অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାୟାଚିତ୍ର

ମାୟାଚିତ୍ର

ଉପକ୍ରମ

ବହୁଦିନ ପୂର୍ବେ ରାଜସ୍ଥାନରେ ଜୟସିଂହ ନାମରେ ଜଣେ ରାଜା ଥିଲେ । ଚିତ୍ର ଅଙ୍କନ କରିବା ତାଙ୍କର ବଡ ସଉକ ଥିଲା । ଏଣୁ ସେ ତାଙ୍କ ଦରବାରରେ ଜଣେ ବଡ ଚିତ୍ରକରକୁ ରଖିଥିଲେ । ତାଙ୍କର ଇଚ୍ଛାଥିଲା ନିଜ ଚିତ୍ର ସେହି ଚିତ୍ରକରଙ୍କ ଦ୍ୱାରା ସେ କରାଇବେ । କିନ୍ତୁ ହଠାତ୍ ଦିନେ ସେ ଚିତ୍ରକର ମରିଗଲେ ।

ବର୍ଣ୍ଣନା

ସେତେବେଳେ ହିମାଳୟର ପ୍ରାନ୍ତ ଦେଶରୁ ରାଜସ୍ଥାନକୁ ହେମଚନ୍ଦ୍ର ନାମକ ଜଣେ ଦରିଦ୍ର ଚିତ୍ରକର ଆସିଥା’ନ୍ତି । ସେ ଶୁଣିଲେ ଯେ ଜୟସିଂହଙ୍କ ଦରବାରରେ ଚିତ୍ରକର ସ୍ଥାନ ଖାଲି ପଡିଛି, ସେମାନେ ଏପର୍ଯ୍ୟନ୍ତ କୌଣସି ଚିତ୍ରକରକୁ ନିଯୁକ୍ତି ଦେଇ ନାହାଁନ୍ତି । ସେହି ଚାକିରୀଟି ପାଇବା ଆଶାରେ ସେ ନିଜ ଗଧ ଉପରେ ବସି ତିନିଦିନ ଧରି ମରୂଭୁମିରେ ନଖାଇ ନପିଇ ଆସି ସେଠାରେ ପହଁଚିଲେ ।

ସୈନିକମାନେ ତାଙ୍କୁ ରାଜନଅର ଭିତରକୁ ପଶିବାକୁ ଦେଲେ ନାହିଁ । ସେ କହିଲେ, “ମୁଁ ଜଣେ ଚିତ୍ରକର, ମୁଁ କିଛି ଚିତ୍ର ରାଜାଙ୍କ ପାଇଁ ନେଇ ଆସିଛି । ଏକଥା ଶୁଣି ତାଙ୍କୁ ସେମାନେ ଛାଡିଦେଲେ ।”

ହେମଚନ୍ଦ୍ର ରାଜାଙ୍କୁ ଦର୍ଶନ କରି କହିଲେ, “ବହୁଦୂରରୁ ମୁଁ ଉପାସ ଭୋକରେ ପଡି ଏଠାକୁ ଆସିଛି । ଦେଖନ୍ତୁ ଏଚିତ୍ର, ଏହାକୁ ମୁଁ ନିଜେ ଅଙ୍କନ କରିଛି । ଏଥିରୁ ଆପଣ ଠିକ୍ ଜାଣି ପାରିବେ ଯେ ମୋର ଚିତ୍ର କରିବାର ଶକ୍ତି କେତେ ।”

ରାଜା ତାଙ୍କ ଚିତ୍ରଟି ଦେଖି ଖୁବ୍ ଖୁସି ହେଲେ । ସେଥିରେ ପ୍ରାକୃତିକ ଦୃଶ୍ୟ ଏତେ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ଯେ ତାହା ଜୀବନ୍ତ ଦେଖାଯାଉଛି । କେତେକ ରାଜା ଓ ରାଣୀଙ୍କର ଚିତ୍ର ସବୁ ସେଥିରେ ଥିଲା ଏବଂ ତାହା ଏତେ ଜୀବନ୍ତ ଥିଲା ଯେ ମନେ ହେଉଥିଲା ସତେ ଯେପରି ସେମାନେ ସମ୍ମୁଖରେ ବସିଛନ୍ତି । ଏସବୁ ଘଟଣା ଦେଖି ସେ ରାଜା ହଠାତ୍ ବୁଝିପାରିଲେ ନାହିଁ ଯେ, ଏତେ ବଡ ଜଣେ ଚିତ୍ରକରର ଏପରି ଅବସ୍ଥା କାହିଁକି ହେଲା?

ଜୟସିଂହ ପଚାରିଲେ “ଏ ଚିତ୍ର ମୋତେ ଭାରି ଭଲ ଲାଗୁଛି । ଏବେ କୁହ ଏଥିଲାଗି ମୋତେ କେତେ ମୂଲ୍ୟ ଦେବାକୁ ହେବ?”

ହେମଚନ୍ଦ୍ର କହିଲେ “ହଜୁର୍, ମୁଁ କ୍ଷୁଧାର୍ତ୍ତ, ଏଣୁ ଆପଣ ପ୍ରଥମେ ମୋତେ କିଛି ଖାଦ୍ୟ ଦିଅନ୍ତୁ; ତାଛଡା ମୁଁ ଶୁଣିଥିଲି ଆପଣଙ୍କ ଦରବାରରେ ଚିତ୍ରକର ପଦ ଖାଲି ଅଛି । ଆପଣ ଯଦି ସେଥିରେ ମୋତେ ରଖି ପାରନ୍ତେ ତେବେ ଏହା ମୋ ପ୍ରତି ଏକ ବଡ ଅନୁଗ୍ରହ ହୁଅନ୍ତା ।” ଏହାପରେ ରାଜା ତାଙ୍କର ପ୍ରାର୍ଥନା ସ୍ୱୀକାର କଲେ । ସୁତରାଂ ସେ ତାଙ୍କ ଦର ବାରରେ ଚିତ୍ରକର ସ୍ଥାନ ଅଳଙ୍କୃତ କଲେ ।

ଦିନେ ସେ ରାଜା ଭାବିଲେ, “ଏବେ ଏହି ଚିତ୍ରକର ଦ୍ୱାରା ମୋର ତୈଳଚିତ୍ର ମୁଁ କରାଇବି ।” ଏପରି ଭାବି ସେ ରାଜା ହେମଚନ୍ଦ୍ରଙ୍କୁ ଡାକି କହିଲେ, “ଆମ ପୂର୍ବପୁରୁଷମାନଙ୍କର ଚିତ୍ରସବୁ ରହିଛି, କିନ୍ତୁ ମୋର ଚିତ୍ର ଏପର୍ଯ୍ୟନ୍ତ ତିଆରି ହୋଇନାହିଁ । ମୋର ଉତ୍ତରପୁରୁଷମାନେ ତ ପୁଣି ମୋ ଚିତ୍ର ଦେଖିବେ । ତେଣୁ ତମେ ମୋର ତୈଳଚିତ୍ରଟିଏ ପ୍ରସ୍ତୁତ କର ।”

ହେମଚନ୍ଦ୍ର କହିଲେ “ମହାରାଜ, କେବଳ ଆପଣଙ୍କର କାହିଁକି? ଆପଣଙ୍କ ସହିତ ସିଂହାସନରେ ଆସୀନା ରାଣୀ, ପୁଣି ଆପଣଙ୍କ ମନ୍ତ୍ରୀ, ସେନାପତି ପ୍ରଭୃତିଙ୍କର ଚିତ୍ର ମଧ୍ୟ ମୁଁ ତିଆରି କରିବି ।”

ଏହି କଥା ଶୁଣି ସେ ରାଜା ବହୁତ ଖୁସି ହୋଇଗଲେ ଓ ପୁରା ରାଜସଭାର ଚିତ୍ର ଆଙ୍କିବାକୁ ତାଙ୍କୁ ଅନୁମତି ମଧ୍ୟ ଦେଲେ । ରାଜାଙ୍କ ଦରବାରରେ କେତେକ ବୁଢା ଥିଲେ ସେମାନେ ସମସ୍ତେ ଦେଖିବାକୁ ମୋଟା ପେଟୁଆ; ଓ ଟେରା ବି । ସେମାନେ ସବୁ ହେମଚନ୍ଦ୍ରଙ୍କ ପାଖକୁ ଜଣ ଜଣ କରି ଆସି କହିଲେ, ଯେ ଯେପରି ସେମାନଙ୍କ ଚିତ୍ର ଭଲ ଭାବରେ ଅଙ୍କନ କରାଯାଏ । ତା’ସହିତ ସେମାନେ ପୁଣି ଏହାବି ଧମକ ଦେଲେ ଯେ ଯଦି ସେମାନଙ୍କ ଚିତ୍ର ଭଲ ନହୁଏ ତେବେ ସେମାନେ ତାକୁ ଭଲକରି ପିଟିବେ । ମନୁଷ୍ୟର ସ୍ୱଭାବ ଏପରି କାହିଁକି ବୋଲି ହେମଚନ୍ଦ୍ର ଭାବିଲେ, ନିଜ ରୂପକୁ ଦେଖିବାକୁ ଏତେ ଭୟ କାହିଁକି? ପ୍ରକୃତ ଚିତ୍ରକୁ ପସନ୍ଦ ନ କରି କୃତ୍ରିମକୁ କାହିଁକି ଏମାନେ ଏତେ ପସନ୍ଦ କରୁଛନ୍ତି? ସେମାନଙ୍କ ଆଦେଶ ନ ମାନିଲେ ପରିଣାମ ବହୁତ ଖରାପ ମଧ୍ୟ ହୋଇପାରେ ।

ଏସବୁ ଖବର ଶୁଣି ରାଜା ହେମଚନ୍ଦ୍ରଙ୍କୁ ଡାକି କହିଲେ, “ଦରବାରରେ ଯାହା ଦେଖୁଛ ତାହାହିଁ ଚିତ୍ରଣ କର । ଯଦି ସେଥିରେ କୌଣସି ବି ପରିବର୍ତ୍ତନ କରିବ ତ ଜାଣ ଫାଶୀ ଦଣ୍ଡହିଁ ତୁମ କାର୍ଯ୍ୟର ପରିଣାମ ହେବ । ମୋର ଏହି କଥା ଯେପରି ସର୍ବଦା ତୁମର ମନେ ରହେ ।” ହେମଚନ୍ଦ୍ର ଦେଖିଲେ ଚତୁର୍ଦ୍ଦିଗରୁ ବିପତ୍ତି । ସେ ଯେପରି କରନ୍ତୁ ବା ଯାହାହେଲେ କରନ୍ତୁ, ପରିଣାମରେ ତ ମୃତ୍ୟୁ ଅନିବାର୍ଯ୍ୟ । ବହୁତ ଚିନ୍ତାକରି ଶେଷରେ ସେ କିଛି ଠିକ୍ କଲେ ।

ଚିତ୍ରାଙ୍କନ ଗୋଟିଏ କାନ୍ଥରେ କରାଗଲା । ତାହା ମୂଳରୁ ପରଦା ଦ୍ୱାରା ଘୋଡା ହୋଇଥାଏ । ଦୁଇତିନିଜଣ ଲୋକ ତାଙ୍କୁ ସେ କାମରେ ସାହାଯ୍ୟ କରିବାକୁ ରହିଲେ । ସେମାନଙ୍କ ସହିତ ଖାଇପିଇ ହେମଚନ୍ଦ୍ର ବେଶ୍ ଆରାମରେ ଦିନ କାଟିଲେ ।

ମାସେ ପୂର୍ଣ୍ଣ ହେଲା । ରାଜା ପଚାରିଲେ, “ମୋକାମ କେତେଦୂର ଗଲା?” ତହୁଁ ସେ ହେମଚନ୍ଦ୍ର କହିଲେ, “ମୁଁ ତ ଏବେ ସେହି କାମରେ ଲାଗିଛି ଆଉ ଖୁବ୍ ଅଳ୍ପଦିନରେ ତାହା ସମାପ୍ତ ହୋଇଯିବ । ପ୍ରତ୍ୟେକ ସପ୍ତାହରେ ରାଜା ପଚାରନ୍ତି ଓ ହେମଚନ୍ଦ୍ର ସେହି ଏକହିଁ ଉତ୍ତର ଦିଅନ୍ତି । ଏପରି ଭାବରେ ଦୀର୍ଘ ତିନିମାସ ଚାଲିଗଲା । ଏଣେ ଏ ରାଜା ଭୀଷଣ ରାଗିଗଲେ ଓ କହିଲେ, “ଏବେ ଏକ ସପ୍ତାହ ମଧ୍ୟରେ ଚିତ୍ର ଶେଷ ନ ହେଲେ ତୁମକୁ ମୁଁ କଠୋର ଦଣ୍ଡ ଦେବି ।”

ହେମଚନ୍ଦ୍ର କହିଲେ, “ଚିତ୍ର ଶେଷ ହୋଇଯାଇଛି । ପରିବାର ସହିତ ଆପଣ ଆସି କାଲି ତାହାକୁ ଉନ୍ମୋଚନ କରିବେ ।”

ପରଦିନ ରାଜା, ରାଣୀ, ରାଜପରିଷଦବର୍ଗଙ୍କୁ ନେଇ ଚିତ୍ର ଦେଖିବା ପାଇଁ ଗଲେ । କାନ୍ଥରେ ଥିବା ଚିତ୍ର ଉପରେ ଏବେ ମଧ୍ୟ ପରଦା ଲଟକି ରହିଛି । ହେମଚନ୍ଦ୍ର ସେମାନଙ୍କୁ କହିଲେ, “ଆପଣମାନଙ୍କ ଚିତ୍ର ଅଙ୍କନ କରିଛି, କିନ୍ତୁ ଆପଣଙ୍କ ମଧ୍ୟରେ ଯିଏ ଉତ୍ତମ ଜନ୍ମ ନେଇଥିବ କେବଳ ସେହିଁ ମୋ ଦ୍ୱାରା ଅଙ୍କିତ ଚିତ୍ରଦେଖି ପାରିବ । ଏତିକି କହି ସେ ପରଦା ଖୋଲିଦେଲେ ।”

କାନ୍ଥ ଦେହରେ କୌଣସି ଚିତ୍ର ନଥିଲା । ପ୍ରତ୍ୟେକେ ଭାବିଲେ ବୋଧହୁଏ ଅନ୍ୟମାନେ ସେମାନଙ୍କ ଛବି ଦେଖିପାରୁଛନ୍ତି, ହେଲେ ମୁଁ ପାରୁନାହିଁ । ଏପରି ଚିନ୍ତାକରି ସଭିଏଁ ମହା ଅଡୁଆରେ ପଡିଲେ । ସମସ୍ତେ ଚୁପ୍ । ରାଜାଙ୍କ ବିଦୁଷକ ଏପରି ପରିସ୍ଥିତି ଦେଖି କହିଲେ, “ମୁଁ ଜାଣିନାହିଁ ବୋଧେ ମୋର ଉତ୍ତମ ଜନ୍ମ ନୁହେଁ ନା କ’ଣ ମୁଁ ତ ଏଠାରେ ଖାଲି ଧଳା କାନ୍ଥହିଁ ଦେଖୁଛି ।”

ଯେତେବେଳେ ଏହା ପ୍ରମାଣିତ ହେଲା ଯେ ହେମଚନ୍ଦ୍ର ସମସ୍ତିଙ୍କୁ ଠକେଇବାକୁ ଏପରି କରିଛନ୍ତି, ରାଜା ସେତେବେଳେ ରାଗିଯାଇ କହିଲେ, “ହେ ନୀଚ ସ୍ୱଭାବର କଳାକାର, ତମେ ଏତେ ଲୋକଙ୍କୁ ଠକାଇଲ? ତେଣୁ ତୁମକୁ ଫାଶୀ ଦେଲେ କୌଣସି ପାପ ହେବ ନାହିଁ ।”

ହେମଚନ୍ଦ୍ର ହାତ ଯୋଡି କହିଲେ, “ହଁ ମହାରାଜ, ଆପଣ ମୋତେ ଫାଶୀ ଦିଅନ୍ତୁ । ମୁଁ ସ୍ୱପ୍ନରେ ମଧ୍ୟ ଭାବି ନଥିଲି କି ମୋର ଜୀବନ ସୁରକ୍ଷିତ ହେବ । କିନ୍ତୁ ଗୋଟିଏ ପ୍ରାର୍ଥନା । ମୋତେ ଫାଶୀ ଦିଅନ୍ତୁ ନାହିଁ । ଲକ୍ଷ୍ମୀଙ୍କର ମୋ ପ୍ରତି କୃପା ନାହିଁ । ଏଣୁ ସୁନାର ଦଉଡି ଆଣିଲେ ମଧ୍ୟ ତାହା ଛିଡିଯିବ ।”

ଏକଥା ଶୁଣି ରାଜା ରାଗିବା ଅବସ୍ଥାରେ ମଧ୍ୟ ହସି ପକାଇଲେ, ସେ ଜାଣିପାରିଲେ ଯେ ହେମଚନ୍ଦ୍ର ବଡ କଳାକାର ହୋଇ ପାରନ୍ତି; କିନ୍ତୁ ରାଜଦରବାରର କଳାକାର ଭାବରେ ତାଙ୍କର ଶିକ୍ଷା ଦରକାର ଏବେ ସେ ଯୋଗ୍ୟତା ନାହିଁ । ରାଜ ଦରବାରରେ ରହିବାକୁ ହେଲେ ବୁଦ୍ଧିମାନ୍ ଓ ହୁସିଆର ହେବା ଉଚିତ୍ । ଏସବୁ ବିଷୟରେ ସେ ଅନଭିଜ୍ଞ । ତେଣୁ ବହୁତ ଭାବି ଚିନ୍ତି ରାଜା କିଛି ଧନ ଦେଇ ତାଙ୍କରି ଗଧ ଉପରେ ବସାଇ ତାଙ୍କୁ ତାଙ୍କ ଘରକୁ ପଠାଇଦେଲେ ।

ଆଧାର : ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate