অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମୁଚିତ ଶାସ୍ତି

ସମୁଚିତ ଶାସ୍ତି

ଉପକ୍ରମ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟି ମାନ ।

ବର୍ଣ୍ଣନା

କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣପୂର୍ବକ ଓହ୍ଲାଇ ଆଣିଲେ ସେ ଶବଟିକୁ । ତେବେ, ତାକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍! ଅର୍ଦ୍ଧରାତ୍ରର ଏହି ଘୋର ଅନ୍ଧକାର । ଶ୍ମଶାନର ଭୟାବହ ପରିବେଶ । କିନ୍ତୁ ଏହାକୁ ଖାତିର୍ ନ କରି ତୁମର ଏହି ଉଦ୍ୟମ ଓ ନିଷ୍ଠା ମୋ ମନରେ ବିସ୍ମୟ ସୃଷ୍ଟି କରୁଛି । ଏପରି କଠୋର ପରିଶ୍ରମ ହେତୁ ମୁଁ ଜାଣିପାରେ କି? କେଉଁ ଲକ୍ଷ୍ୟ ହାସଲ କରିବା ପାଇଁ ତୁମେ ଏସବୁ କରୁଛ? କୌଣସି ଅଦ୍ଭୁତ ଶକ୍ତି ହାସଲ ପାଇଁ ନୁହେଁ ତ? ଏଥିପାଇଁ ତ ଅନେକ ମାର୍ଗ ରହିଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ତପସ୍ୟା । ତପୋସଂପନ୍ନ ତପସ୍ୱୀ ଅଦ୍ଭୁତ ଶକ୍ତି ପ୍ରାପ୍ତି କରନ୍ତି । ସ୍ୱପ୍ରୟୋଜନ ପାଇଁ ଏପରି ଶକ୍ତିର ପ୍ରାୟାଗ ନିଷ୍ଫଳ ହୁଏ । ଏହା ଅପରର ଅଭୀଷ୍ଟ ସାଧନ ପାଇଁ ଉଦ୍ଦିଷ୍ଟ ରହେ । କିନ୍ତୁ ଏହି ସାର୍ବଜନୀନ ସତ୍ୟର ବିରୁଦ୍ଧାଚରଣ କରି ଜଣେ ସାଧୁ ନିଜର ସ୍ୱାର୍ଥ ହାସଲ ପାଇଁ ନିଜର ଅଦ୍ଭୁତଶକ୍ତିର କିପରି ପ୍ରୟୋଗ କରିଥିଲେ, ତାର ଏକ କାହାଣୀ ମୁଁ ତୁମକୁ ଶୁଣାଉଛି । ଏହା ତୁମର ମାର୍ଗଦର୍ଶକ ହେବା ସହିତ ପଥଶ୍ରମ ଲାଘବ କରିବ ।” ତା’ପରେ ବେତାଳ ତା କାହାଣୀ କହିବା ଆରମ୍ଭ କଲା ।

ଦୁଇଭାଇ ଥିଲେ । ସେମାନଙ୍କ ନାମ ପଦ୍ମାକର, ରତ୍ନାକର । ପଦ୍ମାକର ତାଙ୍କର ବ୍ୟବସାୟରେ ସଫଳତା ଅର୍ଜନ କରିଥିଲେ । ସେ ତାଙ୍କ ଭାଇଙ୍କୁ ବ୍ୟବସାୟରେ ଅଂଶୀଦାର ହେବାପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ରତ୍ନାକର ଭାଇଙ୍କର ଏହି ପ୍ରସ୍ତାବକୁ ଅସ୍ୱୀକାର କରି କହିଲେ, “ମୋର ସମ୍ପତ୍ତିରେ ଥିବା ଅଂଶ ମତେ ପ୍ରଦାନ କରନ୍ତୁ । ମୁଁ ଦୂର ବିଦେଶକୁ ଯାଇ ଅଧିକ ବିଦ୍ୟାର୍ଜନ ପାଇଁ ଇଚ୍ଛା କରୁଛି ।”

ସେ ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ତ ପୈତୃକ ସମ୍ପତ୍ତି ଦୁଇଭାଗ କରି ବାଂଟିଦିଆଗଲା । ରତ୍ନାକର ନିଜ ଭାଗର ସମସ୍ତ ସମ୍ପତ୍ତି ନେଇ ସେଠାରୁ ଚାଲିଗଲେ । ଦେଶ ବିଦେଶ ବୁଲି ସେ ସମସ୍ତ ପ୍ରକାରର ବିଳାସ ବ୍ୟସନ ଉପଭୋଗ କରିବାରେ ଲାଗିଲେ । ନିଜର ସମସ୍ତ ସଂପଦ ବ୍ୟୟ ହୋଇଯିବା ପରେ ସେ ପୁନଶ୍ଚ ସ୍ୱଗ୍ରାମକୁ  ଫେରିଆସିଲେ । ଭାଇଙ୍କୁ ମିଥ୍ୟା କଥାରେ ଭୁଲାଇ ଦେଲେ ଯେ, ତାଙ୍କର ସମସ୍ତ ଅର୍ଥ ଡକାୟତମାନଙ୍କ ଦ୍ୱାରା ଲୁଣ୍ଠିତ ହୋଇଯାଇଛି ।

ପଦ୍ମାକର ଭାଇର କଥାକୁ ବିଶ୍ୱାସ କଲେ ଓ ନିଜ ସହିତ ରହିବା ପାଇଁ ଅନୁମତି ଦେଲେ । ହେଲେ ସେ ଚତୁର ରତ୍ନାକର ଭାଇଙ୍କ ସାଦର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି କହିଲେ, “ମୁଁ ଜଣେ ଆତ୍ମାଭିମାନୀ ବ୍ୟକ୍ତି । ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛି । ତେଣୁ ମୋ ଉପରେ ଯଦି ତୁମର ବିଶ୍ୱାସ ଥାଏ, ତେବେ ଆଉ କିଛି ଅର୍ଥ ମତେ ଋଣ ଆକାରରେ ପ୍ରଦାନ କରନ୍ତୁ । ତାହା ବ୍ୟବସାୟରେ ନିୟୋଜିତ କରି ମୁଁ ମୋର ସ୍ଥିତି ସୁଧାରିନେବି ।”

ରତ୍ନାକରଙ୍କ ଏପରି କଥାରେ ପଦ୍ମାକର ହସି ହସି କହିଲେ, “ଆତ୍ମାଭିମାନୀ ବ୍ୟକ୍ତି କେବେହେଲେ କାହାଠାରୁ ଋଣ ମାଗେ ନାହିଁ । ତୁମକୁ ଆତ୍ମବଳ ଉପରେ ନିର୍ଭର କରିବା ପାଇଁ ହିଁ ପଡିବ । ନିଜେ ନିଜର ଦାୟିତ୍ୱ ନେଲେ, ନିଜର ସାମର୍ଥ୍ୟ ଉପରେ ଅଧିକ ଆସ୍ଥା ଓ ବିଶ୍ୱାସ ପ୍ରକଟିତ ହୁଏ । ତେଣୁ ତୁମେ ବିବାହ କର । ବିବାହ ପରେ ପତ୍ନୀଙ୍କର ଅଳଙ୍କାର ବିକ୍ରୟ କରି ବ୍ୟବସାୟ ଆରମ୍ଭ କରିବ । କାରଣ ବିବାହ ପରେ ପତି ଓ ପତ୍ନୀଙ୍କ ମଧ୍ୟରେ ନିଜ, ପରର କୌଣସି ପ୍ରଭେଦ ନ ଥାଏ । ତେଣୁ ସେହି ଧନ ତୁମର ଆତ୍ମାଭିମାନକୁ ହାନୀ କରିବ ନାହିଁ ।” ଏକମାସ ଅନ୍ତରରେ ରତ୍ନାକରଙ୍କ ସହିତ ହେମାବତୀଙ୍କର ବିବାହ ଅନୁଷ୍ଠିତ ହେଲା । ବ୍ୟବସାୟରେ ଯଦିଓ ବିଶେଷ ଉନ୍ନତି ପରିଲକ୍ଷିତ ହେଲା ନାହିଁ, ତେବେ ବି ବଡମଉଜରେ ରତ୍ନାକର ଦିନ କାଟୁଥିଲେ । ସମୟକ୍ରମେ ସେ ହେଲେ ତିନି ପୁତ୍ରର ଜନକ ।

ପଦ୍ମାକରଙ୍କର ଗୋଟିଏ ବୋଲି ପୁତ୍ର । ତା’ର ନାମ ଶ୍ରୀମୁଖ । ଶ୍ରୀମୁଖକୁ ଦଶବର୍ଷ ବୟସ ହୋଇଥିବା ସମୟରେ ତା ମା’ଙ୍କର ଦେହାନ୍ତ ଘଟିଲା । ପଦ୍ମାକର ତାଙ୍କ ପତ୍ନୀଙ୍କୁ ପ୍ରାଣଠାରୁ ବି ଅଧିକ ଭଲପାଉଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ସଂସାର ପ୍ରତି ତାଙ୍କର ମୋହ ତୁଟିଗଲା । ସମସ୍ତ ସମ୍ପତ୍ତି ଓ ପୁତ୍ର ଶ୍ରୀମୁଖକୁ ଭାଇ ରତ୍ନାକରଙ୍କ ଦାୟିତ୍ୱରେ ରଖି ସେ ହିମାଳୟ ଅଭିମୁଖେ ଚାଲିଗଲେ । ରତ୍ନାକର ଓ ହେମାବତୀ ବଡ ଆଗ୍ରହରେ ସେହି ଦାୟିତ୍ୱ ଗ୍ରହଣ କଲେ ।

କିନ୍ତୁ ସେମାନଙ୍କର ଚିନ୍ତାର ଗୋଟିଏ କାରଣ ଥିଲା । ଶ୍ରୀମୁଖ ଥିଲା ସମସ୍ତ ସମ୍ପତ୍ତିର ମାଲିକ । ସେ ସାବାଳକ ହେବା ପରେ ତାକୁହିଁ ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିବାକୁ ପଡିବ । ସେମାନଙ୍କ ମନରେ ଶ୍ରୀମୁଖଠାରୁ ସମ୍ପତ୍ତି ଠକିନେବା ପାଇଁ ଖଳବୁଦ୍ଧି ଜୁଟିଲା । ସୁତରାଂ ସେମାନେ ଏକ ଯୋଜନା ତିଆରି କଲେ । ଯାହାକୁ ଧୀରେ ଧୀରେ କାମରେ ଲଗେଇ ଶ୍ରୀମୁଖକୁ ମିଠା ମିଠା କଥାରେ ପ୍ରଭାବିତ କଲେ । କ୍ରମଶଃ ଶ୍ରୀମୁଖକୁ ବୁଦ୍ଧିହୀନ ଓ ଚିନ୍ତାଶକ୍ତି ରହିତ କରିଦେଲେ ।

ଶ୍ରୀମୁଖର ପାଠପଢା ସ୍ଥଗିତ ରହିଲା । “ଏହି ଗ୍ରାମରେ ଏତେ ଲୋକ ଥାଉ ଥାଉ, ତୁମ ପିତା ତୁମକୁ ମୋ ଦାୟିତ୍ୱରେ ଛାଡିଗଲେ । ବୋଧହୁଏ ସେ ବିଶ୍ୱାସ କଲେ, ମୋ ଦ୍ୱାରା ହିଁ ତୁମର ମଙ୍ଗଳ ସାଧିତ ହେବ । ତେଣୁ ତୁମେ ସର୍ବଦା ମୋ କଥା ମାନି ଚଳିବ । ଅନ୍ୟ କେହି କିଛି କହିଲେ, ତୁମେ ତା’ଦ୍ୱାରା କେବେ ବି ପ୍ରଭାବିତ ହେବ ନାହିଁ ।” ରତ୍ନାକର ଗମ୍ଭୀର ଭାବରେ ଏପରି ପରାମର୍ଶ ଦେଲେ । ସେହିଦିନଠାରୁ ଶ୍ରୀମୁଖ ସର୍ବଦା ନିଜର କାକାଙ୍କ କଥା ମାନି ଚଳିବା ଆରମ୍ଭ କଲା ।

“ଧନ ସମ୍ପତ୍ତି ଚିରସ୍ଥାୟୀ ନୁହେଁ । ମଣିଷ ପରିଶ୍ରମ କରି ଜୀବନ ବିତେଇବା ନିହାତି ଆବଶ୍ୟକ । ତେଣୁ ଆଜିଠାରୁ ଘରର ସମସ୍ତ କାମ ତୁମେ ନିଜହାତକୁ ନିଅ ।” ଯେଉଁଦିନ ରତ୍ନାକର ଶ୍ରୀମୁଖକୁ ଏପରି କହିଲା, ସେହିଦିନଠାରୁ ଶ୍ରୀମୁଖ ସେ ଘରର ଏକ ଚାକର ପରି ସଦା ସର୍ବଦା ଖଟୁଥାଏ ।

“ବୋଧହୁଏ ତୁମେ ଭାବୁଥିବ, ତୁମଦ୍ୱାରା ଘରର ସମସ୍ତ କାମ କରାଇନେଇ ଆମେ କାହିଁକି କିଛି ପରିଶ୍ରମ କରୁନାହୁଁ । ଏପରି ଚିନ୍ତାଧାରା ମନୁଷ୍ୟ ପାଇଁ ଆଦୌ ଭଲନୁହେଁ । ଏହା ତୁମପାଇଁ କ୍ଷତିକାରକ ହୋଇପାରେ । ମାଙ୍କ ମୃତ୍ୟୁ ପରେ ତୁମର ପିତା ଏପରି ଅଯଥା ଚିନ୍ତା କରି ଘରଦ୍ୱାର ଛାଡି ଚାଲିଗଲେ । ତେଣୁ କୌଣସି ବିଷୟରେ ଅଯଥା ଚିନ୍ତା ଭାବନା କରିବା ତୁମେ ତ୍ୟାଗ କରିଦିଅ ।” ରତ୍ନାକର ଏପରି କହି ଶ୍ରୀମୁଖକୁ ଅଧିକ ପ୍ରଭାବିତ କଲେ ।

ସେ ଗ୍ରାମର ଅନ୍ୟଲୋକମାନେ, ଏପରି କଥା ଶୁଣି ଓ ଏପରି ବ୍ୟବହାର ଦେଖି ବହୁତ ଦୁଃଖ ଅନୁଭବ କରୁଥାଆନ୍ତି । ଶ୍ରୀମୁଖ ପ୍ରତି ତାଙ୍କ ମନରେ ସହାନୁଭୂତି ଓ ଦୟା ଆସୁଥାଏ । କେହି କେହି ସାହସ କରି ରତ୍ନାକରଙ୍କୁ ଏହି ଅନ୍ୟାୟ ଆଚରଣ ପାଇଁ ଚେତାବନୀ ଶୁଣାଉଥାନ୍ତି । ମାତ୍ର ରତ୍ନାକର ସେମାନଙ୍କର ଦୃଢ ବିରୋଧ କରି କହିଲେ, “ତାର ପିତା ସନ୍ନ୍ୟାସୀ । ତେଣୁ ସେ ମଧ୍ୟ ସନ୍ନ୍ୟାସୀଙ୍କ ପରି ଜୀବନଯାପନ କରିବାକୁ ପସନ୍ଦ କରୁଛି । କେତେ ପୁଣ୍ୟ କଲେ ଏପରି ଜୀବନ ମିଳେ?” ଏପରି କଥା ଶୁଣି ଶୁଣି ଶ୍ରୀମୁଖ ନିଜକୁ ବହୁତ ବଡ ଭାଗ୍ୟବାନ ମନେ କରୁଥାଏ । ଏକଥା ମଧ୍ୟ ମନରେ ବିଶ୍ୱାସ କରୁଥାଏ ଯେ, ତାର କାକାଙ୍କ ଦୟାରୁ ତାକୁ ଏପରି ସୌଭାଗ୍ୟ ମିଳିଛି । ତେଣୁ କାକା ତା ପରି ଭାଗ୍ୟବାନ ହେବା ପାଇଁ ଚେଷ୍ଟା କରି ହୋଇ ପାରୁନାହାଁନ୍ତି । ଏହା ଭାବି ତା’ମନରେ ତାଙ୍କ ପ୍ରତି ଦୟା ଆସୁଥାଏ ।

ଏହିପରି ପାଞ୍ଚବର୍ଷ ବିତିଗଲା ।

ହିମାଳୟ ଯାତ୍ରା କରିଥିବା ପଦ୍ମାକର ସେଠାରେ ମାନସିକ ଶାନ୍ତି ପାଇଁ ତପସ୍ୟାରତ ହେଲେ । ଏହା ଦ୍ୱାରା ତାଙ୍କୁ କିଛି ଅଦ୍ଭୁତ ଶକ୍ତି ପ୍ରାପ୍ତ ହେଲା । ଏହାପରେ ତାଙ୍କ ମନରେ ପୁତ୍ରକୁ ଦେଖିବା ପାଇଁ ଲାଳସା ଜାଗ୍ରତହେଲା । ତେଣୁ ସେ ତାଙ୍କ ଗ୍ରାମକୁ ଫେରିଲେ ।

ତାଙ୍କ ମୁହଁରେ ବର୍ଦ୍ଧିତ କେଶ ଓ ଦାଢୀ ହେତୁ ରତ୍ନାକର ତାଙ୍କୁ ଚିହ୍ନି ପାରିଲେ ନାହିଁ । ପଦ୍ମାକର ମଧ୍ୟ ନିଜ ସମ୍ବନ୍ଧରେ ଭାଇଙ୍କୁ କିଛି ବି ଜଣାଇଲେ ନାହିଁ । ଜଣେ ସାଧାରଣ ସନ୍ନ୍ୟାସୀଙ୍କ ପରି ଗୃହ ସମ୍ମୁଖରେ ଠିଆହୋଇ ରହିବାରୁ ରତ୍ନାକର ତାଙ୍କୁ ଭିତରକୁ ଡାକିଲେ ।

ରତ୍ନାକର ଶ୍ରୀମୁଖକୁ ପଦ୍ମାକରଙ୍କ ସେବାର ଦାୟିତ୍ୱ ଦେଲେ । ଶ୍ରୀମୁଖ ଭକ୍ତି ଓ ଶ୍ରଦ୍ଧା ସହିତ ପଦ୍ମାକରଙ୍କ ସେବାରେ ଲାଗିପଡିଲେ । ତାଙ୍କର ଆବଶ୍ୟକତା ପୂରଣ କରିବାରେ ଲାଗିପଡିଲେ । ଅଳ୍ପ ସମୟ ମଧ୍ୟରେ ସେ ବୁଝିପାରିଲେ, ଏହି ଗୃହରେ ତାଙ୍କର ପୁତ୍ରର ସ୍ଥାନ କେଉଁଠି । ଏହା ପଦ୍ମାକରଙ୍କ ମନରେ ଅଶେଷ ଦୁଃଖ ଆଣିଦେଲା । ସେ ପୁତ୍ରକୁ କହିଲେ, “ପୁତ୍ର, ତୁମେ ଏହି ଘରର ମାଲିକ । ତୁମକୁ ଏପରି ସେବକ ରୂପେ ଖଟିବାର ଦୁର୍ଭାଗ୍ୟ, ଦୁର୍ଯୋଗ କାହିଁକି ଓ କିପରି ମିଳିଛି?

ଏକଥା ଶୁଣି ଶ୍ରୀମୁଖ ସ୍ପଷ୍ଟ ରୂପେ କହିଲା “ଏହା ମୋର ଦୁର୍ଭାଗ୍ୟ ନୁହେଁ, ସୌଭାଗ୍ୟ ।” “ତୁମର କାକା ଦୁଷ୍ଟ ପ୍ରକୃତିର ଅଟେ । ସେ ତୁମକୁ ପ୍ରତାରଣା କରିଛି ।” ପଦ୍ମାକରମନରେ ନିଜ ଭାଇ ପ୍ରତି ଘୃଣାଭାବ ପ୍ରକାଶ ପାଇଲା ।

କିନ୍ତୁ ଶ୍ରୀମୁଖ ସାଧୁଙ୍କ ପାଖରୁ ଏପରି କଥା ଶୁଣି ସିଧା ଭିତରକୁ ଦୌଡିଯାଇ ରତ୍ନାକରଙ୍କୁ କହିଲା, “ସେହି ସାଧୁ ଆପଣଙ୍କୁ ଦୁଷ୍ଟ ଓ ପ୍ରତାରକ କହି ନିନ୍ଦା ଦେଉଛନ୍ତି । ମୁଁ ତାହା ସହ୍ୟ କରିପାରିବି ନାହିଁ । ମୁଁ ତାଙ୍କର ଆଉ ସେବା କରିବି ନାହିଁ ।”

ରତ୍ନାକର, ଶ୍ରୀମୁଖକୁ ସାଙ୍ଗରେ ଧରି ପଦ୍ମାକରଙ୍କ ପାଖକୁ ଆସି କହିଲେ, “ମୁଁ ତ ଭାବିଥିଲି ଆପଣ ଜଣେ ପ୍ରକୃତ ସାଧୁ । କିନ୍ତୁ ଅନ୍ୟ ଲୋକମାନଙ୍କ ପରି ଆପଣ ମଧ୍ୟ ମୋତେ ଦୁଷ୍ଟ, ପ୍ରତାରକ କହି ନିନ୍ଦା କରୁଛନ୍ତି । ଆପଣଙ୍କ ପ୍ରତି ମୋର କାହିଁ ଟିକେ ସନ୍ଦେହ ହେଉଛି ।”

ଭାଇ କଥା ଶୁଣି ପଦ୍ମାକର କ୍ଷୋଭର ସହିତ କହିଲେ, “ପ୍ରକୃତରେ ମୁଁ ଜଣେ ସାଧୁ । ତେଣୁ ମୁଁ ତୁମର ପ୍ରତାରଣା ଠିକ୍ ବୁଝିପାରିଲି । ମୋ ଉପରେ ତୁମର ଯଦି ସନ୍ଦେହ ହେଉଛି, ତେବେ ଶ୍ରୀମୁଖକୁ ଏକ ବର ପ୍ରଦାନ କରି ମୁଁ ସେହି ସନ୍ଦେହ ଦୂର କରିବି ।” ଏହାପରେ ନିଜର ପୁତ୍ରକୁ ଚାହିଁ ସେ କହିଲେ, “ପୁତ୍ର ଏପରି ଏକ ବର ଭିକ୍ଷା କର, ଯାହାଦ୍ୱାରା କାହାରି କିଛି ବି ଅନିଷ୍ଟ ହେବ ନାହିଁ ।”

ଶ୍ରୀମୁଖ ରତ୍ନାକରଙ୍କ ଆଡକୁ ଚାହିଁଲା । ରତ୍ନାକର ବର ମାଗିବା ପାଇଁ ଇଶାରା ଦେଲେ ।

ତହୁଁ ଶ୍ରୀମୁଖ କହିଲା “ମୁଁ ବଡ ଭାଗ୍ୟବାନ ଅଟେ । ମୋ ସମ୍ବନ୍ଧରେ ଭଲମନ୍ଦ ଚିନ୍ତା କରିବା ପାଇଁ ମୋର କାକା ଅଛନ୍ତି । ତେଣୁ  ମୋର ନିଜର ବୋଲି କୌଣସି ଇଚ୍ଛା ନାହିଁ ।” ଶ୍ରୀମୁଖର ଏପରି କଥାରେ ରତ୍ନାକର ଗର୍ବରେ ଫାଟିପଡି କହିଲେ, “ଶ୍ରୀମୁଖର ନିଜ ମୁହଁରୁ ସବୁ ଶୁଣିଲେ ତ? ସେ ନିଜ ବିଷୟରେ ଚିନ୍ତା ମଧ୍ୟ କରିବା ପାଇଁ ଚାହୁଁନାହିଁ ।”

ପଦ୍ମାକର ଏବେ ଏଠିକା ପରିସ୍ଥିତିର ପୂର୍ଣ୍ଣାଙ୍ଗ ଚିତ୍ର ପାଇପାରିଲେ । ତାଙ୍କର ଭାଇ ଶ୍ରୀମୁଖକୁ ବୁଦ୍ଧିହୀନ ଓ ବିବେକରହିତ କରି ଗଢି ତୋଳିଛି । ତାକୁ କୌଣସି କାମ ପାଇଁ ଯୋଗ୍ୟ କରି ରଖିନାହିଁ । ଏବେ ମୁଁ ଏପରି ପୁତ୍ରର ଭଲପାଇଁ କଣ ବା କରିପାରିବି? ପଦ୍ମାକର ଏପରି ଅନେକ ଚିନ୍ତାରେ ପଡିଗଲେ ।

ରତ୍ନାକର ଶ୍ରୀମୁଖକୁ କହିଲେ, “ଶ୍ରୀମୁଖ, ସାଧୁ ମହାରାଜ ଯେତେବେଳେ ଏତେ ଆଗ୍ରହରେ ବର ପ୍ରଦାନ କରିବା ପାଇଁ ଚାହୁଁଛନ୍ତି, ତୁମେ କିଛି ନ ମାଗିଲେ, ତାହା ଭୁଲ୍ ହେବ । ଯେବେ ତୁମର ନିଜର କୌଣସି ଅଭିଳାଷ ବା ଆଶା ନାହିଁ, ତେବେ ମତେ ସୁଖୀ ଓ ସନ୍ତୁଷ୍ଟ ରଖିବା ପରି କୌଣସି ବର ମାଗିନିଅ । ସେ ତାହା ନିଶ୍ଚୟ ପ୍ରଦାନ କରିବେ ।”

କାକାଙ୍କ କଥା ଶୁଣି ଶ୍ରୀମୁଖ ଅବିଳମ୍ବେ କହିଲା, “ମୁଁ ଇଚ୍ଛା କରୁଛି ଯେ, ମୋର ଭାଗ୍ୟର ସ୍ଥିତି ମୋର କାକାଙ୍କୁ ମିଳିଯାଉ । ଆଉ କାକାଙ୍କ ଭାଗ୍ୟର ସ୍ଥିତି ମତେ ପ୍ରାପ୍ତ ହେଉ । ମୁଁ ଭାବୁଛି, ତାଙ୍କର ସୁଖ ସନ୍ତୋଷର ଏହାହିଁ ଏକମାତ୍ର ମାର୍ଗ ଅଟେ ।” ପଦ୍ମାକର ‘ତଥାସ୍ତୁ’ କହିଲେ । ପଦ୍ମାକରଙ୍କ ବର ତୁରନ୍ତ ଫଳୀଭୂତ ହେଲା । ସେହିଦିନୁ ଶ୍ରୀମୁଖ ସେ ଘରର ମାଲିକ ପରି ଆଚରଣ କଲା । ସପରିବାରେ ରତ୍ନାକର ଘରର ନୌକର ମାନଙ୍କ ସହିତ ମିଶି ଚଳିଲେ । ଏଣେ ସେ ପଦ୍ମାକର ନିଜର ପରିଚୟ ଗୋପନ ରଖି, କାହାକୁ କିଛି ନ କହି ପୁଣି ହିମାଳୟକୁ ଫେରିଗଲେ ।

କାହାଣୀଟି ଶୁଣେଇବା ପରେ ବେତାଳ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜନ୍, ତାନ୍ତ୍ରିକ ମାନଙ୍କ ବ୍ୟତୀତ ଆଉ କେହି ମଧ୍ୟ ଆପଣାସ୍ୱାର୍ଥ ହାସଲ ପାଇଁ ତପଃଶକ୍ତିର ପ୍ରୟୋଗ କରନ୍ତି ନାହିଁ । ଏପରି କରିବା ସାଧୁ-ଲକ୍ଷଣ ନୁହେଁ ବା ଏହା ମଧ୍ୟ ଫଳପ୍ରଦ ହୁଏନାହିଁ । କିନ୍ତୁ ପଦ୍ମାକର ସ୍ୱାର୍ଥ ପ୍ରେରିତ ହୋଇ ନିଜ ପୁତ୍ରର ମଙ୍ଗଳ ପାଇଁ ଏପରି କରିଛି । ତା ଭାଇର କ୍ଷତି କରୁଥିବା ପରି ବର ମଧ୍ୟ ଫଳବତୀ ହେଇଛି, ଏହା ଆଶ୍ଚର୍ଯ୍ୟର କଥା । ଏହା ତୁମକୁ କଣ ବିଚିତ୍ର ଲାଗୁନାହିଁ? ଏହା କଣ ଧର୍ମ ବିରୁଦ୍ଧ ନୁହେଁ? ମୋର ଏହି ସନ୍ଦେହର ସମାଧାନ ଜାଣି ମଧ୍ୟ ନୀରବ ରହିଲେ, ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।”

ବିକ୍ରମାର୍କ କହିଲେ, “ରତ୍ନାକର ଏକ ଖରାପ ସ୍ୱଭାବର ବ୍ୟକ୍ତି । ପ୍ରତାରକ ରତ୍ନାକରର ଚିକ୍କଣ କଥାରେ ଭଳି ଯାଇ ଶ୍ରୀମୁଖ ନିଜକୁ ବଡ ଭାଗ୍ୟବାନ ମନେ କରୁଥିଲା ଓ ନିଜର କାକାଙ୍କୁ ଭାଗ୍ୟହୀନ ଭାବୁଥିଲା । ଏହି ବିଶ୍ୱାସ ତା ଭିତରେ ଏତେ ଦୃଢ ଭାବରେ ରହିଥିଲା ଯେ, ବରମାଗିବା ବେଳେ କୌଣସି ମନ୍ଦ ଉଦ୍ଧେଶ୍ୟ ତା’ ମନରେ ଆଦୌ ନ ଥିଲା । ପରୋପକାର ପାଇଁ ସେ ବର ମାଗିଥିବାରୁ ତାହା ଫଳବତୀ ହେଲା । ସାଧୁ ସନ୍ନ୍ୟାସୀ ହେଲେ ମଧ୍ୟ ଦୁଷ୍ଟକୁ ଦଣ୍ଡ ଦେବା ଧର୍ମ ସମ୍ମତ ଅଟେ । ପଦ୍ମାକର ଇଚ୍ଛା କରିଥିଲେ, ନିଜର ଶକ୍ତି ଦ୍ୱାରା ରତ୍ନାକରକୁ ମଧ୍ୟ ଦଣ୍ଡିତ କରି ପାରିଥାଆନ୍ତେ । କିନ୍ତୁ ସେ ଏପରି କରିନାହାଁନ୍ତି । ତେଣୁ ତାଙ୍କର କାର୍ଯ୍ୟକୁ ଆମେ ସ୍ୱାର୍ଥପର କିମ୍ବା ଧର୍ମବିରୁଦ୍ଧ କୌଣସି ଆରୋପ ଲଗାଇ ପାରିବା ନାହିଁ ।

ରାଜାଙ୍କର ଏପରି ମୌନଭଙ୍ଗ ଘଟିବାରୁ ଶବ ଓ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁଣି ପୂର୍ବପରି ସେହି ଗଛଡାଳରେ ଝୁଲିପଡିଲା ।

ଆଧାର: ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate