରେ ସେ ଆସି କହନ୍ତି ଯେ, ତାଙ୍କର ଖାଇବା ପାଇଁ ଇଚ୍ଛାନାହିଁ । ଅଧରାତିରେ ଉଠି ଭୋଜନ ପ୍ରବନ୍ଧ କରିବା ପାଇଁ ସେ ଆଦେଶ କରନ୍ତି । ସମୟ ସମୟରେ ଭୋଜନକୁ ସ୍ୱାଦହୀନ କହି ପ୍ରତ୍ୟାଖ୍ୟାନ ବି ସେ କରନ୍ତି ।

ଏହିପରି ଦୁର୍ବାସା ଦୁର୍ଯ୍ୟୋଧନଙ୍କୁ ଅନେକ ହଇରାଣ କଲେ ମଧ୍ୟ, ବଡ ସହିଷ୍ଣୁତାର ସହିତ ସେ ତାଙ୍କର ସେବା କଲେ । ଆନନ୍ଦିତ ହୋଇ ଦୁର୍ବାସା ତାଙ୍କ ମନଲାଖି ବରଟିଏ ମାଗିବା ପାଇଁ ଅନୁମତି ଦେଲେ ।

ଦୁର୍ଯ୍ୟୋଧନ ବହୁତ ଆନନ୍ଦିତ ହେଲେ ଯେ, ଦୁର୍ବାସାଙ୍କ ପରି ଋଷି ତାଙ୍କୁ ଶାପ ପରିବର୍ତ୍ତେ ବର ଯାଚଜ୍ଞା କରୁଛନ୍ତି । ସେ ଶକୁନି, କର୍ଣ୍ଣ, ଦୁଃଶାସନଙ୍କ ସହ ପରାମର୍ଶ କରି ଦୁର୍ବାସାଙ୍କୁ କହିଲେ, “ପ୍ରଭୁ, ଧର୍ମରାଜ ଏବେ ତାଙ୍କର ଭାଇ, ପତ୍ନୀ ଓ ଅନେକ ବ୍ରାହ୍ମଣଙ୍କ ସହିତ ଅରଣ୍ୟବାସ କରୁଛନ୍ତି । ଯେଉଁସମୟରେ ଦ୍ରୌପଦୀ ସେମାନଙ୍କୁ ଭୋଜନ ପ୍ରଦାନ ପରେ ନିଜେ ଖାଦ୍ୟ ଗ୍ରହଣ କରି ବିଶ୍ରାମ ନେଇଥିବେ, ଠିକ୍ ସେହି ସମୟରେ ଆପଣ ଓ ଏହି ଶିଷ୍ୟଗଣ ସେମାନଙ୍କ ନିକଟକୁ ଯାଇ ଆତିଥ୍ୟ ଲୋଡିବେ । ଏହି ବର ମୁଁ ଆପଣଙ୍କ ଠାରୁ ଚାହୁଁଛି ।”

ଦୁର୍ବାସା ତାଙ୍କର କଥା ମାନିନେଇ ଶିଷ୍ୟଗଣଙ୍କ ସହିତ କାମ୍ୟକବନ ଅଭିମୁଖେ ଯାତ୍ରାକଲେ । ଏଣେ ଦୁର୍ଯ୍ୟୋଧନଙ୍କ ଖୁସି କହିଲେ ନ ସରେ । ପାଣ୍ଡବଗଣ ଦୁର୍ବାସାଙ୍କ ଦ୍ୱାରା ନିଶ୍ଚୟ ଶାପଗ୍ରସ୍ତ ହେବେ । ସେମାନଙ୍କର ସର୍ବନାଶ ଘଟିବ ।

ଦିନେ କାମ୍ୟକବନ ଠାରେ ଦ୍ରୌପଦୀ ସମସ୍ତଙ୍କୁ ଖାଇବାକୁ ଦେବା ପରେ ନିଜେ ଭୋଜନ ସମାପ୍ତ କରି ବିଶ୍ରାମ ନେଉଥାଆନ୍ତି । ଠିକ୍ ଏହି ସମୟରେ ଦୁର୍ବାସା ତାଙ୍କର ଦଶହଜାର ଶିଷ୍ୟଙ୍କୁ ସଙ୍ଗରେ ନେଇ ସେଠାରେ ଆସି ପହଁଚିଲେ । ଧର୍ମରାଜ ଓ ତାଙ୍କର ଭ୍ରାତାଗଣ ସେମାନଙ୍କର ପଦପୂଜା କରି କହିଲେ, “ମହାତ୍ମା, ଶିଷ୍ୟଗଣଙ୍କ ସମେତ ଆପଣ ଆମର ଆତିଥ୍ୟ ସ୍ୱୀକାର କରନ୍ତୁ ।”

ଦୁର୍ବାସା, ଏହି ଅନୁରୋଧରେ ଦ୍ୱନ୍ଦ୍ୱରେ ପଡିଗଲେ ଯେ, ଏହି ମହାରଣ୍ୟରେ ପାଣ୍ଡବ କିପରି ତାଙ୍କର ଓ ତାଙ୍କ ଶିଷ୍ୟଗଣଙ୍କ ପରିଚର୍ଯ୍ୟା କରିବେ । ସେ ଅନୁରୋଧ ରକ୍ଷା କରି ଶିଷ୍ୟମାନଙ୍କ ସହିତ ଗଂଗା ସ୍ନାନ କରିବା ପାଇଁ ଚାଲିଗଲେ ।

ଦ୍ରୌପଦୀ, ଏତେ ଲୋକଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ ପରିଶେଷରେ ଦ୍ୱାରିକାନାଥ ଶ୍ରୀକୃଷ୍ଣଙ୍କୁହିଁ ସ୍ମରଣ କଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।

ଆଧାର - ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate