অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିବ ପୁରାଣ

ଉପକ୍ରମ

ମାତା ପାର୍ବତୀଙ୍କ କଥା ଶୁଣିବା ପରେ ଗଣେଶ ମାମୁଁ ଶ୍ରୀବିଷ୍ଣୁଙ୍କ ପାଖକୁ ଗଲେ । ତା’ପରେ ସେ ତାଙ୍କୁ ପଚାରିଲେ, “ଭଗବାନ, କୁମାରଙ୍କର ମୟୁର ବାହନ ଓ ମୋର ମୂଷା । ମୁଁ କିପରି ତାଙ୍କ ସହିତ ପ୍ରତିଯୋଗିତା କରିପାରିବି? ଏଇଟା କ’ଣ ଅନ୍ୟାୟ ନୁହେଁ?”

ତହୁଁ ବିଷ୍ଣୁ କହିଲେ, “ବତ୍ସ, ତୁମେ ଚିନ୍ତା କରନାହିଁ । ତମେ ଲକ୍ଷେଥର ଶିବ ପଂଚାକ୍ଷରୀ ଜପ କରିବା ପରେ ପାର୍ବତୀ ଓ ପରମେଶ୍ୱରଙ୍କୁ ତିନିଥର ପରିକ୍ରମା କରିବ ତେବେ ପୃଥିବୀ ପରିକ୍ରମାର ଫଳ ତମେ ପାଇପାରିବ ।

ବର୍ଣ୍ଣନା

ଗଣେଶ ସ୍ନାନ କରି ଏକ କୁଶାସନ ଉପରେ ବସି ଶିବ ପଂଚାକ୍ଷରୀ ଜପ କରିବାକୁ ଲାଗିଲେ । ଇତିମଧ୍ୟରେ କାର୍ତ୍ତିକେୟ ପ୍ରଥମ ତୀର୍ଥକୁ ଯାଇ ଦେଖିଲେ, ସେଇମାତ୍ର ଗଣେଶ ସ୍ନାନ କରି ସେଠାରୁ ଯାଉଛନ୍ତି । ମୂଷାର ପାଦଚିହ୍ନ ବି ପଡିଛି । କାର୍ତ୍ତିକେୟ ସେଠାକାର ତୀର୍ଥଯାତ୍ରୀମାନଙ୍କୁ ପଚାରିଲେ, “ଭଦ୍ରଜନେ, ଏଠାକୁ ଜଣେ ସ୍ଥୁଳକାୟ ବ୍ୟକ୍ତି ମୂଷା ଉପରେ ଚଢି ଆସିଥିଲେ କି?”

ତହୁଁ ସେ ତୀର୍ଥଯାତ୍ରୀମାନେ କହିଲେ, “ଆଜ୍ଞା, ହଁ, ସିଏ ତ ଏବେ ସ୍ନାନ କରି ଏଠାରୁ ଆପଣ ଆସିବା ଆଗରୁ ଚାଲିଗଲେ । ସେ ସ୍ନାନ କରି ଆମକୁ ଅନେକ ସ୍ୱର୍ଣ୍ଣମୁଦ୍ରା ବି ଦାନ ଦେଇଗଲେ ।”

କୁମାର ଭାବିଲେ “ବାଃ, ସ୍ଥୁଳକାୟ, ନିଦ୍ରାଳୁ ଯଦି ଏତେ ଶୀଘ୍ର ଏଠାକୁ ଆସିଗଲା, ତେବେ ମୁଁ ବରଂ ଏଠାରୁ ଶୀଘ୍ର ଯାଏ । ସ୍ନାନ କରି ସମୟ ନଷ୍ଟ ନକରି ଦ୍ୱିତୀୟ ତୀର୍ଥକୁ ଯାଏ ।” ତା’ପରେ କାର୍ତ୍ତିକେୟ ଯେତେ ତୀର୍ଥକୁ ଯାଉଥା’ନ୍ତି ତାଙ୍କର ଅନୁଭବ ହେଉଥାଏ ଯେ ଗଣେଶ ସେଠାକୁ ତାଙ୍କ ପୂର୍ବରୁ ଆସିଥିଲେ ।

ଇତିମଧ୍ୟରେ ଗଣେଶ ଶିବପଂଚାକ୍ଷରୀ ଜପିବା ପରେ ଈଶ୍ୱରପାର୍ବତୀଙ୍କୁ ତିନିଥର ପରିକ୍ରମା କରି ସେମାନଙ୍କ ସମ୍ମୁଖରେ ହାତ ଯୋଡି ଠିଆ ହୋଇଥା’ନ୍ତି ।

ଏସବୁ ଦେଖି ଅନ୍ୟ ଦେବତାମାନେ କୁହାକୁହି ହେଉଥା’ନ୍ତି, “ଦେଖ ଗଣେଶ କୁଆଡେ ନଯାଇ ଅଧିପତିର ପଦବୀକୁ ମାରିନେବାକୁ ବସିଛନ୍ତି ।”

ଠିକ୍ ସେତିକିବେଳେ କାର୍ତ୍ତିକେୟ ଲେଉଟି ଆସି କହିଲେ, “ମୁଁ ପ୍ରକୃତରେ ଅଧିପତି ପଦ ପାଇବା ପାଇଁ ଯୋଗ୍ୟ ନୁହେଁ, ସୁତରାଂ ଆପଣମାନେ ଗଣେଶକୁ ହିଁ ସେ ପଦବୀ ଦେଇ ଦିଅନ୍ତୁ ।”

ଶିବ, ପାର୍ବତୀ, ଦେବତାମାନେ ଓ ଗଣମାନେ ପଚାରିଲେ, “ଏପରି କାହିଁକି କହିଲ?”

ତା’ପରେ କାର୍ତ୍ତିକେୟ କହିଲେ, “ମୁଁ ପୃଥିବୀର ସବୁ ତୀର୍ଥକ୍ଷେତ୍ରକୁ ଯାଇଥିଲି କିନ୍ତୁ କେଉଁଠାରେ ହେଲେ ସ୍ନାନ କରିନାହିଁ । କାରଣ ଯେଉଁଠି ପହଁଚେ ଦେଖେ ମୋ ପୂର୍ବରୁ ଗଣେଶ ସେ ତୀର୍ଥରେ ସ୍ନାନ କରି ଫେରିଛନ୍ତି । ତୀର୍ଥଯାତ୍ରୀମାନେ ମଧ୍ୟ ସେଇ କଥା କହିଲେ । ତେଣୁ ରୁଦ୍ରଗଣଙ୍କ ଉପରେ ସେଇହିଁ ଅଧିପତି ପଦ ପାଆନ୍ତୁ ।”

ଦେବତାମାନେ ଓ ରୁଦ୍ରଗଣ କାର୍ତ୍ତିକେୟଙ୍କ କଥାକୁ ସ୍ୱୀକାର କରି ନେଲେ । ତା’ପରେ ଗଣାଧିପତି ଭାବରେ ତାଙ୍କର ଅଭିଷେକ ହେବାର ଆୟୋଜନ କରାଗଲା ।

ରୁଦ୍ରଗଣ ଶୀଘ୍ର ଯାଇ ନଦୀମାନଙ୍କରୁ ଓ ସମୁଦ୍ରରୁ ଜଳ ନେଇ ଆସିଲେ । ଉତ୍ସବ ପାଇଁ ଗରୁଡ, ଗନ୍ଧର୍ବ, କିନ୍ନର, ନାଗ ଓ ଭୂଲୋକବାସୀମାନଙ୍କୁ ନିମନ୍ତ୍ରଣ କରାଗଲା । ବୃହଷ୍ପତି ଉତ୍ସବ ପାଇଁ ମୁହୂର୍ତ୍ତ ନିର୍ଣ୍ଣୟ କଲେ । ଶୁଭ ମୁହୂର୍ତ୍ତରେ ଗଣପତି ଓ ତାଙ୍କ ପତ୍ନୀ ଜୟଲକ୍ଷ୍ମୀଙ୍କୁ ନବରତ୍ନ ଖଚିତ ଏକ ସିଂହାସନ ଉପରେ ବସାଇ ଦିଆଗଲା । ତା’ପରେ ସମସ୍ତ ରୁଦ୍ରଗଣଙ୍କ ଉପରେ ତାଙ୍କୁ ଅଧିପତି ଭାବରେ ଅଭିଷେକ କରାଗଲା । ଶିବ ପାର୍ବତୀ ଗଣେଶ ଓ ଜୟଲକ୍ଷ୍ମୀଙ୍କୁ ଆଶିର୍ବାଦ ଦେଲେ । ଅଭିଷେକ ପରେ ଶିବ ଓ ପାର୍ବତୀ ତାଙ୍କ ଦୁଇ ପୁତ୍ରଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମେ ଦୁଇଭାଇ ତିନିଲୋକ ଉପରେ ଶାସନ କର । ଯିଏ ତୁମଙ୍କୁ ସ୍ମରଣ କରିବ, ତୁମଙ୍କୁ ପୂଜା କରିବ ବା ତୁମପାଇଁ ତପସ୍ୟା କରିବ, ତୁମେମାନେ ସେହି ବ୍ୟକ୍ତିର ସହାୟତା କରିବ ଓ ତା’ର ସମସ୍ତ କାର୍ଯ୍ୟରେ ସାଫଲ୍ୟ ପ୍ରଦାନ କରିବ ।”

ତାରକାସୁର ତ ପୂର୍ବରୁ ମରିଥିଲା । ତା’ର ଥିଲେ ତିନୋଟି ଶିଶୁପୁତ୍ର । ସେମାନଙ୍କ ନାମ ହେଲା, ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ମାଳୀ । ତାରକାସୁରର ପତ୍ନୀ ତିନିପୁତ୍ରଙ୍କୁ ନେଇ ପାତାଳପୂରକୁ ଗଲା । ସେଠାରେ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ସେମାନେ ନାନା ବିଦ୍ୟା ହାସଲ କଲେ । ବିଶେଷତଃ ଯୁଦ୍ଧ ବିଦ୍ୟାରେ ସେ ତିନିଜଣଯାକ ଖୁବ୍ ପାରଙ୍ଗମ ହୋଇ ଉଠିଲେ । କାଳକ୍ରମେ ସେମାନେ ବଡ ବଡ ଯୋଦ୍ଧା ଭାବରେ ଖ୍ୟାତି ଅର୍ଜ୍ଜନ କଲେ । ସେମାନେ ନିଜ ମା’ଠାରୁ ଶୁଣିଲେ ତାରକାସୁରର ଜୀବନ ବୃତାନ୍ତ । ସବୁ ଶୁଣିସାରି ପିତାଙ୍କ ମୃତ୍ୟୁର ପ୍ରତିଶୋଧ କିପରି ନେବେ ତାହାହିଁ ସେମାନେ ଚିନ୍ତା କରିବାକୁ ଲାଗିଲେ । ସେମାନଙ୍କୁ ଚିନ୍ତିତ ଦେଖି ସେମାନଙ୍କର ମା’ ପରାମର୍ଶ ଦେଇ କହିଲେ, “ପୁତ୍ରଗଣ, ପ୍ରତିଶୋଧ ନେବା ପୂର୍ବରୁ ତୁମେମାନେ ନିଜେ ପ୍ରଥମେ ଶକ୍ତିଶାଳୀ ହେବା ଦରକାର । ସେଥିପାଇଁ ତପସ୍ୟାର ପ୍ରୟୋଜନ । ଯାଅ ତିନିଜଣଯାକ ତପସ୍ୟାରେ ପ୍ରଥମେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗ ।”

ତା’ପରେ ସେ ତିନିଭାଇ ମେରୁପର୍ବତକୁ ଯାଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେଠାରେ କଠିନ ତପସ୍ୟା କଲେ ।

କିଛି କାଳ ଅନ୍ତେ ବ୍ରହ୍ମା ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସେମାନଙ୍କ ସମ୍ମୁଖରେ ଆବିର୍ଭୁତ ହେଲେ ଓ କହିଲେ, “ତୁମେମାନେ କି ବର ଚାହୁଁଛ?”

ସେମାନେ କହିଲେ, “ଦେବ, ଆମେ ଚାହୁଁଛୁ ଅମର ବର । ଯାହାଦ୍ୱାରା କି ଆମର କେବେ ମଧ୍ୟ ମୃତ୍ୟୁ ହିଁ ହେବ ନାହିଁ ।”

ଏକଥା ଶୁଣି ବ୍ରହ୍ମା କହିଲେ, “ସେ ବର ଦେବାର ଶକ୍ତି ମୋର ତ ନାହିଁ । କିନ୍ତୁ ତମେ ମୃତ୍ୟୁ ପାଇଁ ଯେ କୌଣସି ଏକ ସର୍ତ୍ତ ରଖି ବର ମାଗ ମୁଁ ତାହା ଅବଶ୍ୟ ଦେବି ।”

ତା’ପରେ ସେହି ତିନି ଭାଇଯାକ ସମସ୍ୱରରେ କହିଲେ, “ଦେବ, ଏମିତି ଏକ ରଥ ଥିବ ଯାହା ବାସ୍ତବ ନୁହେଁ, ଏପରି ଧନୁ ଥିବ ଯାହା ଧନୁ ନୁହେଁ, ଏପରି ଶର ଥିବ ଯାହା ଶର ନୁହେଁ – ସେହି ରଥରେ ବସି ସେହି ଧନୁ ତୀରରେ ମାରିଲେ ଯାଇ ଆମେ ମରିବୁ । ନଚେତ୍ ନୁହେଁ । ଏତଦ୍ ବ୍ୟତୀତ ସମସ୍ତ ବିଦ୍ୟା, ତେଜ, ବଳ, ଐଶ୍ୱର୍ଯ୍ୟ, ସୁଖ, ବୈଭବ, ଭୋଗ, ସମ୍ପତ୍ତି ଇତ୍ୟାଦି ତଥା ସୁନା ରୂପାରେ ତିଆରି ନଗର ଆମକୁ ଦିଅନ୍ତୁ ।” ବ୍ରହ୍ମା ‘ତଥାସ୍ତୁ’ କହି ଅଦୃଶ୍ୟ ହୋଇଗଲେ । ପରେ ବ୍ରହ୍ମାଙ୍କ ଆଦେଶରେ ବିଶ୍ୱକର୍ମା ତିନୋଟି ସୁନ୍ଦର ନଗରୀ ସେମାନଙ୍କ ପାଇଁ ନିର୍ମାଣ କଲେ । ସେଗୁଡିକୁ ତ୍ରିପୁର ବୋଲି କୁହାଯାଉଥାଏ । ଏହି ନଗରୀ ଗୁଡିକ ଆକାଶରେ ଝୁଲି ରହିଥାଏ । କିନ୍ତୁ ଏହା ବନ, ଉପବନ, ପୁଷ୍କରିଣୀ ଓ ନଦୀ ଦ୍ୱାରା ପୂର୍ଣ୍ଣ ଥାଏ । ସୁବର୍ଣ୍ଣପୁରୀରେ ତାରକାକ୍ଷ, ରଜତପୁରୀରେ କମଳାକ୍ଷ ଓ ଲୌହପୁରୀରେ ବିଦ୍ୟୁନ୍ମାଳୀ ରହୁଥାନ୍ତି । ସେମାନେ ସ୍ୱଚ୍ଛନ୍ଦରେ ସମସ୍ତ ଲୋକରେ ଗତି କରିପାରୁଥା’ନ୍ତି ।

ସେମାନେ ଶକ୍ତିଶାଳୀ ହୋଇ ଦେବତାମାନଙ୍କୁ ବହୁତ କଷ୍ଟ ଦେଲେ । ତେଣୁ ସେମାନେ ଯାଇ ବ୍ରହ୍ମାଙ୍କୁ କହିଲେ, “ତ୍ରିପୁରାସୁର ଆମକୁ ଅନେକ କଷ୍ଟ ଦେଉଛନ୍ତି । ଆପଣ ଏହାର କିଛି ପ୍ରତିକାର କରନ୍ତୁ ।”

ବ୍ରହ୍ମା କହିଲେ, “ସେମାନଙ୍କୁ ବଧ କରିବା ମହା ଦୁଷ୍କର କାମ । ଚାଲ ଏକଥା ଯାଇ ଭଗବାନ ଶିବଙ୍କୁ ଜଣାଇବା ।”

ତା’ପରେ ବ୍ରହ୍ମା ଓ ଦେବତାମାନେ ଶିବଙ୍କ ପାଖରେ ଯାଇ ପହଁଚିଲେ । ଶିବ ସବୁ କଥା ଶୁଣି କହିଲେ, “ମୁଁ ତ୍ରିପୁରାସୁରକୁ ବଧ କରିବି ନାହିଁ । ତମେ ମୋର ଅଧେ ତେଜ ନେଇ ତାକୁ ମାରିବାକୁ ଚେଷ୍ଟା କର ।” ସେ ପୁଣି ବ୍ରହ୍ମାଙ୍କୁ ଚାହିଁ କହିଲେ, “ଆପଣ ତ ଏପରି ଏକ ଅମୋଘ ବର ପ୍ରଦାନ କରିଛନ୍ତି । ଏବେ ନିଜେ ଯାଇ ସମ୍ଭାଳନ୍ତୁ ।”

ବ୍ରହ୍ମା କହିଲେ, “ଦେବ, ସେମାନଙ୍କ ମୃତ୍ୟୁର ରହସ୍ୟ ହେଉଛି ଏପରି ଏକ ରଥ ଥିବ ଯାହା ରଥ ନୁହେଁ, ଏପରି ଏକ ଧନୁ ଥିବ ଯାହା ଧନୁ ନୁହେଁ, ଏପରି ଏକ ଶର ଥିବ ଯାହା ଶର ନୁହେଁ । ସେହି ରଥରେ ଚଢି ସେହି ଧନୁଶର ନେଇ ତିନିନଗରୀ ଏକାଠି ହେବା ସମୟରେ ଯଦି କିଏ ମାରିବ ତେବେ ଯାଇ ସେମାନେ ମରିବେ ।” ଏକଥା ଶୁଣି ଶିବ ପୃଥିବୀକୁ ରଥ କଲେ; ଚାରିବେଦ ହେଲେ ଚାରୋଟି ଅଶ୍ୱ, ଚନ୍ଦ୍ର ସୂର୍ଯ୍ୟ ହେଲେ ଦୁଇ ଚକ । ମେରୁପର୍ବତ ହେଲା ଧନୁ, ଆଦିଶେଷ ହେଲେ ବାଣ, ବିଷ୍ଣୁମୂର୍ତ୍ତି ହେଲେ ନାରାୟଣୀ ଅସ୍ତ୍ର । ତା’ପରେ ସେ ଯୁଦ୍ଧ କରିବାକୁ ଗଲେ । ଯୁଦ୍ଧରେ ତ୍ରିପୁରାସୁର ବଧ ହେଲେ ।

ତା’ପରେ ଜଳନ୍ଧର ନାମକ ଏକ ଦୈତ୍ୟ ପ୍ରକଟ ହେଲା ଓ ସମସ୍ତିଙ୍କୁ ହଇରାଣ କଲା । ସେ ଥିଲା ହିରଣ୍ୟକଶିପୁର ଦଶମ ପୁତ୍ର ଅଗ୍ନିଜିହ୍ୱର ପୁତ୍ର । ସେ ମଧ୍ୟ କଠୋର ତପସ୍ୟା ଦ୍ୱାରା ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଏହି ବର ପାଇଥିଲା କି ତାହାର ମୃତ୍ୟୁ ଦେବଗଣ, ରାକ୍ଷସଗଣ, ନାଗଗଣ ବା ମାନବଗଣଙ୍କ ଦ୍ୱାରା ହେବନାହିଁ ଓ ସେ ପାଣି ମଧ୍ୟରେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବ ।

ବରପ୍ରାପ୍ତ ହୋଇ ସ୍ୱର୍ଗରୁ ସେ ଇନ୍ଦ୍ରଙ୍କୁ ବିତାଡିତ କଲା ଓ ତିନିପୁରକୁ ଶାସନ କଲା । ଶିବ ଓ ବିଷ୍ଣୁ ମଧ୍ୟ ବୁଝିପାରିଲେ ନାହିଁ କିପରି ଏହି ଅସୁରକୁ ପରାଜିତ କରାଯିବ । ଦୁହେଁ ଏହିପରି ଚିନ୍ତା କରିବା ସମୟରେ ପରମବ୍ରହ୍ମ ଶକ୍ତି ଆବିର୍ଭୁତ ହୋଇ କହିଲେ “ତୁମର ଆୟୁଧ ଚକ୍ର ଓ ତ୍ରିଶୁଳକୁ ଦୁହେଁ ଅଦଳବଦଳ କର । ତା’ପରେ ତା’ ସହିତ ଯୁଦ୍ଧ କରିବ ଏବଂ ତା’ର ମୃତ୍ୟୁ ହେବ ।” ପରମବ୍ରହ୍ମଙ୍କ କଥା ଶୁଣି ସେ ଦୁହେଁ ଦୁହିଁଙ୍କର ଆୟୁଧ ବଦଳ କରି ସାରି ଜଳନ୍ଧରର ଅପେକ୍ଷାରେ ରହିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ଆଧାର ଓଡ଼ିଆ ଗପ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate