অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାପ ମାନଙ୍କର କାହାଣୀ

ସାପ ମାନଙ୍କର କାହାଣୀ

ଉପକ୍ରମ

ଗୋଟିଏ ନଗରୀରେ ‘ଦେବଶକ୍ତି’ ନାମକ ଜଣେ ରାଜା ବାସ କରୁଥିଲେ । ରାଜାଙ୍କର ଏକମାତ୍ର ସନ୍ତାନ ଥାଏ । କିନ୍ତୁ ରାଜାଙ୍କ ମନରେ ସୁଖ ନଥାଏ । କାରଣ ରାଜକୁମାରଙ୍କ ପେଟରେ ଏକ ସାପ ଥାଏ । ରାଜ୍ୟରେ ଥିବା ବଡ ବଡ ଚିକିତ୍ସକ ମାନେ ଆସି ରାଜକୁମାରଙ୍କୁ ଚିକିତ୍ସା କଲେ ସତ, କିନ୍ତୁ ତନ୍ମଧ୍ୟରୁ କୌଣସିଟି କାର୍ଯ୍ୟ କଲାନାହିଁ । ଶେଷରେ ରାଜକୁମାର ବଂଚିବା ଆଶା ଛାଡିଦେଲେ । କାହାକୁ କିଛି ନକହି ରାତିରେ ପ୍ରାସାଦ ଛାଡି ଅନ୍ୟ ଏକ ରାଜ୍ୟକୁ ଚାଲିଗଲେ । ଅନ୍ୟ ରାଜ୍ୟରେ ଭିକ୍ଷା କରି ଏକ ମନ୍ଦିର ମଧ୍ୟରେ ଆଶ୍ରୟ ନେଲେ । ସେହି ରାଜ୍ୟର ରାଜାଙ୍କର ଦୁଇଟି କନ୍ୟାଥିଲେ । ପ୍ରତିଦିନ ସୁର୍ଯୋଦୟ ସମୟରେ ସେମାନେ ପିତାଙ୍କ ପାଦତଳେ ପ୍ରଣାମ କରନ୍ତି । ପ୍ରଣାମ କରିବା ସମୟରେ ବଡ ଝିଅ କହେ, ହେ ପିତୃଦେବ! ଆପଣଙ୍କ ଦୟାରୁ ମୁଁ ସବୁ ସୁଖ ପାଇଛି ତେଣୁ ସର୍ବଦା ଆପଣଙ୍କର ଜୟହେଉ । ସାନ ଝିଅଟି ପ୍ରଣାମ କରି କହେ, ହେ ପିତୃଦେବ! ସମସ୍ତେ ନିଜ ନିଜର କର୍ମଫଳ ଭୋଗ କରିଥାଆନ୍ତି ।

ବର୍ଣ୍ଣନା

ଦିନେ କୌଣସି କାରଣ ପାଇଁ ରାଜାଙ୍କ ମନ ଭଲ ନଥିଲା । ଏହି ସମୟରେ ରାଜକୁମାରୀମାନେ ରାଜାଙ୍କୁ ପ୍ରଣାମ କରିବାକୁ ଆସି ଅନୁରୂପ କଥା କହିଲେ । ସାନ ଝିଅର କଥା ଶୁଣି ରାଜା ସେଦିନ ହଠାତ୍ ରାଗିଗଲେ । ସଂଗେ ସଂଗେ ମନ୍ତ୍ରୀଙ୍କୁ ଆଦେଶ ଦେଲେ, ମନ୍ତ୍ରୀବର! ମୋର ଏହି ହତଭାଗିନୀ ଝିଅକୁ ନେଇ ଯେକୌଣସି ଏକ ବ୍ୟକ୍ତିକୁ ବିବାହ କରାଇଦିଅ । ସେ ତା’ର ନିଜର କର୍ମଫଳ ନିଜେ ଭୋଗ କରିବ । ରାଜାଙ୍କ ଆଦେଶକୁ ମନ୍ତ୍ରୀ ଅମାନ୍ୟ କରିବ ବା କିପରି? ମନ୍ତ୍ରୀ ରାଜକନ୍ୟାକୁ ନେଇ ବରପାତ୍ର ଖୋଜିବା ଉଦ୍ଧେଶ୍ୟରେ ବାହାରିଲେ । କିଛି ସମୟପରେ ମନ୍ତ୍ରୀ ମନ୍ଦିରରେ ରହୁଥିବା ରାଜକୁମାରଙ୍କୁ ଭେଟିଲେ ଏବଂ ତାଙ୍କରି ସହିତ ରାଜକୁମାରୀଙ୍କୁ ବିବାହ କରାଇଦେଇ ଫେରିଆସିଲେ । ମନ୍ଦିରରେ ରହୁଥିବା ଏକ ବ୍ୟକ୍ତିକୁ ବିବାହ କଲେ ମଧ୍ୟ ରାଜକନ୍ୟାଙ୍କ ମନରେ ତିଳେ ମାତ୍ର ଦୁଃଖ ନଥାଏ । ରାଜକନ୍ୟା ମହାଆନନ୍ଦରେ ପତିଦେବଙ୍କର ସେବାରେ ଲାଗିପଡିଲେ । ସେ ସ୍ୱାମୀଙ୍କୁ ଭଗବାନ ରୂପରେ ମାନୁଥିଲେ । ବିବାହର କିଛିଦିନପରେ ସ୍ୱାମୀ, ସ୍ତ୍ରୀ ଉଭୟେ ସେହି ସ୍ଥାନ ଛାଡି ଅନ୍ୟ ଏକ ରାଜ୍ୟକୁ ଚାଲିଗଲେ । ଗୋଟିଏ ପୁଷ୍କରିଣୀ କୂଳରେ ଏକ ସୁନ୍ଦର କୁଡିଆଟିଏ ନିର୍ମାଣ କରି ସେଠାରେ ବସବାସ କଲେ । ରୋଗିଣା ରାଜକୁମାର ସେହି କୁଡିଆରେ ବିଶ୍ରାମ କରୁଥାଆନ୍ତି । ହଠାତ୍ ରାଜକୁମାରୀ ଦେଖିଲେ ରାଜକୁମାରଙ୍କ ପେଟ ମଧ୍ୟରୁ ଏକ ସାପ ପାଟି ବାଟେ ବାହାରକୁ ବାହାରି ଆସୁଛି । କୁଡିଆ ନିକଟରେ ଏକ ହୁଙ୍କା ଥାଏ । ସେହି ହୁଙ୍କାରୁ ମଧ୍ୟ ଆଉ ଗୋଟିଏ ସାପ ବାହାରକୁ ବାହାରି ଆସି ପବନ ଖାଉଥାଏ । ହୁଙ୍କାସାପଟି ରାଜକୁମାରଙ୍କ ସାପକୁ ଦେଖି ମନେ ମନେ ରାଗିଯାଇ କହିଲା, ତୁ ହେଉଛୁ ଏକ ଦୁଷ୍ଟ ଜୀବ । କାହିଁକି ରାଜକୁମାରଙ୍କ ପେଟରେ ରହି ତାଙ୍କୁ ଏତେ କଷ୍ଟ ଦେଉଛୁ? ରାଜକୁମାରଙ୍କ ସାପ କହିଲା, ତୁ ମୋତେ କାହିଁକି ଉପଦେଶ ଦେଉଛୁ? ଫୁଟୁଥିବା ତେଲ ନେଇ ତୋର ହୁଙ୍କାରେ ଢାଳିଦେଲେ ତୁ ମରିଯିବୁ । ହୁଙ୍କା ସାପଟି ଏହି କଥା ଶୁଣି ରାଗିଯାଇ କହିଲା, କାଞ୍ଜି ପାଣିରେ ସୋରିଷ ବାଟି ଯଦି ରାଜକୁମାରଙ୍କୁ ପିଇବାକୁ ଦିଆଯାଏ ତା’ହେଲେ ତୁ ମଧ୍ୟ ମୃତ୍ୟୁ ମୁଖରେ ପଡିବୁ । ତୋର ପୁଣି ଏତେ ବହପ?

ସାପ ଦୁଇଟିଙ୍କର କଥା ରାଜକନ୍ୟା ଗଛ ଆଢୁଆଳରେ ରହି ଶୁଣୁଥାଏ । ତାକୁ ହଠାତ୍ ଦେଖିବା ମାତ୍ରେ ଦୁଇଟିଯାକ ସାପ ନିଜ ନିଜ ସ୍ଥାନକୁ ଚାଲିଗଲେ । ସେମାନଙ୍କଠାରୁ ଶୁଣିଥିବା କଥାର ସଦୁପଯୋଗ ରାଜକୁମାରୀ କଲେ । ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ସେ ପ୍ରଥମେ କାଞ୍ଜି ପାଣିରେ ସୋରିଷ ବାଟି ପିଆଇ ଦେଲେ । ସଂଗେ ସଂଗେ ରାଜକୁମାରଙ୍କ ପେଟ ମଧ୍ୟରେ ଥିବା ସାପଟି ମରିଗଲା । ଏହାପରେ ରାଜକୁମାରୀ ତେଲ ଗରମ କରି ହୁଙ୍କାରେ ଢାଳିଦେବାରୁ ହୁଙ୍କା ଭିତରର ସାପଟି ମଧ୍ୟ ମରିଗଲା । ଏହାପରେ ରାଜକୁମାର ଏବଂ ରାଜକୁମାରୀ ହୁଙ୍କାଟିକୁ ଖୋଳିବାରୁ ସୁନା ମୋହର ଭର୍ତି ହୋଇଥିବା ଦୁଇଟି କଳସ ପାଇଲେ । ଖୁସି ମନରେ ସ୍ତ୍ରୀ ସହିତ ନିଜ ରାଜ୍ୟକୁ ଫେରିଗଲେ । ନିଜ ଭାଗ୍ୟ ଯୋଗୁଁ ରାଜକନ୍ୟା ଆନନ୍ଦରେ କାଳାତିପାତ କଲେ ।

କାହାଣୀଟି କହିସାରି ପ୍ରକାରକର୍ଣ୍ଣ କହିଲେ, ଆମ୍ଭମାନଙ୍କର ଏହି କୁଆକୁ ମାରିବା ଉଚିତ୍ ନୁହେଁ । ଏହା ମାଧ୍ୟମରେ ହିଁ ଆମ୍ଭେ ଶତ୍ରୁର ଦୁର୍ବଳତା ସଂପର୍କରେ ଜାଣିପାରିବା । ଯଦି ଆମେ ଏହାକୁ ସାହାଯ୍ୟ ନକରିବା ସାପ ଦୁଇଟିଙ୍କ ପରି ଶେଷରେ ଧ୍ୱଂସ ହୋଇଯିବା । ଅରିମର୍ଦ୍ଧନ ପ୍ରକାରକର୍ଣ୍ଣଙ୍କ କଥା ଶୁଣିସାରିବା ପରେ ସେ କୁଆମନ୍ତ୍ରୀ ସ୍ଥିରଜୀବିଙ୍କୁ ଆଶ୍ରୟ ଦେବାକୁ ଚାହିଁଲେ । ମାତ୍ର ରାଜାଙ୍କର ଏହି କାର୍ଯ୍ୟକୁ ରକ୍ତାକ୍ଷ ପସନ୍ଦ କଲେ ନାହିଁ । ସେ ପୁନର୍ବାର ସତର୍କ କରାଇବାକୁ ଯାଇ କହିଲେ, ଆପଣମାନେ ନିଶ୍ଚେ ଦିନେ ନା ଦିନେ ଦେଖିବେ ଏହି କୁଆ ହିଁ ଆମ୍ଭମାନଙ୍କର ବିନାଶର କାରଣ ହେବ । ଅରିମର୍ଦ୍ଧନ କିନ୍ତୁ ରକ୍ତାକ୍ଷଙ୍କ କଥାରେ କର୍ଣ୍ଣପାତ କଲେ ନାହିଁ । ସେ ସ୍ଥିରଜୀବିଙ୍କୁ ସସମ୍ମାନେ ଗୁମ୍ଫା ମଧ୍ୟକୁ ନେଇଗଲେ । ଯିବା ସମୟରେ ସ୍ଥିରଜୀବି ହଠାତ୍ କାନ୍ଦିପକାଇ କହିଲେ, ମୁଁ ଏପରି ଏକ ଜୀବନ ବଂଚିବାକୁ ଚାହେଁ ନାହିଁ । ଏପରି ବଂଚିବା ଅପେକ୍ଷା ଅଗ୍ନିକୁ ଡେଇଁ ଆତ୍ମହତ୍ୟା କରିବା ଶତଗୁଣେ ଶ୍ରେୟସ୍କର । ତଥାପି ମଧ୍ୟ ରକ୍ତାକ୍ଷ ତା’ର କଥାକୁ ବିଶ୍ୱାସ କଲେ ନାହିଁ । କୁଆର ଛଳନା ପୂର୍ଣ୍ଣ କଥା ଶୁଣି ବିଜ୍ଞ ରକ୍ତାକ୍ଷ କହିଲେ, “ହେ! ସ୍ଥିରଜୀବି ମୁଁ ଯାହା ଅନୁମାନ କରୁଛି, ତୁମେ କପଟ କଥା କହିବାରେ ଧୂରନ୍ଧର । ପର ଜନ୍ମରେ ତୁମେ ଯଦି ପେଚା ହୋଇ ଜନ୍ମନିଅ ତା’ହେଲେ ମଧ୍ୟ ଏହି ଜନ୍ମର କୁଆ ଜାତି ପ୍ରତି ଆଦର ଭାବ ପୋଷଣ କରିବ । ଏ ସଂପର୍କରେ ରକ୍ତାକ୍ଷ ଏକ କାହାଣୀର ଅବତାରଣା କଲେ ।

ଆଧାର ଓଡ଼ିଆ ଗପ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate