অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜକନ୍ୟା ଓ ବଣୁଆ ରାଜା

ରାଜକନ୍ୟା ଓ ବଣୁଆ ରାଜା

ଉପକ୍ରମ

ହଜାରେ ବର୍ଷ ତଳର କଥା । ସେତେବେଳେ ବ୍ରହ୍ମପୁତ୍ର ନଦୀ କୂଳରେ ଏକ ବନପ୍ରଦେଶ ଥିଲା । ସେହି ବନପ୍ରଦେଶରେ ଜଣେ ବଣୁଆ ରାଜା ଶାସନ କରୁଥାଆନ୍ତି । ବଣ ଜଙ୍ଗଲ ପରିପୂର୍ଣ୍ଣ ହୋଇଥିବାରୁ ସେହି ରାଜ୍ୟ ଉପରେ ଅନ୍ୟ କୌଣସି ଦେଶର ରାଜା ଆକ୍ରମଣ କରିବା ପାଇଁ କଦାପି ମଧ୍ୟ ସାହସ କରନ୍ତି ନାହିଁ । ଏହି ବଣୁଆ ରାଜାଙ୍କ ସେନାରେ ବଣୁଆ ହାତୀ, ବଣୁଆ କୁକୁର, ସାପ ଆଦି ଜୀବଜନ୍ତୁ ଥାଆନ୍ତି । ବଣୁଆ ରାଜା ଏହି ଜୀବଜନ୍ତୁମାନଙ୍କ ବଳରେ ବହୁତ ବଳବାନ ହୋଇଥାଆନ୍ତି ।

ବର୍ଣ୍ଣନା

ଦିନେ ସେ ବଣୁଆ ରାଜାଙ୍କ ଭାରି ଇଚ୍ଛା ହେଲା ନିଜ ପ୍ରଦେଶର ସୀମା ରେଖା ବଢାଇବା ପାଇଁ । ତେଣୁ ବଣୁଆ ରାଜା ନିଜର ଏକ ଦୂତ ପଡୋଶୀ ରାଜାଙ୍କ ପାଖକୁ ପଠାଇଲେ । ଦୂତ ଆସି ପଡୋଶୀ ରାଜାଙ୍କ ଦରବାରରେ ପହଁଚି କହିଲା – “ମହାରାଜ, ବନପ୍ରଦେଶର ବଣୁଆ ରାଜା ଆପଣଙ୍କ ପାଇଁ ଏକ ସନ୍ଦେଶ ପଠାଇଛନ୍ତି । ଆପଣ ଆମ ରାଜାଙ୍କ ଅଧୀନକୁ ଆସନ୍ତୁ ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରନ୍ତୁ; ନଚେତ୍ ଯୁଦ୍ଧ କରନ୍ତୁ ।”

ବଣୁଆରାଜାଙ୍କ ଏଭଳି ସନ୍ଦେଶ ପାଇ ପଡୋଶୀ ରାଜାଙ୍କ ମୁଣ୍ଡରୁ ହଠାତ୍ ବୁଦ୍ଧି ହଜିଗଲା । କାହିଁକିନା ସେ ତ ଠିକ୍ ଜାଣିଛନ୍ତି ଯେ ବଣୁଆ ରାଜା ବହୁତ ନିଷ୍ଠୁର ଓ ଭୟଙ୍କର । ତାଙ୍କ ସେନାର ସାମ୍ନା କରିବା ଅର୍ଥାତ୍ ଜୀବଜନ୍ତୁଙ୍କ ଆହାର ହେବା ସହ ସମାନ । କାରଣ ତାଙ୍କ ସେନାବାହିନୀରେ ଯେଉଁ ବଣୁଆ ସୈନ୍ୟ ଅଛନ୍ତି ସେମାନେ ଧନୁଶର ଯୁଦ୍ଧରେ ବି ପାରଙ୍ଗମ । ଆହୁରି ମଧ୍ୟ ସେମାନଙ୍କ ସେନାରେ ବଣୁଆ ହାତୀ, ବିଷାକ୍ତ ସାପ ଓ ବଣୁଆ କୁକୁର ରହିଛନ୍ତି । ସେମାନଙ୍କ ସହିତ ଯୁଦ୍ଧ କରିବା ନିହାତି ବୋକାମି କଥା । ତେଣୁ ରାଜା ଚିନ୍ତା କଲେ ଯଦି ମୁଁ ସମର୍ପଣ କରେ ତେବେ ବି ମୋର ମୃତ୍ୟୁ ହେବ ଆଉ ଯଦି ମୁଁ ଯୁଦ୍ଧ କରେ ତେବେ ଏ ରାଜ୍ୟର ପ୍ରଜାମାନେ କେହି ବି ବଂଚିବେ ନାହିଁ । ଶେଷରେ ସମସ୍ତେ ସେ ବଣ ପଶୁଙ୍କର ଶୀକାର ହୋଇଯିବେ ।

ଏହି ସବୁ କଥା ଭାବି ଭାବି ସେ ରାଜାଙ୍କୁ ଆଉ ନିଦ ମୋଟେ ବି ହେଲା ନାହିଁ । ରାଜାଙ୍କର ଏଭଳି ଦୁଃଖ ଦେଖି ରାଜକନ୍ୟାଙ୍କର ବି ମନଦୁଃଖ ହେଲା । ସେ ଜାଣିଲା ଯେ, ସେ ବଣୁଆ ରାଜା ତା’ ପିତାଙ୍କୁ ଅତି ସହଜରେ ହରାଇଦେବ । ରାଜକନ୍ୟା ଜଣକ ଛୋଟ ହେଲେବି ବହୁତ ଚାଲାକ୍ ଥିଲେ । ତେଣୁ ସେ ତା’ ପିତାଙ୍କଠାରୁ ବଣୁଆ ରାଜା ବିଷୟରେ ସବୁକଥା ଜାଣିଲା । ସବୁଶୁଣି ସେ ରାଜକନ୍ୟା କହିଲା – “ଆପଣ ଆଦୌ ନିଜ ମନଦୁଃଖ କରନ୍ତୁ ନାହିଁ ପିତା । ଆପଣ ସେନାପତି ଓ ମହାମନ୍ତ୍ରୀଙ୍କୁ ତୁରନ୍ତ ଡକାନ୍ତୁ । ମୋ ପାଖରେ ଗୋଟିଏ ଭଲ ଉପାୟ ଅଛି । ସେହି ଉପାୟ ବଳରେ ଆମ୍ଭେମାନେ ସେହି ନିଷ୍ଠୁର ବଣୁଆ ରାଜାଙ୍କୁ ନିଶ୍ଚୟ ହରାଇ ଦେଇପାରିବା ।”

ସବୁ ଶୁଣି ସେନାପତି କହିଲେ – ହେ ରାଜକନ୍ୟା, ଆପଣ ତ ଏବେ ବହୁତ ଛୋଟ । ତାଛଡା ଆପଣ ଏ ଯୁଦ୍ଧ ବିଷୟରେ କିଛି ବି ଜାଣି ନାହାଁନ୍ତି । ତେଣୁ ଏ ବିଷୟରେ ଆଲୋଚନା କରିବା ଅର୍ଥାତ୍ ବୃଥା ପ୍ରୟାସ କରିବା । ଏପରି କଥା ଶୁଣି ମହାରାଜା ମଧ୍ୟ ସେନାପତିଙ୍କ କଥାରେ ସହମତି ପ୍ରକାଶ କଲେ ।

କିନ୍ତୁ ସବୁ ଶୁଣି ମହାମନ୍ତ୍ରୀ କହିଲେ – ‘ହେ ମହାରାଜ, ରାଜକନ୍ୟା ବହୁତ ବୁଦ୍ଧିମତୀ । ସେ ଏ ଦେଶର ଭବିଷ୍ୟତର ରାଜା । ସେ ଛୋଟ ହେଲେ ମଧ୍ୟ ତାଙ୍କର ବୁଦ୍ଧି ବହୁତ । ତେଣୁ ତାଙ୍କ କଥା ଥରେ ଶୁଣାଯାଉ । ଏହାଛଡା ଆମ ପାଖରେ ଅନ୍ୟ କିଛି ଉପାୟ ବି ତ ନାହିଁ ।’ ତହୁଁ ସେ ରାଜକନ୍ୟା ମହାମନ୍ତ୍ରୀଙ୍କୁ କହିଲେ – “ହେ ମହାମନ୍ତ୍ରୀ, ଆଉ ସମୟ ନଷ୍ଟ ନକରି ଆପଣମାନେ ଲୁହାଜାଲି, ପିମ୍ପୁଡି, ବେଙ୍ଗ ଓ ଛେଳି ମେଣ୍ଢାଙ୍କ ମାଂସ ଲଗା ହାଡ ସଂଗ୍ରହ କରନ୍ତୁ ।” ରାଜକନ୍ୟାଙ୍କ ଏଭଳି ପରାମର୍ଶରେ ସେ ରାଜ ଦରବାରରେ ହଠାତ୍ ଏକ ହସ ଗୁଞ୍ଜରଣ ହେଲା । ତାପରେ ସେମାନେ ତଥା ସେ ଦରବାରରେ ଉପସ୍ଥିତ ଥିବା ଲୋକମାନେ ରାଜକନ୍ୟା ଜଣେ ପାଗେଳି ବୋଲି ଆଖ୍ୟା ଦେଲେ । ମାତ୍ର ମହାମନ୍ତ୍ରୀ କହିଲେ – ‘ଆଉ କାଳ ବିଳମ୍ବ ନକରି ରାଜକନ୍ୟା ଯାହା କହିଲେ ସେ ସବୁ ଅଧିକରୁ ଅଧିକ ତୁରନ୍ତ ସଂଗ୍ରହ କରାଯାଉ ।’ ଶେଷରେ ସେ ରାଜକନ୍ୟାଙ୍କ କଥାକୁ ସମସ୍ତେ ମାନିଲେ ।

ଏମିତି କିଛି ଦିନ ବିତିଗଲା । ତେଣେ ସେ ବଣୁଆ ରାଜା ଯୁଦ୍ଧ କରିବା ପାଇଁ ନିଜ ସେନାକୁ ଆଦେଶ ଦେଲେ । ଏପଟେ ପଡୋଶୀ ରାଜା ନିଜ ସେନାର ଦୁର୍ଦ୍ଦଶା ଦେଖି ପଳାୟନର ବାଟ ଖୋଜୁଥିଲେ । ଯୁଦ୍ଧ ଆରମ୍ଭ ହେଲା ।

ପ୍ରଥମେ ସେ ବଣୁଆ ରାଜା ହଜାରେ ହଜାରେ ବିଷାକ୍ତ ସାପ ପଡୋଶୀ ସେନାଙ୍କ ଉପରକୁ ଛାଡିଲେ । ଏତେ ବିଶାକ୍ତ ସାପ ଦେଖି ପଡୋଶୀ ସେନା ଛତ୍ର ଭଙ୍ଗ ଦେଲେ ମାତ୍ର ରାଜକନ୍ୟା ଟିକେ ହେଲେ ବି ବିଚଳିତ ହେଲେ ନାହିଁ । ଓଲଟି ସେ ତାଙ୍କ ସେନାପତିଙ୍କୁ କହିଲେ – “ଆମ ପାଖରେ ଯେଉଁ ଲକ୍ଷ ଲକ୍ଷ ବେଙ୍ଗ ଅଛନ୍ତି ତାହା ଏ ବିଷାକ୍ତ ସାପମାନଙ୍କ ବାଟରେ ଛାଡିଦିଅ ।” ସେ ବିଷାକ୍ତ ସାପଗୁଡିକ ଏକାବେଳକେ ଏତେ ବେଙ୍ଗ ଦେଖି ଗୋଟିଏ ପରେ ଗୋଟିଏ ଖାଇବାକୁ ଲାଗିଲେ । ଏମିତିକି ଗୋଟିଏ ଗୋଟିଏ ସାପ ବହୁତ ଗୁଡିଏ ବେଙ୍ଗ ଗିଳି ଦେଲେ । ଏତେ ସବୁ ବେଙ୍ଗ ଗିଳିବା ପରେ ସେ ସାପମାନେ ଆଉ ଆଗକୁ ଯାଇପାରିଲେ ନାହିଁ । ଏହି ସୁଯୋଗରେ ରାଜକନ୍ୟା ସେନାପତିଙ୍କୁ କହିଲେ – ‘ଏବେ ଏ ସାପଗୁଡାକୁ ବାଡେଇ ବାଡେଇ ମାରିଦିଅ ।’ ଏଭଳି ଆଦେଶ ପାଇ ସତକୁ ସତ ସୈନିକମାନେ ଅଳ୍ପ ସମୟ ମଧ୍ୟରେ ସମସ୍ତ ବିଷାକ୍ତ ସାପକୁ ମାରି ଦେଲେ ।

ଏହା ଦେଖି ସେ ବଣୁଆ ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେ ବଣୁଆ ହାତୀଙ୍କୁ ପଠାଇଲେ ପଡୋଶୀ ରାଜାର ସେନାକୁ ଦଳିଚକଟି ମାରିବା ପାଇଁ । ଶହ ଶହ ହାତୀଙ୍କୁ ଦେଖି ପଡୋଶୀ ସୈନ୍ୟ ପୁଣି ଛତ୍ର ଭଙ୍ଗ ଦେଲେ । ମାତ୍ର ରାଜକନ୍ୟା ପୂର୍ବପରି ଅବଚଳିତ ଭାବରେ ଅପେକ୍ଷା କରି ରହିଲେ । ବଣୁଆ ହାତୀମାନେ ଯେମିତି ପାଖକୁ ଆସିଛନ୍ତି ସେ ତୁରନ୍ତ ସେନାପତିଙ୍କୁ କହିଲେ – ‘ଏ ବଣୁଆ ହାତୀମାନଙ୍କ ମୁଣ୍ଡକୁ ଲକ୍ଷ୍ୟ କରି କାମୁଡା ପିମ୍ପୁଡିମାନଙ୍କର ଥଳି ପକାଇ ଦିଅ ।’ ତାପରେ ସୈନିକମାନେ ତାହାହିଁ କଲେ । ହାତୀମାନଙ୍କ କାନ ଓ ଶୁଣ୍ଢରେ କାମୁଡା ପିମ୍ପୁଡି ପଶି କାମୁଡିବା ଆରମ୍ଭ କଲେ । ଏଥର ସେ ବଣୁଆ ହାତୀମାନେ ଆଉ ଯିବେ କୁଆଡେ । ତାପରେ ସେମାନେ ସମସ୍ତେ ଧାଇଁଲେ ନଦୀ ମୁହାଁ ହୋଇ । ବଣୁଆ ରାଜା ଏଭଳି ଅବସ୍ଥା ଦେଖି ଅତ୍ୟନ୍ତ ଡରିବାକୁ ଲାଗିଲେ ।

ଏହାପରେ ସେ ବଣୁଆ କୁକୁରମାନଙ୍କୁ କାମୁଡିବା ପାଇଁ ପଠାଇଲେ । ମାତ୍ର ରାଜକନ୍ୟା ତ ଆଗରୁ ବିଷ ମିଶା ଛେଳି ମେଣ୍ଢାଙ୍କ ମାଂସ ହାଡ ଯୋଗାଡ କରି ରଖିଥିଲେ । ଯେମିତି ସେ ବଣୁଆ କୁକୁର ମାନେ ଆସିଛନ୍ତି ସେହିକ୍ଷଣି ରାଜକନ୍ୟା ଆଦେଶ ଦେଲେ ଯେ, ସବୁ କୁକୁରଙ୍କୁ ସେ ବିଷ ମିଶା ଛେଳିମେଣ୍ଡାଙ୍କ ମାଂସହାଡ ଦେଇ ଦିଅ । କୁକୁରମାନେ ସେ ମାଂସହାଡ ପାଇ ଚୋବାଇବାକୁ ଲାଗିଲେ । ତେଣେ ବଣୁଆ କୁକୁର ଖାଉଥିବାର ଦେଖି ବଣୁଆ ରାଜା ଖୁବ୍ ଛାନିଆ ହୋଇଗଲେ । ଦେଖୁ ଦେଖୁ ଆସ୍ତେ ଆସ୍ତେ ବିଷ ଜ୍ୱାଳାରେ ସବୁ ବଣୁଆ କୁକୁର ମରିଗଲେ ।

ଏଥର ବଣୁଆ ରାଜା ନିଜର ବଣୁଆ ଧନଶର ବାହିନୀକୁ ପଠାଇଲେ । ଧନୁଶର ବାହିନୀ ମଧ୍ୟ ଆଖିବୁଜା ତୀର ମାରିଚାଲିଲେ । ତୀର ମରା ଆରମ୍ଭ ହେବାକ୍ଷଣି ସେ ରାଜକନ୍ୟା ତାଙ୍କ ସମସ୍ତ ସୈନ୍ୟଙ୍କୁ କହିଲେ – ‘ତୁମ୍ଭେମାନେ ଖାଲି ଚିତ୍କାର କରିବ ।’ ତା’ପରେ ସେନାପତି ଆଦେଶ ଦେଲେ – ସମସ୍ତେ ଏ ଲୁହାଜାଲି ତଳକୁ ଚାଲିଆସ । ଏଣେ ବଣୁଆ ରାଜାଙ୍କର ବଣୁଆ ଧନୁଶର ବାହିନୀ ତୀର ବର୍ଷା କରିଗଲେ । ଏହିଭଳି ଭାବେ ଆସ୍ତେ ଆସ୍ତେ ସେମାନଙ୍କର ତୀର ବି ସରିବାକୁ ଲାଗିଲା । ଏପଟେ ରାଜକନ୍ୟାଙ୍କ କଥାରେ ପଡୋଶୀ ସୈନ୍ୟମାନେ କେବଳ ଚିତ୍କାର କରି କହୁଥାଆନ୍ତି – “ମାରନା, ଆଉ ମାରନା, ମରିଗଲୁ, ରକ୍ଷା କର, ରକ୍ଷା କର ।” ଏସବୁ ଶୁଣି ସେ ବଣୁଆ ରାଜା ଅତ୍ୟଧିକ ଖୁସି ହେଉଥିଲେ ଓ ତୀର ବର୍ଷା ବି କରୁଥିଲେ ।

ଆସ୍ତେ ଆସ୍ତେ ସବୁ ତୀର ସରିଗଲା । ଏମିତିକି ସେ ବଣୁଆ ସୈନ୍ୟମାନଙ୍କର ସବୁ ଅସ୍ତ୍ରଶସ୍ତ୍ର ବି ସରିଗଲା । ଏହି ସୁଯୋଗ ଦେଖି ରାଜକନ୍ୟା ଏଥର କହିଲେ – “ମହାରାଜ ! ଏବେ ଆଉ ପୁଣି ଡେରି କାହିଁକି? ସେ ବଣୁଆ ରାଜାଙ୍କ ଉପରେ ଆକ୍ରମଣ କରନ୍ତୁ ।” ତାପରେ ସେ ରାଜକନ୍ୟାଙ୍କ ବୁଦ୍ଧିକୁ ସମସ୍ତେ ଭୁରିଭୁରି ପ୍ରଶଂସା କଲେ । ଏମିତିକି ସାରା ରାଜ୍ୟବାସୀ କେବଳ ନିଜ ରାଜକନ୍ୟାଙ୍କର ପ୍ରଶଂସା କରିବାରେ ହିଁ ଲାଗିଗଲେ ଓ ବିଜୟ ଉତ୍ସବ ପାଳନ କଲେ । ଏହିଭଳି ଭାବେ ସେ ବଣୁଆ ରାଜା ପରାସ୍ତ ହେଲେ ।

ଆଧାର ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate